କରୋନାରେ ଚାଲିଗଲେ ପ୍ରଖ୍ୟାତ ଚଳଚିତ୍ର ସଂପାଦକ ରବି ପଟ୍ଟନାୟକ

Published: Apr 22, 2021, 3:06 pm IST

ଭୁବନେଶ୍ବର, ଆଜି ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଏଡିଟର ରବି ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ନିକଟରେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ 73 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ।

1948 ଡିସେମ୍ବର 2 ତାରିଖରେ ଜନ୍ମିତ ରବି ପଟ୍ଟନାୟକ ବହୁ ଓଡିଆ ତଥା ହିନ୍ଦି ଚଳଚିତ୍ର ସଂପାଦନା କରିଛନ୍ତି। ସେଗୁଡିକ ମଧ୍ୟରେ ଆରତି, ମହାସତୀ ସାବିତ୍ରୀ, ଶଙ୍ଖା ସିନ୍ଦୁର, ସବୁ ମାୟାରେ ବାୟା, ସ୍କୁଲ ମାଷ୍ଟର, ଶେଷ ଶ୍ରାବଣ, ଯାହାକୁ ରଖିବେ ଅନନ୍ତ, ସୁନା ଚଢେଇ ଦଣ୍ଡା ବାଳୁଗାଁ,  କଥାନ୍ତର, ଚିନି  ପ୍ରଭୃତି ରହିଛି। ସେହିପରି ହିନ୍ଦି ଚଳଚିତ୍ର ମଧ୍ୟରେ 27 ଡାଇନ, ଆପ କି ଖାତିର, ଚଳତେ ଚଲତେ, କିସମତ, ଜିନା ଇସିକା ନାମ୍ ପ୍ରଭୃତି ରହିଛି।

1970 ମସିହାରେ ସେ ପୁନା ଫିଲ୍ମି ଇନଷ୍ଟିଚ୍ୟୁଟରୁ ଏଡିଟିଂରେ ପାଶ କରି 1977 ମସିହାରେ ଅଭିମାନ ଚଳଚିତ୍ରରୁ ତାଙ୍କର ସଂପାଦନ କାର୍ଯ୍ୟ ଆରମ୍ଭ କରିଥିଲେ। ସାଧୁ ମେହର ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ପ୍ରଥମ ଥର ପାଇଁ ଉତ୍ତମ ମହାନ୍ତି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

2006 ମସିହାରେ ରବି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏସଆଇଇଟିର ପ୍ରଯୋଜନା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଉତ୍କୃଷ୍ଟ ସଂପାଦନ ପାଇଁ ତାଙ୍କୁ 2019 ମସିହାରେ ଓଡିଆ ଚଳଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଛି।

ଓଡିଆ ଚଳଚିତ୍ର ଜଗତରେ ଏହି ପ୍ରଖ୍ୟାତ ବ୍ୟକ୍ତିତ୍ବଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ଓଡିଶା ସିନେକ୍ରିଟକ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକ ଏବଂ ସଂପାଦକ ଦିଲ୍ଲୀପ ହାଲି ଶୋକ ବ୍ୟକ୍ତ କରିଛନ୍ତି।

Related posts