ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Published: Mar 2, 2023, 2:18 pm IST
Naveen

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଖବର ପାଇଁ ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଯଶୋଧାରା ହସ୍ପିଟାଲରେ ପିଣ୍ଟୁଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ସେ ଲିଭର ସେରୋସିସ୍ ରୋଗରେ ପିଡିତି ହୋଇ ଚିକିତ୍ସିତ ହେଉଥିଲେ।

ଓଡିଆ ଚଳଚିତ୍ରର ଜଣେ ଲୋକପ୍ରିୟ ଅଭିନେତା ଥିଲେ ପିଣ୍ଟୁ। ଏ ଗୌରା ..ତୁ କଣ ଖାଉଛୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି।

ତାଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ମର ଶରୀର ଭୁବନେଶ୍ବର ଆସିବ ବୋଲି ଜଣାପଡିଛି।

Related posts