କରୋନା ଯୁଦ୍ଧରେ ହାରିଲେ ଲୋକପ୍ରିୟ ଅଭିନେତା ନରେଶ କନୋଡିଆ

Published: Oct 27, 2020, 1:11 pm IST

ଗୁଜୁରାଟ : ଗୁଜୁରାଟୀ ଫିଲ୍ମ ସୁପରଷ୍ଟାର ତଥା ପୂର୍ବତନ ବିଧାୟକ ନରେଶ କନୋଡିଆଙ୍କର ମୃତ୍ୟୁ ଘଟିଛି । କରୋନା ଯୋଗୁଁ 77 ବର୍ଷ ବୟସରେ ନରେଶଙ୍କର ମୃତ୍ୟୁ ହୋଇଛି । ବଡଭାଇ ଲୋକପ୍ରିୟ ଗାୟକ ମହେଶ କନୋଡିଆଙ୍କ ମୃତ୍ୟୁର ତୃତୀୟ ଦିନରେ ନରେଶଙ୍କ ମୃତ୍ୟୁ ହୋଇଛି ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ରହିଥିଲେ ନରେଶ ।ତାଙ୍କର ଅକ୍ସିଜେନ୍‌ର ସ୍ତର ତଳକୁ ଖସି ଆସିଥିଲା । ଅକ୍ଟୋବର 20 ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ୟୁଏନ୍‌ ମହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ଲଢେଇ କରି ଶେଷରେ ହାରି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା ଜଣକ ।

ନରେଶ କନୋଡିଆ ଗୁଜୁରାଟରେ ପ୍ରଥମ କରୋନା ମାମଲା ଆସିଥିବାବେଳେ ସେ ଡ୍ରମ୍‌ ବଜାଇ ଭାଗ କରୋନା ଭାଗ …. ଗୀତ ଗାଇଥିଲେ । କିନ୍ତୁ ଶେଷରେ ସେ କରୋନା ସହ ଲଢି ଯୁଦ୍ଧରେ ହାରି ଯାଇଛନ୍ତି ।

1943 ମସିହା ଅଗଷ୍ଟ 20ରେ ଜନ୍ମ କରିଥିବା ନରେଶ୍‌  ‘ବେଲୀ ଆବେ ଫୁଲ’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ସେ 100ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି। ନରେଶ କନୋଡିଆ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲେ। ଲୋକପ୍ରତିନିଧି ଭାବେ 2002ରୁ 2007 ପର୍ଯ୍ୟନ୍ତ ରହିଥିଲେ। । ନରେଶଙ୍କ ଭାଇ ମହେଶ ଜଣେ ଜଣାଶୁଣା ସଙ୍ଗୀତଜ୍ଞ । ଗୁଜୁରାଟୀ ଫିଲ୍ମ ଜଗତରେ ମହେଶ-ନରେଶଙ୍କ ଯୋଡି ଖୁବ ଲୋକପ୍ରିୟ । ପ୍ରଥମେ ମହେଶଙ୍କ ମୃତ୍ୟୁ ହୋଇଥିବାବେଳେ ନରେଶଙ୍କ ମୃତ୍ୟୁ ହୋଇଛି । ଫିଲ୍ମ ଜଗତର ଦୁଇ କଳାକାରଙ୍କ ବିୟୋଗରେ ଗୁଜୁରାଟୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।  ନରେଶଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରି ଟୁଇଟ୍‌ କରିଛନ୍ତି ।  ସେହିପରି ନରେଶଙ୍କ ମୃତ୍ୟୁରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଶୋକ ପ୍ରକଟ କରିଛନ୍ତି । (ଏଜେନ୍ସି)

Related posts