ଆଉ ନାହାନ୍ତି ଅଭିନେତା ଫରାଜ୍‌ ଖାନ୍‌ : ରାଣୀ ମୁଖାର୍ଜୀଙ୍କ ସହ କରିଥିଲେ କାମ

Published: Nov 4, 2020, 2:10 pm IST

ମୁମ୍ବାଇ :  ଚଳିତ ବର୍ଷ ବହୁ ଲୋକପ୍ରିୟ, ସ୍ବନାମଧନ୍ୟ ନେତା, ଅଭିନେତା, ଗୀତିକାର,ସାହିତ୍ୟିକଙ୍କୁ  ଆମେ ହରାଇଛି । କରୋନା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ହରାଇଛୁ ଆମେ । ଅଭିନେତା ଫରାଜ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । 50 ବର୍ଷୀୟ ଏହି  ଅଭିନେତାଜଣକ ବାଙ୍ଗାଲୋରଠାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ଫରାଜ୍‌ଙ୍କ ମୃତ୍ୟୁ ହୋଇଛି । ଫରାଜଙ୍କ ମୃତ୍ୟୁ ଖବରକୁ ଅଭିନେତ୍ରୀ ପୂଜା ଭଟ୍ଟ ସୋସିଆଲ ମିଡିଆରେ ଟୁଇଟ୍‌ କରିବା ସହ ଶୋକପ୍ରକଟ କରିଛନ୍ତି ।

ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା ଥିଲେ ଫରାଜ ଖାନ୍‌ । ’ମେହେନ୍ଦୀ,’ ଫରେବ୍‌, ଦୁଲହନ୍‌ ବନୁ ମେଁ ତେରୀ, ଚାନ୍ଦ ବୁଝ୍‌ ଗୟା, ଲଭ୍‌ ଷ୍ଟୋରୀ 98, ଦିଲ୍‌ନେ ଫିଲ୍‌ ୟାଦ୍‌ କିୟା, ବାଜାରା ଆଦି ଫିଲ୍ମରେ କାମ କରିଥିଲେ ଫରାଜ୍‌ । କେବଳ ଫିଲ୍ମ ନୁହେଁ, ଛୋଟ ପରଦାରେ ମଧ୍ୟ ବେଶ୍‌ ଲୋକପ୍ରିୟ ଥିଲେ ଫରାଜ୍‌ । ଅଚାନକ 37 ସାଲ୍‌ ବାଦ୍‌ରେ ଅଜୟ ଭୂମିକାରେ ନଜର ଆସିଥିଲେ ଫରାଜ୍‌ । ଏହାପରେ ସେ ହରର୍‌ ଧାରାବାହିକ ‘ସ୍‌— କୋଇ ହୈ’ରେ ନଜର ଆସିଥିଲେ । ଏହା ବ୍ୟତୀତ ‘ନୀଲୀ ଆଖେଁ’, ‘ସିନ୍ଦୂର ତେରେ ନାମ୍‌ କା’, ‘ରାତ୍‌ ହୋନେ କା ହୈ’, ଆଦି ଧାରାବାହିକରେ ଅଭିନୟ କରିଥିଲେ ଫରାଜ୍‌ । ଫିଲ୍ମ ‘ମେହେନ୍ଦୀ’ରେ ସେ ରାଣୀ ମୁଖାର୍ଜୀଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଥିଲେ। ତେବେ ଶାରିରୀକ ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିବା ଏହି ଅଭିନେତା ଜଣକ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିଲେ । ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିବାବେଳେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।  ଫରାଜ୍‌ ଖାନ୍‌ ବ୍ରେନ୍‌ ଇନ୍‌ଫେକ୍ସନ ସହ ନିମୋନିଆରେ ପିଡୀତ ଥିଲେ । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ଫରାଜ୍‌ଙ୍କଙ୍କ ନିଧନରେ ବଲିଉଡ୍‌ରେ ଶୋକର ବାତାବରଣ ଖେଳିଯାଇଛି । (ଏଜେନ୍ସି)

Related posts