ନୂଆଦିଲ୍ଲୀ: ସୁପ୍ରିମକୋର୍ଟ CJI ଙ୍କ ବିଷୟରେ କେରଳ କଂଗ୍ରେସର ଅପମାନଜନକ X ପୋଷ୍ଟ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ପଦାଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ ଜାରି କରି ପଚାରିଛନ୍ତି ଯେ, କାହିଁକି ଅବମାନନା ମାମଲା ଚଲାଯିବ ନାହିଁ ?
କୋର୍ଟ କହିଛନ୍ତି ଯେ, ଆମେ ନିଜ ଉପରେ ନିୟନ୍ତ୍ରଣ ରଖୁଛୁ, ଏହାକୁ ଆମ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ। ଅଭିବ୍ୟକ୍ତିର ଅଧିକାର ନାଁରେ କିଛି ବି କହିବା ଗ୍ରହଣ କରାଯିବ ନାହିଁ। କୋର୍ଟ କହିଛନ୍ତି ଯେ, ସମ୍ବିଧାନ ସର୍ବୋଚ୍ଚ ଅଟେ। ଆମେ ସମ୍ବିଧାନର ପରିସର ଭିତରେ ନିଜ କର୍ତ୍ତବ୍ୟ ପାଳନ କରୁଛୁ। ଆମକୁ କୌଣସି ରାଜନୈତିକ ଦଳ କିମ୍ବା ସଂସ୍ଥାର ସହମତି ଦରକାର ନାହିଁ। କୋର୍ଟର ଗରିମା ଉପରେ ଆଘାତକୁ କଡ଼ା ଭାବେ ମୁକାବିଲା କରାଯିବ।
୧୫ ନଭେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି
କେରଳ କଂଗ୍ରେସ ପାଇଁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ସେ ବିନା ସର୍ତ୍ତରେ କ୍ଷମା ମାଗି ସତ୍ୟପାଠ ମଧ୍ୟ ଦାଖଲ କରିବେ। କୋର୍ଟ ପରବର୍ତ୍ତୀ ଶୁଣାଣିରେ ପଦାଧିକାରୀଙ୍କୁ ବ୍ୟକ୍ତିଗତ ହାଜରାରୁ ଛାଡ଼ ଦେଇଛନ୍ତି। ୧୫ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି ହେବ। କୋର୍ଟ ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଏବଂ ଓକିଲ ଗୌରବ ଅଗ୍ରୱାଲଙ୍କୁ ମାମଲାରେ ଆମିକସ୍ ଭାବେ ନିଯୁକ୍ତ କରିଛନ୍ତି। ଆଟର୍ଣ୍ଣି ଜେନେରାଲଙ୍କୁ ମଧ୍ୟ କୋର୍ଟଙ୍କୁ ସହାୟତା କରିବାକୁ କୁହାଯାଇଛି।
ମାଗିଥିଲେ କ୍ଷମା
ଭାରତର ମୁଖ୍ୟ ବିଚାରପତି (CJI) ଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ କରାଯିବା ମାମଲାରେ ପ୍ରଦେଶ ଅଧ୍ୟକ୍ଷ ସନ୍ନି ଜୋସେଫ୍ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। କେରଳ କଂଗ୍ରେସ ନିଜ ପୋଷ୍ଟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଅସମ୍ମାନଜନକ ଭାବେ ସମ୍ବୋଧନ କରି ତାଙ୍କୁ ପଦ ଛାଡ଼ିବାକୁ କହିଥିଲା। ଏହି ପୋଷ୍ଟକୁ ନେଇ ବହୁତ ବିବାଦ ହୋଇଥିଲା।
ପୋଷ୍ଟରେ କେରଳ କଂଗ୍ରେସ CJI ଙ୍କୁ ସମ୍ବୋଧନ କରି କହିଥିଲା ଯେ, ”ଯଦି ଆଇନ-ଶୃଙ୍ଖଳା ସମ୍ଭାଳିବା ଆପଣଙ୍କ ଅଧିକାର କ୍ଷେତ୍ରରେ ନାହିଁ ତେବେ ଇସ୍ତଫା ଦେଇ ଦିଅନ୍ତୁ। ଆମେ ଆପଣଙ୍କ ଜାଗାରେ ଏମିତି କାହାକୁ ଖୋଜି ନେବୁ ଯିଏ ଏହାକୁ ସମ୍ଭାଳି ପାରିବ।’ ଏହି ପୋଷ୍ଟକୁ ନେଇ ଜଣେ ଓକିଲ ଆବେଦନ ଦାଖଲ କରିଥିଲେ ଯାହା ଉପରେ ସୁପ୍ରିମକୋର୍ଟ ସଂଜ୍ଞାନ ନେଇଥିଲେ।


