ମୁମ୍ବାଇ : ଆଘାତଜନିତ ସମସ୍ୟା ଯୋଗୁଁ ଭାରତୀୟ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଦିନିକିଆ ସିରିଜ୍ରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଯୁବ ଅଲ୍ରାଉଣ୍ଡର୍ ସୂର୍ଯ୍ୟାଂଶ ଶେଗ୍ଡ଼େଙ୍କୁ ଇଣ୍ଡିଆ-ଏ’ ଦଳରେ ସାମିଲ କରାଯାଇଛି। ସୂର୍ଯ୍ୟାଂଶ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସରେ ଫିଟ୍ନେସ୍ ଟେଷ୍ଟ ପାସ୍ କରିବା ପରେ ପୁଡୁଚେରୀରେ ଦଳ ସହ ଯୋଡ଼ି ହୋଇସାରିଛନ୍ତି। ଚଳିତ ମାସ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ତିନିମ୍ୟାଚ୍ ବିଶିଷ୍ଟ ଅନ୍ଅଫିସିଆଲ୍ ଦିନିକିଆ ସିରିଜ୍ ଖେଳାଯିବ।
ହାର୍ଦ୍ଦିକ ଶେଷଥର ପାଇଁ ଆଇପିଏଲ୍ ୨୦୨୬ରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିଥିଲେ ଏବଂ ମାର୍ଚ୍ଚରେ ଆୟୋଜିତ ଟି-୨୦ ବିଶ୍ୱକପ୍ରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ୟପକ୍ଷରେ ଗତ ଜୁନ୍ରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ସୂର୍ଯ୍ୟାଂଶ ଇଣ୍ଡିଆ-ଏ’ ଦଳରେ ସାମିଲ ହୋଇଥିବାରୁ ଅକ୍ଟୋବର ୧୧ରୁ ଚଣ୍ଡିଗଡ଼ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ମୁମ୍ବାଇର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍ରୁ ବାଦ୍ ପଡ଼ିବେ।
ହାର୍ଦ୍ଦିକଙ୍କ ବ୍ୟତୀତ ନମନ ଧୀର ମଧ୍ୟ ଏହି ସିରିଜ୍ରେ ଖେଳିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ର ଟି-୨୦ ସିରିଜ୍ ପାଇଁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ୱାଶିଂଟନ୍ ସୁନ୍ଦରଙ୍କୁ ଟି-୨୦ ଦଳରୁ ରିଲିଜ୍ କରାଯାଇଥିବାରୁ ତାଙ୍କ ସ୍ଥାନ ନମନ ପୂରଣ କରିଛନ୍ତି। ସୁନ୍ଦର ଏବେ ତାମିଲନାଡ଼ୁ ପକ୍ଷରୁ ରଣଜୀ ଟ୍ରଫି ଖେଳିବେ। ଏହି ସିରିଜ୍ରେ ଋତୁରାଜ ଗାଏକୱାଡ୍ ଇଣ୍ଡିଆ-ଏ’ ଦଳର ନେତୃତ୍ୱ ନେଉଥିବା ବେଳେ ଦେବଦତ୍ତ ପାଡିକ୍କଲ୍ ଭାଇସ୍ କ୍ୟାପ୍ଟେନ୍ ରହିଛନ୍ତି। ଦଳରେ ସାଇ ସୁଦର୍ଶନ, ରଜତ ପାଟିଦାର, ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମ୍ରନ୍ ସିଂହ, ବିପ୍ରଜ ନିଗମ ଓ ୟଶ୍ ଠାକୁରଙ୍କ ସମେତ ଅନେକ ପ୍ରମୁଖ ଖେଳାଳି ସାମିଲ ଅଛନ୍ତି।


