କ୍ରମାଗତ ତୃତୀୟ ବିଜୟ ସହିତ ମହିଳା ବିଶ୍ବକପ୍‌ ସେମିରେ ଭାରତ

Published: Feb 27, 2020, 1:34 pm IST

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଭାରତ 20 ଓଭରରେ 133 ରନ୍‌ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 129 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଓପ୍‌ନର ଶେଫାଳି ବର୍ମା 34 ବଲ୍‌ରୁ 46 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାନିୟା ଭାଟିଆ (23) ଏବଂ ରାଧା ଯାଦବ(14) ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆମିଲିଆ କେର୍‌ ଏବଂ ରୋଜ୍‌ମେରୀ ମେୟର୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲେଘ୍‌ କାସ୍ପେର୍କ, ସୋଫି ଡିଭାଇନ୍‌ ଏବଂ ଲି ତାହୁହୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବର ଭାରତୀୟ ବୋଲରଙ୍କ ମିତବ୍ୟୟୀ ବୋଲିଂ କାରଣରୁ ଭାରତ ମ୍ୟାଚ୍‌କୁ 4 ରନ୍‌ରେ ବିଜୟୀ ହୋଇଥିଲେ । ପ୍ରାରମ୍ଭରୁ ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିବା ସହିତ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ନ୍ୟୁଜିଲ୍ୟାଣ୍ଡର ରନ୍‌ହାର ଧୀମେଇ ଯାଇଥିବା ବେଳେ ଅନ୍ତିମ ଓଭରରୁ ଦଳକୁ ବିଜୟୀ ହେବା ପାଇଁ 12 ରନ୍‌ ଆବଶ୍ୟକ ଥିଲା । ଶିଖା ପାଣ୍ଡେ 8 ରନ୍‌ ବ୍ୟୟ କରିବା ସହିତ ଭାରତକୁ 4 ରନ୍‌ରେ ବିଜୟୀ କରାଇଥିଲେ । ସମସ୍ତ ଭାରତୀୟ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଶେଫାଳି ବର୍ମାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Related posts