ଦ୍ବିତୀୟ ଟେଷ୍ଟ : ଭାରତର 242 ରନ୍‌ ଜବାବରେ ନ୍ୟୁଜିଲ୍ୟାଣ୍ଡ 63/0

Published: Feb 29, 2020, 2:33 pm IST

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ବ୍ୟଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ମାତ୍ର 242 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ବିନା ଓ୍ବିକେଟ୍‌ରେ 63 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ପୃଥ୍ବୀ ଶ(54), ଚେତେଶ୍ବର ପୂଜାରା (54) ଏବଂ ହନୁମା ବିହାରୀ(55) ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁନର୍ବାର ବିଫଳ ହୋଇଥିଲେ । କାଇଲ୍‌ ଜାମିସାନେ 45 ରନ୍‌ରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟପ୍‌ ଅର୍ଡରରେ ତିନି ଓ୍ବିକେଟ୍‌ ଅକ୍ତିଆର କରିବା ସହିତ ଲୋୟର୍‌ ଅର୍ଡରରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରି ଭାରତୀୟ ଇନିଂସକୁ ଧ୍ବସ୍ତ କରି ଦେଇଥିଲେ । ଟିମ୍‌ ସାଉଦି ଏବଂ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ନ୍ୟୁଜିଲ୍ୟାଣ୍ଡ ବିନା କୌଣସି ଓ୍ବିକେଟ୍‌ ହରାଇ 63 ରନ୍‌ ସଂଗ୍ରହ କରିଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟମ୍‌ ଲାଥାମ୍‌ ଅପରାଜିତ 27 ଏବଂ ଟମ୍‌ ବ୍ଲଣ୍ଡେଲ୍‌ 29 ରନ୍‌ କରି ବ୍ୟାଟିଂ କରୁଛନ୍ତି । (ଏଜେନ୍ସି)

Related posts