Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦଗଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ଲୋକଙ୍କ ପାଇଁ ଏକ ଅଭିଶାପ ସାବ୍ୟସ୍ତ ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।

ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଚିକିତ୍ସା ସୁବିଧା ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ । କଟକରେ ସରକାରୀ ଏମସିଏଚ୍ ସହ ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ ଥିବା କିଛି ହସ୍ପିଟାଲ ବ୍ୟତିତ ଅଧିକାଂଶ ଓଡ଼ିଆ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି ।

ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାର ପ୍ରାୟ ୧ କୋଟି ଲୋକମାନେ ଜୀବନଜୀବିକା ପାଇଁ ବାହାରେ କାମ କରୁଥିବା ଆକଳନ କରାଯାଇଛି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଆୟୁଷ୍ମାନ ଭାରତ ଯୋଜନା କ୍ରିୟାନ୍ୱୟନ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ଥିକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।

ଭାରତ ସରକାର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ରେଳ ମନ୍ତ୍ରୀଙ୍କ ନୂଆ ରେଳ ସେବା କାଶୀ ତାମିଲ ସଂଗମମ ଏକ୍ସପ୍ରେସ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। କାଶୀ ତାମିଲ ସଂଗମମ ଦେଖିବାକୁ ତାମିଲନାଡୁରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବା ସହ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନା ମଧ୍ୟ ସମୀକ୍ଷା କରିଛନ୍ତି।

ପ୍ରତିନିଧିମାନଙ୍କ ଅଷ୍ଟମ ବ୍ୟାଚ ସହ ଶ୍ରୀ ବୈଷ୍ଣବ ଆଲୋଚନା କରିଛନ୍ତି। ପ୍ରତିନିଧିମାନେ ନିଜ ଯାତ୍ରା ଅଭିଜ୍ଞତା ଓ ଉନ୍ନତ ଆତିଥେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସହାୟତା କରିଥିବା ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଟିମକୁ ପ୍ରଶଂସା କରିଛନ୍ତି। ଏପରି ମାନବୀୟ ଆଦାନପ୍ରଦାନ ଦ୍ୱାରା ପରମ୍ପରା, ଜ୍ଞାନ ଓ ସଂସ୍କୃତି ଘନିଷ୍ଠ ହେବ, ପରସ୍ପରର ଐତିହ୍ୟକୁ ବୁଝିବା ସହଜ ହେବ ଏବଂ ଦୁଇ ଅଞ୍ଚଳର ଲୋକଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଶ୍ରୀ ବୈଷ୍ଣବ କାଶୀ ଓ ତାମିଲନାଡୁ ମଧ୍ୟରେ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। ଏହି ସେବା ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନାଗୁଡିକୁ ସମୀକ୍ଷା କରିଛନ୍ତି। ଭବିଷ୍ୟତର ଯାତ୍ରୀ ଯାତାୟତକୁ ଦୃଷ୍ଟିରେ ରଖି ଷ୍ଟେସନ ପୁନଃବିକାଶ ଯୋଜନା ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।

ବାରଣାସୀ ଜଙ୍କସନ ରେଳ ଷ୍ଟେସନ ପରିଦର୍ଶନ ବେଳେ ମନ୍ତ୍ରୀ କହିଛନ୍ତି ଏହି ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ବିକଶିତ କରିବା ରେଳ ଷ୍ଟେସନଗୁଡିକ ବିମାନ ବନ୍ଦର ଟର୍ମିନାଲ ଭଳି ଦେଖାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ। ଏହି ଷ୍ଟେସନକୁ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ଷ୍ଟେସନରେ ପରିଣତ କରିବାକୁ ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ପୁନଃବିକାଶ କରାଯିବ। ବାରଣାସୀ ସହରର ଷ୍ଟେସନଗୁଡିକରେ ଯାତ୍ରୀ ଭିଡ କମାଇବା ପାଇଁ ଏହି ଅଞ୍ଚଳର ସମସ୍ତ ରେଳ ଷ୍ଟେସନର ସମନ୍ୱିତ ବିକାଶ କରାଯିବ। ସେହିପରି ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ଶୀଘ୍ର ବନ୍ଦେ ଭାରତ ସ୍ଲିପର ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାଶୀ ତାମିଲ ସଂଗମମ କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିଥିଲା। ଏହି ଉତ୍ସବ ଦେଖିବା ପାଇଁ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନଙ୍କୁ କାଶୀ ଆମନ୍ତ୍ରିତ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଆମନ୍ତ୍ରିତ ପ୍ରତିନିଧିମାନଙ୍କୁ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟା ଭ୍ରମଣ କରାଇବା ସହ ଆତିଥ୍ୟ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ପାଇବ ଓଡ଼ିଶା: ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା। ଚଳିତ ବର୍ଷ ଓଡିଶା ପ୍ରାୟ ୧୦ ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୦୧୪ ପୂର୍ବରୁ ରାଜ୍ୟରେ ମାତ୍ର ୨୦ ରୁ ୨୫ କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା। ଗତ ବର୍ଷ ରାଜ୍ୟରେ ପ୍ରାୟ ୧୮୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ ୫୫୦ କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୮ ଟି ଷ୍ଟେସନ୍ କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ ୫-ଜି କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ କରିବେ ଅଂଶଗ୍ରହଣ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡ଼ିଶା ଗସ୍ତ କରୁଛନ୍ତି। ଏହି ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ ଯୋଗଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର ଠାରେ ରେଳପଥ ଅଧିକାରୀ ମାନଙ୍କ ସହିତ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ ପ୍ରଚଳନକୁ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକ କୁ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ପଣ୍ୟବାହୀ ଟ୍ରେନ ରେକ କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଭାରତୀୟ ରେଳବାଇ ପାଇଁ କାର୍ବନ ଫୁଟ୍ ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ। ଆଲୁମିନିୟମ୍ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍ ଏହାର ଜୀବନକାଳ ମଧ୍ୟରେ 14,500 ଟନ୍ CO2 ରୁ ଅଧିକ ସଞ୍ଚୟ କରିପାରିବ। ସାରା ବିଶ୍ୱରେ ମେଟ୍ରୋ ଟ୍ରେନ୍ ବ୍ୟବହାର ପାଇଁ ଆଲୁମିନିୟମ ପସନ୍ଦଯୋଗ୍ୟ।  ଏହା ହାଲୁକା, ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ। ମାଲ ପରିବହନ ପରିବହନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଭାରତୀୟ ରେଳ ବୃହତ କାର୍ବନ ସଞ୍ଚୟକୁ ସକ୍ଷମ କରିବା ପାଇଁ ଏହା ଏକ ଉଚ୍ଚାଭିଳାଷୀ ଯୋଜନା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଲକା ୱାଗନ ହୋଇଥିବାରୁ ଏହା ଶକ୍ତି କମ୍ ଖର୍ଚ୍ଚ ହେବ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଏହି ଆଲୁମିନିୟମ୍ ୱାଗନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। 10% ରୁ ଅଧିକ ପେଡ୍ ଲୋଡ୍ ହୋଇଥିବା ବେଳେ ସବୁଜ ଏବଂ ଦକ୍ଷ ରେଳ ନେଟୱାର୍କ ନିର୍ମାଣ ପାଇଁ ଆମର ଦୃଷ୍ଟିକୋଣ ଅନୁଯାୟୀ କାର୍ବନ ଫୁଟ୍ ପ୍ରିଣ୍ଟକୁ ଏହା ଯଥେଷ୍ଟ କମ କରିଥାଏ।

ଏହି ମାଲବାହୀ ଟ୍ରେନ୍ ରେକ୍ ହିଣ୍ଡାଲକୋ ଦ୍ୱାରା ବିକଶିତ କରାଯାଇଅଛି। ଏବେ ପ୍ରଚଳିତ ଇସ୍ପାତ ରେକ୍ ଅପେକ୍ଷା ଚମକପ୍ରଦ ରେକ୍ 180 ଟନ୍ ହାଲୁକା ଏବଂ 5-10% ଅଧିକ ପେଲୋଡ୍ ବହନ କରିପାରିବ, ଶକ୍ତି ସଞ୍ଚୟ କରିବା ସହିତ ଷ୍ଟକ୍ ଏବଂ ରେଲ୍କୁ ଅପେକ୍ଷାକୃତ ସୁରକ୍ଷିତ ରଖିବ ଏବଂ ଲାଭଦାୟକ ହେବ।

ଆଲୁମିନିୟମ ମାଲବାହୀ ୱାଗନ୍ ତଳ ପାର୍ଶ୍ୱରୁ ପଣ୍ୟ ଖଲାସ କରିବ। ଏହା ବିଶେଷ ଭାବରେ କୋଇଲା ପରିବହନ ପାଇଁ ଡିଜାଇନ୍ ହୋଇଛି, କାର୍ବନ ଫୁଟ୍ ପ୍ରିଣ୍ଟକୁ ହ୍ରାସ କରିବାର କ୍ଷମତା ରଖିଛି। ଏହି ୱାଗନର ପ୍ରତି 100 କିଲୋଗ୍ରାମ ଓଜନ ହ୍ରାସ ଅଟେ ଏବଂ ଆଜୀବନ CO2 ସଞ୍ଚୟ କ୍ଷମତା ପ୍ରାୟ 8-10 ଟନ୍ ଆକଳନ କରାଯାଉଅଛି। ଗୋଟିଏ ଏକକ ରେକ୍ ପାଇଁ 14,500 ଟନ୍ରୁ ଅଧିକ CO2 ସଞ୍ଚୟ କରିପାରିବ ବୋଲି ଆକଳନ କରାଯାଇଅଛି। ଶ୍ରୀ ବୈଷ୍ଣବ ମଧ୍ୟ ଏହି ଅବସରରେ ରେଳ ଅଧିକାରୀଙ୍କ ସହ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ହିଣ୍ଡାଲକୋର କାର୍ଯ୍ୟବାହୀ ନିର୍ଦେଶକ ସତୀଶ ପାଇ,ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଉଦ୍ଘାଟନ ହେବ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡିଶା ଗସ୍ତ କରୁଛନ୍ତି।

ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ମଧ୍ୟାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକକୁ ଉଦ୍ଘାଟନ କରିବେ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରୁ ଏହି ଷ୍ଟେସନ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ: ପ୍ରକଳ୍ପ ତଦାରଖ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ।  ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା। ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି। ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି। ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି। ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି। ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି। ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨ ବର୍ଷରେ ଦେଶରେ ୫ଜି ସେବା ଯୋଗାଇବାକୁ ସରକାରଙ୍କ ଲକ୍ଷ୍ୟ- କେନ୍ଦ୍ର ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୫ଜି ସେବା ଉପଲବ୍ଧ ହେବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଭାରତରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବ ଏବଂ ସରକାର ୨ ବର୍ଷ ମଧ୍ୟରେ ସମଗ୍ର ଦେଶକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଶ୍ୱିନୀ ବୈଷ୍ଣବ ଏହା ପୂର୍ବରୁ କହିଥିଲେ ଯେ, ଅକ୍ଟୋବର ସୁଦ୍ଧା ଭାରତ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।

ଅଗଷ୍ଟ ମାସରେ ଟେଲିକମ୍ ସେବା କମ୍ପାନୀମାନଙ୍କୁ ସରକାର ସ୍ପେକ୍ଟ୍ରମ୍ ଆବଣ୍ଟନ ପତ୍ର ପ୍ରଦାନ କରିଥିଲେ। ଏହା ପରେ ସରକାର ସେମାନଙ୍କୁ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେବାକୁ କହିଥିଲେ। ଏହି ସ୍ପେକ୍ଟ୍ରମ୍ ଆବଣ୍ଟନ ସହିତ ଭାରତ ହାଇ ସ୍ପିଡ୍ ୫ଜି ଟେଲିକମ୍ ସେବା ଆରମ୍ଭ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତ ବର୍ଷ ଦିୱାଲୀ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ଅନେକ ପ୍ରମୁଖ ସହରରେ ହାଇ ସ୍ପିଡ୍ ୫ଜି ଟେଲିକମ୍ ସେବା ଆରମ୍ଭ କରିବ ବୋଲି ରିଲାଏନ୍ସ ଜିଓ ଘୋଷଣା କରିସାରିଛି। ଏହା ପରେ, ଏହାର ୫ଜି ନେଟୱାର୍କ ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ପ୍ରତ୍ୟେକ ସହର, ତହସିଲକୁ ବିସ୍ତାର ହେବ।

୫ଜି କ’ଣ ଓ ଏହା ୩ଜି ଏବଂ ୪ଜି ସେବାଠାରୁ କିପରି ଭିନ୍ନ?:

୫ ଜି ହେଉଛି ପଞ୍ଚମ ପିଢୀର ମୋବାଇଲ୍ ନେଟୱାର୍କ ଯାହା ବହୁତ ଉଚ୍ଚ ବେଗରେ ଡାଟା ସେଟ୍ ପଠାଇଥାଏ। ୩ଜି ଏବଂ ୪ଜି ତୁଳନାରେ, ୫ଜି ବହୁତ କମ୍ ସମୟ ନେଇଥାଏ। ୫ଜି ରୋଲ ଆଉଟ୍ ଖଣି, ଗୋଦାମ ଘର, ଟେଲି ମେଡିସିନ୍ ଏବଂ ଉତ୍ପାଦନ ପରି କ୍ଷେତ୍ରରେ ରିମୋଟ ଡାଟା ମନିଟରିଂରେ ଅଧିକ ବିକାଶ ଘଟାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଶୋଇପଡିଲେ ଅଧିକାରୀ, କିଛି କ୍ଷଣ ମଧ୍ୟରେ ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଦୁରସଞ୍ଚାର ବୈଠକରେ ଏକ ଅଜବ ଘଟଣା ଘଟିଯାଇଛି। ଏଠାରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୈଠକରେ ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଆଖି ଲାଗିଯାଇଥିଲା। ଏହା ପରେ ତାଙ୍କୁ ସଭାରୁ ବାହାର କରି ସ୍ୱେଚ୍ଛାକୃତ ଅବସର (VRS) ନେବାକୁ କୁହାଯାଇଥିଲା।

ସୂଚନା ଅନୁଯାୟୀ, BSNL କୁ ଟ୍ରାକକୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଏସଏନଏଲର ଅବସ୍ଥା ସୁଧାରିବା ପାଇଁ କେନ୍ଦ୍ର କ୍ୟାବିନେଟ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ କରିଛି। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପକୁ ଅତି ଗୁରୁତର ସହ ନେଇଛନ୍ତି। ସେ ଅଗଷ୍ଟ ମାସରେ ଏକ CGM ସ୍ତରୀୟ ବୈଠକ କରି କର୍ମଚାରୀମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ କିମ୍ବା ସ୍ୱେଚ୍ଛାକୃତ ନେବାକୁ କହିଥିଲେ। ଏହି ବୈଠକରେ ମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସମୟରେ ଜଣେ CGM ଶୋଇପଡିଥିଲେ। ତାଙ୍କୁ ଶୋଇଥିବାର ଦେଖି ମନ୍ତ୍ରୀ ତାଙ୍କ ଆଡକୁ ଚାହିଁଲେ। ସେ କ୍ରୋଧିତ ହୋଇ ସିଜିଏମ୍ କୁ ତୁରନ୍ତ ବୈଠକ ଛାଡିବାକୁ କହିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ VRS ନେବାକୁ ମଧ୍ୟ କୁହାଯାଇଥିଲା। କୁହାଯାଉଛି ଯେ, ତାଙ୍କ VRS କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଅଧିକାରୀଜଣଙ୍କ ବାଙ୍ଗାଲୋରରେ କାର୍ଯ୍ୟ କରୁଥିଲେ।

BSNL କୁ ମଧ୍ୟ ଏହି ବିଷୟରେ ଆଲୋଚନା କରିବାକୁ ଏକ ମେଲ ପଠାଯାଇଛି, ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ସୂତ୍ରରୁ ପ୍ରକାଶ ଯେ, ଦେଶରେ ଟେଲିକମ୍ ସ୍ଥିତିର ଉନ୍ନତି ପାଇଁ କେନ୍ଦ୍ର ଗମ୍ଭୀର ଅଟେ। ଏଥିସହ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର କର୍ମଚାରୀମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ ସରକାରଙ୍କ ମନୋଭାବ ପରିବର୍ତ୍ତନ କରନ୍ତୁ। ଯଦି ସେମାନେ କାମ କରିପାରିବେ ନାହିଁ, ତେବେ ତୁରନ୍ତ ଚାକିରି ଛାଡି VRS ନିଅନ୍ତୁ। ଏବଂ, ଯଦିଓ ସେମାନେ VRS ନ ନିଅନ୍ତି, ତେବେ ସରକାରଙ୍କ ପାଖରେ ବାଧ୍ୟତାମୂଳକ ଅବସର ପାଇଁ ରାସ୍ତା ଖୋଲା ଅଛି। କାର୍ଯ୍ୟରେ ଅଳସୁଆମୀ ଆଦୌ ବରଦାସ୍ତ କରାଯିବ ନାହିଁ।

ମନ୍ତ୍ରୀ ବୈଷ୍ଣବ କର୍ମଚାରୀମାନଙ୍କୁ କହିଛନ୍ତି ଯେ ବିଏସଏନଏଲର କାରବାର ପାଇଁ ସରକାର ୧.୬୪ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେଣୁ ଏହାକୁ ଉନ୍ନତ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ। ୨୦୧୯ ମସିହାରେ, BSNL କୁ ୬୯ ହଜାର କୋଟି ଟଙ୍କା ରିଲିଫ୍ ପ୍ୟାକେଜ୍ ଦିଆଯାଇଥିଲା। ଏହା ପରେ ୪-ଜି ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହାର ଉନ୍ନତି ପାଇଁ ସରକାର ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡକୁ ମଧ୍ୟ ମିଶ୍ରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୫ଜି ଏବଂ ସଫ୍ଟଓ୍ୟାର ଡେଭେଲପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସ୍ତାବ

ଭୁବନେଶ୍ୱର: ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ।

ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦିଅ୨୦, ଡ୍ରିମ୍‌ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହାର ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଶ୍ୱର ମାତ୍ର ୫ଟି ଦେଶରେ “ଏଣ୍ଡ ଟୁ ଏଣ୍ଡ ଟେକନୋଲୋଜି” ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

୫ଜି ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ତିନୋଟି ମୁଖ୍ୟ ପ୍ରତିବନ୍ଧକ ଥିଲା। ସେଗୁଡିକ ହେଲା ଷ୍ଟେବଲ୍ କୋର, ଷ୍ଟେବଲ୍ ରେଡିଓ ଏବଂ ଏସବୁକୁ ପରିଚାଳନା କରିବା। କିନ୍ତୁ ଏସବୁଥିରେ ସରକାର ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଆଇଆଇଟି ମାଡ୍ରାସରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ।

୪ ଜି କନେକ୍ଟିଭିଟିରେ ବେଗ କମ ରହିଥିବା ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏଥିରେ ମୁଖ୍ୟ ସମସ୍ୟା ଥିଲା ବେଗ। ନିକଟରେ ସବୁ ଟେଲିକମ୍ ପ୍ରୋଭାଇଡରମାନଙ୍କୁ ଡାକି ସେମାନଙ୍କୁ ଏହି ବେଗକୁ ବୃଦ୍ଧି କରିବା ସହ ସେଥିରେ ସେମାନେ କିଭଳି ସଫଳ ହୋଇପାରିବେ ସେ ନେଇ ଟାରଗେଟ୍ ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସେହିପରି ସୋଆରେ ଏକ ସଫ୍ଟୱ୍ୟାର ଡେଭେଲେପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ପି.କେ.ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଟୋବର 12 ସୁଦ୍ଧା ଦେଶରେ 5G ମୋବାଇଲ୍ ସେବା ଆରମ୍ଭ ହେବ: ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଅକ୍ଟୋବର 2022 ର ଦ୍ୱିତୀୟ ସପ୍ତାହରେ ଦେଶରେ 5G ମୋବାଇଲ୍ ସେବା ଆରମ୍ଭ ହେବ। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଅକ୍ଟୋବର 12, 2022 ସୁଦ୍ଧା ଦେଶରେ 5G ମୋବାଇଲ୍ ସେବା ଆରମ୍ଭ ହେବ, ଏହା ପରେ ଦେଶର ସମସ୍ତ ବଡ ଏବଂ ଛୋଟ ସହରରେ ଏହି ସେବା ବିସ୍ତାର କରାଯିବ। 5G ସେବା ସୁଲଭ କରିବାକୁ ଆମେ ନିଶ୍ଚିତ କରିବୁ ବୋଲି ଟେଲିକମ୍ ମନ୍ତ୍ରୀ କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆମେ ଆଶା କରୁଛୁ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ସ୍ଥାନରେ 5G ସେବା ଉପଲବ୍ଧ ହେବ। ସେ କହିଛନ୍ତି ଯେ, ଯଥାଶୀଘ୍ର 5G ମୋବାଇଲ୍ ସେବା ଆରମ୍ଭ କରିବା ଆମର ପ୍ରୟାସ। ଟେଲିକମ୍ କମ୍ପାନୀଗୁଡିକ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ସ୍ଥାପନ କାର୍ଯ୍ୟ ଚାଲିଛି।

5G ସ୍ପେକ୍ଟ୍ରମ୍ ନିଲାମରେ ସ୍ପେକ୍ଟ୍ରମ୍ ପାଇଥିବା ଟେଲିକମ୍ କମ୍ପାନୀଗୁଡିକ ସରକାରଙ୍କୁ ଦେୟ ପ୍ରଦାନ କରିଛନ୍ତି। ଭାରତ ଏୟାରଟେଲ 5G ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ ପାଇଁ 8,312.4 କୋଟି ଟଙ୍କା ପ୍ରଦାନ କରିଛି। ରିଲାଏନ୍ସ ଜିଓ ପ୍ରଥମ କିସ୍ତି 7864 କୋଟି ଟଙ୍କା ଦେଇଛି। ସମସ୍ତ ଟେଲିକମ୍ କମ୍ପାନୀଗୁଡିକ 17,876 କୋଟି ଟଙ୍କା ଦେବା ପରେ ଏହି ସ୍ପେକ୍ଟ୍ରମ ବଣ୍ଟନ କରାଯାଇଛି। ଟେଲିକମ୍ ମନ୍ତ୍ରୀ କିଛି ଟେଲିକମ୍ କମ୍ପାନୀକୁ 5G ମୋବାଇଲ୍ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେବାକୁ କହିଥିଲେ।

ଟେଲିକମ୍ କମ୍ପାନୀଗୁଡିକ ସ୍ପେକ୍ଟ୍ରମ୍ ବିଡ୍ ପାଇଁ ସରକାରଙ୍କୁ ଦେୟ ଦେବା ମାତ୍ରେ ସରକାର ମଧ୍ୟ ସ୍ପେକ୍ଟ୍ରମ୍ ବଣ୍ଟନ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ପରେ ଭାରତ ଏୟାରଟେଲର ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲ ମଧ୍ୟ ବ୍ୟବସାୟ କରିବାରେ ସହଜ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି। ସୁନୀଲ ଭାରତୀ ମିତ୍ତଲ କହିଛନ୍ତି ଯେ କୌଣସି ଅସୁବିଧା ନାହିଁ, କୌଣସି ଅନୁସନ୍ଧାନ ନାହିଁ, କୁଆଡେ ଦୌଡିବା ଆବଶ୍ୟକ ନାହିଁ ଏବଂ କୌଣସି ଲମ୍ବା ଦାବି ନାହିଁ। DoT (ଟେଲିକମ୍ ବିଭାଗ) ସହିତ ମୋର 30 ବର୍ଷରୁ ଅଧିକ ଅଭିଜ୍ଞତାରେ ଏହା ପ୍ରଥମ ଥର। ବ୍ୟବସାୟ ଏହିପରି ହେବା ଉଚିତ୍। ସୁନୀଲ ଭାରତୀ ମିତ୍ତଲ କହିଛନ୍ତି ଯେ, ସରକାରଙ୍କୁ ଦେୟ ଦେବାର କିଛି ଘଣ୍ଟା ମଧ୍ୟରେ ଏୟାରଟେଲକୁ ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇଛି। ସ୍ପେକ୍ଟ୍ରମ୍ ସହିତ ଇ-ବ୍ୟାଣ୍ଡ ମଧ୍ୟ ବଣ୍ଟନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରକୁ ଅନୁମୋଦନ ପତ୍ର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି।

ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଭାରତରେ ୭୪ ହଜାର ଷ୍ଟାର୍ଟଅପ୍ ଅଛି, ଯାହା ୨୦୧୪-୧୫ ରେ ମାତ୍ର ୪ ଶହ ଥିଲା। ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଆଇଆଇଟି/ଭୁବନେଶ୍ୱର ଲାବୋରେଟୋରୀ ପରିଦର୍ଶନ କରି ଖୁସିବ୍ୟକ୍ତ କରିବା ସହିତ ଆଜାଦୀର ଅମୃତ ମହୋତ୍ସବ କାଳରେ ନୂତନ ଚିନ୍ତାଧାରା ଏବଂ ନୂତନତ୍ୱ ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରକୁ ଭାରତ ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଯାହା ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଦେଶର ୩୧ ତମ ଅନୁଷ୍ଠାନ ହେବ।

ଆଇଆଇଟି ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନଙ୍କୁ ଚ୍ୟାଲେଞ୍ଜ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ୫ଜି ପାଇଁ ଅତି କମରେ ୧୦ ଟି କୌଶଳର ପରିକଳ୍ପନା ଯୋଗାଇ ଦେବେ, ତେବେ ଆଇଆଇଟି ଭୁବନେଶ୍ୱର ୫ଜି ବ୍ୟବହାରର ପ୍ରସ୍ତୁତି ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ଦିଆଯିବ।

ଭୁବନେଶ୍ୱରରେ ଆଇଆଇଟିଆନଙ୍କ ସହ ଜ୍ଞାନକୌଶଳ ବିନିମୟ କରି ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରସ୍ତାବ ଦିଆଯିବ ତେବେ ଆଇଆଇଟି ଭୁବନେଶ୍ୱରକୁ ରେଳ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଗତି ଶକ୍ତି ସହିତ ନିବନ୍ଧନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକରେ ଭାଗ ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଚୀନ ସଭାପତିତ୍ୱରେ ଗତକାଲି ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୈଠକରେ ଭାଗ ନେଇ ଆଇସିଟି କ୍ଷେତ୍ରରେ ଭାରତର ପ୍ରମୁଖ ଉପଲବ୍ଧିଗୁଡିକୁ ଉଲ୍ଲେଖ କରିଥିଲେ। ଏହି ଅବସରରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ପାଇଁ ସରକାର ନେଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ସେ ସୂଚାଇଥିଲେ।

ଜୁନ ୨୩-୨୪, ୨୦୨୨ରେ ଅନୁଷ୍ଠିତ ହୋଇଥିବା ୧୪ତମ ବ୍ରିକ୍ସ ସମ୍ମିଳନୀରେ ଚିହ୍ନିତ ହୋଇଥିବା ଆଇସିଟି କ୍ଷେତ୍ରରେ କାମ କରିବା ପାଇଁ ମନ୍ତ୍ରୀଗଣ ନିଷ୍ପତ୍ତି ନେଇଥିଲେ। ବ୍ରିକ୍ସ ଇନଷ୍ଟିଚ୍ୟୁଟ ଫର ଫ୍ୟୁଚର ନେଟୱର୍କ୍ସ (ବିଆଇଏଫଏନ), ଡିଜିଟାଲ ବ୍ରିକ୍ସ ଟାସ୍କ ଫୋର୍ସ (ଡିବିଟିଏଫ) ପାଇଁ ଚୂଡାନ୍ତ କାର୍ଯ୍ୟ ଯୋଜନାକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି ପ୍ରକ୍ରିୟା ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସୃଜନଶୀଳ ସହଯୋଗକୁ ସୁଦୃଢ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ମନ୍ତ୍ରୀଗଣ ୮ମ ବ୍ରିକ୍ସ ଯୋଗାଯୋଗ ବୈଠକର ଘୋଷଣାନାମାକୁ ସ୍ୱୀକୃତି ଦେଇଥିଲେ। ଆଧାର, କୋୱିନ, ୟୁପିଆଇ ଓ ଦୀକ୍ଷା ଭଳି ଡିଜିଟାଲ ପବ୍ଲିକ ଗୁଡ୍ସ ପାଇଁ ଭାରତର ମଞ୍ଚ ପ୍ରଦାନ ପ୍ରସ୍ତାବକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଜନସାଧାରଣଙ୍କ ଉଚ୍ଚାକାଂକ୍ଷ୍ୟା ପ୍ରତି ପ୍ରତିଶୃତିବଦ୍ଧ: ରେଳ ମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ରେଳ ଦେଶର ଜୀବନ ରେଖା ଏବଂ ଏହା ରାଷ୍ଟ୍ରର ସାମଗ୍ରିକ ବିକାଶ ଦିଗରେ ପ୍ରତିବଦ୍ଧ। ଭାରତୀୟ ରେଳବାଇ ମଧ୍ୟ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଧାରା ଅଟେ। ରେଳବାଇ କେବଳ ଏହାର ଅଞ୍ଚଳ ଉପରେ ଭିତ୍ତିଭୂମି ବିକାଶ କରୁନାହିଁ ବରଂ ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାକୁ ମଧ୍ୟ ଉନ୍ନତ କରୁଛି।

ଦେଶର ପୂର୍ବ ତଟରେ ବିଶେଷ ଭାବରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଉଥିବାବେଳେ ଓଡିଶାବାସୀଙ୍କ ଆକାଂକ୍ଷା ପୂରଣ କରିବାକୁ ରେଳବାଇ ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ରଥ ଯାତ୍ରା ମହୋତ୍ସବ ପାଇଁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା:

ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ବ୍ୟବସ୍ଥା କରାଯାଇଛି ବୋଲି ଗତ ୨୧ ଜୁନ୍ ରେ ପୁରୀ ଏବଂ କୋଣାର୍କକୁ ପରିଦର୍ଶନରେ ଆସିଥିବା ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା କରିଥିଲେ। ଯେହେତୁ, କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷ ଧରି ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିଲା, ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଳବାଇ ଆଶଙ୍କା କରିଛି। ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପୁରୀକୁ ଆସୁଥିବା ବିଶେଷ ଟ୍ରେନ୍ଗୁଡ଼ିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ ଯାତ୍ରା ଉପଲବ୍ଧି କରାଯିବା ସହିତ ଅନ୍ୟାନ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା:

ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟତୀତ ଶ୍ରୀ ବୈଷ୍ଣବ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ସର୍ବଦା ସର୍ବୋତ୍ତମ ସେବା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଦ୍ୱାରା ଅନେକ ସୁବିଧା ଯୋଗାଇ ଦିଆଯାଇଛି। ଏଥି ମଧ୍ୟରେ ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଏବଂ ଫାଷ୍ଟ ଏଡ଼ ସୁବିଧା, ଅତିରିକ୍ତ ଟିକେଟ୍ କାଉଣ୍ଟର ଏବଂ ଅନ୍ୟାନ୍ୟ ସୁବିଧା ସହିତ ତୀର୍ଥଯାତ୍ରୀଙ୍କ ରହିବା ଏବଂ ବିଶ୍ରାମ ନେବା ଅନ୍ତର୍ଭୁକ୍ତ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନ ଅଞ୍ଚଳରେ ୧୦୦ ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥାର ଉତ୍ତମ ପରିଚାଳନା ପାଇଁ ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯାଉଛି। ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷା ଏବଂ ମାର୍ଗଦର୍ଶନ ଯୋଗାଇବା ପାଇଁ ରେଳବାଇ ୬୦୦ ରୁ ଅଧିକ ଆରପିଏଫ କର୍ମଚାରୀ ଏବଂ ୨୦୦ ରେଳ ସ୍ବେଚ୍ଛାସେବୀ ନିୟୋଜିତ କରିଛି।

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୪୦ ରୁ ଅଧିକ ଟିକେଟ୍ ବୁକିଂ କାଉଣ୍ଟର, ୧୦ ଟି ଅଣ ସଂରକ୍ଷିତ ଟିକେଟ ପ୍ରଣାଳୀ, ହ୍ୟାଣ୍ଡ-ହେଲ୍ଡ କାଉଣ୍ଟର ଏବଂ ଅନେକ ମୋବାଇଲ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ସଡକ ଯାନରେ ରେଳ ଟିକେଟ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ମାନ୍ୟବର ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ନିର୍ଦ୍ଦେଶ ଅନୁଯାୟୀ ରେଳବାଇ ଦ୍ୱାରା ୧୫ ହଜାର ତୀର୍ଥଯାତ୍ରୀଙ୍କ ବିଶ୍ରାମ ପାଇଁ ବିଶାଳ ଆଚ୍ଛାଦିତ ସ୍ଥାନ ବ୍ୟବସ୍ଥା କରାଯାଇଥିବାବେଳେ ଖାଦ୍ୟ କୋର୍ଟ, ପାନୀୟ ଜଳ ଟ୍ୟାପ୍ ଏବଂ ସୌଚାଳୟ ସୁବିଧା ଇତ୍ୟାଦି ବ୍ୟବସ୍ଥା କରାଯାଇଅଛି।  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ବ୍ୟାଟେରୀ ଚାଳିତ କାର ବ୍ୟବସ୍ଥା କାରାଯାଇଛି ଏବଂ ପ୍ରାୟ ୫୦ ହଜାର ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ମାଗଣା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଲକଡାଉନ୍ ଠାରୁ ବାତିଲ୍ ହୋଇଥିବା ଟ୍ରେନ ଗୁଡିକର ପୁନଃ ଚଳାଚଳ:

ସାଧାରଣ ଜନତାଙ୍କ ସୁବିଧା ସହିତ ରେଳ ଯାତ୍ରୀମାନଙ୍କ ଯାତାୟାତ ପାଇଁ କୋଭିଡ-୧୯ ଲକଡାଉନ୍ /ବନ୍ଦ ଠାରୁ ବାତିଲ ହୋଇଥିବା ଟ୍ରେନ ଗୁଡିକର ପୁନଃ ଚଳାଚଳ ଯୋଗାଇ ଦିଆଯାଇଅଛି ଯାହାକି ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ଯାତାୟାତ ସୁବିଧା ଯୋଗାଇ ଦିଆଯାଇପାରିବ। ପୁରୀ-ସାଇ ନଗର ଶିରଡି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ ଏବଂ ପୁରୀ-ତାଳଚେର-ପୁରୀ ଟ୍ରେନ କୁ ଚଳାଚଳ ପାଇଁ ମାନ୍ୟବର ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଉପରୋକ୍ତ ଟ୍ରେନ ଗୁଡିକ ସହିତ ବିଶାଖାପାଟନମ-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟନମ୍ ଏକ୍ସପ୍ରେସ, କଟକ-ପଲାସା-କଟକ ଟ୍ରେନ ଗୁଡିକୁ ମଧ୍ୟ ଚଳାଚଳ କରାଯାଇଅଛି।

ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ପାଇଁ ରାଜଧାନୀ କୋଚ ଭଳି ଅନ୍ୟ ଟ୍ରେନ ମାନଙ୍କରେ ସେବା ଉପଲବ୍ଧ:

ଯାତ୍ରୀମାନଙ୍କୁ ଉନ୍ନତ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ଶ୍ରୀ ବୈଷ୍ଣବ ଏହି ଅଞ୍ଚଳର ଟ୍ରେନ ଗୁଡିକରେ ରାଜଧାନୀ ଏକ୍ସପ୍ରେସ କୋଚ ଭଳି ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ, ପୁରୀ-ହଟିଆ ତାପସ୍ୱିନୀ ଏକ୍ସପ୍ରେସ, ବିଶାଖାପାଟନମ୍-କିରାଣ୍ଡୁଲ ଏକ୍ସପ୍ରେସ, ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ଟ୍ରେନ ମାନଙ୍କରେ ଗତ କିଛିଦିନ ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯାଇଅଛି। ଏହା ଅଗ୍ନି ନିରାପତ୍ତା, ସ୍ୱଳ୍ପ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ନିରାପଦ ତଥା ଆରାମଦାୟକ କୋଚଗୁଡ଼ିକ ବହୁତ କମ ସମୟ ମଧ୍ୟରେ ଯୋଗାଇଦିଆଯାଇଅଛି।

ସର୍ବୋଚ୍ଚ ସ୍ତରରେ ଚାଲୁଥିବା ପ୍ରକଳ୍ପଗୁଡିକର ପରିଚାଳନା:

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍ୱାବଧାନରେ ଓଡିଶାର ପ୍ରମୁଖ ତଥା ସାର୍ବଜନୀନ ରେଳ ପ୍ରକଳ୍ପଗୁଡିକୁ ସର୍ବୋଚ୍ଚ ସ୍ତରରେ ନଜର ରଖାଯାଉଛି ଏବଂ ଏହାର ପରିଚାଳନା କରାଯାଉଅଛି। ଜମି ଅଧିଗ୍ରହଣ, ବିଭିନ୍ନ ବିଭାଗର ଜମି ମଞ୍ଜୁରୀ ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କ ରଖିବାକୁ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି; ଯାହାଦ୍ୱାରା ଚାଲୁରହିଥିବା ପ୍ରକଳ୍ପଗୁଡ଼ିକ ଶୀଘ୍ର ସମାପ୍ତ ହୋଇପାରିବ।

ଫଳସ୍ୱରୂପ, ଖୋର୍ଦ୍ଧା ରୋଡ-ବଲାଙ୍ଗୀର ନୂତନ ଲାଇନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଚାଲିଛି। ଏହା ସହିତ ଅନ୍ୟ ନୂତନ ପ୍ରକଳ୍ପ, ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ସମ୍ପାଦନ ପାଇଁ ପ୍ରାଥମିକତା ଦିଆଯାଇଛି।

ଭୁବନେଶ୍ୱର ଏବଂ ପୁରୀ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା:

ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଏବଂ ଢାଞ୍ଚା ଯୋଗାଇବାକୁ ଶ୍ରୀ ବୈଷ୍ଣବ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ଉଭୟ ପ୍ରକଳ୍ପ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପାଦନ ହୋଇସାରିଛି ଏବଂ ଜୁନ୍ ଶେଷ ସପ୍ତାହରେ ପୁରୀ ପ୍ରକଳ୍ପ ପାଇଁ ଟେଣ୍ଡର ଖୋଲା ଯାଇଛି ଏବଂ ଖୁବ୍ ଶୀଘ୍ର ଏହାର ନିର୍ମାଣ ପାଇଁ କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁନଃ ପ୍ରଚଳନ ହେଲା କରୋନା ଯୋଗୁଁ ବାତିଲ ହୋଇଥିବା ସାତ ଯୋଡି ଟ୍ରେନ

ଭୁବନେଶ୍ୱର: ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃ ପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପୂର୍ବ ତଟ ରେଲୱେ ଅଧୀନରେ ସାତ ଯୋଡି ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି, ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏ ବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ।

୧୮୪୧୪/୧୮୪୧୩ ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି।

୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ସ୍ପେଶାଲ୍ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। କଟକରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଘ.୫୫ମି.ରେ ଏବଂ ଭଦ୍ରକରୁ ଅପରାହ୍ନ ୩ଘ.୩୦ମି.ରେ ଛାଡ଼ୁଛି।

୧୮୫୧୨/୧୮୫୧୧ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ ଜୁଲାଇ ୧ ତାରିଖ ଠାରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଅପରାହ୍ନ ୨ଘ.୫୦ମି.ରେ ବିଶାଖାପାଟଣା ଠାରୁ ଛାଡିବାକୁ ଥିବାବେଳେ ଏହା ଜୁଲାଇ ୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ସକାଳ ୫ଘ.୨୫ମି.ରେ କୋରାପୁଟ ଠାରୁ ଛାଡିବ।

୧୮୫୨୬/୧୮୫୨୫ ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟନମ୍ ଏକ୍ସପ୍ରେସ ୧୪ ଜୁଲାଇ, ୨୦୨୨ ଠାରୁ ବିଶାଖାପାଟଣାରୁ ଅପରାହ୍ନ ୩ ଘଟିକାରେ ଛାଡିବାକୁ ଥିବାବେଳେ ୧୫ ଜୁଲାଇ, ୨୦୨୨ ଠାରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୦୯ଘ.୪୫ମି.ରେ ଛାଡିବ।

୦୮୫୩୪/୦୮୫୩୩ ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ୍ ୧୫ ଜୁଲାଇ, ୨୦୨୨ ଠାରୁ ପଲାସାରୁ ଭୋର ୪ଘ.୧୫ମି.ରେ ଛାଡିବାକୁ ଥିବାବେଳେ ୧୬ ଜୁଲାଇ, ୨୦୨୨ ଠାରୁ କଟକରୁ ଅପରାହ୍ନ ୪ଘ.୧୫ମି.ରେ ଛାଡିବ।

୦୮୪୧୪/୦୮୪୧୩ ପୁରୀ-ତାଳଚେର-ପୁରୀ ସ୍ପେଶାଲ୍ ୧୨ ଜୁଲାଇ, ୨୦୨୨ ଠାରୁ ପୁରୀ ରୁ ସନ୍ଧ୍ୟା ୫ ଘଟିକାରେ ଛାଡିବାକୁ ଥିବାବେଳେ ୧୩ ଜୁଲାଇ, ୨୦୨୨ ଠାରୁ ତାଳଚେର ଠାରୁ ଭୋର ୫ଘ.୪୫ମି,ରେ ଛାଡିବ।

୨୦୮୫୭/୨୦୮୫୮ ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ ୧୫ ଜୁଲାଇ, ୨୦୨୨ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି ୧୧ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ସାଇ ନଗର ସିରିଡ଼ି ଠାରୁ ୧୭ ଜୁଲାଇ, ୨୦୨୨ ରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡିବ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଟ୍ରେନ ମାନଙ୍କରେ ୧୦୦% ଲିନେନ/ବେଡ଼ ରୋଲ ସେବା ପ୍ରଚଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ ୬୩ ଟି ଟ୍ରେନରେ ଏହି ସୁବିଧା ପୁନ ଆରମ୍ଭ ହୋଇସାରିଛି। କରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଟ୍ରେନ ମାନଙ୍କରେ ଲିନେନ/ବେଡ଼ ରୋଲ ସେବା ପ୍ରତ୍ୟାହାର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱ: ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିୟମ ପାଳନ ପୂର୍ବକ ଯୋଗାଭ୍ୟାସ କରିଥିଲେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ। ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଠାରେ ଏହି ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା।

ଓଡ଼ିଶାର ତିନୋଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। କର୍ଣ୍ଣାଟକର ମହୀଶୂର ପାଲେସ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ। ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଆଜାଦୀ ଅମୃତ ମହୋତ୍ସବ ଅନ୍ତର୍ଗତ ଓଡ଼ିଶାର ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥର ଯୋଗ ଦିବସର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ଯୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କୋଣାର୍କ ଠାରେ ସମବେତ ଜନସାଧାରଣ ଯୋଗ ପ୍ରଦର୍ଶନ କରିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଯୋଗକୁ ଜୀବନ ଧାରଣର ଏକ ମାର୍ଗ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କାରଣରୁ ଆଜି ଟୋକିଓ ଠାରୁ ଆମେରିକା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି। ବହୁ ପୂର୍ବରୁ ଯୋଗ ଭାରତୀୟମାନଙ୍କ ଜୀବନ ଶୈଳୀର ଅଂଶବିଶେଷ ହୋଇସାରିଛି।

ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ, ଯୋଗ ହେଉଛି ଶରୀର ଓ ମନ, ବିଚାର ଓ କାର୍ଯ୍ୟ, ସଂଯମ ଓ ଉପଲବ୍ଧିର ସମାହାର। ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ପ୍ରତୀକ। ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ। ଯୋଗ କେବଳ ଏକ ବ୍ୟାୟମ ନୁହେଁ ବରଂ ଆତ୍ମା ସହିତ, ଜଗତ ଏବଂ ପ୍ରକୃତି ସହିତ ଯୋଡ଼ି ହେବା, ସମ୍ପର୍କ ସ୍ଥାପନ କରିବାର ଏକ ସାଧନ।

ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଯୋଗାଭ୍ୟାସ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସମବେତ ଜନସାଧାରଣଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏଠାରେ ସମସ୍ତଙ୍କ ସହ ମିଶି ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଉପରେ ଯୋଗର ବିଶେଷ ପ୍ରଭାବ ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କାରଣରୁ ସାରା ବିଶ୍ୱରେ ଆଜି ଯୋଗ ଅଧିକ ଲୋକପ୍ରିୟ ହୋଇପାରିଛି।

ଅନ୍ୟପକ୍ଷରେ ଆଜି ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶବାସୀ ସାମିଲ ହୋଇଥିଲେ। ବୟସ ନିର୍ବିଶେଷରେ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳନ କରାଯାଇ ଆସୁଛି। ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୋଗ ଦିବସକୁ ମାନ୍ୟତା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମନୋରମ କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୧ ଜୁନ୍, ୨୦୨୨ ରେ ଓଡିଶାର କୋଣାର୍କ ସ୍ଥିତ ମନୋରମ ସୂର୍ଯ୍ୟ ମନ୍ଦିର ଠାରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ।

ଆଜି ସକାଳେ ପବିତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ର ସରକାରୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୋଗ ବିଶେଷଜ୍ଞଙ୍କ ସମେତ ଦୁଇ ହଜାର ପାଞ୍ଚଶହରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି ବିଶାଳ ଯୋଗ ପ୍ରଦର୍ଶନରେ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ନିୟମିତ ଯୋଗ ଅଭ୍ୟାସ ଶରୀରକୁ ଶକ୍ତିଶାଳୀ କରିବା ସଂଗେସଂଗେ ଶରୀରର ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ କରିଥାଏ। ଯୋଗ ହେଉଛି ଏକ ପ୍ରାଚୀନ ଉଚ୍ଚ ଆତ୍ମସଂଯମ ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଥିଲା। ଏହା ଦ୍ୱାରା ଶରୀର ଏବଂ ମନର ସମନ୍ୱୟ ରକ୍ଷାକରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି ଯାହା ମାନବିକତା କୁ ସୁଦୃଢ କରିଥାଏ।

ସମଗ୍ର ବିଶ୍ୱରେ ଦେଶର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ପରିଚୟ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ଶ୍ରୀ ବୈଷ୍ଣବ କହିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ସମଗ୍ର ବିଶ୍ୱରେ ପରିଚିତ କରାଇପାରିଛନ୍ତି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା ଯାହା ୨୧ ଜୁନ୍, ୨୦୧୫ ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଅଛି।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ; ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ ଶୁଭେନ୍ଦୁ କୁମାର ସ୍ୱାଇଁ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଆର.ଶର୍ମା, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଆୟୁଷ ମନ୍ତ୍ରଣାଳୟ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ, ପାରା ମିଲିଟାରୀ ଫୋର୍ସ ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ପ୍ରଦର୍ଶନରେ ପୂର୍ବ ତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲ.ଭି.ଏସ.ପାତୃଡୁ ପରିଚାଳନା କରିଥିଲେ।

ପରେ, ଶ୍ରୀ ବୈଷ୍ଣବ ପୁରୀ ରେଳ ଷ୍ଟେସନକୁ ନୀରିକ୍ଷଣ କରି ପ୍ରସ୍ତାବିତ ବିଶ୍ୱ ସ୍ତରୀୟ ଷ୍ଟେସନ କାର୍ଯ୍ୟର ସମୀକ୍ଷା କରିଥିଲେ ଯାହା ଖୁବ ଶୀଘ୍ର ନିର୍ମାଣ କରାଯିବ। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଏକ ବିଶ୍ୱ ସ୍ତରୀୟ ଢାଞ୍ଚାରେ ନିର୍ମିତ ହେବ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଆଶ୍ରୟ ପାଇଁ ରେଳବାଇ ବିଶାଳ ଆୟୋଜନ କରୁଅଛି। କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷ ହେବ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ରେଲୱେ ଆଶା କରୁଛି ଯେ ଚଳିତ ବର୍ଷ ବହୁ ତୀର୍ଥଯାତ୍ରୀ ପୁରୀକୁ ଆସିବେ।  ତୀର୍ଥଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷିତ ଯାତ୍ରା ପାଇଁ ରଥ ଯାତ୍ରା ସମୟରେ ପୁରୀକୁ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳପଥ ଯୋଜନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ଜାଣନ୍ତୁ କାରଣ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସି 21 ଜୁନ୍ 2022 ରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବେ।

21 ଜୁନ୍, 2022 ରେ, ରେଳ ମନ୍ତ୍ରୀ କୋଣାର୍କ ମନ୍ଦିର ଐତିହ୍ୟ ସ୍ଥଳରେ ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେବେ ଯେଉଁଠାରେ ସାଧାରଣ ଜନତା, ଛାତ୍ର ଏବଂ ବିଶେଷଜ୍ଞଙ୍କ ସହ ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ। କୋଣାର୍କ ମନ୍ଦିରରେ କାର୍ଯ୍ୟକ୍ରମ ପ୍ରାୟ ସକାଳ ଛଅ ଘଟିକାରୁ ଆରମ୍ଭ କରାଯାଇ ପୂର୍ବାହ୍ନ ୮ଘ.୩୦ମି. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ। କୋଣାର୍କ ମନ୍ଦିର ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସରେ ପ୍ରାୟ 2 ହଜାର ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି।

ଦେଶର 75 ଟି ଐତିହ୍ୟ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ଯେଉଁଠାରେ ଓଡିଶାର କୋଣାର୍କ ମନ୍ଦିରକୁ ମନୋନୀତ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ।

ଆନ୍ତର୍ଜାତୀୟ ଯୋଗ ଦିବସ 2022 ଜୁନ ମାସ 21 ତାରିଖରେ ସମଗ୍ର ବିଶ୍ୱରେ ‘ମାନବିକତା ପାଇଁ ଯୋଗ’ ବିଷୟବସ୍ତୁ ସହିତ ପାଳନ କରାଯାଉଅଛି। ମନୁଷ୍ୟ ଶରୀର ପାଇଁ ଯୋଗ ଶକ୍ତିଶାଳୀ ରହିବାକୁ ଏବଂ ଦୃଢ ପ୍ରତିରକ୍ଷା ପ୍ରଣାଳୀରେ ସାହାଯ୍ୟ କରେ। ଯୋଗ ହେଉଛି ଏକ ପ୍ରାଚୀନ ଆତ୍ମସଂଜମି ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଛି ଯାହାକି ଶରୀର, ମନର ସମନ୍ୱୟ ହାସଲ କରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ନିୟମିତ ଭାବେ ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର 2014 ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା 21 ଜୁନ୍, 2015 ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା।

Categories
ବିଶେଷ ଖବର

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ ରେଳ ଇନୋଭେସନ୍ ପଲିସି ରେଳବାଇ ପାଇଁ ଷ୍ଟାର୍ଟଅପ୍” ର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍ /ଏମଏସଏମଇ/ଇନୋଭେଟର/ଉଦ୍ୟୋଗୀମାନଙ୍କ ଦ୍ୱାରା ବିକଶିତ ଅଭିନବ ପ୍ରଯୁକ୍ତିବିଦ୍ୟାକୁ ନୀତିର ଲକ୍ଷ୍ୟ ସହିତ ପ୍ରୋତ୍ସାହନ।

ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପର୍ଯ୍ୟାୟ କ୍ରମେ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ।

ଜାତୀୟ ପରିବହନକାରୀ ଭାରତୀୟ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇ ନବସୃଜନ କ୍ଷେତ୍ରରେ ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି। ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ “ରେଳବାଇ ପାଇଁ ଷ୍ଟାର୍ଟଅପ୍” ଶୁଭାରମ୍ଭ କରିଛନ୍ତି।

ଏହି ନୀତି ଦ୍ୱାରା କାର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବହୁତ ବଡ଼ ଏବଂ ଅବ୍ୟବହୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶଗ୍ରହଣ ମାଧ୍ୟମରେ ମାପ ଏବଂ ଦକ୍ଷତା ଆଣିବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇରେ ଟେକ୍ନୋଲୋଜିର ଏକୀକରଣକୁ ନେଇ ଦୀର୍ଘ ଦିନର ଆଲୋଚନା ଆଜି ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏକ ନୂତନ ରୂପ ନେଇଛି।

ଏହି ପଦକ୍ଷେପ ଶୁଭାରମ୍ଭରେ ଖୁସି ବ୍ୟକ୍ତ କରି ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ଲାଟଫର୍ମ ଷ୍ଟାର୍ଟ ଅପ୍ ମାଧ୍ୟମରେ ରେଳବାଇ ସହ ଯୋଡିହେବା ପାଇଁ ଏକ ଭଲ ସୁଯୋଗ ମିଳିବ। ବିଭିନ୍ନ ରେଳ ମଣ୍ଡଳ, ରେଳବାଇର ଫିଲ୍ଡ ଅଫିସ୍ /ଜୋନ୍ ଠାରୁ ପ୍ରାପ୍ତ ୧୦୦ ରୁ ଅଧିକ ସମସ୍ୟା ଷ୍ଟେଟମେଣ୍ଟ ମଧ୍ୟରୁ ୧୧ ଟି ସମସ୍ୟା ଷ୍ଟେଟମେଣ୍ଟ ଯେପରିକି ରେଳ ଧାରଣାରେ ଫାଟ, ହେଡୱେ ହ୍ରାସ ଇତ୍ୟାଦି ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ପାଇଁ ନିଆଯାଇଛି। ଅଭିନବ ସମାଧାନ ଖୋଜିବା ପାଇଁ ଏଗୁଡିକ ଷ୍ଟାର୍ଟ ଅପ୍ ପୂର୍ବରୁ ଉପସ୍ଥାପିତ ହେବ।

ଏହି ସୁଯୋଗକୁ ବ୍ୟବହାର କରିବାକୁ ରେଳମନ୍ତ୍ରୀ ଷ୍ଟାର୍ଟଅପ୍ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କୁ ଭାରତୀୟ ରେଳବାଇର ୫୦ ପ୍ରତିଶତ ପୁଞ୍ଜି ଅନୁଦାନ, ନିଶ୍ଚିତ ବଜାର, ମାପ ଏବଂ ଇକୋସିଷ୍ଟମ୍ ଆକାରରେ ସହାୟତା କରିବାକୁ ନିଶ୍ଚିତ କରିଥିଲେ।

ଭାରତୀୟ ରେଳ ଇନୋଭେସନ୍ ପଲିସିର ପ୍ରମୁଖ ବିବରଣୀଗୁଡିକ ହେଉଛି: –

୧.୫ କୋଟି ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନୁଦାନ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ କରିବା।

ସମସ୍ୟା ଷ୍ଟେଟମେଣ୍ଟର ଫ୍ଲୋଟିଂ ଠାରୁ ଆରମ୍ଭ କରି ପ୍ରୋଟୋଟାଇପ୍ ର ବିକାଶ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ଏହାକୁ ସ୍ୱଚ୍ଛ ଏବଂ ଅବଜେକ୍ଟିଭ୍ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ରେଖା ସହିତ ଅନଲାଇନ୍ ଅଟେ।

ରେଳବାଇରେ ପ୍ରୋଟୋଟାଇପ୍ ର ପରୀକ୍ଷା କରାଯିବ। ପ୍ରୋଟୋଟାଇପ୍ ର ସଫଳ କାର୍ଯ୍ୟଦକ୍ଷତା ଉପରେ ନିୟୋଜନକୁ ମାପିବା ପାଇଁ ବର୍ଦ୍ଧିତ ଅର୍ଥ ପ୍ରଦାନ କରାଯିବ।

ଇନୋଭେଟର ଚୟନ କ୍ଷେତ୍ରରେ ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ବ୍ୟବସ୍ଥା ଦ୍ୱାରା କରାଯିବ ଯାହା ଆଜି ରେଳମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କରାଯିବ।

ବିକଶିତ ବୌଦ୍ଧିକ ଗୁଣଧର୍ମ ଅଧିକାର (IPR) କେବଳ ଉଦ୍ଭାବକ ସହିତ ରହିବ।

ଉଦ୍ଭାବକ ପାଇଁ ବିକାଶମୂଳକ ଆଦେଶ ନିଶ୍ଚିତ।

ବିଳମ୍ବକୁ ଏଡାଇବା ପାଇଁ ବିଭାଗୀୟ ସ୍ତରରେ ସମ୍ପୂର୍ଣ୍ଣ ଉତ୍ପାଦ ବିକାଶ ପ୍ରକ୍ରିୟାର ବିକେନ୍ଦ୍ରୀକରଣ।

ଗତ ମଇ ମାସରେ, ରେଳବାଇ ଫିଲ୍ଡ ୟୁନିଟ୍ ଗୁଡିକ ସମସ୍ୟା କ୍ଷେତ୍ର ପ୍ରଦାନ କରିବାକୁ କୁହାଯାଇଥିଲା। ଏହାର ଉତ୍ତରରେ, ଆଜି ପର୍ଯ୍ୟନ୍ତ ପ୍ରାୟ ୧୬୦ ଟି ସମସ୍ୟା ଷ୍ଟେଟମେଣ୍ଟ ଗ୍ରହଣ କରାଯାଇଛି। ଆରମ୍ଭ କରିବା ପାଇଁ, ନୂତନ ଇନୋଭେସନ୍ ପଲିସି ମାଧ୍ୟମରେ କାରବାର କରିବାକୁ ୧୧ ଟି ସମସ୍ୟା ଷ୍ଟେଟମେଣ୍ଟ ଚିହ୍ନଟ ହୋଇଛି ଏବଂ ପୋର୍ଟାଲରେ ଅପଲୋଡ୍ ହୋଇଛି।

– ରେଳ ଧାରଣାରେ ଫାଟ ଚିହ୍ନଟ ବ୍ୟବସ୍ଥା।

– ରେଳ ଚାପ ମନିଟରିଂ ସିଷ୍ଟମ୍।

– ଭାରତୀୟ ରେଳ ଜାତୀୟ ଏଟିପି ସିଷ୍ଟମ ସହିତ ଉପାନ୍ତ ଅଞ୍ଚଳ ପାଇଁ ହେଡୱେ ଉନ୍ନତି ବ୍ୟବସ୍ଥା।

– ଟ୍ରାକ୍ ଯାଞ୍ଚ କାର୍ଯ୍ୟକଳାପର ସ୍ୱୟଂଚାଳିତ।

– ଅଧିକ ପଣ୍ୟ ପରିବହନ କ୍ଷମତା ୱାଗନ୍ ପାଇଁ ସର୍ବୋଚ୍ଚ ଏଲାଷ୍ଟୋମେରିକ୍ ପ୍ୟାଡ୍ (EM ପ୍ୟାଡ୍) ର ଡିଜାଇନ୍।

– ୩-ପର୍ଯ୍ୟାୟ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ସର ଟ୍ରାକ୍ସନ୍ ମୋଟର ପାଇଁ ଅନ୍ ଲାଇନ୍ କଣ୍ଡିସନ୍ ମନିଟରିଂ ସିଷ୍ଟମର ବିକାଶ।

– ଲୁଣ ପରି ଦ୍ରବ୍ୟ ପରିବହନ ପାଇଁ ହାଲୁକା ଓଜନର ୱାଗନ୍।

– ଯାତ୍ରୀ ସେବାରେ ଉନ୍ନତି ପାଇଁ ଡିଜିଟାଲ୍ ତଥ୍ୟ ବ୍ୟବହାର କରି ଆନାଲିଟିକାଲ୍ ଉପକରଣର ବିକାଶ।

– ଟ୍ରାକ୍ କ୍ଲିନିଂ ମେସିନ୍।

– ତାଲିମ ପରବର୍ତ୍ତୀ ସଂଶୋଧନ ଏବଂ ସ୍ୱ-ସେବା ସତେଜ ପାଠ୍ୟକ୍ରମ ପାଇଁ ଆପ୍।

– ବ୍ରିଜ୍ ଯାଞ୍ଚ ପାଇଁ ରିମୋଟ ସେନ୍ସିଂ, ଜିଓମାଟିକ୍ସ ଏବଂ ଜିଏସ୍ ର ବ୍ୟବହାର।

ରେଳବାଇରୁ ଅଧିକ ସମସ୍ୟା ବିବୃତ୍ତି ସଂଗ୍ରହ କରାଯାଇଛି, ଯାହାର ଯାଞ୍ଚ ଚାଲିଛି ଏବଂ ପର୍ଯ୍ୟାୟକ୍ରମେ ଅପଲୋଡ୍ କରାଯିବ।

ଭାରତୀୟ ରେଳ ଇନୋଭେସନ୍ ପୋର୍ଟାଲ୍ ଉନ୍ମୋଚିତ ହୋଇଛି ଯାହା ୱେବ୍ ଠିକଣା www.innovation.indianrailways.gov.in ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ମାଡ୍ରାସରେ 5G ର ସଫଳ ପରୀକ୍ଷଣ, ଭଏସ୍ ଏବଂ ଭିଡିଓ କଲ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଚେନ୍ନାଇ: ଆଇଆଇଟି ମାଡ୍ରାସରେ 5G କଲ୍ ସଫଳତାର ସହିତ ପରୀକ୍ଷଣ ହୋଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 5G ଭଏସ୍ ଏବଂ ଭିଡିଓ କଲ କରିଛନ୍ତି। ବିଶେଷ କଥା ହେଉଛି ନେଟୱାର୍କର ଡିଜାଇନ୍ କୁ ଭାରତରେ ବିକଶିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ତାଙ୍କ କୁ ଏବଂ ଟ୍ୱିଟର ଆକାଉଣ୍ଟରେ 5G କଲ୍ ପରୀକ୍ଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ଏହାପୂର୍ବରୁ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତର ନିଜସ୍ୱ 5G ଭିତ୍ତିଭୂମି ପ୍ରସ୍ତୁତ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୈଷ୍ଣବ କହିଛନ୍ତି ଯେ, ଭାରତର ସ୍ୱଦେଶୀ ଟେଲିକମ୍ ଭିତ୍ତିଭୂମି “ବୃହତ ଆଧାରଭୂତ ପ୍ରଦୌଗିକ ଅଗ୍ରଗତି” ର ପ୍ରତିଫଳିତ କରୁଛି।

ଏହି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ବିଶ୍ଵର ଦେଶମାନଙ୍କୁ ମଧ୍ୟ ମୂଲ୍ୟ ଏବଂ ଗୁଣାତ୍ମକ ଲାଭ ଦୃଷ୍ଟିରୁ ଭାରତର ସ୍ୱଦେଶୀ ଟେଲିକମ୍ ଭିତ୍ତିଭୂମି ଉପରେ ସକ୍ରିୟ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ରୋଜଗାରର ସୁଯୋଗ ସୃଷ୍ଟି ହେବ:

ଅନ୍ୟପକ୍ଷରେ, ଟେଲିକମ୍ ସଚିବ କେ ରାଜାରମନ୍ ବୁଧବାର କହିଛନ୍ତି ଯେ, 5G ସେବା ପ୍ରବର୍ତ୍ତନ ଦ୍ୱାରା ନୂତନ ଜ୍ଞାନକୌଶଳ ପାଇଁ ଉପଯୁକ୍ତ କୌଶଳ ଆବଶ୍ୟକ ହେବ, ଯାହା ଏକ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଟେଲିକମ୍ ସେକ୍ଟର ସ୍କିଲ୍ କାଉନସିଲ୍ (TSSC) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜାରମନ୍ କହିଛନ୍ତି ଯେ, ଭାରତନେଟ ଠାରୁ ସ୍ପେସ୍ ଟେଲି ଯୋଗାଯୋଗ ଏବଂ 5G ରୁ ବ୍ରଡବ୍ୟାଣ୍ଡ ସେବା ପର୍ଯ୍ୟନ୍ତ ଚାକିରି ଏକ ବୃହତ ସ୍ତରରେ ସୃଷ୍ଟି ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପର ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

173.416 KM ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ 9 ସେପ୍ଟେମ୍ବର, 2021 ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି ଯାହାର ଆନୁମାନିକ ମୂଲ୍ୟ 2800 କୋଟି ଟଙ୍କା। ଏହି ପ୍ରକଳ୍ପରେ 48 ଟି ଗୁରୁତ୍ୱପୂର୍ଣ୍ଣ ଏବଂ 165 ଟି ଛୋଟ ବ୍ରିଜ୍ ସହିତ 213 ଟି ସେତୁ ରହିବ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ 307.64 ଲକ୍ଷ ଟଙ୍କା ଜାନୁୟାରୀ 2022 ରେ ମଞ୍ଜୁର ହୋଇଛି। 231 ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି। ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି। ଜୁନ୍ 2022 ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ।