Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ ଓ ବୋହୁଙ୍କୁ ଆକ୍ରମଣ ଅଭିଯୋଗରେ ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚାଞ୍ଚଡାପଡିଆ ବିଶ୍ଵନାଥ ନଗରରେ ନମିତା ପାତ୍ର ନାମକ ଜଣେ ବୋହୁକୁ ଶ୍ଵଶୁର ଘର ଲୋକ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଥାନାରେ କେଶ୍ ନଂ ୭୮/୨୩ ଅନୁଯାୟୀ ଏକ ମକଦ୍ଦମା ରୁଜୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମହିଳା ଥାନା ପୋଲିସ ଉଭୟ ପରିବାରକୁ ଡ଼ାକି ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବୁଝାମଣା ଫଳପ୍ରଦ ନହେବାରୁ ବୋହୁର ଯୌତୁକ ସାମଗ୍ରୀ ଜବତ କରିବା ପାଇଁ ଏସ୍ ଆଇ ଝୁନୁବାଳା ଶାସମଲଙ୍କ ନେତୃତ୍ଵରେ ଏକ ଟିମ୍ ବିଶ୍ଵନାଥ ନଗର ସ୍ଥିତ ଶ୍ବଶୁର ଘରେ ପହଞ୍ଚିଥିଲେ।

ଶ୍ଵଶୁର ଘର ଲୋକ ବୋହୂ ନମିତାକୁ ଦେଖି ଅତର୍କିତ ଆକ୍ରମଣ କରି ନିର୍ଧୁମ ପିଟି ନିକଟସ୍ଥ ନାଳରେ ପକାଇ ଦେଇଥିଲେ। ଏହି ସମୟରେ ପୋଲିସ ଅଟକାଇବାରୁ ଅଭିଯୁକ୍ତ ଗୋବିନ୍ଦ ପାତ୍ର, ଘନ ପାତ୍ର, ଲକ୍ଷ୍ମୀ ପାତ୍ର ଶିବ ପାତ୍ର ଓ ଡମ୍ବି ପାତ୍ର ମହିଳା ଏସ୍ ଆଇ ଝୁନୁବାଳା ଶାସମଲଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

କୌଶଳ କ୍ରମେ ବୋହୂ ନମିତାଙ୍କୁ ପୋଲିସ ଗୋଷାଣୀ ନୁଆଁଗାଁ ଥାନାକୁ ଆଣିବାରେ ସକ୍ଷମ ହୋଇଥିଲେ। ଏନେଇ କେଶ୍ ନଂ ୧୪୨/୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଉକ୍ତ ସମସ୍ତ ପରିବାରର ଲୋକଙ୍କ ସହ ଜଣେ ବାଳକକୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ଧର୍ମ ରାଜ୍ୟ ଖବର

ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାରେ ଅଶ୍ଳୀଳ ଦଣ୍ଡନାଚ ପ୍ରଦର୍ଶନ, ୫ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଇତ୍ୟବସରରେ ବହୁ ଦୁର ଦୁରାନ୍ତରୁ ମାଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଛି ଓ ମାଁ ଙ୍କ ଯାତ୍ରା ପରମ୍ପରା ଓ ନୀତି ନିୟମ ପାଳନ ହେବା ସହ ବହୁ ମାନସିକ ବେଶଧାରୀ ବ୍ୟକ୍ତିବିଶେଷ ମାଁ ଙ୍କ ଦର୍ଶନ କରି କ୍ରୁପା ଲାଭ କରୁଛନ୍ତି। କିନ୍ତୁ କିଛି ଅନୁଷ୍ଠାନ ଓ ସଂସ୍କୃତି ବିରୋଧୀ ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର ଅଶ୍ଳୀଳ ଭଜନ,ନାଚ ଗୀତ ସହ ଦଣ୍ଡନାଚ ପଟୁଆର ବାହାର କରି ଧର୍ମାବଲମ୍ବୀ ଜନତାଙ୍କ ହୃଦୟକୁ କୁଠାରାଘାତ କରୁଛନ୍ତି। ଯ’ଦ୍ଵାରା କିଛି ବୁଦ୍ଧିଜୀବି ଓ ଯାତ୍ରା କଳାକାର ସଂଘ ପକ୍ଷରୁ ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଏହି ଭଳି ଅପସଂସ୍କୃତି କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ।

ଏସ୍ ପି ଡଃ ଶ୍ରବଣ କୁମାରଙ୍କ ନିର୍ଦ୍ଦେଶରେ ବଡ଼ବଜାର ଥାନା ପୋଲିସ୍ ଏହି ଭଳି କାର୍ଯ୍ୟକୁ ଦମନ କରିବା ପାଇଁ ଆଗେଇ ଆସି ଏକ ଅଶ୍ଳୀଳ ଦଣ୍ଡନାଚ ଦଳକୁ କାବୁ କରି ୫ ଜଣ ଯୁବକ ଓ ଅଶ୍ଳୀଳ ଫଟୋ ପ୍ରଦର୍ଶିତ ପରଭାକୁ ଉଠାଇ ଆଣି ଜେରା କରିବା ସହ କେଶ୍ ନଂ ୧୩୫/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ମାନେ ହେଲେ ଶିବ ମହାରଣା, ଅନୁପମ ରାଉତ, ବାବୁ ନାୟକ, ଭଗବାନ ନାୟକ ଓ ଶଙ୍କର ଜେନା ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ମୋବାଇଲ ଫୋନ ଲୁଟ୍ ଅଭିଯୋଗରେ ଜଣେ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥପୁର ପୋଲିସ ମୋବାଇଲ ଲୁଟ୍ ଅଭିଯୋଗରେ ଗଜପତି ନଗର ଅଞ୍ଚଳର ଅଭିଷେକ ଶତପଥୀ ନାମକ ଜଣେ ଯୁବକକୁ ଗିରଫ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ମେଡିକାଲ ବ୍ୟାଙ୍କ କଲୋନୀର କିଶାନ୍ ବେହେରା ନାମକ ଜଣେ ବ୍ୟକ୍ତି ବାଇକ୍ ରେ ଘରକୁ ଫେରିବା ବେଳେ ଏକ ଫୋନ କଲ୍ ଆସିବାରୁ ମେଡିକାଲ ଖେଳ ପଡିଆ ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇ କଥା ହେଉଥିଲେ। ଏତିକି ବେଳେ ଗିରଫ ଯୁବକ ଅଭିଷେକ ହଠାତ୍ ଆସି କିଶାନ୍ କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ ଓ ଅଭିଷେକ ତାଙ୍କର ମୋବାଇଲ ଫୋନ ଟି ଧରି ସେଠାରୁ ପଳାୟନ କରିବା ବେଳେ କିଶାନ୍ ତା ପିଛା ଗୋଡ଼ାଇ ଥିଲେ।

କିନ୍ତୁ ସେ ନପାଇ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଭିଷେକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫୁଲଟା ଗ୍ରାମରେ ବୋମାମାଡ ଘଟଣାରେ ୫ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଗତ କାଲି ସନ୍ଧ୍ୟାରେ ମନ୍ଦିର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର କମିଟି କର୍ମକର୍ତ୍ତା ଓ କିଛି ଯୁବକଙ୍କ ମଧ୍ୟରେ କଳି ଝଗଡ଼ା ଓ ମାରପିଟ୍ ଘଟଣା ଯୋଗୁଁ ବୈଠକ ବାତିଲ ହୋଇଥିଲା। କିନ୍ତୁ ରାତିରେ କିଛି ଯୁବକ ଗାଁ କମିଟିର ସଭାପତି ସତ୍ୟନାରାୟଣ ପ୍ରଧାନ ଓ ଭଦ୍ର ବ୍ୟକ୍ତି ରାମଚନ୍ଦ୍ର ଶାସମଲଙ୍କ ଘର ଉପରକୁ ବୋମାମାଡ କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ କିଛି ଯୁବକ ପୋଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ। କୌଶଳକ୍ରମେ ପୋଲିସ ୫ ଜଣ ଯୁବକ ଯଥା ପିଙ୍କୁ ପ୍ରଧାନ, ପପୁ ପ୍ରଧାନ, ଗଗନ ଶାସମଲ, ଲିଙ୍ଗରାଜ ଶାସମଲ ଓ ଗଣେଶ ଚର୍ଚି ପ୍ରମୁଖ ପୋଲିସ ହାତରେ ଧରାପଡ଼ିଥିଲେ। ଏଥି ସହିତ ପୋଲିସ ଅନୁସନ୍ଧାନ କରି ୪ ଟି ଜୀବନ୍ତ ବୋମା ଓ କିଛି ସରଞ୍ଜାମ ଜବତ କରିଛନ୍ତି। ଅଟକ ଥିବା ଥିବା ଯୁବକମାନଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତରେ ଲୁଚାଇ ୧.୫ କେଜି ସୁନା ନେଉଥିବା ଅଭିଯୋଗରେ ଗିରଫ ହେଲେ ବିମାନ କର୍ମଚାରୀ

କୋଚି: ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରୁଙ୍କ ଦ୍ୱାରା ଚୋରା ଚାଲାଣ ମାମଲା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ, ସୁନା ଚୋରା ଚାଲାଣ ଅଭିଯୋଗରେ ବୁଧବାର ଦିନ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ କ୍ୟାବିନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ୱାୟାନାଡର ବାସିନ୍ଦା ଶାଫିଙ୍କୁ କୋଚିରେ କଷ୍ଟମ୍ସ ଅଧିକାରୀମାନେ ୧ କିଲୋଗ୍ରାମ ୪୮୭ ଗ୍ରାମ ସୁନା ସହିତ ଗିରଫ କରିଛି। କଷ୍ଟମ୍ସ ନିବାରକ କମିଶନର ବହରିନ୍-କୋଜିକୋଡ-କୋଚି ସେବାର ଜଣେ କ୍ୟାବିନ କ୍ରୁ ସଦସ୍ୟ ଶାଫି ସୁନା ନେଇଥିବାର ଗୋପନୀୟ ସୂଚନା ପାଇଥିଲେ।

ସୁନା ଚୋରା ଚାଲାଣ ପାଇଁ ଶାଫି ଏକ ଭିନ୍ନ ଉପାୟ ଗ୍ରହଣ କରିଥିଲେ, କିନ୍ତୁ ସେ ତାଙ୍କ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଧରାପଡିଥିଲେ। ଅଭିଯୁକ୍ତଜଣଙ୍କ ହାତରେ ସୁନା ଗୁଡ଼ାଇବା ସହ ସାର୍ଟରେ ଘୋଡାଇ ଗ୍ରୀନ ଚ୍ୟାନେଲ ଦେଇ ଯିବାକୁ ଯୋଜନା କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ହେବାକୁ ପାକିସ୍ତାନ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ତାଲିମ ନେବାକୁ ପାକିସ୍ତାନ ଯାଉଥିବା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୁଇଜଣ କଟ୍ଟରପନ୍ଥୀଙ୍କୁ ଗିରଫ କରିଛି। ଏହି ଦୁଇ ଜଣଙ୍କୁ ଲାଲ କିଲ୍ଲା ନିକଟରୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଭାରତର ତାମିଲନାଡୁ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଆତଙ୍କବାଦୀ ତାଲିମ ନେବାକୁ ଏହି ଦୁଇ ଜଣ ଯାଉଛନ୍ତି ବୋଲି ପୋଲିସ ଦାବି କରିଛି।

ଅଭିଯୁକ୍ତଙ୍କ ନାମ ହେଉଛି ଖାଲିଦ ମୁବାରକ ଖାନ (୨୨ ବର୍ଷ) ଏବଂ ଅବଦୁଲ୍ଲା (32 ବର୍ଷ)। ଖାଲିଦ ମହାରାଷ୍ଟ୍ରର ଥାନେ ୱେଷ୍ଟର ବାସିନ୍ଦା। ଯେଉଁଠାରେ ଅବଦୁଲ୍ଲା ତାମିଲନାଡୁର କଲିଆକୁଲାର ବାସିନ୍ଦା ଅଟନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଜମ୍ମୁ କାଶ୍ମୀରର କିଛି କଟ୍ଟରପନ୍ଥୀ ଯୁବକଙ୍କ ସହ ଟ୍ରେନିଂ ନେବାକୁ ଯାଉଥିଲେ। ଏହି ଦୁଇଜଣଙ୍କ ବିଷୟରେ ପୋଲିସ ସୂଚନା ପାଇଥିଲା, ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୩୨ ବୋରର ଦୁଇଟି ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିମାନରୁ ଗିରଫ ହେବାର ୩ ଘଣ୍ଟା ମଧ୍ୟରେ ପୱନ ଖେଡାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୱନ ଖେଡା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱାରକା କୋର୍ଟରୁ ଜାମିନ ପାଇଛନ୍ତି। ତାଙ୍କୁ ଆଜି ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ କରିଥିଲା। ଏହାପୂର୍ବରୁ ପୱନ ଖେଡାଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ଫେବୃଆରୀ 27) ଦିନ ହେବ। ସୁପ୍ରିମକୋର୍ଟରେ ଆସାମ ପୋଲିସ କହିଛି ଯେ, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୱନ ଖେଡା ‘ଅପମାନଜନକ ମନ୍ତବ୍ୟ’ ଦେଇଛନ୍ତି। ଆସାମ ପୋଲିସ କହିଛି ଯେ, ପୱନ ଖେଡାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ଗିରଫଦାରୀରୁ ସୁରକ୍ଷା ପାଇଁ ଦାଖଲ ହୋଇଥିବା ରିଟ ପିଟିସନର ଉତ୍ତର ଦେବାକୁ ଚାହୁଁଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସାରା ଦେଶରେ ଏନଆଇଏ ର ଚଢାଉ, ଖାଲିସ୍ତାନ ସମର୍ଥକଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ, ଆତଙ୍କବାଦୀ ଗୋଷ୍ଠୀ ଏବଂ ବିଭିନ୍ନ ଡ୍ରଗ୍ କାରବାର ମାଫିଆଙ୍କ ମଧ୍ୟରେ ଆତଙ୍କବାଦ ସମ୍ପର୍କିତ ମାମଲାରେ ଆତଙ୍କବାଦୀଙ୍କ ଘନିଷ୍ଠ ସହଯୋଗୀ ସମେତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୬ ଜଣଙ୍କୁ ଗିରଫ କରିଛି। ଆଜି ଜଣେ ସରକାରୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ମଙ୍ଗଳବାର ସିଁ ଆଠଟି ରାଜ୍ୟର ୭୬ ଟି ସ୍ଥାନରେ ଚଢାଉ କରିବା ପରେ ଏହି ଗିରଫଦାରୀ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାନାଡାରେ ରହୁଥିବା ‘ଘୋଷିତ ଆତଙ୍କବାଦୀ’ ଅର୍ଶଦୀପ ସିଂଙ୍କ ଘନିଷ୍ଠ ସହଯୋଗୀ ଲକି ଖୋଖର ଅଛନ୍ତି।

ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ-ଏନସିଆର, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଚଢାଉ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ, ଜଗଗୁ ଭଗବନପୁରିଆ ଏବଂ ଗୋଲ୍ଡି ବରାଡ ମଧ୍ୟ ଅଛନ୍ତି।

ଏଜେନ୍ସି କହିଛି ଯେ, ପଞ୍ଜାବର ବଠିଣ୍ଡା ନିବାସୀ ଖୋଖରଙ୍କୁ ମଙ୍ଗଳବାର ରାଜସ୍ଥାନର ଶ୍ରୀଗଙ୍ଗନଗରରୁ ଗିରଫ କରାଯାଇଛି। ଏଥିରେ କୁହାଯାଇଛି ଯେ, ଖୋଖର ଅର୍ଶଦୀପଙ୍କ ସହ ପ୍ରତ୍ୟକ୍ଷ ଏବଂ ନିରନ୍ତର ଯୋଗାଯୋଗରେ ଥିଲେ ଏବଂ ତାଙ୍କ ପାଇଁ ନିଯୁକ୍ତି ମଧ୍ୟ କରୁଥିଲେ। ଏହାସହିତ ସେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ମଧ୍ୟ ପାଣ୍ଠି ସଂଗ୍ରହ କରୁଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ବେଳେ ୧୦ ରୋହିଙ୍ଗ୍ୟାଙ୍କ ସମେତ ୧୬ ଗିରଫ

ନୂଆଦିଲ୍ଲୀ: ଭାରତରେ ବେଆଇନ ଭାବେ ପ୍ରବେଶ ଅଭିଯୋଗରେ ରେଳବାଇ ପୋଲିସ ଫୋର୍ସ (ଆରପିଏଫ) ଅଗରତାଲା ରେଳ ଷ୍ଟେସନରେ ୧୨ ଜଣ ବିଦେଶୀ ନାଗରିକଙ୍କ ସମେତ ୧୬ ଜଣଙ୍କୁ ଅଟକ ରଖିଛି। ଅଧିକାରୀମାନେ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜକୀୟ ରେଳ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାଣା ଚାଟାର୍ଜୀ କହିଛନ୍ତି ଯେ, ଏକ ଇନପୁଟ୍ ଆଧାରରେ ଆରପିଏଫ ଷ୍ଟେସନରୁ ତିନି ପିଲାଙ୍କ ସମେତ ମୋଟ ୧୬ ଜଣଙ୍କୁ ଅଟକ ରଖିଛି। ଏଥିରେ ୧୨ ଜଣ ବିଦେଶୀ ନାଗରିକ, ଦୁଇ ଜଣ ବାଂଲାଦେଶୀ ଏବଂ ୧୦ ଜଣ ରୋହିଙ୍ଗ୍ୟା ଅଛନ୍ତି।

ପୋଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମଧୁପୁରର ଅଭିଜିତ୍ ଦେବ ନାମକ ଜଣେ ମଧ୍ୟସ୍ଥି ମଧ୍ୟ ସାମିଲ ଅଛନ୍ତି। ପୋଲିସର ସୂଚନାନୁସାରେ, ସମସ୍ତେ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ସମସ୍ତେ ଅଗରତାଲା ରେଳ ଷ୍ଟେସନରୁ ସକାଳ ୮.୦୫ ରେ କଞ୍ଚନଜଙ୍ଘା ଏକ୍ସପ୍ରେସ ଦ୍ୱାରା କୋଲକାତା ଯାଉଥିଲେ।

କୋର୍ଟରେ ହାଜର ହେବା ପୂର୍ବରୁ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ସେମାନଙ୍କ ବେଆଇନ ଅନୁପ୍ରବେଶର ରାସ୍ତା ଖୋଜିବାକୁ ଚେଷ୍ଟା କରୁଛି। ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆତଙ୍କରାଜ ଅଭିଯୋଗରେ ୭ ଗିରଫ ଓ ମାରଣାସ୍ତ୍ର ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଗଣ୍ଡଗୋଳ ଓ ଆତଙ୍କରାଜ ଅଭିଯୋଗରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୋଳନ୍ଥରା ପୋଲିସ ହଳଦିଆପଦର ଗୋଷାଣୀ ନୁଆଁଗାଁ ଅଞ୍ଚଳରୁ ୭ ଜଣ ଯୁବକକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି। ମାରଣାସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ, ୩ଟି ଖଣ୍ଡା ଓ ଗୋଟିଏ ଲୁହା ଛଡ଼ ପୋଲିସ ଜବତ କରିଛି।

କନିଷି ହାଟର ସୁଜାତା ପାତ୍ରଙ୍କ ଏତଲା ଅନୁଯାୟୀ ମାମଲା ନଂ ୬୭/୨୩ ଓ ସିହଳା ରୋଡ଼ ର ପ୍ରଦୀପ ଦଳବେହେରାଙ୍କ ମାଁ ଙ୍କ ଏତଲା ଅନୁଯାୟୀ ମାମଲା ନଂ ୬୬/୨୩ ରେ ଅଭିଯୁକ୍ତ ପ୍ରଦୀପ ବାଡତ୍ୟା, ଚନ୍ଦନ ସେଠୀ, ଶିଶିର ଦାସ, କିରଣ ବେହେରା, ଅମୀୟ ରଂଜନ ପଟ୍ଟନାୟକ, ସମୀର ସାହୁ ଓ ସଦାନନ୍ଦ ଦାସ ନାମରେ ୭ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅରୁନ୍ଧତୀ ସୁନା ଦୋକାନର ଅଳଙ୍କାର ଠକିବା ମାମଲା: ସହକାରୀ ପରିଚାଳକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅରୁନ୍ଧତୀ ସୁନା ଦୋକାନର ଅଳଙ୍କାର ଠକିବା ଅଭିଯୋଗରେ ଦୋକାନର ସହକାରୀ ପରିଚାଳକ ଗିରଫ ହୋଇଛନ୍ତି। ଦୋକାନ ପରିଚାଳକ ମନମୋହନ ବାରିକଙ୍କ ଏତଲାକୁ ଭିତ୍ତି କରି ସହକାରୀ ପରିଚାଳକ ସିମାଞ୍ଚଳ ପାତ୍ରକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ଅଭିଯୁକ୍ତ ସିମାଞ୍ଚଳ ଦୋକାନର ସୁନା ଗ୍ରାହକଙ୍କୁ ବିକ୍ରି ପାଇଁ ନେଇ ଆଉ ଦୋକାନକୁ ଆସିଲା ନାହିଁ କି ସୁନା ଫେରାଇଲା ନାହିଁ, ଯ’ଦ୍ଵାରା ଦୋକାନ କର୍ତ୍ତୁପକ୍ଷଙ୍କ ସନ୍ଦେହ ବଢିଲା ଓ କଂପାନୀ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ସିମାଞ୍ଚଳ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କେଶ୍ ନଂ ୩୨/୨୩ ଅନୁଯାୟୀ ବଡ଼ବଜାର ଥାନା ପୋଲିସ୍ ମାମଲା ରୁଜୁ କରିଥିଲା। ଏବଂ ଶେଷରେ ସିମାଞ୍ଚଳ ପାତ୍ରକୁ ଗିରଫ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ନକଲି ନୋଟ ଜବତ କଲା ଏସଟିଏଫ: ଜଣେ ଗିରଫ

ଢେଙ୍କାନାଳ: ନକଲି ନୋଟ କାରବାର ଅଭିଯୋଗରେ ଏସଟିଏଫ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଡା ଗ୍ରାମ ପାର୍ଶ୍ୱରେ ଗତକାଲି ସଂନ୍ଧ୍ୟାରେ ନକଲି ନୋଟ କାରବାର ଚାଲିଥିବାର ଖବର ପାଇ ଏସଟିଏଫ ସ୍ଥାନୀୟ ପୋଲିସର ସହାୟତାରେ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଦେବଗଡ଼ ଜିଲ୍ଲା କଚେରୀ ସାହି ଥାନା ଅଞ୍ଚଳର ଅଭିଯୁକ୍ତ ତୁଷାର କୁମାର ବିଶ୍ୱାଳ (୩୧) ଗିରଫ ହୋଇଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର ନକଲି ନୋଟ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି ଏସଟିଏଫ।

ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସଦର ଥାନାରେ କେସ ନମ୍ବର ୬୫୮/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସକୁ ବଡ ସଫଳତା, ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଥିବା ଜଣାପଡିଛି। ପାଞ୍ଚ ଜଣ ଆନ୍ତରାଜ୍ୟ ହାଇୱେ ଡକାୟତଙ୍କୁ କେସିଙ୍ଗା ପୋଲିସ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ହଜାର ଟଙ୍କା, ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଛି।

ଗତ ୭ ତାରିଖ ରାତି ଗୋଟାଏ ବେଳେ କେସିଙ୍ଗା ଥାନା ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ ପୋଲିସ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏନଏଚ୍ ୨୬ ଅମାଠ ଛକ ପାଖରେ ଥିବା ଶିବ ମନ୍ଦିର ପାଖରେ ୩ ଟି ବାଇକ ଯୋଗେ ଛକି ବସିଥିବା ପାଞ୍ଚ ଜଣ ହାଇୱେ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲେ। ଉକ୍ତ ଡକାୟତ ଗ୍ୟାଙ୍ଗର ମୁଖ୍ୟ ତରନିଷେଣ ଭୋଇଙ୍କୁ ଗିରଫ କରିବା ପରେ ସେମାନେ ବିଭିନ୍ନ ଘଟଣାରେ ସାମିଲ ଥିବା ଜଣାପଡ଼ିଥିଲା।

କେସିଙ୍ଗା ପୋଲିସ ଡକାୟତ ବଲାଙ୍ଗୀର ଜିଲ୍ଲା ର ତରଣି ସେନ ଭୋଇ ଓ ଧୃବ ନାୟକ, ବୌଦ୍ଧ ଜିଲ୍ଲାର କନ୍ଦା ମାଝୀ, କଳାହାଣ୍ଡି ଜିଲ୍ଲାର ପୁରୋଷୋତ୍ତମ୍ ନାୟକ ଓ ବିପିନ ଖର୍ସେଲଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ହଜାର ଟଙ୍କା, ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ୪ ଜାତୀୟ ରାଜପଥ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଚାରି ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ।  ଏହି ଚାରି ଅଭିଯୁକ୍ତ ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବୁଚୁଡ଼ି ଗ୍ରାମରୁ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଲୁହା ରଡ଼ ଓ ସଟର ପ୍ଲେଟ ଲୁଟି ନେଇଥିଲେ। ଏ ନେଇ ବାଲୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଆଇଆଇସି ରଶ୍ମିରଞ୍ଜନ ଦାସ ଲୁଟେରାଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ବୁଚୁଡ଼ି ଗ୍ରାମର ପଙ୍କଜ ଦାସ, ସିନା ନାୟକ, ସଞ୍ଜୟ ଦାସ ଓ ସଠିଆ ପଲେଇ। ଏମାନେ ବାରମ୍ବାର ଜାତୀୟ ରାଜପଥରୁ ଲୁଟ କରୁଥିବା ବେଳେ ପୁର୍ବରୁ ଏମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବାର ଆଇଆଇସି କହିଛନ୍ତି।

ଆଜି ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲୁଟ ଜିନିଷ ଜବତ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ଚଳିତ ମାସରେ ଏଯାବତ ବାଲୁଗାଁ ପୋଲିସ ସମୁଦାୟ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଲକ୍ଷ ୩୩ ହଜାର ଟଙ୍କାର ଏମଭି ଫାଇନ ଆଦାୟ କରିବା ସହ ୨୩ ଜଣ ବ୍ୟକ୍ତିଙ୍କ ଡ଼ିଏଲ ବାତିଲ କରିଛି।

Categories
ଅପରାଧ ବିଶେଷ ଖବର

୧୫ ଟି ରାଜ୍ୟରୁ ୧୦୬ ଗିରଫ: NIA ର ବଡ ସର୍ଚ୍ଚ ଅପରେସନ୍ ପରେ PFI ର ବଢିଲା ସମସ୍ୟା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଆତଙ୍କବାଦୀ ବିରୋଧୀ ଏଜେନ୍ସି ଏନଆଇଏ ସେପ୍ଟେମ୍ବର ୨୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସବୁଠୁ ବଡ ସର୍ଚ୍ଚ ଅପରେସନ କରିଥିଲା। ଏଜେନ୍ସିର ଟାର୍ଗେଟ୍ ରେ ଥିଲା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଅର୍ଥାତ୍ ପିଏଫଆଇ। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପିଏଫଆଇ ଉପରେ ଚଢାଉ କରାଯାଇଥିଲା। ଏହି ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନରେ ଏନଆଇଏ ବିପୁଳ ନଗଦ ଟଙ୍କା, ଡିଜିଟାଲ ଉପକରଣ, ଆପତ୍ତିଜନକ ଡକ୍ୟୁମେଣ୍ଟ ଏବଂ ଧାରୁଆ ଅସ୍ତ୍ର ଉଦ୍ଧାର କରିଛି। ଏହା ସହିତ ୧୦୬ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ଅନେକ ନେତା ଏବଂ ପିଏଫଆଇ ସଦସ୍ୟ ରହିଥିଲେ।

କୁହାଯାଉଛି ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପିଏଫଆଇ ଚେୟାରମ୍ୟାନ୍ ଓଏମଏ ସଲାମ, ଉପାଧ୍ୟକ୍ଷ ଇଏମ ଅବଦୁଲ ରହୀମ, ରାଷ୍ଟ୍ରୀୟ ସଚିବ ନାଜରୁଦ୍ଦିନ ଇଲାମରମ, କେରଳ ରାଜ୍ୟ ମୁଖ୍ୟ ସିପି ମହମ୍ମଦ ବଶିର, ଜାତୀୟ ପରିଷଦ ସଦସ୍ୟ ପ୍ରଫେସର ପି କୋୟା ଏବଂ ଏସଡିପିଆଇ ପ୍ରତିଷ୍ଠାତା ସଭାପତି ଅବୁ ବକର୍ ଅଛନ୍ତି।

ଏନଆଇଏର ବଡ ସର୍ଚ୍ଚ ଅପରେସନ୍ ପରେ ପିଏଫ୍ଆଇ କ୍ୟାମ୍ପରେ ହଲଚଲ ସୃଷ୍ଟି ହୋଇଛି। ବିଶ୍ୱାସ କରାଯାଏ ଯେ, କେନ୍ଦ୍ର ସରକାର ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ଅର୍ଥାତ୍ ସିମ୍ ଭଳି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହି ଚଢାଉ ସମୟରେ ଯାହା ବାହାରିଛି ତାହା ସାହାଯ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇ ପାରେ। ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଯେଉଁଥିରେ ଏନଏସଏ ଡୋଭାଲ ଏବଂ ଏନଆଇଏ ମୁଖ୍ୟଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

NIA ର ରାଡାରରେ PFI କାହିଁକି?:

ଆତଙ୍କବାଦୀ ପାଣ୍ଠି, ଆତଙ୍କବାଦୀ ଶିବିର ଏବଂ ଲୋକଙ୍କୁ ଆତଙ୍କବାଦୀ ସହ ଯୋଡିହେବା ପାଇଁ ଉତ୍ସାହିତ କରିବା ହେଉଛି PFI ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ତିନୋଟି କାରଣ। CAA-NRC ବିବାଦ ହେଉ, ଗଜୱା-ଏ-ହିନ୍ଦ ଏଜେଣ୍ଡା ହେଉ କିମ୍ବା ହିନ୍ଦୁ ବିରୋଧୀ ଅଭିଯାନ ହେଉ। ଯେଉଁଠାରେ ଦେଶର ଶାନ୍ତି ବିପର୍ଯ୍ୟସ୍ତ ହୋଇପଡୁଛି PFI ର ନାମ ସବୁଆଡେ ଆସିଛି। ଏହି କାରଣରୁ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ସମଗ୍ର ସର୍ଚ୍ଚ ଅପରେସନ୍ ଉପରେ ନଜର ରଖିଛି।

PFI କ’ଣ?:

୨୦୦୭ ମସିହାରେ, ତିନୋଟି ମୁସଲମାନ ସଂଗଠନକୁ ମିଶ୍ରଣ କରି ଏକ ନୂତନ ସଂଗଠନ ଗଠନ କରାଯାଇଥିଲା। ଏହି ତିନୋଟି ସଂଗଠନ ହେଲା କେରଳର ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ, କର୍ଣ୍ଣାଟକ ଫୋରମ୍ ଫର୍ ଦିଗ୍ନିଟି ଏବଂ ତାମିଲନାଡୁର ମଣିଥା ନୀତି ପସରାଇ। ମାତ୍ର ୧୫ ବର୍ଷ ମଧ୍ୟରେ, ଏହି ସଂଗଠନ ସାରା ଦେଶରେ ଏତେ ଉତ୍ପାତ ସୃଷ୍ଟି କରିଥିଲା ​​ଯେ ଏନଆଇଏକୁ ଏକାସାଙ୍ଗରେ ୧୫ ଟି ରାଜ୍ୟରେ ଚଢାଉ କରିବାକୁ ପଡିଲା। ଆତଙ୍କବାଦୀ ପାଣ୍ଠି ଅଭିଯୋଗରେ ଗତ କିଛି ଘଣ୍ଟା ଧରି ଏନଆଇଏ ଏବଂ ଇଡିର ମିଳିତ ସର୍ଚ୍ଚ ଅପରେସନ୍ ଚାଲିଛି। ଏହି ବଡଧରଣର ଚଢାଉରେ NIA କୁ ବଡ଼ ସଫଳତା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏଏପି ବିଧାୟକ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ତଥା ବ୍ୟବସାୟିକ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ତଥା ବ୍ୟବସାୟିକ ସହଯୋଗୀ ହମିଦଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ଅସ୍ତ୍ର ଆଇନ ଅନୁଯାୟୀ ଗିରଫ କରାଯାଇଛି। ଗତକାଲି ଏସିବି ରେଡ ସମୟରେ ହମିଦଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜ ଉଦ୍ଧାର କରାଯାଇଥିଲା। ତାଙ୍କ ପାଖରେ ଅସ୍ତ୍ର ଲାଇସେନ୍ସ ନଥିଲା। ଲାଇସେନ୍ସପ୍ରାପ୍ତ ବିଧାୟକ ଅମାନତୁଲ୍ଲାଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀ କୌଶରଙ୍କ ଘରୁ ଏକ ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ପୋଲିସ ବର୍ତ୍ତମାନ କୌଶରଙ୍କୁ ଖୋଜୁଛି।

ଗତକାଲି ବିଧାୟକ ଅମାନତୁଲ୍ଲା ଖାନଙ୍କ ସହ ଜଡିତ କେତେକ ସ୍ଥାନରେ ଏସିବି ଚଢାଉ ପରେ ତିନୋଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଜାମିଆ ନଗରର ୫୪ ବର୍ଷିୟ ହମିଦ ଅଲି ପୁଅ ଅବଦୁଲ ଅଲିଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ହମିଦ ବିଧାୟକଙ୍କ ଘନିଷ୍ଠ। ତାଙ୍କ ଘରୁ ଏକ ବେଆଇନ ଅସ୍ତ୍ର ଏବଂ କିଛି ଜୀବନ୍ତ କାର୍ଟ୍ରିଜ ଜବତ କରାଯାଇଛି।

ସରକାରୀ କାର୍ଯ୍ୟରେ ଏସିବିର ଆକ୍ରମଣକାରୀ ଦଳକୁ ବାଧା ଦେବା ପାଇଁ ଏକ ତୃତୀୟ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି।

ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଅମାନତୁଲ୍ଲା ଖାନଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ନେତାଙ୍କୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି ‘ଅପରେସନ୍ ଲୋଟସ୍’ କରୁଛି।

ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଥମେ ସେମାନେ ସତ୍ୟେନ୍ଦ୍ର ଜେନାଙ୍କୁ ଗିରଫ କରିଥିଲେ, କିନ୍ତୁ କୋର୍ଟରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ସେମାନେ ମୋ ଘରେ ଚଢାଉ କରିଥିଲେ, କିଛି ମିଳିଲା ନାହିଁ। ଏହା ପରେ କୈଳାଶ ଗେହଲୋଟଙ୍କ ବିରୋଧରେ ଏକ ଜାଲ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଛି। AAP ର ପ୍ରତ୍ୟେକ ନେତାଙ୍କୁ ଭାଙ୍ଗିବା ପାଇଁ ଅପରେସନ୍ ଲୋଟସ୍ ଚାଲିଛି।

ଏହାପୂର୍ବରୁ AAP ନେତାମାନେ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ବହିଷ୍କାର କରିବା ପାଇଁ ବିଜେପି ନିଜର ବିଧାୟକ କିଣିବାକୁ ଚେଷ୍ଟା କରୁଛି ଏବଂ ପ୍ରତ୍ୟେକଙ୍କୁ ୨୦ କୋଟି ଟଙ୍କା ଅଫାର ଦେଉଛି।

ଗତ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ଟ୍ରଷ୍ଟ ଭୋଟ୍ ଟେବୁଲ କରିଥିଲେ ଯାହା ପ୍ରମାଣ କରିବାକୁ AAP ବିଧାୟକମାନେ ତାଙ୍କ ସହ ଅଛନ୍ତି। ଦିଲ୍ଲୀରେ “ଅପରେସନ୍ ଲୋଟସ୍” ଏକ ବିଫଳତା ବୋଲି ସେ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: କିଛି ଦିନର ବିରତି ପରେ ପୁଣି ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଠାବ ହେବା ସହ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ସାମନ୍ତରାୟପୁର ବୋଧ ପୋଖରୀ ନିକଟରେ ବ୍ରାଉନ ସୁଗାର ବେପାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଆଦିତ୍ୟ ବିଶ୍ୱାଳ (୨୪), ସୋମନାଥ ସାହୁ (୩୦) ଏବଂ ପୁରି ଜିଲ୍ଲା ପିପିଲି ଥାନା କାକୁଡ଼ିଆ ଗ୍ରାମର ହେମନ୍ତ କୁମାର ସ୍ୱାଇଁ (୩୨) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା) ଏବଂ ଏକ ବାଇକ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୩୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାଟନାରୁ ଗିରଫ ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ: ଭାରତକୁ ଇସଲାମ ରାଷ୍ଟ୍ର କରିବା ଥିଲା ଲକ୍ଷ୍ୟ

ପାଟନା: ବୁଧବାର ଦିନ ପାଟନା ପୋଲିସ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଫୁଲୱାରୀ ସରିଫରୁ ଗିରଫ କରିଛି। ଦୁହେଁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ପୋଲିସ ଉଭୟଙ୍କୁ ନୟା ଟୋଲାରୁ ଗିରଫ କରିଛି। କୁହାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ସିଆଇଏମ୍ଆଇ ଆତଙ୍କବାଦୀ ସଂଗଠନର ସଦସ୍ୟ ଅଛି। ଅନ୍ୟଜଣେ ଝାଡଖଣ୍ଡ ପୋଲିସର ସବ୍ ଇନ୍ସପେକ୍ଟର ପଦରୁ ଅବସର ନେଇଛନ୍ତି। ଏହି ଚଢାଉ ସମୟରେ ପୋଲିସ ପ୍ରତିବନ୍ଧିତ ବିଦେଶୀ ଦଲିଲ ଜବତ କରିଛି।

ପୋଲିସର ସୂଚନାନୁସାରେ, ଏହି ଦୁଇଜଣଙ୍କର ସମ୍ପର୍କ ଅନେକ ଦେଶ ସହିତ ସଂଯୁକ୍ତ। ପୋଲିସ ଏନେଇ ତଦନ୍ତ କରୁଛି। ଏ ସମ୍ପର୍କରେ ଫୁଲୱାରୀ ସରିଫର ଏଏସପି ମନୀଷ କୁମାର କହିଛନ୍ତି ଯେ ଫୁଲୱାରୀ ସରିଫର ନୟା ଟୋଲାରେ ଅବସ୍ଥିତ ଅହମ୍ମଦ ପ୍ୟାଲେସରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସେ ସୂଚନା ପାଇଥିଲେ। ଏହା ପରେ ଝାଡଖଣ୍ଡ ପୋଲିସର ଅବସରପ୍ରାପ୍ତ ସବ୍ ଇନ୍ସପେକ୍ଟର ମହମ୍ମଦ ଜାଲାଲୁଦ୍ଦିନ ଏବଂ ପୂର୍ବତନ ସିଆଇଏମ୍ଆଇ ସଦସ୍ୟ ଅତହର ପରଭେଜଙ୍କୁ ଗିରଫ କରାଯାଇଥିଲା। ଏକାଠି ଏହି ଦୁଇଜଣ ଏଠାରେ ଏକ ସଂସ୍ଥା ଚଳାଉଥିଲେ। ଏହି ସଂଗଠନ ମାଧ୍ୟମରେ ଯୁବକମାନଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଏହି ଲୋକମାନଙ୍କର ଉଦ୍ଦେଶ୍ୟ ଥିଲା ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା। ଲୋକମାନେ ଅନ୍ୟ ରାଜ୍ୟରୁ ଏହି ଘରକୁ ଆସୁଥିଲେ, ସେମାନେ ନାମ ପରିବର୍ତ୍ତନ କରି ବିଭିନ୍ନ ହୋଟେଲରେ ରହୁଥିଲେ।

ପୋଲିସ କହିଛି ଯେ ଉଭୟ ଶାରୀରିକ ଶିକ୍ଷା ଏବଂ ମାର୍ଶଲ ଆର୍ଟ ନାମରେ ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିଲେ। ଏଥିପାଇଁ ସେମାନେ ଭଡା ନେଇ ଏକ ଘର ନେଇଥିଲେ। କୁହାଯାଇଥିଲା ଯେ ଏହି ଲୋକମାନେ ଧାର୍ମିକ ଭାବନା ବିସ୍ତାର କରିବା ପାଇଁ ଛାତ୍ରମାନଙ୍କୁ ବିଭ୍ରାନ୍ତ କରୁଥିଲେ। ଗିରଫ ଅତହାର ପରଭେଜ ଅତୀତରେ CIMI ର ସଦସ୍ୟ ଥିଲେ। ଏହି ଲୋକଙ୍କ ବିଦେଶୀ ଦେଶ ସହ ଜଡିତ ଥିବା ସମ୍ପର୍କକୁ ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି। ଏଏସପି ମନୀଷ କୁମାର କହିଛନ୍ତି ଯେ, ବିହାର ବ୍ୟତୀତ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟର ଛାତ୍ରମାନେ ତାଲିମ ପାଇଁ ଏଠାକୁ ଆସୁଥିଲେ। ବର୍ତ୍ତମାନ ଏହାର ଅନୁସନ୍ଧାନ ପାଇଁ ଇଡିର ସହାୟତା ମଧ୍ୟ ନିଆଯାଉଛି। ତାଲିମ ପାଇଁ ମିଳିଥିବା ଟଙ୍କା ସମ୍ପର୍କରେ ପୋଲିସ ମଧ୍ୟ ତଥ୍ୟ ସଂଗ୍ରହ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫକୁ ବଡ଼ ସଫଳତା: ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା: ଆଜି ଏସଟିଏଫ କୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଭୁବନେଶ୍ୱର ଏସଟିଏଫର ଟିମ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବରୁଣେଇ ରୋଡ଼ରେ ଚଢ଼ାଉ କରିଥିଲା। ଚଢ଼ାଉରେ ଚାରି ଜଣ ବ୍ରାଉନ ସୁଗାର ବେପାରି ଗିରଫ ହେବା ସହ ସେମାନଙ୍କ ନିକଟରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ ସୁଗାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଏସଟିଏଫ।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ରାକେଶ କୁମାର ବାରିକ, ବିରଞ୍ଚିନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଏବଂ ସନ୍ତୋଷ ରାଉତରାୟ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୧ (ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏସଟିଏଫ କେଶ ନମ୍ବର ୧୬/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

ସୂଚନା ଥାଉକି ୨୦୨୦ ମସିହାଠାରୁ ଏସଟିଏଫ ନିଶା ଦ୍ରବ୍ୟ ସମ୍ବନ୍ଧୀୟ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରଖିଛି। ଏବଂ ଅଦ୍ୟାବଧି ୫୫ କିଲୋ ବ୍ରାଉନ ସୁଗାର, ୨୦୨ ଗ୍ରାମ କୋକିନ, ୧୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ସମେତ ୧୫୬ ରୁ ଉର୍ଦ୍ଧ୍ଵ ନିଶା ବେପାରୀଙ୍କୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ଜୁଆ ଆଡ୍ଡାରେ ଚଢାଉ, ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ, ୫ ଗିରଫ

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ୟ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ ହେଇଯାଉ ଥିଲେ।

ଗତକାଲି ପୋଲିସର ସନ୍ଧ୍ୟା ପାଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୧୧ ଟା ରେ ଉକ୍ତ ଜାଗାରେ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଗିରଫ ଜୁଆଡିମାନେ ହେଲେ ରାଜା ଆଲିଆସ, ରାଜେଶ ସାହୁ, କାଳିଆ ପ୍ରଧାନ, ମିଲନ ପ୍ରଧାନ ଓ ମାନସ ବେହେରା, ଶିବରାମ ସିଂ। ଘଟଣା ସ୍ଥଳରୁ ପୋଲିସ ପାଂଚ ହଜାର ଚାରିସହ ଟଙ୍କା, ତାସ, ଟର୍ଚ୍ଚ ଲାଇଟ, ପେପର ପାଲ, ୪ ଟି ଖାଲି ମଦ ବୋତଲ, ସିଗାରେଟ ଓ ଡିଆସିଲ ଜବତ କରିଛି।

ଆଜି ନିରାକାରପୁର ପୋଲିସ ସେମାନଙ୍କ ନାମରେ ଗ୍ୟାମ୍ବଲିଙ୍ଗ ୩ ଓପିଜି ଦଫା ଲଗାଇ ୧୨୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଞ୍ଚଳିକ

ଚିଲିକାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ତିନି ମହିଳାଙ୍କ ସମେତ ୪ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଦୁଇ ମହିଳା, ଜଣେ ପୁରୁଷ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋଷଡିହ ଗ୍ରାମରୁ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୫୫ ଲିଟର ଦେଶୀ ମଦ ଏବଂ ୧୦.୪୦୦ ଲିଟର ବିଅର ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅବକାରୀ ବିଭାଗ ପିଆର ନମ୍ବର ୩୭, ୩୮, ୩୯, ୪୦/୨୨-୨୩ ରେ ଚାରି ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ଅନୁଷ୍ଠିତ କରାଯାଇଛି।