Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ହେଲେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବାଣପୁର ଏନଏସିର ପୂର୍ବତନ କାଉନସିଲର ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ପ୍ରଣତୀ ମାର୍ଥା, ୱାର୍ଡ଼ ସଭାପତି ବିଶ୍ୱନାଥ ଦଳେଇ, ମହିଳା ସଭାପତି ପ୍ରତୀମା ମଲ୍ଲିକ, ପୂର୍ବତନ କାଉନସିଲର ଝରିଆ ପ୍ରଧାନ, ବରିଷ୍ଠ ନେତା ଦୀନବନ୍ଧୁ ପ୍ରଧାନ ଓ ଯୋଗେନ୍ଦ୍ର ବାରିକ, ଯୁବ ସଂଗଠକ ମନୋଜ ସାହୁ, ପୂର୍ବତନ କାଉନସିଲର ସୁଧାକର ଭୋପା, ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି କାବେରୀ ଜେନା ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ବାଣପୁର ଏନଏସିର ପୂର୍ବତନ ଯୁବ ସଭାପତି ନାରାୟଣ ଦାସ, ଏସ୍‌ସି ମୋର୍ଚ୍ଚାର ମହିଳା ସଭାପତି ଉତ୍ତରା ମଲ୍ଲିକ ଏବଂ ବାଣପୁର ବ୍ଲକ ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସଞ୍ଜୟ କୁମାର ବଳିଆର ସିଂହ, ଅନୀଲ କୁମାର ସ୍ୱାଇଁ, ରାଧାକାନ୍ତ ରଥ, ରଞ୍ଜନ କୁମାର ରାଉତରାୟ, ଜୟନ୍ତ କୁମାର ସ୍ୱାଇଁ, ରାଜେଶ କୁମାର ବେହେରା, ବିଜୟ ପାତ୍ର, ମାନସ ବେହେରା, ଜିତୁନ ବେହେରା, ସଂକଳ୍ପ ବେହେରା, ରଘୁନାଥ ବାରିକ, ନବଘନ ନାୟକ, ସୌରୀ ବେହେରା, ମକଦମ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର (ରାଜା), ବାଣପୁର ଏନଏସି ଚେୟାରମ୍ୟାନ ମିଟୁ ନାୟକ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁରବ୍ଲକ ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ, ଯୁବନେତା ଜଗତ ବଲ୍ଲଭ ମହାରଥା, ତୁମୁରାପୁଟ ଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ସେଠୀ, ଯଦୁ ପ୍ରଧାନ, ମନୋଜ ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହଯୋଗରେ ଦୁବାଇରୁ ଫେରିଲା ଶ୍ରମିକଙ୍କ ମୃତ ଦେହ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା ଅନ୍ତର୍ଗତ ସିଙ୍ଗେଶ୍ୱର ପଞ୍ଚାୟତ ସ୍ଥିତ ପାଟ୍ଟସାଣିପୁର ଗ୍ରାମର ବାସିନ୍ଦା ଲକ୍ଷ୍ମୀଧର ସାହୁ ହୃଦଘାତ ଜନିତ ସମସ୍ୟାରେ ପୀଡିତ ହୋଇ ଗତ ୧୦ ତାରିଖ ଦିନ ଦୁବାଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକ ଏହି ଖବର ଶୁଣି ମର୍ମାହତ ହୋଇଥିଲେ।

ତେବେ ଲକ୍ଷ୍ମୀଧରଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଥିବାରୁ ଦୁବାଇରୁ ତାଙ୍କ ମର ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାରବର୍ଗଙ୍କ ପାଖେ ଆବଶ୍ୟକ ସାଧନ ନ ଥିଲା। ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାଣିବା ପରେ, ସେ ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ସହିତ ଯୋଗାଯୋଗ କରି ଲକ୍ଷ୍ମୀଧରଙ୍କ ଶବ ଦୁବାଇରୁ ଚିଲିକା ଆଣିବାର ସମସ୍ତ ବ୍ୟବସ୍ଥା କରିଥିଲେ।

ଗତ କାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଶବ ଚିଲିକାରେ ପହଂଚିଲା ପରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଉକ୍ତ କାର୍ଯ୍ୟକୁ ଚିଲିକାବାସୀ ପ୍ରଶଂସା କରିଥିବା ବେଳେ, ସେ ସଦାସର୍ବଦା ଚିଲିକା ବାସୀଙ୍କ ସେବା ପାଇଁ ସମର୍ପିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏପରି କଥା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ବ୍ୟବସାୟକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପରଶ୍ରୀକାତର ତଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି । ଶନିବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ କାଳିଜାଇ, ମାଆ ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ। ଓଡ଼ିଶାର ଜନଜୀବନକୁ ବୁଝିବାକୁ ହେଲେ ଏହି ଅଞ୍ଚଳକୁ ଭଲରେ ବୁଝିବାକୁ ହେବ। ସୋରଣ ମାନସିଂହପୁର ଏକ ମତ୍ସ୍ୟଜୀବୀ ଆଧାରିତ ଗାଁ। ଚିଲିକାର ଖଇଙ୍ଗା ମାଛ ଭାରି ସ୍ୱାଦିଷ୍ଟ। ମାତ୍ର ଭୁବନେଶ୍ୱର ବଡ ବଡିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବଜା କରିବାକୁ ଚାହୁଁଛନ୍ତି। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ।

ଯଦି ଗୁଜୁରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ? ମତ୍ସ୍ୟଜୀବୀ ବିକାଶର ଲାଭ ଆଣିବା ପାଇଁ ହେଲେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଅନୁଯାୟୀଙ୍କୁ ଜିତାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବେରୋଜଗାରୀ କମିଛି। ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି। ମୋଦି ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଉଛନ୍ତି। କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି।  ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି।

ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି। ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି। ଏହା ଗରିବ ବିରୋଧୀ ସରକାରର ଲକ୍ଷଣ। ଓଡ଼ିଶାରେ ଓଡ଼ିଆ ଜାତି, ଆବେଗକୁ ଦବା ଯାଇପାରିବ ନାହିଁ। ଏଠାକାର ସରକାର ବିକାଶ ନୁହେଁ ବିନାଶ କରିଛନ୍ତି ବୋଲି ସେ କହିଛନ୍ତି।

ଏହି ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ସୋରଣ ମାନସିଂହପୁର ଠାରେ ମୋ ମାଟି ମୋ ଦେଶ  କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ୧୯୯୯ ମସିହାରେ ମାଫିଆଙ୍କ ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରତିବାଦ କରି ସୋରଣ ଗୁଳିକାଣ୍ଡରେ ଶହୀଦ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ମାଟି ମୋ ଦେଶ ଅଭିଯାନରେ ମାନସିଂହପୁରର ମାଟି ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପିତ ହେବା ଗୌରବ ବିଷୟ। କାରଣ ଏହି ମାଟିରେ ମହାପ୍ରଭୁଙ୍କ ସଂସ୍କାର ଅଛି।  ପଞ୍ଚସଖାଙ୍କ ଆଦର୍ଶ ଓ ବୀର ପାଇକଙ୍କ ସ୍ୱାଭିମାନ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରଗରମ ଚିଲିକା ରାଜନୀତି

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ରାଜନୀତି। ବିଜେଡି ଏଠାରେ ଜନସମ୍ପର୍କ ପଦଯାତ୍ରା ଜାରି ରଖିଥିବା ବେଳେ ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଜାରିରହିଛି।

ଏହି ପରିପ୍ରେକ୍ଷୀରେ ଚିଲିକା ରାଜନୀତିକୁ ଗତି ଦେବା ପାଇଁ ଆଜି ଚିଲିକା ନିର୍ବାଚନମଣ୍ଡଳି ଆସୁଛନ୍ତି କେନ୍ଦ୍ର ଶିକ୍ଷା ଓ ବୈଷୟିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ନିର୍ବାଚନମଣ୍ଡଳି ଅନ୍ତର୍ଗତ ମାନସିଂହପୁର ଏବଂ ସୋରଣ ପଞ୍ଚାୟତ ରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ପ୍ରଧାନ। ଅପରାହ୍ନ 4 ଘଟିକାରେ କେନ୍ଦ୍ର ମନ୍ତ୍ରୀ ମାନସିଂହପୁର ପଞ୍ଚାୟତରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଭାଗନେବେ।

ଏହାପରେ ଅପରାହ୍ନ 5 ଘଟିକାରେ ମାନସିଂହପୁର ସ୍ଥିତ କାଳିଜାଇ ଏମ.ଇ ସ୍କୁଲ ପଡିଆରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ସଭାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ ଶ୍ରୀ ପ୍ରଧାନ l ସାଧାରଣ ନିର୍ବାଚନକୁ ଆଖିରେ ରଖି ଉକ୍ତ ସମାବେଶର ପ୍ରସ୍ତୁତି ହେଉଥିବା ବେଳେ ଏଥିରେ ଚିଲିକା ନିର୍ବାଚନମଣ୍ଡଳିର ହଜାର ହଜାର ଦଳୀୟ କର୍ମୀ ଯୋଗଦେବେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାଚୁଣୀସ୍ଥିତ ପୂର୍ବତନ ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନକୁ ଯାଇ ସେଠାରେ କିଛି ସମୟ ଅତିବାହିତ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ତଥା ଚିଲିକା ନିର୍ବାଚନମଣ୍ଡଳିର ଆଶାୟୀ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆଶାୟୀ ବିଜେପି ପ୍ରାର୍ଥୀ ଡା ସମ୍ବିତ ପାତ୍ର ପରିଚାଳନା କରୁଥିବା ବେଳେ ସମସ୍ତ ବିଜେପି ଏବଂ ବିଜେପି ସମର୍ଥିତ ନିର୍ବାଚିତ ଜନ ପ୍ରତିନିଧି ମାନେ ସହଯୋଗ କରୁଛନ୍ତି।

ଅନୁରୂପ ଭାବେ ଆଜି ବାଣପୁରରେ ମା’ ଭଗବତୀଙ୍କ ପବିତ୍ର ଭେଟ ଅମାବାସ୍ୟା ଯାତ୍ରା ଥିବାବେଳେ ରାତିରେ ଉଭୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ସମ୍ବିତ ପାତ୍ର ଏଥିରେ ଯୋଗଦେବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକ ୧୪ ନମ୍ବର ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦ ଯାତ୍ରା

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ୧୪ ନମ୍ବର ଜୋନର ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ କୁମାର ଜଗତ ବଲ୍ହବ ମହାରଥା ଙ୍କ ନେତୃତ୍ୱରେ ୧୪ ନମ୍ବର ଜୋନ ର ବାଣପୁର ବ୍ଲକ ବିଜୁଜନତା ଦଳର ସଭାପତି ଭବାନୀ ଶଙ୍କର ବଳିୟାରସିଂ, ଗମ୍ବlରୀ ମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ କୁମାର ପଟ୍ଟନାୟକ, ସରପଞ୍ଚ ରାକେଶ ପ୍ରଧାନ, ନାରୀ ନେତ୍ରୀ ସମେତ ବିଜୁଜନତା ଦଳର ବହୁ ମୁଖିଆ ମାନେ ଯୋଗ ଦେଇଥବା ବେଳେ ୧୪ ନମ୍ବର ଜୋନରୁ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାକୁ ସଫଳ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି ଏଥିରୁ କେହିବି ବଞ୍ଚିତ ନ ହୁଅନ୍ତୁ ଏବଂ ସରକାରଙ୍କ ହାତ ମୁଠାକୁ ଟାଣ କରିବା ସହିତ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ବିଜୁଜନତା ଦଳର କର୍ମୀମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ପଦ ଯାତ୍ରା ଆୟତପୁର ଠାରୁ ଗମ୍ଭାରୀମୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ଶେଷ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ସାମିଲ ହେଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳୀରେ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବାଣପୁର ସହରରେ ଉକ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ମା’ ଭଗବତୀ ମନ୍ଦିର ପହଞ୍ଚି ସାଂସଦ ଶ୍ରୀ ମଙ୍ଗରାଜ ପୂଜାର୍ଚ୍ଚନା କରି ପଦଯାତ୍ରାରେ ବାହାରିଥିଲେ। ଉକ୍ତ ପଦଯାତ୍ରାରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବହୁ ଆଗଧାଡିର ବିଜେଡି କର୍ମୀମାନେ ସାମିଲ ହୋଇଥିଲେ।

ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଉକ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ଟି ପଲଟନ ପଡିଆ ନିକଟସ୍ଥ ଟିକିରାଇ ମନ୍ଦିର ଠାରେ ଶେଷ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ରାଜନୀତି: ଅଣ୍ଡାମାଡ ପରେ ଗସ୍ତକୁ ଜୋରଦାର କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜର ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ। କିଛିଦିନ ତଳେ ବାଣପୁର ବିଷରପାଟଣାରେ ଏକ ଚା’ଖଟିରେ ତାଙ୍କ ଉପରକୁ ଅଣ୍ଡାମାଡ ହୋଇଥିଲା। ଏହାପରେ ସେ ଚିଲିକାର ବିଭିନ୍ନ ସ୍ଥାନ ବୁଲିବା କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିଛନ୍ତି।

ନିକଟରେ ସେ ବାଣପୁର କେଶପୁର ଗ୍ରାମରେ ଆୟୋଜିତ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେ ଗମ୍ଭାରୀମୁଣ୍ଡା କୁଲେଇ ଗ୍ରାମର ଚା ଖଟିରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧୀ ଭାବି ଥିଲେ ଯେ, ରଘୁନାଥଙ୍କ ଉପରକୁ ଅଣ୍ଡାମାଡ ପରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ରୋକ ଲାଗିବ। ହେଲେ ତା ପରିବର୍ତ୍ତି ଏହା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ରଘୁନାଥ ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଅଣ୍ଡାମାଡ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁଙ୍କୁ ଆଜି ସକାଳେ ଅଣ୍ଡାମାଡ ହୋଇଛି। ଆଜି ରଘୁନାଥ ବାଣପୁରର ବିଷରପାଟଣାରେ ଚା ଖଟିରେ ସାମିଲ ହୋଇଥିଲେ। ସେ ଲୋକଙ୍କ ସହିତ ଆଲୋଚନା କରିବା ବେଳେ କେହି ଆସି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲା।

ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ବାଣପୁର ଥାନାରେ ଏକ ମାମଲା ଋଜୁ କରାଯାଇଛି। ଏହାକୁ ନେଇ ରଘୁନାଥଙ୍କ ସମର୍ଥକମାନେ ବେଶ୍ ଉତ୍ତେଜିତ ହୋଇପଡିଛନ୍ତି। ଏହା କେତେକ ଅସନ୍ତୁଷ୍ଠ ଗୋଷ୍ଠୀଙ୍କ କାର୍ଯ୍ୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ଏପରି ଅଣ୍ଡାମାଡ ସତ୍ବେ ରଘୁନାଥଙ୍କ ଚା ଖଟି ଜାରୀ ରହିବ ବୋଲି ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି।

ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା।

ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି।  ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି।

ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା ତହସିଲଦାର ଶ୍ରୀ ବଡ଼ଜେନା ନିଜର ବ୍ୟବହାର ଏବଂ ସରଳତା ପାଇଁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛନ୍ତି। ତେବେ ବାଣପୁରକୁ ନୂତନ ତହସିଲଦାର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ।

ଅନୁରୂପ ଭାବେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ନୂତନ ତହସିଲଦାର ଭାବେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଚକ୍ରଧର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏକକାଳୀନ ଭାବେ ମୋଟ ୨୯୫ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତନ୍ମଧ୍ୟରୁ ୧୦୬ ଜଣ ବିଡ଼ିଓ ଏବଂ ୧୮୯ ଜଣ ତହସିଲଦାର ଅଛନ୍ତି।

ଗତକାଲି ରାତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉକ୍ତ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ। ରାତି ସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ବାସୁଦେବଙ୍କର କୌଣସି ସନ୍ଧାନ ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ।

ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସିଏସପି ପ୍ଲସ ଯୋଜନାକୁ ବିରୋଧ କଲେ ସିଏସପି ପରିଚାଳକ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରଙ୍କ ଦ୍ଵାରା ପ୍ରଦତ ଜନହିତ କାର୍ଯ୍ୟପାଇଁ ଆସୁଥିବା ଅର୍ଥ ରାଶି ଗ୍ରାମାଞ୍ଚଳରେ ସାଧାରଣ ଜନତା CSP ମାଧ୍ୟମରେ ପାଇଥାନ୍ତି। ଏଥି ଲାଗି ପ୍ରତ୍ୟେକ ପଞ୍ଚାୟତରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ ) ଦ୍ଵାରା ନିଯୁକ୍ତ ହୋଇଥିବା ଗ୍ରାହକ ସେବା କେନ୍ଦ୍ର (ସିଏସପି) ଗୁଡିକ କାର୍ଯ୍ୟ କରୁଛନ୍ତି।

ତେବେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ୍ଷ ଭାବେ ପ୍ରତି ପଞ୍ଚାୟତରେ ସିଏସପି ପ୍ଲସ ଖୋଲିବା ପାଇଁ ସ୍ଥିର କରିଛନ୍ତି। ଯାହାକୁ ବିରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ସିଏସପି ପରିଚାଳକ ମାନେ।

ଦୀର୍ଘ ୧୦ ବର୍ଷ ହେଲା ସେମାନେ ଉଭୟ ବ୍ଲକର ଜନସାଧାରଣଙ୍କୁ ନିଜ ଖର୍ଚ୍ଚରେ ସେବା ଯୋଗାଇଆସୁଥିବା ବେଳେ ଉକ୍ତ ନୂତନ ଯୋଜନାରେ ସେମାନଙ୍କୁ ସାମିଲ ନକରି ତରବରିଆ ଭାବେ ନୂତନ ସିଏସପି ପ୍ଲସ ଖୋଲିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସିଏସପି ପରିଚାଳକ ମାନେ।

ଅନୁରୂପ ଭାବେ ଏହା ଦ୍ଵାରା ସିଏସପି ମାନଙ୍କ ଉପରେ ଘୋର ଆଘାତ ସୃଷ୍ଟି କରିବ। ଏବଂ ସେମାନଙ୍କର ବୟସ ଅତିକ୍ରାନ୍ତ ହୋଇଯିବା ସହିତ ଏହାକୁ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକର ଏସବିଆଇ ଦ୍ୱାରା ନିଯୁକ୍ତ ହୋଇଥିବା ସମସ୍ତ ସିଏସପି ର ପରିଚାଳକ ମାନେ ସେମାନଙ୍କୁ ନୂତନ ସିଏସପି ପ୍ଲସ ଯୋଜନାରେ ସାମିଲ କରିବା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଣପୁର ବିଡ଼ିଓ, ତହସିଲଦାର ଏବଂ ଚିଲିକା ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବେ, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଖୋଲାସା କଲା ବିଜେଡି

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବ ଦେବାକୁ ଯାଇ ସସ୍ମିତ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା। ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା।

ସସ୍ମିତ ପାତ୍ର ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ।

ତେବେ ସେହି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ଯେ, ଚିଲିକା ବିଧାୟକ ଖୁବ ଶିଘ୍ର ବିଜେପିରେ ମିଶୁଛନ୍ତି। ଏହି ଖବର ବିଜେଡି ପାଖରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୋଲାସା କରାଯାଇଛି। ସେଥିପାଇଁ ବିଜେଡି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ନେତା ଓ କର୍ମିମାନଙ୍କୁ ଦୂରେଇ ଦେଇଛି। ପ୍ରଶାନ୍ତ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବର୍ତ୍ତମାନ ଭଟ୍ଟା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଖନନ କାର୍ଯ୍ୟ ତଦାରଖ କଲେ ଭୂବନେଶ୍ୱର ସାସଂଦ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଗଂଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିଥିଲେ। ଏହା ପୂର୍ବରୁ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଭେପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ।

ପରବର୍ତ୍ତୀ ସମୟରେ ଭୂବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି।

ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ ହେବେ। ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାସଂଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ମତ୍ସ୍ୟଜୀବିମାନେ ଏକ ୭ ଜଣିଆ ତଦାରଖ କମିଟି ଗଠନ କରି ଚିଲିକା ଡେଭଲପମେଣ୍ଟ ଅଥରିଟି ସହିତ ଆଲୋଚନା କରି କିଭଳି ଭଲ କାମ ହୋଇପାରିବ ସେ ସଂମ୍ପର୍କରେ ଆଲୋଚନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଛ ଧରୁଥିବା ବେଳେ ଚିଲିକାରେ ବୁଡି ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ, ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ତେବେ ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ ବହୁ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇଛି। ସେ କେବଳ ନାଚୁଣୀରେ ଏକ ଘଣ୍ଟା ପାଇଁ ଜନ ଅଭିଯୋଗ ସଭାରେ ଯୋଗ ଦେଇ ଫେରିଯିବେ।

ଏଥି ନିମନ୍ତେ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ପଡିଆରେ ନିର୍ମାଣ ଚାଲିଛି ବିରାଟ ଅସ୍ଥାୟୀ ମଞ୍ଚ। ପାଖାପାଖି 25 ହଜାର ଜନସମାଗମ ଲକ୍ଷ୍ୟ ରଖାଯାଇ ଚାଲିଛି ଏହି ପ୍ରସ୍ତୁତି। ଜିଲ୍ଲା ପ୍ରଶାସକ ତଥା ବିଜେଡି ପ୍ରତିନିଧିମାନେ ପ୍ରସ୍ତୁତି କାର୍ଯ୍ୟରେ ଅଛନ୍ତି।

ଆଜି ଅପରାହ୍ନରେ ନାଚୁଣୀ ହାଇସ୍କୁଲ ପଡିଆରେ ପହଞ୍ଚିଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ସଭାସ୍ଥଳରେ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିଛନ୍ତି। ଆସନ୍ତାକାଲି ଯେପରି 5T ସଚିବଙ୍କ ଗସ୍ତରେ କୌଣସି ତ୍ରୁଟି ନ ହୁଏ ସେଥି ନିମନ୍ତେ ସେ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି।

Categories
ଆଞ୍ଚଳିକ

୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଚିଲିକା ଅଞ୍ଚଳ, ନେତା ଅଫିସରଙ୍କ ଘନଘନ ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୨ ରେ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିବେ ୫ଟି ସଚିବ ଭି କେ ପାଣ୍ଡିଆନ।ଏଥି ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ପ୍ରତିଦିନ ତୁହାକୁ ତୁହା ଜିଲ୍ଲା ପ୍ରଶାସନର ଚିଲିକା ନିର୍ବାଚନମଣ୍ଡଳି ଗସ୍ତ ଜାରି ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ବାଣପୁର ପଲଟନ ପଡିଆ ବଦଳରେ ନାଚୁଣୀ ହାଇସ୍କୁଲ ପଡିଆରେ ୫ଟି ସଚିବଙ୍କ ଜନସଭା ହେବ ବୋଲି ସୂଚନା ମିଳିଛି।

ଏଥି ନିମନ୍ତେ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲିପ୍ୟାଡ଼ ଠୁ ନେଇ ଅସ୍ଥାୟୀ ମଞ୍ଚ ନିର୍ମାଣ ଜାରି ରହିଛି। ପାଖାପାଖି ୨୫ ହଜାର ଜନସମାଗମ ଲକ୍ଷ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏଥି ନିମନ୍ତେ ନାଚୁଣୀ ଗସ୍ତ ଜାରି ରଖିଛନ୍ତି। ଗମନାଗମନ ଠାରୁ ନେଇ ସଚିବଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି।

ତେବେ ଆଜି ବିଜେଡିର ତୁଙ୍ଗ ନେତାମାନେ ନାଚୁଣୀ ଗସ୍ତ କରିଛନ୍ତି। ୫ଟି ସଚିବ ଙ୍କ ଗସ୍ତ କିପରି ସଫଳ ହେବ ସେ ନେଇ ଅଣ୍ଟା ଭିଡିଛି ବିଜେଡି। ଆଜି ଅପରାହ୍ନରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ନିର୍ବାଚନମଣ୍ଡଳି ପଯ୍ୟବେକ୍ଷକ ରାଜା ଚକ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଆଗ ଧାଡ଼ିର ବିଜେଡି ନେତାମାନେ ନାଚୁଣୀ ହାଇସ୍କୁଲ ପଡିଆ ତଦାରଖ କରିଛନ୍ତି।

ଏହାପରେ ସୁନାଖେଳା ଡାକବଙ୍ଗଳାରେ ଏକ ବୈଠକର ଆୟୋଜନ ହୋଇଥିଲା। ଅପରାହ୍ନରେ ବଡ଼କୂଳ ପାନ୍ଥନିବାସରେ ଏହି ପରିପ୍ରେକ୍ଷୀରେ ଏକ ବିସ୍ତୃତ ବୈଠକ ହେବ ବୋଲି ଜଣାପଡିଛି। ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଏଠାରେ ଦେଖିବାକୁ ମିଳି ନାହିଁ।

Categories
ଆଞ୍ଚଳିକ

ଚିଲିକା ସଂଗୀତ ନାଟକ ଏକାଡେ଼ମୀର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ସଂଗୀତ ନାଟକ ଏକାଡେ଼ମୀ ବାଲୁଗାଁର ବାର୍ଷିକ ଉତ୍ସବ -୨୦୨୩ ବାଣପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ସ୍ବାଧୀନତା ଦିବସ ଅବସରରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତଥା ବାଗ୍ମୀ ବାଳମୁକୁନ୍ଦ ଦାସ, ରବିନ୍ଦ୍ର ନାଥ ମାନସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନାଟକ, ଓଡିଶି ନୃତ୍ୟର ପ୍ରସାରରେ ଏହି ଅନୁଷ୍ଠାନର ଭୂମିକା ସଂପର୍କରେ ଉଦବୋଧନ ଦେଇଥିଲେ।

ଓଡିଶି ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀ ଅପୂର୍ଭା, ମାନ୍ୟମୟୀ ସାଇପ୍ରୀୟା, ପ୍ରତିକ୍ଷା, ସିତଲ, ଆରୂଷି, ଅନୁଲିପ୍ତା, ହଂସିନି, ବିଷ୍ଣୁପ୍ରିୟା, ସାଧନା, ରିତାଞ୍ଜଳି, ଆଲିଶାରାଣୀ, ଗାୟତ୍ରୀ, ମୋନାଲିସା ଚିତ୍ତାକର୍ଷକ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।

ସଂଗୀତ ନିର୍ଦ୍ଦେଶକ ସରୋଜ କାନ୍ତ ସାସମଲଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ସଂଗୀତ ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନ ସଂଗୀତ ଗାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ଓ ହିନ୍ଦୁସ୍ତାନୀ କଂଠ ଶିଳ୍ପୀ ଓ ଗୁରୁ ଉମା ମିଶ୍ର, ଅଜିତ ମିଶ୍ର, ସମାଜସେବୀ ଗୋଲଖ ବିହାରୀ ପରିଡ଼ା ଏବଂ ସଂଗୀତ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ମୁଦୁଲିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା।

ଶୁଭ କଲ୍ୟାଣ ମଣ୍ଡପର ତତ୍ତ୍ୱାବଧାରକ ଗୋଲଖ ବିହାରୀ ପରିଡ଼ା ଉତ୍ସବର ସାମଗ୍ରିକ ଆୟୋଜନ କରିଥିବା ବେଳେ ଏକାଡେମୀର ସଭାପତି ଭିକାରୀ ଚରଣ ପ୍ରଧାନ ଓ ସଂପାଦିକା ସୁନିତା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହ୍ରଦ ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୩ କୋଟି ଅନୁଦାନ

ଭୁବନେଶ୍ବର: ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଂଜୁର କରିଛନ୍ତି। ଏଥିରେ ମୋଟ ୨୩ କୋଟି ୫୦ ଲକ୍ଷ ମଂଜୁରୀ ହୋଇଥିବାର ଜଣାପଡିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଅନୁଦାନ ପ୍ରଦାନ କରିଛି। ଏଥିରେ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ ଅନୁଦାନ ପ୍ରଦାନ କରିବେ।

ବର୍ତ୍ତମାନ ଉପରମୁଣ୍ଡରୁ ମାଟି ଆସି ଚିଲିକା ସଂକୋଚିତ ହେବାରେ ଲାଗିଛି। ଏଥିସହିତ ଏହାର ଗଭୀରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଏହି ହ୍ରଦରୁ ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ସଂରକ୍ଷଣ ଦାବୀ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ପ୍ରବେଶ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ପ୍ରବେଶ କରିଛନ୍ତି। କୋର୍ଟ କଟକଣା ପାଇଁ ସେ ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରୁ ନ ଥିଲେ। ହେଲେ ସେ କଟକଣା ଉଠିବା ପରେ ସେ ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀ ସୀମାରେ ପ୍ରବେଶ କରି କର୍ମିଙ୍କ ସହିତ ଆଲୋଚନା କରିଥିଲେ।

ଆଜି ବିଧାୟକ ତାଙ୍କ ଧର୍ମପତ୍ନୀଙ୍କ ସହ ବାଲୁଗାଁସ୍ଥିତ ଉମାମହେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରେ ଉଭୟ ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଉନ୍ନୟନ ସଂପର୍କରେ ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଚିଲିକାର ପ୍ରମୁଖ ନେତାଙ୍କର ଦେଖା ମିଳି ନ ଥିଲା। କାରଣ ବିଜେଡିର ଦଳୀୟ କଟକଣା ପାଇଁ ତାଙ୍କୁ କୌଣସି ନେତା ଦେଖା କରି ନ ଥିଲେ।

ତେବେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ବାରମ୍ବାର ଚିଲିକା ଗସ୍ତ କରିବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ପକ୍ଷରୁ ବାଲୁଗାଁ ମାଛ ଗୋଦାମରେ ଅଚାନକ ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଲୁଣା ହ୍ରଦ ଚିଲିକା ତଟବର୍ତ୍ତୀ ବାଲୁଗାଁ ସହର ଚିଲିକା ମାଛ, ଚିଙ୍ଗୁଡି ଓ କଙ୍କଡା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଦିନକୁଦିନ ବାଲୁଗାଁ ଅଞ୍ଚଳରେ ଚିଲିକା ମାଛ, ଚିଙ୍ଗୁଡି ହ୍ରାସ ପାଉଥିବା ବେଳେ ବାହାର ରାଜ୍ୟର ମାଛ, ଚିଙ୍ଗୁଡି ପ୍ରବଳ ମାତ୍ରାରେ କାରବାର ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଚିଲିକାରୁ ଆମଦାନୀ ମାଛ, ଚିଙ୍ଗୁଡି, କଙ୍କଡା ଉଚ୍ଚା ଦରରେ ବାହାର ରାଜ୍ୟକୁ ପଠାଯାଉଛି। ଯାହାକି ଚିଲିକାରୁ ହେଉ ଅବା ବାହାରୁ ଆସୁଥିବା ମାଛ, ଚିଙ୍ଗୁଡି ସପ୍ତାହେ ଧରି ସତେଜ କିପରି ରହୁଛି ଏବଂ ନିଶ୍ଚିତ ଭାବେ କୌଣସି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଖାଉଟି ମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସମ୍ପୃକ୍ତ ବେପାରୀମାନେ ଏହାକୁ କର୍ଣ୍ଣପାତ ନକରି ଲାଭବାନ ଆଶାରେ ବେପାର କରିଆସୁଛନ୍ତି। ଯାହାଫଳରେ ମରଣକୁ ଆମନ୍ତ୍ରିତ କରାଯାଉଥିବା ଖାଉଟିମାନେ କହିଛନ୍ତି।

ଏହିପରିପ୍ରେକ୍ଷୀରେ ଆଜି ସକାଳୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁ ମାଛ ଗୋଦାମ ଅଞ୍ଚଳରେ ଅଚାନକ ଚଢ଼ାଉ ହେଇଛି। ଚଢ଼ାଉ ବେଳେ କେତେକ ମାଛ ଗୋଦାମରୁ ମାଛ ଜବତ କରି ପରୀକ୍ଷା ପାଇଁ ଲାବୋରଟାରୀକୁ ପଠାଯିବା ସହ ବେପାର କରୁଥିବା ମାଲିକଙ୍କ ଲାଇସେନ୍ସ ଏବଂ ଗ୍ରାହକଙ୍କୁ ସଚେତନତା କରିବା ନେଇ ତାଗିଦ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ସମେତ ଚାରି ଜଣିଆ ଟିମ ସାମିଲ ଥିଲେ। ଯଦି ମାଛ, ଚିଙ୍ଗୁଡିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସୂଚନା ମିଳେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ ବଳ କହିଛନ୍ତି।