Categories
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହର ଟ୍ରାଫିକ ଏକରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହସଂଯୋଜକ ଆକାଶ ନାୟକ, ଦେବି ପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା, ଦ୍ଵିତୀ ରାଉତ, ଚନ୍ଦନ ନାୟକ, ହରେକୃଷ୍ଣ ନାୟକ ଏବଂ ଅନୁରାଗ ମହାନ୍ତି ଆଦି ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣି ବନ୍ଧୁକ ମୁନରେ ଲୁଟ୍, ମିଟର ରିଡର କର୍ମଚାରୀଙ୍କ ଠାରୁ ଗାଡି, ଟଙ୍କା ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି। ଟଙ୍କା ଓ ବାଇକ ଲୁଟିନେଇ ଫେରାର ହୋଇଛନ୍ତି ଲୁଟେରା। ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ବିଦ୍ୟୁତ ମିଟର ପଇସା କଲେକ୍ସନ ପାଇଁ ଚୁକ୍ତିନାମା କରିଥିବା ସଂସ୍ଥା ଷ୍ଟେର୍ଲିଙ୍ଗର ମିଟର ରିଡର କର୍ମଚାରୀ ପ୍ରଶାନ୍ତ ବେହେରା ଏବଂ ଟ୍ରେନିଙ୍ଗ କର୍ମଚାରୀ ରାକେଶ କୁମାର ଦାସ ଏକ ସ୍କୁଟି ଓ ଆପାଚି ବାଇକ ଯୋଗେ ଅରାଙ୍ଗ ଗ୍ରାମରୁ କଲେକ୍ସନ ପାଇଁ ଯାଇଥିଲେ। ତେବେ ଅପରାହ୍ନରେ କଲେକ୍ସନ ସାରି ଫେରୁଥିବା ବେଳେ କଦଳୀବାରି ନିକଟରେ ହଠାତ ମୁଖା ପିନ୍ଧି ତିନି ଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ଉଭୟଙ୍କ ଉପରେ ଲଙ୍କା ଗୁଣ୍ଡ ଫୋପାଡ଼ିଥିଲେ।

ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରାକେଶଙ୍କ ଉପରେ ଲଙ୍କା ଗୁଣ୍ଡ ପଡ଼ିନଥିଲା। ଏହାପରେ ଦୁର୍ବୁତ୍ତମାନେ ଉଭୟଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଧମକାଇ ପ୍ରଶାନ୍ତଙ୍କ ନିକଟରୁ କଲେକ୍ସନ ଏବଂ ବ୍ୟକ୍ତିଗତ ପଇସା ସମୁଦାୟ ୧୩ ହଜାର୨ ଶହ ଟଙ୍କା, ମୋବାଇଲ ଓ ରାକେଶଙ୍କ ଆପାଚି ବାଇକ ନେଇ ବାଣପୁର ଆଡେ ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣ ସମୟରେ ପ୍ରଶାନ୍ତ ନିଜ ସ୍କୁଟି ଚାବିକୁ ବୁଦା ଆଡକୁ ଫୋପାଡ଼ିଦେବାରୁ ଦୁର୍ବୁତ୍ତ ମାନେ ସ୍କୁଟି ନେଇପାରିନଥିଲେ। ବର୍ତ୍ତମାନ ଉକ୍ତ ଠିକା କମ୍ପାନୀର ଉପରିସ୍ଥ ଅଧିକାରୀ ଏବଂ ଲୁଟର ଶିକାର ହୋଇଥିବା କର୍ମଚାରୀ ବାଣପୁର ଥାନାରେ ପହଞ୍ଚି ଏତଲା ଦେଉଥିବାର ଜଣାପଡିଛି।

ତେବେ ଗତ ୨୦ ଦିନ ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏହା ବନ୍ଧୁକ ମୁନରେ ତୃତୀୟ ଲୁଟ ହୋଇଥିବା ବେଳେ ଲୁଟେରାଙ୍କୁ ପୋଲିସ ଏଯାବତ ଠାବ କରିବାରେ ବିଫଳ ହୋଇଛି।  ଯଥାଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରରେ ଆରମ୍ଭ ହେଲା ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ। ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସି ଙ୍କୁ ବୁଝାଇଥିଲେ। ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଅବଶିଷ୍ଟ ପଞ୍ଚାୟତ ଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ବାଇକ୍ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାତିମୁଣ୍ଡା ଓ ତୁମୁରାପୁଟ ଗ୍ରାମ ମଧ୍ୟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ତୁମୁରାପୁଟ ପଞ୍ଚାୟତ ମୁକ୍ତାଦେଇପୁର ଗ୍ରାମ କେଦାର ସାହୁଙ୍କ ପୁଅ ମିଥୁନ ସାହୁ (୨୨) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ମିଥୁନ ୩ ଦିନ ପୂର୍ବେ ବିଦେଶରୁ ଫେରିଥିଲେ। ଗତକାଲୀ ବିଳମ୍ବିତ ରାତିରେ ନିଜ ଆପାଚୀ ବାଇକ ଯୋଗେ ବାଣପୁରରୁ ଗ୍ରାମକୁ ଫେରୁଥିଲେ। କିନ୍ତୁ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ ଖୁଣ୍ଟ ୩ ଖଣ୍ଡ ହୋଇ ତାଙ୍କ ଉପରେ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ସ୍ଥାନୀୟ ଜନସାଧାରଣ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ଉଭୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପୋଲିସ ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଘର ପୋଡ଼ିଦେବା ଅଭିଯୋଗରେ ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଜନୈକ ମହିଳାଙ୍କ ଘରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ବଖରା ଘର ପୋଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଣପୁର ଥାନାରେ ଉକ୍ତ ଗ୍ରାମର ଝୁମୁରି ନାୟକ ଏଭଳି ଅଭିଯୋଗ କରିଛନ୍ତି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଉକ୍ତ ଅଗ୍ନିକାଣ୍ଡରେ ଜଗମୋହନ ନାୟକ ନାମକ ଯୁବକ ଜଡ଼ିତ ଥିବା ଝୁମୁରି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ପରିପ୍ରେକ୍ଷୀରେ ପୋଲିସ ଜଗମୋହନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜିଆର କେଶ ନମ୍ବର ୭୨/୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧/୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି।

ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗିଦେଇଥିଲେ। ଏଥି ନିମନ୍ତେ ଜିତେନ୍ଦ୍ରଙ୍କ ଭାଇ ପ୍ରଦୀପ ଭୋଳ ଉକ୍ତଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଥାନା ପରିସରରେ ତାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ପୋଲିସ କେଶ ନମ୍ବର ୮୧/୨୨ ରେ ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ୧୫ ନମ୍ବର ଅଭିଯୁକ୍ତ ଭାବେ ଚିଲିକା ବିଧାୟକ ଥିଲେ।

ବିଧାୟକଙ୍କ ଓକିଲ ପକ୍ଷରୁ ଉକ୍ତ କେଶରେ ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବିଚାରପତି ତାହାକୁ ଖାରଜ କରିଦେଇଥିଲେ। ଏହାପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ହୋଇଥିଲା। ବିଧାୟକଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଇନଜୀବୀ ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ ଏବଂ ରଞ୍ଜନ ବେଦମତ୍ତା ପରିଚାଳନା କରୁଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଗଡିଲା ଶିକ୍ଷା ସଚେତନତା ରଥ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ ଗଡିଛି। ଉକ୍ତ ରଥକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାଣପୁର ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉକ୍ତ ରଥଟି ବାହାରି ଏନଏସି, ଭୀମପୁର ଏବଂ ପଦନପୁର ଆଦି ତିନି ଗୋଟି କ୍ଲଷ୍ଟର ଅତିକ୍ରମ କରିଛି।

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି ବିଦ୍ୟାଳୟ ମୁହାଁ କରିବା ପାଇଁ ସଚେତନତାର ବାର୍ତ୍ତା ନେଇ ଉକ୍ତ ରଥ ପରିକ୍ରମା କରୁଛି। କରୋନା ସମୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ଥିବାରୁ ମୁଖ୍ୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏକରକମର ବିଦ୍ୟାଳୟରୁ ମୁହଁ ଫେରାଇଦେଇଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଏପରି ପଦକ୍ଷେପ ହାତକୁ ନିଆଯାଇଛି।

ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ରଥ ବାଣପୁର ବ୍ଲକର ସମସ୍ତ ୧୨ ଗୋଟି କ୍ଲଷ୍ଟର ପରିକ୍ରମା କରିବ ବୋଲି ବିଇଓ ସନାତନ ଜାଲି କହିଛନ୍ତି। ତତସହିତ ଉକ୍ତ ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଇଓ ସନାତନ ଜାଲି, ବ୍ଲକର ସମସ୍ତ ବିଆରସିସି, ସିଆରସିସି, ଏବିଇଓ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ: ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇ ଲୁଟ କରାଯାଉଛି। ତେବେ ବିଗତ ଦିନରେ ମଧ୍ୟ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକାଧିକ ଲୁଟ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତଦନ୍ତ ପରେ କେତେକ ମାମଲା ଖୋଦ କର୍ମଚାରୀଙ୍କ ଦ୍ୱାରା ପୂର୍ବ ପ୍ରାୟୋଜିତ ବୋଲି ଜଣାପଡିଥିଲା। ଏଥି ନିମନ୍ତେ ଏପରି ଧରଣର ଲୁଟ ଅଭିଯୋଗକୁ ପୋଲିସ ସହଜରେ ଭରଷାକୁ ନେଉନାହିଁ।

ନିକଟରେ ବାଲୁଗାଁ ଏବଂ ବାଣପୁରରେ ଏହିପରି ଦୁଇ ଦୁଇଟି ଲୁଟ ହୋଇଥିବା ବେଳେ ଅଦ୍ୟାବଧି ପୋଲିସ ତାହାର ନିଷ୍କର୍ଷକୁ ପହଂଚିପାରିନି। ତେବେ ଆଜି ଏକ ଘରୋଇ ଅର୍ଥଲଗାଣ କାରି ସଂସ୍ଥାର କର୍ମଚାରୀଙ୍କ ନିକଟରୁ ବନ୍ଧୁକ ମୁନରେ ସମାନ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବାଣପୁର ଥାନା କୋଷରଡ଼ା ଗ୍ରାମରେ ଏହି ଲୁଟ ହୋଇଛି।

ଖବର ମୁତାବକ ବାଲୁଗାଁ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀ ଆନନ୍ଦ ଜେନା ଏବଂ ମାମା ସାହୁ ଏକ ସ୍କୁଟି ଦ୍ୱାରା ଆଜି ପୂର୍ବାହ୍ନରେ କୋଷରଡ଼ା ଗ୍ରାମକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ। କିନ୍ତୁ ମିଟିଙ୍ଗ ସାରି ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରି ଅପରାହ୍ନ ୩ ଘଟିକାରେ ଭବାନୀପୁର ପଞ୍ଚାୟତ ମିଟିଙ୍ଗ ପାଇଁ ଯାଉଥିବା ବେଳେ କୋଷରଡ଼ା ଗ୍ରାମରୁ ୨୦୦ ମିଟର ଆଗରେ ଚାରି ଜଣ ଯୁବକ ପୁର୍ବରୁ ରୋଡ଼ର ଉଭୟ ପାର୍ଶ୍ୱରେ ସାଧାରଣ ଲୋକଙ୍କ ପରି ବାଇକ ସାଇଡ କରି ଠିଆ ହୋଇଥିଲେ।

ହଠାତ ସେମାନେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଥିବା ବ୍ୟାଗ ଏବଂ ମହିଳା କର୍ମଚାରୀଙ୍କ ମୋବାଇଲ ଲୁଟି କୋଷରଡ଼ା ଗ୍ରାମ ଅଭିମୁଖେ ବାଇକରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉକ୍ତ ଖବର ପାଇ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କ ଟେର ପାଇନଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଭାରତ ଫାଇନାନ୍ସ ମ୍ୟାନେଜର ପହଞ୍ଚିଥିବା ବେଳେ ପୋଲିସ ଏଯାବତ ପହଞ୍ଚି ନଥିବା ଜଣାପଡିଛି। ତେବେ ବାରମ୍ବାର ବାଣପୁର ବାଲୁଗାଁ ଅଞ୍ଚଳରେ ଏପରି ଲୁଟ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଘରୋଇ ଅର୍ଥଲଗାଣକାରି ସଂସ୍ଥା ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବାର ଦେଖିବାକୁ ମିଳିଛି।

ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଆଜି ଅପରାହ୍ନରେ କୁଲେଇ ପଞ୍ଚାୟତର ଜନୈକ ନାବାଳିକା ଗମ୍ଭାରୀମୁଣ୍ଡା ଅଞ୍ଚଳକୁ ଟ୍ୟୁସନ କରିବାକୁ ଯାଉଥିଲେ। ହେଲେ ରାସ୍ତାରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଜୋରଜବରଦସ୍ତ ଉଠାଇ ନେଇଯାଇଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ନାବାଳିକାକୁ ଉଦ୍ଧାର କରିଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମ ମଝି ଖୁଣ୍ଟରେ ବାନ୍ଧି ଅଟକ ରଖି ବହେ ଛେଚିଥିଲେ।

ତେବେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଓ ଗମ୍ଭାରିମୁଣ୍ଡା ବିଟ ହାଉସ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Categories
ଆଞ୍ଚଳିକ

ବାଣପୁର: ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ, ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ଦାସ, କଲ୍ୟାଣୀ ବୈରୀଗଞ୍ଜନ, ରୋଜାଲିନ ଦାସ ପ୍ରମୁଖ ଯୋଗ ଦେଇ ଆତ୍ମ ରକ୍ଷା କୌଶଳ ସମ୍ପର୍କ ରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।

ଶାରୀରିକ କ୍ରୀଡା ଶିକ୍ଷକ ବିଭୂଧେନ୍ଦୁ ମାନସିଂହଙ୍କ ତତ୍ୱାବଧାନରେ ଉକ୍ତ ଆତ୍ମରକ୍ଷା କୌଶଳ ଶିବିର ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଉକ୍ତ ପ୍ରଶିକ୍ଷଣ ନିମନ୍ତେ ପ୍ରକାଶିତ ପୁସ୍ତକ ‘ରିଆକ୍ଟ’ ଛାତ୍ରୀମାନକୁ ବଣ୍ଟନ କରାଯାଇଥିଲା। ପରିଶେଷରେ ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ମାନସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ‘ଆହାର’ କେନ୍ଦ୍ର ପରିଦର୍ଶନ କଲେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ଯୁଗାନ୍ତକାରି ଯୋଜନା ‘ଆହାର’ ର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ‘ଆହାର’ କେନ୍ଦ୍ର ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ମିଟୁ ନାୟକ। ଶ୍ରୀ ନାୟକ ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କୁ ଭୋଜନ ପରିବେଷଣ କରିଥିଲେ ଏବଂ ସେମାନଙ୍କ ସହ ବସି ଭୋଜନ ମଧ୍ୟ କରିଥିଲେ।

ଖାଦ୍ୟର ମାନ ଯାଞ୍ଚ କଲା ପରେ ଏଥିରେ ସନ୍ତୁଷ୍ଟ ହେବା ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ୱଳ୍ପ କାଉନସିଲର, ବିଜେଡି କର୍ମୀ ଏବଂ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ କେକ୍ କାଟି ଆହାର କେନ୍ଦ୍ରର ସପ୍ତମ ବର୍ଷ ପୂର୍ତ୍ତି ଦିବସ ମଧ୍ୟ ପାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଖେଳ

ଭଲିବଲ୍ ରେଫେରୀ ପରିକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବାଣପୁର କ୍ରୀଡା ଭାରତୀର ଦୁଇ ଛାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା କ୍ରିଡା ଭାରତୀ ବାଣପୁର ଶାଖାର ଦୁଇ ଛାତ୍ର ସିଦ୍ଧାନ୍ତ ପ୍ରଧାନ ଏବଂ ଲକ୍ଷ୍ମଣ ବେହେରା ଚଳିତ ବର୍ଷ ଭଲିବଲ୍ ରେଫେରୀ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି। ସିଦ୍ଧାନ୍ତ ବର୍ତ୍ତମାନ ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ଲକ୍ଷ୍ମଣ ଟାଙ୍ଗି ଲୀଟିଲ୍ ମାଉଣ୍ଟ ସ୍କୁଲରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।

ତେବେ ଭଲିବଲ୍ ରେଫେରୀ ପରିକ୍ଷାରେ ଉତୀର୍ଣ୍ଣ ହୋଇ ଉଭୟ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପରିଚଳାନା କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ବାଣପୁର ପାଇ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ରବିବାର ଦିନ କ୍ରୀଡା ଭାରତୀ ବାଣପୁର ଶାଖା ତରଫରୁ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

Categories
ଆଜିର ଖବର ଧର୍ମ

ଖୋଲିଲା ବାଣପୁର ମା’ ଭଗବତୀଙ୍କ ହୁଣ୍ଡି, ଜାଣନ୍ତୁ ଏଥର କେତେ ରହିଛି ଦାନ ପରିମାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀଙ୍କ ହୁଣ୍ଡି ଖୋଲାଯାଇଛି। ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା କରାଯାଇଛି। ଗତକାଲି ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩ ଲକ୍ଷ ୭୧ ହଜାର ୩୯୫ ଟଙ୍କା ସହିତ ୭ଟି ରୂପା ଆଖି, ୧ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବାବେଳେ ଆଜି ମନ୍ଦିର ଭିତର ହୁଣ୍ଡିରୁ ୧ ଲକ୍ଷ ୬୩ ହଜାର ୯୬୮ ଟଙ୍କା ସହିତ ୨ଟି ରୂପାର ଆଖି ଏହିପରି ସର୍ବମୋଟ ୫ ଲକ୍ଷ ୩୫ ହଜାର ୩୬୩ ଟଙ୍କା ସଂଗ୍ରହ କରାଯାଇଥିବାର ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି।

କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, କମିଟିର ସଭ୍ୟ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ଥାନା ପୋଲିସ୍‌ ଶାନ୍ତନୁ ପଟ୍ଟନାୟକ, ପୂଜକ ବିନାୟକ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, ଫଟୋଗ୍ରାଫର ବ୍ରଜ କିଶୋର ଜେନା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ଶ୍ରୀଯୁକ୍ତ ବଡ଼ଜେନା ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଉକ୍ତ ହୁଣ୍ଡି ଦୁଇଟିକୁ ଖୋଲି ଥିଲେ।

ହୁଣ୍ଡିରୁ ସଂଗୃହୀତ ଅର୍ଥ ଓ ଅଳଙ୍କାର ମା’ ଙ୍କ ନୀତିକାନ୍ତି ଓ ସେବାରେ ବିନିଯୋଗ ହେବ। ଏଥିପାଇଁ ଦାତାମାନଙ୍କ ମଙ୍ଗଳ କାମନା କରି କମିଟି ତରଫରୁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା, ସ୍କୁଟି ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଲୁଟ ହୋଇଥିବା ବେଳେ ଆଜି ସମାନ ଢଙ୍ଗରେ ବାଣପୁର ଥାନା ଅଞ୍ଚଳରୁ ଏକ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଏବଂ ଅନ୍ୟାନ ଜିନିଷ ଲୁଟି ଲୁଟେରା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ଅନୁଯାୟୀ ଆଜି ସକାଳେ ବାଲୁଗାଁସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜନୈକ ମହିଳା ବାଣପୁର ଥାନା ଅନ୍ତର୍ଗତ ପଣସଡିହ ଗ୍ରାମରୁ ମିଟିଙ୍ଗ ସାରି ଗ୍ରୁପ ପଇସା ନେଇ ଦଣ୍ଡିଗାଡ଼ିଆ ଗ୍ରାମକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦଣ୍ଡିଗାଡ଼ିଆ ଗ୍ରାମର ଅଧେ କିଲୋମିଟର ପୁର୍ବରୁ ହଠାତ ଏକ ବାଇକରେ ତିନି ଜଣ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ଏବଂ ଜନୈକ ମହିଳାଙ୍କୁ ଡରାଇ ଧମକାଇ ତାଙ୍କ ନିକଟରୁ ୧୮ ହଜାର ୫୬୫ ଟଙ୍କା, ମୋବାଇଲ, ସ୍କୁଟି ଏବଂ ଏକ ଟ୍ୟାଵଲେଟ ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ମହିଳା ଜଣକ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ଶେଷ ଅପଡେଟ ସୁଦ୍ଧା ପୋଲିସ ଖୁଣ୍ଟୁପଲ୍ଲୀ ଗ୍ରାମ ନିକଟରୁ ଏକ ସ୍କୁଟି ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହୋଇ ବାଣପୁର ଉପ କାରାଗାରକୁ ଫେରିଲେ ଚିଲିକା ବିଧାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ମେଡିକାଲରୁ ସୁସ୍ଥ ହୋଇ ଚିଲିକା ବିଧାୟକ ପୁଣି ବାଣପୁର ସବ ଜେଲକୁ ଫେରିଛନ୍ତି। ଆଜି ରାତି ୯.୪୫ ମିନିଟ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେ ପୁଣି ବାଣପୁର ଉପ କାରାଗାରକୁ ଫେରିଥିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ବିଧାୟକଙ୍କୁ ବାଣପୁର ଉପ କାରାଗାର ନିଆଯାଇଛି।

ସୂଚନା ଥାଉ କି ଗତକାଲି ମଧ୍ୟରାତ୍ରିରେ ଚିଲିକା ବିଧାୟକ ଅସୁସ୍ଥତା ଅନୁଭବ କରିବାରୁ ବାଣପୁର ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ସେଠାରେ ଚିକିତ୍ସିତ ହେବା ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ପୁନଶ୍ଚ ଜେଲ ପ୍ରଶାସନ ବାଣପୁର ସବ ଜେଲକୁ ପଠାଯାଇଛି।

Categories
ଆଞ୍ଚଳିକ

ବାଣପୁର: ଦେଓଗାଁକୁ ହରାଇ ଗଙ୍ଗାଧରପୁର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ହେଲା ସାହାସପୁର ଦଳ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁରର ବାବା ନୀଳକଣ୍ଠେଶ୍ଵର କ୍ରିକେଟ ଟିମ ଦ୍ଵାରା ଆୟୋଜିତ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଶେଷ ହୋଇଛି। ୮ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାହାସପୁର ଗ୍ରାମର ଜୟ ଜଗନ୍ନାଥ କ୍ରିକେଟ ଟିମ ବିଜେତା ହୋଇଛି। ସାହାସପୁର ଏବଂ ଦେଓଗାଁ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଏଥିରେ ସାହାସପୁର କ୍ରିକେଟ ଟିମର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସାହାସପୁର ଟିମ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୭୮ ରନ ସଂଗ୍ରହ କରିଥିଲା। ଜବାବରେ ଦେଓଗାଁ ଟିମ ମାତ୍ର ୪୧ ରନ କରିବାକୁ ସକ୍ଷମ ହୋଇପାରିଥିଲା। ଫଳରେ ସାହାସପୁର ଦଳ ୩୭ ରନରେ ବିଜୟ ଲାଭ କରି ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଘୋଷିତ ହୋଇଥିଲା।

ସାହାସପୁର ପକ୍ଷରୁ ଦୀପକ ମୁଦୁଲି ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ। ତାଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା। ଶେଷରେ ଆୟୋଜକ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଲବ ପକ୍ଷରୁ ବିଜେତା ଏବଂ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ନିର୍ବାଚନ: ପ୍ରଭାତ ପଟ୍ଟଯୋଶୀ ସଭାପତି, ଜଗନ୍ନାଥ ଭୋଳ ହେଲେ ସମ୍ପାଦକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ଓକିଲ ସଂଘର ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ନିର୍ବାଚନରେ ସଂଘର ନବ ନିର୍ବାଚିତ ସଭାପତି ଭାବେ ପ୍ରଭାତ କୁମାର ପଟ୍ଟଯୋଶୀ, ସମ୍ପାଦକ ଜଗନ୍ନାଥ ଭୋଳ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ନିର୍ବାଚିତ ହୋଇଛନ୍ତି।

ଅନୁରୂପ ଭାବେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ସନ୍ତୋଷ କୁମାର ପାତ୍ର, କୁଳମଣି ବେହେରା ଓ ଦେବବ୍ରତ ବଡ଼ଜେନା ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉକି ବିଗତ ବର୍ଷ ବାଣପୁର ଓକିଲ ସଂଘ ନିର୍ବାଚନରେ ମଧ୍ୟ ସଭାପତି ଓ ସମ୍ପାଦକ ଭାବେ ଉଭୟ ପ୍ରଭାତ ପଟ୍ଟଯୋଶୀ ଓ ଜଗନ୍ନାଥ ଭୋଳ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବାବେଳେ ଶ୍ରୀ ଭୋଳ ଚଳିତ ବର୍ଷକୁ ମିଶାଇ ଲଗାତାର ଭାବେ ୮ ବର୍ଷ ହେଲା ସଂଘର ସମ୍ପାଦକ ଭାବେ ନିର୍ବାଚିତ ହୋଇଆସୁଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବୋରିଗାଁ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୀମପୁରକୁ ହରାଇ ଚମ୍ପିୟାନ ହେଲା ଗଙ୍ଗାଧପୁର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚରେ ଗଙ୍ଗାଧରପୁର କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ବାବା ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍ ବିଜୟ ହାସଲ କରି ଆୟୋଜକ ଦଳ ଠାରୁ ୯ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି।

ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ମାତ୍ର ୪୭ ରନ କରି ଭୀମପୁର ଦଳକୁ ୪୮ ରନର ଲକ୍ଷ୍ୟ ଦେଇଥିଲା। ଜବାବରେ ଭୀମପୁର ଦଳ ସମସ୍ତ ୱିକେଟ ହରାଇ ମାତ୍ର ୨୩ ରନ କରିବାକୁ ସକ୍ଷମ ହୋଇପାରିଥିଲା। ପ୍ରଦୀପ କୁମାର ପାତ୍ରଙ୍କ ଅଧିୟକତ୍ଵରେ ଦଳ ଚମ୍ପିୟାନ ହୋଇପାରିଥିଲା। ସମସ୍ତ ଖେଳାଳିଙ୍କ ଉଦ୍ୟମରେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇପାରିଲୁ ବୋଲି ଅଧିନାୟକ ପ୍ରଦୀପ କହିଥିଲେ। ଭୀମପୁର ଭଳି ଦଳକୁ ପରାଜିତ କରିବା ଏକ ବଡ ସଫଳତା ବୋଲି ପ୍ରଦୀପ କହିଥିଲେ।

ସେହିଭଳି ଆୟୋଜକ ଇଲେଭେନ ଷ୍ଟାର କ୍ଲବ, ବୋରିଗାଁକୁ ଫାଇନାଲରେ ଖେଳିଥିବା ଦୁଇ ଦଳ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ

ଆସନ୍ତାକାଲି ଏନଏସି ନିର୍ବାଚନ: ବାଣପୁର ଓ ବାଲୁଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଓ ବାଲୁଗାଁ ଏନଏସି ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଉଭୟ ଏନଏସିରେ ପୌର ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ଉଭୟ ଏନଏସି ର ସମସ୍ତ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଉଭୟ ସ୍ଥାନରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବାଲୁଗାଁ ଏସଡିପିଓ, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ ପଣ୍ଡା, ବାଣପୁର ଆଇଆଇସି ବିଜୟିନୀ ମଲ୍ଲ, ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁ, ଉଭୟ ଥାନା ଏସଆଇ, ଏଏସଆଇ ଏବଂ ବହୁ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

ତେବେ ଆସନ୍ତାକାଲି ପୌର ନିର୍ବାଚନ ସମେତ ଓଡିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚଦୋଳ ଯାତ୍ରା ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉଭୟ ଏନଏସି ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ କରିବାପାଇଁ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୨ ଜଣ ଏସଆଇ, ୧୬ ଜଣ ଏଏସଆଇ ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଜେପି ସମର୍ଥିତ ସମିତି ସଭ୍ୟା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାରା ରାଜ୍ୟରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଛି। ଅଧ୍ୟକ୍ଷ ପଦ ପାଇଁ ଗତ ୧୨ ତାରିଖରେ ନିର୍ବାଚନ ସରିଯାଇଥିବା ବେଳେ ଆଜି ସମିତି ସଭ୍ୟମାନେ ବ୍ଲକ ଉପାଧ୍ୟକ୍ଷାକୁ ନିର୍ବାଚିତ କରିବେ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ସକାଳୁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ଉପାଧକ୍ଷ ନିର୍ବାଚନ ଆରମ୍ଭ ହୋଇଥିଲା। ତେବେ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ଆଜି ବାଣପୁର ବ୍ଲକ ଉପାଧ୍ୟକ୍ଷା ଭାବେ କୁଲେଇ ଗ୍ରାମ ପଞ୍ଚାୟତର ବିଜେପି ସମର୍ଥିତ ନିର୍ବାଚିତ ସମିତି ସଭ୍ୟା ରୀନା ଦେଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଭୋଟିଂ ବେଳେ ମୋଟ ୧୭ ଭୋଟ ମଧ୍ୟରୁ ଅଧ୍ୟକ୍ଷଙ୍କୁ ମିଶାଇ ସମୁଦାୟ ୧୦ ଜଣ ସମିତିସଭ୍ୟ ଉପସ୍ଥିତି ଥିବାଲେ। ସେମାନଙ୍କ ମଧ୍ୟରୁ କେବଳ ରୀନା ଉପାଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଅନ୍ୟ କେଉଁ ସମିତି ସଭ୍ୟ ଉକ୍ତ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ରୀନା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। କିନ୍ତୁ ଉକ୍ତ ନିର୍ବାଚନମଣ୍ଡଳୀର ଚିଲିକା ବ୍ଲକରେ ଅଦ୍ୟାବଧି ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇନଥିବାର ନିର୍ବାଚନ ଅଧିକାରୀ କହିଛନ୍ତି।