Categories
ଆଞ୍ଚଳିକ

ବାଣପୁର ଠାରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଚାରି ଦିବସ ବ୍ୟାପି ପ୍ରବଚନ ଓ ୧୦୮ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି। କରୋନା କଟକଣା ଅନୁପାଳନ କରି କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଶନିବାର ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ସହ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶନିବାର ଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀଜଗନ୍ନାଥ ଳିଳାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେଇଥିଲେ ଶ୍ରୀ ଆଶୀର୍ବାଦଜୀ ମହାରାଜ।

ଅନୁରୂପ ଭାବେ ମହାଶିବରାତ୍ରି ( ମଙ୍ଗଳବାର) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଜାଗର ପରବର୍ତ୍ତୀ ଦିବସ ଅର୍ଥାତ ବୁଧବାର ଦିନ ବହୁ ଭକ୍ତମାନେ କମିଟି ପକ୍ଷରୁ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୫ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଆୟୋଜିତ କରିଆସୁଅଛି।

Categories
PanchayatElection ଆଞ୍ଚଳିକ

ବାଣପୁର: ୧୪ ନଂ ଜିଲ୍ଲାପରିଷଦ ଭୋଟରେ ବାଜି ମାରିଲା ବିଜେପି

ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି। ସେଠାରେ ବିଜେଡି ପ୍ରାର୍ଥୀ ଲିଲିବାଳା ଭୋଳଙ୍କୁ ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ପରାଜିତ କରିଛନ୍ତି। ରୋଜିତା ୧୬୮୪ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ତେବେ ବାଣପୁର ବ୍ଲକର ୧୩ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଟିକି ଶବର ବିଜୟ ଲାଭ କରିଥିବା ବେଳେ ଚିଲିକା ବ୍ଲକର ୨ ଜଣ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଘୋଷଣା ହୋଇଥିବା ୪ ଟି ଆସନ ମଧ୍ୟରୁ ୨ଟି ଆସନରେ ବିଜେଡ଼ି ଜିତିଥିବା ବେଳେ ୨ ଟି ଆସନରେ ବିଜେପି ଜିତିପାରିଛି। ଆଜି ଆଉ ୨ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କିଛି ସମୟ ପରେ ସମୀକ୍ଷା ନିୟୁଜ ମାଧ୍ୟମରେ ଅପଡେଟ ପ୍ରଦାନ କରାଯିବ।

ରୋଜିତା ପ୍ରଧାନ- ବିଜେପି- ୧୨୮୫୩

ଲିଲିବାଳା ଭୋଳ- ବିଜେଡ଼ି- ୧୧୧୬୯

ରଶ୍ମିତା ମହାପାତ୍ର- କଂଗ୍ରେସ- ୧୧୭୬

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରର ବିଭିନ୍ନ ଦୋକାନରେ ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଚଢ଼ାଉ, ଆଦାୟ ହେଲା ଜରିମାନା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ କୋଟପା ଅଧିନିୟମକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକାଧିକ ପାନ ମସଲା ଦୋକାନରେ ଚଢ଼ାଉ କରାଯାଇଥିଲା। ଲକ୍ଷ୍ୟ ଥିଲା ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ତମାଖୁ ଜନିତ ଜିନିଷ ବିକ୍ରି ନିଷିଦ୍ଧ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇବା। ସହରରେ ଅବସ୍ଥିତ ଥିବା କଲେଜ, କୋର୍ଟ, ସ୍କୁଲ, ତହସିଲ ନିକଟରେ ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା ଏବଂ ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ମାଦକ ଦ୍ରବ୍ୟ ବିକ୍ରିକୁ ନିଷିଦ୍ଧ ବୋଲି ଦୋକାନୀମାନଙ୍କୁ ଅବଗତ କରାଇବା ସହ ସଚେତନ କରାଯାଇଥିଲା।

ଆଜି ସହରର ୨୫ ଗୋଟି ପାନ ମସଲା ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୨୪୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଉକ୍ତ ଚଢ଼ାଉରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ, ଖୋର୍ଦ୍ଧା ରେଞ୍ଜ ଡ୍ରଗ ଇନ୍ସପେକ୍ଟର ସୁଶାନ୍ତ ସାହୁ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଏନଟିପିସି ଖୋର୍ଦ୍ଧା କାଉନସିଲର ସ୍ଵର୍ଣ୍ଣଲତା ଦାସ ଏବଂ ବାଣପୁର ପୋଲିସ କର୍ମଚାରୀ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉକ୍ତ ଅଧିକାରୀମାନେ କହିଛନ୍ତି।

Categories
ଆଞ୍ଚଳିକ

ପୌର ନିର୍ବାଚନ: ପ୍ରକାଶ ପାଇଲା ବାଣପୁର ଏବଂ ବାଲୁଗାଁ ଏନଏସିର ଚୁଡାନ୍ତ ଭୋଟର ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ।

ତେବେ ଆଜି ରାଜ୍ୟର ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମଧ୍ୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଥିବାର ଜଣାପଡିଛି। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୬ ଟି ବୁଥ ହୋଇଥିବାର ଜଣାପଡିଛି।

ସେହିପରି ଭାବେ ପନ୍ଦର ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ତେବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ସତର ଗୋଟି ବୁଥ ହୋଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର

ବାଣପୁର: ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡିଲା, ପାଲୁରୁ ଛକ ନିକଟରୁ ଗିରଫ ହେଲେ ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଉକ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି କହିଛନ୍ତି।

ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ଏବଂ ଖୁବ ଶୀଘ୍ର ସେମାନେ ଗିରଫ ହେବେ ବୋଲି ଏସପି କହିଛନ୍ତି।

ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ବାଣପୁର ଥାନା ପରିସରରେ ଏତଲା ଦେବାକୁ ଆସିଥିବା ତିନି ଜଣ ଅଭିଯୋଗକାରୀଙ୍କୁ ରାଜନୈତିକ ଦଳର କର୍ମୀମାନେ ମରଣାନ୍ତକ ଆକ୍ରମଣ କରୁଥିଲେ। ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତି ଏହାର ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।

ତେବେ ଜିଲ୍ଲା ପୋଲିସ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇଥିବା ବେଳେ ଏସପିଙ୍କ ତତ୍ୱାବଧାନରେ ସ୍ପେଶାଲ ଟିମ ଗଠନ କରାଯାଇ ଚଢ଼ାଉ ଜାରିରହିଛି।

Categories
ଆଞ୍ଚଳିକ

ବାଣପୁର: ନାଚୁଣୀ ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଲେ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚାଷୀମାନେ ଧାରଣାରେ ବସିଥିବା ଖବର ହସ୍ତଗତ ହୋଇଛି। ନାଚୁଣୀ ସମବାୟ ସମିତି ସମ୍ମୁଖରେ ୩ଦଫା ଦାବି ନେଇ ଚାଷୀମାନେ ଧାରଣାରେ ବସିଛନ୍ତି। କିନ୍ତୁ ଜିଲ୍ଲା ଯୋଗାଣ ବିଭାଗର ପ୍ରତିଶୃତି ପରେ ଧାରଣା ହଟିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବାଣପୁର ବ୍ଲକ୍ ର ନାଚୁଣି ଓ ମୋରମୋରୀ ପଞ୍ଚାୟତକୁ ନେଇ ନାଚୁଣି ସମବାୟ ସମିତି ଗଠିତ ହୋଇଛି। ଏହି ସମବାୟ ସମିତି ମାଧ୍ୟମରେ ପ୍ରତି ବର୍ଷ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ଟୋକନ ମାଧ୍ୟମରେ ଧାନ ମିଲରମାନେ ଚାଷୀଙ୍କ ଠାରୁ ଧାନ କିଣନ୍ତି।ଏଥର ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇଥିଲା। ଯେଉଁଥି ପାଇଁ ଚାଷୀ ସମବାୟ ସମିତି ଆଗରେ ୩ ଦଫା ଦାବ ନେଇ ଧାରଣାରେ ବସିଥିଲେ। ପ୍ରଥମ ଦାବି ଚାଷୀମାନେ ମିଲରଙ୍କ ନିକଟକୁ ଧାନ ନେବେ ନାହିଁ। ମିଲର ଆସି ସମବାୟ ସମିତି କାର୍ଯ୍ୟାଳୟ ନିକଟରୁ ଧାନ କିଣିବେ। ଦ୍ୱିତୀୟ ଦାବି ନାଚୁଣି ସମବାୟ ସମିତିରେ ମୋଟ ୧୩ହଜାର ଧାନ କିଣିବାକୁ ଟାର୍ଗେଟ ଥିଲା ବେଳେ ମାତ୍ର ୫ ହଜାର କୁଇଣ୍ଟାଲ ଧାନ ନେଇଛନ୍ତି। ଏଣୁ ଅବଶିଷ୍ଟ ୮ ହଜାର କୁଇଣ୍ଟାଲ ଧାନ କିଣିବାକୁ ଦାବି। ତୃତୀୟ ଦାବି ଟୋକନ ଅବଧି ସାରିଯାଇଥିଲେ ସୁଦ୍ଧା ଧାନ ନେଉନି ମିଲର। ଏଣୁ ଟୋକନ ଅବଧି ସମୟ ବୃଦ୍ଧି କରାଯାଉ।

ଜିଲ୍ଲାର ଯୋଗଣ ଅଧିକାରୀଙ୍କ ପକ୍ଷରୁ ବାଣପୁର ବ୍ଲକ୍ ଯୋଗଣ ଅଧିକାରୀ ଓ ନାଚୁଣି ସମବାୟ ସମିତିର ସମ୍ପାଦକ ଚାଷୀ ମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହି ସମବାୟ ସମିତିରୁ ମିଲର ଧାନ ସଂଗ୍ରହ କରିବେ, ଧାନ ସଂଗ୍ରହ ଅବଧି ବୃଦ୍ଧି ଓ ପର୍ଯ୍ୟାୟ କ୍ରମେ ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟରେ ଯୋଗଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରୀ ରମେଶ ଚନ୍ଦ୍ର ପାଣି। ଶ୍ରୀ ପାଣି ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ନିକଟରେ ଶ୍ରୀ ପାଣିଙ୍କ ପଦୋନ୍ନତି ହେବାରୁ ସରକାର ତାଙ୍କୁ ବାଣପୁର ଉପ ନିବନ୍ଧକ ଭାବେ ଅବସ୍ଥାପିତ କରିଛନ୍ତି।

ତେବେ ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ କାର୍ଯ୍ୟାଳୟ ହୋଇଥିବା ବେଳେ ଦୀର୍ଘ ଏକ ବର୍ଷ ହେବ ଏଠାରେ ଉକ୍ତ ପଦବୀ ଖାଲି ପଡିଥିଲା।  ଯାହାଫଳରେ ବାଣପୁର ଓ ଚିଲିକା ତହସିଲର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବର୍ତ୍ତମାନ ଉକ୍ତ ପଦବୀରେ ସ୍ଥାୟୀ ନିଯୁକ୍ତି ମିଳିବା ପରେ ହିତାଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟଗୁଡ଼ିକ ଶୀଘ୍ର ସମାପ୍ତ ହୋଇପାରିବ ବୋଲି ଅଶା କରାଯାଉଛି। ସେହିପରି ଭାବେ ଦୀର୍ଘଦିନରୁ ପଡିରହିଥିବା ପୁରୁଣା କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁରା କରାଯିବ ଏବଂ ଜନସାଧାରଣଙ୍କୁ ତୁରନ୍ତ ସେବା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣି କହିଛନ୍ତି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକାରେ ନିର୍ବାଚନୀ ହିଂସା: ଆଜିଠାରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନରେ ୨୧ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି। ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବିମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି। ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି।

ନିକଟରେ ବାଲୁଗାଁ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ଓ ଥାନା ପରିସରରେ ଘଟିଥିବା ହିଂସାରେ ଉକ୍ତ ଅଭିଯୁକ୍ତମାନେ ଜଡିତ ଥିବା ଜଣାପଡିଛି। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଏସପି କହିଛନ୍ତି।

ତତସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏସପି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ହିଂସାକୁ କଦାପି ବରଦାସ୍ତ କରାଯିବନାହିଁ ଏବଂ ଆଗକୁ ମଧ୍ୟ ଯିଏ ରାଜନୈତିକ ହିଂସା ସୃଷ୍ଟି କରିବ ତାକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି।

ତେବେ ନିର୍ବାଚନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଛି। ‘ତମେ ଭଦ୍ର ହେଲେ ଆମେ ନମ୍ର’ ଏବଂ ‘ତମେ ହିଂସ୍ର ହେଲେ ଆମେ ଉଗ୍ର’ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି ପୋଲିସ। ତେବେ ଗିରଫ ଭୟରେ ଉକ୍ତ ରାଜନୈତିକ ହିଂସାରେ ଜଡ଼ିତ ଥିବା ବହୁ ନେତା ଓ କର୍ମୀମାନେ ବର୍ତ୍ତମାନ ଅଞ୍ଚଳ ଛାଡି ପାତାଳି ହେଉଥିବାର ଦେଖିବାକୁ ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ରାଜନୈତିକ ହିଂସା: ସରପଞ୍ଚଙ୍କୁ ଆକ୍ରମଣ ପରେ ଉଗ୍ର ରୂପ ନେଲା ପରିସ୍ଥିତି, ସାମ୍ବାଦିକ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତରେ ଏକ ବଡ ଧରଣର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ତଥା ଚଳିତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଆକ୍ରମଣରେ ସରପଞ୍ଚ ଜିତେନ୍ଦ୍ର ଭୋଳ ଆହତ ହୋଇଥିବା ବେଳେ ତାଙ୍କ କାରଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଫଳରେ ସରପଞ୍ଚଙ୍କ ସମର୍ଥିତ କର୍ମୀମାନେ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିଲା। ଏହି ମତଦାନ ସଂପୂର୍ଣ୍ଣ ରୂପେ ଶାନ୍ତି ଶ୍ରୁଙ୍ଖଳା ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରିରେ ଏକ ବଡ ଧରଣର ହିଂସା ଦେଖିବାକୁ ମିଳିଛି। ଏଥିରେ ବିଜେପି ଆଉ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କୁ ୩୦ ରୁ ୪୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜିତେନ୍ଦ୍ର କୌଣସି କାର୍ଯ୍ୟ ପାଇଁ ବାଣପୁର ବଜାରକୁ ଯାଉଥିବା ବେଳେ ତାଙ୍କୁ ସଙ୍ଘବଦ୍ଧ ଭାବେ ୩୦ ରୁ ୪୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ କାର ଭାଙ୍ଗିରୁଜି ଯାଇଥିବା ବେଳେ ସେ ଆହତ ହୋଇଥିଲେ। କିନ୍ତୁ ଏହି ଘଟଣା ପଞ୍ଚାୟତରେ ପ୍ରସାରିତ ହେବା ପରେ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତଙ୍କ ଘର ଏବଂ ଗାଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ। ସୌଭାଗ୍ୟବଶତଃ ଅଭିଯୁକ୍ତଙ୍କ ପରିବାର ଲୋକେ ଘରେ ଉପସ୍ଥିତ ନଥିଲେ। ଅଧିକ କ୍ଷତି ହେବା ପୂର୍ବରୁ ବାଣପୁର ଥାନାଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ଵରେ ଶତାଧିକ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେପଟେ ଜିତେନ୍ଦ୍ରଙ୍କ ବଡ ଭାଇ ପ୍ରଦୀପ ଭୋଳ ଏବଂ ନିଲୁ ଭୋଳ ଏତଲା ଦେବା ପାଇଁ ଥାନାରେ ପହଞ୍ଚିଥିବା ବେଳେ ଶାସକ ଦଳର ଶତାଧିକ କର୍ମୀମାନେ ଥାନା ପରିସର ମଧ୍ୟରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହା ଜାଣିବା ପରେ ଜିତେନ୍ଦ୍ରଙ୍କ ସମର୍ଥକ ମାନେ ଆହୁରି ଉଗ୍ର ରୂପ ଧାରଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ସରପଞ୍ଚଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହିତ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତୁରନ୍ତ ପ୍ରଦୀପ ଆଉ ନିଲୁଙ୍କୁ ସେମାନଙ୍କ ନିକଟରୁ ଫେରାଇ ଆଣିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଉଭୟଙ୍କୁ ଆଣି ଜିତେନ୍ଦ୍ରଙ୍କ ଜିମା ଦେଇଥିଲା।

ବର୍ତ୍ତମାନ ସୂଚନା ଅନୁଯାୟୀ, ଉଭୟ ପକ୍ଷରୁ ଏକାଧିକ ଏତଲା ଥାନାରେ ରୁଜ୍ଜୁ କରାଯାଇଛି। ପୋଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଦେଇଛି।

ସେହିଭଳି ଭାବେ ଅନ୍ୟ ଏକ ଘଟଣାରେ ଆଉ ଜଣେ ବିଜେପି କର୍ମୀଙ୍କୁ ଥାନା ପରିସରରେ ଶାସକ ଦଳର ସମାନ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ ତୁମୁରାପୁଟ ପଞ୍ଚାୟତ ନାରଣଦେଇପୁର ଗ୍ରାମରେ ବିଜେପି ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଏବଂ କର୍ମୀ ମାନେ ଗତକାଲି ରାତିରେ ଆକ୍ରମଣ କରିଥିଲେ।

ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉକ୍ତ ସମୟରେ ବାଣପୁର ବିଜେପି ନଗର ମଣ୍ଡଳ ସମ୍ପାଦକ ସୁକାନ୍ତ ସାହୁ ଥାନାରେ ଉପସ୍ଥିତି ଥିଲେ। ଠିକ ସେତିକିବେଳେ ବିଜେଡି କର୍ମୀମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସୁକାନ୍ତ ପୋଲିସ କ୍ୱାର୍ଟରରେ ପସିଯାଇଥିଲେ। କିନ୍ତୁ ଏହି ଆକ୍ରମଣ ସମୟରେ ଭିଡିଓ ଉତ୍ତୋଳନ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତିଙ୍କୁ ମଧ୍ୟ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଖବର ରହିଛି।

ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ଜଣକ ମଧ୍ୟ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଚିଲିକାର ସମସ୍ତ ସାମ୍ବାଦିକମାନେ ଏହାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବି କରିଛନ୍ତି। ପରବର୍ତ୍ତୀ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥାନାରେ ଆସି ତାଙ୍କ କର୍ମୀଙ୍କ ଘର ଭାଙ୍ଗିଥିବା ଏବଂ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ।

ତେବେ ଏନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ବିଜୁ ଜନତା ଦଳ ଚିଲିକାରେ ହାରିବ ବୋଲି ଜାଣିସାରିଥିବାରୁ ଏପରି କାଣ୍ଡ କରିଥବାର କହିଛନ୍ତି। ଏହାସହିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଥାନା ମଧ୍ୟରେ ବିରୋଧୀ ଦଳର କାର୍ଯ୍ଯକର୍ତ୍ତା ଏବଂ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏକ ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଏ ନେଇ ଖୁବଶୀଘ୍ର ଡ଼ିଜିପିଙ୍କୁ ଭେଟିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

Categories
PanchayatElection ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଣପୁର ବ୍ଲକରେ ପୋଲିସର ଫ୍ଲାଗ ମାର୍ଚ୍ଚ

ରିପୋର୍ଟ-ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ଦାସଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଠାରେ କରାଯାଇଛି ପୋଲିସର ଶକ୍ତି ପ୍ରଦର୍ଶନ। ଆସନ୍ତାକାଲି ବାଣପୁରରେ ପଞ୍ଚାୟତ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ କରାଯାଇଛି ଫ୍ଲାଗ ମାର୍ଚ୍ଚ।

ଉକ୍ତ ଫ୍ଲାଗମାର୍ଚ୍ଚରେ ବାଣପୁର ତହସିଲଦାରଙ୍କ ସମେତ ବାଲୁଗାଁ ଏସଡିପିଓ, ୩ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ଏବଂ 20 ଗୋଟି ମୋବାଇଲ ଭ୍ୟାନରେ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଅତିରିକ୍ତ ଏସପି ଶ୍ରୀ ଦାସ ସ୍ଥାନୀୟ ପଲଟନ ପଡିଆରେ ପୋଲିସ ବ୍ରିଫିଙ୍ଗ କଲା ପରେ ଆରମ୍ଭ ହୋଇଥିଲା ଫ୍ଲାଗମାର୍ଚ୍ଚ।

ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାର କହିଛନ୍ତି ଅତରିକ୍ତ ଏସପି ଶ୍ରୀ ଦାସ। ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ କରିବାପାଇଁ ସଂକଳ୍ପବଧ ଖୋର୍ଦ୍ଧା ଜିଲ୍ଲା ପୋଲିସ ବୋଲି ଶ୍ରୀ ଦାସ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତjଟି ପଞ୍ଚାୟତରେ ଅନୁଷ୍ଠିତ ହେବ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ଥିତି ପରଖିବାକୁ ଆଜି ବାଣପୁର ବ୍ଲକ ପରିଦର୍ଶନରେ ଆସିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଶ୍ରୀ ମହାପାତ୍ର ବାଣପୁର ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କ ସହ ଏକ ବୈଠକ କରିଥିଲେ। ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଣପୁରରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଶେଷରେ ନିର୍ବାଚନ ଶେଷ ହେବା ପରେ ବ୍ୟାଲଟ ବାକ୍ସ ରଖିବା ନିମନ୍ତେ ବ୍ଲକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ତେବେ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ଏଥି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ଏଥି ପାଇଁ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ।

ତେବେ ଆସନ୍ତାକାଲି ଜିଲ୍ଲାର ବେଗୁନିଆ ଏବଂ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସବୁ ସ୍ଥାନରେ ପୋଲିଙ୍ଗ ପାର୍ଟି ପହଁଚିସାରିଥିବାର କହିଛନ୍ତି ଜିଲ୍ଲାପାଳ। ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ସ୍ପର୍ଶକାତର ବୁଥକୁ ବିଶେଷ ଦୃଷ୍ଟି ଦିଆଯାଇଛି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି l ମହିଳାଙ୍କ ପାଇଁ ବାଣପୁରରେ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ମୋଟାମୋଟି କହିବାକୁ ଗଲେ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଉପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଆସନ୍ତାକାଲି ବାଣପୁରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ: ବିଜେପିରେ ସାମିଲ ହେଲେ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ଏବଂ ବହୁ ବିଜେଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ଆଉ ଦିନଟିଏ ବାକି ଥିବା ବେଳେ ଆଜି ବିଜେଡି ଛାଡି ବିଜେପିରେ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ସତ୍ୟନାରୟଣ ପ୍ରଧାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗାଲୁଆ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁରେଶ ଚନ୍ଦ୍ର ବାରିକିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରଧାନ ବିଜେପିରେ ଯୋଗ ଦେଇଥିବାର କହିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଗାଲୁଆ ପଞ୍ଚାୟତରେ ବିଜେପିର ପଲା ଭାରି ଥିବା ଆକଳନ କରାଯାଉଛି। ସୁରେଶ ଚଦ୍ର ବାରିକି ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତର ଏକାଧିକ ଥର ସରପଞ୍ଚ ରହିଆସିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଗାଲୁଆ ପଞ୍ଚାୟତବାସୀ ତାଙ୍କୁ ନିର୍ବାଚିତ କରିବେ ବୋଲି ସେ ଅଶା ପ୍ରକଟ କରିଛନ୍ତି।

Categories
PanchayatElection ଆଞ୍ଚଳିକ

ବାଣପୁର: ଥମିଲା ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବ୍ଲକ ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।ଆସନ୍ତା ୧୮ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

୨୩୩ ବୁଥକୁ ବୁଥ ଅଫିସର ସମେତ ପୁଲିଙ୍ଗ ଅଫିସର ମାନଙ୍କୁ ପଠାଯାଇଛି। ଏହା ସହ କିଭଳି ଶୃଙ୍ଖଳିତ ଭାବେ ମତଦାନ ସଂପୁଣ୍ଣ ହେବ, ତାହା ଉପରେ ବାଣପୁର ବ୍ଲକ ପ୍ରଶାସନ ଗୁରୁତ୍ଵ ଦେଇଛି। ସମସ୍ତ ପୋଲିସ ପ୍ରଶାସନ ନିର୍ବାଚନ ଡିଉଟିରେ ଥିବା ସମସ୍ତ କର୍ମଚାରୀମାନେ ୧୮ ତାରିଖ ମତଦାନ ପାଇଁ ପ୍ରସ୍ତୁତ ହୋଇରହିଛନ୍ତି।

ବାଣପୁର ବ୍ଲକରେ ତିନୋଟି ଜୋନରେ ନିର୍ବାଚନ ପାଇଁ ମତଦାନ କରିବେ ଲୋକେ। ବାଣପୁର ବ୍ଲକରେ ୨୩୩ ଟି ବୁଥରେ ୧ ଲକ୍ଷ ୩ ହଜାର ୮ ସହ ୧୩ ଜଣ ଭୋଟର ମତଦାନ କରିବେ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ବ୍ୟାପକ ପୋଲିସ ଟିମକୁ ନିୟୋଜିତ କରିବା ସହିତ ପାଟ୍ରୋଲିଂର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

Categories
PanchayatElection ଆଜିର ଖବର ସ୍ବାସ୍ଥ୍ୟ

ବାଣପୁର: ନିର୍ବାଚନ ପ୍ରଚାର ବେଳେ ହଠାତ୍ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଚିକିତ୍ସା ଜାରି

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ମେଡିକାଲ ଇନଚାର୍ଜ ଡାକ୍ତର ରମାକାନ୍ତ ନାୟକଙ୍କ ସୂଚନା ମୁତାବକ ବିଧାୟକ ଆଜି ଅପରାହ୍ନରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହିତ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ବିଧାୟକଙ୍କୁ ଅମ୍ଳଜାନ ଦିଆଯାଉଥିବା ବେଳେ ଏକାଧିକ ଟେଷ୍ଟ ମଧ୍ୟ ହୋଇଛି। ତେବେ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ବିଧାୟକଙ୍କୁ ଏମ୍ସ ହସ୍ପିଟାଲକୁ ରେଫେର କରାଯିବ ବୋଲି ଡାକ୍ତର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି।

ସୂଚନା ଥାଉକି ଆଜି ଅପରାହ୍ନ ରେ ଦେଓଗାଁ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିଧାୟକ ହଠାତ ଅସୁସ୍ଥତା ଅନୁଭବ କରିବାରୁ ଆଶୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ବିଧାୟକଙ୍କ ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତି ରହିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି କରିଛନ୍ତି।

Categories
PanchayatElection ଆଞ୍ଚଳିକ

ବାଣପୁର: ବ୍ଲକ ସମ୍ମୁଖରେ ଧାରଣା ଦେଲେ ୱାର୍ଡମେମ୍ବର ଆଶାୟୀ ଓ ପରିବାରବର୍ଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଭୋଟର କାର୍ଡରେ ଅନିୟମିତତାକୁ ନେଇ ଧାରଣା ଦେଇଛନ୍ତି ଜଣେ ପରିବାର। ଖବର ମୁତାବକ କୁମାରାଙ୍ଗ ଶାସନ ଗ୍ରାମର ଦିଲ୍ଲୀପ କୁମାର ମିଶ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କୁମାରାଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡରୁ ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନୋମିନେସନ କରିଥିଲେ। କିନ୍ତୁ ନୋମିନେସନ ସମୟରେ ତାଙ୍କ ନାମ ଭୋଟର ଲିଷ୍ଟରେ ନଥିଲା ଏବଂ ତାଙ୍କ ପରିବାରର ଅନ୍ୟ ୫ ଜଣଙ୍କ ନାମ ୮ ନମ୍ବର ୱାର୍ଡ ପରିବର୍ତ୍ତେ ୯ ନମ୍ବର ୱାର୍ଡକୁ ସ୍ଥାନାନ୍ତରିତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ସେ ୮ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା ଥିଲେ ତାଙ୍କ ପଞ୍ଚାୟତର ଶାସକ ଦଳର କୁଜି ନେତା ମାନେ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ତାଙ୍କ ନାମକୁ ଭୋଟର ତାଲିକାରୁ କାଟିଛନ୍ତି ଏବଂ ତାଙ୍କ ପରିବାରର ନାମକୁ ୯ ନମ୍ବର ୱାର୍ଡରେ ସ୍ଥାନାନ୍ତରିତ କରିଛନ୍ତି। ତେବେ ଗଣତନ୍ତ୍ରରେ ମତ ସାବ୍ୟସ୍ତ କରିବା ଏବଂ ନିର୍ବାଚନ ଲଢ଼ିବା ପ୍ରତି ନାଗରିକର ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ଶାସକ ଦଳର କୁଜି ନେତା ଏବଂ ସରକାରୀ କର୍ମଚାରୀ ମିଳିତ ଭାବେ ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରି କିପରି ଜଣେ ନାଗରିକର ନାମକୁ ଭୋଟର କାର୍ଡରୁ କାଟିପାରୁଛନ୍ତି, ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ଦିଲ୍ଲୀପ ଗତ ମାସ ୨୭ ତାରିଖରେ ବାଣପୁର ବିଡ଼ିଓଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଏବଂ ତାଙ୍କୁ ପୁନଃ ନୋମିନେସନ ପାଇଁ ସୁଯୋଗ ଦିଆଯାଉ ବୋଲି ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଗତକାଲି ସୁଦ୍ଧା ଦିଲ୍ଲୀପଙ୍କୁ ବ୍ଲକ ପ୍ରଶାସନ କୌଣସି ଉତ୍ତର ନଦେବାରୁ ସେ ଆଜି ବାଧ୍ୟ ହୋଇ ନିଜ ପରିବାର ସହ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ଯଦି ତାଙ୍କୁ ମତଦାନରୁ ବଞ୍ଚିତ କରାଯାଏ ତେବେ ନିର୍ବାଚନ ଦିନ ସେ ସପରିବାରେ ମତଦାନ କେନ୍ଦ୍ରରେ କଳା ପତାକା ପ୍ରଦର୍ଶନ କରିବା ସହ ଧାରଣା ଦେବେ। ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ, ଦିଲ୍ଲୀପଙ୍କ ନାମ ବିଧାନସଭା ନିର୍ବାଚନ ଲିଷ୍ଟରେ ଥିବାବେଳେ ପଞ୍ଚାୟତ ନିର୍ବାଚନ ଲିଷ୍ଟରେ ନଥିବା କହିଛନ୍ତି। ଅନୁରୂପ ଭାବେ ଯଦି ଦିଲ୍ଲୀପ ଏବଂ ତାଙ୍କ ପରିବାରବର୍ଗଙ୍କ ଭୋଟର କାର୍ଡରେ ତ୍ରୁଟି ଥିଲା ତେବେ ସେ ସଂଶୋଧନ କରିବାର ସମୟସିମା ମଧ୍ୟରେ ଆବେଦନ କରିପାରିଥାନ୍ତେ। କିଂତୁ ସେ ସେହା କରିନଥିବାରୁ ଅଦ୍ୟାବଧି ଏପରି ତ୍ରୁଟି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପୋତା ହୋଇଥିବା ଗୁଜବ, ଗ୍ରାମରେ ଭୟର ବାତାବରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ନିକଟସ୍ଥ ପାଣି ଟାଙ୍କି ନିକଟରେ ଥିବା ଖୋଲା ପଡିଆରେ କୌଣସି ଏକ ବ୍ୟକ୍ତିଙ୍କ ମୃତ ଦେହ ପୋତା ଯାଇଥିବାର ଗୁଜବ ସୃଷ୍ଟି ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡ ହୋଇଛନ୍ତି।

ଗତକାଲି ରାତିରେ ଜେସିବି ମେସିନ ଦ୍ୱାରା ଏହି ମୃତଦେହଟିକୁ ପୋତାଯାଇଥିବା କୁହାଯାଉଛି। ତେବେ କିଏ ସେଠାରେ ଶବ ପୋତିଲା ଏବଂ କଣ ପାଇଁ ପୋତିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ମାଟି ପୋତାଯାଇଥିବା ସ୍ଥାନକୁ ଖୋଳିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସେପଟେ ବାଲେଡିହ ଗ୍ରାମବାସୀମାନେ ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିବା ସହ ଏହାର ଯଥାଶୀଘ୍ର ତଦନ୍ତ ଦାବିରେ ବର୍ତ୍ତମାନ ରାସ୍ତା ଅବରୋଧ କରିଥିବାର ଦେଖାଯାଇଛି। ତେବେ ତ୍ରୀସ୍ତରୀୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗ୍ୟାରେଜ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ୪ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଧ ଭାବେ ଆକ୍ରମଣ କରିବା ଦ୍ୱାରା ଯୁବକ ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ହୋଇଛି। ଅଭିଯୋଗ କରିଛନ୍ତି ସାନସିରେଇପୁର ଗ୍ରାମର ଅଭିମନ୍ୟୁ ଜେନା।

ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁତ୍ର ତପନ ଜେନା (୩୫) ପ୍ରତିଦିନ ପରି ଆଜି ମା’ ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଏକ ଗ୍ୟାରେଜକୁ କାମ କରିବାକୁ ଯାଇଥିଲେ। ହେଲେ କାମ କରିବା ସମୟରେ ସିଲୁ ପ୍ରଧାନ ନାମକ ଯୁବକ ଏବଂ ଅନ୍ୟମାନେ ତପନଙ୍କୁ ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପରବର୍ତ୍ତୀ ସମୟରେ ତପନଙ୍କ ମସ୍ତିଷ୍କକୁ ପଛପଟୁ ସିଲୁ ଏକ ହାତୁଡି ଦ୍ୱାରା ଶକ୍ତ ପ୍ରହାର କରିଥିଲେ। ସଙ୍ଗେସଙ୍ଗେ ତପନ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ଗ୍ୟାରେଜ କର୍ମଚାରୀମାନେ ତପନଙ୍କ ପରିବାରବର୍ଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଣପୁର ମେଡିକାଲକୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଦେଇଥିଲେ।

କିନ୍ତୁ ବ୍ରହ୍ମପୁରରେ ଚିକିତ୍ସା ସମ୍ଭବ ହୋଇନପାରିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ବର୍ତ୍ତମାନ ତପନ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ବାଣପୁର ପୋଲିସ କେଶ ନମ୍ବର ୬୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ସିଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲାରେ  ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୧୨୦ ଗୋଟି ଡ୍ରମରୁ ମୋଟ ୬ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୪୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ।

କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ପିଆର ନମ୍ବର ୧୧୩/୨୧-୨୨ ରେ ଅବକାରୀ ବିଭାଗ ଗୋଟାଏ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନୂତନ ଏସପି ଭାବେ ଅଲେଖ ଚନ୍ଦ୍ର ପହି ଦାଇତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଣପୁର ଏବଂ ବାଲୁଗାଁ ଥାନା ପରିଦର୍ଶନ କରିଥିଲେ। ଉଭୟ ଥାନା ଗସ୍ତ କରି ଶ୍ରୀ ପହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ଥାନାର ସମସ୍ତ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ବେଳେ ତାହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବାର ଏସପି ଆମ ଚିଲିକା ପ୍ରତିନିଧିଙ୍କୁ କହିଥିଲେ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଥାନାରେ ଅତିରିକ୍ତ ଗାଡ଼ି ପ୍ରଦାନ କରାଯିବ, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ।

ତେବେ ନିର୍ବାଚନ ପୂର୍ବରୁ ଚିଲିକା ଅଞ୍ଚଳରେ ବିଶୃଙ୍ଖଳା ଅବା ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ବହୁ ବ୍ୟକ୍ତିଙ୍କୁ ଆଗୁଆ ଚି଼ହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୧୦୭  ଓ ୧୧୦ ରେ ନୋଟିସ ଦିଆଯାଇଥିବାର ଏସପି କହିଛନ୍ତି।

ଅନୁରୂପଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସପି ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଅଦ୍ୟାବଧି ନିର୍ବାଚନ ପରିଚାଳନା ଉପରେ ଏସପି ସନ୍ତୋଷ ପ୍ରକାଶ କରିବା ସହ ଚିଲିକାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ଅଶା କରିଛନ୍ତି।

ପରିଶେଷରେ ନୂତନ ଏସପି ମା’ ଭଗବତୀ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇ ଖୋର୍ଦ୍ଧା ଫେରିଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣିଥରେ ଜୀବନଦେଇପୁର ମା’ ସର୍ବମଙ୍ଗଳା ମନ୍ଦିରରୁ ଚୋରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା’ ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଉକ୍ତ ମନ୍ଦିରକୁ ଭକ୍ତ ମାନେ ଯାଇଥିବା ସମୟରେ ମନ୍ଦିର ବାହାରେ ଥିବା ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଖବର ମନ୍ଦିର ଟ୍ରଷ୍ଟିଙ୍କୁ ଜଣାଇବା ପରେ ଟ୍ରଷ୍ଟ ପକ୍ଷରୁ ନାଚୁଣୀ ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା। ତେବେ ଉକ୍ତ ହୁଣ୍ଡିରୁ ପାଖାପାଖି ୧୮ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଥିବାର ଏତଲାରେ ଉଲ୍ଲେଖ ଅଛି। ପୋଲିସ ବର୍ତ୍ତମାନ ଉକ୍ତ ମାମଲାର ତଦନ୍ତ ଜାରି ରଖିଛି।

ସୂଚନା ଥାଉକି ଗତ ବର୍ଷ ମଧ୍ୟ ଉକ୍ତ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ହୁଣ୍ଡୀ ବାକ୍ସ ଭାଙ୍ଗି ଚୋରି ହୋଇଥିଲା। ବିଗତ ୬ ବର୍ଷ ମଧ୍ୟରେ ଏହା ସପ୍ତମ ଚୋରି ବୋଲି ଟ୍ରଷ୍ଟ ସଭ୍ୟ କହିଛନ୍ତି। ତେବେ ଲୁଟରେ ସମ୍ପୃକ୍ତ ଥିବା ଦୁର୍ବୁତ୍ତଙ୍କୁ ଯଥାଶୀଘ୍ର ଗିରଫ ପାଇଁ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଉଲଗ୍ନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି।

ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।