Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରୁ ଡକାୟତି ମାମଲା: ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ।

ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି।

ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଅଦଳବଦଳ, ୧୦ ଇନ୍ସପେକ୍ଟର ଜିଲ୍ଲା ପାର

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।

ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ପୁରୀ ଜିଲ୍ଲା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର କବିତା ସାହୁ ପୁରୀ ଜିଲ୍ଲା, ଅର୍ଚନା ମଲିକ କଟକ ଜିଲ୍ଲା,ଲକ୍ଷ୍ମୀପ୍ରସାଦ ଶତପଥୀ ପୁରୀ ଜିଲ୍ଲା ଏବଂ ବିଜୟିନୀ ମଲ୍ଲଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଛି ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଅଞ୍ଚଳରେ ବଡ ଧରଣର ଡକାୟତ ଯୋଜନା ପଣ୍ଡ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ କିଛି ଦିନ ହେବ କ୍ରମାଗତ ଭାବେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଯାଇଛି। ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏସପି ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଓ ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ତେବେ ଉକ୍ତ ଚଢ଼ାଉରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଥାନା ପରିସରରେ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ନୂଆଗଡ ଅଞ୍ଚଳର ମାନସ ପଲେଇ (୨୮) ଓରଫ ଚାନ୍ଦୁ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୦) ଓ ଶିବରାମ ନାହାକ(୨୬) ଓରଫ ମୁନା, ବାଣପୁର ଥାନା ଅଞ୍ଚଳର ଆଦିତ୍ୟ ପ୍ରସାଦ ସୁବୁଦ୍ଧି (୨୦) ଓରଫ ଆଦି ଓ ସନ୍ତୋଷ ବସ୍ତି (୨୨) ଏବଂ ନିରାକାରପୁର ଥାନା ଅଞ୍ଚଳର ଶେଖ ଅରବାଜ (୨୦) ଓରଫ ନଟୁ। ସେମାନଙ୍କ ନିକଟରୁ ଗୋଟାଏ ଚାଇନା ପିସ୍ତଲ, ଦୁଇ ଗୋଟି ଖଣ୍ଡା, ଦୁଇ ଗୋଟି ବାଇକ, ବିଅର ବୋତଲ, ଚିଲି ପାଉଡର ଏବଂ ରୁମାଲ ଜବତ କରିଛି ପୋଲିସ।

ଏସପି ଙ୍କ ସୂଚନା ମୁତାବକ ଅଭିଯୁକ୍ତ ମାନସ ଜଣେ ପେସାଦାର ନିଶା ବେପାରି ଥିବା ବେଳେ ନିକଟରେ ଖୋର୍ଦ୍ଧା ପୋଲିସର ବାରମ୍ବାର ଚଢ଼ାଉ ଫଳରେ ମାନସ ନିଶା ବେପାର ଛାଡି ଚୋରି, ଡକାୟତି, ଛୀନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ବାଣପୁର, ବାଲୁଗାଁ ଓ ଖଲିକୋଟ ଅଞ୍ଚଳରେ କରିବା ପାଇଁ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ଏପରିକି କିଛି ଦିନ ହେବ ଏହି ଗ୍ୟାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଉଥିଲେ।

ତେବେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ତ୍ବାବଧାନରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତେବେ ଗତ କାଲି ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନସ ପଲେଇ ଓ ଗ୍ୟାଙ୍ଗ ଶାଳିଆ ଡ୍ୟାମ ନିକଟସ୍ଥ ଏକ ଘରେ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବାର ଖବର ପାଇଥିଲା ପୋଲିସ। ରାତି ୨.୩୦ ରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସର ଟିମ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ଘରକୁ ଘେରାଉ କରିଥିଲେ। ଏହାଦେଖି ଅଭିଯୁକ୍ତ ମାନେ ପୋଲିସ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇନଥିଲେ। କିନ୍ତୁ ପୋଲିସ ପରିଶେଷରେ ଉକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଏସପି କହିଛନ୍ତି। ଆଜିର ପ୍ରେସ ମିଟରେ ଏସପି ଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମଙ୍ଗେଇ ପୋଖରୀରେ ବୁଡି ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ସହିଦ ନଗରରେ ଅଭାବନୀୟ ଘଟଣା ଘଟିଯାଇଛି। ବାବୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (୩୫) ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ତାଙ୍କର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ପଶି ଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକିଥିଲେ। ହେଲେ କିଛି ଲୋକ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିବାପରେ ମହିଳାଙ୍କୁ ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଚଢା ଦରରେ ବିକ୍ରି ହେଉଛି ପରିବା, ଖାଉଟି ହନ୍ତସନ୍ତ, ପ୍ରଶାସନର ନାହିଁ ଲଗାମ

ସୀତାରାମ ଅଗ୍ରୱାଲ

ଚିଲିକା: ଶ୍ରାବଣ ମାସ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ହେଲେ ଏହା ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବଜାରରେ ପରିବା ଦର ନାହିଁ ନଥିବା ମୂଲ୍ୟରେ ବିକ୍ରି ହେଉଛି। ଖାଉଟିମାନେ କେଉଁ ପରିବା କେତେ ପରିମାଣର ନେବେ ଦ୍ଵନ୍ଦରେ ପଡୁଥିବା ଦେଖାଯାଇଛି।

ଆଗରୁ କେବଳ ଟମାଟ ଦର ୧୨୦ ଟଙ୍କା ଥିବାବେଳେ ଏବେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ। ବଜାରରେ ପୋଟଳ ୧୦୦ ଟଙ୍କା, ବିନସ ୨୦୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୮୦ଟଙ୍କା, ବାଇଗଣ ୬୦ ଟଙ୍କା ଥିବାବେଳେ ମଧ୍ୟବିତ୍ତ ପରିବାର ବଜାରରୁ ପରିବା କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ପରିବା ବ୍ୟବସାୟୀଙ୍କ କହିବା ମୁତାବକ ସ୍ଥାନୀୟ ଫସଲ ନ ଥିବା କାରଣରୁ, ମାତ୍ର ଶତକଡା ୨୫ ଭାଗ ପନିପରିବା ସ୍ଥାନୀୟ ଫସଲରୁ ଆସୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପନିପରିବା ନିମନ୍ତେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଚଳିତ ବର୍ଷ ଚାଷୀମାନେ ପରିବା ଫସଲ କରିପାରି ନାହାନ୍ତି। ତେଣୁ ଆଗାମୀ ଦିନରେ ବର୍ଷାହେଲେ ପରିବା ଦର କମିବାର ଆଶା ରଖିଛନ୍ତି ବ୍ୟବସାୟୀ।

ସେପଟେ ପନିପରିବା ଦର ଉପରେ ପ୍ରଶାସନ କୌଣସି ଅଙ୍କୁଶ ଲଗାଇବାର ନିୟମ ନ ଥିବାରୁ ଲାଭଖୋର ବ୍ୟବସାୟୀ ମାନେ ଏହାର ଫାଇଦା ନେଉଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅବକାରୀ ଚଢ଼ାଉ, ମହିଳା ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି ବାଲୁଗାଁ ଅବକାରୀ ବିଭାଗ। ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ବାଣପୁର ଥାନା ଅନ୍ତର୍ଗତ ବାଲେଡିହ ଗ୍ରାମ, ଭୀମପୁର ଗ୍ରାମ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଅବକାରୀ ଚଢ଼ାଉ ହୋଇଥିବାବେଳେ ସମୁଦାୟ ୧୩୫ ଲିଟର ଦେଶୀ ମଦ ଓ ଏକ ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଗାଙ୍ଗୁଲି ଶବର (୨୭), ପ୍ରତିମା ଦେଇ (୫0) ଏବଂ ଭଗବାନ ସାମଲ (୫୨ )। ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କାମ କରୁଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଶିଙ୍ଗେଶ୍ୱର ନିକଟରେ ଏକ ପାର୍କରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ ଜଣେ ଶ୍ରମିକ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ (୬୦) ଦୀର୍ଘ ଦିନ ଧରି ବଡ଼କୁଳରେ ଭଡା ଘରେ ରହିଆସୁଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରିଆସୁଥିଲେ। ପରିବାର କହିଲେ ସ୍ତ୍ରୀ, ତିନି ପୁଅ ବୋହୂ ଓ ନାତି ନାତୁଣୀ।

ଆଜି ସକାଳେ କାମକୁ ଆସିଥିବା ବେଳେ କାର୍ଯ୍ୟସ୍ଥଳୀରେ ହଠାତ ଅସୁସ୍ଥତା ଅନୁଭବ କରି ସେଠାରେ ପଡିଯାଇଥିଲେ। ତୁରନ୍ତ ସହଯୋଗୀ ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।

ଦିଲ୍ଲୀପ ବାଣପୁର ପାରିନୁଆଗାଁ ଅଞ୍ଚଳରେ ଦୀର୍ଘ ଦିନ ହେବ ରହିଆସୁଥିବା ବେଳେ ସେ ଦିନ ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ ଏବଂ ରାତିରେ ଚୋରି କରୁଥିଲେ। ତେବେ ଅଭିଯୁକ୍ତ ଦିଲ୍ଲୀପ ପୁର୍ବରୁ ଖଲ୍ଲିକୋଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅଞ୍ଚଳର ଚାରି ଗୋଟି ଚୋରି ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ବିଜେଡ଼ିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ଓ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କ ସୁଖଦୁଃଖରେ ସଦାସର୍ବଦା ରହିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ସାରା ଓଡ଼ିଶା ବିଜେଡିର ବିକାଶ ଧାରାରେ ଅନୁପ୍ରାଣିତ ହେବ ଏବଂ ଆଗାମୀ ଦିନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ଧ୍ବଜା ନିଶ୍ଚିତ ଉଡିବ ବୋଲି କହିଥିଲେ ଶ୍ରୀ ସାହୁ। ଅନୁଷ୍ଠିତ ଉତ୍ସବରେ ଉଭୟ ଚିଲିକା ଓ ବାଣପୁର ବ୍ଲକର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣଙ୍କୁ ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

କାଙ୍କଣ ଶିଖରୀରେ ରଥଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସ୍ଥାନ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ସ୍ଥିତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ପୂର୍ବାହ୍ନରେ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଏବଂ ନାଚୁଣି ଆଇଆଇସି ଚନ୍ଦ୍ର ଶେଖର ଜେନା ଉକ୍ତ ଅଞ୍ଚଳ ଗସ୍ତ କରି ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ ସାହୁ ଚିଲିକା ହ୍ରଦରେ ନୌବିହାର ମାଧ୍ୟମରେ ଅନୁଷ୍ଠିତ ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତାକାଲି ରଥଯାତ୍ରାରେ ଟାପୁମଧ୍ୟକୁ ବିଗ୍ରହମାନଙ୍କୁ ନିରାପଦ ଭାବେ ନେବା ପାଇଁ ଡଙ୍ଗା ମାଲିକମାନଙ୍କୁ ସଚେତନ କରାଯାଇଥିଲା।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ନିୟୋଜିତ ରହିବେ।ଏଥିସହିତ ଆସନ୍ତାକାଲି ସମସ୍ତ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ମାଗଣା ପ୍ରସାଦ ମଧ୍ୟ ବଣ୍ଟନ କରାଯିବ। ଅନୁରୂପ ଭାବେ ଟାପୁ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ଧୀବରମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ,ପାର୍କିଂ,ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯାହାଫଳରେ ସମସ୍ତ ଭକ୍ତଙ୍କୁ ଏହି ଅନନ୍ୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିବା ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଲରି ରେଳ ଷ୍ଟେସନ ଠାରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ଯୁବକ ଜଣକ ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁତ୍ର ଅସିତ ଆଚାର୍ଯ୍ୟ (୨୦) ବୋଲି ଜଣାପଡିଛି। ସୋଲରି ସବ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିବା ବେଳେ ରାତିରେ ଏ ନେଇ ସୂଚନା ପାଇଥିଲା ବାଲୁଗାଁ ଆରପିଏଫ। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ମେଡିକାଲ ପଠାଇଦେଇଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଜିଆରପି କେସ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି।

ଉଲ୍ଲେଖ ଥାଉ କି ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ବଡ ପୁଅ କଟକ ବଡ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ସାନ ପୁଅ ରେଭେନ୍ସା କଲେଜରେ ଅଧ୍ୟୟନ କରୁଛନ୍ତି। ହେଲେ ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ସାରି ଦିଲ୍ଲୀରେ ଚାକିରୀ କରିଥିଲେ। କିନ୍ତୁ ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଗାଁକୁ ଆସିଥିଲେ। ତେଣୁ ସେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଯାଉଥିଲେ ବୋଲି ଜଣାପଡିଛି। ହେଲେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଅସିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଣପୁରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ: ପୋଖରୀରେ ବୁଡ଼ି ଛାତ୍ର ମୃତ, ଚଳିତ ମାଟ୍ରିକ ପରୀକ୍ଷାରେ ‘ଏ’ ଗ୍ରେଡରେ ହୋଇଥିଲେ ଉତ୍ତୀର୍ଣ୍ଣ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) ନିଜ ଗ୍ରାମ ପୋଖରୀକୁ ସ୍ନାନ ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ। ଏହା ଦେଖି ନିକଟରେ ଗାଧୋଉଥିବା ଅନ୍ୟ ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମୃତ ସୁବ୍ରତ ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଥିବା ବେଳେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ‘ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସୁବ୍ରତଙ୍କ ଅକସ୍ମାତ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ବାଣପୁର ଏନଏସି ପାଇଁ ଅନୁମୋଦନ ହୋଇଛି ୪୦୦ କୋଟି ଟଙ୍କା; ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଏବଂ ବାଣପୁର ଏନଏସି ପାଇଁ ୨୦୦ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ‘ସମୀକ୍ଷା’ କୁ ଏକ ସାକ୍ଷାତକାର ଦେଇ ସେ ଏହି ଘୋଷଣା କରିଛନ୍ତି।

ବିଧାୟକଙ୍କ କହିବା କଥା ଯେ, ଚିିଲିକା ନିର୍ବାଚନ ମଣ୍ଡଳୀର ଏହି ଦୁଇ ଏନଏସିର ଷ୍ଟର୍ମୱାଟର ଡ୍ରେନେଜ ବ୍ୟବସ୍ଥା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦ ହୋଇଛି। ଏହି କାମର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ଏକ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ମଞ୍ଜୁର ହୋଇସାରିଛି। ଡିପିଆର ପ୍ରସ୍ତୁତି ପରେ ଏହାର କାମ ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି।

Categories
ଆଞ୍ଚଳିକ

ବୋରିଆ ସାହିରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ବାଣପୁର ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ବୋରିଆ ସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ନୀଳକଣ୍ଠ ବେହେରାଙ୍କ ଚାଳ ଘରେ ନିଆଁ ଲାଗିଯାଇଛି। ଫଳରେ ଏକ ବଖରା ଘର ଏବଂ ବହୁ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ତେବେ ଏହା ବିଦ୍ୟୁତ ସଟସର୍କିଟ ଲାଗି ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ନୀଳକଣ୍ଠ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଦିନ ଦ୍ବିପହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳିରେ ବଜାର ଘାଟ ଜନଶୁନ୍ୟ ହେଉଥିବାର ଫାଇଦା ନେଇ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ନିକଟ ତୁଳସୀ ନଗରରେ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଏକ ନୀଳ ରଙ୍ଗର କାରରେ ଆସି ତୁଳସୀ ନଗର ସ୍ଥିତ ଅନିରୁଦ୍ଧ ପ୍ରାଣିଗ୍ରାହୀଙ୍କ ଘର ଗ୍ରିଲର ତାଲା ଏବଂ ମୁଖ୍ୟ କବାଟ ତାଲା ଭାଙ୍ଗି ହଜାର ହଜାର ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହେଇଛି।ଘରେ କିଏ ନଥିବା ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମର ଦୁଇଟା ଆଲମିରା ଭାଙ୍ଗି ପ୍ରାୟ ୧୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୫୦ହଜାର ଟଙ୍କା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ବାହାରକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ। କିନ୍ତୁ ଦ୍ୱିପ୍ରହର ସମୟରେ ଘର ଓ ଗ୍ରିଲ ଚାବି ପକାଇ ନିକଟସ୍ଥ ନିଜ ଗ୍ରାମ ଇଞ୍ଜନପୁରରୁ ଖାଇସାରି ଫେରିବା ବେଳକୁ ଗ୍ରୀଲ ଓ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ଦେଖିଥିଲେ। ଏହା ଦେଖି ତୁରନ୍ତ ବାଲୁଗାଁ ଥାନାକୁ ଅବଗତ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଟିକିନିଖି ତଦନ୍ତ ଜାରି ରହିଥିବାର ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରେ ମାଲବାହୀ ଟ୍ରେନରୁ ବାହାରିଲା ଧୂଆଁ: ଯାତ୍ରୀ ଆତଙ୍କିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ୱାଗନରୁ ପ୍ରବଳ ମାତ୍ରାରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି। ଯାହାପରେ ଷ୍ଟେସନରେ ଛିଡା ହୋଇଥିବା ଯାତ୍ରୀ ଆତଙ୍କିତ ହୋଇଯାଇଛନ୍ତି।

ଖବର ମୁତାବକ ଆଜି ଅପରାହ୍ନରେ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ରହିଥିବା ବେଳେ ଗୋଟିଏ ୱାଗନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଧୂଆଁକୁ ଆୟତ୍ତ କରିଥିଲା। ତେବେ ପରିସ୍ଥିତି ସ୍ୱାଭାବିକ ଥିବାବେଳେ କୌଣସି ଅଘଟଣ ଘଟି ନଥିବା ଏବଂ ଅତ୍ୟନ୍ତ ଗରମ କାରଣରୁ ଏପରି ହୋଇଥାଏ ପାରେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରେ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ସୀତୀରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ କରିଛି। କ୍ଲବର ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ, ଭାଗିରଥି ସ୍ୱାଇଁ ଙ୍କ ସମେତ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଓ କ୍ୟାଡେଟ ମାନେ ସ୍ଥାନୀୟ କୁମ୍ଭୀରପଡା ଗ୍ରାମର ପୋଖରୀ ଚାରିପଟେ ବୃକ୍ଷ ରୋପଣ କରିଥିଲେ।

ଏହାପରେ ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ କ୍ୟାଡେଟ ମାନେ ବାଲୁଗାଁ ବଜାରରେ ଏକ ଶୋଭାଯାତ୍ରା କରିବାପରେ ଚିଲିକା କୂଳରେ ପ୍ଲାଷ୍ଟିକ ସଫେଇ କରିଥିଲେ। ଏହି ଅବସରରେ ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ରୋଟାରୀଆନ ଆଶୁତୋଷ ସାମନ୍ତସିଂହାର ଅତିଥିଭାବେ ଯୋଗଦେଇ ଏନସିସି କ୍ୟାଡେଟ ଓ ରୋଟାରୀଆନମାନଙ୍କୁ ଚିଲିକାର ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ ଚିଲିକାପାଇଁ ପରାମର୍ଶ ଦେଇଥିଲେ। ଏହାପରେ ବଡ଼କୁଳ ସ୍ଥିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ସିଧା ପ୍ରସାରଣରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ମା କାଳିଜାଈ ପୀଠ: ମିଳୁନି ପିଇବା ପାଣି, ପର୍ଯ୍ୟଟକ ହତାସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ।

ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ।

ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ ଉପରେ ସଦାସର୍ବଦା ନିର୍ଭର କରିଥାନ୍ତି ସ୍ଥାନୀୟ ବ୍ୟକ୍ତି।

ଉକ୍ତ ମନ୍ଦିରକୁ ଅନେକ ସମୟରେ କେତେ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ମାନେ ଦର୍ଶନ କରିବାକୁ ଯାଉଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା କାହାର ଦୃଷ୍ଟି ଗୋଚରରେ ଆସୁନଥିବା ସମସ୍ତଙ୍କୁ ଚକିତ କରିଛି।

ବହୁ କଷ୍ଟରେ ପାରିକୁଦ ରାଜା ସନ୍ତୋଷ ଦେଓଙ୍କ ସହାୟତା ଏବଂ ମନ୍ଦିର ପୂଜକ ଓ ଉଠା ଦୋକାନୀ ମାନଙ୍କ ପ୍ରୟାସରେ ଏଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ତାହା ଦୟନୀୟ ଅବସ୍ଥାରେ ପଡିରହିଛି।

ନୀଳ ଜଳରାଶିରେ ବୋଟିଂ ସାଙ୍ଗକୁ ପ୍ରକୃତିମୟୀ ଚିଲିକାର ମନଲୋଭା ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ସମେତ ସ୍ଥାୟୀ ବାସିନ୍ଦା ମନଭରି ଉପଭୋଗ କରିବାସହ ମା’ଙ୍କ ଦର୍ଶନ ନିମନ୍ତେ ଅହରହ ସମାଗମ ହେଉଥିଲେ ସୁଦ୍ଧା ଏଭଳି ସ୍ଥିତିରେ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

ନିଳାମ୍ବୁ ଚିଲିକା ପାଇଁ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ପୀଠର ଉନ୍ନତି ଦିଗରେ ବିଭିନ୍ନ ମସ୍ୟଜୀବୀ ସଂଘ,ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଟ୍ରେନ ସମ୍ମୁଖରେ ଡେଇଁ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପରିଚୟ ଜଣାପଡି ନାହିଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ଟ୍ରାକରେ ଠାବ ହୋଇଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ। ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବଟି ଜଣେ ପୁରୁଷଙ୍କ ବୋଲି ଜଣାପଡିଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ସଂନ୍ଧ୍ୟାରେ ବ୍ୟକ୍ତି ଜଣକ ପୁରୀ ଚେନ୍ନାଇ ଏକ୍ସପ୍ରେସ ଗଙ୍ଗାଧରପୁର ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଇଞ୍ଜିନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ବାଲୁଗାଁ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁରେ ଆରମ୍ଭ ହେଲା ସରକାରଙ୍କ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ବାଲୁଗାଁ: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି।

ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ।

ବାଲୁଗାଁର ନୂଆ ଖବର ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ: କାହିଁକି ବନ୍ଧା ହେଲେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ

ଆଜିର ଉଦଘାଟନୀ ସମାରୋହରେ ୨୭୬ ଟି ନୌକା ସୁରକ୍ଷା ଉପକରଣ ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୭ ହଜାର ଲାଇଫବଏ, ୩୫ ହଜାର ଲାଇଫ ଜ୍ୟାକେଟ, ୧୫୯୫ ଟି ଅଗ୍ନିନିରୋଧ ଉପକରଣ ପ୍ରଦାନ କରାଯିବ। ଏ ସବୁ ନୌକା ମାଲିକଙ୍କୁ ପଯ୍ୟାୟ କ୍ରମେ ପ୍ରଦାନ କରାଯିବ।

ଏହି ସମାରୋହରେ ପରିବହନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି।

ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ।

ଆଜିର ଉଦଘାଟନୀ ସମାରୋହରେ ୨୭୬ ଟି ନୌକା ସୁରକ୍ଷା ଉପକରଣ ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୭ ହଜାର ଲାଇଫବଏ, ୩୫ ହଜାର ଲାଇଫ ଜ୍ୟାକେଟ, ୧୫୯୫ ଟି ଅଗ୍ନିନିରୋଧ ଉପକରଣ ପ୍ରଦାନ କରାଯିବ। ଏ ସବୁ ନୌକା ମାଲିକଙ୍କୁ ପଯ୍ୟାୟ କ୍ରମେ ପ୍ରଦାନ କରାଯିବ।

ଏହି ସମାରୋହରେ ପରିବହନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରମୁଖ ଯୋଗ ଦେଇଥିଲେ।