ବାଲୁଗାଁ: ପବିତ୍ର ଗୋପାଷ୍ଟାମୀ ଅବସରରେ ମା’ ବନଦୁର୍ଗା ଗୋଶାଳାରେ ଗୋ ପୂଜନ ଏବଂ ଯଜ୍ଞ ଅନୁଷ୍ଠିତ

Published: Nov 20, 2023, 8:06 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ଗୋପାଷ୍ଟାମୀ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୋଲାରୀଠାରେ ମା’ ବନଦୁର୍ଗା ଗୋଶାଳାରେ ଗୋ ପୂଜନ ଏବଂ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ପ୍ରଦୀପ ଜେନା, ବଜରଙ୍ଗ ଦଳର ସଦସ୍ୟ ରଞ୍ଜିତ ବଡ଼ଜେନା, ସୁବ୍ରତ ମାନ୍ଧାତା ଏବଂ ସମନ୍ତସିଂହାର ପୁର ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋଲରୀ ପାହାଡ ପାଦଦେଶରେ ପ୍ରାକୃତିକ ସୁନ୍ଦର ପରିବେଶରେ ଏକ ବର୍ଷ ହେଲା ଏହି ଗୋଶାଳା ନିର୍ମାଣ ହୋଇଥିବା ବେଳେ ଏଠାରେ ପ୍ରାୟ ୧୫୦ ଗୋମାତାଙ୍କର ସେବା କରାଯାଉଛି। ସମନ୍ତସିଂହାର ପୁର ଗ୍ରାମବାସୀ, ବଜରଙ୍ଗ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି।

କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି। ତେଣୁ ମାନବ ସମାଜର ମଙ୍ଗଳ ପାଇଁ ଆମେ ଗୋମାତାଙ୍କ ସୁରକ୍ଷା ଏବଂ ସେବା ଦିଗରେ କାର୍ଯ୍ୟ କରୁଛି ବୋଲି ବଜରଙ୍ଗ ଦଳର ସଦସ୍ୟ ରଞ୍ଜିତ ବଡଜେନା କହିଛନ୍ତି।

Related posts