Categories
ବିଶେଷ ଖବର

ବଲାଙ୍ଗୀର ନିର୍ବାଚନ, ଦୁଇଟି ପରିବାରର ରାଜନୈତିକ ସ୍ଵାର୍ଥ ଆଗରେ ବନ୍ଧା ପଡିଛି ଦୁଇଟି ଜିଲ୍ଲାର ଭାଗ୍ୟ

କେଦାର ମିଶ୍ର

ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ ମୁଦି ମାହାଲ ହୋଇ ରହି ଆସିବା, ଆମ ଗଣତନ୍ତ୍ର ପକ୍ଷେ ଆଦୌ ଶୁଭଂକର ନୁହେଁ। କିନ୍ତୁ ବଲାଙ୍ଗୀର ର ରାଜନୈତିକ ବାସ୍ତବତାକୁ  ଦେଖି ଏକଥା ଆମକୁ ସ୍ଵୀକାର କରିବାକୁ ପଡିବ ଯେ, ପରିବାରବାଦରୁ ମୁକୁଳିବାର ଲୋକସୂତ୍ର ବଲାଙ୍ଗୀର ଆଜି ମଧ୍ୟ ଖୋଜିପାଉନାହିଁ।

ଗତ ୨୧ ବର୍ଷ ଧରି ବଲାଙ୍ଗୀରର ପ୍ରାକ୍ତନ ରାଜପରିବାର ହାତରେ ବଲାଙ୍ଗୀର ଲୋକସଭା ଆସନ ରହିଆସିଛି। ୧୯୯୮ ରୁ ଏଠାରୁ ସଂଗୀତା ସିଂ ଦେଓ ତିନିଥର ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଜିଣିଥିବା ବେଳେ ୨୦୦୯ ଓ ୨୦୧୪ ନିର୍ବାଚନରେ କଳିକେଶ ନାରାୟଣ ସିଂ ଦେଓ ଜିଣିଛନ୍ତି। ଏଥର ମଧ୍ୟ ଦିଅର –ଭାଉଜଙ୍କ ଭିତରେ ପୁନଶ୍ଚ ପ୍ରତିଯୋଗିତା ହେଉଛି। ତେବେ ରାଜା ପରିବାରର ପ୍ରତିଦ୍ବନ୍ଦ୍ବୀ ଭାବରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ମଇଦାନ ରେ ଅଛନ୍ତି। ଗତ ନିର୍ବାଚନରେ କଳିକେଶ ସଙ୍ଗୀତାଙ୍କଠାରୁ ୧,୦୪,୨୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କଳିକେଶ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ପ୍ରାୟ ୯୦ ହଜାର ଭୋଟରେ ଜିତିଥିଲେ। ବଲାଙ୍ଗୀରରେ ତୀବ୍ର ତ୍ରିମୂଖୀ ଲଢେଇ ଥିବା ଯୋଗୁଁ, ଯେଉଁ ପ୍ରାର୍ଥୀ ସାଢେ ତିନ ଲକ୍ଷ ଭୋଟ ପାଇପାରିବେ, ତାଙ୍କ ବିଜୟ ସହଜ ହୋଇଯିବ।

ଗତ ନିର୍ବାଚନରେ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଓ ପାଟଣାଗଡରେ ବିଜେପି ବିଜୟଲାଭ କରିଥିଲେ। ଏଥର ବିଜେଡି ସେଇ ସମାନ ସଂଖ୍ୟକ ଆସନ ହାସଲ କରିପାରିବ କି? ବୀରମହାରାଜପୁର ଓ ସୋନପୁରରେ ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ ତଥା ପଦ୍ମନାଭ ବେହେରାଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲେ ହେଁ, ବିଜେପିର ଅସନ୍ତୁଷ୍ଟ  ପ୍ରାର୍ଥୀ ଭାବରେ ସୋନପୁରରେ ନବକୃଷ୍ଣ ଦନ୍ତା ଏବଂ ବୀରମହାରାଜପୁରରେ ଆନନ୍ଦ ବାରିକ ଏକ ବଡ ଭୋଟ ଖାଇଯିବେ। ଏହାହିଁ ବିଜେଡି ଲାଗି ସୁବିଧା ଓ ବିଜେପି ଲାଗି ସବୁଠୁ ବଡ ଅସୁବିଧା ହେବାକୁ ଯାଉଛି। ବଲାଙ୍ଗୀରରେ ଏଥର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସ୍ଥିତି ସାମାନ୍ୟ ଦୁର୍ବଳ ହୋଇଛି। ସବୁ ଆସନରେ ତୀବ୍ର ତ୍ରିମୂଖୀ ଲଢେଇ ଓ ସବୁ ଆସନରେ କଂଗ୍ରେସର ଭଲ ଭୋଟ ରହିଥିବା କାରଣରୁ, ଏହା ବିଜେଡ଼ିକୁ ଲାଭ ଦେଇପାରେ।

ଓଡିଶାରେ ଯେତେଦିନ ପର୍ୟନ୍ତ ତ୍ରିମୂଖୀ ଲଢେଇ ରହିବ, ସେତେଦିନ ଯାଏ ଏହା ବିଜେଡି ପକ୍ଷରେ ସୁବିଧାଜନକ ସ୍ଥିତି ତିଆରି କରୁଥିବ। ବିଜେଡି ବିପକ୍ଷରେ କଂଗ୍ରେସ ଓ ବିଜେପି ଭୋଟର ଧୃବୀକରଣ ହେଲେ ଯାଇ ବିଜେଡ଼ିର ପରାଜୟ ସମ୍ଭବ। ବଲାଙ୍ଗୀରରେ ବିଜେଡ଼ିର ଏହି ସମୀକରଣ ଆଜି ମଧ୍ୟ ବଳବତ୍ତର ରହିଛି। ବିଜେପି କେବଳ ପାଟଣାଗଡ ବିଧାନସଭା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କେଉଁଠି ନିଜର ପ୍ରଭାବ ବିସ୍ତାର କରିପାରୁନାହିଁ। ଚଳିତ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ବିଜେପିର ସଂଗଠନ ସୁଦୃଢ ରହିଥିଲା। ତେବେ ଭୁଲ ପ୍ରାର୍ଥୀ ଚୟନ କାରଣରୁ ବିଜେପିର ଦୁଇ ଟାଣୁଆ ନେତା ଏବେ ବିଜେପିର ଭୋଟ ବିଭାଜିତ କରୁଛନ୍ତି।

ଟିଟିଲାଗଡ ଆସନରେ ମଧ୍ୟ ଏଥର ବିଜେଡ଼ିର ବାଟ ସୁଗମ ମନେ ହେଉନାହିଁ। ୨୦୧୪ ନିର୍ବାଚନ ପରି ଏଥର ବିଜେଡି ଲାଗି ବଲାଙ୍ଗୀର ଆଦୌ ସହଜ ନୁହେଁ। ଗତଥର କେବଳ ସୋନପୁର ଓ ବୀର ମହାରାଜପୁରରୁ କଳିକେଶ ୭୦ ହଜାର ଅଧିକ ଭୋଟ ପାଇଥିଲେ। ଏଥର ତାହା ସହଜ ଲାଗୁ ନାହିଁ। କଂଗ୍ରେସ କେତେ ଭୋଟ ପାଉଛି, ତାରି ଉପରେ ବିଜେଡ଼ିର ବିଜୟ ନିର୍ଭର କରିବ।

ତେବେ ପୁଣି ସେ ପରିବାରବାଦ ପ୍ରସଙ୍ଗକୁ ଆମେ ଫେରିବା। ବଲାଙ୍ଗୀର ରାଜନୀତିରୁ ପରିବାରବାଦର ଏ ଅକ୍ଟୋପାସ ପଞ୍ଝା କେବେ ହୁଗୁଳା ହେବ ? ବଲାଙ୍ଗୀର ର ଭୋଟର ପରିବାର ର ସୀମା ଟପି ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିକଳ୍ପ ଭାବରେ କେବେ ବାଛିବେ ?

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta ଆପ୍, ସ୍କ୍ରିନ କୁ ଆଙ୍ଗୁଠିରେ ଘଷି ଗୋଟିଏ ପରେ ଗୋଟିଏ ଖବର ପଢି ଚାଲନ୍ତୁ)