Categories
ଆଜିର ଖବର ଜାତୀୟ ଖବର

ଆଇଓସି ର 141ତମ ଅଧିବେଶନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 14 ଅକ୍ଟୋବର 2023 ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ 141 ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ।

ଆଇଓସି ଅଧିବେଶନ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ର ସଦସ୍ୟମାନଙ୍କର ଏକ ପ୍ରମୁଖ ବୈଠକ ଭାବରେ କାର୍ଯ୍ୟ କରେ। ଅଲିମ୍ପିକ୍ ଖେଳର ଭବିଷ୍ୟତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଇଓସି ଅଧିବେଶନରେ ନିଆଯାଏ। ଭାରତ ଦ୍ୱିତୀୟ ଥର ପାଇଁ ଏବଂ ପ୍ରାୟ 40 ବର୍ଷର ବ୍ୟବଧାନ ପରେ ଆଇଓସି ଅଧିବେଶନ ଆୟୋଜନ କରୁଛି। 1983 ରେ ନୂଆଦିଲ୍ଲୀରେ ଆଇଓସି ର 86ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଭାରତରେ ଅନୁଷ୍ଠିତ 141ତମ ଆଇଓସି ଅଧିବେଶନରେ ବିଶ୍ବର ସହଯୋଗ ବୃଦ୍ଧି, କ୍ରୀଡ଼ାର ଉତ୍କର୍ଷତା ତଥା ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷର ଅଲିମ୍ପିକ୍ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ଦେଶର ଉତ୍ସର୍ଗୀକୃତ ହୋଇଛି। ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ହିତାଧିକାରୀଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଜ୍ଞାନର ଆଦାନ ପ୍ରଦାନ ପାଇଁ ଏହା ଏକ ସୁଯୋଗ ପ୍ରଦାନ କରେ।

ଏହି ଅଧିବେଶନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଶ୍ରୀ ଥୋମାସ୍ ବାଚ୍ ଏବଂ ଆଇଓସିର ଅନ୍ୟ ସଦସ୍ୟମାନେ, ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସମେତ ବିଭିନ୍ନ କ୍ରୀଡା ଫେଡେରେଶନର ପ୍ରତିନିଧୀମାନେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଆଇଓସି ସଭାପତି ଥୋମାସ ବାକ୍ ଙ୍କୁ ଭାରତୀୟ ପରମ୍ପରାରେ ସ୍ୱାଗତ କଲେ ନୀତା ଅମ୍ବାନି

ନୂଆଦିଲ୍ଲୀ: ଅକ୍ଟୋବର ୧୫-୧୭ ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ଅଲମ୍ପିକ୍ କମିଟିର ୧୪୧ ତମ ଅଧିବେଶନ ପୂର୍ବରୁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍ ମଙ୍ଗଳବାର ସନ୍ଧ୍ୟାରେ ନୀତା ଅମ୍ବାନି ଏବଂ ମୁକେଶ ଅମ୍ବାନିଙ୍କ ବାସଭବନରେ ଆତିଥ୍ୟ ଗ୍ରହଣ କରିଛନ୍ତି। ଏହି ଅବସରରେ ନୀତା ଅମ୍ବାନି ଭାରତୀୟ ପରମ୍ପରାରେ ଶ୍ରୀ ବାକ୍ ଙ୍କୁ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀମତୀ ନୀତା ଅମ୍ବାନି ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ରେ ପ୍ରଥମ ଭାରତୀୟ ମହିଳା ସଦସ୍ୟ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷାର ପ୍ରସାର ପାଇଁ ଆଇଓସି ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ମୁମ୍ବାଇ: ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍‌ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। କ୍ରୀଡ଼ା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବାର ମିଳିତ ପ୍ରାଥମିକତାକୁ ଏହି ବୁଝାମଣା ପ୍ରତିଫଳିତ କରୁଛି।

ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପ୍ (ଅର୍ଏଫ୍‌ୱାଇସି) ପରିଦର୍ଶନ ଅବସରରେ ଆଇଓସି ସଭାପତି ଥୋମାସ ଥମାସ୍ ବାକ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ଏହି ନୂଆ ସହଯୋଗିିତା ଉପରେ ସହମତ ହୋଇଛନ୍ତି। ଏହି ଅବସରରେ ସଭାପତି ବାକ ଓ ନୀତା ଅମ୍ବାନି ପରସ୍ପର ମଧ୍ୟରେ ଓଭିଇପି ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧିତ୍ୱ କରୁଥିବା ପତାକା ଆଦାନ ପ୍ରଦାନ କରିବା ସହିତ ଏକ ନୂଆ ଅଲିମ୍ପିକ ମୂଲ୍ୟବୋଧ ସଂକଳ୍ପ ପ୍ରାଚୀରରେ ଛାତ୍ରଛାତ୍ରୀମାନେ ନିଜ ପାପୁଲି ଚିହ୍ନ ଛାପିଥିଲେ।

ଏହି ଅବସରରେ ଆଇଓସିର ସଭାପତି ଥମାସ୍ ବାକ କହିଛନ୍ତି ଯେ, “ଯୁବବର୍ଗଙ୍କ ଜୀବନରେ ପରିବର୍ତନ ଆଣିବାର ଶକ୍ତି କ୍ରୀଡ଼ା ପାଖରେ ରହିଛି। ଓଭିଇପି କାର୍ଯ୍ୟକାରିଣୀ ସହଯୋଗୀ ଭାବେ ଯୋଗ ଦେବା ପାଇଁ ଆମେ ରିଲାଏନ୍ସ ଫାଉଣ୍ଡେସନକୁ ଆମନ୍ତ୍ରଣ କରୁଛୁ ଏବଂ ପ୍ରଥମେ ମୁମ୍ବାଇ ଓ ପରେ ସାରା ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରଚାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ସମ୍ମାନ, ବନ୍ଧୁତା, ଖେଳୁଆଡ଼ ମନୋଭାବ ଏବଂ ଏକତା ହେଉଛି ସେହି ମୂଲ୍ୟବୋଧ ଯାହା ଦ୍ୱାରା ଯୁବବର୍ଗ ଲାଭବାନ ହେବା ସହ ନିଜ ଜୀବନରେ ତାହାକୁ ସାମିଲ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତଙ୍କ ସହ ଏକତା ବଜାୟ ରଖିବା।

ଅଲମ୍ପିକ୍ ଲକ୍ଷ୍ୟ-ଦ୍ରୁତ, ଉଚ୍ଚ ଓ ଦୃଢ଼-ଏକତାରେ ସାମିଲ କରାଯାଇଥିବା “ଏକାଠି’ ଶବ୍ଦ ସେହି ଏକତାକୁ ପ୍ରତିଫଳିତ କରୁଛି। ଓଭିଇପି କାର୍ଯ୍ୟକ୍ରମ ଜରିଆରେ ଆମେ ସମସ୍ତ ପିଲା ଓ ଯୁବପିଢ଼ି, ବିଶେଷ କରି ଯେଉଁମାନେ ସାଧାରଣତଃ କ୍ରୀଡ଼ା କିମ୍ବା ଏକ ସୁସ୍ଥ ଜୀବନଶୈଳୀ ପାଉନାହାନ୍ତି ସେଭଳି ଅନଗ୍ରସର ପିଲାଙ୍କ ପଖରେ ପହଞ୍ଚିବାକୁ ଚାହୁଛୁ।’’

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ଓଭିଇପି ପାଇଁ ଆଇଓସି ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ଫାଉଣ୍ଡେସନ ବେଶ ଉଲ୍ଲସିତ। ଓଭିଇପିରେ ଉଭୟ କ୍ରୀଡ଼ା ଓ ଶିକ୍ଷାର ସମନ୍ୱୟ ରହିଛି। ଏହି ସହଯୋଗିତା ଜରିଆରେ ଆମେ ଭାରତରେ ସ୍କୁଲ ଯାଉଥିବା ୨୫ କୋଟି ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିବାକୁ ଆଶା ରଖିଥିବା ବେଳେ ଭାରତର ଦୁର୍ଗମ ଗ୍ରାମ ଓ ଅଞ୍ଚଳଗୁଡ଼ିକରେ ପହଞ୍ଚି ସେମାନଙ୍କୁ ଏକ ଅଧିକ ଶୃଙ୍ଖଳିତ, ସୁସ୍ଥ, ଫିଟ୍ ଏବଂ ଏକ ସାମଗ୍ରିକ ଜୀବନଶୈଳୀର ବିକଳ୍ପ ପ୍ରଦାନ କରିବାକୁ ଚାହୁଛୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ ଏବଂ ଆମେ ସେମାନଙ୍କୁ ଶିକ୍ଷାର ଅଧିକାର ଏବଂ କ୍ରୀଡ଼ାର ଅଧିକାର ଦେବା ଆବଶ୍ୟକ।’’

ଏହି ଅବସରରେ ଆର୍ଏଫ୍‌ୱାଇସିର ଛାତ୍ରଛାତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ପରିଚାଳିତ ସ୍କୁଲ ଏବଂ ଏନ୍‌ଜିଓ ସହଯୋଗୀଙ୍କ ୧୦୦ରୁ ଅଧିକ ପିଲା ଏକାଠି ହୋଇ ଖେଳରେ ଭାଗ ନେଇଥିଲେ। ଖୋ-ଖୋ, ଗଲି କ୍ରିକେଟ୍ ଓ ମାଲଖମ୍ବରେ ସେମାନେ ଉଭୟ ଆଧୁନିକ ଓ ପାରମ୍ପରିକ ଭାରତୀୟ କ୍ରୀଡ଼ାରେ ଅଲମ୍ବିକ୍ ମୂଲ୍ୟବୋଧକୁ ପ୍ରଦର୍ଶିତ କରିଥିଲେ।

ଓଭିଇପି ହେଉଛି ଅଲମ୍ପିକ୍ ମ୍ୟୁଜିୟମ୍‌ର ଏକ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ଶାରିରୀକ କାର୍ଯ୍ୟକଳାପ ଜରିଆରେ ସାରା ବିଶ୍ୱରେ ଉତ୍ତମ ସ୍ୱାସ୍ଥ୍ୟ, ସାମାଜିକ ଲାଭ ଓ କ୍ରୀଡ଼ାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା। ୨୦୨୨ରେ ଭାରତରେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହଯୋଗରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହୋଇଥିଲା। ଓଭିଇସି ହେଉଛି ଆଇଓସିର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଯାହାକୁ ଭାରତରେ କାର୍ଯ୍ୟକାରି କରାଯାଇଛି। କାର୍ଯ୍ୟକାରି ହେବାର ଛଅ ମାସ ମଧ୍ୟରେ ଓଡ଼ିଶାର ସ୍କୁଲ ଗୁଡିକରେ ବିଶେଷ କରି ଛାତ୍ରୀମାନଙ୍କ କ୍ରୀଡ଼ାରେ ଉପସ୍ଥାନ ଓ ଅଂଶଗ୍ରହଣ ବୃଦ୍ଧି ପାଇଛି। ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ବର୍ଷରେ ଚାଲିଥିବା ବେଳେ ୭୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୩୫୦ରୁ ଅଧିକ ସ୍କୁଲର ୨,୫୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି ଏବଂ ଆସାମକୁ ସମ୍ପ୍ରସାରଣ କରାଯାଇଛି। ପୂର୍ଣ୍ଣ ଭାବେ ଲାଗୁ ହେବା ପରେ ଓଭିଇପିରେ ଦେଶର ୨୯ କୋଟି ପିଲା ସାମିଲ ହେବେ ବୋଲି ଆଶା କରାଯାଉଛି।

ଆଇଓସି ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ତିନିଟି ବିଷୟ ଉପରେ ଗୁରୁତ୍ୱାରୋପ କରିବେ। ତାହା ହେଉଛି ଅଲମ୍ପିକ୍ ଓ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବା ଏବଂ ବ୍ୟବହାରରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଚୟନ ହୋଇଥିବା ସ୍କୁଲ୍‌ରେ ଗ୍ରେଡ୍ ଭିତ୍ତିକ କାର୍ଯ୍ୟକଳାପ; କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ଓ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ଯେଉଁଥିରେ ଶାରିରୀକ କାର୍ଯ୍ୟକଳାପର ପ୍ରସାର କରାଯିବ ଓ ଅଲିମ୍ପିକ୍ ମୂଲ୍ୟବୋଧ ବିଷୟରେ ଆଲୋଚନା କରାଯିବ। ଏହା ବ୍ୟତୀତ କ୍ରୀଡ଼ା ଓ ଶିକ୍ଷା କାର୍ଯ୍ୟକ୍ରମଗୁଡିକରେ ଭାବ ବିନିମୟ ଗେମ୍‌, କୁଇଜ୍ ଓ କର୍ମଶାଳା ଜରିଆରେ ଅଲମ୍ପିକ ମୂଲ୍ୟବୋଧକୁ ନେଇ ଅଧିକ ସଚେତନତା ସୃଷ୍ଟି କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଆଇଓସିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ ଉପସ୍ଥାପନା

ମୁମ୍ବଇ: ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଆଗାମୀ ବୈଠକ ମୁମ୍ବଇର ‘ଜିଓ ୱାର୍ଲଡ କନଭେନ୍‌ସନ ସେଂଟର’ରେ ଅନୁଷ୍ଠିତ ହେବ। ୨୦୨୩ରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଆୟୋଜନ ସ୍ଥଳକୁ ନେଇ ହୋଇଥିବା ମତଦାନରେ ଭାରତକୁ ବୈଧ ୭୬ ମତ ମଧ୍ୟରୁ ୭୫ ଜଣଙ୍କ ସମର୍ଥନ ମିଳିଛି। ବହୁମତ ହାସଲ ସହିତ ଏହି ଅଧିକାର ଜିତିବା ପରେ ଆଇଓସି (ଆନ୍ତର୍ଜାତିକ ଅଲିମ୍ପିକ କମିଟି) ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଏହା ଭାରତ ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି କହିଛନ୍ତି।

ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ନୀତା ଅମ୍ବାନି ଆଇଓସିର ଆଗାମୀ ବୈଠକ ଭାରତରେ ଆୟୋଜନ କରିବା ନେଇ ଜୋର୍‌ଦାର ଦାବି ଉପସ୍ଥାପନ କରିଥିଲେ। ଆଇଓସି ସଦସ୍ୟବୃନ୍ଦଙ୍କୁ ସେ କହିଥିଲେ ଯେ, “ଭବିଷ୍ୟତରେ ଯୁବ ଅଲିମ୍ପିକ ଏବଂ ଅଲିମ୍ପିକ କ୍ରୀଡା ଭାରତକୁ ଆଣିବା ଆମର ସ୍ୱପ୍ନ। ଆମେ ଚାହୁଁଛୁ ଯେ ବିଶ୍ୱର ସବୁଠାରୁ ଯୁବରାଷ୍ଟ୍ର ଭାରତର ଯୁବପିଢି ଅଲିମ୍ପିକର ଭବ୍ୟତା ଏବଂ ବିଶାଳତାକୁ ଅନୁଭବ କରନ୍ତୁ। ଆମେ ଏହି ପ୍ରୟାସକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁଛୁ।”

ଆଇଓସିର ବାର୍ଷିକ ବୈଠକ ଆୟୋଜନ ସୁଯୋଗ ଭାରତକୁ ମିଳିବାରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଅଲିମ୍ପିକ ଅଭିଯାନ ୪୦ ବର୍ଷ ପ୍ରତୀକ୍ଷା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଛି। ୨୦୨୩ରେ ମୁମ୍ବଇରେ ଆଇଓସିର ଅଧିବେଶନ ଆୟୋଜନ କରିବାର ସମ୍ମାନ ଭାରତକୁ ପ୍ରଦାନ କରିଥିବାରୁ ମୁଁ ଆନ୍ତର୍ଜାତିକ ଅଲିମ୍ପିକ କମିଟି ନିକଟରେ କୃତଜ୍ଞ। ଏହା ଭାରତୀୟ କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରାଇବ।” ୨୦୨୩ ଅଲିମ୍ପିକ ଅଧିବେଶନ ଅବସରରେ ବଂଚିତ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡା ବିକାଶ କାର୍ଯ୍ୟକ୍ରମସମୂହର ଏକ ଶୃଙ୍ଖଳା ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ।

ଭାରତୀୟ ପ୍ରତିନିଧିମଣ୍ଡଳୀରେ ନୀତା ଅମ୍ବାନିଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରାକେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବନ୍ଧୁକ ଚାଳନା (ସୁଟିଂ) ରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ପ୍ରମୁଖ ସାମିଲ ଥିଲେ। ବେଜିଂରେ ଚାଲିଥିବା ଆଇଓସିର ବାର୍ଷିକ ଅଧିବେଶନରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଭର୍ଚୁଆଲ ମାଧ୍ୟମରେ ଆଗାମୀ ବୈଠକ ଭାରତରେ ଆୟୋଜନ ସପକ୍ଷରେ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଭାରତରେ ଚାରି ଦଶନ୍ଧି ପରେ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଅଧିବେଶନ ଆୟୋଜନ କରାଯିବ।

ଏହା ପୂର୍ବରୁ ୧୯୮୩ରେ ଶେଷଥର ପାଇଁ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଥିଲା। ଆଇଓସି ଅଧିବେଶନରେ ଆଇଓସିର ସଦସ୍ୟଗଣ ଅଲିମ୍ପିକ ଚାର୍ଟର ଏବଂ ଅଲିମ୍ପିକ ଆୟୋଜନକାରୀ ସହର ମନୋନୟନ ଆଦି ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତି।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା ଏକ ବିବୃତିରେ କହିଛନ୍ତି ଯେ, “ମୁଁ ଶ୍ରୀମତୀ ନୀତା ଅମ୍ବାନିଙ୍କୁ ତାଙ୍କର ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ତଥା ମୋର ସମସ୍ତ ଆଇଓସି ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି। ଆସନ୍ତା ବର୍ଷ ମୁମ୍ବଇରେ ଆପଣଙ୍କୁ ଅପେକ୍ଷା କରିବୁ। ଏହା ଭାରତର କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ। ଆମେ ଚାହୁଁଛୁ ଯେ ଅଲିମ୍ପିକ ଆନ୍ଦୋଳନ ଆମର ଆଗାମୀ ପିଢିର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁ। ୨୦୨୩ରେ ମୁମ୍ବଇକୁ ସ୍ମରଣୀୟ ଆଇଓସି ଅଧିବେଶନ ଆୟୋଜନ ସୁଯୋଗ ପ୍ରଦାନ ଭାରତର ନୂଆ କ୍ରୀଡା କ୍ଷମତାକୁ ପ୍ରଦର୍ଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେବ।”