Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆଭାଷା ଉପରେ ଝାଡଖଣ୍ଡ ଓ ଆନ୍ଧ୍ରର ଆକ୍ରମଣ: ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ଦିଆଯାଇଥିଲା। ୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖରୁ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁ ଭାଷାକୁ ୨ୟଃ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର କଥା ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁଭାଷାର ୨ୟଃ ମାନ୍ୟତା ବଜାୟ ରହିଥିଲା ବେଳେ ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଆଭାଷାକୁ ୨ୟଃ ଭାଷା ମାନ୍ୟତା ତାଲିକାରୁ ସେଠାକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଦ୍ ଦେଇଛନ୍ତି।

ଏହା ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ଭିତରେ ତୀବ୍ର ପ୍ରତିକ୍ର୍ରିୟା ସୃଷ୍ଟି କରିଛି ଏବଂ ସେମାନେ ଏହାର ପ୍ରତିବାଦ ମଧ୍ୟ କରୁଛନ୍ତି। କିନ୍ତୁ ଦୁଃଖର କଥା ସବୁ ପ୍ରତିବାଦ ସତ୍ତ୍ୱେ ମଧ୍ୟ ଝାଡ଼ଖଣ୍ଡ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି କି ଓଡ଼ିଆଭାଷାକୁ ପୁନଶ୍ଚ ତାର ସମ୍ମାନଜନକ ସ୍ଥାନ ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ଏହା କେବଳ ସେଠାକାର ଓଡ଼ିଆ ଭାଷାଭାଷୀମାନଙ୍କର ଦାବି ଓ ଆନ୍ଦୋଳନ ନୁହେଁ, ଏହା ସମସ୍ତ ଓଡ଼ିଆ ଭାଷାଭାଷୀମାନଙ୍କର ମନର କଥା। ତେଣୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ଓଡ଼ିଆଭାଷାକୁ ୨ୟଃ ରାଜ୍ୟ ଭାଷାର ମାନ୍ୟତା ପୁନଶ୍ଚ ଝାଡ଼ଖଣ୍ଡ ସରକାର କିଭଳି ପ୍ରଦାନ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସେହିଭଳି ବାତ୍ୟା ‘ଗୁଲାବ’ ଆତଙ୍କରେ ଯେତେବେଳେ ଓଡ଼ିଶାବାସୀ ତଥା କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଥିଲେ ତାହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ଲିଖିତ ନାମଫଳକ ଲଗାଇ ଦେଇଛି। ବାତ୍ୟା ଜନିତ ବର୍ଷା ଯୋଗୁ ଗମନାଗମନ କୋଟିଆ ଅଞ୍ଚଳକୁ ବ୍ୟାହତ ହୋଇଥିଲା ବେଳେ ଆନ୍ଧ୍ରର ଏହି ଚୋରା ପଦକ୍ଷେପ ଓଡ଼ିଆଭାଷା ଉପରେ ଏକ ଚରମ ଆକ୍ରମଣ। ଗୋଟିଏ ଦିଗରେ ଓଡ଼ିଶାର ଭୂଗୋଳକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଷଡ଼ଯନ୍ତ୍ର ଏବଂ ଅନ୍ୟ ଦିଗରେ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆନ୍ଧ୍ରର ଏହି ଆକ୍ରମଣ ଅସହ୍ୟ ହେଲାଣି। ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାର ହସ୍ତକ୍ଷେପ କରି କୋଟିଆ ଓଡ଼ିଆଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଆଉ ଏକ ବାତ୍ୟା ‘ଗୁଲାବ’!: ଆସନ୍ତାକାଲି ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ, ୭ ଟି ଜିଲ୍ଲା ହେବେ ପ୍ରଭାବିତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ଯାରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’  ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଉଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ବାତ୍ୟା ଗତିକରୁଛି। ତୀବ୍ର ଅବପାତଟି ଗୋପାଳପୁର ଠାରୁ ୪୭୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି। କଳିଙ୍ଗପାଟନମ୍ ଠାରୁ ୪୭୦ କିଲୋମିଟର ପୂର୍ବରେ ରହିଛି। ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମାହାପାତ୍ର ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ୭ ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବା ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସତର୍କ କରିଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହେବେ। ତେଣୁ ପ୍ରସ୍ତୁତି ରହିବା ପାଇଁ ଏହି ୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ସମୟରେ ପବନ ଅଳ୍ପ ବହିବା ସହିତ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରବିବାର ଏବଂ ସୋମବାର ଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୂତି ଆରମ୍ଭ କରିଦିଆଯାଇଛି। କିନ୍ତୁ ଏହି ୭ ଟି ଜିଲ୍ଲା ସହ ନୟାଗଡ ଜିଲ୍ଲାରେ ମଧ୍ୟ ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ କରାଯିବ। ମୋଟ ଓଡ୍ରାଫର ୪୨ ଟି ଏବଂ ଏନଡିଆରଏଫର ୨୪ ଟି ଟିମ ପ୍ରଭାବିତ ଜିଲ୍ଲାଗୁଡିକରେ ମୁତୟନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ଦିଆଗଲା ସର୍ବାଧିକ ସଂଖ୍ୟକ ଟୀକା: ଗୋଟିଏ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟୀକା ଦେଇ ଆନ୍ଧ୍ରପ୍ରଦେଶ କଲା ରେକର୍ଡ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ସାରା ଦେଶରେ ଟୀକାକରଣ ପ୍ରକ୍ରିୟାର ଗତିକୁ ଦ୍ରୁତ କରାଯାଇଛି। ଆଜିଠାରୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ମୁକ୍ତରେ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ଟୀକା ପ୍ରସ୍ତୁତ କମ୍ପାନୀ ଠାରୁ କେନ୍ଦ୍ର ସରକାର ସିଧାସଳଖ ୭୫ ପ୍ରତିଶତ ଟୀକା କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୨୫ ପ୍ରତିଶତ ଟୀକା କିଣିବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ନିଜେ ଟୀକା କିଣି ରାଜ୍ୟ ସରକାରଙ୍କୁ ଦେବେ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟୀକା କିଣିବାକୁ କୁହାଯାଇଥିଲା। ତେବେ ଆଜି ପ୍ରଥମ ଦିନରେ ଟୀକାକରଣରେ ରେକର୍ଡ ସୃଷ୍ଟି କରିଛି। ଆଜି ପ୍ରଥମ ଦିନରେ ଦେଶରେ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାର ଦୈନିକ ୩ ଲକ୍ଷ ଟୀକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆନ୍ଧ୍ରପ୍ରଦେଶ ଆଜି ଏକ ରେକର୍ଡ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶ ଦେଶରେ ସର୍ବାଧିକ ଟୀକା ଦେଇଥିବା ରାଜ୍ୟ ଭାବେ ରେକର୍ଡ ସୃଷ୍ଟି କରିଛି। ଆଜି ଆନ୍ଧ୍ରପ୍ରଦେଶ ୧୦ ଲକ୍ଷରୁ ଅଧିକ ଟୀକା ଦେଇ ରେକର୍ଡ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତା ଦୁଇ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ: ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୨୪ ଘଣ୍ଟା ମଧ୍ୟରେ ଅପହୃତା ଦୁଇ ନାବାଳିକାଙ୍କୁ ଟାଙ୍ଗୀ ପୋଲିସ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି। ଏହାସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା କୁହୁଡି ଅଂଚଳର ୨ ଜଣ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ସେହି ଗାଁର ୨ ଜଣ ଯୁବକ ଅପହରଣ କରି ନେଇଥିଲେ। ଅପହରଣ ହୋଇଥିବା ନେଇ ପରିବାର ଲୋକେ ଗତ ୧ ତାରିଖରେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଉଭୟ ଅପହରଣକାରୀ ନାବାଳିକା ଦ୍ୱୟଙ୍କୁ ଟ୍ରେନରେ ଆନ୍ଧ୍ର ପ୍ରଦେଶ ନେଉଥିବା ପୋଲିସ୍ ଜାଣିବାକୁ ପାଇଥିଲା।

ତେଣୁ ଆନ୍ଧ୍ର ପୋଲିସ୍ ଓ ରେଳବାଇ ପୋଲିସ୍ ସହାୟତାରେ ନାଵାଳିକା ଦ୍ୱୟଙ୍କୁ ବିଶାଖାପାଟଣାମ୍ ନିକଟସ୍ଥ ଟୁନି ଷ୍ଟେସନରୁ ପୋଲିସ୍ ଉଦ୍ଧାର କରିଥିଲା। ଏହା ସହ ନାବାଳିକା ଅପହରଣ ଅଭିଯୋଗରେ ସୋରଣ ଗ୍ରାମର ୨ ଅପହରଣକାରୀ ଯୁବକ ଵିକ୍ରମ ନାୟକ ଓ ପ୍ରତାପ ବେହେରାଙ୍କୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଛି। ନାବାଳିକାଦ୍ୱୟଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର: କୋଟିଆରେ ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ନୋଟିସ କରିଛନ୍ତି। ଏହି ପ୍ରସଙ୍ଗରେ ଆନ୍ଧ୍ରର ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ।

କୋଟିଆର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ଏନେଇ ଓଡିଶା ସରକାର ବିରୋଧ କରିବା ସହ ଆନ୍ଧ୍ର ୧୯୬୮ ମସିହାର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା। ଏହି ମାମଲାରେ ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଅନୁରୋଧ କରିଥିଲା।

ତେବେ ଆଜି ଏହାର ଶୁଣାଣି କରି ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଶୁକ୍ରବାର ଦିନ ଏହାର ପରବର୍ତ୍ତୀ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗୋଦାବରୀ ଏବଂ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ଆମେ ହରାଇବୁ ନାହିଁ, ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ, ଗୋଦାବରୀ ଓ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ତେଲାଙ୍ଗାନା ହରାଇବାକୁ ଚାହେଁ ନାହିଁ। ଯେତେ ଯାହା କରିବାକୁ ହେଉ ପଛେ ତେଲାଙ୍ଗାନା ସରକାର କରିବାକୁ ପ୍ରସ୍ତୁତ। ଏ କଥା କହିଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗତକାଲି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି। ଏ ନେଇ ତେଲାଙ୍ଗାନାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ତୁରନ୍ତ କେନ୍ଦ୍ର ଉଚ୍ଚସ୍ତରୀୟ ବୈଠକ କରି ଏହା ନିଷ୍ପତି କରୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଆନ୍ଧ୍ର ପ୍ରଦେଶ ଦୁଇଭାଗ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟ ମଧ୍ୟରେ ନଦୀ ଜଳ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ ନଦୀ ଜଳ ଉପରେ ଆଧିପତ୍ୟ ବିସ୍ତାର କରୁଛି ବୋଲି ପୂର୍ବରୁ ତେଲାଙ୍ଗାନା କହିଆସୁଛି। ବର୍ତ୍ତମାନ ଏହାର ସମାଧାନ ନ ହେଲେ ତେଲାଙ୍ଗାନା ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଘୋଷଣା କରିଛି।

Categories
ଆଜିର ଖବର ଆଞ୍ଚଳିକ

ନିଜ ରାଜ୍ୟକୁ ଫେରିଲେ ବାଣପୁରରେ ଫଶି ରହିଥିବା ୨୭ ଜଣ ଫୁଲ ବିକାଳୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଲକ୍‌ଡାଉନ୍‌ ପାଇଁ ବାଣପୁରରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶରେ ଦୁଇ ଫୁଲ ବିକାଳୀଙ୍କ ପରିବାର ଆଜି ନିଜ ରାଜ୍ୟକୁ ଫେରିଛନ୍ତି। ଏହି ପରିବାରରେ ଶିଶୁଙ୍କ ସମେତ ୨୭ ଜଣ ସଦସ୍ୟ ରହିଥିଲେ। ସ୍ଥାନୀୟ ସାମ୍ବାଦିକ ସଂଘ ଚିଲିକା ରିପୋଟର୍ସ ଆସୋସିଏସନ୍ ଏବଂ ପ୍ରଶାସନର ସହଯୋଗ ଯୋଗୁଁ ଏହି ପରିବାର ନିଜ ରାଜ୍ୟକୁ ଫେରି ପାରିଛନ୍ତି। ଅପରପକ୍ଷରେ ନିକଟସ୍ଥ ନଚ୍ଛିପୁର ଇଟାଭାଟିରେ କାର୍ଯ୍ୟରତ ଥିବା ଝାଡଖଣ୍ଡ ରାଞ୍ଚିର ୭ ଜଣ ଶ୍ରମିକ ମଧ୍ୟ ପ୍ରଶାସନ ସହଯୋଗରେ ନିଜ ରାଜ୍ୟକୁ ଫେରିଛନ୍ତି।

ସୂଚନାଯୋଗ୍ୟ,  ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ଟେକିଲିମଣ୍ଡଳମ ଥାନା ଅନ୍ତର୍ଗତ ମୋପୁର କ୍ରସ ରୋଡ ଅଞ୍ଚଳର ପ୍ଲାଷ୍ଟିକ ଫୁଲ ବିକାଳୀମାନେ ପଞ୍ଚୁଦୋଳ ଓ ଲୋକମହୋତ୍ସବରେ ବ୍ୟବସାୟ କରିବାକୁ ବାଣପୁରକୁ ଆସିଥିଲେ। ମାତ୍ର କରୋନା ମୁକାବିଲା ପାଇଁ ଭାରତ ସରକାର ଲକ୍‌ ଡାଉନ୍‌ ଜାରି କରିବା ପରେ ଆନ୍ଧ୍ର ପ୍ରଦେଶରୁ ବାଣପୁର ଆସିଥିବା ପାଖାପାଖି ୨୭ ଜଣ ବାଣପୁର ଫସି ଯାଇଥିଲେ। ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାର ଓ ସାମ୍ବାଦିକମାନଙ୍କୁ ଆକୁଳ ନିବେଦନ କରି ଆସୁଥିଲେ। ଏହି ପରିବାରର ସମସ୍ୟାକୁ ନେଇ ଚିଲିକା ରିପୋର୍ଟସ୍‌ ଆସୋସିଏସନ୍‌ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆାଲ୍‌ ପ୍ରଶାସନିକ ସ୍ତରରେ ଜନଜାତି କଲ୍ୟାଣ ବିଭାଗ ଓ ଶ୍ରମ ଅଧିକାରୀଙ୍କ ଯୋଗାଯୋଗ କରି ୨୭ ଜଣ ସଦସ୍ୟଙ୍କୁ ସେମାନଙ୍କ ନିଜ ପ୍ରଦେଶ ଫେରିବା ପାଇଁ ଅନୁମତି ପତ୍ର ସଂଗ୍ରହ କରିଥିଲେ। ଆଜି ସନ୍ଧ୍ୟାରେ ଏକ ସ୍ବତନ୍ତ୍ରା ବସ୍‌ ଯୋଗେ ସରକାରୀ ନୀତି ନିୟମ ଅନୁଯାୟୀ ଏହି ଫୁଲ ବିକାଳୀମାନେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହି ପରିବାରର ମୁଖ୍ୟ ମୁଡ ଗୋବିନ୍ଦା ତହସିଲ୍‌ଦାର୍‌ ଓ ବିଜ୍ଞାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।