Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଖୋଲିବ “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ର’, ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ବଢ଼ି ଚାଲିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଓଡ଼ିଶାର ଯୁବପିଢ଼ି ତାଲିମ ନେଇ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏଥିରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଊଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ର ସେପ୍ଟେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସିଙ୍ଗାପୁରର ଆଇଟିଇଇଏସ୍ ସହଯୋଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ତା’ଛଡ଼ା ଅତ୍ୟାଧୁନିକ ଲାବୋରେଟୋରି ଏବଂ ଡିଜିଟାଲ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବା ସହ ଅନ୍ତର୍ଜାତୀୟ ମାନର ଉପକରଣ ଆଦି ଯୋଗାଇ ଦିଆଯିବ। ଫଳରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଏଆର୍‌, ଭିଆର୍ ଏବଂ ଏକ୍ସଆର୍ ଆଦି ବ୍ୟବହାରକରି ବିଭିନ୍ନ ବିଷୟରେ ତାଲିମ ନେବା ସହ ନିଜର ଜ୍ଞାନର ପରିସୀମାକୁ ବ୍ୟାପକ କରିପାରିବେ।

ଏହି “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ପ୍ରଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନିଙ୍ଗ ଅଫ୍ ଟ୍ରେନର୍ସ ବା ଟିଓଟି କାର୍ଯ୍ୟକ୍ରମ କରାଯିବ। ଏହି ଆଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କିପରି କରାଯାଇପାରିବ ସେନେଇ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି। ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି। ଆଇଟିଇଇଏସର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି।

ବୁଝାମଣାପତ୍ର ସ୍ୱାକ୍ଷର ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସଙ୍କ ସହିତ ଆଇଟିଇଇଏସ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ: ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ।

ଏ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ। ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ।

ଆଇଆଇଟି ମାଡ୍ରାସ- ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ଆଫ୍ରିକା ସହ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାରେ ଏହି ପଦକ୍ଷେପ ଏକ ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ଶିକ୍ଷା ନୀତି ଜ୍ଞାନକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ଅଂଶରେ ପରିଣତ କରିବା ସହିତ ବିଶ୍ୱର କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ମାର୍ଗ ପ୍ରଶସ୍ତ କରୁଛି।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱ ଦେଉଅଛି ଏବଂ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ଦିଗରେ ଗୁତୁତ୍ୱ ଦେଉଅଛି। ତାଞ୍ଜାନିଆ ଏବଂ ଭାରତ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଶିକ୍ଷାଗତ ଭାଗିଦାରୀର ସମ୍ପର୍କକୁ ଏକ ଦସ୍ତାବିଜରେ ସ୍ୱାକ୍ଷର କରି ଆନୁଷ୍ଠାନିକ ରୂପ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ତାଞ୍ଜାନିଆର ଭାରତ ହାଇକମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ (ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର  ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା  ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡ଼ିସିଆଇ ଇଂଟରନ୍ୟାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର: ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ। ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପିି ୱାର୍ଲଡର ଭାରତୀୟ ୟୁନିଟ୍‌, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଏମଓୟୁ ଦ୍ୱାରା ଉତରପ୍ରଦେଶର ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରକୁ ବିକଶିତ କରାଯିବ। ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‌, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି।

ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି। ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ। ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଏମଓୟୁ ସ୍ୱାକ୍ଷରିତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁଏଇର ଉଦ୍ୟମିତା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ଓ ୟୁଏଇର ପ୍ରତନିଧି ମଣ୍ଡଳିଙ୍କ ସହ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଓ ୟୁଏଇର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଭାରତ-ୟୁଏଇ ସଇପିଏକୁ ଆହୁରି ଶିଖରକୁ ନେବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା।

ଉଲ୍ଲେଖନୀୟ ଯେ, ଏନଏସଡ଼ିସି ଇଂଟରନ୍ୟାସନାଲର ନିର୍ଦ୍ଦେଶକ ଭେଦମଣି ତ୍ରିପାଠୀ ଓ ଡ଼ିପି ୱାର୍ଲଡର ସଭାପତି ତଥା ଏଚପିପିଏଲର ନିର୍ଦ୍ଦେଶକ ମହମ୍ମଦ ଅଲ୍ ମୁଲେମଙ୍କ ମଧ୍ୟରେ ଏମଓୟୁକୁ ପାରସ୍ପରିକ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ୟୁଏଇ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ପ୍ରମୁଖ ଉପସ୍ଥିତ ଥିଲେ।