Categories
ଆଜିର ଖବର ରାଜ୍ୟ ଖବର

ସନ୍ଥକବିଙ୍କ ବାଣୀ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସବୁବେଳେ ପ୍ରେରଣାର ଉତ୍ସ: ଧର୍ମେନ୍ଦ୍ର ପ୍ରଧାନ

କନ୍ଦର୍ପ ବେହେରା
ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି। ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ; ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି। ଭୀମଭୋଇଙ୍କ ରଚନା ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଛି। ସାମାଜିକ ଜୀବନରେ ନବଚେତନା ଆଣିଛି। ସମାଜରୁ ଜାତିପ୍ରଥା, ଛୁଆଁଅଛୁଆଁ ଭେଦ ଭାବ ଦୂର କରିବା, ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଲେଖନୀ ଚାଳନା କରିଥିଲେ। ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍‌କା ସାଥ୍‌, ସବ୍‌କା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି।

ଏହା ବାଦ୍ ଶ୍ରୀ ପ୍ରଧାନ ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ଉଭୟ ମନ୍ଦିରରେ କିଛି ସମୟ ବିତାଇ ପୂଜକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଏଠାରେ ସୂଚନା ଥାଉକି, ଦେବଗଡ଼ ଓ ରେଢାଖୋଲର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ। ରେଢାଖୋଲରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ ଶ୍ରୀ ପ୍ରଧାନ। ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ୟ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ଆମ ଗାଁ ଆମ ସାହିତ୍ୟ ଓ କୃଷ୍ଣଚନ୍ଦ୍ରପାଠାଗାରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ସଭାପତିତ୍ଵ କରିଥିବାବେଳେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ଡଃ. ନିଳାଦ୍ରୀଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ସୁସାହିତ୍ୟକ ପୂର୍ବତନ ମନ୍ତ୍ରୀ ଡ଼ାଦେବେନ୍ଦ୍ର ନାଥ ମାନସିଂ, ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ପ୍ରଫେସର ଡଃ ନୃସିଂହ ପ୍ରଧାନ, ଆଡ଼ଭୋକେଟ ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି, ଗାଳ୍ପିକ ଶିବ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ତ୍ରିପାଠୀଙ୍କ ସାରସ୍ଵତ ସୃଷ୍ଟିରେ ସରଳ ଗ୍ରାମ୍ୟ ଜୀବନର ଦୁଃଖ ଯନ୍ତ୍ରଣା ପ୍ରପୀଡ଼ିତ ମଣିଷର ନିଛକ ଚିତ୍ର ଚିତ୍ରଣ ସହିତ ମାନବିକ ମୂଲ୍ୟ ବୋଧର ଉଦବେଳନ କିପରି ତାଙ୍କ କବିତାକୁ ରସାଣିତ କରିଛି ବର୍ଣ୍ଣନା କରିବା ସହିତ ବୀର ପାଇକ ଜାତିର ଜାତୀୟତା ବୋଧ, ଦେଶାତ୍ମଭାବନା ପରାଧୀନ ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୃଷ୍ଟି କରିବାରେ କିପରି ପ୍ରେରଣା ଯୋଗାଇଛି ଏବଂ ତାହା ସହିତ ତାଙ୍କ ସାମଗ୍ରିକ କାବ୍ୟ ସମ୍ଭାର ଓଡ଼ିଆ ଭାଷା ଭଣ୍ଡାରକୁ ରୁଦ୍ଧିମନ୍ତ କରି ତାଙ୍କୁ କାବ୍ୟ ଜଗତରେ ଅତିବଡ଼ି ସମ୍ମାନରେ ସମ୍ମାନିତ କରିଛି ତାହା ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭାରମ୍ଭରେ ପଣ୍ଡିତ ପ୍ରସନ୍ନ ବିଗ୍ରହ ବେଦ ପାଠ କରିଥିବାବେଳେ କବି ଦେବାଶୀଷ ପଟ୍ଟନାୟକ ପାଇକ କବିଙ୍କ ସ୍ଵରଚିତ ଏହି ଯେ, ଦିଶୁଛି ଲାଲମାଟିର ଖୋର୍ଦ୍ଧା ଗଡ଼ ଆବୃତି କରିଥିଲେ। ଡଃ ନିଳାଦ୍ରୀଭୂଷଣ ହରିଚନ୍ଦନଙ୍କୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ବିଭୂତି ଭୂଷଣ ନନ୍ଦ, ଅଶୋକ ନନ୍ଦ, ଆନନ୍ଦ ଚନ୍ଦ୍ର ସେନାପତି, ଜ୍ୟୋତିର୍ମୟ ତ୍ରିପାଠୀ, ଅବନୀ ନନ୍ଦ ଏହାକୁ ପରିଚାଳନା କରିଥିବାବେଳେ ସଂପାଦକ ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବଦଳିଲେ ସଂସ୍କୃତି ବିଭାଗ ସଚିବ, ଉତ୍ତର ଓଡିଶା ଆରଡିସି ଭାବେ ଦିଆଗଲା ନିଯୁକ୍ତି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ବଦଳି କରିଦେଇଛନ୍ତି। ତାଙ୍କୁ ଉତ୍ତର ଓଡିଶା ଆରଡିସି କରି ବଦଳି କରାଯାଇଛି। ତାଙ୍କର ବଦଳି ପରେ ଏହି ବିଭାଗର ନିର୍ଦ୍ଦେଶକ ଥିବା ରଂଜନ କୁମାର ଦାସ ସଚିବ ଦାୟିତ୍ବରେ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସଂସ୍କୃତି ସଚିବ ଭାବେ ସୁରେଶ ଚନ୍ଦ୍ର ଦଳାଇ ଚଳିତ ବର୍ଷ ଜୁଲାଇରେ ଯୋଗ ଦେଇଥିଲେ। ମାତ୍ର 4 ମାସ କାମ କରିବା ପରେ ତାଙ୍କୁ ବଦଳି କରାଯାଇଛି। ଏହା ପୂର୍ବରୁ ରାଜସ୍ବ ଏବଂ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଦାୟିତ୍ବରେ ଥିଲେ। କିଛି ମାସ ପରେ ରାଜ୍ୟ ସରକାର ତାଙ୍କ ହାତରୁ ସଂସ୍କୃତି ବିଭାଗ କାଢି ନେଲେ।