Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟକ ଉତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପାଞ୍ଚଦିନିଆ ନାଟକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ଆଜିଠାରୁ ଶୁଭାରମ୍ଭ ହୋଇଛି। ଓଡ଼ିଶାର ପ୍ରବାଦପୁରୁଷ ଓ ସମାଜ ସଂସ୍କାରକଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ପ୍ରଦର୍ଶିତ କରାଯିବ।

ଏହି ନାଟକ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଉଦ୍‌ଘାଟନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରବାଦପୁରୁଷଙ୍କ କୃତି ଓ କୃତିତ୍ୱ ସଂପର୍କରେ ଯୁବପିଢ଼ି ଜାଣିବାର ସୁଯୋଗ ପାଇପାରିବା ସହ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରାଯାଇପାରିବ। ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଟକପ୍ରେମୀ ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ନାଟ୍ୟପ୍ରେମୀ, କଳାକାର ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ପ୍ରଥମ ଦିନରେ ନାଟକ ‘ଉତ୍କଳମଣି’ ପ୍ରଦର୍ଶିତ ହୋଇଛି। ଏହାକୁ ନାଟ୍ୟକାର ଶ୍ରୀ ପଞ୍ଚାନନ ଦାଶ ରଚନା କରିଥିବାବେଳେ ଶ୍ରୀ ଅତିଶ କୁମାର ଶତପଥୀ ନିର୍ଦ୍ଦେଶନା ଦେଇଛନ୍ତି । ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ଦ୍ୱାରା ଏହାକୁ ଉପସ୍ଥାପନ କରାଯାଇଥିଲା।

ମାଟି ଓ ମାତୃଭାଷା ପ୍ରୀତି ଜାଗରଣ କରି ଉତ୍କଳମାତାର ସନ୍ତାନ ଭାବେ ଗୋପବନ୍ଧୁଙ୍କ ପରି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଉତ୍କଳୀୟ ଭାବନାକୁ ପୁନରୁଥନ କରିବା ଥିଲା ଏହି ନାଟକର ଆଭିମୁଖ୍ୟ। ବିଭିନ୍ନ ଚରିତ୍ରରେ ନରେନ୍ଦ୍ର ବେହେରା, ଦଧିବାମନ ପଣ୍ଡା, ସୁବଳ ଚନ୍ଦ୍ର ବାଗ୍‌, ପ୍ଳାବନ ମିଶ୍ର, ଶୁଭମ୍‌ ମେହେର, ସଙ୍କେତ ପୁରୋହିତ, ଆଦିତ୍ୟ ସାହା, ସୁବ୍ରତ ଅମାତ, ଉମାଶିଷ ବାଗ୍‌, ରାହୁଲ ଗୁପ୍ତା, ରାହୁଲ ମହାନନ୍ଦ, ପଙ୍କଜିନୀ ମେହେର, ସୁମିତ୍ରା ମହାକୁଡ଼, ଆକାଂକ୍ଷା ଦଣ୍ଡସେନା, ଆରାଧ୍ୟା ଶତପଥୀ, ସ୍ୱସ୍ତିକ ପଣ୍ଡା, ସାଶ୍ୱତ ପଣ୍ଡା ପ୍ରମୁଖ ଅଭିନୟ କରିଥିବାବେଳେ ସଂଗୀତରେ ଗିରିଜା ଶଙ୍କର ମିଶ୍ର, ଘନଶ୍ୟାମ ମେହେର, ସୁମିତ ପ୍ରଧାନ ଓ ଶେ୍ୱତା ଦାଶ ପ୍ରମୁଖ ସହଯୋଗ କରିଥିଲେ।

ଆସନ୍ତାକାଲି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଉପରେ ‘ଶେଫାଳିର ମହକ’, ୭ ତାରିଖରେ ଜ୍ଞାନତପସ୍ୱୀ ବିନୋଦ କାନୁନଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନତପସ୍ୱୀ’, ୮ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ରାମାଦେବୀ ଚୌଧୁରୀଙ୍କ ଜୀବନୀ ଉପରେ ‘ରମାଦେବୀ’ ଏବଂ ୯ ତାରିଖରେ ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ‘ଆଦିକବି’ ପ୍ରଦର୍ଶିତ ହେବ।

Categories
ଆଜିର ଖବର ସଂସ୍କୃତି

ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ହେଲା ପାଲା ଓ ଦାସକାଠିଆ ଉତ୍ସବ

ଭୁବନେଶ୍ବର: ଓଡିଶାର ପାରଂପାରିକ କଳାର ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଚାଲିଛି ପ୍ରୟାସ। ସେହିକ୍ରମରେ ଗତକାଲି ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଆୟୋଜିତ ହୋଇଛି ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦାସକାଠିଆ ଓ ପାଲା ଉତ୍ସବ। ଏଥିରେ ବିରଞ୍ଚିନାରାୟଣ ତ୍ରିପାଠୀ, ରବିନାରାୟଣ ବେହେରା, ପ୍ରଜ୍ଞା ରାଉତ ଓ ମିନତି ସ୍ବାଇଁ ପ୍ରମୁଖ ଦାସକାଠିଆ ଓ ପାଲା ପରିବେଷଣ କରିଥିଲେ।

ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ଏହି ଉତ୍ସବରେ ଓଡିଶାର ଆଠ ଜଣ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ଏକାଡେମୀ ଉପସଭାପତି ଡ. ମନ୍ନଥ ଶତପଥୀ ଏବଂ ସଚିବ ପ୍ରବୋଧ ରଥ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି: ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ୮ମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗନଗର, ଘାଟିକିଆସ୍ଥିତ ବୃନ୍ଦାବନ ଗୁରୁକୁଳ ଆୟୋଜନରେ ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଙ୍ଗୀତ ମହୋତ୍ସବରେ ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆମର ଧର୍ମଶାସ୍ତ୍ର ସାମବେଦରେ ସୁନ୍ଦର ସଂଗୀତ ଗାନ କଥା କୁହାଯାଇଛି। ଯୁଗେ ଯୁଗେ ସଂଗୀତର ମହାତ୍ମ୍ୟ ରହିଆସିଛି। ବିଶ୍ୱରେ ସବୁଠାରେ ସଂଗୀତ ଭରି ରହିଛି। ସଂଗୀତର ସୀମା ନାହିଁ। ସଂଗୀତ ଦେଶର ଭୌଗୋଳିକ ସୀମା ସରହଦକୁ ଡେଇଁ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇପାରେ।

ନୈସର୍ଗିକ ସ୍ତରରେ ସଂଗୀତ ଅହରହ ଗାନ ହୋଇ ଚାଲିଛି। ସଂଗୀତଜ୍ଞମାନେ ସଂଗୀତର ‘ପରୀ’ ସଦୃଶ। ସଂଗୀତ ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକତା ଭରିଦେବା ସହ ଅତି ମାନବୀୟ ଗୁଣର ନିକଟତର କରାଇଥାଏ। ଯନ୍ତ୍ର ସଙ୍ଗୀତ ବା ସୁନ୍ଦର କଣ୍ଠ ସଗୀତ ପରିବେଷଣ କରୁଥିବା ପ୍ରତ୍ୟେକ କଳାକାର ସଂଗୀତର ରାଜଦୂତ ସଦୃଶ। ପଣ୍ଡିତ ହରି ପ୍ରସାଦ ଚୌରାସିଆ ବଂଶୀ ବାଦନ କରୁଥିବା ବେଳେ ସତେ ଯେପରି ସେ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ବାଦନ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଂଗୀତ ବିଶାରଦ ଓ ଯୁବ ସଂଗୀତ ଶିଳ୍ପୀମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଚନ୍ଦ୍ର ଶେଖର ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସଚିବ ପ୍ରବୋଧ ରଥଙ୍କ ଉପସ୍ଥିତ ଥିବା ବେଳେ ବୃନ୍ଦାବନ ଗୁରୁକୁଳ, କଳିଙ୍ଗ ନଗରର ସଭାପତି ଅନିକେତ ମହାରଣା ଓ ସମ୍ପାଦକ ଦିଗବିଜୟ ସିଂ ଚୌହାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡଃ ନାଜିଆ ଆଲାମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୃନ୍ଦାବନ ଗୁରୁକୁଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶମାନେ ଚିତ୍ତାକର୍ଷକ ବଂଶୀ ବାଦନ କରିଥିଲେ। ପରେ ପରେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍ ସରୋଦ ବାଦନ କରିଥିବା ବେଳେ ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ମାଳିନୀ ଅଓ୍ୱସ୍ତି ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ କରିଥିଲେ। ପ୍ରତିବର୍ଷ ବର୍ଷ ହୋଲିରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନଙ୍କ ଦ୍ୱାରା ସରୋଦ ବାଦନ ଏବଂ ପଦ୍ମଶ୍ରୀ ମାଲିନୀ ଅଓ୍ୱସ୍ତିଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏବଂ ହୋଲି ଉତ୍ସବ ଉପରେ ପର୍ଯ୍ୟବସିତ ଭକ୍ତି ରସାତ୍ମକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା। ତତ୍ ସହିତ ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ ଏବଂ ଅନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନଙ୍କ ଦ୍ୱାରା ଯନ୍ତ୍ରସଂଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିବା ସହ ରବୀନ୍ଦ୍ର ମଣ୍ଡପରେ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା।

ପ୍ରକାଶ ଥାଉକି, ବୃନ୍ଦାବନ ଗୁରୁକୁଳର ପ୍ରତିଷ୍ଠାତା ସଭାପତି ଖ୍ୟାତନାମା ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ଚୌରାସିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, କଳା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟ। ଏହି ଭଳି ଗୁରୁକୁଳ ଗୋଟିଏ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର, ଘାଟିକିଆଠାରେ ୧୩ ବର୍ଷ ହେଲା ସ୍ଥାପିତ ହୋଇ ପ୍ରତିଷ୍ଠା ଲାଭ କରିଛି। ଏହା ସଂଗୀତ, ବଂଶୀ ଓ ଅନ୍ୟ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିବା ଦେଶବିଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୈସର୍ଗିକ ପରିବେଶ ସ୍ଥଳୀ ହୋଇଛି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶା ଖଣି ନିଗମ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡିଆନ ଅଏଲ୍, ବେଦାନ୍ତ, ଜିନ୍ଦଲ ଷ୍ଟିଲ ଓ ପାଓ୍ୱାର , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ବୟନିକା, ସୋଆ ବିଶ୍ୱ ବିଦ୍ୟାଳୟ ସମେତ ଆତିଥେୟତା ପାଇଁ ମେ ଫେୟାର ହୋଟେଲ ଓ ରିସୋର୍ଟ, ସ୍ୱସ୍ତି ଗ୍ରୁପସ୍ ଓ ମିଡିଆ ପାର୍ଟନର ଭାବେ ପ୍ରମେୟ,ନ୍ୟୁଜ୍-୭ ସହାୟତା କରିଛନ୍ତି। ଡିଡି ଭାରତୀରେ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଜାଣନ୍ତୁ କେଉଁମାନେ ହେଲେ ମନୋନିତ

ଭୁବନେଶ୍ୱର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥିଲେ ।

୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି ।

ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ୱର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପଢ଼ୀହାରୀଙ୍କୁ ମନୋନୀତ କରାଯାଇଛି ।

ଅନ୍ୟ ସମ୍ମାନଗୁଡ଼ିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ଶ୍ରୀ ନବକିଶୋର ଆଚାର୍ଯ୍ୟ, ସାକ୍ଷୀଗୋପାଳ, ପୁରୀ ଏବଂ ଶ୍ରୀମତୀ ମମତା ମହାନ୍ତି, ଭୁବନେଶ୍ୱର, ନାଟ୍ୟ ରଚନା ପାଇଁ ଶ୍ରୀ ସୁଧାକର ନନ୍ଦ, ଭଦ୍ରକ, ନିର୍ଦ୍ଦେଶନା ପାଇଁ ଶ୍ରୀ ହରିହର ମିଶ୍ର, ବରଗଡ଼, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର, ଭବାନୀପାଟଣା, କଳାହାଣ୍ଡି, ଲୋକସଂଗୀତ ପାଇଁ ଶ୍ରୀ ରାଧାଶ୍ୟାମ ସାହୁଶର୍ମା, ଗଞ୍ଜାମ, ଲୋକବାଦ୍ୟ ପାଇଁ ଶ୍ରୀ ଶଙ୍କର ପ୍ରଧାନ, ବଲାଙ୍ଗୀର, ଲୋକନୃତ୍ୟ ପାଇଁ ଶ୍ରୀ କାଳୁଚରଣ ସାହୁ, ଭଞ୍ଜନଗର, ଗଞ୍ଜାମ, ଲୋକନାଟ୍ୟ ପାଇଁ ଶ୍ରୀ କଣ୍ଠ ଗୌଡ଼, କୋରାପୁଟ, ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଭୁବନେଶ୍ୱର, ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ ଶ୍ରୀ କୈଳାସ ଚନ୍ଦ୍ର ପାତ୍ର, କଟକ, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ରତିକାନ୍ତ ମହାପାତ୍ର, ଭୁବନେଶ୍ୱର, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ଚନ୍ଦ୍ରମଣି ଲେଙ୍କା, ପୁରୀ, ସୁଗମ ସଂଗୀତ ପାଇଁ ଶ୍ରୀ ତାନ୍‌ସେନ୍‌ ସିଂ, ଭୁବନେଶ୍ୱର, ଶ୍ରୀ ବିନୋଦ କୁମାର ପଶାୟତ୍‌, ସମ୍ବଲପୁରଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।

ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର, ବରଗଡ଼ ଏବଂ ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଗାଙ୍ଗପୁର, ଗଞ୍ଜାମ, ନାଟ୍ୟ ରଚନା ପାଇଁ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ରାଉରକେଲା, ନିର୍ଦ୍ଦେଶନା ପାଇଁ ଶ୍ରୀ ସୁବୋଧ ପଟ୍ଟନାୟକ, ଭୁବନେଶ୍ୱର, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାତ ମହାରଣା, ଭୁବନେଶ୍ୱର, ଲୋକସଂଗୀତ ପାଇଁ ଶ୍ରୀ ନବୀନ କିଶୋର କୁଅଁଁର, ବଲାଙ୍ଗୀର, ଲୋକବାଦ୍ୟ ପାଇଁ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ପୁରୀ, ଲୋକନୃତ୍ୟ ପାଇଁ ଶ୍ରୀ ନାରାୟଣ ମହାରଣା, ଭଞ୍ଜନଗର, ଲୋକନାଟ୍ୟ ପାଇଁ ଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଭଦ୍ରକ, ଯନ୍ତ୍ରସଂଗୀତ (ଆନଦ୍ଧ ବାଦ୍ୟ) ପାଇଁ ଶ୍ରୀ ଶରତ କୁମାର ପାଣି, ଭୁବନେଶ୍ୱର, ଯନ୍ତ୍ରସଂଗୀତ(ସୁଶୀର ବାଦ୍ୟ) ପାଇଁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, କାମାକ୍ଷାନଗର, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ଗଜେନ୍ଦ୍ର ପଣ୍ଡା, ଗଞ୍ଜାମ, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ରଘୁନାଥ ପାତ୍ର, ପାରଳାଖେମୁଣ୍ଡି, ସୁଗମ ସଂଗୀତ ପାଇଁ ଶ୍ରୀ ବିଭୁଧେନ୍ଦ୍ର ଦାସ, ଭୁବନେଶ୍ୱର ସମ୍ମାନିତ କରାଯିବ ।

ମନୋନୀତ କଳାକାରମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ଟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତୀଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମାନ ଘୋଷଣାବେଳେ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ ଯୋଗଦେଇ ମନୋନୟନର ବିଭିନ୍ନ ଧାରା ଓ ପ୍ରକ୍ରିୟା ଉପରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ ।