Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଁ ବ୍ୟବହାର ହେବ ଉନ୍ନତ ଜ୍ଞାନ କୌଶଳ

ଭୁବନେଶ୍ୱର: ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବେ ସମୀକ୍ଷା କରି କହଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ରଖିଥିବାବେଳେ ଯୋଜନାଗୁଡ଼ିକ ଧାର୍ଯ୍ୟ ସମୟରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ଉତ୍ପାଦନ ବଢ଼ିବା ସହିତ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ।

ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ଏବଂ ସ୍କିମ୍‌ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାର ସଫଳ ରୂପାୟନ ଦିଗରେ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବାୟୋଫ୍ଲକ୍‌ ଏବଂ ରାସ ପଦ୍ଧତି ଆଦି ନୂତନ ପଦ୍ଧତିରେ ମାଛଚାଷ ଦ୍ୱାରା ବହୁଳ ସଫଳତା ମିଳୁଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲର ପ୍ରଚଳନ କରାଯାଇଥିବାବେଳେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକଫର ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରାଯାଇଛି । ଏଥି ସହି ଫ୍ଲାଗ୍‌ସିପ୍‌ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛଚାଷ କରୁଥିବା ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା ଏବଂ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାର ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବଜେଟ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବୈଠକରେ ଡିପ୍‌ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡ଼ିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କର୍ପୋରେଟ ଢାଞ୍ଚାରେ ବ୍ୟବସାୟ କରିବ ଓଡିଶା କୃଷି, ବଡ ଉଦ୍ୟୋଗପତିଙ୍କ ସହ ଗୋଲଟେବୁଲ ବୈଠକ

ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍‌ ବୈଠକକୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି। ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି।

କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ ଓ ଅଗ୍ରଣୀ କୃଷି ଉଦ୍ୟୋଗ କର୍ପୋରେଟ୍‌ ସଂସ୍ଥା ମଧ୍ୟରେ ନିରନ୍ତର ଆନୁଷ୍ଠାନିକ ବିପଣନ ସଂଯୋଗ ସ୍ଥାପନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକ ଏକ ବଳିଷ୍ଠ ପଦକ୍ଷେପ।

ଓଡ଼ିଶା କୃଷି ସମାବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି। ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ (FPO) ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ଅଛି।

ବର୍ତ୍ତମାନ ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍‌ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି। ନିରନ୍ତର ଉତ୍ସ ମଡେଲ୍‌ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି।

ଭିତ୍ତିୂଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତ୍ତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ। କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି।

ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତ୍ତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି।

ଓଡ଼ିଶା ମକା, ମିଲେଟ୍‌, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍‌, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ଉଭା ହୋଇଛି । ସବୁଜ ବିପ୍ଳବ ପରେ ଉତ୍ପାଦନଭିତ୍ତିକ କୃଷି ଆପଣେଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି।

ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ।

ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ ଏବଂ ପୂରା ଅଧିବେଶନରେ ସଂଯୋଜନା କରିଥିଲେ। ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓର୍‌ମାସ୍‌ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍‌ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା।

୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍‌ ବାସ୍କେଟ୍‌, ମଦର ଡାଇରୀ, ଡି-ହାଟ୍‌, ଇଣ୍ଡିଆନ୍‌ ଓସିନ୍‌ ଗ୍ରୁପ୍‌ ଏଥିରେ ଯୋଗଦେଇଥିଲେ। ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।