Categories
ବିଶେଷ ଖବର

ନାୟିକାର ନାମ ମଣିମାଳା, ଓଡିଆ ସିନେମାରେ ପୁରୁଣା ପରୀ ରାଇଜର ନାୟିକା

କେଦାର ମିଶ୍ର

ଯେଉଁମାନେ ଓଡିଆ ଥିଏଟର୍ ଓ ସିନେମାର ଇତିହାସ ସହ ଜଡିତ ସେମାନଂକ ପାଇଁ ମଣିମାଳା ଦେବୀ ହୁଏତ ଏକ ପରିଚିତ ନାମ, ହେଲେ ଆଜିର ମିଲେନିଆଲ ଓଡିଆମାନେ କଣ ଜାଣନ୍ତି ସେ କିଏ?  ସେ ଥିଲେ ପଚାଶରୁ ସତୁରୀ ଦଶକ ଭିତରେ ପ୍ରସିଦ୍ଧ ଅନ୍ନପୂର୍ଣ୍ଣା  ଥିଏଟର୍ ର ମହାନାୟିକା।   ୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ  ବାନ୍ଧି ରଖିଥିଲା।  ସେ ଥିଲେ ଗୋଟେ ଯୁଗର ନାୟିକା। ଯେଉଁ ସମୟରେ ଓଡିଆ ଝିଅ ଘରର ଏରୁଣ୍ଡି ଟପିବା ଅସମ୍ଭବ ଥିଲା, ସେଇ ସମୟରେ ସାତ ବର୍ଷର ବାଳିକା ମଣିମାଳା ରଂଗମଂଚର ମୋହରେ ଘର ଛାଡ଼ି ମଂଚକୁ ସବୁଦିନ ଲାଗି ନିଜର ଜୀବନ ଭାବେ ବରଣ କରିନେଇଥିଲେ।  ଓଡିଆ ସିନେମାର ଏହି ମହାନାୟିକାଂକ କଳା ଓ ଜୀବନକୁ ନେଇ କିଛି କଥା-

୧.  ମଣିମାଳା ଦେବୀ,୧୯ ,ଜୁନ୍ ୧୯୩୧ ରେ କଟକ ଜିଲ୍ଲା ବାଲିବିସି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।  ମାତ୍ର ସାତ ବର୍ଷ ବୟସ ରେ ସେ ଆସିଥିଲେ ଓଡିଶା ଇତିହାସରେ ରଂଗମଂଚର ସୁବର୍ଣ ଅଧ୍ୟାୟ ସୃଷ୍ଟି କରିଥିବା ଅନ୍ନପୁର୍ନା ରଂଗମଂଚ- ଏ କୁ।  ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ସ୍ବର୍ଗତ ଦୁର୍ଲଭ ଚନ୍ଦ୍ର ସିଂ ତାଂକ ଆତ୍ମ ଜୀବନୀ ରେ ଲେଖନ୍ତି- “ ୧୯୩୯ ମସିହାରେ ବାଉରୀବନ୍ଧୁ ବାବୁ ପ୍ରଥମ କରି କେତୋଟି ଅଭିନେତ୍ରୀ ଆଣି ଅନୁଷ୍ଠାନରେ ରଖାଇଲେ।  ଶ୍ରୀମତୀ କାନନବାଲା, ରାଧାରାଣୀ, ପ୍ରତିମା ବୋଷ୍ ଓ ବୁଦ୍ଧିମତୀ କେତୋଟି ଝିଅଂକୁ ଆଣି ସେମାନଂକ ସହିତ ପୁଅ ପିଲାଂକୁ ସ୍ତ୍ରୀ ସଜାଇ ନାଟକ ମାନ ମଂଚସ୍ଥ କରାଗଲା।  ତାହାପରେ କ୍ରମେ ଏହି ଅନୁଷ୍ଠାନରେ ଯୋଗଦେଲେ ଆହୁରି କେତୋଟି ଝିଅ।ସେମାନେ ହେଲେ-  ସରସ୍ବତୀ,ହୀରା,ରତ୍ନା,ପ୍ରମିଳା,ନିର୍ମଳା, ଭାନୁମତୀ,ଲକ୍ଷ୍ମୀ,ବାସନ୍ତୀ,ପୂର୍ଣ୍ଣିମା ଓ ମଣିମାଳା.” ଏଇଠୁ ଆରମ୍ଭ ହୁଏ ମଣିମାଳା ଦେବୀଙ୍କ ଦୀର୍ଘ କାଳୀନ ତପସ୍ୟା।

୨. ଅନ୍ନପୂର୍ଣ୍ଣା- ଏ ର ପ୍ରଖ୍ୟାତ ନାଟକ ଚଂଡାଳୁଣୀ, ଜାନକୀ, ଚଷା ଝିଅ, କଳା ପାହାଡ, ମୁକ୍ତି, କୋଣାର୍କ ଇତ୍ୟାଦିରେ ମଣିମାଳା ଦେବୀ ଅଭିନୟର ସୁଯୋଗ ପାଇଥିଲେ।  ତେବେ ଶ୍ରୀ ଜୟଦେବ ନାଟକରେ ତାଂକର ଅଭିନୟ ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଥିଲା।  ମଣିମାଳା ଦେବୀ ସେତେବେଳେ ଅଭିନୟ ଜଗତରେ ଏକ ପ୍ରଖ୍ୟାତ ତାରକା ପାଲଟି ଗଲେ।  ଓଡିଆ ମଧ୍ୟବିତ୍ତଙ୍କ ମନୋରଂଜନ ର ଏକମାତ୍ର ମାଧ୍ୟମ ଭାବରେ ସେତେବେଳର ପେଶାଦାର ରଂଗମଂଚ ଇତିହାସ ସୃଷ୍ଟି କରିଥିଲା।  ସେ ଇତିହାସରେ ମଣିମାଳା ଦେବୀ ଏକ ଅମ୍ଲାନ ସ୍ବାକ୍ଷର ।

୩. ୧୯୬୦ ମସିହାରେ ପ୍ରଥମଥର ଲାଗି ମଣିମାଳା ଦେବୀ “ଶ୍ରୀ ଲୋକନାଥ” ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।  ସେହି ବର୍ଷ ଏହି ଚିତ୍ରଟି ରାଷ୍ଟ୍ରପତି ପୁରଷ୍କାର ଲାଭ କରିଥିଲା।

୪. ଏହା ପରେ ଲକ୍ଷ୍ମୀ, ସୂର୍ୟମୁଖୀ, ଅଭିନେତ୍ରୀ, ମଲାଜହ୍ନ, କା, ଭାଇ ଭାଉଜ, ଜୀବନ ସାଥୀ ଇତ୍ୟାଦି ସିନେମାରେ ତାଂକ ଅଭିନୟର ପରାକାଷ୍ଠା ଦେଖିବାକୁ ମିଳିଥିଲା।  ସାମୁଏଲ୍ ସାହୁ ଓ  ମଣିମାଳା ଦେବୀଙ୍କ ଯୋଡି ସେତେବେଳେ ବେଶ୍ ଚର୍ଚାରେ ରହିଥିଲା।

୫. ଜୀବନରେ  ସ୍କୁଲ୍  ଦରଜା ମାଡି ନଥିବା ମଣିମାଳା ଦେବୀ ପରବର୍ତ୍ତୀ ସମୟରେ ଓଡିଆ କଳାତ୍ମକ ସିନେମାର ଦୁଇ ମହାନ ନିର୍ମାତା ନିର୍ଦ୍ଦେଶକ ନୀରଦ ମହାପାତ୍ର ଓ ମନମୋହନ ମହାପାତ୍ରଂକ ପ୍ରିୟ ଅଭିନେତ୍ରୀ ପାଲଟି ଗଲେ।  ନୀରଦ ବାବୁଂକ ଜାତୀୟ ପୁରସ୍କାର ପ୍ରାପ୍ତ  ସିନେମା “ମାୟା ମିରିଗ” ରେ ଏକ ଗୁରୁତ୍ବପୂର୍ଣ ଭୂମିକାରେ ମଣିମାଳା ଦେବୀ ଜୀବନ୍ତ ଅଭିନୟ କରିଥିଲେ।  ମନମୋହନ ମହାପାତ୍ରଂକ “କ୍ଲାନ୍ତ ଅପରାହ୍ନ’, “ନିଷିଦ୍ଧ ସ୍ବପ୍ନ”, “କିଛି ସ୍ମୃତି କିଛି ଅନୁଭୁତି ଓ “ଅନ୍ଧ ଦିଗନ୍ତ”ରେ ମଣିମାଳା ଦେବୀ ବହୁ ପ୍ରକାର ଭୂମିକାରେ ନିଜ ଅଭିନୟର କୁହୁକ ଛାଡ଼ି ଯାଇଛନ୍ତି।

୬ ମଣିମାଳା ଦେବୀ ହେଉଛନ୍ତି ସେଇ ପିଢିର ନାୟିକା, ଯେଉଁ ପିଢି ଓଡିଆ ଜନଜୀବନର ପ୍ରାଣ ପ୍ରବାହକୁ ନିଜ ଅଭିନୟର ମଂଜି ଭାବେ ଗ୍ରହଣ କରିଥିଲା।  ତେଣୁ ମଣିମାଳାଙ୍କ  ଠାଣି, ଚାହାଣୀ, ଚାଲି ଓ ଚରିତ୍ର ରେ ପକ୍କା ଓଡିଆଣୀର ଛାପ ରହିଥିଲା।  ବୋଧେ ତାଂକ ପରେ  ଶତ ପ୍ରତିଶତ ଓଡିଆଣୀର ଚେହେରା ଆଉ ଓଡିଆ ସିନେମାରେ ଦେଖବାକୁ ମିଳିବ ନାହିଁ।

୭. ସେ ବୋଧେ ଏକମାତ୍ର ଓଡିଆ ଅଭିନେତ୍ରୀ ଯିଏ ଅଭିନୟ କରିଥିବା ପ୍ରାୟ ୪୦ ଟି ସିନେମା ରୁ ୧୪ ଟି ଜାତୀୟ ପୁରସ୍କାର ପାଇଥିଲା।  ତାଂକ ଅଭିନୟର ମୌଳିକତା ଓ ପ୍ରଭାବ ବିଷୟରେ ଅନେକ କଥା ଏଯାଏ ଲେଖା ଯାଇ ପାରିନାହଁ।  ଆମ ସିନେମା ସମାଜର ର ସବୁଠୁ ଦୁର୍ବଳ ଦିଗ ହେଉଛି ଆମର ଇତିହାସ ପ୍ରତି ଉପେକ୍ଷା।  ମଣିମାଳା ଦେବୀଙ୍କ ଜୀବନ ସହିତ ଓଡିଆ ସିନେମା ଓ ପେଶାଦାର ରଂଗମଞ୍ଚର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡିତ।  ସେ ଇତିହାସ ଆଜି ସବୁଦିନ ଲାଗି ନୀରବ। ତାକୁ ଆମେ ସାଇତି ରଖି ପାରିଲେ ନାହିଁ।

୮. ଅଭିନୟ ଲାଗି   ମଣିମାଳା ଦେବୀଙ୍କୁ ଓଡିଶା ସରକାରଂକ “ଜୟଦେବ ପୁରସ୍କାର “ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

୯. ଆଜୀବନ କଳା ପାଇଁ ସମର୍ପିତ ମଣିମାଳା ଦେବୀ ବ୍ୟକ୍ତିଗତ ଜୀବନରେ ଯେଉଁ ସଂଘର୍ଷ ଓ ଅନାଟନର ସାମନା କରିଥିଲେ ତାହା କୌଣସି ସିନେମାର କରୁଣ ଦୃଶ୍ୟଠୁ କମ୍ ନୁହଁ।   ଜୀବନ କାଳରେ ଏ ଜାତିର ଅନ୍ୟତମ ଶକ୍ତିଶାଳୀ ଅଭିନେତ୍ରୀ ଓ ସାହସୀ ମହିଳାଂକ ପ୍ରତି ଆମେ ଆମର ଦାୟିତ୍ବ ବିଲକୁଲ୍ ତୁଲାଇବାରେ ବିଫଳ ହୋଇଛୁ।

୧୦ ମଣିମାଳା ଦେବୀ ଓଡିଆ ନାରୀ ଲାଗି ଗୋଟେ ନୁଆ ମୁକ୍ତିର ବାର୍ତ୍ତା ନେଇ ଆସିଥିଲେ।  ତାଂକ ପରି କିଛି ଝିଅ ଚାଳିଶ ଦଶକରେ ଗୋଡ କାଢି ମଂଚକୁ ଆସିଥିଲେ ବୋଲି ଆଜି ଏତେ ଏତେ ଅଭିନେତ୍ରୀ ଓ ତାରକାଂକ ଭିଡ।  ଆଜିର ସବୁ ଅଭିନେତ୍ରୀ ଓ ନର୍ତ୍ତକୀ ମଣିମାଳା ଦେବୀଙ୍କ ପ୍ରତି କୃତଜ୍ଞା ହେବାକୁ ବାଧ୍ୟ।

Categories
ବିଶେଷ ଖବର

ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ୍ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ

କେଦାର ମିଶ୍ର

କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି, କେଉଁଠି ହେଲେ ଏ ବିଷୟରେ ଟୁପଟାପ କଥା ବି ଶୁଣା ଯାଉନଥିଲା।

ଗତ ପାଞ୍ଚ ବର୍ଷରେ ଚାରି ଜଣ ପୋଲିସ ମୁଖିଆଙ୍କୁ ଏମିତି ଢଙ୍ଗରେ ବିଦା କରା ହୋଇଛି। ସଂଜୀବ ମାରିକ, ପ୍ରକାଶ ମିଶ୍ର, କେ.ବି.ସିଂ ଓ ବିଜୟ କୁମାର ଶର୍ମା। ମଝିରେ କେବଳ ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ଵେଚ୍ଛାରେ ଅବସର ନେଇ ଲୋକାଯୁକ୍ତ ଭାବରେ ନିଯୁକ୍ତି ପାଇଥିଲେ। ଉଚ୍ଚ ପଦ ପଦବୀରେ ଥିବା ଅଧିକାରୀ ଓ ରାଜନେତାଙ୍କୁ ଚକିତ କରିଦେଲା ଭଳି କାର୍ୟାନୁଷ୍ଠାନ ନେବାରେ ନବୀନ ପଟ୍ଟନାୟକଙ୍କର ଅନୁଭୂତି ବହୁ ପୁରୁଣା। ନିଜ ଶାସନକାଳର ପ୍ରଥମ ସୋପାନରେ ବିଜୟ ମହାପାତ୍ରଙ୍କୁ ବିଜେଡ଼ିରୁ ବିଦା କରିବାର ପ୍ରକ୍ରିୟା ହେଉ ବା ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କର ଅପସାରଣ, ସବୁବେଳେ ନବୀନ ନିଜର “ଶକ ଥେରାପି” କୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିଛନ୍ତି। ଯେ କୌଣସି ରାଜନୈତିକ ବା ପ୍ରଶାସନିକ ନିଷ୍ପତ୍ତି ନେବାବେଳେ, ଅଚାନକ ଓ ଆଶ୍ଚର୍ୟ କରିଦେଲା ଭଳି ପ୍ରୟୋଗ ନବୀନଙ୍କୁ ରାଜନୀତିରେ ବଡ ସଫଳତା ଆଣି ଦେଇଛି। ସେ ପାରମ୍ପରିକ ରାଜନେତାଙ୍କ ଭଳି ନିଷ୍ପତ୍ତି ନିଅନ୍ତି ନାହିଁ କିମ୍ବା ମୁହଁ ଦେଖି ପ୍ରଶାସନିକ ନିଷ୍ପତ୍ତି ବଦଳାଇ ପକାନ୍ତି ନାହିଁ। କାର୍ୟାନୁଷ୍ଠାନ ନେବା ବେଳେ ସେ ଅତ୍ୟନ୍ତ କଠୋର ଓ ସେତେବେଳେ କୌଣସି ମାନବୀୟ ଦୁର୍ବଳତା ତାଙ୍କର ନଥାଏ ବୋଲି ଅନେକ ପ୍ରଶାସକ କହିଛନ୍ତି।

ଚାରି ବର୍ଷ ତଳେ ଏମିତି ଏକ ସନ୍ଧ୍ୟାରେ ସେ ତତ୍କାଳୀନ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଡାକି କହିଥିଲେ- “ୟୁ ଆର ରିଲିଭ୍ଡ , ଥ୍ୟାଙ୍କ ୟୁ ଭେରି ମଚ”। କାର୍ୟାନୁଷ୍ଠାନ ନେବାବେଳେ ଆଉ କିଛି ଶୁଣିବା ନବୀନଙ୍କ ଜାତକରେ ନାହିଁ। ତେବେ ଏ ପ୍ରକାର ନିଷ୍ପତ୍ତି ଗଣତାନ୍ତ୍ରିକ ନୁହେଁ ବୋଲି ଯୁକ୍ତି କରାଯାଇପାରେ। ପ୍ରଶାସନ ଓ ରାଜନୀତିରେ ଗଣତାନ୍ତ୍ରିକ ହେବାର ଅର୍ଥ ହେଉଛି କ୍ଷମତାର ହୁଗୁଳା ଅବସ୍ଥା ବୋଲି ଏବେ ଧରି ନିଆଯାଉଛି। ତେଣୁ  ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ସମସ୍ତେ ନିଷ୍ପତ୍ତି ନେବାବେଳେ ନିଜର ଇଚ୍ଛାକୁ ହିଁ ଜାହିର କରୁଛନ୍ତି। ରାଜନୀତିରେ ଏହାକୁ ଏକ ଗୁଣ ବୋଲି ସାଧାରଣ ଲୋକେ ଗ୍ରହଣ ମଧ୍ୟ କରୁଛନ୍ତି।

ନବୀନଙ୍କ ନିଷ୍ପତ୍ତି ନେବାର ତରିକା, ତାଙ୍କ ଲୋକପ୍ରିୟତାର ଏକ ବିଶେଷ କାରଣ। ତାଙ୍କ ନିଷ୍ପତ୍ତିକୁ ନେଇ ଏବେ ବିରୋଧୀ ନେତାଏ ଓ ଗଣମାଧ୍ୟମ ଘାଣ୍ଟି ହେବେ। ବିଜୟ କୁମାର ଶର୍ମାଙ୍କୁ କାହିଁକି ବିଦା କରାହେଲା, ତାର ଗୁଡାଏ ଉଦ୍ଭଟ ଓ କାଳ୍ପନିକ କାରଣ ବିଷୟରେ ଏବେ ଗପ ଲେଖାହେବା। ବିରୋଧୀ ଦଳ ବାକି ପ୍ରସଙ୍ଗ ଛାଡି ୟା ପଛରେ ମାତିବେ। ଆଉ ତାରି ଭିତରେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉଜ୍ଜଳ ହୋଇଉଠିବ। ନବୀନଙ୍କ ଏହି ରାଜନୈତିକ ଓ ପ୍ରଶାସନିକ ପ୍ରୟୋଗ ସବୁବେଳେ ଏମିତି ସଫଳ ହୋଇ ଆସିଛି।

କୌଣସି ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କିମ୍ବା ସେମାନଙ୍କ କାମ ଉପରେ ସାମାନ୍ୟ ସନ୍ଦେହ ହେଲେ, ତୁରନ୍ତ ତାଙ୍କୁ କ୍ଷମତାହୀନ କରିଦେବାର ନିଷ୍ଠୁର ନିଷ୍ପତ୍ତି ନବୀନ ନେଇପାରନ୍ତି। ସେ ଅଧିକାରୀ ତାଙ୍କର ଯେତେ ବିଶ୍ଵସ୍ତ ହୋଇଥାନ୍ତୁ ବା ତାଙ୍କର ଟ୍ରାକ ରେକର୍ଡ ଯେତେ ଭଲ ହୋଇଥାଉ, ଚୂଡାନ୍ତ ନିଷ୍ପତ୍ତି ନେଲାବେଳେ ଶେଷତମ ଅଭିଯୋଗ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସେଥିଲାଗି ରାଜନୀତିର ଅନ୍ଦର ମହଲରେ ଗୋଟେ କଥା ପ୍ରଚଳିତ ଅଛି- ନବୀନ ପଟ୍ଟନାୟକ କାହାର ନୁହନ୍ତି।

କାହାର ନହେବା ପ୍ରଶାସନିକ କ୍ଷେତ୍ରରେ ଏକ ବଡ ଶକ୍ତି ଓ ଏହାହିଁ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ସବୁଠୁ ବଡ ପାର୍ଥକ୍ୟ। ବିଜୁ ବାବୁ ସବୁବେଳେ ସମସ୍ତଙ୍କୁ ବିଶ୍ବାସକୁ ନେଇ ସାରା ଜୀବନ ପରାଜୟର ସାମ୍ନା କରିଥିଲେ। ନବୀନଙ୍କ ଲାଗି ତାହା ହିଁ ବଡ ଶିକ୍ଷା। କ୍ଷମତା ଓ ଶାସନରେ କେହି ବି ଅପରିହାର୍ୟ ନୁହନ୍ତି ଓ “ଲୋକଙ୍କ” ପାଇଁ ଯେତେବେଳେ ଆବଶ୍ୟକ, ଯେତେ ବଡ ଅଧିକାରୀ ବା ରାଜନେତା ହେଲେ ମଧ୍ୟ ତାଙ୍କୁ ବିଦା କରା ଯାଇପାରେ- ଏହାହିଁ ନବୀନଙ୍କ ସଫଳ ଓ ସାର୍ଥକ ”ଶକ ଥେରାପି”।

 

Categories
ବିଶେଷ ଖବର

ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 

କେଦାର ମିଶ୍ର 

କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି ଯିଏ କହୁଛି, ନା ସେ ସଂସ୍କୃତ ସାହିତ୍ୟର ଇତିହାସ ପଢିଛି, ନା ଇତିହାସ ସମ୍ପର୍କରେ ତାର ସାଧାରଣ ଜ୍ଞାନ ରହିଛି। ସଂସ୍କୃତ ରେ ଅନେକ ଧାର୍ମିକ ଗ୍ରନ୍ଥ ରହିଛି, ତେବେ ସଂସ୍କୃତର ମୂଳ ସୌନ୍ଦର୍ୟ ଧର୍ମ ନୁହେଁ, ସାହିତ୍ୟ। ସାହିତ୍ୟର ମୌଳିକ ମାନବୀୟ ଆବେଦନ ଯୋଗୁଁ ସଂସ୍କୃତ ହଜାର ହଜାର ବର୍ଷ ଧରି ବଞ୍ଚିଛି। ଆଜି ଲୋକମୁଖରେ ସଂସ୍କୃତ ନାହିଁ, ଏହା କେବଳ ସାହିତ୍ୟ ଓ ସଂସ୍କୃତିର ଭାଷା। ଏହାକୁ ଧାର୍ମିକ ସଙ୍କୀର୍ଣ୍ଣତା ଭିତରେ ଦେଖିବା ସବୁଠୁ ବଡ ସଂସ୍କୃତ ବିରୋଧୀ ଅପରାଧ।

ତେବେ ସଂସ୍କୃତ ଏକ ଭାଷା ଭାବରେ ବହୁ ମୁସଲମାନ ଶାସକଙ୍କର ପ୍ରୋତ୍ସାହନ ପାଇଥିଲା ଓ ଶହ ଶହ ବର୍ଷ ଧରି ଅନେକ ମୁସଲମାନ ବିଦ୍ଵାନ ସଂସ୍କୃତ ଅଧ୍ୟୟନ କରିଥିଲେ। ସଂସ୍କୃତରୁ ପାର୍ସି ଓ ଆରବିକ ଭାଷାକୁ ଅନୁବାଦର ପ୍ରାୟ ୭୦୦ ବର୍ଷର ଏକ ବିରାଟ ପରମ୍ପରା ଆମର ରହିଥିଲା। ସଂସ୍କୃତକୁ ଧର୍ମର ଗଣ୍ଡିରେ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ସେଇ ସଂସ୍କୃତରେ କୁହାଯାଏ- କୂପ ମଣ୍ଡୁକ ବା କୂଅ ର ବେଙ୍ଗ। ସେଇ କୂଅ ବେଙ୍ଗଙ୍କ ପାଇଁ କିଛି ତଥ୍ୟ ଆମେ ରଖିବାକୁ ଚାହୁଁଛୁ-

* ହାଜି ଇବ୍ରାହିମ ସରହିନ୍ଦ ପ୍ରଥମେ ଅଥର୍ବ ବେଦକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ।

*ମୌଳାନା ଅବଦୁର କାଦିର ବଦାୟୁନି ଓ ଥାନେଶ୍ବର ର ସୁଲତାନ ଶେଖଙ୍କ ତତ୍ତ୍ଵାବଧାନରେ ମହାଭାରତର ପାର୍ସି ଅନୁବାଦ ପ୍ରସ୍ତୁତ ହୋଇଥିଲା।

* ଆକବରଙ୍କ ଦରବାରରେ ଅଲ ବିରୁଣୀ ରାମାୟଣର ପାର୍ସି ଅନୁବାଦ ଉପସ୍ଥାପନ କରିଥିଲେ।

* ଭାସ୍କରାଚାର୍ୟଙ୍କ ପ୍ରସିଦ୍ଧ “ବୀଜ ଗଣିତ” ଓ ତାଙ୍କ ବୋହୁଙ୍କ ଦ୍ଵାରା ରଚିତ ଲୀଳାବତୀ ସୂତ୍ରକୁ ମୁସଲମାନ ବିଦ୍ଵାନ ଶେଖ ମହମ୍ମଦ ଫଇଜି ପାର୍ସିରେ ଅନୁବାଦ କରିଥିଲେ।

* ଆଉରେଙ୍ଗଜେବଙ୍କ ହତଭାଗ୍ୟ ବଡ ଭାଇ ଦାରା ଶିକୋ ଉପନିଷଦ ଗୁଡିକର ପାର୍ସି ଅନୁବାଦ କରିବା ସହିତ ବେଦାନ୍ତ ଓ ସୁଫି ଦର୍ଶନର ତୁଳନାତ୍ମକ ଅଧ୍ୟୟନ କରିଥିଲେ।

ଏମିତି ଅସଂଖ୍ୟ ଉଦାହରଣ ଦେଇ ହେବ ଯେଉଁଥିରେ ମୁସଲମାନ ବିଦ୍ବାନମାନଙ୍କର ସଂସ୍କୃତ ଭାଷାକୁ ରହିଥିବା ଅବଦାନ ସ୍ପଷ୍ଟ ଜଣା ପଡିବ। ୟୁରୋପୀୟ ପଣ୍ଡିତ ମାକ୍ସମୂଲର  ଓ ସାର ଉଇଲିୟମ ଜୋନ୍ସ ପାର୍ସି ଭାଷା ମାଧ୍ୟମରେ ହିଁ ସଂସ୍କୃତକୁ ଜାଣିବାର ସୁଯୋଗ ପାଇଥିଲେ। ଶହ ଶହ ବର୍ଷ ଧରି ମୁସଲମାନ ଜୀବନବୋଧ ସହିତ ଜଡିତ ଥିବା ସଂସ୍କୃତକୁ ଜଣେ ମୁସଲମାନ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବା, ଆମ ସମୟର ବୌଦ୍ଧିକ ଅନ୍ଧତ୍ଵର ଲକ୍ଷଣ ମାତ୍ର।

ଫିରୋଜ ଖାଁ ଓ ତାଙ୍କ ବାପା ରମଜାନ ଖାଁ, ଉଭୟେ ସଂସ୍କୃତର ଛାତ୍ର। ପ୍ରଫେସର ହେବା ଲାଗି ସର୍ବୋଚ୍ଚ ଯୋଗ୍ୟତା ଫିରୋଜଙ୍କ ପାଖରେ ରହିଛି। ସେ ଦେଶର ସବୁଠୁ ବଡ ସଂସ୍କୃତ ଗବେଷଣା ପ୍ରତିଷ୍ଠାନରୁ ପିଏଚଡି ହାସଲ କରିଛନ୍ତି। ତା ସତ୍ତ୍ୱେ ସେ ପାଠ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବାର ଅର୍ଥ କଣ? କେବଳ ଧର୍ମ ଆଧାରର ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ପୋଲିସ ଉଠାଇ ନେବାର ସାହସ କରୁନାହିଁ କାହିଁକି? ଜବାହାର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ଲାଠି ମାଡ ହେଉଛି। ଅଥଚ ଏକ ଭାରତୀୟ ଜୀବନ ଓ ସଂସ୍କୃତି ବିରୋଧରେ ମିଛ ନାଟକ କରୁଥିବା ଛାତ୍ରଙ୍କ ଉପରେ  କାର୍ୟାନୁଷ୍ଠାନ ହେଉନାହିଁ। ଫିରୋଜ ଖାଁ ସଂସ୍କୃତ ପଢିବା ଓ ପଢାଇବା, ଭାରତୀୟ ସାଂସ୍କୃତିକ ଜୀବନରେ ଏକ ମହାନ ଘଟଣା। ଏହା ଗୌରବର ବିଷୟ। ତାକୁ ଅଯଥା ବିବାଦ ଭିତରକୁ ଟାଣି କିଛି ଲୋକ ଆମ ସଂସ୍କୃତିକୁ ନିନ୍ଦିତ ଓ ଅପମାନିତ କରୁଛନ୍ତି। ସବୁଠୁ ବଡ କଥା ହେଲା, ଏହି କୂପ ମଣ୍ଡୁକ ମାନେ ସଂସ୍କୃତ ଭାଷାର ହିଁ ସବୁଠୁ ବଡ କ୍ଷତି କରୁଛନ୍ତି।

Categories
ବିଶେଷ ଖବର

ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେ ରଖିବ

କେଦାର ମିଶ୍ର

ଆଧୁନିକ ଭାରତୀୟ ରାଜନୀତିରେ ନିୟାମକ ଓ ନିର୍ଣ୍ଣାୟକ ଭାବରେ ନିର୍ବିାବାଦରେ ତିନୋଟି ନାଁ ନିଆ ଯାଇପାରେ – ଗାନ୍ଧି, ଆମ୍ବେଦକର ଓ ନେହେରୁ। ଗାନ୍ଧିଜୀ ଆଧୁନିକ ଭାରତୀୟ ରାଜନୀତିକୁ ଏକ ବୃହତ୍ତର ମାନବୀୟ ମୂଲ୍ୟବୋଧ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମ୍ବେଦକର
ସାମାଜିକ ଆନ୍ଦୋଳନ ଓ ସାମାଜିକ ନ୍ୟାୟକୁ ରାଜନୀତିର କେନ୍ଦ୍ରଭୂମିରେ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛନ୍ତି। ସେହିପରି ପଣ୍ଡିତ ନେହେରୁ ରାଷ୍ଟ୍ର ନିର୍ମାଣରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରୟୋଗ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭାରତୀୟ ଜୀବନରେ ଚିରସ୍ଥାୟୀ ପ୍ରତିଷ୍ଠା ଦେଇଛନ୍ତି। ଗାନ୍ଧି ଏବଂ
ଆମ୍ବେଦକରଙ୍କ ପ୍ରସଙ୍ଗକୁ ବାଦ୍ ଦେଇ ଆଜି କେବଳ ନେହେରୁଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଆଜିର ତାରିଖରେ ନେହେରୁଙ୍କର ରାଜନୀତି, ଅର୍ଥନୀତି, ବିଦେଶ ନୀତି ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ସମାଲୋଚନା ଖୁବ୍ ତୀବ୍ର। ନେହେରୁଙ୍କ ଜୀବନକାଳ ଭିତରେ ଯେଉଁମାନେ ତାଙ୍କର ପ୍ରଚଣ୍ଡ ବିରୋଧୀ ଥିଲେ ଆଜି ସେମାନଙ୍କର ଶିଷ୍ୟ ପ୍ରଶିଷ୍ୟମାନେ ଭାରତର ସର୍ବୋଚ୍ଚ କ୍ଷମତା ଦଖଲ କରିଛନ୍ତି। ସ୍ୱାଭାବିକ ଭାବରେ ସେମାନେ ନେହେରୁଙ୍କ ନିନ୍ଦିତ କରୁଛନ୍ତି ଓ କରିବେ। ନେହେରୁଙ୍କୁ ସମାଲୋଚନା କରିବା ପାଇଁ ତାଙ୍କ ସମୟରେ ତାଙ୍କର ବିରୋଧୀମାନେ ରହିଥିଲେ, ଆଜି ମଧ୍ୟ ଅଛନ୍ତି। ନେହେରୁଙ୍କ ବ୍ୟକ୍ତିତ୍ୱର ଆକଳନ ପାଇଁ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ କେବଳ ଏକ ପୃଷ୍ଠଭୂମି ଭାବରେ ନିଆଯାଇପାରେ। ସ୍ୱାଧୀନତା ଆନ୍ଦୋଳନରେ ସେ ଥିଲେ ଗାନ୍ଧିଙ୍କର ଶ୍ରେଷ୍ଠତମ ରାଜନୈତିକ ସହଯୋଗୀ। ଆଦର୍ଶଗତ ଓ ଦାର୍ଶନିକ ଦୃଷ୍ଟିରେ ଯଦିଓ ସେ ଥିଲେ ଗାନ୍ଧିଙ୍କର ବିପରୀତ, ତେବେ ଗାନ୍ଧିଙ୍କର ରାଜନୈତିକ ମାନସ ସନ୍ତାନ ବୋଲି ତାଙ୍କୁ କୁହାଯାଇ ପାରେ। ଭାରତୀୟ ରାଜନୀତି ପାଇଁ ନେହେରୁଙ୍କ ଅବଦାନକୁ କ୍ରମାନ୍ୱୟରେ ଆମେ ନିମ୍ନମତେ ଉଲ୍ଲେଖ କରିପାରିବା। ଏହି ସବୁ କାରଣ ଲାଗି ପଣ୍ଡିତ ନେହେରୁ ଶହ ଶହ ବର୍ଷ ଧରି ଆମର ମନେ ରହିବେ-

୧- ଏକ ବିଶାଳ ଗରିବ ଦେଶର ନେତୃତ୍ୱ ନେଇ ଗଣତନ୍ତ୍ରକୁ ରାଜନୀତିର ଶକ୍ତି ଭାବରେ ପ୍ରତିଷ୍ଠା ଦେବା। ଆଜି ଆମର ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ଯଦି ବଞ୍ଚି ରହିପାରିଛି ତା’ର ସବୁ ଶ୍ରେୟ ପଣ୍ଡିତ ନେହେରୁଙ୍କର। ଏହି ସମୟରେ ସ୍ୱାଧୀନତା ପାଇଥିବା ଓ ନୂଆ ରାଷ୍ଟ୍ର ଭାବରେ ଗଠିତ ହୋଇଥିବା ଅନେକ ଦେଶ ସାମରିକ ଶାସନର ବଶବର୍ତ୍ତୀ ହୋଇଥିବାବେଳେ ପଣ୍ଡିତ ନେହେରୁଙ୍କ ନେତୃତ୍ୱ ଯୋଗୁଁ ଆମେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଆଧାର ପାଇଛୁ।

୨- ପ୍ରବଳ ଜନମତର ସମର୍ଥନ ସତ୍ତ୍ୱେ ବିରୋଧୀ ରାଜନୀତିକୁ ସମ୍ମାନ ଦେବା। ପଣ୍ଡିତ ନେହେରୁ ତାଙ୍କ ସମୟର ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ପଣ୍ଡିତଜୀଙ୍କ ନେତୃତ୍ୱରେ ୧୯୫୨ ନିର୍ବାଚନରେ କଂଗ୍ରେସ ଦଳ ୩୬୪, ୧୯୫୭ ନିର୍ବାଚନରେ ୩୭୧ ଓ ୧୯୬୨ ନିର୍ବାଚନରେ ୩୬୧ଟି ଲୋକସଭା ଆସନ ଜିତିଥିଲା। ତିନୋଟି ଯାକ ନିର୍ବାଚନରେ କଂଗ୍ରେସ ଦଳର ଭୋଟହାର ଥିଲା ଯଥାକ୍ରମେ ୪୫%, ୪୭.୮% ଓ ୪୪.୭% । ଯାହାକି ଭାରତୀୟ ରାଜନୀତିରେ ଏକ ଅନତିକ୍ରମ୍ୟ ରେକର୍ଡ। ମୋଟାମୋଟି ନେହେରୁଙ୍କ ସମୟରେ ବିରୋଧୀ ଦଳର କୌଣସି ସଂସଦୀୟ ଅସ୍ତିତ୍ୱ ନଥିଲା। ତଥାପି ପଣ୍ଡିତ ନେହେରୁ ସଂସଦରେ ଓ ସଂସଦ ବାହାରେ ବିରୋଧୀ ସ୍ୱରକୁ ଶୁଣିବା ପାଇଁ ପ୍ରସ୍ତୁତ ଥିଲେ। ତାଙ୍କର ସବୁଠାରୁ ବଡ଼ ସମାଲୋଚକ ସାମ୍ୟବାଦୀ ଓ ସମାଜବାଦୀମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ କମ୍ ପ୍ରଶଂସା କରି ନାହାନ୍ତି। ପଣ୍ଡିତ ନେହେରୁ ହେଉଛନ୍ତି ଭାରତର ଏକମାତ୍ର ରାଜନେତା ଯିଏ ତାଙ୍କର ତୀବ୍ରତମ ବିରୋଧୀ ଦକ୍ଷିଣପନ୍ଥୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ।

୩- ଆଧୁନିକ ଭାରତର ନବନିର୍ମାଣ। ପଣ୍ଡିତଜୀଙ୍କ ନେତୃତ୍ୱରେ କମ୍ ହାରରେ ଅଭିବୃଦ୍ଧି ହାସଲ କରୁଥିବା ଗୋଟିଏ ଦେଶର ଅଭିବୃଦ୍ଧିକୁ ୬୦ ଦଶକରେ ତିନି ପ୍ରତିଶତରୁ ଅଧିକ ବଢାଯାଇଥିଲା। କୃଷି, ଶିଳ୍ପ, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କର ନୀତି ଆଜି ମଧ୍ୟ ଆମ ବିକାଶର ଆଧାର ହୋଇ ରହିଛି। ଯୋଜନା ଓ ତା’ର ରୂପାୟନ ପାଇଁ ପଣ୍ଡିତଜୀଙ୍କର ଦୃଷ୍ଟିଭଙ୍ଗୀ ପ୍ରାୟ ୬୦ ବର୍ଷ ଧଣି ଆମର ମାର୍ଗଦର୍ଶନ କରିଛି। ପଞ୍ଜାବ ଏବଂ ହରିୟାଣାର କୃଷି ବିପ୍ଳବ, ବୃହତ୍ତର ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ, ରାଜପଥର ବିକାଶ, ନୂତନ ଶିଳ୍ପାଞ୍ଚଳ ଓ ଶିଳ୍ପ ନଗରୀର ନିର୍ମାଣ, ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପ୍ରଚେଷ୍ଟା, ସ୍ୱାୟତ୍ତ ଶାସନ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ତାଙ୍କୁ ଭାରତ ସବୁଦିନ ମନେ ରଖିବ।

୪- ବୈଜ୍ଞାନିକ ଗବେଷଣା ଓ ଭିତ୍ତିଭୂମି ନିର୍ମାଣରେ ସର୍ବଶ୍ରେଷ୍ଠ ନେତୃତ୍ୱ। ନୂଆ କରି ଜନ୍ମ ନେଇଥିବା ଗୋଟିଏ ଦେଶର ନେତୃତ୍ୱ ନେଲାବେଳେ ପଣ୍ଡିତ ନେହେରୁ ଜାଣିଥିଲେ ଯେ ଜ୍ଞାନ ଓ ବିଜ୍ଞାନର ଶକ୍ତି ବିନା ବିକାଶ ଅସମ୍ଭବ। ତେଣୁ ଆଜି ଦେଶରେ ଯେତେସବୁ ବୈଜ୍ଞାନିକ ଅନୁଷ୍ଠାନ, ଗବେଷଣାଗାର ଓ
ପ୍ରୟୋଗଶାଳା ଆମେ ଦେଖୁଛୁ ସେ ସବୁ ପଣ୍ଡିତ ନେହେରୁଙ୍କ ଅମଳରେ ହିଁ ପ୍ରତିଷ୍ଠା କରାଯାଇଥିଲା। ଆଣବିକ ଗବେଷଣା, ମହାକାଶ ଗବେଷଣା, ପଦାର୍ଥ ବିଜ୍ଞାନ ଓ ଭୂତତ୍ତ୍ୱ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ସାରା ଦେଶରେ ବହୁ ଅନୁଷ୍ଠାନ ସେତେବେଳେ ପ୍ରତିଷ୍ଠା କରାଯାଇଥିଲା । ଯାହାର ସୁଫଳ ଆମେ
ଆଜି ପାଉଛୁ । ପ୍ରଗତିର ନୂଆ ମନ୍ତ୍ର ପଢୁଥିବା ନୂଆ ଭାରତର ରାଜନେତାମାନେ ଆଜି ମଧ୍ୟ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଭଳି ଏକ ସଂସ୍ଥା ଗଠନ ପାଇଁ ଚିନ୍ତା ମଧ୍ୟ କରିପାରିବେ ନାହିଁ। ବୈଜ୍ଞାନିକ ଗବେଷଣା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ପଣ୍ଡିତଜୀଙ୍କ ନେତୃତ୍ୱ ସର୍ବଶ୍ରେଷ୍ଠ।

୫- ଉଚ୍ଚତର ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ ଆଇଟି ଓ ଏମ୍ସ ଭଳି ଅନୁଷ୍ଠାନର ପରିକଳ୍ପନା ପଣ୍ଡିତ ନେହେରୁଙ୍କ ସ୍ରଷ୍ଟାପଣକୁ ଦେଖାଇଥାଏ। ସାରା ଦେଶରେ ଆଜି ଗବେଷଣାର ଉତ୍କର୍ଷ ପାଇଁ ପରିଚିତ ପ୍ରାୟ ସବୁ ଅନୁଷ୍ଠାନ ନେହେରୁଙ୍କ ସମୟରେ ହିଁ ପ୍ରତିଷ୍ଠିତ ହୋଇଥିଲା।

୬- ପ୍ରତିରକ୍ଷା ଓ ବିଦେଶ ନୀତିର ଶ୍ରେଷ୍ଠତମ ମାର୍ଗଦର୍ଶକ। ନେହେରୁଙ୍କ ସମୟରେ ଭାରତ ତିନୋଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଚୀନ୍ ଓ ପାକିସ୍ତାନ ସହ ସାମରିକ ସଂଘର୍ଷରେ ଆମର ଅର୍ଥନୀତି କିଛିଟା ପ୍ରଭାବିତ ମଧ୍ୟ ହେଇଛି। ଚୀନ୍ ସହ ଯୁଦ୍ଧରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଜୟ ପରାଜୟର ଏହି ଧାରା ମଧ୍ୟରୁ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରେରଣା ମିଳିଥିଲା। ପ୍ରତିରକ୍ଷା ଗବେଷଣା ପାଇଁ ଏକ ସୁଦକ୍ଷ ଭିତ୍ତିଭୂମି ନେହେରୁଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା। ସେହିପରି ବିଦେଶ ନୀତି କ୍ଷେତ୍ରରେ ଆଜି ମଧ୍ୟ ନେହେରୁଙ୍କର ମାର୍ଗଦର୍ଶନ ହେଉଛି ପ୍ରତ୍ୟେକ କୂଟନୀତିଜ୍ଞ ପାଇଁ ବାଇବେଲ୍। ଭାରତକୁ ଏକ ଗୋଷ୍ଠୀ ନିରପେକ୍ଷ ଶକ୍ତି ଭାବରେ ଆମେରିକା ତଥା ଋଷର ପ୍ରଭାବରୁ ଅଲଗା ରଖିବାରେ ପଣ୍ଡିତଜୀଙ୍କ ନେତୃତ୍ୱର ପଟ୍ଟାନ୍ତର ନାହିଁ।

୭- ସମାଜବାଦ, ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ପ୍ରତିଷ୍ଠା। ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଭାରତ ସମ୍ବିଧାନର ମୌଳିକ ନୀତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବା ଆରମ୍ଭ କରିଥିଲା। ରାଷ୍ଟ୍ରୀୟ ସମ୍ବଳର ସମବଣ୍ଟନ, ସମାଜର ଉପେକ୍ଷିତ ବର୍ଗଙ୍କୁ ଆର୍ଥିକ ପ୍ରଗତିର ସ୍ରୋତରେ ସାମିଲ୍ କରିବା ଓ ରାଜୀନତିରେ ସବୁମତକୁ ସମ୍ମାନ ଦେବାର ପ୍ରକ୍ରିୟା ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଥିଲା। ସଂଖ୍ୟାଲଘୁ, ମହିଳା, ଆଦିବାସୀ ଓ ଦଳିତଙ୍କ ସମସ୍ୟାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଶର ନୀତି ଓ ଅର୍ଥନୀତିକୁ ସଙ୍ଗଠିତ କରାଯାଇଥିଲା।

୮ – ସମ୍ବିଧାନ ଓ ଆଇନର ଶାସନ। ପ୍ରବଳ ଜନମତ ଓ ଜନ ସମର୍ଥନ ସତ୍ତ୍ୱେ ପଣ୍ଡିତ ନେହେରୁ ଗଣତନ୍ତ୍ରରେ ନିଜର ଅହଙ୍କାର ବା ଏକଛତ୍ରବାଦକୁ ପ୍ରତିଷ୍ଠା କରିନଥିଲେ। ଦୁର୍ଭାଗ୍ୟ ହେଉଛି ତାଙ୍କରି ନେତୃତ୍ୱରେ ଦେଶର ଜୀବନ ରେଖା ପାଲଟିଥିବା କଂଗ୍ରେସ ପରବର୍ତ୍ତୀ ସମୟରେ ତାଙ୍କରି ଆଦର୍ଶକୁ ଜଳାଞ୍ଜଳି ଦେଇଥିଲା।

Categories
ବିଶେଷ ଖବର

ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି 

କେଦାର ମିଶ୍ର 

ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି ବୋଲି ସତରେ କିଛି ଅଛି କି? ୨୨, ନଭେମ୍ବର, ୨୦୧୦ ରେ କେନ୍ଦ୍ର ସରକାର ଦେଶର ଓଡିଶା ଓ ଗୋଆ ଭଳି ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତିର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି.ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଶାହା କମିଶନ ନିଜର ବ୍ୟାପକ ଅନୁସନ୍ଧାନ ପରେ ୪୮ଟି ଖଣି କମ୍ପାନୀର ବେଆଇନ ଖଣି ଖନନ ଓ ପରିବେଶ ଆଇନର ଉଲ୍ଲଙ୍ଘନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ଶାହା କମିଶନଙ୍କ ସୁପାରିଶ ଦୀର୍ଘ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିକି ରହିବା ପରେ ଏବେ ଏହା ଅକାମୀ ହୋଇ ପଡିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଚାରପତି ଜି.ଏସ.ସିଙ୍ଘଭି ଓ ଅନିଲ ଆର ଦବେଙ୍କୁ ନେଇ ଗଠିତ ଏକ କମିଟି ଓଡିଶାରେ ଖନନ କରୁଥିବା ପ୍ରାୟ ସବୁ ବଡ ଖଣି କମ୍ପାନୀ ଗୁଡିକୁ ଶାହା କମିଶନ କରିଥିବା ଅଭିଯୋଗରୁ ମୁକ୍ତ କରିଛନ୍ତି। ଗତ ଅକ୍ଟୋବର ୪ ତାରିଖ ଦିନ ସୁପ୍ରିମ କୋର୍ଟ ଓଡିଶାରେ ନିଜର ଖଣି ଖୋଲିପାରିବ ବୋଲି ଇସେଲ କମ୍ପାନୀକୁ ଅନୁମତି ଦେଇଥିଲେ। ଏହି ନିର୍ଦ୍ଦେଶରେ ଜଷ୍ଟିସ ସିଙ୍ଘଭି ଓ ଜଷ୍ଟିସ ଦବେ ଙ୍କ ରିପୋର୍ଟ ଆସିଲାପରେ ଏହାର ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଇତି ମଧ୍ୟରେ ସୁପ୍ରିମ କୋର୍ଟଙ୍କ ପାଖରେ କମିଟିର ରିପୋର୍ଟ ଦାଖଲ ହୋଇଛି ଓ ରାଜ୍ୟରେ ବେଆଇନ ଖଣି ଖୋଲିବା ଲାଗି ଅଭିଯୁକ୍ତ ଥିବା ରୁଙ୍ଗଟା, ଇସେଲ ଓ ସାରଦା ଭଳି କମ୍ପାନୀକୁ ଆଶ୍ଵସ୍ତି ମିଳିଛି।

ଖଣି ଆଇନର ଉଲ୍ଲଂଘନ କରି ସାଓ, ଇନ୍ଦ୍ରାଣୀ ପଟ୍ଟନାୟକ, ଆଲୁୱାଲିଆ ଓ ଶିରାଜୁଦ୍ଦିନ ପ୍ରଭୃତିଙ୍କ ଖଣିର ସବ ଲିଜ ନେଇ କାମ କରୁଥିବା ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀକୁ ମଧ୍ୟ ସୁପ୍ରିମ କୋର୍ଟ ର ବିଶେଷ କମିଟି ଦୋଷମୁକ୍ତ କରିଛନ୍ତି। କମିଟିର ଏହି ରିପୋର୍ଟ ପରେ ଖଣି ଦୁର୍ନୀତି ଏକ ଗାଲୁଗପ ଭଳି ମନେ ହେଉଛି। ୨୦୧୪ ଓ ୨୦୧୯ ନିର୍ବାଚନରେ ଖଣି ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ନେଇ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭଲ ବୁଝାମଣା ହୋଇଛି। ସୁପ୍ରିମ କୋର୍ଟଙ୍କ କମିଟି ପାଖରେ ରାଜ୍ୟ ସରକାର ଖଣି ମାଲିକଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ। ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କ ମତକୁ ସ୍ଵୀକାର କରି ସମସ୍ତ କମ୍ପାନୀଙ୍କୁ ଦୋଷ ମୁକ୍ତ କରିଛନ୍ତି।

ତେବେ ଏହି ଖବର ଓଡିଶାରେ ବିଲକୁଲ ଚର୍ଚ୍ଚକୁ ଆସିନାହିଁ। ସମ୍ବାଦିକଙ୍କୁ ଦେଖି ତାଳି ମାରିଥିବା ଜଣେ ସାଂସଦଙ୍କ ବିରୋଧରେ ତିନି ଦିନ ବ୍ୟାପୀ ଦିନରାତି ଖବର ପରିବେଷଣ କରୁଥିବା ଆମର ଗଣମାଧ୍ୟମ, ରାଜ୍ୟର ସବୁଠୁ ବଡ ଖଣି ଦୁର୍ନୀତିକୁ କେମିତି ପୋତି ଦିଆଗଲା, ସେ ବିଷୟରେ ଧାଡିଟିଏ ମଧ୍ୟ ଲେଖିବାକୁ ଅସମର୍ଥ। ବାସ୍ତବରେ ଖଣି ଆଇନରେ ଥିବା ଜଟିଳ ବ୍ୟବସ୍ଥା, ଖଣିର ପରିବେଶ ଜନିତ ପ୍ରଭାବ ଓ ଖଣି ଦୁର୍ନୀତି, ଏହି ତିନୋଟି ଯାକ ପ୍ରସଙ୍ଗରେ ଓଡିଶାର ଗଣମାଧ୍ୟମ ପ୍ରାୟ ନୀରବ। ଖଣିକୁ ନେଇ ଆମର ଅର୍ଥନୀତି ଓ ଜଣ ଜୀବନର ଏକ ବଡ ଅଂଶ ପ୍ରଭାବିତ ଥିବା ବେଳେ, ଏ ସମ୍ପର୍କିତ ରିପୋର୍ଟ ଆମର ନାହିଁ କହିଲେ ଚଳେ। ଶାହା କମିଶନଙ୍କ ସୁପାରିଶ ଗୁଡିକୁ କେଉଁ ଆଧାରରେ ଅକାମି କରାଗଲା ଓ ରାଜ୍ୟ ସରକାରଙ୍କ ମତ କୁ କେଉଁ ଆଧାରରେ ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତିପ୍ରାପ୍ତ ବିଶେଷ କମିଟି ଗ୍ରହଣ କଲେ,ସେ ସମ୍ପର୍କିତ ଆଲୋଚନା ଆମର ହେବନାହିଁ। ରାଜ୍ୟର ପ୍ରମୁଖ ଖଣି ବ୍ୟବସାୟୀଙ୍କୁ ସୁପ୍ରିମ କୋର୍ଟରୁ ଛାଡ ମିଳିଥିବା ବେଳେ ତିନୋଟି ମାତ୍ର କମ୍ପାନୀର ଲିଜ ନବୀକରଣ ନ କରିବାକୁ କମିଟି ସୁପାରିଶ କରିଛନ୍ତି।

ଖଣି ସମ୍ପର୍କରେ ଏବେ ଆଉ ଏକ ତଥ୍ୟ ମଧ୍ୟ ବେଶ ଆଲୋଚିତ ହେଉଛି। ପ୍ରାୟ ଖଣି ଲିଜଧାରୀଙ୍କ ସମୟସୀମା ୨୦୧୯ରେ ସରୁଛି। ଚଳିତ ବର୍ଷ ଅନେକ ନୂଆ ନିଲାମ ଡକାଯିବ।  ସେଥିଲାଗି କେନ୍ଦ୍ର ସରକାରର କେତେଜଣ ପ୍ରଭାବୀ ମନ୍ତ୍ରୀଙ୍କ ପୁଅ ଓ ପରିବାର ଏବେ ଓଡିଶାରେ ଡେରା ପକାଇବାର ଖବର ଶୁଣିବାକୁ ମିଳୁଛି। ବିଜେପି-ବିଜେଡି ଭିତରେ ସୁସମ୍ପର୍କର ଅସଲ ରାଜନୈତିକ ଗୁମର ସେଇଠି ରହିଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏ ସମ୍ପର୍କରେ କେହି ପାଟି ଫିଟାଇବାକୁ ନାରାଜ। ଏ ସମ୍ପର୍କିତ ଖବର ବିଷୟରେ ଗଣମାଧ୍ୟମର ପାଟି ମଧ୍ୟ ଚୁପ। ରାଜ୍ୟର କେତେକ ମୁଖ୍ୟ ଖବର କାଗଜ ଟେଲିଭିଜନ ଚାନେଲ ସହିତ ଖଣି କମ୍ପାନୀମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ରହିଛି। ତେଣୁ ଏ ପ୍ରସଙ୍ଗରେ କିଛି ଖବର କେଉଁଠି ବାହାରିବାର ସମ୍ଭାବନା ନାହିଁ। ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ପଛରେ ମଧ୍ୟ ଖଣି ଲବିର ବ୍ୟାପକ ପ୍ରଭାବ ରହିଛି। ଅତଏବ, ଏକଥା କେହି କହିବେ ନାହିଁ, କି କହିଲେ ମଧ୍ୟ ଶୁଣିବେ ନାହିଁ।

Categories
ବିଶେଷ ଖବର

ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ କାଶ୍ମୀର ପରିଦର୍ଶନରେ ଯିବେ ନାହିଁ କି?? 

କେଦାର ମିଶ୍ର 

ଗଣତନ୍ତ୍ରର ଶେଷ ଆଶା ହେଉଛି ବିଚାର ବିଭାଗ। ଗଣତନ୍ତ୍ରକୁ ଆଘାତ ଦେବାଲାଗି ଯଦି ବିଧାନପାଳିକା ଓ କାର୍ୟପାଳିକା ପ୍ରଚେଷ୍ଟା କରନ୍ତି, ସେଠି ନ୍ୟାୟପାଳିକା ଗଣତନ୍ତ୍ରକୁ ବଞ୍ଚାଇବାର ଗୁରୁ ଦାୟିତ୍ଵ ତୁଲାଇଥାନ୍ତି। ତେବେ ଅନେକ ସମୟରେ ଦେଖାଯାଇଛି, ନ୍ୟାୟପାଳିକା ଏହି ଦାୟିତ୍ଵ ତୁଲାଇବାକୁ ଜାଣିଶୁଣି ଉଦାସୀନ ରହିଛନ୍ତି। ତାହାର ଏକ ବଡ ଉଦାହରଣ ଆମେ ଦେଖିଛୁ  ଜରୁରୀ କାଳୀନ ପରିସ୍ଥିତିରେ ଏଡିଏମ ଜବଲପୁର ରାୟରେ। ୧୯୭୫ ମସିହା ଡିସେମ୍ବର ମାସରୁ ୧୯୭୬ ଫେବୃଆରୀ, ପ୍ରାୟ ୩୭ ଦିନର ମାରାଥନ ଶୁଣାଣୀ ପରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ ଯେ, ଜରୁରୀକାଳୀନ ପରିସ୍ଥିତିରେ ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ କରିବାର ଅଧିକାର ସରକାରର ରହିଛି। ଏହି ରାୟକୁ ଭାରତୀୟ ସୁପ୍ରିମ କୋର୍ଟର ଇତିହାସରେ ସବୁଠୁ କଳଙ୍କିତ ରାୟ ବୋଲି କୁହାଯାଇଥାଏ।

ନାଗରିକର ଅଧିକାର ବିରୋଧରେ ସରକାରକୁ ପ୍ରବଳ କ୍ଷମତା ଦେଇଥିବା ଏହି ରାୟକୁ ସେତେବେଳେ ଚାରିଜଣ ବିଚାରପତି ସମର୍ଥନ କରିଥିବା ବେଳେ ଏହା ବିପକ୍ଷରେ ଏକମାତ୍ର ମତ ରଖିଥିଲେ ଜଷ୍ଟିସ ହଂସରାଜ ଖାନ୍ନା। ସେଥିଲାଗି ଜଷ୍ଟିସ ଖାନ୍ନାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା। ତାଙ୍କୁ ଅପମାନିତ କରି ଇନ୍ଦିରା ଗାନ୍ଧି ସରକାର ଅନ୍ୟ ଜଣେ ଜୁନିଅର ବିଚାରପତିଙ୍କୁ ମୁଖ୍ୟ ବିଚାରପତି କରିଥିଲେ। ତେବେ ଇତିହାସରେ ଜଷ୍ଟିସ ଖାନ୍ନା ମହାନାୟକ ହୋଇ ରହିଗଲେ। କାରଣ ଏଡିଏମ ଜବଲପୁର ମାମଲାରେ ତାଙ୍କର ଭିନ୍ନ ରାୟ, ପରବର୍ତ୍ତୀ ସମୟରେ ମାନ୍ୟତା ପାଇଲା ଓ କୌଣସି ପରିସ୍ଥିତିରେ ମଧ୍ୟ ନାଗରିକର ମୌଳିକ ଅଧିକାର ବ୍ୟାହତ କରିବାର ଅଧିକାର ସରକାରଙ୍କ ପାଖରେ ନାହିଁ ବୋଲି ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ସ୍ପଷ୍ଟ ମତଦେଲେ।

ପ୍ରସିଦ୍ଧ ରାଇଟ ଟୁ ପ୍ରାଇଭେସି ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଅତି ସ୍ପଷ୍ଟ ଭାବରେ ଏଡିଏମ ଜବଲପୁର ରାୟକୁ ଖାରଜ କରିବା ସହିତ ଭାରତୀୟ ନାଗରିକ ର ମୌଳିକ ଅଧିକାର କେବେବି କୌଣସି ପରିସ୍ଥିତିରେ ବ୍ୟାହତ କରାଯାଇପାରିବ ନାହିଁ ବୋଲି କହିଲେ। ଏହି ରାୟରେ ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡ ଯାହା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- “ଏଡିଏମ ଜବଲପୁର ମାମଲାରେ ଚାରିଜଣ ଯାକ ବିଚାରପତି ଦେଇଥିବା ରାୟରେ ଅନେକ ତ୍ରୁଟି ରହିଛି। ବଞ୍ଚିବାର ଅଧିକାର ଓ ସ୍ଵାଧୀନତା ମଣିଷ ଅସ୍ତିତ୍ଵର ଅପରିହାର୍ୟ ଅଙ୍ଗ। ସ୍ଵାଧୀନତା ଓ ଜୀବନର ଅଧିକାର କେହି କାହାକୁ ଦେଇନାହାନ୍ତି, ଏହା ମଣିଷର ସହଜାତ। ଏହା କୌଣସି ସମ୍ବିଧାନ ବା ସରକାର ଛଡାଇ ପାରିବେ ନାହିଁ।”

୨୦୧୭ରେ ଆସିଥିବା ଏହି ରାୟର କୌଣସି ପ୍ରଭାବ ଭାରତ ସରକାରଙ୍କ ଉପରେ ପଡିଛି କି? ନିଜେ ଦେଇଥିବା ରାୟ ସମ୍ପର୍କରେ ନିଜେ ସୁପ୍ରିମ କୋର୍ଟ ସଚେତନ ଅଛନ୍ତି କି? ଏ ପ୍ରଶ୍ନ ଆଜି ପଚାରିବାକୁ ଆମେ ବାଧ୍ୟ, କାରଣ ଜାମୁ-କାଶ୍ମୀରରେ ଗତ ତିନିମାସରୁ ଅଧିକ ସମୟ ହେଲାଣି ସେଠିକାର ବାସିନ୍ଦାଙ୍କର କୌଣସି ମୌଳିକ ଅଧିକାର ନାହିଁ। ସବୁ ପ୍ରମୁଖ ରାଜନୈତିକ ଦଳର ନେତାମାନେ ବନ୍ଦୀ ବା ଗୃହବନ୍ଦୀ।ତିନିମାସ ଧରି କୌଣସି ଯୋଗାଯୋଗ କାଶ୍ମୀରରେ ନାହିଁ। ଜୀବନ ଓ ସ୍ଵାଧୀନତାର ଅଧିକାରକୁ ବିପନ୍ନ କରିବା ଲାଗି ଆଜି ଜରୁରୀ ପରିସ୍ଥିତି ଜାରି ହୋଇନାହିଁ। ତଥାପି ଗୋଟେ ରାଜ୍ୟ ନିଜର ମୌଳିକ ଅଧିକାର ହରାଇଛି। ରାଜ୍ୟର ମର୍ୟାଦାରୁ ବଞ୍ଚିତ କରି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଯାହା କରାଯାଇଛି, ସେଥିରେ କାଶ୍ମୀର ଲୋକଙ୍କୁ ବିଶ୍ବାସକୁ ନିଆ ଯାଇନାହିଁ। ଏହା ପଛରେ ଏକମାତ୍ର ଯୁକ୍ତି ରହିଛି “ଜାତୀୟ ସୁରକ୍ଷା”। ଜାତୀୟ ସୁରକ୍ଷା ପାଇଁ ଲୋକଙ୍କ ମୌଳିକ ଅଧିକାର ଛଡେଇ ନିଆଯାଇ ପାରିବ କି? ଲୋକେ ବିଦେଶ ଯାଇ ପାରିବେ ନାହିଁ। ଲୋକେ ନିଜର ବ୍ୟବସାୟ ଚଳାଇ ପାରିବେ ନାହିଁ। କୌଣସି ଭାରତୀୟ ରାଜନୈତିକ ଦଳର ପ୍ରତିନିଧି କାଶ୍ମୀରକୁ ଯାଇ ପାରିବେ ନାହିଁ। ଗତ ତିନିମାସ ହେଲା କାଶ୍ମୀରରେ ଏହା ହେଉଛି ବାସ୍ତବତା।

ଏ ପ୍ରସଙ୍ଗରେ ଯେତେବେଳେ ସୁପ୍ରିମ କୋର୍ଟରେ ହେବିଅସ କର୍ପସ ମାମଲା ଆସିଲା, ତାର ବିଚାର କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ନିଜର ପ୍ରାଥମିକ କର୍ତ୍ତବ୍ୟ ବୋଲି ଭାବିଲେ ନାହିଁ। ଏହି ମାମଲାର ବିଚାର ଚାଲିଥିବା ବେଳେ ମାନ୍ୟବର ମୁଖ୍ୟ ବିଚାରପତି ଗତ ସେପ୍ଟେମ୍ବର ୧୬ ତାରିଖ ଦିନ କହିଲେ, ଯଦି କାଶ୍ମୀର ପରିସ୍ଥିତି ଏତେ ଖରାପ, ତାହେଲେ ସ୍ଥିତି ଅନୁଧ୍ୟାନ କରିବାକୁ ମୁଁ ନିଜେ ଶ୍ରୀନଗର ଯିବି। ୟା ଭିତରେ ଦେଢ ମାସ ବିତିଗଲାଣି। ଆଉ ସପ୍ତାହେ ପରେ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରିବେ। ତାଙ୍କ ପାଖରେ ଯେତିକି ମାମଲାର ରାୟ ସଂରକ୍ଷିତ ରହିଛି ସେସବୁକୁ ସାରିବାକୁ ସମୟ ନିଅଣ୍ଟ। ସେ ଭିତରେ ମାନ୍ୟବର ମୁଖ୍ୟ ବିଚାରପତି କାଶ୍ମୀର ଯିବେ କି? ନିଜେ ଯେତେବେଳେ ମୁଖ୍ୟ ବିଚାରପତି କହିଥିଲେ, ସେ ବ୍ୟକ୍ତିଗତ ଭାବରେ ସ୍ଥିତି ଅନୁଧ୍ୟାନ କରିବେ, ତାଙ୍କ କଥା ଉପରେ କାଶ୍ମୀରବାସୀ ଆଜି ମଧ୍ୟ ଭରସା ରଖିଛନ୍ତି। ହେଲେ ଜଷ୍ଟିସ ଗୋଗୋଇ କାଶ୍ମୀରବାସୀଙ୍କୁ ଭାରତୀୟ ଭାବରେ ତାଙ୍କର ମୌଳିକ ଅଧିକାର ଦେବାରେ ସଫଳ ହୋଇଛନ୍ତି କି?

ଏଡିଏମ ଜବଲପୁର ମାମଲାରେ ସରକାରକୁ ସମର୍ଥନ କରି ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ ଜୀବନ ତମାମ ପଶ୍ଚାତ୍ତାପ କରିଥିଲେ। ସେତେବେଳେ ସରକାରୀ ପକ୍ଷକୁ ସମର୍ଥନ କରି ଜଷ୍ଟିସ ବେଗ ଲେଖିଥିଲେ- “ବନ୍ଦୀ ହୋଇ ରହିଥିବା ଲୋକଙ୍କୁ ସରକାର ମା ଭଳି ରଖିଛନ୍ତି। ସେମାନଙ୍କୁ ଭଲ ଜାଗାରେ ରଖାଯାଇଛି ଓ ସେମାନଙ୍କର ଯତ୍ନ ନିଆଯାଉଛି।” ସମାନ ତର୍କ ଆଜି ମୋଦୀ ସରକାର ଦେଉଛନ୍ତି। କାଶ୍ମୀରକୁ ବନ୍ଦୀ ଭାବରେ ରଖି ତାର ବିକାଶ କରା ଯାଉଛି। ଲୋକଙ୍କ ନାଗରିକ ହେବାର ଅଧିକାର ଛଡେଇ ନେଇ ସେମାନଙ୍କୁ ବାକି ଭାରତୀୟଙ୍କଠାରୁ ଅଲଗା ରଖା ଯାଇଛି। ଦୁର୍ଭାଗ୍ୟର କଥା ହେଉଛି, ୧୯୭୬ରେ ସୁପ୍ରିମ କୋର୍ଟ ଯେଉଁ ଭୁଲ କରିଥିଲେ, ଆଜି ପୁଣି ତାର ପୁନରାବୃତ୍ତି କରୁଛନ୍ତି।

ଆମେ ଆଶା କରିବା କି, ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ କାଶ୍ମୀର ଯାଇ ବ୍ୟକ୍ତିଗତ ଭାବରେ ସ୍ଥିତି ଅନୁଧ୍ୟାନ କରି ଆସିବେ??

Categories
ବିଶେଷ ଖବର

ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା, ପୋଟଳ କିଲୋ ଶହେ ଟଙ୍କା, ମଣିଷ ଚଳିବ କେମିତି- ବଜାରରୁ ଫେରି ଜଣେ ବନ୍ଧୁ ହତାଶ ହୋଇ ଏତକ କହିଲେ। ତାଙ୍କ କଥା ଶୁଣି ଆମର ମନେ ପଡିଗଲା, ଗତ ଦୁଇମାସ ତଳେ ପିଆଜ ଦର ଉପରେ ଗୋଟେ ଲେଖା ଲେଖି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଇଥିଲୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଆମର ସବୁଠୁ ଡରୁଆ ମୁମ୍ବାଇ ସିନେମାରେ ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଗୀତ ବି ଲେଖା ହୋଇଛି। ୧୯୭୪ ମସିହାରେ ମନୋଜ କୁମାରଙ୍କ ପ୍ରସିଦ୍ଧ ସିନେମା “ରୋଟି, କପଡା ଔର ମକାନ” ରେ ଦରଦାମ ବୃଦ୍ଧିକୁ ନେଇ ସେ ଲୋକପ୍ରିୟ ଗୀତଟି ଆଜି ବୋଧେ ଆଉ କେହି ଶୁଣୁନାହାନ୍ତି। ସେ ଗୀତରେ ବର୍ମା ମଲିକ ଲେଖିଥିଲେ- ଆଗରୁ ମୁଠାଏ ପଇସା ଦେଲେ ବ୍ୟାଗ ଭର୍ତ୍ତି ଚିନି ମିଳୁଥିଲା, ଏବେ ବ୍ୟାଗ ଭର୍ତ୍ତି ପଇସାରେ ମୁଠାଏ ଚିନି। ତୋତେ କାଇଁ ମରଣ ହେଉନି ଲୋ ମହଙ୍ଗା ମାଡ! ଚିନିରେ ଅଟାର ମିଶ୍ରଣ ଆମକୁ ମାରିଦେଉଛି। ପାଉଡର କ୍ଷୀରରୁ ଲହୁଣୀ ଆମକୁ ମାରିଦେଉଛି। ରାସନ ଦୋକାନର ଲାମ୍ବା ଧାଡି ଆମକୁ ମାରିଦେଉଛି। ଜନତାର ଚିତ୍କାର ଆମକୁ ମାରିଦେଉଛି। ବାକି କୁଛ ବଛା ତୋ ମେହେଙ୍ଗାଇ ମାର ଗଇ……… ଏଭଳି ଗୀତ ଆଜି ବଲିଉଡ ଲେଖିବାକୁ ଡରୁଛି କାହିଁକି?

ଖାଲି ୧୯୭୪ ନୁହେଁ, ୨୦୧୦ରେ ଅମିର ଖାଁଙ୍କ “ପିପିଲି ଲାଇଭ” ସିନେମା କଥା ମନେ ପକାନ୍ତୁ। ସେଥିରେ ରଘୁବୀର ଯାଦବ ଗାଉଥିବା ସେ ଲୋକଗୀତ- ସଖୀ,ସଇୟାଁ ତୋ ଖୁବ ହି କମାତ ହୈ, ମହଙ୍ଗାଇ ଡାୟନ ଖାୟେ ଜାତ ହୈ। ତେଣୁ ଯେଉଁମାନେ କଂଗ୍ରେସ ସମୟରେ ଦରଦାମ ବୃଦ୍ଧି କୁ ନେଇ ଲୋକ କେଉଁଠି ଶୋଇଥିଲେ ବୋଲି ପଚାରନ୍ତି, ସେମାନେ ଏ ସବୁ ଗୀତ ଆଜି ଆଉଥରେ ଶୁଣନ୍ତୁ। ଆମର ମନେ ଅଛି, ଅଶି ଦଶକରେ ଘରେ ଘରେ ଗୋଟେ ଓଡିଆ ଢଗ ଶୁଭୁଥିଲା- ଇନ୍ଦିରା ଗାନ୍ଧିର ବବୁରି ବାଳ- ମହଙ୍ଗା ହେଲା ନଡିଆ ତେଲ। ଦରବୃଦ୍ଧିକୁ ନେଇ ସାଧାରଣ ଜନତାର କ୍ଷୋଭ ଓ କ୍ରୋଧର ଏମିତି ବହୁ ଉଦାହରଣ ଆଗରୁ ରହିଛି। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ପୋଟଳ କିଲୋ ଶହେ ଟଙ୍କା,  ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!!

Categories
ବିଶେଷ ଖବର

ଆଉ କେତେ ପାକିସ୍ତାନ, କେତେ ଆଉ ଚିତ୍କାର କରିବ ଟିଭିସ୍ତାନ!! 

କେଦାର ମିଶ୍ର 

ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।

ଅର୍ଥାତ ଆମ ଦେଶର ଗଣମାଧ୍ୟମ ଲାଗି ସବୁଠୁ ବଡ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ପାକିସ୍ତାନ। ଭାରତରେ ପାକିସ୍ତାନକୁ ଚର୍ଚ୍ଚାର ପ୍ରସଙ୍ଗ କରିବା ପଛରେ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଗୋଟେ ପକ୍ଷରେ ସାଉଦି ଆରବ ଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ମିତ୍ରତାର ମନ୍ତ୍ର ଜପୁଥିବା ବେଳେ ଅନ୍ୟ ପକ୍ଷରେ ପାକିସ୍ତାନ ବିରୋଧରେ ଚିତ୍କାର କରି ଆମେ ଆମ ନିଜର ସମୟ ଓ ସମ୍ବଳ ନଷ୍ଟ କରି ଚାଲିଛୁ। ପାକିସ୍ତାନ ପରେ ଗଣମାଧ୍ୟମର ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ହେଉଛି-ବିରୋଧୀ ଦଳ ପ୍ରତି ଆକ୍ରମଣ। ୨୦୦ ବିତର୍କରୁ ୬୬ ଟିରେ ବିରୋଧୀ ଦଳ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ନିନ୍ଦା କରି ବିତର୍କ ରଖାଯାଇଛି। ସରକାର ଓ ସରକାରୀ ଦଳର ପିତୃ ସଙ୍ଗଠନ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଙ୍ଘର ପ୍ରଶଂସାରେ ୩୬ ଓ ରାମ ମନ୍ଦିର ବିଷୟରେ ୧୪ ଟି ବିତର୍କ ରହିଛି।

ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ୨୦୦ ରୁ ଗୋଟିଏ ବିତର୍କ ମଧ୍ୟ ହୋଇନାହିଁ। କ୍ଷୁଧାର ସୂଚକାଙ୍କରେ ଭାରତର ସ୍ଥାନ ଅତି ଖରାପ ଥିବାବେଳେ, ଏହାକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଦେଶର ରାଜଧାନୀ ଦିଲ୍ଲୀ ଆଜି ବିଷ ବଳୟରେ ପରିଣତ ହୋଇ ସାରିଛି, ହେଲେ ଏହାକୁ ନେଇ କୌଣସି ବିତର୍କ ଟିଭିରେ ଶୁଣିବାକୁ ମିଳିନଥିଲା। ଦେଶରେ ବେକାରି ସମସ୍ୟା ସବୁଠୁ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ, ଏହାର କୌଣସି ଆଲୋଚନା ଟିଭିରେ ହୋଇନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଗରିବୀ, ବେକାରୀ ଭଳି ପ୍ରସଙ୍ଗ ଟିଭି ବିତର୍କରେ ଜାଗା ପାଉନାହିଁ। ଏହି ତଥ୍ୟ ମୂଳତଃ ଦେଶର ଚାରୋଟି ପ୍ରମୁଖ ହିନ୍ଦୀ ଚାନେଲ ଆଜତକ, ଏବିପି, ଇଣ୍ଡିଆ ଟିଭି ଓ ନ୍ୟୁଜ-୧୮ ରୁ ନିଆଯାଇଛି। ଏମାନଙ୍କ ପାକିସ୍ତାନ ପ୍ରତି ଏତେ ଆକର୍ଷଣର କାରଣ ବୁଝି ହେଉଛି। ବର୍ତ୍ତମାନ ସମୟରେ ଦେଶର ମୌଳିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ପାକିସ୍ତାନ ଏକ ସହଜିଆ ବାଟ।

ଜାତୀୟ ଟେଲିଭିଜନର ଦେଖାଦେଖି ଆମ ଓଡିଆ ଚାନେଲ ଗୁଡିକ ମଧ୍ୟ ସେଇ ପାକିସ୍ତାନ ପାକିସ୍ତାନ ଘୋଷି ହେଉଛନ୍ତି। ରାଜ୍ୟର ୮ ଟି ପ୍ରମୁଖ ଟିଭି ଚାନେଲ-ଓଟିଭି, ନ୍ୟୁଜ-୭, କନକ ଟିଭି, କଳିଙ୍ଗ ଟିଭି, ଜି-ଓଡିଶା, ନ୍ୟୁଜ-୧୮, ନକ୍ଷତ୍ର ଟିଭି ଓ ଏମବିସି ଟିଭିରେ ପାକିସ୍ତାନ ଛାଇ ହୋଇ ରହିଛି। ଭାରତର ବିରୋଧୀ ଦଳ ସରକାରୀ ଦଳ ବିରୋଧରେ କରୁଥିବା ଅଭିଯୋଗକୁ ନେଇ ଚୁପ ରହୁଥିବା ଆମ ଟିଭି ଚାନେଲ ଗୁଡିକ ପାକିସ୍ତାନ ବିରୋଧୀ ଦଳର ଆନ୍ଦୋଳନକୁ ନେଇ ବେଶ ଉତ୍ସାହିତ। ଓଡିଆରେ ଚିତ୍କାର କରି ଆମର ଆଙ୍କର ମାନେ ଏମିତି କହୁଛନ୍ତି, ଯେମିତି ଭୁବନେଶ୍ବରରୁ ସେମାନଙ୍କ ସ୍ଵର ଇସ୍ଲାମାବାଦରେ ପହଞ୍ଚିବ ଓ ସେମାନଙ୍କ ଧମକ ଶୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୂର୍ଚ୍ଛା ହୋଇ ପଡିବେ। ପ୍ରତିଦିନ ଓଡିଆ ଚାନେଲ ଗୁଡିକରେ ପାକିସ୍ତାନକୁ ନେଇ ଚର୍ଚ୍ଚା ହେଉଛି ବା ସ୍ଵତନ୍ତ୍ର କାର୍ୟକ୍ରମ ପ୍ରସ୍ତୁତ ହେଉଛି।ତେବେ ଏ ସବୁ କାର୍ୟକ୍ରମର ଉଦ୍ଦେଶ୍ୟ କଣ?

ରାଜ୍ୟ ବା ଦେଶର ମୌଳିକ ସମସ୍ୟା ତୁଳନାରେ ପଡୋଶୀ ସହିତ କଳହକୁ ଅଧିକ ଗୁରୁତ୍ଵ ଦେବା ହୁଏତ ଶାସକ ଦଳର ଏଜେଣ୍ଡା ହୋଇପାରେ। ସେଥିରେ ଗଣମାଧ୍ୟମ ଶାସକ ଦଳର ସବୁଠୁ ବଡ ସହାୟକ ହେବାର କାରଣ କଣ? କେଉଁଠି ନା କେଉଁଠି ଆମର ଗଣମାଧ୍ୟମ ନିଜ ଭିତରର ଆତ୍ମ ବିଶ୍ଵାସ ହରାଇ ବସିଛି। ନିଜର ମେରୁଦଣ୍ଡ ଅପେକ୍ଷା ଶାସକ ଦଳର ମେରୁଦଣ୍ଡ ଉପରେ ଭରା ଦେଇ ଏହା ଉପରକୁ ଉଠିବାକୁ ଚାହୁଁଛି। ତେଣୁ ଶାସକର ଆଦର୍ଶ ଓ ଶାସକର ଲକ୍ଷ୍ୟ ପୂରଣ, ଏ ଦୁଇଟି ଏବେ ଗଣମାଧ୍ୟମର ସଂକଳ୍ପ।

ସେ ହିନ୍ଦୀ ହେଉ ବା ଓଡିଆ, ସେ ଇଂରାଜୀ ହେଉ ବା କୋଙ୍କଣୀ, ସବୁ ଭାରତୀୟ ଭାଷାରେ ଗଣମାଧ୍ୟମ ଏବେ ଶାସକ ଦଳର “ଚୁଙ୍ଗା” ହେବାକୁ ଚାହୁଁଛନ୍ତି। ବର୍ତ୍ତମାନର ଶାସକ ଦଳ ଯେହେତୁ ସଂଘ ର ନିୟନ୍ତ୍ରଣରେ ରହିଛି, ତେଣୁ ଆପେ ଆପେ ପୁରା ଟିଭି ଜଗତ ସଂଘର ବିଚାରକୁ ନିଜର ବ୍ରତ ଭାବରେ ଗ୍ରହଣ କରି ନେଇଛି। ଏକଦା ଷାଠିଏ ଦଶକରେ ଆରଏସଏସର ପ୍ରେସ ବିଜ୍ଞପ୍ତି ଛାପିବାକୁ କୌଣସି ଗଣମାଧ୍ୟମ ଚାହୁଁ ନଥିଲେ। ଆଜି ଆରଏସଏସ ର ବିଚାର ଗଣମାଧ୍ୟମର ଜୀବନ ପାଲଟି ଯାଇଛି। ସେଇ ବିଚାରରେ ଦେଶ ଅପେକ୍ଷା, ଦେଶର ତଥାକଥିତ ଶତ୍ରୁକୁ ନେଇ ଅଧିକ ଚର୍ଚ୍ଚା କରିବାକୁ ଆମେ ବାଧ୍ୟ।

Categories
ବିଶେଷ ଖବର

ରାମନାମର ରାଜନୀତି, ରାମକଥାର ଆଇନ ଓ ରାମଙ୍କ ନାଁରେ ବିଷ ବାଣ୍ଟୁଥିବା ଗଣମାଧ୍ୟମ

କେଦାର ମିଶ୍ର

କେବେବି କୌଣସି ମୁହୂର୍ତ୍ତରେ ରାମ ଜନ୍ମଭୂମି ମାମଲାର ଚୂଡାନ୍ତ ରାୟ ସୁପ୍ରିମ କୋର୍ଟ ପ୍ରକାଶ କରିବେ। ଆସନ୍ତା ୧୮ ନଭେମ୍ବରରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ। ଭାରତ ଇତିହାସରେ ଏକ ରାୟ ପ୍ରକାଶ ପାଇବା ପୂର୍ବରୁ ଏହା ଆମ ସପକ୍ଷରେ ଯିବ ବୋଲି ବହୁ ବିଜେପି ନେତା ଓ ସଂଘ ପରିବାରର ସଦସ୍ୟ ଖୋଲାଖୋଲି କହି ସାରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଇନ କଣ କରିବ ତାହା ରାୟ ପ୍ରକାଶ ପାଇଲା ପରେ ଜଣାପଡିବ, ହେଲେ ଏହାଯେ ବିଜେପିର ରାଜନୀତି ଲାଗି ଏକ ଉର୍ବର ଭୂମି ତିଆରି କରିବ, ଏଥିରେ ସନ୍ଦେହ ନାହିଁ। ସପକ୍ଷରେ ଗଲେ ଏହା ବିଜେପିର ସଫଳତା ଓ ବିପକ୍ଷରେ ଗଲେ ଏହା ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହି ବିଜେପି ତାର ରାଜନୀତି ଅବ୍ୟାହତ ରଖିବ। ଏ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ଅତ୍ୟନ୍ତ ବିଷାକ୍ତ ଓ ଉତ୍ତେଜନା ସୃଷ୍ଟିକାରୀ ପରିବେଶ ସୃଷ୍ଟି କରି ଚାଲିଛନ୍ତି। “ରାମ ହମାରେ, ଜନ୍ମଭୂମି ହମାରେ-ମସଜିଦ ବାଲେ କାହାଁ ସେ ପଧାରେ” ଭଳି ଅତ୍ୟନ୍ତ ଜଘନ୍ୟ ଶିରୋନାମାରେ ଗଣମାଧ୍ୟମ ବିଷ ବୁଣି ଚାଲିଛି।

ଗତ ତିରିଶ ବର୍ଷ ଧରି ରାମ ଓ ରାମ ମନ୍ଦିର ନାଁ ରେ କେତେ ଯେ ହତ୍ୟା, ରକ୍ତପାତ, ଦଙ୍ଗା ଓ ଗଣହତ୍ୟା ଘଟିଛି, ତାହାର ହିସାବ ଦେଇ ହେବନାହିଁ।ଖଣ୍ଡେ ଭୂମିର ଅଧିକାର ଲାଗି ହଜାର ହଜାର ଲୋକ ହିଂସାର ଶିକାର ହୋଇଛନ୍ତି। ଅଶୀ ଦଶକରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ସଂଘ ପରିବାର ଓ ବିଜେପି ଦେଶ ସାରା ଅନେକ ଉତ୍ତେଜନା ସୃଷ୍ଟି କରି ଆସୁଛନ୍ତି। ୬, ଡିସେମ୍ବର, ୧୯୯୨ ରେ ବାବ୍ରୀ ମସଜିଦ କୁ ଭାଙ୍ଗିଦେଇ ସାରା ଦେଶରେ ରକ୍ତର ବନ୍ୟା ବୁହା ଯାଇଛି। ସେଇ ରାମମନ୍ଦିର କୁ ଆଳ କରି ୨୦୦୨ ରେ ଗୁଜରାଟ ଦଙ୍ଗା ହୋଇଛି ଓ ସେଥିରେ ହଜାର ସଂଖ୍ୟକ ଭାରତୀୟ ମୃତ୍ୟୁ ବରଣ କରିଛନ୍ତି। ରାମଶିଳା ପୂଜନ, କରସେବା, ଭୂମି ପୂଜା ଭଳି ବିଭିନ୍ନ ନାମ ନେଇ ରାମ ମନ୍ଦିର ରାଜନୀତିକୁ ଉଜ୍ଜୀବିତ ରଖାଯାଇଛି।

ତେବେ ସବୁଠୁ ବଡ କଥା ହେଉଛି, ରାମ ମନ୍ଦିରର ଦୁହାଇ ଦେଇ ବିଜେପି ପାଞ୍ଚ ଥର ସରକାର ଗଠନ କରିଛି। ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ବରେ ତିନିଥର ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦୁଇ ଥର ସରକାର ଗଢି ସାରିଥିବା ବିଜେପି, ସରକାରରେ ଥିବାବେଳେ କଦାପି ଏ ବିଷୟରେ ଚିନ୍ତା କରିନାହିଁ। ଚତୁରତାର ସହିତ ଏହାକୁ ପରିଶେଷରେ ସୁପ୍ରିମ କୋର୍ଟଙ୍କ ବିଚାର ଉପରେ ଛାଡି ଦିଆ ଯାଇଛି।

ଗତ ସତୁରୀ ବର୍ଷ ଧରି ଏକ ଜମିଜମା ମାମଲା ଭାବରେ ଏହାର ବିଚାର ବିଭିନ୍ନ ଅଦାଲତରେ ଚାଲିଛି। ଆଲାହାବାଦ ହାଇକୋର୍ଟ ତଥାକଥିତ ରାମ ମନ୍ଦିର ଜମିକୁ ତିନି ଭାଗରେ ବାଣ୍ଟି ଦେଇଛନ୍ତି। ସେ ରାୟ ବିରୋଧରେ ଏବେ ସୁପ୍ରିମ କୋର୍ଟ ରେ ମାମଲା ଚାଲିଛି। ପରିଶେଷରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି ଓ ଏହାର ପ୍ରତିକ୍ରିୟାରେ କଣ ହେବ, ତାକୁ ନେଇ ଭୟ ଓ ଆଶଙ୍କାରେ ସାରା ଦେଶ ରହିଛି।

ଭାରତର ସଂଖ୍ୟାଧିକ ହିନ୍ଦୁ ବିଶ୍ଵାସ କରନ୍ତି- ଘଟ ଘଟ ମେ ବସେ ହୈ ରାମ। ପ୍ରତି ଜୀବ ଭିତରେ ରାମଙ୍କ ମନ୍ଦିର ଅଛି। ପ୍ରତି ମଣିଷ ରାମଙ୍କ ଅଂଶ ବୋଲି ଯିଏ ବିଶ୍ଵାସ କରେ ସେ ମନ୍ଦିର ନାଁ ରେ ମଣିଷ ମାରିବାର ରାଜନୀତିକୁ ସମର୍ଥନ କରିବ କାହିଁକି? ରାମ ମନ୍ଦିର ପ୍ରସଙ୍ଗ ଉଠିଲେ, ଏ ଦେଶର ହୃତକମ୍ପନ ବଢିଯାଏ। ଲୋକ ପୁଣି ଆତଙ୍କିତ ହୋଇପଡନ୍ତି। ପୁଣି ରକ୍ତପାତ ଓ ହିଂସା ର ଭୟ ଲୋକଙ୍କ ଛାତି ଥରାଏ। ବୋଧହୁଏ ବିଜେପି ସେୟା ଚାହୁଁଛି। ଭୟ ଓ ଆତଙ୍କ ଭିତରେ ସମାଜ ବିଭାଜିତ ହୋଇ ରହୁ। ଭାବାବେଗ ନାଁ ରେ ଲୋକଙ୍କୁ ବିଭାଜିତ କରାଯାଉ। ହିନ୍ଦୁ ଧର୍ମର ବିବିଧତା ଓ ସହିଷ୍ଣୁତା କୁ ଧ୍ଵଂସ କରାଯାଉ।

ଯିଏ ସବୁଠୁ ରମଣୀୟ ବା ସୁନ୍ଦର ସେ ରାମ। ଜଗତ ଓ ଜଗତ ବାହାରର ସବୁ ସୌନ୍ଦର୍ଯ୍ଯ ର କାରଣ ବୋଲି ତାଙ୍କୁ କୁହାଯାଇଛି। ସେ ରାମ ଯଦି ହିଂସା ଓ ରକ୍ତପାତର କାରଣ ହୁଅନ୍ତି, ତାହେଲେ ସେଥିରେ ରାମ ତତ୍ତ୍ଵ ର ଅମର୍ଯ୍ଯଦା ହେବନାହିଁ କି? ସକଳ ସୌନ୍ଦର୍ଯ୍ଯ ର ମହାନାୟକ ରାମଙ୍କୁ ହିଂସାର ବାହକ ଭାବରେ ରାଜନୀତିରେ ବ୍ୟବହାର କରିବାର ଏ ଅପଚେଷ୍ଟା ବିରୋଧରେ ଉଦାରପନ୍ଥୀ ହିନ୍ଦୁ ମାନଙ୍କୁ ଠିଆ ହେବାକୁ ପଡିବ। ରାମମନ୍ଦିର ରାୟ ର ପକ୍ଷ ବା ପ୍ରତିପକ୍ଷ କେହି ନୁହନ୍ତି। ଏହା କେବଳ ଏକ ଜମି ବିବାଦ ମାମଲା ଓ ଏହାକୁ ନେଇ ସାମ୍ପ୍ରଦାୟିକ ବିଭାଜନର ସବୁ ପ୍ରକାର ରାଜନୀତିକୁ ପ୍ରତିହତ କରିବାର ଗୁରୁ ଦାୟିତ୍ଵ ଆମ ସମସ୍ତଙ୍କର ରହିଛି।

 

Categories
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?

କେଦାର ମିଶ୍ର 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ମାନେ କଣ? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ। ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଳମ୍ବିତ କାର୍ୟକ୍ରମ ଘୋଷଣା କରାଯାଇଥିଲା।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ। ତେବେ ଆଜିର ପୃଷ୍ଠଭୂମିରେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଓ କାର୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। ପ୍ରଥମତଃ ଏହାକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ସହିତ ଏକାଠି ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିଲା। ବିଧାନସଭା ସମୟ ଅବଧି ସରିବାର  ୬ ମାସ ଆଗରୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ କମିଶନ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ଝାଡଖଣ୍ଡକୁ ଅନ୍ୟ ଦୁଇ ରାଜ୍ୟର ନିର୍ବାଚନଠାରୁ ଅଲଗା କରିବାର ଉଦ୍ଦେଶ୍ୟ କଣ? ଯଦିବା ଏହା ଅଲଗା ସମୟରେ ହେଉଛି, ମାତ୍ର ୮୧ ତ ବିଧାନସଭା ଲାଗି ୨୦ ଦିନ ବ୍ୟାପୀ ପାଞ୍ଚୋଟି ପର୍ୟାୟର ନିର୍ବାଚନ କାହିଁକି? ନିକଟରେ ମହାରାଷ୍ଟ୍ର ଭଳି ବଡ ରାଜ୍ୟ, ଯେଉଁଠି ୨୮୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିଲା, ତାହା ଗୋଟିଏ ଦିନରେ ସମ୍ପନ୍ନ ହୋଇଥିବା ବେଳେ ଝାଡଖଣ୍ଡ ଭଳି ଛୋଟ ରାଜ୍ୟରେ ପାଞ୍ଚ ଥାକିଆ ନିର୍ବାଚନ କାହିଁକି ?

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଝାଡଖଣ୍ଡରେ ନକ୍ସଲ ଅଞ୍ଚଳ ଓ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ହୁଏତ ଏ ପ୍ରକାର ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇପାରେ। ତେବେ ମହାରାଷ୍ଟ୍ରର ଗଡ ଚିରୋଲି ଅଞ୍ଚଳ ନକ୍ସଲ ପ୍ରଭାବିତ ନଥିଲା କି? ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା କେମିତି? ମହାରାଷ୍ଟ୍ରର ଭୌଗୋଳିକ ବିବିଧତା ଝାଡଖଣ୍ଡ ତୁଳନାରେ ଅଧିକ ବ୍ୟାପକ। ତା ସତ୍ତ୍ୱେ ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା। ଝାଡଖଣ୍ଡରେ କଣ ଏମିତି ହେଲା ଯେ ଏଠି ମାସେ ଯାଏ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବ? ନିର୍ବାଚନ କମିଶନଙ୍କ ଏ ପ୍ରକାର ସିଦ୍ଧାନ୍ତକୁ ନେଇ ଏବେ ସନ୍ଦେହ ଉଠୁଛି। ଉଠିବା ସ୍ଵାଭାବିକ ମଧ୍ୟ। ଭିନ୍ନ ରାଜ୍ୟ ଲାଗି ଭିନ୍ନ ନିର୍ବାଚନୀ ବ୍ୟବସ୍ଥା ଗ୍ରହଣ ପଛରେ ଠୋସ କାରଣ ନ ରହିଲେ, ନିର୍ବାଚନ କମିଶନ ପ୍ରତି ଲୋକଙ୍କ ଆସ୍ଥା କମିଯିବ। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଅନେକ ସମାଲୋଚନା ହୋଇଛି। ଏବେ ଝାଡଖଣ୍ଡ ନିର୍ବାଚନକୁ ବିଳମ୍ବିତ ଓ ପ୍ରଲମ୍ବିତ କରିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ଧାରଣା ସୃଷ୍ଟି ହୋଇଛି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।

 

Categories
ବିଶେଷ ଖବର

ଯଦି ବାସ୍ତବ ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଦୟାକରି ଟେଲିଭିଜନ ଦେଖିବା ବନ୍ଦ କରି ଦିଅନ୍ତୁ! 

କେଦାର ମିଶ୍ର 

କିଛି ମାସ ଆଗରୁ ଯେତେବେଳେ ବିଶିଷ୍ଟ ସାମ୍ବାଦିକ ରବିଶ କୁମାର କହିଥିଲେ – ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଯଦି ଟେଲିଭିଜନରେ ଖବର ଦେଖିବା ବନ୍ଦ କରିଦିଅନ୍ତୁ, ସେତେବେଳେ ମୁଁ ଭାବିଥିଲି ଏହା ଟିକେ ମାତ୍ରାଧିକ ପ୍ରତିକ୍ରିୟା। ଟେଲିଭିଜନ ସାମ୍ବାଦିକତା ସମୂଳେ ଖରାପ ବା ବିଭ୍ରାନ୍ତିକର ବୋଲି କହିବା ହୁଏତ ଠିକ ନୁହେଁ। ତେବେ ସମୟ କ୍ରମେ ମୋତେ ଲାଗୁଛି, ଅନ୍ତତଃ ଜାତୀୟ ବା ଆନ୍ତର୍ଜାତିକ ଖବର ଜାଣିବା ଲାଗି ଏବେ ମଧ୍ୟ କିଛି ବିଶ୍ୱାସଯୋଗ୍ୟ ଗଣମାଧ୍ୟମ ସଂସ୍ଥା ବଞ୍ଚି ରହିଛନ୍ତି। ହେଲେ ଓଡିଶାରେ ଆପଣ ଯଦି ଟେଲିଭିଜନ ଦେଖି ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଗୁଡାଏ ଅଖବର ଓ ଗାଲୁଗପ ହିଁ ଶୁଣିବାକୁ ମିଳିବ। ଟେଲିଭିଜନ ସାମ୍ବାଦିକତା ଏତେ ମାତ୍ରାରେ ରାଜନୈତିକ ନିରକ୍ଷରତାର ଶିକାର ଯେ ସେଠି ଯେ କୌଣସି ଆବର୍ଜନା ବି ମୁଖ୍ୟ ଖବର ପାଲଟି ଯାଇପାରେ। ଏକଥା କହିଲେ, ଆମର କିଛି ବନ୍ଧୁ କ୍ଷୁବ୍ଧ ହେବେ, ମୁଁ ଜାଣିଛି। ହେଲେ ଏ କଥା ନ କହି ଆଉ ବାଟ ନାହିଁ। ଗତ ସପ୍ତାହେ ଭିତରେ କେବଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୀତିକୁ ନେଇ ମୁଁ ମୋର କଥାଟିକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି।

ମହାରାଷ୍ଟ୍ରର ରାଜନୀତି ସବୁବେଳେ ଏକ ଜଟିଳ ଅଙ୍କର ସମାହାର ହୋଇ ରହି ଆସିଛି। ମେଣ୍ଟ ହେଉ ବା ନହେଉ, ସବୁବେଳେ ମହାରାଷ୍ଟ୍ର ରାଜନୀତିରେ ପଞ୍ଚମୁଖୀ ଲଢେଇ ହୋଇଥାଏ। ସମସ୍ତେ ବିଜେପି, ଶିବସେନା, ଏନସିପି ଓ କଂଗ୍ରେସର ଚତୁର୍ମୁଖୀ ଲଢେଇ କଥା କହିଥାନ୍ତି। ହେଲେ ମହାରାଷ୍ଟ୍ରରେ ଛୋଟ ଛୋଟ ସ୍ଥାନୀୟ ଦଳମାନଙ୍କର ପ୍ରବଳ ପ୍ରଭାବ ରହିଛି। ରାଜ ଥାକରେ, ରାମଦାସ ଅଠାବଲେ, ପ୍ରକାଶ ଆମ୍ବେଦକର, ଆବୁ ଆଜମିଙ୍କ ଭଳି ନେତାଙ୍କର ସେଠି ଭିନ୍ନ ପତିଆରା ରହିଛି। କମ୍ୟୁନିଷ୍ଟ ଓ ଦଳିତ ସଙ୍ଗଠନଗୁଡ଼ିକର ପ୍ରଭାବ ମଧ୍ୟ ସେଠି କମ ନୁହେଁ। ତେଣୁ ସେଠି ସବୁ ନିର୍ବାଚନରେ ଲଢେଇ ପଞ୍ଚମୁଖୀ, ତେଣୁ ଏହାର ଗଣିତ ମଧ୍ୟ ଜଟିଳ। ଏତେ ଜଟିଳ ଗଣିତକୁ ବୁଝିବା ଓ ତାକୁ ସରଲା ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମ ନ୍ୟୁଜ ଡେସ୍କ ପାଖରେ ସମୟ ନାହିଁ। ଅନେକାଂଶରେ ନ୍ୟୁଜ ଡେସ୍କ ଗୁଡିକରେ ଏସବୁକୁ ନେଇ ବିଚାର ମନ୍ଥନ କରିବାଲାଗି ଯେଉଁ ପ୍ରକାର “ଇନ ପୁଟ” ର ଆବଶ୍ୟକତା ରହିଛି, ତାହା ମଧ୍ୟ ନାହିଁ। ଆମ ଜାଣିବାରେ କୌଣସି ଟେଲିଭିଜନ ଚ୍ୟାନେଲ ନିଜସ୍ଵ ଗବେଷଣା ବିଭାଗ ରଖିନାହାନ୍ତି। ଏହାର ପରିଣତି ହେଉଛି, ଯାହା ଯେଉଁଠି ଦେଖୁଛନ୍ତି, ତାକୁ ତୁରନ୍ତ ବିନା ବିଚାରରେ ଖବର ବୋଲି ପ୍ରସାରିତ କରି ଦିଆଯାଉଛି।

ନିର୍ବାଚନ ପରେ ଶିବସେନା ଓ ବିଜେପି ଭିତରେ ଯେଉଁ ଜଟିଳତା ଦେଖା ଦେଇଥିଲା ତାହା ଏଯାଏ ଅଛିଣ୍ଡା ରହିଛି। ଅଥଚ ଓଡିଶାର ପ୍ରାୟ ଟିଭି ଚାନେଲ କହିଲେ, ଏ ବିବାଦର ଅବସାନ ଘଟିଲା।କେହି କେହି ତ ଅତି ଉତ୍ସାହୀ ହୋଇ କହି ପକାଇଲେ-ନରମିଲା ଶିବସେନା, କାମ କଲା ଅମିତ ଶାହଙ୍କ ଚାଣକ୍ୟ ଫର୍ମୁଲା ଇତ୍ୟାଦି। ଅନେକ ସମୟରେ ଅମିତ ଶାହଙ୍କ ଚାଣକ୍ୟ ଅବତାରକୁ ନେଇ ଆମ ଟେଲିଭିଜନ ଚ୍ୟାନେଲ ଗୁଡିକ ବିଜେପି ଆଇଟି ବିଭାଗଠୁ ଅଧିକ ଉତ୍ସାହୀ ଲାଗୁଛନ୍ତି। ଅମିତ ଶାହ ଯେ ସୁପର ମ୍ୟାନ, ଏକଥା ଆମକୁ ବୁଝାଇବାରେ ଗଣମାଧ୍ୟମର ସବୁ ସମୟ ଚାଲି ଯାଉଛି। ଜଣେ ରାଜନେତାଙ୍କୁ ସୁପର ଚାଣକ୍ୟ ସାବ୍ୟସ୍ତ କରିବା ବ୍ୟତୀତ ଅନ୍ୟ ରାଜନୈତିକ ବାସ୍ତବତା ପ୍ରତି ଆମର କୌଣସି ଆଗ୍ରହ ନାହିଁ। ତେବେ ଏଥିଲାଗି ବିଜେପି ବା ଅମିତ ଶାହଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ବିଜେପି ଅନ୍ତତଃ ଓଡିଶାର ଗଣମାଧ୍ୟମରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚାପ ପକାଇ ନଥିବ। ଏହା ପଛରେ ନ୍ୟୁଜରୁମ ଗୁଡିକର ସ୍ଵାଭାବିକ ଚାଟୁକାରିତା ଓ ରାଜନୈତିକ ନିରକ୍ଷରତା ବାରି ହୋଇ ପଡୁଛି।

ଏହା ସହିତ ଆଉ ଗୋଟେ ମଜା କଥା କହିବାକୁ ଚାହୁଁଛି। ଅକ୍ଟୋବର ୩୧ ତାରିଖ ଦିନ କାଶ୍ମୀର ପୁନର୍ଗଠନ ବିଲ କାର୍ୟକାରୀ ହେଲା। ଏହାକୁ ନେଇ ଆମ ଟିଭି ଚ୍ୟାନେଲ ସବୁ କହିଲେ- ବଦଳିଲା କାଶ୍ମୀରର ଭୂଗୋଳ। ୱାଃ,କଣ କାଶ୍ମୀର କନ୍ୟାକୁମାରୀକୁ ଖସି ଆସିଲା। ରାଜନୈତିକ ପରିଚୟ ସହିତ ପ୍ରାକୃତିକ ଭୂଗୋଳ ବଦଳି ଯାଏ କି? ରାଜ୍ୟ ହେଉ ବା କେନ୍ଦ୍ର ଶାସିତ ଅଞ୍ଚଳ, କାଶ୍ମୀରର ଭୂଗୋଳ ଯେମିତି ଥିଲା ସେମିତି ଅଛି। ବାସ୍ତବରେ ଆମ ଗଣମାଧ୍ୟମର ମାନସିକ ଭୂଗୋଳ ବଦଳି ଯାଇଛି। ରାଜା ରାମମୋହନ ରାୟ, ମହାତ୍ମା ଗାନ୍ଧୀ, ଗଣେଶ ଶଙ୍କର ବିଦ୍ୟାର୍ଥୀ ଓ ଗୋପବନ୍ଧୁ ଦାସଙ୍କ ପରି ମହାନ ସାମ୍ବାଦିକମାନେ ଯେଉଁ ପରମ୍ପରା ତିଆରି କରିଥିଲେ ସେ ପରମ୍ପରା ଏବେ ଗୋବର ସାମ୍ବାଦିକତାର ସ୍ତରକୁ ଖସି ଆସିଛି।

ତେଣୁ ଖବର ଜାଣିବାକୁ ଟେଲିଭିଜନ ଦେଖିବା, ଆଜି ଆଉ ଆବଶ୍ୟକତା ହୋଇ ରହିନାହିଁ।

 

Categories
ବିଶେଷ ଖବର

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

କେଦାର ମିଶ୍ର

ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ ପଟ୍ଟନାୟକଙ୍କ ସଫଳତା ର ଏକ ସହଜ ସୂତ୍ର। ନବୀନ ସବୁବେଳେ ସବୁ ପ୍ରକାର ଆଲୋଚନା ର ଉର୍ଦ୍ଧ୍ବ ରେ ରହିଛନ୍ତି ଓ ରହୁଛନ୍ତି।

ନବୀନଙ୍କୁ ଛାଡି ତାଙ୍କ ପାଖଲୋକ ପଛରେ ଦଉଡିବାର ଭୁଲ ବାରମ୍ବାର ବିରୋଧୀ ଦଳ କରି ଆସୁଛନ୍ତି। ଏଥିରେ ଗଣମାଧ୍ୟମ ବିରୋଧୀ ଦଳକୁ ସବୁଠୁ ବେଶୀ ବିଭ୍ରାନ୍ତ କରୁଛି। ଯାହା ରାଜ୍ୟର ଅସଲ ସମସ୍ୟା ତାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ବଦଳରେ ଗଣମାଧ୍ୟମ ବଡ କରି ଉପସ୍ଥାପନ କରୁଥିବା ପ୍ରସଙ୍ଗ ପଛରେ ବିରୋଧୀ ଦଳ ମାଡି ଚାଲିଛନ୍ତି। ପାଣ୍ଡିଆନ ପ୍ରସଙ୍ଗ ତାର ସବୁଠୁ ବଡ ଉଦାହରଣ। ରାଜ୍ୟ ସରକାରଙ୍କର ଜଣେ ଶାସନ ସଚିବ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ପରିଦର୍ଶନ କରିବା ବା ବିଭିନ୍ନ ଜିଲ୍ଲା କୁ ଯାଇ ସମୀକ୍ଷା କରିବା ତାଙ୍କ ଦାୟିତ୍ଵର ଅଂଶ ବିଶେଷ। ଏହା କିଛି ଗୋଟେ ବିଶେଷ ଘଟଣା ନୁହେଁ। ଆଗରୁ ଶାସନ ସଚିବମାନଙ୍କୁ ବାରମ୍ବାର ସରକାର ଏଇ କାମଟି କରିବା ଲାଗି ନିର୍ଦ୍ଦେଶ ଦେଉଥିଲେ, ଯାହାକୁ କି ସଚିବମାନେ ମାନୁ ନଥିଲେ। ଯଦିବା କେହି ସଚିବ ଜିଲା ଗସ୍ତ କରୁଥିଲେ, ତାହାକୁ ରୁଟିନ କାମ ବୋଲି କହି କେହି ଗୁରୁତ୍ଵ ଦେଉନଥିଲେ।ତେବେ ପାଣ୍ଡିଆନ ଗସ୍ତ କରିବା ଆରମ୍ଭ କଳା ପରେ ଏହାର ଗୁରୁତ୍ଵ ବଢିଗଲା। ଗଣମାଧ୍ୟମର ଦୟାରୁ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ ବାବୁ ଏବେ ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ବିବେଚିତ। ତେଣୁ ତାଙ୍କର ଗସ୍ତକୁ ନେଇ ଗଣମାଧ୍ୟମରେ ଉତ୍ସାହ ଅଧିକ।

“ମୋ ସରକାର” ଯୋଜନାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟତା ପାଇନଥିଲେ, ପାଣ୍ଡିଆନଙ୍କ ଗସ୍ତ ଯୋଗୁଁ ମାଗଣାରେ ଅଧିକ ପ୍ରଚାର ସୁଯୋଗ ମିଳିଲା। ଏହା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବଳ ରାଜଧାନୀରେ ସୀମୀତ ରହିଥିଲା। ଏବେ ତାଙ୍କର ନାଁ ଗାଁ ଗହଳରେ ବି ଲୋକପ୍ରିୟ ହେବା ଆରମ୍ଭ କଲାଣି। ଏହାକୁ କୁହାଯାଏ ଗଣମାଧ୍ୟମର ମ୍ୟାଜିକ। ଆପଣ ପ୍ରଶଂସିତ ହୁଅନ୍ତୁ ବା ସମାଲୋଚିତ ହୁଅନ୍ତୁ, ଗଣମାଧ୍ୟମରେ ଆପଣ ରହିବା ଦରକାର। ଓଡିଶାର ଗଣମାଧ୍ୟମ ତଥା ବିରୋଧୀ ଦଳ ଏବେ ପାଣ୍ଡିଆନଙ୍କ ମାଗଣା ପ୍ରଚାରକ ଭାବେ କାମ କରୁଛନ୍ତି। କଂଗ୍ରେସ ଦଳ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅନୁଗୁଳ ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରି ରାଲି ବାହାର କଲା। ବିରୋଧୀ ଦଳ ଯେତେବେଳେ ରାଜନୈତିକ ଲୋକଙ୍କୁ ଛାଡି ଅମଲାତନ୍ତ୍ର ପଛରେ ପଡନ୍ତି, ତାହା ସେମାନଙ୍କ ରାଜନୈତିକ ଆତ୍ମହତ୍ୟା ର କାରଣ ହୋଇଥାଏ। ବିରୋଧୀଙ୍କ ଲାଗି ମୂଳ ଲକ୍ଷ୍ୟ ନବୀନ ହେବା ଉଚିତ, ନା କି ପାଣ୍ଡିଆନ।

ବିଜେଡି ରଣନୀତିରେ ମଧ୍ୟ ଏବେ ପାଣ୍ଡିଆନ ଫେକ୍ଟରକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଉଛି। ପୂର୍ବରୁ ଗଣମାଧ୍ୟମ ଆଗକୁ ଆସିବାକୁ ଆଦୌ ଚାହୁଁ ନଥିବା ପାଣ୍ଡିଆନ ଏବେ ସହଜରେ କ୍ୟାମେରା ଆଗରେ ନିଜ କାମ କରୁଛନ୍ତି। ବିଭିନ୍ନ ଡାକ୍ତରଖାନା ଗସ୍ତରେ ଗଲାବେଳେ କିମ୍ବା ଦୀପାବଳୀ ପିଲାଙ୍କ ସହ ପାଳିଲା ବେଳେ ପାଣ୍ଡିଆନଙ୍କ ପଛରେ କ୍ୟାମେରା ଲାଗି ରହୁଛି ଓ ସେ ଏହାକୁ ନେଇ ଆଗପରି ବିରକ୍ତ ହେଉ ନାହାନ୍ତି। ଆପାତତଃ ବିଜେଡ଼ି ପାଇଁ ହେବାକୁ ଥିବା ସବୁ ସମାଲୋଚନା ଏବେ ପାଣ୍ଡିଆନଙ୍କ ବାଟ ଦେଇ ପହଞ୍ଚିବ। ସେହି ସୁରକ୍ଷା ବଳୟରେ ନବୀନ ପଟ୍ଟନାୟକ କିନ୍ତୁ ସବୁ ପ୍ରଶ୍ନ ଓ ଆଲୋଚନାର ଉର୍ଦ୍ଧ୍ଵରେ ରହିବେ।

ବିରୋଧୀ ଦଳଗୁଡିକର ଏପ୍ରକାର ଆତ୍ମଘାତି ନୀତି ଯୋଗୁଁ ରାଜ୍ୟରେ ନବୀନଙ୍କର ବିକଳ୍ପ ତିଆରି ହୋଇ ପାରୁନାହିଁ। ନବୀନଙ୍କ ବିରୋଧ ବଦଳରେ ଏବେ ବିରୋଧୀ ଦଳ ଗୁଡିକ “ମିଶନ ପାଣ୍ଡିଆନ”ରେ ମାତିଛନ୍ତି ଏବଂ ଏହାର ସବୁତକ ଲାଭ ନବୀନଙ୍କ ପାଖକୁ ହିଁ ଯାଉଛି।

 

Categories
ବିଶେଷ ଖବର

ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଓକିଲ ଆନ୍ଦୋଳନ ବେଆଇନ, ତେବେ ମାସ ମାସ ଧରି ଅଦାଲତ ବର୍ଜନ ଚାଲିଛି କେମିତି ଓ କାହିଁକି?  

କେଦାର ମିଶ୍ର 

ଗତ କିଛି ବର୍ଷ ହେଲା ଓଡିଶାରେ ଓକିଲ ମାନଙ୍କର ଅଦାଲତ ବର୍ଜନ ଓ ପ୍ରତିବାଦ ଏକ ସାଧାରଣ ଘଟଣା ପାଲଟି ଯାଇଛି। ଏବେ ମଧ୍ୟ ଓଡିଶା ହାଇ କୋର୍ଟର ମାନ୍ୟବର ଓକିଲମାନେ କାର୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଓକିଲଙ୍କ ଆନ୍ଦୋଳନ ପଛରେ ଯେଉଁ କାରଣ କୁହାଯାଉଛି, ତାହା ଅନ୍ତତଃ ଏତେ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏଥିପାଇଁ ଅଦାଲତ ବର୍ଜନ କରିବାକୁ ପଡିବ। ଓଡିଶା ହାଇ କୋର୍ଟ ବାର କାଉନ୍ସିଲ ର ଅଧ୍ୟକ୍ଷ ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି ଯେ ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାର ଉଚ୍ଛେଦ ଓ ଓଡିଶା ହାଇ କୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ଲାଗି କୁଆଡେ ଏହି ଆନ୍ଦୋଳନ ଚାଲିଛି।

ଆମ ଜାଣିବାରେ ବର୍ତ୍ତମାନ ସମୟର ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ବଦଳାଇ ଏକ ଜାତୀୟ ବିଚାର ବିଭାଗୀୟ ନିଯୁକ୍ତି କମିଶନ ଗଢିବାକୁ  ଭାରତର ସଂସଦ ଯେଉଁ ୯୯ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଥିଲେ ତାକୁ ୧୬, ଅକ୍ଟୋବର,୨୦୧୫ରେ ମାନ୍ୟବର ସୁପ୍ରିମ କୋର୍ଟ ଅସାମ୍ବିଧାନିକ ବୋଲି ଘୋଷଣା କରି ସଂସଦର ପ୍ରସ୍ତାବକୁ ଅସିଦ୍ଧ ଘୋଷଣା କରିଥିଲେ। ଜଷ୍ଟିସ ଜେ.ଏସ.କେହର, ଜଷ୍ଟିସ ମଦନ ବି.ଲୁକୁର, ଜଷ୍ଟିସ କୁରିଏନ ଯୋଶେଫ, ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଓ ଜଷ୍ଟିସ ଜେ.ଚେଲମେଶ୍ଵରଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂସଦର ପ୍ରସ୍ତାବକୁ ୪:୧ ମତରେ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବାର ୪ ବର୍ଷ ପରେ ହଠାତ ଓଡିଶା ହାଇ କୋର୍ଟ ବାର ଆସୋସିଏସନ ଏହା ବିରୋଧରେ ଆନ୍ଦୋଳନ କରିବାର ଅର୍ଥ କଣ? ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ସମାଲୋଚନା ଓ ତର୍ଜମା ହୋଇପାରିବ, ହେଲେ ରାୟ ବିରୋଧରେ ଆନ୍ଦୋଳନ କରା ଯାଇପାରିବ କି? ବୋଧହୁଏ ଏହା ଓଡିଶାରେ ପ୍ରଥମ ଥର ପାଇଁ ଘଟୁଛି, ଯେଉଁଠି ଓକିଲମାନେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏ ପ୍ରକାର ଆଂଦୋଳନର ବୈଧତା ଓ ନୈତିକତା କେତେ, ସେକଥା ଏବେ ମାନ୍ୟବର ଓଡିଶା ହାଇ କୋର୍ଟ ଓ ସୁପ୍ରିମ କୋର୍ଟ ବିଚାର କରିବେ।

ତେବେ ଏହି ଆନ୍ଦୋଳନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଭାରତର ବାର କାଉନ୍ସିଲ ଗତ ୨୬ ତାରିଖ ଦିନ ଓଡିଶା ହାଇ କୋର୍ଟ ବାର ଆସୋସିଏସନ ଓ ରାଜ୍ୟର ଅନ୍ୟାନ୍ୟ ୬୭ ଟି ଆସୋସିଏସନ କୁ ଚିଠି ଦେଇଛନ୍ତି। ଭାରତର ବାର କାଉନ୍ସିଲ ଗ୍ରହଣ କରିଥିବା ଏକ ପ୍ରସ୍ତାବରେ ଓଡିଶାର ଓକିଲ ସଂଘ ଗୁଡିକ ତୁରନ୍ତ ଆନ୍ଦୋଳନରୁ ବିରତ ରହିବାକୁ କୁହାଯାଇଛି। ଯଦି ସେମାନେ ତାହା ନକରନ୍ତି ତାହଲେ ୨୦୧୫-୧୬ରେ ତାମିଲନାଡ଼ୁର ଓକିଲଙ୍କ ବିରୋଧରେ ଯେଉଁ ପ୍ରକାର କାର୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା, ସେ ପ୍ରକାର ପଦକ୍ଷେପ ଓଡିଶାରେ ନିଆଯିବ ବୋଲି ସ୍ପଷ୍ଟ କୁହାଯାଇଛି।

ଓକିଲ ଆନ୍ଦୋଳନ ଆଇନ ସମ୍ମତ କି

ବିଭିନ୍ନ ପେଷାଦର ଗୋଷ୍ଠୀ ବା ସଂଘ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ସମ୍ବିଧାନର ଧାରା ୧୯(କ)(ଗ) ଅନୁସାରେ ସଂଗଠନ ଗଢିବାର ଅଧିକାର ପାଇଛନ୍ତି।ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ଏହି ଅଧିକାରର ଅଂଶବିଶେଷ। ତେବେ ଏହି ଅଧିକାର ବଳରେ ଅନ୍ୟର ନ୍ୟାୟ ପାଇବାର ଅଧିକାରକୁ ବଞ୍ଚିତ କରା ଯାଇପାରିବ ନାହିଁ। ଓକିଲ ମାନଙ୍କର ଆନ୍ଦୋଳନ କରିବାର ଅଧିକାରକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ୧୭, ଡିସେମ୍ବର ,୨୦୦୨ରେ  କ୍ୟାପଟେନ ହରିଶ ଉପଲ ବନାମ ଭାରତ ସରକାର ମାମଲାରେ ଏକ ମହତ୍ତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି କହିଥିଲେ ଯେ – ଓକିଲମାନଙ୍କର ଆନ୍ଦୋଳନ କରିବାର ବା ଅଦାଲତ ବର୍ଜନ କରିବାର ଅଧିକାର ନାହିଁ। ଏହି ରାୟ ପ୍ରକାଶ ପୂର୍ବରୁ ମାନ୍ୟବର ସୁପ୍ରିମ କୋର୍ଟ ଭାରତର ବାର କାଉନ୍ସିଲ ସମେତ ବିଭିନ୍ନ ରାଜ୍ୟ କାଉନ୍ସିଲ ର ମତ ମଧ୍ୟ ଶୁଣିଥିଲେ। ସମସ୍ତ ପକ୍ଷଙ୍କ ସହ ବିଚାର ବିମର୍ଶ ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଥିଲେ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟରେ ଓକିଲ ଆନ୍ଦୋଳନକୁ ନେଇ ଅତି ସ୍ପଷ୍ଟ ଭାଷାରେ କୁହାଯାଇଥିଲା-
In conclusion it is held that lawyers have no right to go on strike or give a call for boycott, not even on a token strike. The protest, if any is required, can only be by giving press statements, TV interviews, carrying out of Court premises banners and/or placards, wearing black or white or any colour arm bands, peaceful protest marches outside and away from Court premises, going on dharnas or relay fasts etc. It is held that lawyers holding Vakalats on behalf of their clients cannot not attend Courts in pursuance to a call for strike or boycott. All lawyers must boldly refuse to abide by any call for strike or boycott. No lawyer can be visited with any adverse consequences by the Association or the Council and no threat or coercion of any nature including that of expulsion can be held out. It is held that no Bar Council or Bar Association can permit calling of a meeting for purposes of considering a call for strike or boycott and requisition, if any, for such meeting must be ignored. It is held that only in the rarest of rare cases where the dignity, integrity and independence of the Bar and/or the Bench are at stake, Courts may ignore (turn a blind eye) to a protest abstention from work for not more than one day. It is being clarified that it will be for the Court to decide whether or not the issue involves dignity or integrity or independence of the Bar and/or the Bench.

ଏହାକୁ ପରବର୍ତ୍ତୀ ସମୟରେ ୯, ମାର୍ଚ୍ଚ, ୨୦୧୭ ରେ ସୁପ୍ରିମ କୋର୍ଟ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ରାୟରେ (ହୁସେନ ବନାମ ଭାରତ ସରକାର ମାମଲା) ଅତି ସ୍ପଷ୍ଟ ଭାବରେ ଓକିଲଙ୍କ ଆନ୍ଦୋଳନ ଆଇନ ସମ୍ମତ ନୁହେଁ ବୋଲି କହିଥିଲେ।

ତଥାପି ଆନ୍ଦୋଳନ କାହିଁକି

ମାନ୍ୟବର ସୁପ୍ରିମ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ବ୍ୟାପକ ଭାବରେ ଓକିଲ ଆନ୍ଦୋଳନ ଓ ଅଦାଲତ ବର୍ଜନ ଚାଲିଛି କାହିଁକି? ଓଡିଶାରେ ଅତି ଛୋଟ ଛୋଟ ଘଟଣାକୁ ନେଇ ମାସ ମାସ ଧରି ଅଦାଲତ ଅଚଳ ହୋଇ ପଡୁଛି କେମିତି? ବର୍ତ୍ତମାନର ଓକିଲ ଆନ୍ଦୋଳନ ସହିତ କିଛି ନ୍ୟାୟିକ ଦାବି ହୁଏତ ଜଡିତ ଅଛି।ସେସବୁ ଦାବିର ଯଥାର୍ଥତାକୁ ନେଇ ଆମେ ପ୍ରଶ୍ନ କରୁନାହୁଁ। ଗତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଜନୈକ ଓକିଲଙ୍କ ସହିତ ଅଦାଲତ ବାହାରେ ଘଟିଥିବା ଏକ ପୋଲିସ ଦୁର୍ବ୍ୟବହାରକୁ ଆଳ କରି ୭୮ ଦିନ ଅଦାଲତ ଗୁଡିକ ବନ୍ଦ ରହିଥିଲା। ସେହିପରି ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବୀ କରି ଅନେକ ମାସ ଧରି କୋର୍ଟ ଗୁଡିକୁ ଅଚଳ କରିଦିଆଯାଇଥିଲା। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ବାର କାଉନ୍ସିଲ ଗୁଡିକ ଅବଜ୍ଞା ପ୍ରଦର୍ଶନ କରୁଥିବା ବେଳେ ଏହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସାଧାରଣ ଲୋକ କୋର୍ଟଙ୍କ ବିରୋଧରେ ପଦେ କଥା କହିଦେଲେ ତା ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ହେଉଛି।

ଆନ୍ଦୋଳନ ନାମରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାର ପ୍ରାକୃତିକ ଅଧିକାରରୁ ବଞ୍ଚିତ କରି ମାସ ମାସ ଧରି କୋର୍ଟ ବର୍ଜନ ନିଷ୍ପତ୍ତି କୁ ନେଇ ଓକିଲ ସଂଘ ଗୁଡିକ ପୁନର୍ବିଚାର କରିବାର ସମୟ ଆଜି ଆସିଛି।

Categories
ବିଶେଷ ଖବର

ଦଳବଦଳକାରୀ ଓ ସୁବିଧାବାଦୀଙ୍କୁ ଚେତାବନୀ, ଲୋକେ ସଠିକ ସମୟରେ ଦଣ୍ଡ ଦେଇ ଜାଣନ୍ତି

କେଦାର ମିଶ୍ର

ଲାଭ ଓ ଲୋଭର ମାୟାରେ ପଡି ଦଳ ବଦଳ କରୁଥିବା ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ଗତ ୨୪ ତାରିଖ ଦିନ ହରିଆଣା ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନର ଫଳ ଦଳବଦଳକାରୀ ଓ ସୁବିଧାବାଦୀ ନେତାମାନଙ୍କୁ ବଡ ଝଟକା ଦେଇଛି। ପୂର୍ବରୁ ଓଡିଶା ନିର୍ବାଚନରେ ମଧ୍ୟ ଏ ଜାତୀୟ ନେତାମାନଙ୍କ ଦୁରବସ୍ଥା ଆମେ ଦେଖିଛୁ। ନିଜ କ୍ଷମତାକୁ ନେଇ ଅଧିକ ଆତ୍ମା ବିଶ୍ଵାସ ରଖି ଯେ କୌଣସି ଦଳକୁ ଗଲେ ମଧ୍ୟ ଜିତିଯିବାର ସମ୍ଭାବନା ଏବେ ଆଉ ନାହିଁ। ଲୋକେ ଦଳ ପ୍ରତି ନେତାମାନଙ୍କର ଅନୁରକ୍ତିରୁ ସେମାନଙ୍କର ସ୍ବଚ୍ଛତାକୁ ଆକଳନ କରୁଛନ୍ତି। ଋତୁ ଦେଖି ରଙ୍ଗ ବଦଳାଉଥିବା ନେତା ଏବେ ଜନତାଙ୍କ ଜବାବ ମୁହେଁ ମୁହେଁ ପାଇଯାଉଛନ୍ତି। ଏହାର କିଛି ଉଦାହରଣ ଦେଇ ଆମେ ପୁରା ଘଟଣାକୁ ଜାଣିବାର ପ୍ରୟାସ କରିବା।

ଉଦୟନ ରାଜ ଭୋଂସଲା, ମହାରାଷ୍ଟ୍ର ରାଜନୀତିରେ ଏକ ସମ୍ମାନାସ୍ପଦ ନାମ। ଏହାଙ୍କର ପଦ ମର୍ଯ୍ୟଦା ପୁରୀର ଗଜପତିଙ୍କ ସହ ପ୍ରାୟ ସମାନ। ଉଦୟନ ରାଜେ ହେଉଛନ୍ତି ସତାରା ରାଜଗାଦିର ଉତ୍ତରାଧିକାରୀ ଓ ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର। ମରାଠା ରାଜନୀତିରେ ଶିବାଜୀଙ୍କ ନାମ ହିଁ ଯଥେଷ୍ଟ। ମହାରାଷ୍ଟ୍ର ର ସାମାଜିକ ଜୀବନରେ ସତାରା ଗାଦିର ବିଶେଷ ସମ୍ମାନ ରହିଛି। ଏହି ଗାଦିର ଉତ୍ତରାଧିକାରୀ ଉଦୟନ ରାଜ ଭୋଂସଲା ୨୦୧୯ ଏପ୍ରିଲ-ମଇ ସାଧାରଣ ନିର୍ବାଚନରେ ସତାରା ଲୋକସଭା ଆସନରୁ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ। ମହାରାଷ୍ଟ୍ରରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଶିବସେନା ମେଣ୍ଟ ୪୫ ରୁ ୪୧ ଆସନ ଜିତିଥିବା ବେଳେ, ଉଦୟନ ରାଜ ଏନସିପି ଟିକଟରେ ଜିତିଥିଲେ। ନିର୍ବାଚନ ଜିତିବାର ମାତ୍ର କିଛି ମାସ ପରେ ସେ ଏନସିପିରୁ ଇସ୍ତଫା ଦେଇ ବିଜେପିକୁ ଫେରିଥିଲେ। ଦଳ ବଦଳ ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା ଓ ପୁଣିଥରେ ସତାରାରେ ନିର୍ବାଚନ ହୋଇଥିଲା।

୨୦୦୯ ରୁ ୨୦୧୯, ଦଶବର୍ଷରେ ସେ ଚାରୋଟି ନିର୍ବାଚନ ଲଢିଛନ୍ତି। ଏନସିପି ପ୍ରାର୍ଥୀ ଭାବରେ ସେ ଲୋକସଭାକୁ ତିନି ଥର ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଗତ ତିନୋଟି ଯାକ ନିର୍ବାଚନରେ ୫୦% ରୁ ଅଧିକ ଭୋଟ ପାଇ ଜିତୁଥିବା ଉଦୟନ ରାଜ ଗତ ଉପନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଏନସିପି ପ୍ରାର୍ଥୀଙ୍କଠାରୁ ପ୍ରାୟ ୮୬ ହଜାର ଭୋଟରେ ହାରି ଯାଇଛନ୍ତି। ଦଳ ବଦଳ କରି ବିଜେପି ଟିକଟରେ ଲଢିଥିବା କାରଣରୁ ଲୋକେ ଶିବାଜୀଙ୍କ ଛତ୍ରପତି ଉତ୍ତରାଧିକାରୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି।

ସେହିପରି ଗୁଜରାଟ ବିଧାନସଭା ଉପନିର୍ବାଚନରେ ପ୍ରଭାବଶାଳୀ ପଛୁଆ ବର୍ଗର ନେତା ଅଳ୍ପେଶ ଠାକୁର ହାରି ଯାଇଛନ୍ତି। ଇଏ ହେଉଛନ୍ତି ସେହି ଅଳ୍ପେଶ ଠାକୁର ଯିଏ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ସବୁଠୁ ଘନିଷ୍ଠ ହେବାର ସୁଯୋଗ ପାଇଥିଲେ। କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଧାୟକ ହେବା ପରେ କଂଗ୍ରେସ ସହିତ ବିଶ୍ଵାସଘାତକତା କରି ବିଜେପି ଶିବିରକୁ ଡିଆଁ ମାରିଥିଲେ। ତେବେ ଉପ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ତାଙ୍କୁ ସିଧା ସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି।

ଓଡିଶାରେ ମଧ୍ୟ ଦଲବଦଳକାରୀମାନେ ଭୋଟରଙ୍କ ଆସ୍ଥା ଜିଣିବାରେ କ୍ଵଚିତ ସଫଳ ହୋଇଛନ୍ତି। ବାରମ୍ବାର ଦଳ ପରିବର୍ତ୍ତନ କରୁଥିବା ନେତାମାନଙ୍କୁ ଏବେ ସାଧାରଣ ଭୋଟର ଏବେ ଆଉ ବିଶ୍ବାସକୁ ନେଉ ନାହାନ୍ତି। ବିଜେଡ଼ିର ଦୁଇ ବଡ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଅବସ୍ଥା କଣ ହେଲା ସେକଥା ଆମେ ଦେଖିଛୁ। ଦାମୋଦର ରାଉତ ବିଜେପିକୁ ଯାଇ ହଟହଟା ହେବା ପରେ ଏବେ ପୁଣି ବିଜେଡ଼ିକୁ ଫେରିବା ଲାଗି ବିକଳ ହେଉଛନ୍ତି। ବୈଜୟନ୍ତ ମଧ୍ୟ ବିଜେପିର କେଉଁ ଧାଡିରେ ଠିଆ ହୋଇଛନ୍ତି, ତାଙ୍କୁ ଦେଖି ହେଉନାହିଁ।

ଦଳବଦଳ କରୁଥିବା ନେତା ଯେ ଖାଲି ଅପଦସ୍ତ ହେଉଛନ୍ତି ତାହା ନୁହେଁ, ଦଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିଜେପିର ବିଶ୍ଵାସନୀୟତା ଉପରେ ଏବେ ଭୋଟର ପ୍ରଶ୍ନଚିହ୍ନ ଲଗାଇବା ଆରମ୍ଭ କଲେଣି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପି ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ବହୁ ତୁଙ୍ଗ ନେତାଙ୍କୁ ନିଜ ଶିବିରକୁ ଆଣିଥିଲା। ଏପରିକି ମହାରାଷ୍ଟ୍ର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବିଜେପି ଛଡେଇ ଆଣିଥିଲା। ହେଲେ ଏହାର ପରିଣତିରେ ବିଜେପିକୁ ଲାଭ ଅପେକ୍ଷା କ୍ଷତି ହିଁ ମିଳିଲା। ମହାରାଷ୍ଟ୍ରରେ ବିଜେପିର ଆସନ ସଂଖ୍ୟା ୧୨୨ ରୁ ରୁ ୧୦୫ କୁ ଖସି ଆସିଲା।

ସୁବିଧାବାଦୀ ଓ ଦଳତ୍ୟାଗୀଙ୍କୁ ଜନତା ଏବେ ଆଉ ପସନ୍ଦ କରୁନାହାନ୍ତି।  ସେମିତି ଦଳଭଙ୍ଗା ରାଜନୀତିକୁ ମଧ୍ୟ ଲୋକେ ନାପସନ୍ଦ କରିବା ଆରମ୍ଭ କଲେଣି, ଏକଥା ବିଜେପି ବୁଝିଯିବା ଉଚିତ।

Categories
ବିଶେଷ ଖବର

ଓଡିଶା ଟେଲିଭିଜନ ଜଗତର ଦେବାଳିଆ ଚିନ୍ତା- ଗୋଟେ ପାଗଳ ଓ ମିଛୁଆ ବାବାଜୀ ପାଇଁ ଏତେ ଉତ୍ସାହ କାହିଁକି?

କେଦାର ମିଶ୍ର

ଓଡିଶା ଗଣମାଧ୍ୟମରେ  ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ ରହୁଥିଲେ। ତେବେ ଗତ ଦୁଇଦିନ ହେଲା ହଠାତ ଓଡିଶାର କିଛି ପ୍ରମୁଖ  ଟେଲିଭିଜନ ଚାନେଲ ଗୁଡିକ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ନିଜର ପାଖଣ୍ଡି ଚରିତ୍ର ଓ ଦୁର୍ବ୍ୟବହାର ପାଇଁ ପ୍ରସିଦ୍ଧ କେହି ଜଣେ ଓମ ବାବା ବିଷୟରେ ନିରନ୍ତର ଖବର ଓ ସ୍ଵତନ୍ତ୍ର ଆଲୋଚନା ଚାଲିଛି।  ଏହାର କାରଣ କଣ? ଏକଥା ଠିକ ଯେ, ଏହି ତଥାକଥିତ ବାବାଜିକୁ ଆମର ସାମ୍ବାଦିକମାନେ କଠିନ ପ୍ରଶ୍ନ ସବୁ ପଚାରୁଛନ୍ତି।

ହେଲେ ଏ ଲୋକ ତ ପ୍ରଶ୍ନର ଉତ୍ତର ଦେବାକୁ ଆସିନାହିଁ। ଗୁଡାଏ ମିଛ ଓ ବାଜେ କଥା ଗପି ସେ ଲୋକଙ୍କୁ ଭୁତାଇବାକୁ ଚାହୁଁଛି। ସେ ଲୋକ ଇତିହାସ ବା ଧର୍ମ ବିଷୟରେ କିଛି ଜାଣେନାହିଁ, ଏକଥା ଅତ୍ୟନ୍ତ ସ୍ପଷ୍ଟ। ବ୍ୟକ୍ତି ଭାବରେ ସେ ଅତ୍ୟନ୍ତ ଅଭଦ୍ର ଓ ସାମାନ୍ୟ ଶାଳୀନତା ସେ ଲୋକର ଆଚରଣରେ ନାହିଁ, ଏକଥା ମଧ୍ୟ ସ୍ପଷ୍ଟ। ତଥାପି ସେ ଲୋକର ଏତେ ଚର୍ଚ୍ଚା ଓ ଆଲୋଚନା କାହିଁକି? ତାକୁ ଟିଭି ଷ୍ଟୂଡିଓକୁ ଡାକି ସ୍ଵତନ୍ତ୍ର ଆଲୋଚନା କରିବାର ମାନେ କଣ? ସେ ନିଜର ଭାଣ୍ଡାମି ବିକିବାକୁ ଆସିଛି ଓ ତାର ବ୍ୟବସାୟରେ ଓଡିଶାର ପ୍ରମୁଖ ଟେଲିଭିଜନ ଚାନେଲଗୁଡିକ ସହାୟତା କରୁଛନ୍ତି କି?

ସେ ଯେଉଁ ସ୍ତରର କଥା କହୁଛି, ତାହା କୌଣସି ପାଗଳ ଠାରୁ କମ ନୁହେଁ। ଦେଶର ବଡ ବଡ ରାଜନେତାଙ୍କୁ ସେ ଭେଟୁଛି। ଖୋଦ ଓଡିଶାର ରାଜ୍ୟପାଳ ମହୋଦୟ  ମଧ୍ୟ ଏ ଲୋକକୁ ଭେଟିଛନ୍ତି ବୋଲି ଶୁଣାଯାଉଛି। ଯେ କୌଣସି ପାଗଳ, ଭାଣ୍ଡ ବା ଅଭଦ୍ର ଲୋକ ଆମର ରାଜଭବନ ବା ଟିଭି ଷ୍ଟୂଡିଓରେ ପହଞ୍ଚି ଯାଇପାରିବ, ଏକଥା ଓମ ବାବାଜୀ ପ୍ରମାଣିତ କରି ଦେଇଛି।

ଏ ବାବାଜୀ ଓଡିଶା ଆସିଛି, କୁଆଡେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢିବ। ଏକ ଓ ଅଦ୍ଵିତୀୟ କୋଣାର୍କ ଗଢିବା ଲାଗି ଚିନ୍ତା କରିବା ଆଗରୁ, ନା ସେ ଏହାର ଇତିହାସ ଜାଣିଛି, ନା ଏ ସମ୍ପର୍କରେ ତାର ସାଧାରଣ ଧାରଣା ଅଛି। ପଣ୍ଡିତ ନେହେରୁଙ୍କୁ ଗାଳି କରିବା, ଗାନ୍ଧୀ ପରିବାର ବିରୋଧରେ ବିଷ ଓଗାଳିବା କାରଣରୁ କିଛି ଲୋକଙ୍କୁ ୟା କଥା ଭାରି ଭଲ ଲାଗୁଛି। କୋଣାର୍କ ସହିତ ପଣ୍ଡିତ ନେହେରୁଙ୍କ ନାମକୁ ଅକାରଣରେ ଯୋଡି ଗାଳି କଲାବେଳେ ଏ ଲୋକ ମୁହଁରେ କଳା ବୋଳା ହେବା ଉଚିତ। ତାହା ନକରି ଆମେ ଏ ଲୋକର ମିଛକୁ ବହୁ ଲୋକଙ୍କ ପାଖରେ ପହଞ୍ଚାଇ ଚାଲିଛୁ। ଗଣମାଧ୍ୟମରେ ଏହା ଆମେ ଜାଣି ଜାଣି କରୁଛୁ ନା ଏହା ପଛରେ ଆମର ଅଜ୍ଞାନତା ଅଛି, ନା ଆମର ଚରିତ୍ର ମଧ୍ୟ ସେଇ ଢାଞ୍ଚାରେ ପଡିଗଲାଣି, ତାହା ଚିନ୍ତାର ବିଷୟ?

ଜଣେ କେହି ଆସି କେଉଁଠି ବି ପଣ୍ଡିତ ନେହେରୁଙ୍କୁ ବା ତାଙ୍କ ପରିବାରକୁ ଗାଳି କରି ପାରିବ ଓ ତାକୁ ଆମେ ବିନା ଦ୍ଵିଧାରେ ଦେଖାଇ ଚାଲିବୁ- ଏହା କଣ ଆମର ନୈତିକତା? ଏ ଯେଉଁ ବାବାଜୀ, ୟାଙ୍କର ପରିଚୟ କଣ? ନିଜକୁ ଖୋଲାଖୋଲି ହିଂସାବାଦୀ ବୋଲି କହୁଥିବା ଏ ଲୋକ ଜେଲରେ ରହିବା ଉଚିତ। ଏହା ପୂର୍ବରୁ କୌଣସି ଏକ ହିନ୍ଦୀ ଚାନେଲରେ ଇଏ ଜଣେ ଭଦ୍ର ମହିଳାଙ୍କୁ କ୍ୟାମେରା ଆଗରେ ମାଡ ମାରିଥିବାର ଦୃଶ୍ୟ ମଧ୍ୟ ଆମେ ଦେଖିଛୁ। ସେହି ଘଟଣା ପରେ ମଧ୍ୟ ଏହି ଲୋକର ପ୍ରଚାର କରିବା ପାଇଁ ଆମ ବିବେକ ଆମକୁ ବାଧା ଦେଉନି କାହିଁକି? ଜଣେ ଲୋକ କହୁଛି ସେ ସଲମାନ ଖାନଙ୍କୁ ବାଡେଇଛି, ସେ ଶାକାହାରୀ ଅଣ୍ଡା ଓ କୁକୁଡା ମାଂସ ଖାଇଛି, ସେ ସୋନିଆ ଓ ରାଜୀବ ଗାନ୍ଧୀଙ୍କ ବାହାଘର କରାଇଛି, ସେ ଐଶ୍ବର୍ୟା ରାୟଙ୍କ ଧରମ ବୋପା…ଏମିତି ଅଜସ୍ର ଗାଲୁ ମାରୁଥିବା ଏ ପାଗଳର ପ୍ରଳାପକୁ ଆମକୁ ଶୁଣିବାକୁ ବାଧ୍ୟ କରାଯାଉଛି। ହିନ୍ଦୁ ରାଷ୍ଟ୍ର କରିବା ଲାଗି ହିଂସା ଓ ହତ୍ୟା କରିବାର ଧମକ ମଧ୍ୟ ଏ ଲୋକ ଦେଉଛି।

ସମସ୍ୟା ହେଉଛି, ସେ ଯାହା କହୁଛି ତାକୁ ଲକ୍ଷାଧିକ ଲୋକ ଦେଖୁଛନ୍ତି। ଆଉ ଗଣମାଧ୍ୟମର ଯୁକ୍ତି ହେଲା, ଲୋକ ଦେଖୁଛନ୍ତି ବୋଲି ସେମାନେ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଇଣ୍ଟେରନେଟରେ ସର୍ବାଧିକ ହିଟ ପର୍ଣ୍ଣୋଗ୍ରାଫିରେ ଆସିଥାଏ। ଗଣମାଧ୍ୟମ ନିଜର ଟିଆରପି ବଢାଇବାକୁ ପର୍ଣ୍ଣୋଗ୍ରାଫି ଦେଖାଇବ କି? ଓମ ବାବା ଭଳି ଲୋକଙ୍କ ପ୍ରଚାର ପର୍ଣ୍ଣୋଗ୍ରାଫି ଠାରୁ ମଧ୍ୟ ନିକୃଷ୍ଟ ଓ ଅନୈତିକ। ସେ ଲୋକ ଏ ପ୍ରକାର ପ୍ରଚାର ଚାହୁଁଛି ଓ ଆମେ ବିନା କାରଣରେ ତାକୁ ସେ ପ୍ରଚାରର ସୁଯୋଗ ଦେଇ ଚାଲିଛୁ। ମୁଁ ତ ବୁଝି ପାରୁନି ଜଣେ ହିଂସ୍ର ପାଗଳର ସାକ୍ଷାତ୍କାର ନେବାକୁ ଆମ ଓଡିଆ ଗଣମାଧ୍ୟମର ଉତ୍ସୁକତା ପଛରେ କି ବ୍ୟାପାର ରହିଛି?

 

Categories
ବିଶେଷ ଖବର

ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?

କେଦାର ମିଶ୍ର

ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା।

ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଶରଦ ପାୱାର, ସ୍ଵର୍ଗତ ଅରୁଣ ଜେଟଲି, ଲାଲୁ ଯାଦବଙ୍କ ପରି ନେତା ଆଉ କ୍ରିକେଟ ବୋର୍ଡକୁ ଆସି ପାରିବେ ନାହିଁ ବୋଲି କୁହାଗଲା।

ବିସିସିଆଇର ସମ୍ବିଧାନ ସଂଶୋଧନ ଓ ନୂଆ କମିଟି ଗଠନ ହେବା ଯାଏ ସୁପ୍ରିମ କୋର୍ଟ ଜଣେ ସ୍ଵତନ୍ତ୍ର ପ୍ରଶାସକଙ୍କୁ ଏଥିପାଇଁ ପାଇଁ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ଵ ,ମିଳିଥିଲା ପୂର୍ବତନ ସିଏଜି ବିନୋଦ ରାୟଙ୍କୁ । ଇଏ ହେଉଛନ୍ତି ସେଇ ବିନୋଦ ରାୟ ଯିଏ ମନମୋହନ ସିଂ ସରକାରଙ୍କ ବିରୋଧରେ ଦୁର୍ନୀତିର ଏକ କାଳ୍ପନିକ ଅଙ୍କ ତିଆରି କରିଥିଲେ। କଂଗ୍ରେସ ସରକାରକୁ ବଦନାମ କରିଥିବାରୁ ମୋଦୀ ସରକାରରେ ତାଙ୍କୁ ବହୁ ଓଜନଦାର ପଦ ପଦବୀ ମିଳିଛି। ଗତ କିଛି ବର୍ଷ ଭିତରେ ବିସିସିଆଇ ର ମୁଖିଆ ଭାବରେ ସେ ଅପରିମିତ କ୍ଷମତା ବ୍ୟବହାର କରିଛନ୍ତି। ଭାରତୀୟ କ୍ରିକେଟରେ ସଂସ୍କାର ଆଣିବାକୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆ ଯାଇଥିଲା, ସେଥିରେ ସେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି!

ଯଦିଓ ବିସିସିଆଇ ସଭାପତି ଭାବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିର୍ବାଚିତ ହୋଇଛନ୍ତି, ହେଲେ ସମ୍ପାଦକ ଭାବରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଓ କୋଷାଧ୍ୟକ୍ଷ ଭାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମଲ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ଚାପରୁ ବିସିସିଆଇ କୁ ମୁକ୍ତ କରିବାକୁ ଯାଇ ଏହାକୁ ବିଜେପି ରାଜନୀତିର ପାରିବାରିକ ସମ୍ପତ୍ତି ଭାବରେ ଟେକି ଦିଆ ଯାଇଛି।

ଏ ପ୍ରସଙ୍ଗରେ ଏବେ ହଠାତ ଗୋଟେ କଥା ମନକୁ ଆସୁଛି। ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନର ଅଳ୍ପ କେଇ ଦିନ ଆଗରୁ ହଠାତ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଏକ ପୁରୁଣା କେସରେ  ଗିରଫ କରିଥିଲା। ସେତେବେଳେ ଏହାର ରହସ୍ୟ ବୁଝି ହେଉନଥିଲା। ଏବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ, ଏହା ପଛରେ ରହିଥିବା ସମ୍ଭାବ୍ୟ ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହେବା ଆରମ୍ଭ କରିଛି। ଜୟ ଶାହାଙ୍କୁ ସମ୍ପାଦକ କରିବା ଲାଗି କି ପ୍ରକାର ଉଦ୍ୟମ ହୋଇଥିଲା, ସେ କଥା ଏବେ ବୁଝିବାରେ ଆଉ ବିଶେଷ ଅସୁବିଧା ହେବାର ନାହିଁ।

ଏକଦା କଂଗ୍ରେସର ପରିବାରବାଦକୁ ନେଇ ଭାରତର ରାଜନୀତି ପଡୁଥିଲା ଓ ଉଠୁଥିଲା। ଆଜି ପରିବାରବାଦ କଥା ଉଠାଇବାକୁ ଆମର ଗଣମାଧ୍ୟମ ଛାନିଆ ହୋଇ ପଡୁଛି। ଦେଶର ଗୃହମନ୍ତ୍ରୀଙ୍କ ପୁଅ ଓ ଅର୍ଥମନ୍ତ୍ରୀଙ୍କ ଭାଇ ସବୁଠୁ ଧନୀ କ୍ରୀଡା ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ହେବା ପଛରେ କି ପ୍ରକାର ଗୋଟି ଚାଳନା ହୋଇଛି, ତାହା ଆଶୀର୍ବାଦ ବେହେରା ଘଟଣାରୁ ସ୍ପଷ୍ଟ ହୋଇଯିବ। ଓଡିଶା କ୍ରିକେଟ ଆସୋସିଏସନ ସହିତ ବୃଜେଶ ପଟେଲ ଗୋଷ୍ଠୀର ସୁସମ୍ପର୍କକୁ ଭାଙ୍ଗିବା ଲାଗି ଏକ ବଡ ଷଡଯନ୍ତ୍ର ରଚନା କରାଯାଇଥିଲା, ଯେଉଁ ବିଷୟରେ ଗଣମାଧ୍ୟମ ଚିନ୍ତା କରିବାର ସୁଯୋଗ ମଧ୍ୟ ପାଇନଥିଲା।

ତେବେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସୁପ୍ରିମ କୋର୍ଟ ବିସିସିଆଇରେ ଯେଉଁ ସଂସ୍କାର କଥା କହିଥିଲେ, ତାହା ଆଜି ଏକ ହାସ୍ୟାସ୍ପଦ ବ୍ୟବସ୍ଥାରେ ପରିଣତ ହୋଇଛି। ରାଜନୈତିକ ନେତାଙ୍କ ପରିବାର ହାତକୁ ବିସିସିଆଇର ମାଲିକାନା ଆପେ ଆପେ ପୁଣିଥରେ ଚାଲି ଯାଇଛି।

Categories
ବିଶେଷ ଖବର

ସମ୍ବେଦନା ଓ ମାନବୀୟ ମୂଲ୍ୟବୋଧ ନ ରହିଲେ “ମୋ ସରକାର” ର କୌଣସି ମୂଲ୍ୟ ନାହିଁ

କେଦାର ମିଶ୍ର

ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅନ୍ତତଃ ପ୍ରାଥମିକ ସ୍ତରରେ “ମୋ ସରକାର”କୁ ନେଇ ଓଡିଶା ସରକାର ଯେ ଅତ୍ୟନ୍ତ ଗମ୍ଭୀର  ଅଛନ୍ତି, ତାହା ପ୍ରମାଣିତ ହେଉଛି। ହେଲେ ଏତେ ସବୁ ସତର୍କତା ଭିତରେ ଏହାର ବିପରୀତ କିଛି ଚିତ୍ର ଓ ଖବର ମଧ୍ୟ ଆସୁଛି। ଆମ୍ବୁଲାନ୍ସ ରୋଗୀ ନେଇ ଆସିବା ବେଳେ ବାଟରେ ତେଲ ସରିଯାଉଛି, ଯାହା ଫଳରେ ରୋଗୀ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି। ଖୋଦ ରାଜଧାନୀ ଭୁବନେଶ୍ବରରେ ଡାକ୍ତରଖାନାରେ କୌଣସି ସହାୟତା ନ ପାଇ ଜଣେ ଗରିବ ମହିଳା ରାସ୍ତା କଡରେ ଛୁଆ ଜନ୍ମ କରୁଛନ୍ତି। ଏ ପ୍ରକାର ଖବର ରାଜ୍ୟ ସରକାରଙ୍କ ସବୁ ଭଲ ଉଦ୍ଦେଶ୍ୟକୁ ପାଣି ଫଟେଇ ଦେଉଛି।

ଗତ ଶୁକ୍ରବାର ଦିନ ସାଲିଆ ସାହିର ଜଣେ ଗର୍ଭବତୀ ମହିଳା ଭୁବନେଶ୍ୱର ସ୍ଥିତ ରାଜଧାନୀ ଡାକ୍ତରଖାନାକୁ ଆସିଥିଲେ। ହେଲେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ମିଳିନଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ସେ ଡାକ୍ତରଖାନା ପରିସରରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବେଲୁନରୁ ସବୁ ପବନ ଫୁସ ହୋଇ ଯାଇଛି। ଖୋଦ ରାଜଧାନୀରେ ଯଦି ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ଆମର ସରକାରୀ ଡାକ୍ତରଖାନା ଗୁଡିକ ଅକ୍ଷମ, ତାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି ଏହାଠୁ ଖରାପ ଥିବ ନିଶ୍ଚୟ। ରାଜଧାନୀ ଡାକ୍ତରଖାନାରେ ପ୍ରସୂତି ଓ ମାତୃ ମଙ୍ଗଳ ବିଭାଗର ଅବ୍ୟବସ୍ଥାକୁ ନେଇ ଆଗରୁ ଅନେକ ରିପୋର୍ଟ ବାହାରିଛି। ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଅପବ୍ୟବହାରକୁ ନେଇ ଅଭିଯୋଗ ମଧ୍ୟ ଆସିଛି। ହେଲେ ଏହାର ସମାଧାନ ସମ୍ଭବ ହୋଇ ପାରୁନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଲୋକ ବଳର ଅଭାବ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନଥିବାରୁ ଅଳ୍ପ କେତେଜଣ ଡାକ୍ତରଙ୍କ ଉପରେ ପ୍ରବଳ ମାନସିକ ବୋଝ ବଢୁଛି। ଏହାର ପ୍ରଭାବ ଡାକ୍ତରଙ୍କ ଆଚରଣ ଓ ବ୍ୟବହାର ଉପରେ ପଡୁଛି। ହେଲେ ଏହା ମୌଳିକ ସ୍ୱାସ୍ଥ୍ୟ ସେବାରୁ ଲୋକଙ୍କୁ ବଞ୍ଚିତ କରିବାର ଏକ କାରଣ ହୋଇ ନପାରେ। ଯେତିକି ଭିତ୍ତିଭୂମି ଓ ଲୋକବଳ ଅଛି ତାର ସଠିକ ପରିଚାଳନା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।

ତେବେ ଏହାର ସଠିକ ପରିଚାଳନା ଓ ସରକାରୀ ଅନୁଷ୍ଠାନଗୁଡିକରେ ଲୋକଙ୍କୁ ମାନବୀୟ ବ୍ୟବହାର ଦେଖାଇବାର ଦାୟିତ୍ଵ ସଚିବାଳୟରୁ ତୁଲାଇହେବ କି? ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଅଫିସ ଭଳି ଲୋକଙ୍କ ଗତାଗତ ରହୁଥିବା ଅଫିସ ଗୁଡିକରେ କର୍ମଚାରୀମାନେ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି? ଏହାର ସିଧା ଉତ୍ତର ହେବ-ନା। ଏବେ ମଧ୍ୟ ସରକାରୀ ଅଫିସ ଗୁଡିକ “ଜୀ ହଜୁର” ଅମଳର ମାନସିକତା ନେଇ ଚାଲିଛନ୍ତି। ଏହାକୁ ବଦଳାଇବା “ମୋ ସରକାର”ପାଇଁ ସବୁଠୁ ବଡ ଆହ୍ଵାନ। ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଫାଇବ ଟି ଆଧାରରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି, ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି।

କୌଣସି ଅଧିକାରୀ ବା ସରକାରୀ ଅନୁଷ୍ଠାନ ଚାହିଁଲେ ରାତାରାତି ଶାସନ ବ୍ୟବସ୍ଥା ବଦଳି ଯିବନାହିଁ। ଏଥି ପାଇଁ  ଦୃଶ୍ୟ ଓ ଅଦୃଶ୍ୟ- ଦୁଇ ସ୍ତରରେ ସତର୍କତାର ଆବଶ୍ୟକତା ରହିଛି। ଉପରସ୍ତରର ଅଧିକାରୀଙ୍କ ଗସ୍ତ ସହିତ ସ୍ଵାଧୀନ ଭାବରେ କାମ କରୁଥିବା ନାଗରିକମାନଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। “ମୋ ସରକାର” ବ୍ୟବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ପ୍ରସ୍ତାବ ପାଇବାକୁ ରାଜ୍ୟ ସରକାର ଏକ “ନାଗରିକ କମିଶନ ବା କମିଟି” କଥା ଚିନ୍ତା କରି ପାରନ୍ତି। ସେହିପରି ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ବାସ୍ତବ ସ୍ଥିତି ପରଖିବାକୁ ଏକ ସ୍ଵତନ୍ତ୍ର ବୈଷୟିକ ବ୍ୟବସ୍ଥା ତିଆରି କରିବା ଜରୁରୀ।

ହୁଏତ ଅଧିକାରୀଙ୍କୁ ଦେଖି ଲୋକେ ସବୁ ଠିକ ଚାଲିଛି ବୋଲି କହି ଦେବେ, କିନ୍ତୁ ତାହା ଏକମାତ୍ର ସତ୍ୟ ନ ହୋଇ ନ ପାରେ। ତେଣୁ ଭିନ୍ନ ସ୍ତରରୁ ଓ ବିବିଧ ଗୋଷ୍ଠୀରୁ ଏ ସଙ୍କ୍ରାନ୍ତରେ ମତାମତ ନେଇ କାମ କରିବା ଜରୁରୀ। ସରକାର ଯେତେ ଭଲ କାମ କଲେ ମଧ୍ୟ ଯଦି ରାଜଧାନୀ ଡାକ୍ତରଖାନାରେ ଗତ ଶୁକ୍ରବାର ଭଳି ଘଟନା ଘଟେ, ତାହେଲେ ସବୁ ତପସ୍ୟା ଶୁଖୁଆ ପୋଡାରେ ହିଁ ଯିବ!!

ପଢନ୍ତୁ-     ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ

Categories
ବିଶେଷ ଖବର

ମହାରାଷ୍ଟ୍ରର ବିଚିତ୍ର ରାଜନୀତି, ଶିବସେନା ଓ ବିଜେପି ମଧ୍ୟରେ ଶତୃତା ଯେତିକି ମିତ୍ରତା ବି ସେତିକି!! 

କେଦାର ମିଶ୍ର 

ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ରାଜନୀତି ପୂରାପୂରି ଅଲଗା। ମହାରାଷ୍ଟ୍ରର ରାଜନୀତି ସବୁବେଳେ ଚତୁର୍ମୁଖୀ ରହି ଆସିଛି। ଯଦିଓ ମେଣ୍ଟ ଜରିଆରେ କଂଗ୍ରେସ ସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ବିଜେପି ସହିତ ଶିବସେନାର ବନ୍ଧୁତା ରହିଛି, ଏହା କେବଳ ରାଜନୈତିକ ବାଧ୍ୟବାଧକତା ମାତ୍ର। ୨୦୧୪ ନିର୍ବାଚନରେ ଏହି ଚାରୋଟି ଯାକ ଦଳ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ କାହାକୁ ବିଜେପି ଉପସ୍ଥାପିତ କରିନଥିଲା। ବିଜେପି ଭିତରେ ନେତୃତ୍ବକୁ ନେଇ ସେତେବେଳେ ଅନେକ ପ୍ରଶ୍ନବାଚୀ ରହିଥିଲା। ପଙ୍କଜା ମୁଣ୍ଡେ, ବିନୋଦ ତାଓଡେ,ଏକନାଥ ଖଡସେ ପ୍ରମୁଖ ବହୁ ନେତାଙ୍କ ନାଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଠୁଥିଲା। ଆବଶ୍ୟକ ସ୍ଥଳେ ନିତିନ ଗଦକାରୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣା ଯାଉଥିଲା। ତେବେ ଦେବେନ୍ଦ୍ର ଫଡନବିସଙ୍କ ହାତକୁ କ୍ଷମତା ଆସିବା ପରେ ବର୍ତ୍ତମାନ ସମୟରେ ସେ ମହାରାଷ୍ଟ୍ର ବିଜେପିର ସର୍ବମାନ୍ୟ ନେତା ରୂପେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୧୪ ରେ ଯେଉଁମାନେ ଫଡନବିସଙ୍କ ପ୍ରତିଯୋଗୀ ଥିଲେ ସେଥିରୁ ଅନେକଙ୍କୁ ଏଥର ବିଜେପି ଟିକେଟ ମଧ୍ୟ ଦେଇନାହିଁ। ୨୦୧୯ ନିର୍ବାଚନରେ ଦେବେନ୍ଦ୍ର ଫଡନବିସ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନେତୃତ୍ଵ ନେଉଛନ୍ତି ଓ ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନ ର ଗଣିତ ଦେଖି ଲାଗୁଛି, ମହାରାଷ୍ଟ୍ରରେ ବିଜେପିର ସରକାର ପୁଣିଥରେ ସ୍ଥାପିତ ହେବାରେ ବିଶେଷ ଅସୁବିଧା ହେବନାହିଁ ।

ତେବେ ବିଜେପି ଓ ଶିବସେନା ମେଣ୍ଟର ସରକାର ପୁଣି ଥରେ ଆସୀନ ହେବ ନା ଏକାକୀ ବିଜେପି କ୍ଷମତାକୁ ଫେରିବ, ତାହା ଏକ ଅଲଗା ପ୍ରଶ୍ନ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବା ଲାଗି ୧୪୪/୧୪୫ ଆସନର ଆବଶ୍ୟକତା ରହିଛି। ଗତ ଥର ବିଜେପି ୨୬୦ ଆସନରେ ନିର୍ବାଚନ ଲଢି ୧୨୨ ଆସନରେ ଜିତିଥିଲା। ଶିବସେନା ୨୮୨ ରୁ ୬୩, କଂଗ୍ରେସ ୨୮୭ ରୁ ୪୨ ଓ ରାଷ୍ଟ୍ରବାଦୀ କଂଗ୍ରେସ ୨୭୮ ରୁ ୪୧ ଆସନ ଜିତିଥିଲେ। ଗତଥର ପରି ଏଥର ବିଜେପି ଓ ଶିବସେନା ଅଲଗା ଅଲଗା ନିର୍ବାଚନ ଲାଢୁ ନାହାନ୍ତି। ଉଭୟ ଦଳ ଭିତରେ ମେଣ୍ଟ ହୋଇଛି ଓ ବିଜେପି ୧୬୪ ଓ ଶିବସେନା ଆସନରେ ନିର୍ବାଚନ ଲଢୁଛନ୍ତି। ଚଳିତ ଥର ଏକାକୀ ସରକାର ଗଢିବା ଅପେକ୍ଷା ମେଣ୍ଟ ସରକାର ସପକ୍ଷରେ କାମ କରିବାକୁ ବିଜେପି ଏକପ୍ରକାର ବାଧ୍ୟ। ୧୬୪ ଆସନରୁ ୧୪୪ ଜିତିବା ବିଜେପି ପକ୍ଷରେ ସହଜ କଥା ନୁହେଁ। ଗତଥର ସରକାର ଗଢିବା ଲାଗି ଶିବସେନା ସହିତ ବିଜେପିକୁ ଦୀର୍ଘ ସମୟ ମୂଲ ଚାଲ କରିବାକୁ ପଡିଥିଲା। ଏଥର ନିର୍ବାଚନ ପୂର୍ବରୁ ମେଣ୍ଟ ହୋଇଥିବାରୁ ସରକାର ଗଠନ ସହଜ ପ୍ରକ୍ରିୟା ହୋଇପାରେ।

ତେବେ ବିଜେପି ଓ ଶିବସେନାର ନିର୍ବାଚନୀ ମେଣ୍ଟ ସତ୍ତ୍ୱେ ଏ ଦୁଇ ଦଳ ଆଜି ମଧ୍ୟ ପରଷ୍ପର ବିରୋଧରେ ଠିଆ ହୋଇଛନ୍ତି। ମୁମ୍ବାଇ ମେଟ୍ରୋ ପାଇଁ ଆରେ କଲୋନୀର ଗଛ କଟାକୁ ନେଇ ବିଜେପି ଓ ଶିବସେନା ଭିତରେ ଶତୃତା ତୀବ୍ର ହୋଇଛି। ଶିବସେନା ନେତା ତଥା ଉଦ୍ଧବ ଥାକରେଙ୍କ ପୁଅ ଆଦିତ୍ୟ ଥାକରେଙ୍କ ନେତୃତ୍ବରେ ଗଛକଟାକୁ ବିରୋଧ କରାଯାଉଥିବା ବେଳେ ବିଜେପି ଗଛ କଟାକୁ ସମର୍ଥନ କରୁଛି। ଶିବସେନା ସରକାର ଆସିଲେ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ଆଦିତ୍ୟ କହୁଛନ୍ତି, ହେଲେ ସରକାର ତ ବିଜେପି-ଶିବସେନାର ହିଁ ରହିଛି ଓ ଆଗକୁ ମଧ୍ୟ ଉଭୟ ଦଳର ମେଣ୍ଟ ସରକାର ରହିପାରେ। ତାହେଲେ ଏ ବିରୋଧର କାରଣ କଣ? ବିଜେପି ଓ ଶିବସେନା ପରଷ୍ପରକୁ ଯେତେ ଶୋଧିଲେ ମଧ୍ୟ ଏକାଠି ରହିବାକୁ ବାଧ୍ୟ ହେବାର କାରଣ କଣ?

ଆଦର୍ଶଗତ କାରଣରୁ ବିଜେପି ଓ ଶିବସେନାର ସମାନ ପୃଷ୍ଠଭୂମି ରହିଛି। ତେବେ ବିଜେପି ଏବେ ନିଜର ପତିଆରା ଶିବସେନା ଠୁ ବ୍ୟାପକ କରିସାରିଛି। ଶିବସେନା ଏକଦା ନିଜକୁ ମହାରାଷ୍ଟ୍ରର ବାଘ ବୋଲି ଭାବୁଥିଲା। ଏବେ ଆଉ ସେ ସୁଯୋଗ ନାହିଁ। ଏବେ ମେଣ୍ଟ ରାଜନୀତିରେ ବିଜେପି ର କନିଷ୍ଠ ସହଯୋଗୀ ହେବାକୁ ଶିବସେନା ବାଧ୍ୟ। ମୁମ୍ବାଇ, କୋଙ୍କଣ ଓ ମରାଠାବାଡା ଅଞ୍ଚଳରେ ଶିବସେନାର ଉପସ୍ଥିତି ଓ ପ୍ରଭାବ ରହିଥିବା ବେଳେ ବିଦର୍ଭ – ନାସିକ ଅଞ୍ଚଳରେ ବିଜେପିର ପ୍ରଭାବ ପ୍ରବଳ। ଭୌଗୋଳିକ ରାଜନୀତି କାରଣରୁ ମଧ୍ୟ ଏମାନେ ଏକାଠି ରହିବାକୁ ଓ ନିର୍ବାଚନ ଲଢିବାକୁ ବାଧ୍ୟ।

ମହାରାଷ୍ଟ୍ର ରାଜନୀତିର ସବୁଠୁ ମଜା କଥା ହେଉଛି, ବିଜେପି ଓ ଶିବସେନା ଏକାଠି ସରକାର ଚଳାଉଛନ୍ତି, ଏକାଠି ନିର୍ବାଚନ ଲଢୁଛନ୍ତି – ହେଲେ ପରଷ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରୁଛନ୍ତି। ବୋଧହୁଏ ଏହା ହିଁ ଆମ ରାଜନୀତିର ବୈଚିତ୍ର୍ୟ!!

 

Categories
ବିଶେଷ ଖବର

ସ୍ବଚ୍ଛ ଭାରତ ମିଶନ ଶହେ ପ୍ରତିଶତ ସଫଳ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କେବେ ଦିନେ ସନ୍ଧ୍ୟାରେ ଆମ ଗଞ୍ଜାମ ରାସ୍ତାରେ ବୁଲିଦେଇ ଯିବେ କି??  

କେଦାର ମିଶ୍ର

ମୁଁ କାହାକୁ ବିଶ୍ଵାସ କରିବି- ନିଜକୁ ନା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ? ଗତକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବାପୁଙ୍କ ସାବରମତି ଆଶ୍ରମରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଲେ, ତାକୁ ଅବିଶ୍ଵାସ କଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ଆମକୁ ଦେଶଦ୍ରୋହୀ ବୋଲି କହିବାର ସମ୍ଭାବନା ଅଧିକ। ବାପୁଙ୍କ ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ଆମକୁ କହିଲେ ଯେ ଆଜି ଦେଶର ୬୯୯ ଜିଲାର ୬ ଲକ୍ଷ ଗାଁ ମେଲାରେ ଶୌଚ କରିବାର ଅଭ୍ୟାସ ପରିତ୍ୟାଗ କରିଛନ୍ତି। ଭାରତର ପ୍ରତ୍ୟେକ ଗାଁ ଆଜି ମେଲାରେ ମଳ ତ୍ୟାଗ କରିବାର ଅଭ୍ୟାସକୁ ଆପେ ଆପେ ପରିତ୍ୟାଗ କରିଛନ୍ତି ବୋଲି ଉଚ୍ଚ କଣ୍ଠରେ ପ୍ରଧାନମନ୍ତ୍ରୀ ଘୋଷଣା କରୁଛନ୍ତି। ଷାଠିଏ କୋଟି ଲୋକଙ୍କ ଲାଗି ଷାଠିଏ ମାସରେ ୧୧ କୋଟି ଶୌଚାଳୟ ତିଆରି କରିବା କମ ବଡ ସଫଳତା ନୁହେଁ। ତେବେ “ଷାଠିଏ ମାସରେ ଷାଠିଏ କୋଟି ଲୋକଙ୍କ ଲାଗି ଏଗାର କୋଟି” କଥା ଶୁଣିଲା ବେଳେ ଅଶି ଦଶକରେ ଗୋଟେ ଓଡିଆ ସ୍ଲୋଗାନ ମୋର ମାନେ ପଡିଗଲା। ଅଶି ଦଶକରେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଆମକୁ ସେତେବେଳେ କହୁଥିଲେ- “ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଟି ଶିଳ୍ପ”।  ଜାନକୀ ବାବୁଙ୍କ ଏହି ସ୍ଲୋଗାନକୁ କଟାକ୍ଷ କରି ସେତେବେଳେ କେହି କେହି ତାଙ୍କୁ ହଜାରୀ ପଟ୍ଟନାୟକ ବୋଲି ମଧ୍ୟ କହୁଥିଲେ। ତେବେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରକାର କଟାକ୍ଷ କଲେ, ତାଙ୍କର ଭକ୍ତମାନେ ବିରୁଡି ଭଳି ମାଡି ଆସିବାର ସମ୍ଭାବନା ଅଧିକ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣାନାମା ଯଦି ସତ୍ୟ ହୁଅନ୍ତା, ତାହେଲେ ଆମେ ଖୁସି ହୁଅନ୍ତୁ ନିଶ୍ଚୟ। ମୁଁ ନିଜ ଆଖି ଆଗରେ ଦେଖୁଛି ଆଜି ମଧ୍ୟ ଗଞ୍ଜାମ ଜିଲାର ରାଜପଥ କଡେ କଡେ ଶହ ଶହ ଲୋକ ମେଲାରେ ମଳତ୍ୟାଗ କରୁଥିବାର ବିକଳ ଦୃଶ୍ୟ। ଗତ ୨୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ଚାରି ଦିନ ବ୍ୟାପୀ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ଗାଁ ମୁଁ ବୁଲିଛି। ୨୨ ତାରିଖ ସାଢେ ୩ ଟାରେ ଆମେ ଭୁବନେଶ୍ୱର ଛାଡିଲୁ। ସାଢେ ପାଞ୍ଚଟା ବେଳକୁ ଆମେ ପହଞ୍ଚିଥିଲୁ ଖଲ୍ଲିକୋଟରେ। ସେଠାରୁ କୋଦଳା, କବିସୂର୍ୟନଗର, ଆସ୍କା ଓ ସୋରଡା ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ଖୋଲା ମେଲାରେ ଶୌଚ କରୁଥିବାର ଦୃଶ୍ୟ ମୁଁ ଦେଖି ଦେଖି ଆସିଛି। ଏହି ରାସ୍ତାରେ କେଉଁଠି ଅଟକିବା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ ଏ ବିଷୟରେ କିଛି ଜାଣନ୍ତି କି?

ଗଞ୍ଜାମ ଖୋଲାମେଲାରେ ଶୌଚ ହେବା କିଛି ନୂଆ କଥା ନୁହେଁ। ଏହା ଅତି ସାଧାରଣ ଓ ଚଳନୀୟ ବ୍ୟାପାର। ତେବେ ସ୍ବଚ୍ଛ ଭାରତ ମିଶନ ପରେ ସ୍ଥିତି ବଦଳି ନାହିଁ କାହିଁକି? ପ୍ରଧାନମନ୍ତ୍ରୀ କହୁଛନ୍ତି ସବୁ ଗାଁ ରେ ସ୍ବଚ୍ଛ ଭାରତ ମିଶନ ସଫଳ ହୋଇଛି। ମୁଁ ଅତ୍ୟନ୍ତ ଦାୟିତ୍ଵର ସହ କହିପାରେ ଓଡିଶାରେ ଏହା ୫୦ ପ୍ରତିଶତ ବି ସଫଳ ହୋଇନାହିଁ। କେବଳ ଓଡିଶା ନୁହେଁ, ଏହା ଉତ୍ତର ପ୍ରଦେଶ ବା ବିହାର କି ଭାରତର ଅନ୍ୟ କେଉଁ ରାଜ୍ୟରେ ସଫଳ ହୋଇଛି ବୋଲି କହିବା ଆତ୍ମ ପ୍ରବଞ୍ଚନା ହେବ। ଆଜି ମଧ୍ୟ ଟ୍ରେନ ରେ ଗଲାବେଳେ ଧାଡିବାନ୍ଧି ଖୋଲାରେ ଶୌଚ ହେଉଥିବା ଲୋକଙ୍କ ସଂଖ୍ୟା କମିନାହିଁ।

ଯଦି ୧୧ କୋଟି ମାଗଣା ଶୌଚାଳୟ ତିଆରି ହୋଇଛି, ତାହେଲେ ତାହାର ସଠିକ ଉପଯୋଗ ହେଉନି କାହିଁକି? ପ୍ରାୟ ସବୁ ଗାଁରେ ଲୋକ କହିବେ, ଶୌଚାଳୟ ତିଆରି ହୋଇଛି, ହେଲେ ପାଣିର ବ୍ୟବସ୍ଥା ନାଇଁ। ବିନା ପାଣିରେ ଆଧୁନିକ ଶୌଚାଳୟର ଅର୍ଥ କିଛି ନାହିଁ। ଅନେକ ଜାଗାରେ ଶୌଚାଳୟକୁ ଲୋକେ ଗୋଦାମ ଘର ଭାବରେ ବ୍ୟବହାର କରୁଛନ୍ତି। ଆଉ କିଛି ଗାଁ ରେ ଶୌଚାଳୟ ନିର୍ମାଣ କାମ ଏତେ ନିମ୍ନ ମାନର ଯେ ତିଆରି ହେବାର ମାସେ ଭିତରେ ସେସବୁ ଭାଙ୍ଗି ଗଲାଣି। ଅଗତ୍ୟା ଲୋକେ ନିଜର ପାରମ୍ପରିକ ଖୋଲା ପଡିଆ ଓ ରାସ୍ତାକୁ ଫେରିବାକୁ ବାଧ୍ୟ ହେଉଛନ୍ତି।

କିଛି ଗାଁରେ ବିଜେପି କର୍ମୀମାନେ ଲୋକଙ୍କ ଉପରେ ଚାପ ପକାଇ ଏ ବ୍ୟବସ୍ଥାକୁ ବନ୍ଦ କରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶୌଚାଳୟ ନିର୍ମାଣରେ ହୋଇଥିବା ଅବ୍ୟବସ୍ଥା ସେମାନଙ୍କୁ ଅପଦସ୍ତ କରିଛି। ମେଲାରେ ମଳତ୍ୟାଗ ବ୍ୟବସ୍ଥା ଓଡିଶାର କେତେକ ଜିଲ୍ଲାରେ ଏକ ଭୟଙ୍କର ରୋଗ। ଗଞ୍ଜାମ ସେଥିରେ ଆଗୁଆ ବୋଲି ସମସ୍ତେ ଜାଣନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଯୋଜନା ଓ ସଚେତନତା କାର୍ୟକ୍ରମ ଜରିଆରେ ଏହାକୁ ରୋକିବାର ଉଦ୍ୟମ ହୋଇଛି। ହେଲେ ଆଜି ମଧ୍ୟ ଏହା ସଫଳ ହୋଇନାହିଁ। କେବଳ ଗଞ୍ଜାମ ନୁହଁ, ଦେଶର ଶହ ଶହ ଜିଲାରେ ଏଇ ସମାନ କାହାଣୀ ଓ ସମାନ ବାସ୍ତବତା।

କେବଳ କାଗଜ ପତ୍ରରେ ସବୁକିଛି ସ୍ବଚ୍ଛ ବୋଲି ଦେଖେଇଦେଲେ ହୁଏତ ଆମେରିକାର ଗେଟ୍ସ ଫାଉଣ୍ଡେସନ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ଦେଇପାରେ, ହେଲେ ସାଧାରଣ ନାଗରିକ ଭାବରେ ଆମେ ଦେଖୁଛୁ, ସ୍ବଚ୍ଛ ଭାରତ ଯୋଜନା ଯେଉଁଠି ଆରମ୍ଭ ହୋଇଥିଲା, ସେଠୁ ପାଦେ ବି ଆଗକୁ ଯାଇପାରି ନାହିଁ।

Categories
ବିଶେଷ ଖବର

ମହାତ୍ମା ଗାନ୍ଧୀ: ବିଜ୍ଞାନ ବିହୀନ ପ୍ରଚାରତନ୍ତ୍ର ଓ ଆଜିର ପ୍ରଚାର ସର୍ବସ୍ଵ ଜୀବନ 

 କେଦାର ମିଶ୍ର 

ଆଜି ଅକ୍ଟୋବର ୨ ତାରିଖ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ। ଏ ଲେଖା ଲେଖିଲା ବେଳକୁ ମୋ ହାତରେ ଗୋଟେ ବହି ଅଛି। ବହିର ନାଁ “ ଗାନ୍ଧୀ ; ଦି ଇଅର୍ସ ଦେଟ ଚେଞ୍ଜଡ ଦି ୱାର୍ଲ୍ଡ’’ ଓ ଏହାର ଲେଖକ ହେଉଛନ୍ତି ପ୍ରସିଦ୍ଧ ଐତିହାସିକ ରାମଚନ୍ଦ୍ର ଗୂହା। ଗାନ୍ଧୀଙ୍କ ବିରାଟକାୟ ଜୀବନୀର ଏହା ଦ୍ଵିତୀୟ ଭାଗ ଓ ଏଥିରେ ୧୯୧୪ ରୁ ୧୯୪୮ ପର୍ଯନ୍ତ ବାପୁଙ୍କ ଜୀବନ କାହାଣୀ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି। ବହିର ପୃଷ୍ଠା ସଂଖ୍ୟା ୧୧୩୦, ତେଣୁ ଏହାକୁ ସାରିବା ଲାଗି ମୋତେ ଯଥେଷ୍ଟ ସମୟ ଲାଗିଛି। ତେବେ ମୋ ଲେଖାଟି ଏ ବହି ବିଷୟରେ ନୁହଁ। ଏ ବହି ମୋତେ ଗାନ୍ଧୀଙ୍କ ବିଷୟରେ ଲେଖିବା ଲାଗି ଗୋଟେ ସଙ୍କେତ ଦେଇଛି ମାତ୍ର। ଆମେ ସମସ୍ତେ ଗାନ୍ଧୀଙ୍କ ବିଷୟରେ ଆଇନଷ୍ଟାଇନ ଦେଇଥିବା ସେଇ ପ୍ରସିଦ୍ଧ ବକ୍ତବ୍ୟଟିକୁ ଜାଣିଛୁ, ଯେଉଁଠି ସେ କହିଛନ୍ତି, ‘’ “ହୁଏତ ଆଗାମୀ ପିଢୀ ବିଶ୍ଵାସ କରିବେ ନାହିଁ ଯେ ଗାନ୍ଧୀଙ୍କ ପରି ରକ୍ତ ମାଂସଧାରୀ ମଣିଷଟିଏ ସତରେ ଆମ ପୃଥିବୀରେ ଥିଲା”। ତେବେ ଏହି ମନ୍ତବ୍ୟ ତୁଳନାରେ ଏହା ପୂର୍ବରୁ ଆଇନଷ୍ଟାଇନ ଆଉ କିଛି କଥା କହିଛନ୍ତି, ଯାହାକି ଗାନ୍ଧୀଙ୍କୁ ଆଜିର ସମୟରେ ଜାଣିବା ଲାଗି ବେଶୀ ଉପଯୋଗୀ ସାବ୍ୟସ୍ତ ହେବ। ଗାନ୍ଧୀଙ୍କ ବ୍ୟକ୍ତିତ୍ବ ବିଷୟରେ କହିବାକୁ ଯାଇ ଆଇନଷ୍ଟାଇନ କହୁଛନ୍ତି- “ ସେ ତାଙ୍କ ନିଜ ଲୋକଙ୍କର ନେତା, ଯାହାଙ୍କ ପଛରେ କୌଣସି ବାହ୍ୟ କ୍ଷମତା କେନ୍ଦ୍ରର ସହଯୋଗ ନଥିଲା। ସେ ଏମିତି ଜଣେ ରାଜନେତା ଯିଏ ରାଜନୈତିକ କୌଶଳ କିମ୍ବା ଆଧୁନିକ ବୈଜ୍ଞାନିକ ଉପକରଣର ସହାୟତା ନନେଇ ନିଜ ନେତୃତ୍ବକୁ ପ୍ରତିଷ୍ଠା ଦେଇଥିଲେ। “

ଆଜିର ଆଲୋଚନା ଲାଗି ଏଇ ଶେଷ ବାକ୍ୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବୈଜ୍ଞାନିକ ଓ ବୈଷୟିକ ମାଧ୍ୟମର ସହାୟତା ନନେଇ ବିଂଶ ଶତାବ୍ଦୀର ରାଜନୀତିରେ ନିଜକୁ ପ୍ରତିଷ୍ଠା ଦେବା ଆଦୌ ସହଜ କଥା ନଥିଲା। ଗାନ୍ଧୀଙ୍କ ଉତ୍ଥାନ ଓ ବିଜ୍ଞାନର ଜାୟଯାତ୍ରା ସମାନ୍ତରାଳରେ ଚାଲିଥିବାବେଳେ ଗାନ୍ଧୀ ବିଜ୍ଞାନକୁ ନିଜ ରାଜନୀତିର ସହାୟକ ଭାବରେ ବାଛି ନଥିଲେ। ଗାନ୍ଧୀ ବିଜ୍ଞାନର ସବୁଠୁ କମ ଉପଯୋଗ କରିଥିବା ରାଜନେତା ବୋଲି ଆମେ କହିପାରିବା। ତେବେ ଗାନ୍ଧୀ ବୈଜ୍ଞାନିକ ସିଦ୍ଧାନ୍ତରେ ବିଶ୍ଵାସ କରୁଥିଲେ। ବୈଜ୍ଞାନିକ ସିଦ୍ଧାନ୍ତ ଓ ବିଜ୍ଞାନର ରାଜନୈତିକ ପ୍ରୟୋଗ ଭିତରେ ବଡ ଫରକ ରହିଛି।

ଆଜିର ସମୟରେ ଟେଲିଭିଜନ, ଇଣ୍ଟରନେଟ ଓ ସୋସିଆଲ ମିଡିଆ ର ଯୁଗରେ ବିନା ବୈଷୟିକ କୌଶଳ ପ୍ରୟୋଗରେ ରାଜନୀତି କରିବା ସମ୍ଭବ ନୁହେଁ ବୋଲି ଆମେ ଧରି ନେଇଛୁ। ତେବେ ଗାନ୍ଧୀ ତାଙ୍କ ସମୟର ସବୁଠୁ ଶକ୍ତିଶାଳୀ ବୈଜ୍ଞାନିକ କ୍ଷମତା କେନ୍ଦ୍ର ସହିତ ବାଡି ଖଣ୍ଡେ ଧରି ଲଢିବାର ସାହସ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଚର୍ଚ୍ଚିଲ, ଷ୍ଟାଲିନ ଓ ରୁଜଭେଲ୍ଟଙ୍କ ଭଳି ନେତାଙ୍କ ଆଗରେ ଗାନ୍ଧୀଙ୍କ କ୍ଷମତା ଥିଲା ଅତ୍ୟନ୍ତ ସୀମିତ। ତେବେ ଇତିହାସ ପ୍ରମାଣିତ କରିଛି, ଏସବୁ ନେତାଙ୍କ ତୁଳନାରେ ଗାନ୍ଧୀ ଆଜି ଅଧିକ ପ୍ରାସଙ୍ଗିକ। ପ୍ରଚାରତନ୍ତ୍ର ରାଜନୀତିର ସବୁଠୁ ବଡ ଆଧାର। ଗାନ୍ଧୀ ସାରା ଜୀବନ ପ୍ରଚାରତନ୍ତ୍ରକୁ ଲୋକଙ୍କ ଭିତରୁ ଆବିଷ୍କାର କରିଥିଲେ। ନିଜ ବିଷୟରେ ପ୍ରଚାର କରିବା ଅପେକ୍ଷା ନିଜ କାମକୁ ନିଷ୍ଠାର ସହ କରିବାର ଗୋଟେ ଅଦ୍ଭୁତ ଝୁଙ୍କ ତାଙ୍କ ପାଖରେ ଥିଲା। ଯାହାର ପରିଣତି ସ୍ଵରୂପ ସେ ଅହମଦାବାଦ କି ୱାର୍ଦ୍ଧାରେ ଯାହା କରୁଥିଲେ, ତୁରନ୍ତ ତାହା ବରୀ କିମ୍ବା ବୋରିଗୁମ୍ମା ରେ ପହଞ୍ଚି ପାରୁଥିଲା। ସୂତା କାଟିବା ହେଉ ଅଥବା ଲୁଣ ମାରିବା, ଅସହଯୋଗ ଆନ୍ଦୋଳନ ହେଉ ବା ଭାରତ ଛାଡର ନିର୍ଣ୍ଣାୟକ ବାର୍ତ୍ତା, ସବୁକିଛି ଲୋକ ମୁଖରେ ପ୍ରଚାରିତ ହୋଇ ଲୋକଙ୍କ ଭିତରେ ମୁକ୍ତିର ଅଭୀପ୍ସା ତିଆରି କରୁଥିଲା।

ଗାନ୍ଧୀଙ୍କ ଶକ୍ତିର ଗୋଟେ ଛୋଟ ଉଦାହରଣ ପଣ୍ଡିତ ଗୋପବନ୍ଧୁ ଦାସ ଦେଇଥିଲେ ୯. ଜୁଲାଇ, ୧୯୨୧ ରେ ପ୍ରକାଶିତ “ସମାଜ”ର ଏକ ଲେଖାରେ। ଗୋପବନ୍ଧୁଙ୍କ ଭାଷାରେ “ ଗାନ୍ଧୀ ବିଚାରିଲେ ଏକା ରାତିକେ କୋଟିଏ ଟଙ୍କା କରିପାରିବେ। କେତେ ଶେଠ, ସାହୁକାର ତାଙ୍କ ପାଦତଳେ ଲକ୍ଷ ଲକ୍ଷ ଟଙ୍କା ଥୋଇ କୃତକୃତ୍ୟ ହେବାକୁ ଆପଣାର ସୌଭାଗ୍ୟ ମଣିବେ। ମାତ୍ର ଖାଲି ଶେଠ ସାହୁକାରଙ୍କ ଧନରେ ସ୍ଵରାଜ୍ୟ ପାଣ୍ଠି କରିବା ତାଙ୍କ ଇଚ୍ଛା ନୁହେଁ। ଶେଠର ସହସ୍ର ଲକ୍ଷ ସଙ୍ଗେ ଦରିଦ୍ରର ପଇସାଏ ପାହୁଲାଏ ମିଶିବା ଦରକାର। “ ଏଇଟା ଇ ଗାନ୍ଧୀ ଶକ୍ତି। ସମାଜର ସବୁ ବର୍ଗକୁ ସମାନ ଭାବରେ ଆନ୍ଦୋଳନରେ ସାମିଲ କରିପାରିବାର ଦକ୍ଷତା ଯୋଗୁଁ ତାଙ୍କ ବାର୍ତ୍ତା ସବୁଠି ସମାନ ଭାବରେ ପହଞ୍ଚି ପାରୁଥିଲା। ବମ୍ବେ କି ଲାହୋରରେ ସେ ଯାହା କହୁଥିଲେ ତାକୁ ଅଗମ୍ୟ କୋରାପୁଟର ଲକ୍ଷ୍ମଣ ନାୟକଙ୍କ ଭଳି କର୍ମୀମାନେ ଶୁଣି ପାରୁଥିଲେ ଓ ତାକୁ କାମରେ ଲଗାଉଥିଲେ।

ଆଧୁନିକ ସମୟର ଯେ କୌଣସି ଲୋକ ସମ୍ପର୍କ ଅନୁଷ୍ଠାନ ଏ ପ୍ରକାର ବ୍ୟବସ୍ଥା ବିଷୟରେ ଚିନ୍ତା ମଧ୍ୟ କରି ପାରିବେ ନାହିଁ।  ଆଜି ସୋସିଆଲ ମିଡିଆ ଡୋନାଲ୍ଡ ଟ୍ରମ୍ଫ କିମ୍ବା ନରେନ୍ଦ୍ର ମୋଦୀ ଭଳି ନେତାଙ୍କୁ ଗଢୁଛି ଏବଂ ଭାଙ୍ଗୁଛି। ବୈଷୟିକ କୌଶଳର ଏ ପ୍ରକାର ରାଜନୀତି ଏକପ୍ରକାର ବୈଜ୍ଞାନିକ ଷଡଯନ୍ତ୍ର। ଗାନ୍ଧୀ ଏ ଷଡଯନ୍ତ୍ରକୁ ଭାଙ୍ଗି ଏକ ଆଧ୍ୟାତ୍ମିକ ପ୍ରଚାରତନ୍ତ୍ର ଗଢିଥିଲେ। ତେଣୁ ଏ ଦେଶର ଇତିହାସରେ ବୁଦ୍ଧଙ୍କ ପରେ ସେ ଇ ଏକମାତ୍ର ନେତା ଯିଏ ଆମର ଧର୍ମ ଓ ରାଜନୀତିକୁ ସମାନ ଭାବରେ ପ୍ରଭାବିତ କରିଥିଲେ।

Categories
ବିଶେଷ ଖବର ମତାମତ

ଚିଟଫଣ୍ଡ କେଳେଙ୍କାରିରେ ସାଧାରଣ ନିର୍ବାଚନ ପୂର୍ବର ସିବିଆଇ ନୋଟିସ ଗଲା କୁଆଡେ?

କେଦାର ମିଶ୍ର

ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ  ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।

୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!

ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?

ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।

ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!