Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନଭେମ୍ବର ୧୫ରେ ନିଲାମ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ। ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି। ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ।

ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ। ତା’ପରଠାରୁ କୋଇଲା ମନ୍ତ୍ରଣାଳୟ ସାତ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣିଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି। ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି। ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି। ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ୍ କୋଇଲା ଉତ୍ତୋଳିତ ହେଉଛି।

ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି। ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାମାନେ ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି। ଏହି ପ୍ରକ୍ରିୟାରେ ଦେଶରେ କୋଇଲା ଉତ୍ପାଦନ ବଢିଛି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ନିଲାମ ଓ ଉତ୍ତୋଳନ /ଖନନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେମାନଙ୍କୁ ସରକାର ଏହି ନିଲାମ ମାଧ୍ୟମରେ କୋଇଲାର ନିଜସ୍ୱ ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ନିମନ୍ତେ ଅନୁମତି (ପରମିଟ୍ )ପ୍ରଦାନ କରୁଛନ୍ତି।

ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି। ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି। ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି।

ଆହୁରି ମଧ୍ୟ ଏଭଳି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି ପାଉଛି । ସେମାନେ ଉତ୍ତୋଳିତ ହେଉଥିବା କୋଇଲା ଉପରେ ରୟାଲଟି ବା ରାଜଭାଗ ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଞ୍ଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ଏହା ଦ୍ୱାରା ଅଧିକ ଲୋକଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳୁଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବ ବର୍ତ୍ତୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ । ଏହି କ୍ଷେତ୍ରକୁ ଆଗକୁ ବଢାଇ ଏହାର ଆୟ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଅଙ୍ଗୀକାରବଦ୍ଧ ହୋଇ କାମ କରୁଛି । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋର ୩୯ଟି ଖଣି ନିଲାମ ହେବାକୁ ଥିବା ବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ । ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ୍ ଏସ୍‌ପି) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର୍ ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି । ଏହା ଛଡା ଅନ୍ୟ ୨୧ଟି ଖଣି ଆଂଶିକଭାବେ ବିକଶିତ ହୋଇଛି। ଗତଥର ନିଲାମରେ ରହିଯାଇଥିବା ଚାରିଟି ଖଣିକୁ ମଧ୍ୟ ଏହି ନିଲାମରେ ସାମିଲ କରାଯାଇଛି। ସେଗୁଡିକ ସିଏମ୍‌ଏସ୍‌ପି ଓ ଏମ୍‌ଏମ୍‌ଡି ଖଣିର ଅନ୍ତର୍ଭୁକ୍ତ। ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଖନନ ଯୋଗ୍ୟ ଅବସ୍ଥାରେ ଥିବାବେଳେ ଅନ୍ୟ ତିନିଟି ଆଂଶିକ ବିକଶିତ ଓ ଖନନ ଯୋଗ୍ୟ।

ଓଡିଶାରେ ନିଲାମ ହେବାକୁ ଥିବା ସର୍ବାଧିକ ୧୯ଖଣି ମଧ୍ୟରୁ ସିଏମ୍‌ଏସ୍‌ପି ୨୦୧୫ ଓ ଏମ୍‌ଏମ୍‌ଡିଆର ୧୯୫୭ ଆଇନ ଅନୁସାରେ ଯଥାକ୍ରମେ ଆଠ ଓ ୧୧ଟି କୋଇଲା ଖଣି ରହିଛି । ଏହିସବୁ ଖଣି ମଧ୍ୟରୁ ଆଠଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ୧୧ଟି ଆଂଶିକ ଖନନ ଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ ।

ନିଲାମ ହେବାକୁ ଥିବା ଖଣିଗୁଡିକର ସୀମାରେଖା ନିର୍ଣ୍ଣିତ ହୋଇଛି । ଡ୍ରୋନ ସହାୟତାରେ ଉତ୍ତୋଳନ କରାଯାଇଥିବା ଖଣିର ସୀମା ସରହଦର ଫଟୋଚିତ୍ର ନିଲାମ ଦେବା ବାଲାକୁ ଯୋଗାଇ ଦିଆଯିବ । ସବୁ ଖଣି ବିବାଦମୁକ୍ତ ଏବଂ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ନାହିଁ ।

କୋଇଲା ଖଣିର ବ୍ୟାବସାୟିକ ନିଲାମରେ ନିଲାମଧାରୀଙ୍କ କୋଇଲା ବ୍ୟବହର ଓ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ । ଆହୁରି ମଧ୍ୟ ନିଲାମ ପ୍ରକ୍ରିୟାରେ କୌଣସି ଟେକ୍‌ନିକାଲ (ବୈଷୟିକ) ଓ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀ ନ ଥିବାରୁ ଯେ କେହି ଏଥିରେ ସାମିଲ ହୋଇପାରିବେ ।

କୋଇଲା ମନ୍ତ୍ରଣାଳୟ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର ଆଲୋଚନା ପରେ ସେମାନଙ୍କ ପରାମର୍ଶରେ ଭାରତରେ ବ୍ୟବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ଅବସ୍ଥାକୁ ପ୍ରୋତ୍ସାହନ ଦେବାକୁ ରାଜି ହୋଇଛି । ଏଥି ପାଇଁ କେଉଁ କେଉଁ ସମ୍ଭାବ୍ୟ ସୂତ୍ରରୁ ଋଣ ମିଳିପାରିବ ସେଥି ପାଇଁ ମଧ୍ୟ ବିଚାର ଆଲୋଚନା ହୋଇଛି । ବିଭିନ୍ନ ବଡ ବଡ ଉଦ୍ୟୋଗକୁ ଏହି ଅର୍ଥ ଲଗାଣ ବ୍ୟବସ୍ଥାକୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ବ୍ୟାବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ବ୍ୟବସ୍ଥା ଇତିମଧ୍ୟରେ ଶେଷ ହୋଇଥିବାବେଳେ ଅନ୍ୟ ଦୁଇଟିର ପ୍ରକ୍ରିୟା ଚାଲିଛି ।

ଯେଉଁମାନେ ନିଲାମ ଡକାରେ ସଫଳ ହେବେ ସେମାନଙ୍କ ପାଇଁ କୋଇଲା ମନ୍ତ୍ରଣାଳୟ ଏକ ‘ସିଙ୍ଗଲ ଉଇଣ୍ଡୋ କ୍ଲିୟରାନ୍ସ ସିଷ୍ଟମ’ ପୋର୍ଟାଲ ପ୍ରସ୍ତୁତ କରିଛି । ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଖଣି ନିଲାମ ଅଧିକାର ଓ ଅନୁମତିପତ୍ର ପ୍ରଦାନ କରାଯିବ । ସଫଳ ବିଡରମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ପ୍ରକଳ୍ପ ମନିଟରିଂ ୟୁନିଟ୍ (ପିଏମ୍‌ୟୁ) ନିଯୁକ୍ତ କରାଯାଇଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣି ବ୍ୟାବସାୟିକ ନିଲାମ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବେ । ଦେଶରୁ କୋଇଲା ଅଭାବ ଦୂର କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଏହି ନିଲାମ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଥିରେ ଘରୋଇ କ୍ଷେତ୍ରକୁ ସାମିଲ କରି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି । ଏହି ଅଷ୍ଟମ ପର୍ଯ୍ୟାୟ ନିଲାମରେ ବହୁ ନୂଆ ଉଦ୍ୟୋଗ ଓ ପୁଞ୍ଜିପତି ଭାଗ ନେବେ ବୋଲି ଆଶା କରାଯାଉଛି ।

ଏହି ଖଣି ନିଲାମର ସବିଶେଷ ତଥ୍ୟ, ନିଲାମ ସର୍ତ୍ତାବଳୀ, ସମୟ ସୀମା ଓ ଅନ୍ୟାନ୍ୟ ସୂଚନା ଏମ୍‌ଏସ୍‌ଟିସି ଅକ୍ସନ ପ୍ଲାଟଫର୍ମରୁ ମିଳିପାରିବ । ନିଲାମ କାର୍ଯ୍ୟ ଅନଲାଇନ ବ୍ୟବସ୍ଥାରେ ହେବ । ଏଥି ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି । ରାଜସ୍ୱ ଭାଗର ଶତକଡା ହିସାବରେ ନିଲାମର ଭିତ୍ତି ପ୍ରସ୍ତୁତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।

୫୦୦ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି। ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍‌। ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି। ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ ଶକ୍ତି ମୂଲ୍ୟ ବିଶେଷ ଭାବରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି । ଆଜି ଏଠାରେ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରି ଅର୍ଥମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ପୁଞ୍ଜି ବିନିଯୋଗ ସ୍ଥାନ ଅଟେ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କର ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛ ପ୍ରକ୍ରିୟା ଯୋଗୁଁ ବିଦ୍ୟୁତ୍‍ କ୍ଷେତ୍ର ପାଇଁ କୋଇଲା ଆମଦାନୀ ୪୧% ହ୍ରାସ ପାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜି ୧୪୧ ଟି କୋଇଲା ଖଣି ନିଲାମରୁ ବାରଟି ରାଜ୍ୟ ସିଧାସଳଖ ଲାଭବାନ ହେବେ । କୋଇଲା କ୍ଷେତ୍ରକୁ ମୁକ୍ତ କରିବା ପାଇଁ ସମ୍ପ୍ରତି କୋଇଲା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରି ସୀତାରମଣ କହିଛନ୍ତି ଯେ ଖଣି କ୍ଷେତ୍ର ସଂସ୍କାର ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ସଠିକ୍ ଭାବେ ଗତି ଦେଉଛି । କୋଇଲା ଗ୍ୟାସିଫିକେସନ୍ ଏବଂ ବ୍ୟବସାୟିକ ଖନନକୁ ପ୍ରୋତ୍ସାହନ ପାଇଁ ଅର୍ଥ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।

କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀପ୍ରହଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ କୋଇଲା ମନ୍ତ୍ରଣାଳୟ କୋଇଲା ବ୍ୟବହାର ବୃଦ୍ଧି ପାଇଁ ବିକଳ୍ପ ପଦ୍ଧତି ଅନୁସନ୍ଧାନ କରୁଛି । ଶ୍ରୀ ଯୋଶୀ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟ କୋଇଲା ଗ୍ୟାସିଫିକେସନ୍ ପାଇଁ ୬୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଏବଂ ଅନୁସନ୍ଧାନ ପାଇଁ ୨୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ନିଲାମ ସମୟରେ ଆଜି ଏଗାରଟି ରାଜ୍ୟର ୧୪୧ ଟି ଖଣି ନିଲାମ କରାଯାଇଛି । ଶ୍ରୀ ଜୋଶୀ କହିଛନ୍ତି ଯେ ପୂର୍ବରୁ ନିଲାମ ହୋଇଥିବା ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଆଶା କରୁଛି ଯେ ଆସନ୍ତା ବର୍ଷ ସୁଦ୍ଧା ନୂତନ ଖଣିରୁ ୧୦ ରୁ ୧୫ ନିୟୁତ ଟନ୍ କୋଇଲା ଉତ୍ପାଦନ ହେବ । ଅନ୍ୟ ଦିନ ଗୁଡିକରେ କରାଯାଇଥିବା ସମୀକ୍ଷା ଅନୁଯାୟୀ କୋଇଲା ମନ୍ତ୍ରଣାଳୟ ଚଳିତ ବର୍ଷ ୯୦୦ ନିୟୁତ ଟନ୍ କୋଇଲା ଉତ୍ପାଦନର ଆଶା କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି ।

କୋଇଲା, ଖଣି ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରାଓସେହେବ ପାଟିଲ ଦାନଭେ, କୋଇଲା ସଚିବ ଅମୃତ ଲାଲ ମୀନା ଏବଂ ଅତିରିକ୍ତ ସଚିବ ଏମ ନାଗରାଜୁ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

ଷଷ୍ଠ ପର୍ଯ୍ୟାୟ ବ୍ୟବସାୟିକ ନିଲାମରେ ୧୩୩ ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଛି, ସେଥି ମଧ୍ୟରୁ ୭୧ ଟି ନୂତନ କୋଇଲା ଖଣି ଏବଂ ୬୨ ଟି କୋଇଲା ଖଣିର ବ୍ୟବସାୟିକ ନିଲାମ ପୂର୍ବ ପର୍ଯ୍ୟାୟରୁ ରହିଛି । ଏଥିସହ, ୫ମ ପର୍ଯ୍ୟାୟ ବ୍ୟବସାୟିକ ନିଲାମର ଦ୍ୱିତୀୟ ପ୍ରୟାସରେ ୮ ଟି କୋଇଲା ଖଣି ଅନ୍ତର୍ଭୂକ୍ତ କରାଯାଇଥିଲା ଯେଉଁଥି ପାଇଁ ପ୍ରଥମ ପ୍ରୟାସରେ ଏକକ ବିଡ୍ ଗ୍ରହଣ କରାଯାଇଥିଲା । ଏହି ନିଲାମ ପ୍ରକ୍ରିୟାର ଶୁଭାରମ୍ଭ ସହିତ କୋଇଲା ମନ୍ତ୍ରଣାଳୟ ତାପଜ କୋଇଲା କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି ।

ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ, ୪୦% ରୁ ଅଧିକ ଜଙ୍ଗଲ ଆବରଣ, ବହୁଳ ଭାବରେ ନିର୍ମାଣ ଅଞ୍ଚଳରେ ଥିବା ଖଣିଗୁଡିକୁ ଏଥିରୁ ବାଦ ଦିଆଯାଇଛି । କେତେକ କୋଇଲା ଖଣିର ସୀମା ଯେଉଁଠାରେ ଘନ ଜନବସତି, ଘଞ୍ଚ ସବୁଜିମା କିମ୍ବା ଜଟିଳ ଭିତ୍ତିଭୂମି ଇତ୍ୟାଦି ରହିଥିଲା, ଏହିସବୁ କୋଇଲା ଖଣି ପ୍ରତି ନିଲାମଧାରୀଙ୍କ ଆଗ୍ରହ ଏବଂ ଅଂଶଗ୍ରହଣକୁ ବଢାଇବା ପାଇଁ ହିତାଧିକାରୀଙ୍କ ପରାମର୍ଶ ସମୟରେ ଗ୍ରହଣ କରାଯାଇଥିବା ମନ୍ତବ୍ୟକୁ ଆଧାର କରି କେତେକ ପରିବର୍ତ୍ତନ କରାଯାଇଛି । ନିଲାମ କରାଯାଉଥିବା ଖଣିଗୁଡିକ ଝାଡଖଣ୍ଡ, ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ତାମିଲନାଡୁ ଏବଂ ବିହାରର କୋଇଲା / ଲିଗ୍ନାଇଟ୍ ଥିବା ରାଜ୍ୟରେ ରହିଛି ।

ନିଲାମ ପ୍ରକ୍ରିୟାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି ଅଗ୍ରୀମ ରାଶି ଏବଂ ବିଡ୍ ସିକ୍ୟୁରିଟି ଅର୍ଥ ପରିମାଣ ହ୍ରାସ, ଆଂଶିକ ଖନନ କରାଯାଇଥିବା କୋଇଲା ଖଣି କ୍ଷେତ୍ରରେ କୋଇଲା ଖଣିର କିଛି ଅଂଶ ଛାଡିବାକୁ ଅନୁମତି, ଜାତୀୟ କୋଇଲା ଇଣ୍ଡେକ୍ସ ଏବଂ ଜାତୀୟ ଲିଗନାଇଟ୍ ଇଣ୍ଡେକ୍ସ ପ୍ରବର୍ତ୍ତନ, ପ୍ରତିବନ୍ଧକ ବିନା ସହଜରେ ଅଂଶଗ୍ରହଣ, କୋଇଲା ବ୍ୟବହାରରେ ସମ୍ପୂର୍ଣ୍ଣ ନମନୀୟତା, ସହଜ ପଇଠ ବ୍ୟବସ୍ଥା, ଶୀଘ୍ର ଉତ୍ପାଦନ ପାଇଁ ପ୍ରୋତ୍ସାହନ, କୋଇଲା ଗ୍ୟାସିଫିକେସନ୍ ଏବଂ ସ୍ୱଚ୍ଛ କୋଇଲା ପ୍ରଯୁକ୍ତିର ବ୍ୟବହାର ।

ଟେଣ୍ଡର କାଗଜପତ୍ର ବିକ୍ରୟ ଆରମ୍ଭ ନଭେମ୍ବର ୦୩, ୨୦୨୨ ରୁ ଆରମ୍ଭ ହୋଇଛି । ଖଣି, ନିଲାମ ସର୍ତ୍ତାବଳୀ, ସମୟସୀମା ଇତ୍ୟାଦିର ବିବରଣୀ ଏମଏସ୍‍ଟିସି ନିଲାମ ପ୍ଲାଟଫର୍ମରେ ଉପଲବ୍ଧ । ପର୍ସେଣ୍ଟେଜ୍ ରାଜସ୍ୱ ସେୟାର ଆଧାରରେ ଏକ ସ୍ୱଚ୍ଛ ବ୍ୟବସ୍ଥାରେ ଦୁଇ ପର୍ଯ୍ୟାୟ ପ୍ରକ୍ରିୟା ମାଧ୍ୟମରେ ନିଲାମ ଅନଲାଇନରେ ଅନୁଷ୍ଠିତ ହେବ । ବ୍ୟବସାୟିକ କୋଇଲା ଖଣି ନିଲାମ ପାଇଁ କୋଇଲା ମନ୍ତ୍ରଣାଳୟର ଏକମାତ୍ର କାରବାର ପରାମର୍ଶଦାତା ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ନିଲାମ ପ୍ରକ୍ରିୟା ପରିଚାଳନାରେ ଏକ ପଦ୍ଧତି ପ୍ରସ୍ତୁତ କରି ମନ୍ତ୍ରଣାଳୟକୁ ସହାୟତା କରୁଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ଭୁବନେଶ୍ବର: ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି।

ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତ୍ତୋଳନ କରାଯିବ। ଏହି ଆଠଟି ଖଣିରେ ମୋଟ୍‌ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି। ସେହିପରି ଏସବୁ ଖଣିର ସର୍ବାଧିକ ସଞ୍ଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି। ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି। ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍‌ ଲେକ୍‌ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍‌ ଲେକ୍‌ଗୁଡ଼ିକୁ ସମ୍ମାନଜନକ ରାମସାର ତାଲିକାରେ ସାମିଲ କରିବା। ରାମସାର ତାଲିକାରେ ସ୍ଥାନିତ କରିବା ପାଇଁ ଆର୍ଦ୍ର ଭୂମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପରିବେଶ ମନ୍ତ୍ରଣାଳୟ ନୋଡାଲ ମନ୍ତ୍ରଣାଳୟ ଭାବରେ କାମ କରୁଛି।

କୋଇଲା ଖଣିର ପିଟ୍‌ ଲେକ୍‌କୁ ଏହି ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି। ପରିବେଶ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ପାଞ୍ଚଟି କୋଇଲା ଖଣି ପିଟ୍‌ ଲେକ୍‌କୁ ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଲ୍‌ ଇଣ୍ଡିଆ ଲିମିଟେଡ ଚିହ୍ନଟ କରିଛି। କୋଲ୍‌ ଇଣ୍ଡିଆ ରାମସାର ସୂଚନା ପତ୍ର (ଆରଇଏସ) ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଖଣି ଖନନ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଏବେ ଜଳ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନେ ନିୟମିତ ଆସୁଛନ୍ତି ଏବଂ ଏହି ସ୍ଥାନ କେତେକ ପକ୍ଷୀମାନଙ୍କର ବାସସ୍ଥଳୀ ପାଲଟିଛି। କୋଲ ଇଣ୍ଡିଆ ଦ୍ବାରା ବ୍ୟାପକ ବନୀକରଣ ଏବଂ ଅନ୍ୟ ମୃର୍ତ୍ତିକା ଆର୍ଦ୍ରତା ସଂରକ୍ଷଣ ପଦକ୍ଷେପ କାରଣରୁ ଏସବୁ ଜଳାଶୟ ଚାରି ପାଖରେ ଥିବା ପରିବେଶ ଏବେ ଉନ୍ନତ ହୋଇପାରିଛି।

ବନ୍ଦ ପଡ଼ିଥିବା ଏସବୁ କୋଇଲା ଖଣିକୁ ନିରାପଦ, ପରିବେଶ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ଏବଂ ଉପଯୁକ୍ତ ବାଣିଜ୍ୟିକ ବ୍ୟବହାର ନିମନ୍ତେ ଉପଯୋଗ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଏସବୁ କୋଇଲା ଖଣିକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବ୍ୟାଙ୍କ, ଜିଆଇଜେଡ୍‌ ଏବଂ ଅନ୍ୟ ବିଶ୍ବ ସଂସ୍ଥାର ସହାୟତା ଲୋଡ଼ାଯାଇଛି। ପୁନରୁଦ୍ଧାର ହୋଇଥିବା କୋଇଲା ଖଣି ଭୂମିକୁ ଭିନ୍ନ ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତାବ ରହିଛି। ସୌର ପାର୍କ, ପର୍ଯ୍ୟଟନ, କ୍ରୀଡ଼ା, ବନୀକରଣ, କୃଷି, ଉଦ୍ୟାନକୃଷି, ସହରୀବିକାଶ ଆଦି ଉଦ୍ଦେଶ୍ୟରେ ଏହି ଭୂମି ବ୍ୟବହାର କରାଯିବ। ଏସବୁ ସଂସ୍ଥାର ବିଭିନ୍ନ ଦେଶରେ ଖଣି ବନ୍ଦ ମାମଲା ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରେଷ୍ଠ ବିଶ୍ବସ୍ତରୀୟ ପଦ୍ଧତିକୁ ଗ୍ରହଣ କରିବା ଏବଂ ଭାରତୀୟ କୋଇଲା ଖଣି କ୍ଷେତ୍ରକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ଏହି ଅଭିଜ୍ଞତା ବିଶେଷ ଉପଯୋଗୀ ହେବ।

Categories
ଆଜିର ଖବର ଜାତୀୟ ଖବର

କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

ନୂଆଦିଲ୍ଲୀ/ଭୁବନେଶ୍ବର: ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି। ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତୃତୀୟ ପର୍ଯ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍‌ ମିଳିଛି। ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍‌ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି।

ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ୍‌ ୨୦୨୨, ଦିନ ୧୨ଟା ରଖାଯାଇଥିଲା। ସେହିପରି ଅଫଲାଇନ୍‌ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ୍‌ ୨୦୨୨, ଅପରାହ୍ଣ ୪ଟା ନିର୍ଦ୍ଧାରଣ କରାଯାଇଥିଲା।

ନିଲାମୀ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡଗୁଡ଼ିକୁ ୨୮ ଜୁନ, ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ। ଆଗ୍ରହୀ ସମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ, ସ୍କୋପ କମ୍ପ୍ଲେକ୍ସ, ନୂଆଦିଲ୍ଲୀ– ୧୧୦୦୦୩ ଠାରେ ଅନଲାଇନ୍‌ ବିଡ୍‌ ଖୋଲାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଚତୁର୍ଥ ପର୍ଯ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି 

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉତ୍କଳ ବି-୧ ଏବଂ ବି-୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌ ନିଲାମ ସୂତ୍ରରେ ନେଇଛି। ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍‌ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୪୭.୦୮ ନିୟୁତ ଟନ୍‌ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦନ କରାଯାଇଛି। କୋଇଲା ଖଣି ଗୁଡ଼ିକର ବାଣିଜ୍ୟିକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା। କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା। ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ନିମନ୍ତେ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍‌ ୬୬୫.୦୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍‌ ରହିଛି।

ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍‌ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି। ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍‌ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍‌ ରହିଛି।