Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କ ବଡ ପଦକ୍ଷେପ: ବିବାହ କାର୍ଯ୍ୟ ଲାଗି ନିୟମରେ ହେଲା ପରିବର୍ତ୍ତନ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା।

ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା।

ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ ଏବଂ ବିବାହରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସୂଚୀ ଦାଖଲ କରିବାକୁ ପଡିବ। ଆଉ ଆଫିଡେଭିଟ ଦେବାକୁ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  ଏସଡ଼ିପିଓଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜନସାଧାରଣମାନେ ବହୁ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।