Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି। ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ – ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ।

ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛି। ନଭେମ୍ବର ୨ତାରିଖ ସୁଦ୍ଧା ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ଟି ରିଟେଲ୍ ପଏଣ୍ଟ ସ୍ଥାପନ କରିଛି, ଯେଉଁଥିରେ ଷ୍ଟେସନ୍ ଆଉଟଲେଟ୍ ଓ ମୋବାଇଲ୍ ଭ୍ୟାନ୍ ରହିଛି। ସେହିପରି ଏନ୍‌ସିସିଏଫ୍ ପକ୍ଷରୁ ୨୦ଟି ରାଜ୍ୟର ୫୪ଟି ସହରରେ ୪୫୭ଟି ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି।

କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ୩ ନଭେମ୍ବର, ୨୦୨୩ରୁ ଦିଲ୍ଲୀ – ଏନସିଆରରେ ଏହାର ଖୁଚୁରା ଦୋକାନ ମାଧ୍ୟମରେ ପିଆଜର ଖୁଚୁରା ଯୋଗାଣ ଆରମ୍ଭ କରିଛି ଏବଂ ସଫଲ ମଦର ଡାଏରୀ ପକ୍ଷରୁ ବିକ୍ରି ଚଳିତ ସପ୍ତାହ ଶେଷରୁ ଆରମ୍ଭ ହେବ। ତେଲଙ୍ଗାନା ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତ ରାଜ୍ୟରେ ଉପଭୋକ୍ତା ମାନଙ୍କୁ ପିଆଜର ଖୁଚୁରା ବିକ୍ରୟ ହାଇଦ୍ରାବାଦ କୃଷି ସମବାୟ ସଂଘ (ଏଚ୍‌ଏସିଏ) ଦ୍ୱାରା ହାତକୁ ନିଆଯାଉଛି।

ରବି ଏବଂ ଖରିଫ ଫସଲ ମଧ୍ୟରେ ଋତୁକାଳୀନ ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପରବର୍ତ୍ତୀ କ୍ୟାଲିବ୍ରେଟେଡ୍ ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ ରିଲିଜ୍ ପାଇଁ ରବି ପିଆଜ କ୍ରୟ କରି ପିଆଜ ବଫର୍ ବଜାୟ ରଖନ୍ତି। ୨୦୨୨ – ୨୩ରେ ବଫର ଆକାର ୨.୫ ଏଲ୍‌ଏମ୍‌ଟି ଥିବା ବେଳେ ଚଳିତ ବର୍ଷ ଏହାକୁ ୭ ଏଲ୍‌ଏମ୍‌ଟିକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫.୦୬ ଲକ୍ଷ ମେଟ୍ରିକ ଟନ୍ ପିଆଜ କ୍ରୟ ହୋଇଥିବା ବେଳେ ବାକି ୨ ଏଲ୍‌ଏମ୍‌ଟି ପିଆଜ କ୍ରୟ ଚାଲିଛି।

ବେଞ୍ଚମାର୍କ ଲାସଲଗାଓଁ ବଜାରରେ ପିଆଜ ଦର ୨୮ ଅକ୍ଟୋବର ୨୦୨୩ ରେ କ୍ୱିଂଟାଲ୍ ପିଛା ୪,୮୦୦ ରହିଥିବା ବେଳେ ୦୩ ନଭେମ୍ବର ୨୦୨୩ ରେ ୩,୬୫୦ ଟଙ୍କାକୁ ହ୍ରାସ ପାଇଛି, ଅର୍ଥାତ୍ ଏଥିରେ ୨୪% ହ୍ରାସ ଦେଖା ଦେଇଥିବାରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପର ଫଳାଫଳ ଦେଖିବାକୁ ମିଳିଛି। ଆସନ୍ତା ସପ୍ତାହରୁ ଖୁଚୁରା ଦରରେ ସମାନ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ମୌସୁମୀ ବର୍ଷା ଓ ଧଳା ମାଛି ଉପଦ୍ରବ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା କାରଣରୁ ୨୦୨୩ ଜୁନ୍ ଶେଷ ସପ୍ତାହରୁ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ ସରକାର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଉତ୍ପାଦନକାରୀ ରାଜ୍ୟରୁ ଏନ୍‌ସିସିଏଫ୍ ଏବଂ ନାଫେଡ୍ ମାଧ୍ୟମରେ ଟମାଟୋ କ୍ରୟ କରି ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡିକରେ ଗ୍ରାହକଙ୍କୁ ଅତ୍ୟଧିକ ରିହାତି ଦରରେ ଯୋଗାଣ କରିଥିଲେ। କ୍ରୟ ହୋଇଥିବା ଟମାଟୋ ଖୁଚୁରା ଉପଭୋକ୍ତାଙ୍କୁ ରିହାତି ଦରରେ ବିକ୍ରି କରାଯାଉଥିଲା। କିଲୋ ପିଛା ୯୦ ଟଙ୍କାରୁ ଆରମ୍ଭ ହୋଇ ଏହା କ୍ରମାଗତ ଭାବେ ୪୦ ଟଙ୍କାକୁ ହ୍ରାସ ପାଇଛି। ଖୁଚୁରା ହସ୍ତକ୍ଷେପ ମାଧ୍ୟମରେ , ଟମାଟୋ ଖୁଚୁରା ମୂଲ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ କିଲୋ ପିଛା ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ହାରାହାରି ଖୁଚୁରା ମୂଲ୍ୟ ୧୪୦ ଟଙ୍କାରୁ ହ୍ରାସ ପାଇ ସେପ୍ଟେମ୍ବର, ୨୦୨୩ ପ୍ରଥମ ସପ୍ତାହ ସୁଦ୍ଧା କିଲୋ ପିଛା ପ୍ରାୟ ୪୦ ଟଙ୍କା ହୋଇ ଯାଇଥିଲା।

ଡାଲି ଅଧିକାଂଶ ଭାରତୀୟ ପରିବାର ପାଇଁ ପୁଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ । ସାଧାରଣ ପରିବାରକୁ ଡାଲିର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ୧ କେଜି ପ୍ୟାକ୍ ନିମନ୍ତେ କିଲୋ ପିଛା ୬୦ ଟଙ୍କା ଏବଂ ୩୦ କେଜି ପ୍ୟାକ୍ ପାଇଁ କିଲୋ ପିଛା ୫୫ ଟଙ୍କା ରିହାତି ମୂଲ୍ୟରେ ଭାରତ ଡାଲି ଆରମ୍ଭ କରିଛନ୍ତି।

ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ନାଫେଡ, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର, ସଫଲ ଏବଂ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ମାଧ୍ୟମରେ ଗ୍ରାହକ ମାନଙ୍କୁ ଖୁଚୁରା ବିକ୍ରୟ ଏବଂ ସେନାକୁ, ସିଏପିଏଫ୍‌କୁ ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଯୋଗାଣ ପାଇଁ ଭାରତ ଡାଲି ଉପଲବ୍ଧ କରାଯାଏ।

ବର୍ତ୍ତମାନ ସୁଦ୍ଧା ୩.୨ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଷ୍ଟକ୍‌କୁ ରୂପାନ୍ତରଣ ପାଇଁ ଆବଣ୍ଟନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୫,୨୬୯ ମେଟ୍ରିକ୍ ଟନ୍ ମିଲିଂ କରାଯାଇଛି ଏବଂ ୨୮୨ଟି ସହରରେ ୩୦୧୦ଟି ରିଟେଲ ପଏଣ୍ଟ (ଷ୍ଟେସନାରୀ ଆଉଟଲେଟ୍ ମୋବାଇଲ୍ ଭ୍ୟାନ୍‌) ମାଧ୍ୟମରେ ୫୯,୧୮୩ ମେଟ୍ରିକ୍ ଟନ୍ ଉତ୍ପାଦନ କରାଯାଇଛି। ସାରା ଦେଶରେ ଉପଭୋକ୍ତା ମାନଙ୍କୁ ୪ ଲକ୍ଷ ଟନ୍‌ରୁ ଅଧିକ ଭାରତ ଡାଲି ଉପଲବ୍ଧ କରାଇବା ପାଇଁ ଆଗାମୀ ଦିନରେ ଭାରତ ଡାଲିର ଯୋଗାଣ ବୃଦ୍ଧି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୁରନ୍ତ ମସୁରର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଁ ପରାମର୍ଶ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍‌କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍। ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା। ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ ହୋଇଥିବା ଡାଲି କିଣିବା ପାଇଁ ସେମାନଙ୍କର ଟେଣ୍ଡର ସ୍ଥଗିତ ରଖିବାକୁ ପଡିଥିଲା , କାରଣ କିଛି ଯୋଗାଣକାରୀଙ୍କ ଠାରୁ ଅତ୍ୟଧିକ ନିଲାମ ମିଳିଥିଲା।

ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ କାନାଡାରୁ ଡାଲି ଆମଦାନୀ ପ୍ରବାହ ଏବଂ ଆଫ୍ରିକୀୟ ଦେଶ ଗୁଡିକରୁ ହରଡ ଡାଲି ଆମଦାନୀ ବୃଦ୍ଧି ପାଉଥିବା ବେଳେ କିଛି କମ୍ପାନୀ ଉପଭୋକ୍ତା ଏବଂ ରାଷ୍ଟ୍ରର ସ୍ୱାର୍ଥ ବିରୁଦ୍ଧରେ ବଜାରକୁ ନିଜ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରୁଛନ୍ତି। ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବଜାରକୁ ଷ୍ଟକ୍ ଛାଡ଼ିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ। ଯାହା ଦ୍ୱାରା ପର୍ବପର୍ବାଣୀ ଋତୁରେ ଉପଯୁକ୍ତ ମୂଲ୍ୟରେ ସମସ୍ତ ଡାଲିର ଉପଲବ୍ଧତା ସୁନିଶ୍ଚିତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପଭୋକ୍ତା ମାନଙ୍କ ସହିତ କୃଷକ ମାନଙ୍କର ସ୍ୱାର୍ଥକୁ ସଠିକ ଭାବରେ ସନ୍ତୁଳନ କରିବା ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେଉଁମାନେ ଅସାଧୁ ଉପାୟରେ ଭାରତୀୟ ଉପଭୋକ୍ତା ଏବଂ କୃଷକ ମାନଙ୍କର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପଛଘୁଞ୍ଚା ଦେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥଲା। ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଓ ସୀମାରେଖା ବାହାରେ ରହିଥିବ ସେଠାରେ ଏହି ଅତିରିକ୍ତ ଷ୍ଟକ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ମଞ୍ଚ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜା ଯାଉଛି।

ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଇବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ ଏବଂ ଏନସିସିଏଫ ପ୍ରତ୍ୟେକ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସଂଗ୍ରହ କରିଥଲେ। ଏକ ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତ ବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣ ଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି।

ଦରଦାମ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ରବି ଅମଳରୁ ସଂଗ୍ରହ କରି ବାର୍ଷିକ ବଫର ଷ୍ଟକରୁ ପିଆଜ ଅମଳ ନ ଥିବା ଋତୁରେ ପ୍ରମୁଖ ପିଆଜ ଖାଉଟି କେନ୍ଦ୍ରଗୁଡ଼ିକୁ ପଠା ଯାଇଥାଏ। ଗତ ଚାରି ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ତିନି ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହି ପିଆଜର ବଫର ଷ୍ଟକ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ସୁନିଶ୍ଚିତ କରିବା ସହ, ଦରରେ ମଧ୍ୟ ସ୍ଥିରତା ରକ୍ଷା କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ୧୫୬ସାଧାରଣ ଅଭିଯୋଗ ଆବେଦନ ମାମଲାର ସମାଧାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି। ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ,  ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ଏହି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପରିଚ୍ଛନ୍ନତା କାର୍ଯ୍ୟ ଆନୁଷ୍ଠାନିକଭାବେ ଚଳିତମାସ ୩୧(୨୦୨୨ ଅକ୍ଟୋବର ୩୧ରେ ଶେଷ ହେବ।

ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ପର୍ଯ୍ୟାୟ କାମ ହାତକୁ ନିଆଯାଇଥିଲାö। ପରିଚ୍ଛନ୍ନତା ଅଭିଯାନ କାଳରେ କେଉଁ କେଉଁ କାମ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ତଦନୁସାରେ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି।

ଏଥିରେ ପୁରୁଣା ନଥିପତ୍ରଗୁଡିକୁ ହଟାଇବା ସହିତ ଦେଶର ୭୩ଟି ଦପ୍ତର ଓ ବିଭାଗର ସଦର କାର୍ଯ୍ୟାଳୟରେ ସଫେଇ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ସ୍ଥିର ହୋଇଥିଲା। ଏହି କାମରେ ସିପିଡବ୍ଲ୍ୟୁଡିର ସହାୟତା ନିଆଯାଇଥିଲା।

ଏହି ଅଭିଯାନ କାଳରେ ପାଞ୍ଚ ଜଣ ସଂସଦ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଯଥାବିଧି ପ୍ରଦାନ କରାଯିବା ସହିତ ଦୁଇଟି ଆନ୍ତଃ ମନ୍ତ୍ରଣାଳୟ ମତାମତର ସ୍ପଷ୍ଟୀକରଣ ଉପସ୍ଥାପିତ କରାଯାଇଛି। ୨୦୨୨ ଅକ୍ଟୋବର ୨୬ ସୁଦ୍ଧା ୧୫୧୬ ସାଧାରଣ ଅଭିଯୋଗ ମଧ୍ୟରୁ ୧୦୭୪ର ସନ୍ତୋଷଜନକ ଉତ୍ତର ଦିଆଯାଇଛି । ଏହା ମୋଟ ଅଭିଯୋଗର ୭୦ଶତାଂଶ। ଏହାଛଡା ୧୫୬ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି।

ଏହି ଅଭିଯାନ କାଳରେ ରେକର୍ଡ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏଥିରେ ୧୫, ୨୮୫ କାଗଜପତ୍ର ଫାଇଲକୁ ଚିହ୍ନଟ କରାଯାଇ ସେଗୁଡିକର ସମୀକ୍ଷ। କାମ ହାତକୁ ନିଆଯାଇଥିଲା। ସମୀକ୍ଷା ହୋଇଥିବା ମୋଟ ୧୩୧୩୧ ଫାଇଲ ମଧ୍ୟରୁ ୭୦୬୧ଟିକୁ ଡିଜିଟାଇଜ କରାଯିବା ପରେ ମୂଳ କାଗଜ ଫାଇଲଗୁଡିକୁ ନଷ୍ଟ କରି ଦିଆଯାଇଛି। ସେହିଭଳି ୬୦୨ ଇ-ଫାଇଲକୁ ସମୀକ୍ଷା କରାଯାଇ ଇ-ଅଫିସ ବର୍ଗରେ ୪୭୩ଟିକୁ ବନ୍ଦ କରାଯାଇଛି। ଅତଏବ ଚିହ୍ନଟ ହୋଇଥିବା ରେକର୍ଡ ପତ୍ର ମଧ୍ୟରୁ ୮୬%କୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏହି ଅଭିଯାନ କାଳରେ ପୁରୁଣା ଫାଇଲ, ରେକର୍ଡପତ୍ର ଓ ଅନ୍ୟାନ୍ୟ ଅଫିସ ଆବର୍ଜନାକୁ ୨, ୩୮, ୨୬୮ ଟଙ୍କାର ବିଭାଗ ବିକ୍ରି କରିଛି। ପୁରୁଣା ଫାଇଲ ଓ କାଗଜପତ୍ର ସବୁକୁ ହଟାଇବା ପରେ ବିଭିନ୍ନ ଦପ୍ତରରେ ମୋଟ ୫୧୨୧ ବର୍ଗଫୁଟ ସ୍ଥାନ ମୁକ୍ତ ହୋଇଛି।

ଏଥି ସହିତ ବିଭାଗ ପକ୍ଷରୁ  ସଦର କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ ଦପ୍ତର ପରିସରରେ ବୃକ୍ଷରୋପଣ ଓ ଶୋଭାବର୍ଦ୍ଧନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା। ଏଥିରେ ଦେଶବ୍ୟାପୀ ବିଭିନ୍ନ ଦପ୍ତର ପରିସରରେ ୫୦୦ ଚାରା ରୋପଣ କରାଯାଇଛି। ଏସବୁ ଚାରା ମୁଖ୍ୟତଃ ଆଇଆଇଏଲ୍‌ଏଲ, ଏନ୍‌ଟିଏଚ୍ ଓ ବିଆଇଏଏସ୍ କ୍ୟାମ୍ପସରେ କରାଯାଇଥିଲା। ଏହାଛଡା ଏହି ଅଭିଯାନ କାଳରେ ସବୁ ବିଭାଗୀୟ ଦପ୍ତରରେ ଏଲ୍‌ଇଡି ଲାଇଟ୍ ଲଗାଯାଇ ବିଜୁଳି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ପ୍ରଚଳିତ ନିୟମ ଓ ନୀତି ଅନୁସାରେ ବିଭାଗର ଅଧସ୍ତନ କାର୍ଯ୍ୟାଳୟରୁୁ ନିୟମିତ ପରିତ୍ୟକ୍ତ, ଅବ୍ୟବହୃତ ସାମଗ୍ରୀ ଓ ଆବର୍ଜନା ସଂଗ୍ରହ ପାଇଁ ଭାରତ ସରକାରଙ୍କ ଏମ୍‌ଏସ୍‌ଟିସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ସେହି ସଂସ୍ଥା ସମ୍ପୃକ୍ତ ଦପ୍ତରଗୁଡିକରୁ ନିୟମିତ ଅବ୍ୟବହୃତ ଓ ପରିତ୍ୟକ୍ତ ସାମଗ୍ରୀ /କାଗଜପତ୍ର ସଫା କାମ କରୁଛି।

ଏହି ଅଭିଯୋଗ କାଳରେ ବିଭାଗ ପକ୍ଷରୁ ବିଭିନ୍ନ ହାଟ ଓ ସହରାଞ୍ଚଳରେ ଖାଉଟି ସଚେତନତା ବାର୍ତ୍ତା ପ୍ରଚାର  କାମ ହାତକୁ ନିଆଯାଇଥିଲା। ଏଥିରେ ଅଧିକରୁ ଅଧିକ ଖାଉଟି ସୁରକ୍ଷା ମାମଲା ବିଭିନ୍ନ ଖାଉଟି ଅଦାଲତର  ଇ-ଦାଖିଲା ପୋର୍ଟାଲରେ କିପରି ସହଜରେ କରାଯାଇପାରିବ ସେ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। ଏହି ପୋର୍ଟାଲରେ ଏକ ଜାଗୃତି ମାସକ୍‌ଟର ବ୍ୟାନର ରହିଛି।

ଏହି ଅଭିଯାନ ଅବସରରେ ନୂଆଦିଲ୍ଲୀ ଦପ୍ତରରେ ଏକ ରି-ମଡେଲ ସେକ୍ସନ ପଞ୍ଚମ ମହଲାରେ ଖୋଲାଯାଇଛି। ଆଗରୁ ସେଠାରେ ଏକ ଶସ୍ୟ ପରୀକ୍ଷାଗାର ଥିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେହି ପରୀକ୍ଷାଗାରକୁ ଉଠାଇ ଏକ ନୂଆ ସେକ୍ସନ ସେଠାରେ ତିଆରି କରାଯାଇଛି। ଏହି ପରୀକ୍ଷାଗାର ଗାଜିଆବାଦରେ ଥିବା  ଦପ୍ତରର ୫୪୫ ନମ୍ବର ପ୍ରକୋଷ୍ଠକୁ ସ୍ଥାନାନ୍ତରିତ ହୋଇଛି। ନୂଆ ସେକ୍ସନ ଓ ପରୀକ୍ଷାଗାରରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପେସାଦାରୀ ବ୍ୟବସ୍ଥା କରାଯାଇଛି।