Categories
ଆଜିର ଖବର ଜାତୀୟ ଖବର

ଏମଏସପିରେ ଅତିରିକ୍ତ ଗହମ କିଣି ଅଟା ଦର ନିୟନ୍ତ୍ରଣ କରିବେ ସରକାର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଯେପରି ଏବେ ଖାଦ୍ୟଶସ୍ୟ ଉପରେ ନ ପଡ଼ିବ ସେଥିପାଇଁ ସରକାର ସତର୍କ ଅଛନ୍ତି। ଅଟା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ସୁଲଭ ଭାରତ ଅଟା ଯୋଗାଣ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଛି।
ଏଥିସହିତ ବଫର ଷ୍ଟକକୁ ସୁଦୃଢ଼ କରିବା ପାଇଁ ସରକାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାରରେ ଗହମ କ୍ରୟ କେନ୍ଦ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନିକଟରେ ଅନୁଷ୍ଠିତ ମନ୍ତ୍ରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବଡ଼ ଚେନ ରିଟେଲର ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ନାଫେଡ ଏବଂ ଏନସିସିଏଫ ଦ୍ୱାରା କିଲୋ ପିଛା ୨୭.୫୦ ଟଙ୍କାରେ ବିକ୍ରି ହେଉଥିବା ଭାରତ ଅଟାର ଯୋଗାଣ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି।

ବଫର ଷ୍ଟକକୁ ସନ୍ତୁଳନ କରିବାକୁ ଚାହୁଁଛି ମନ୍ତ୍ରାଳୟ

ସରକାରୀ ବ୍ରାଣ୍ଡର ଏହି ଅଟା ଯୋଗାଣ ସତ୍ତ୍ୱେ ବଜାରରେ ଅଟା ଦର ବଢ଼ୁନଥିବାରୁ ଏଥିପାଇଁ ଖୋଲା ବଜାର ଉପରେ ମଧ୍ୟ ସରକାରଙ୍କ ନଜର ରହିଛି। ବର୍ତ୍ତମାନ ବଫର ଷ୍ଟକରୁ ବାହାର କରି ଓପନ ମାର୍କେଟ ସେଲ ସ୍କିମ (ଘରୋଇ) ଅଧୀନରେ ବିକ୍ରି ହେଉଥିବା ୩ ଲକ୍ଷ ମେଟ୍ରିକ ଟନ ଗହମର ପରିମାଣ ମଧ୍ୟ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୨୦୨୩ ଡିସେମ୍ବର ୨୦ରୁ ସପ୍ତାହକୁ ୪ ଲକ୍ଷ ମେଟ୍ରିକ ଟନ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଏହି ବିକ୍ରି ବଢ଼ାଇବା ସହ ମନ୍ତ୍ରାଳୟ ଏହାର ବଫର ଷ୍ଟକ୍କୁ ସନ୍ତୁଳିତ କରିବାକୁ ଚାହୁଁଛି।

ପ୍ରଚାର ଦାୟିତ୍ୱ ଏଫସିଆଇକୁ ଦିଆଯାଇଛି

ଏହି ସନ୍ତୁଳନକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିଗମ, ନାଫେଡ ଏବଂ ଏନସିସିଏଫ ଦ୍ୱାରା ଗହମ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାରରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ କିଣିବା ପାଇଁ କ୍ରୟ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୦୨୪ ଫେବ୍ରୁଆରି ୧୫ତାରିଖରୁ ଧାନ କିଣା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷକମାନଙ୍କ ମଧ୍ୟରେ ଏହାର ପର୍ଯ୍ୟାପ୍ତ ପ୍ରଚାର ପାଇଁ ଏଫସିଆଇକୁ ଦାୟିତ୍ୱ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଦର ବୃଦ୍ଧିକୁ ରୋକିଲା ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉପରେ କେନ୍ଦ୍ରର ହସ୍ତକ୍ଷେପ

ନୂଆଦିଲ୍ଲୀ: ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି ।

ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟ ମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେ ଖୁଚୁରା ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭ କରିଛି । ଏଥିରେ ୧୭୦ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖିବା ପାଇଁ ନାଫେଡ୍ ଏବଂ ଏନସିସିଏଫ ମଧ୍ୟ ଖରିଫ ଅମଳର ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍‍ ପିଆଜ କିଣିବା ଆରମ୍ଭ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥଲା। ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଓ ସୀମାରେଖା ବାହାରେ ରହିଥିବ ସେଠାରେ ଏହି ଅତିରିକ୍ତ ଷ୍ଟକ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ମଞ୍ଚ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜା ଯାଉଛି।

ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଇବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ ଏବଂ ଏନସିସିଏଫ ପ୍ରତ୍ୟେକ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସଂଗ୍ରହ କରିଥଲେ। ଏକ ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତ ବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣ ଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି।

ଦରଦାମ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ରବି ଅମଳରୁ ସଂଗ୍ରହ କରି ବାର୍ଷିକ ବଫର ଷ୍ଟକରୁ ପିଆଜ ଅମଳ ନ ଥିବା ଋତୁରେ ପ୍ରମୁଖ ପିଆଜ ଖାଉଟି କେନ୍ଦ୍ରଗୁଡ଼ିକୁ ପଠା ଯାଇଥାଏ। ଗତ ଚାରି ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ତିନି ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହି ପିଆଜର ବଫର ଷ୍ଟକ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ସୁନିଶ୍ଚିତ କରିବା ସହ, ଦରରେ ମଧ୍ୟ ସ୍ଥିରତା ରକ୍ଷା କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଫର ଷ୍ଟକ ପାଇଁ ୨୦୨୨-୨୩ରେ ଚାଷୀଙ୍କ ଠାରୁ ସର୍ବାଧିକ ୨. ୫୦ ଲକ୍ଷ ଟନ୍ ପିଆଜ ସଂଗ୍ରହ

ନୂଆଦିଲ୍ଲୀ: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି। ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ। ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢାଇ ଦିଆଯାଇଛି। ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି। ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ। ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ। ତିରୋଟ ବା ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ ବଡ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ  ପିଆଜ ଖୋଲା ବଜାରକୁ ଛାଡିବେ।

ଏହି ମହଜୁଦ(ବଫର ଷ୍ଟକ) ଦ୍ୱାରା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ସାଧିତ ହେବ। ପ୍ରଥମତଃ ଚାଷୀଙ୍କଠାରୁ ଲାଭଦାୟକ ମୂଲ୍ୟରେ ସରକାର ପିଆଜ ସଂଗ୍ରହ କରିବା ଦ୍ୱାରା ସେମାନେ ଉପକୃତ ହେବେ। ଦ୍ୱିତୀୟତଃ ସମଗ୍ର ଦେଶର ଖାଉଟିଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ପିଆଜ ମିଳିବ। ପିଆଜ ଏକ ପଚାସଢା ସାମଗ୍ରୀ ଏବଂ ଏହା ଅଧିକ ଦିନ ରହେ ନାହିଁ। ଏହା ଶୁଖିଯିବା ଫଳରେ ଓଜନ କମିଯାଏ, ଗଜା ହୋଇଯାଏ ଓ ପ୍ରାୟତଃ ପଚିସଢି ଯାଇଥାଏ।

ରବିଋତୁରେ ପିଆଜ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅମଳ ହୋଇଥାଏ। ଏହି ସମୟରେ ଭାରତର ମୋଟ ପିଆଜ ଚାହିଦାର ୬୫% ଉତ୍ପାଦିତ ହୋଇଥାଏ ଏବଂ ଏହା ଖରିଫ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଅକ୍ଟୋବର – ନଭେମ୍ବର ଯାଏ ବଜାର ଆବଶ୍ୟକତା ପୂରଣ କରେ। ଅତଏବ ନିୟମିତ ପିଆଜ ଯୋଗାଣ ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ଓ ଭଣ୍ଡାରଣ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି। ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁୁରୁତ୍ୱ ଦିଆଯାଇଛି। ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ୟୁଜି/ପିଜି/ସ୍ତରର ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି। ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସରକାର ଏଥିପାଇଁ  ଯେଉଁ ପ୍ରସ୍ତାବ ଦେଇଛନ୍ତି  ତାହା ତିନିସ୍ତରୀୟ। ପ୍ରଥମେ ଏଥିପାଇଁ ଆଗ୍ରହୀ ପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେବେ ଓ ତାହାକୁ ପରୀକ୍ଷା କରି ଦେଖାଯିବ। ଏହା ପରେ ପ୍ରସ୍ତାବର ରୂପାୟନ ଓ ଟେକ୍‌ନୋଲୋଜି ବିକାଶ ଜନିତ ପ୍ରସ୍ତାବକୁ ସରକାର ବିଚାର କରି ଦେଖିବେ। ଏହା ଯଦି ଗ୍ରହଣୀୟ ହୁଏ, ତାହେଲେ ତାହାର ନିର୍ମାଣ କରି ପରୀକ୍ଷାମୂଳକ ପ୍ରୟୋଗ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଅନୁମତି ପ୍ରଦାନ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚିତ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ସ୍ତରରେ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନା /କାର୍ଯ୍ୟକ୍ରମ ସମ୍ପର୍କରେ ଦେଶର ସବୁ କୃଷି ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଟେକ୍‌ନୋଲୋଜି ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ପକ୍ଷ ଯେପରି ସମ୍ପୃକ୍ତ ହୁଅନ୍ତି ସେଥିପାଇଁ ସରକାର ଉତ୍ସାହିତ କରୁଛନ୍ତି। ଆଗ୍ରହୀ ପକ୍ଷ ଏଥିପାଇଁ … ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ।