Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଚିଲିକା: କରୋନାରେ ପ୍ରାଣ ହରାଇଲେ ହୋମ ଆଇସୋଲେସନରେ ଥିବା ୭୦ ବର୍ଷୀୟ ବୃଦ୍ଧ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତର କରୋନାରେ ଆକ୍ରାନ୍ତ ହୋଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ମୃତ୍ୟୁ ବରଣ କରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ହେତୁ ଗତ ଦୁଇ ଦିନ ତଳେ ହୋମ ଆଇସୋଲେସନରେ ଥିଲେ। ପ୍ରତିଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମେଡିକାଲ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ସମ୍ଭନ୍ଧରେ ତଦାରଖ କରାଯାଉଥିବା ବେଳେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଫଳରେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଶ୍ୱାସ ଜନିତ ସମସ୍ୟା ଗୁରୁତର ହୋଇଥିବା ହେତୁ ମୃତ୍ୟୁ ଘଟିଥିଲା।

ତେବେ ମୃତକଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ଶବକୁ ଖୋର୍ଦ୍ଧା ସ୍ମଶାନକୁ ପଠାଯିବା ସହ ପରିବାରର ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତେଷ୍ଟି କାର୍ଯ୍ୟରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କୁ ସହାୟ ହେବେ ବାଲୁଗାଁ ଏସଡିପିଓ: ଜାରି କଲେ ହେଲ୍ପଲାଇନ ନମ୍ବର

ସୀତାରମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।

କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ  ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ କରୋନା କଟକଣା: ଜାଣନ୍ତୁ ବିବାହ ଉତ୍ସବ ପାଇଁ କେଉଁଠୁ ଏବଂ କିପରି ପାଇବେ ଅନୁମତି ପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି କାରାଯାଉଥିବା ବେଳେ କେବଳ ଅତି ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ ଉକ୍ତ ଜରୁରୀକାଳୀନ କାର୍ଯ୍ୟ ମଧ୍ୟରେ ବାହାଘର ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

ହେଲେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣମାନେ କିଛିଦିନ ହେବ ଏ ବିଷୟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ଅନୁମତି ପତ୍ର ପାଇବା ପାଇଁ ବାରମ୍ବାର ଥାନା ଏବଂ ତହସିଲ ଦୌଡୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ଗତ ୧୯ ଏପ୍ରିଲ ରେ ପତ୍ର ସଂଖ୍ୟା ୧୮୮୦ ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ବାହାଘର ଏବଂ ଶୁଦ୍ଧିକ୍ରିୟା ପାଇଁ ଏଥର ଜନସାଧାରଣ ମାନେ ସ୍ଥାନୀୟ ଥାନାଧିକାରୀଙ୍କଠୁ ଅନୁମତି ନେବେ। ବାଣପୁର ଏବଂ ବାଲୁଗାଁର ଜନସାଧାରଣ ମାନେ ଏଥର ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟପାଇଁ ସ୍ଥାନୀୟ ଥାନାଧିକାରୀଙ୍କ ଠୁ ଅନୁମତି ନେବେ।

ତେବେ ଏଥିନିମନ୍ତେ ଆବେଦନକାରୀଙ୍କୁ ଅତି କମରେ ପାଞ୍ଚ ଦିନ ପୂର୍ବରୁ ସ୍ଥାନୀୟ ଥାନାରେ ଦରଖାସ୍ତ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡିବ ବୋଲି ଉଭୟ ବାଣପୁର ଏବଂ ବାଲୁଗାଁ ଥାନାଧିକାରୀ ସୂଚନା ଦେଇଛନ୍ତି। ତତ ସହିତ ବିବାହରେ ସାମିଲ ହେବାକୁ ଥିବା ଜନସାଧାରଣଙ୍କ ନାମ(ଅତି ବେଶୀରେ ୫୦ଜଣ) ମଧ୍ୟ ଥାନାରେ ଜମା କରିବାକୁ ପଡିବ।

ଏହାପରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଏବଂ ବିଚାର କରାଯାଇ ଅନୁମତି ପତ୍ର ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉଭୟ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ଆଜି ବାଣପୁର ତହସିଲ ପକ୍ଷରୁ ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୀର୍ଘ ମାସ ପରେ ଚିଲିକାକୁ ଫେରିଲା କଣ୍ଟେନମେଣ୍ଟ: ଏହି ସବୁ ଅଞ୍ଚଳରେ ସାତ ଦିନିଆ କର୍ଫ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ମାସ ପରେ ଚିଲିକାକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଫେରିଛି। କରୋନା ଦ୍ଵିତୀୟ ଲହରରେ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ଦ୍ରୁତଗତିରେ ଚିଲିକା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବଉଳାବନ୍ଧ ଗ୍ରାମ ପଞ୍ଚାୟତ ୧ନମ୍ବର ୱାର୍ଡ ଅନ୍ତର୍ଗତ ପାଟଣା ସାହିର କିଛି ଅଂଶ, ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଧୁଆଁଳ ଗ୍ରାମର କିଛି ଅଂଶ ଏବଂ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୩ ଏପ୍ରିଲ ରୁ ତା ୨୯ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା: ବନ୍ଦ ରହିବ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦଫା ୫୧ ଏବଂ ୬୦ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି।

ସୂଚନାଥାଉକି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ ସହରର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଘୋଷଣା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜିଠାରୁ ଦେଶରେ ଆରମ୍ଭ ହେଲା ଟୀକା ଉତ୍ସବ: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେଜଣ ନେଲେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଦେଶରେ ଟୀକା ଉତ୍ସବ ପାଳନ କରାଯାଉଛି। ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜିଠାରୁ ଟୀକା ଉତ୍ସବ ଆରମ୍ଭ ହୋଇଯାଇଅଛି। ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉକ୍ତ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଜିଏହି ଉତ୍ସବକୁ ଉଦଘାଟିତ କରି ଟୀକାକରଣ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି।

ତେବେ ଆଜି ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ବହୁ ସଂଖ୍ୟାରେ କରୋନା ଟୀକା ନେଇଛନ୍ତି। ପ୍ରଥମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୩୩୦ ଜଣ ବ୍ୟକ୍ତି ଟୀକା ନେଇଥିବା ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ବାଣପୁରରେ ୨୮୭ ଜଣ, ଗମ୍ଭାରୀମୁଣ୍ଡାରେ ୧୭୬ ଜଣ  ଏବଂ ସୁନାଖେଳାରେ ୧୯୪ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

ଅନୁରୂପ ଭାବେ ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଗାଁରେ ୩୭୭ ଜଣ ଟୀକା ନେଇଥିବା ବେଳେ ନଈରୀରେ ୮୮ ଜଣ ଏବଂ ଜରିପଡାରେ ୨୦୮ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଗଠନ ହେଲା ସ୍ଵାମୀ ବିବେକାନନ୍ଦ ସେବା ସଂଘ: ଓଜେଏସ୍ ଅଧିକାରୀଣି କୃଷ୍ଣାଙ୍କୁ କଲେ ସମ୍ମାନିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସାମାଜିକ ସଂଗଠନ ଗଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ନାମରେ ଉକ୍ତ ସଂଗଠନ ଗଠିତ ହୋଇଛି। ଚିଲିକାର ସାମାଜିକ କାର୍ଯ୍ୟରେ ସ୍ପୃହା ରଖୁଥିବା ଯୁବକ ମାନଙ୍କୁ ନେଇ ଏହି  ସଂଗଠନ କାମ କରିବ। ସଂଗଠନ ପ୍ରତିଷ୍ଠା ଦିବସରେ ବାଣପୁରରେ ଏକ କାର୍ଯ୍ଯାଳୟର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି।

ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଝିଅ କୃଷ୍ଣା ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଏକ ଶପଥ ପାଠ କରିଥିଲେ। ପ୍ରାୟ ୭୦ ଜଣ ଯୁବକ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସଂଗଠନର ସଦସ୍ୟତା ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ।

ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଗଠନର ସର୍ବୋପରି ଉନ୍ନତି, ବିସ୍ତାର ତଥା ପ୍ରଚାର ପ୍ରସାର ନିମନ୍ତେ ନିଜର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ସହ ସମାଜର ଦଳିତ, ଅବହେଳିତ ଏବଂ ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ ବୋଲି ଯୁବକମାନେ ଶପଥ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସତ୍ୟନାରାୟଣ ଷଡଙ୍ଗୀ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ସଞ୍ଚାଳକ), ସମ୍ମାନିତ ଅତିଥି ଭାବେ ଅଜୟ ଦାସ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ନଗର ପ୍ରମୁଖ), ବୈରାଗୀ ଚରଣ ବଳ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା – ସମ୍ପର୍କ ପ୍ରମୁଖ) ଏବଂ ମୁଖ୍ୟବକ୍ତା ଜିତେନ୍ଦ୍ର ସାମନ୍ତରାୟ (ସାମାଜ ସେବୀ) ଆଦି ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ।

ଆୟୋଜିତ ସଭାକୁ ସଂଗଠନର ସଭାପତି ବିଦ୍ୟୁତ କୁମାର କାଣ୍ଡି ସଭାପତିତ୍ଵ କରିଥିବା ବେଳେ ପ୍ରଦୀପ କୁମାର ବିଶ୍ଵାଳ ସଭା ପରିଚାଳନା କରିଥିଲେ। ସଂଗଠନର ଉପ ସଭାପତି ଶ୍ରୀକାନ୍ତ ପଲାଇ, ସାଧାରଣ ସମ୍ପାଦକ ଲଲିତ କୁମାର ପ୍ରଧାନ, ଆଶୁତୋଷ ପାଢୀ, ସମ୍ପାଦକ ଶିବ ପ୍ରସାଦ ବଳିୟାରସିଂହ, ନରେଶ ଜେନାଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଘେରି ମୁକ୍ତ ଚିଲିକା ପାଇଁ ଅଣ୍ଟା ଭିଡିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଗେଇ ଆସିଛି।

ସୂଚନା ଅନୁସାରେ ଆଜି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ।

ବର୍ତ୍ତମାନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଚିଲିକା ତହସିଲ ଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଚ୍ଛେଦ କରାଯାଇଛି। ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରିଛି।

ତେବେ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ବେଆଇନ ଗୋରୁ ଚାଲାଣ ରୋକିବାକୁ ବାଲୁଗାଁ ଏସଡିପିଓଙ୍କୁ ଦାବି ଜଣାଇଲା ବଜରଙ୍ଗ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧିକୁ ନେଇ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ଚିନ୍ତା ପ୍ରକଟ କରିଛି। ଗୋରୁଙ୍କ ସୁରକ୍ଷା ପାଇଁ ବଜରଙ୍ଗ ଦଳ ଆଜି ବାଲୁଗାଁ ଏସଡିପିଓ ମନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ହିନ୍ଦୁ ସଂସ୍କୃତି ହେଉଛି ବିଶ୍ଵର ସର୍ବ ପୁରାତନ ସଂସ୍କୃତି। ହିନ୍ଦୁମାନେ ଗାଈଙ୍କୁ ଦେବତା ରୂପେ ପୂଜା କରନ୍ତି। ତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ। ଗାଈଙ୍କଠାରୁ ମନୁଷ୍ୟ ସମାଜ ସବୁକିଛି ପାଇଥାଏ। ମନୁଷ୍ୟର ଦୈନଦିନ ଜୀବନରେ ଗାଈର କ୍ଷୀରଠାରୁ ଆରମ୍ଭ କରି ଗୋବର ପର୍ଯ୍ୟନ୍ତ ସବୁ ଜିନିଷ କାମରେ ଆସିଥାଏ।

ଏଇ ସଂସାରରେ ଗାଈ ଏମିତି ଏକ ଜନ୍ତୁ, ଯିଏ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଅମ୍ଳଜାନ ମଧ୍ୟ ତ୍ୟାଗ କରିଥାଏ। ଗାଈର ମୁତ୍ରରେ ଏକ ଔଷଧୀୟ ଗୁଣ ଥାଏ, ଯାହା କର୍କଟ ପରି ମାରାତ୍ମକ ରୋଗ ଦାୟୁରୁ ଲୋକଙ୍କୁ ରକ୍ଷା କରାଯାଇପାରେ ବୋଲି ମଧ୍ୟ ଦାବି କରାଯାଏ।

ହେଲେ ଏହି ଅଞ୍ଚଳରେ ଗୋରୁ ଚାଲାଣ କରାଯାଇ ପଶ୍ଚିମବଙ୍ଗ ଦେଇ ବଙ୍ଗଳାଦେଶକୁ ଯାଉଥିବା ବଜରଙ୍ଗ ଦଳ ପୋଲିସ ନିକଟରେ ଅଭିଯୋଗ କରିଛି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବହୁମାତ୍ରାରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ହୋଇ ବଙ୍ଗଳାଦେଶକୁ ଯାଉଛି। ଯେତେବେଳେ ସେମାନଙ୍କର କାର୍ଯ୍ଯକର୍ତ୍ତା ଖବର ପାଇ ବେଆଇନ ଚାଲାଣ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରନ୍ତି, ସେମାନେ ଗାଡ଼ି ଛାଡି ଚାଲିଯା’ନ୍ତି। ବେଳେବେଳେ ଗୋରୁ ଚାଲାଣକାରୀମାନେ ମଧ୍ୟ ଧାରୁଆ ଆସ୍ତ୍ରରେ ଆକ୍ରମଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖ ରାତି ୧.୨୨ ମିନିଟରେ କିଛି ଦୁର୍ବୃତ୍ତ ଗୋପୀନାଥପୁର ଛକ ନିକଟରେ ବୁଲୁଥିବା ଗୋରୁଙ୍କୁ ଚାଲାଣ କରିବା ଲାଗି ପ୍ରୟାସ କରୁଥିଲେ। ହେଲେ କିଛି ସ୍ଥାନୀୟ ଲୋକ ଏହା ଜାଣି ପାରି ଦୁର୍ବୃତ୍ତଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗିଥିଲେ। ଯାହାଫଳରେ ସେମାନେ ଘଟଣାସ୍ଥଳରୁ ଦୌଡିପଳାଇ ଯାଇଥିଲେ। ଏସବୁ ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ସଂଗଠନ ପ୍ରକାଶ କରିଛି।

ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏଭଳି ବେଆଇନ ଚାଲାଣ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ନିବେଦନ କରିଛି ବଜରଙ୍ଗ ଦଳ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବାଲୁଗାଁ ଏସଡିପିଓ ଏବଂ ବାଲୁଗାଁ ଆଇଆଇସିଙ୍କ ନିକଟରେ ସଂଗଠନ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ସରିଲା ରାଜ୍ୟରେ ଜାମିନ ବିହୀନ ପରୱାନା ସ୍ୱତନ୍ତ୍ର ଡ୍ରାଇଭ: ବାଣପୁର,ବାଲୁଗାଁ,ଟାଙ୍ଗୀରୁ ୧୨୨ ଅଭିଯୁକ୍ତ ଗିରଫ

 

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ରାଜ୍ୟ ଡ଼ିଜିପିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ପୋଲିସ ଥାନାରେ ମାର୍ଚ୍ଚ ୭ ତାରିଖରୁ ୧୪ ତାରିଖ ଯାଏଁ ଜାମିନ ବିହୀନ ପରୱାନା(ଏନବିଡବ୍ଲ୍ୟୁ) ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ଉକ୍ତ ୭ ଦିନ ମଧ୍ୟରେ ଏହାର ଅପରାଧୀଙ୍କୁ ଗିରଫ କରିବାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସର ଫଳାଫଳ ବେଶ ଭଲ ରହିଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ.ପି ଶ୍ରୀ ରାଜକିଶୋର ଦୋରା।

ଏସ.ପିଙ୍କ ସୂଚନା ମୁତାବକ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସ ସର୍ବମୋଟ ୧୨୨ ଜଣ ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ତନ୍ମଧ୍ୟରୁ ୭୬ ଜଣଙ୍କୁ କୋର୍ଟ ଓ ଜେଲ ଚାଲାଣ କରାଯାଇଅଛି। ବାଣପୁର ଥାନାର ୫୧, ବାଲୁଗାଁ ଥାନାର ୨୮ ଏବଂ ଟାଙ୍ଗୀ ଥାନାର ୪୩ ଗୋଟି ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ବାଣପୁର ଥାନାର ୨୬, ବାଲୁଗାଁ ଥାନାର ୧୨ ଏବଂ ଟାଙ୍ଗୀ ଥାନାର ୩୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଏବଂ ପରେ ଜେଲ ଚାଲାଣ କରାଯାଇଅଛି।

ସେହିପରି ଭାବେ ବାଣପୁର ଥାନାର ୨୫, ବାଲୁଗାଁ ଥାନାର ୧୬ ଏବଂ ଟାଙ୍ଗୀ ଥାନାର ୫ ଗୋଟି ୱାରେଣ୍ଟର ଆଶୁ ସମାଧାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଓଭରବ୍ରିଜଠାରେ ସଡ଼କ ଦୁର୍ଘଟଣା: କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଦୁଇ ଆହତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଭୁବନେଶ୍ୱର ନୀଳାଦ୍ରି ବିହାରର ପ୍ରଦୀପ କୁମାର ନାୟକ ତାଙ୍କ ପରିବାର ସହ ନିଜ କାର(ଓଡ଼ି-୩୩ ଟି ୪୮୮୪) ଯୋଗେ ଏକ ବାହାଘରରେ ଯୋଗ ଦେବାକୁ  ବାଣପୁର ଯାଉଥିଲେ। ତେବେ ପାଖପାଖି ସଂଧ୍ୟା ୭ ଘଟିକା ସମୟରେ ନାଚୁଣୀ ଓଭରବ୍ରିଜ ଠାରେ ପରିସ୍ରା କରିବା ନିମନ୍ତେ ପ୍ରଦୀପ ନିଜ ଗାଡିର ବ୍ଲିଙ୍କର ଅନ କରି ବାମ ପାର୍ଶ୍ୱରେ ଗାଡିକୁ ଠିଆ କରିଥିଲେ।

ତେବେ ହଠାତ ଦ୍ରୁତଗତିରେ ବଡ଼ବିଲରୁ ଗୋପାଳପୁର ଯାଉଥିବା ଏକ ଆଇରନ ଵୋଝେଇ ଟ୍ରକ( ଓଡ଼ି- ୦୭ ଡବ୍ଲୁ ୦୮୭୧) କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରଦୀପଙ୍କ ପତ୍ନୀ ଏବଂ ପୁଅ ଆହତ ହୋଇଥିବେଳେ କାରର ପଛ ପାର୍ଶ୍ୱଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି  ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବର୍ତ୍ତମାନ ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନ୍‌ଏସ୍ ଚିଲିକାର ବାର୍ଷିକ ଉତ୍ସବ

ଭୁବନେଶ୍ଵର: ଆଇଏନ୍‌ଏସ୍‌, ଚିଲିକା ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ କେନ୍ଦ୍ର ୨୦-୨୧ ଫେବୃୟାରୀରେ ନୌସେନା ଓ ଦେଶକୁ ସେବା ଯୋଗାଇଦେବାର ୪୧ତମ ବର୍ଷର ସମାପ୍ତି ଉତ୍ସବ ପାଳନ କରିଛି। ୨୧ ଫେବୃୟାରୀ ୧୯୮୦ରେ ଏହାର କମିଶନ ହେବାଠାରୁ ଅତ୍ୟାଧୁନିକ ତାଲିମ ପ୍ରଣାଳୀ ଓ ବୈଷୟିକ ବିକାଶ ସହିତ ତାଳଦେଇ କାମ କରି ଆସୁଛି। ୟୁନିଟ୍ ଏହାର ବର୍ଷ ଶେଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରି ଆସିଥିଲା। ଯାହା ୟନିଟ୍‌ର ସମସ୍ତ ସଦସ୍ୟଙ୍କ ଅତ୍ୟଧିକ ଅଂଶଗ୍ରହଣର ସାକ୍ଷୀ ରହିଥିଲା।

ସାମରିକ କର୍ମଚାରୀ, ଡ଼ିଏସ୍‌ସି, ଏମ୍‌ଇଏସ୍ ଏବଂ ପ୍ରତିରକ୍ଷା ଅସୈନିକ କର୍ମଚାରୀ ଏବଂ ତାଙ୍କର ପରିବାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମାଣ ଅଧିକାରୀ କମୋଡ଼ର ଏନ୍‌ସି ପ୍ରଦୀପଙ୍କ ଦ୍ୱାରା ପାତକା ଦେଖାଇ ଶୁଭାରମ୍ଭ ହୋଇଥିବା ୱାକଥନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁଙ୍କ ପାଇଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମସ୍ତ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଷ୍ଟେସନ ବଡ଼ାଖାନା ଆରମ୍ଭ ପୂର୍ବରୁ ପାରମ୍ପରିକ ପିଠାକାଟିବା ସମାରୋହ, କନିଷ୍ଠ ନାବିକ କମାଲ ଅଧିକାରୀଙ୍କ ସହିତ ପିଠା କରିବା ସମାରୋହ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୋଭିଡ଼୍‌-୧୯ ନିୟମାନୁସାରେ ପରିଚାଳିତ ହୋଇଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପୁଣି ବିଦେଶୀ ପକ୍ଷୀ ଶିକାର: ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୁଣି ବିଦେଶାଗତ ପକ୍ଷୀଙ୍କୁ ଶିକାର କରାଯାଇଛି। ଏନେଇ ଜଣେ ଯୁବକଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ଚିଲିକାରେ କଇଁ ଫୁଲରେ ବିଷ ଦେଇ ଜଣେ ଯୁବକ ବିଦେଶାଗତ ପକ୍ଷୀଙ୍କୁ ଆଜି ଶିକାର କରୁଥିଲେ। ଖବର ପାଇ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତ ପକ୍ଷୀ ସହ ଶିକାରୀକୁ ଗିରଫ କରିଛି। ଏହାସହ ବନ୍ୟାପ୍ରାଣୀ ବିଭାଗ ଶିକାରୀ ଠାରୁ ସାଇକେଲ, ମୋବାଇଲ ଫୋନ, କଇଁ ଫୁଲ ମଧ୍ୟ ଜବତ କରିଛି।

ଗିରଫ ହୋଇଥିବା ଶିକାରୀ ଜଣଙ୍କ ସର୍ବେଶ୍ଵର ପ୍ରଧାନ (୩୦) ଏବଂ ସେ ଟାଙ୍ଗୀ ଥାନା ଅନ୍ତର୍ଗତ କାଟିଲା ଗୋଠ କଲୋନୀର ବାସିନ୍ଦା ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଅଞ୍ଚଳରେ ଲୁଟ, ରାହଜାନିକୁ ରୋକିବା ଲକ୍ଷ୍ୟ: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଗତ ୩୧ ତାରିଖରୁ ପୂର୍ବତନ ଏସପି  ଅଜେୟ ପ୍ରତାପ ସ୍ୱାଇଁ ଅବସର ନେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲିପଡିଥିଲା। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ରାଜକିଶୋର ଦୋରା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଟାଙ୍ଗୀ ଚିଲିକା ଅଞ୍ଚଳରେ ଲୁଟ, ରାହଜାନି, ସାଇବର ଅପରାଧକୁ ମୁଳୋତ୍ପାଟନ କରିବା ପୋଲିସର ପ୍ରାଥମିକତା ରହିବ ବୋଲି ଏସପି ରାଜକିଶୋର ଦୋରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହା ସହିତ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବେ ବୋଲି ନୂତନ ଏସପି ରାଜକିଶୋର ଦୋରା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। କିଛିଦିନ ତଳେ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ। ପୂର୍ବରୁ ଶ୍ରୀ ଦୋରା ଅନୁଗୁଳ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ  ସମ୍ପାଦନ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଭାଲେରୀ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଉଦଘାଟନ କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବଡକୁଳ ପଞ୍ଚାୟତ ଅନ୍ତର୍ଗତ ବୋରିଆସାହି ଗ୍ରାମରେ ଭାଲେରୀ ପ୍ରିମିଅର ଲିଗ-୩  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ପ୍ରିମିଅର ଲିଗରେ ୬ ଟି ଦଳ ପାଇଁ ୬ ଜଣ ଫ୍ରାଞ୍ଚାଇଜ ରହିଥିବା ବେଳେ ପାଞ୍ଚଟି ପଞ୍ଚାୟତର ମୋଟ ୧୨୦ ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି।

ତେବେ ଆଜିର ଉଦଘାଟନୀ ମ୍ୟାଚ ରତ୍ନମାଳୀ ୱାରିଅର୍ସ ଏବଂ ଏସ.ଏମ ଭାଲେରୀ ୟୁଥ ଆଇକନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭାଲେରୀ ୟୁଥ ଆଇକନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରତ୍ନମାଳୀ ୱାରିଅର୍ସ ନିର୍ଦ୍ଧାରିତ ୧୫ ଓଭରରେ ୧୨୫ ରନ ସଂଗ୍ରହ କରିଥିବା ବେଳେ ଭାଲେରୀ ୟୁଥ ଆଇକନ ୧୨୬ ରନର ଲକ୍ଷ୍ୟକୁ ପୂରଣ କରି ବିଜୟ ଲାଭ କରିଥିଲା। ଭାଲେରୀ ୟୁଥ ଆଇକନର ଚିନୁ ବ୍ୟକ୍ତିଗତ ୩ ଟି ୱିକେଟ ନେଇଥିବା ବେଳେ ୨୭ ରନ ସଂଗ୍ରହ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଅଟକିଲେ ୨୦ ରୁ ୨୨ ପର୍ଯ୍ୟଟକ: ଖୋଜିବା ଜାରି ରଖିଛି ଦୁଇ ଅଗ୍ନିଶମ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୨୦ ରୁ ୨୨ ଜଣ ପର୍ଯ୍ୟଟକ ଚିଲିକା ହ୍ରଦରେ ଫସିରହିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଆଜି ଦିନବେଳେ ସୋରଣ ଗ୍ରାମର କିଛି ଲୋକ ଏକ ଡଙ୍ଗା ମାଧ୍ୟମରେ ମା କାଳିଜାଇ ଦର୍ଶନ ନିମନ୍ତେ ଚିଲିକାକୁ ଯାଇଥିଲେ। ହେଲେ ସେମାନେ ଫେରିବା ସମୟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଧ୍ୟରେ ଡଙ୍ଗାଟି ଫସି ରହିଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ। ନଳ ବଣ ନିକଟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସେମାନେ ସେଠାରେ ଅଟକ ରହିଥିବା କୁହାଯାଉଛି।

ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକରୀ ନିତ୍ୟାନନ୍ଦ ଜେନା ଦୁଇଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଚିଲିକା ମଝିରେ ଅଟକ ରହିଥିବା ଯାତ୍ରୀଙ୍କୁ ଖୋଜିବା ଜାରି ରଖିଛନ୍ତି। ସେପଟେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ସୋରଣ ପଟୁ ସେମାନଙ୍କୁ ଖୋଜିବା ଲାଗି ବାହାରିଛି। ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଖୋଜିବାରେ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ଘଟଣା ସ୍ଥଳ ଠାରୁ ୩ କିଲୋମିଟର ଦୂରରେ ଅଛନ୍ତି ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ମାତିଛନ୍ତି କଳା ପଲସର ବାଇକ ଲୁଟେରା: ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ଦୁଇଟି ଜାଗାରୁ ଲୁଟ୍

ସୀତାରାମ ଅଗ୍ରୱାଲ

କୁହୁଡି: ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ଚିଲିକାର ଦୁଇଟି ପୃଥକ ପୃଥକ ସ୍ଥାନରୁ ସମାନ ଢଙ୍ଗରେ ସୁନା ଅଳଙ୍କାର ଲୁଟ୍ ହୋଇଛି। ଆଜି ଅପରାହ୍ନ ଦୁଇ ଘଟିକାରେ ଚିଲିକା ଢ଼ାବା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍ ହୋଇଥିବାସ୍ଥଳେ ଠିକ ସମାନ ଢଙ୍ଗରେ କୁହୁଡି ଫାଣ୍ଡି ଅନ୍ତର୍ଗତ କୋଚିଲା ଛକରେ ଆଉ ଏକ ସୁନା ହାର ଏବଂ ମଙ୍ଗଳସୂତ୍ର ଲୁଟ୍ ହୋଇଛି।

ସୂଚନା ମୁତାବକ ଚିଲିକା ସିଙ୍ଗିପୁର ଗ୍ରାମର ଆନନ୍ଦ ବେହେରା ଆଜି ସକାଳେ ନିଜ ପତ୍ନୀ ଏବଂ ପୁତ୍ରଙ୍କ ସହ ଏକ ବାଇକଯୋଗେ ଟାଙ୍ଗୀ ପଥରବନ୍ଧ ଅଞ୍ଚଳରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତେବେ ସମ୍ପର୍କୀୟଙ୍କ ଘରୁ ଫେରିଲା ବେଳକୁ ପାଖାପାଖି ଅପରାହ୍ନ ୪ ଘଟିକାରେ କୁହୁଡି କୋଚିଲା ଛକରେ ଦୁଇ ଜଣ ଲୁଟେରା ଏକ କଳା ପଲସର ବାଇକରେ ଆସି ପଛପଟୁ ଆନନ୍ଦଙ୍କ ପତ୍ନୀଙ୍କ ବେକରୁ ଏକ ମଙ୍ଗଳସୂତ୍ର ଏବଂ ସୁନା ହାର ଛଡାଇ କ୍ଷିପ୍ର ଗତିରେ ପଳାଇଥିଲେ।

ତେବେ ଏ ନେଇ ଆନନ୍ଦ କୁହୁଡି ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଜାତୀୟ ରାଜପଥ ସିଲ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବି ଲୋକମାନେ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ସେମାନେ ଉପର କୋର୍ଟକୁ ନ ଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରିବାର ସୁଯୋଗ ପାଇପାରିବେ। ଏବଂ ଶୀଘ୍ର ନ୍ୟାୟ ପାଇପାରିବେ।

ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ। ଅନ୍ୟ ଅତିଥି ରୂପେ ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଓ ଖୋରଧା ଜିଲ୍ଲା ଜର୍ଜ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ ସନତ କୁମାର ମହାନ୍ତି, ଉପଜିଲ୍ଲାପାଳ ଅଶୋକ ବେଉରିଆ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ସୁଷମା ବାରିକ, ସ୍ଥାନୀୟ ଲୋକପ୍ରତିନିଧି, ବାଣପୁର, ଚିଲିକା ଓ ଟାଙ୍ଗି ଅଂଚଳର ଓକିଲ ସଂଘର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ବହୁ ଆଇନଜୀବୀ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଚିଲିକା ବାର ଆସୋସିଏସନ ସଭାପତି ହରେ କୃଷ୍ଣ ଜଗଦ୍ଦେବ ଓ ସମ୍ପାଦକ ପ୍ରଦୋଷ ଦାସ ସଂଯୋଜନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଏବଂ ଚିଲିକାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ: ଗାଡ଼ି ଜବତ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର/ଚିଲିକା: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି। ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି।

ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି। ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ ଗୋଟାଏ ଜେସିବି ଜବତ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ସମସ୍ତ ଗାଡ଼ି ବେଆଇନ ଭାବେ ଏହି ସବୁ ଜିନିଷ ଚାଲାଣ କରୁଥିଲେ।  ତେବେ ବର୍ତ୍ତମାନ ସମସ୍ତ ଗାଡିଗୁଡିକ ବାଣପୁର ତହସିଲ ପରିସରରେ ଅଛି।

ଅନୁରୂପ ଭାବେ ଆଜି ସକାଳେ ଚିଲିକା ତହସିଲଦାର ପୁନମ ମହାପାତ୍ର ବେଆଇନ ଭାବେ ଗୋଡି ଚାଲାଣ କରୁଥିବା ୨ ଗୋଟି ଟ୍ରାକ୍ଟରକୁ  କୁହୁଡି ନିକଟରୁ ଜବତ କରିଛନ୍ତି। ଜବତ ହୋଇଥିବା ଟ୍ରାକ୍ଟର ଦୁଇଟି ବର୍ତ୍ତମାନ କୁହୁଡି ଫାଣ୍ଡି ପରିସରରେ ରହିଛି। ଉପଯୁକ୍ତ କାଗଜପତ୍ର ଦେଖାଇବାସହ ଜରିମାନା ପରିମାଣ ଦେଇ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ମୁକୁଳାଇ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଉଭୟ ବାଣପୁର ଏବଂ ଚିଲିକା ତହସିଲଦାର।