Categories
ଆଞ୍ଚଳିକ

ଚିଲିକା ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ଦିନକରେ ରେକର୍ଡ଼ ଏକୋଇଶି ହଜାର ଜରିମାନା ଆଦାୟ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କରୋନା ମହାମାରୀ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ଚିଲିକା ନିର୍ବାଚନମଣ୍ଡଳୀରେ କମି କମି ଯାଉଛି। ବିଶେଷତଃ ବାଲୁଗାଁ ସହର ଏବଂ ଚିଲିକା ବ୍ଲକର କିଛି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାସ୍ଥଳେ ଏହାକୁ ବେଶ ଧ୍ୟାନ ଦେଉଛି ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ। ଗତକାଲି ସୁଦ୍ଧା ବାଲୁଗାଁ ଏନ.ଏ.ସି ରେ ୩୨ ଗୋଟି କୋଭିଡ ଆକ୍ଟିଭ କେସ ଥିବାବେଳେ ଚିଲିକା ବ୍ଲକରେ ୨୫ ଗୋଟି କୋଭିଡ କେସ ଆକ୍ଟିଭ ଅଛି। ତଥାପି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଅକ୍ଟୋବର ୩୧ ସୁଦ୍ଧା ଶୂନ କୋଭିଡ କେସ କରିବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଚିଲିକା ତହସିଲଦାର ଡ଼ା ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଗଠନ ହୋଇଥିଲା ଯେଉଁଥିରେ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା , ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଲୁଗାଁ  ପୋଲିସ ପ୍ରମୂଖ ସାମିଲ ଥିଲେ। ଉକ୍ତ ଟିମ ବାଲୁଗାଁ ଏନ.ଏ.ସି ସମେତ ବଡକୁଳ,ଡୁଙ୍ଗମାଳ ଏବଂ ନାଭାଲ ଛକ ବଜାର ଆଦି ସ୍ଥାନରେ କଡ଼ାକଡ଼ି କୋଭିଡ ଗାଇଡ଼ଲାଇନ ତଦାରଖ କରିଥିଲେ। ଏହି ସମୟରେ କେତେକ ଜାଗାରେ ଭିଡ଼ ପରିଲକ୍ଷିତ ହେବା ସହ କେତେ ଜଣ ଅମାନିଆ ମାସ୍କ ପିନ୍ଧିନଥିଲେ। ସ୍ଥାନୀୟ  ପ୍ରଶାସନ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ଏକୋଇଶି ହଜାର ଟଙ୍କା ଜରିମାନା ଆଦାୟ କରିଥିଲା ଯାହା ଚିଲିକା ଏବଂ ବାଲୁଗାଁ ଅଞ୍ଚଳରେ ଦିନିକିଆ ସର୍ବକାଳୀନ ରେକର୍ଡ ପରିମାଣର ଜରିମାନା।

ଅନ୍ୟପକ୍ଷରେ ତହସିଲଦାର ମହୋଦୟା କରୋନା ସଚେତନତା ବାର୍ତ୍ତା ଦେଇକହିଥିଲେ ଯେ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ। ଆଜିର ଏହି ଏନ୍ଫୋର୍ସମେଣ୍ଟ ଦ୍ୱାରା ବାଲୁଗାଁ ସହର ସହ ସମସ୍ତ ଚିଲିକାବାସୀ କୋଭିଡ ମହାମାରୀକୁ ନେଇ ଆହୁରି ସଚେତନ ଓ ସତର୍କ  ହୋଇଥିବା ଏବଂ ଅମାନିଆମାନଙ୍କ ମନରେ ଛନକା ପଶିଥିବା ପରିଲକ୍ଷିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୁମାଣ୍ଡଳ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କଲାବେଳେ ଧରା ପଡ଼ି ଜେଲ ଗଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଚିଲିକା ବ୍ଲକ କୁମାଣ୍ଡଳ ଗ୍ରାମରେ ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ ଗୋଟାଏ ୧୬ କେଭି ଟ୍ରାନ୍ସଫର୍ମରକୁ ଚୋରି କରି ନେଇ ଅନ୍ୟ ଏକ ଟ୍ରାନ୍ସଫର୍ମରକୁ ଚୋରି କଲା ବେଳେ ଲୋକଙ୍କ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ  ବର୍ଷାର ସୁଯୋଗ ନେଇ ଚାରି ଜଣ ଦୁର୍ବୃତ୍ତ  ବିଦ୍ୟୁତ ଖୁଣ୍ଟରେ ଚଢି ଦୁଇ ଗୋଟି ଟ୍ରାନ୍ସଫର୍ମରର ବିଦ୍ୟୁତ  ସଂଯୋଗ କାଟି ଦେଇଥିଲେ। ଗୋଟିଏ  ଟ୍ରାନ୍ସଫର୍ମରକୁ ଚୋରି କରିବା ପରେ ପରବର୍ତ୍ତୀ ଟ୍ରାନ୍ସଫର୍ମରକୁ  ଚୋରି କରି ନେବାକୁ ଉଦ୍ୟତ ହେଉଥିବାବେଳେ କିଛି ଗ୍ରାମବାସୀଙ୍କ ହାବୁଡରେ ଏହି ଦୁର୍ବୃତ୍ତମାନେ  ପଡିଥିଲେ। ହେଲେ ଘଟଣାସ୍ଥଳରୁ ତିନିଜଣ ଖସିଯିବାରେ ସକ୍ଷମ ହୋଇଥିବାବେଳେ ଜଣକୁ ଗ୍ରାମବାସୀମାନେ ଧରି ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଏ ସଂପର୍କରେ ଖବର ପାଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ସବ୍‌ ଡିଭିଜନ୍‌ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଗ୍ରାମରେ ପହଞ୍ଚି ଦୁର୍ବୃତ୍ତକୁ ଆଣି ବାଣପୁର ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରି ବାଣପୁର ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ  ନିଲୁ ନାୟକ ଓ ତାଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ପାରିଓରଡ ଗ୍ରାମ ବୋଲି ଜଣାପଡିଛି। ହେଲେ ବାଣପୁର ପୋଲିସ ଏ ବାବଦରେ କେସ ନମ୍ବର ୩୨୦/୨୦ ରେ ଏକ  ଚୋରି କେସ ରୁଜୁ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ହରିକୁଣ୍ଡ ବରଡି ନିକଟରେ ବାଇକ୍‌କୁ ପିଟିଲା ଟ୍ରକ୍‌ : ଦୁଇ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

ଚିଲିକା :  ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ହରିକୁଣ୍ଡ ବରଡିଠାରେ ଏକ  ସଡକ ଦୁର୍ଘଟଣା ଘଟିଯାଇଅଛି ।  ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ନାଚୁଣୀ ଜୀବନଦେଇପୁର ଗ୍ରାମର 45 ବର୍ଷୀୟ ପବିତ୍ର ବାରିକ  ନିଜ ମୋଟର ସାଇକେଲ (ଓଡି -33-ଡି-3709) ରେ ଜଣେ ସହଯୋଗୀଙ୍କ ବସାଇ ବାଲୁଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ହରିକୁଣ୍ଡ ବରଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ (ଏପି-16-ଟିଜେ-5499)ଟି ମୋଟର ସାଇକେଲ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ  ଓ ସହଯୋଗୀ ଛିଟ୍‌କି କି ରାସ୍ତା ଉପରେ ପଡିଯାଇଥିବାବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଥିଲେ । ଗୁରୁତରଙ୍କୁ ଉଦ୍ଧାର କାର୍ଯ୍ୟରେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ମଧ୍ୟ  ସହଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏଏସ୍‌ଆଇ ହାଡିବନ୍ଧୁ ନାୟକ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ନାଭାଲ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା : ଚିଲିକା ନିର୍ବାଚନମଣ୍ଡଳୀର ଯୁବ ବିଜେପି ନେତାଙ୍କ ମୃତ୍ୟୁ 

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଛତ୍ରଗଡ ନିକଟସ୍ଥ ଜାତୀୟ ରାଜପଥରେ  ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଅଛି ଯେଉଁଥିରେ ପ୍ରାଣ ହରାଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର  ଯୁବ ବିଜେପି ନେତା ଅଶୋକ କୁମାର ସ୍ୱାଇଁ(୪୪)। ମିଳିଥିବା ସୂଚନା ଅନୁଯାୟୀ ବଡକୁଳ ପାନ୍ଥନିବାସ ରୋଡ଼ରେ ରହୁଥିବା ବଡ଼କୁଳ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଅଶୋକ ସ୍ୱାଇଁଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ବନ୍ଧୁ ଗତକାଲି ରାତିରେ ନିଜ ଗାଡ଼ିରେ ଭୁବନେଶ୍ୱରରୁ କାମ ସାରି ଘରକୁ ଫେରୁଥିବା ବେଳେ ପ୍ରାୟ ଦଶ ଘଟିକାରେ ତାଙ୍କ ଗାଡିଟି ନାଭଲ ଛକ ନିକଟସ୍ଥ ଛତ୍ରଗଡ ଠାରେ ଖରାପ ହୋଇଯାଇଥିଲା । ଏହାପରେ ସେ ତାଙ୍କ ବନ୍ଧୁ ଅଶୋକଙ୍କୁ ଏ ବିଷୟ  ନେଇ ଯୋଗାଯୋଗ କରିବା ସହ ସହଯୋଗ ଲୋଡ଼ିଥିଲେ। ଅଶୋକ ଖରାପ ହୋଇଯାଇଥିବା ଗାଡିର  ମରାମତି ପାଇଁ ତାକୁ ଗ୍ୟାରେଜକୁ ସ୍ଥାନାନ୍ତରିତ କରିବା  ଉଦେଶ୍ୟରେ ନିଜ ବାଇକ ସାଥିରେ ଆଉ ଏକ ଚାରିଚକିଆ ଗାଡି ସହାୟତା ଉଦ୍ଦେଶ୍ୟରେ ନେଇକି ଯାଇଥିଲେ। ଉକ୍ତ ସମୟରେ ଜାତୀୟ ରାଜପଥରେ ଯାଉଥିବା ଆଉ ଜଣେ ଗାଡି ଚାଳକ ମଧ୍ୟ ଅଶୋକଙ୍କ ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଅଟକିଥିଲେ। ସେହି ସମୟରେ ହଠାତ କ୍ଷିପ୍ର ଗତିରେ ଆସୁଥିବା ଏକ ଆନ୍ଧ୍ରା ଟ୍ରକ ଖରାପ ହୋଇଯାଇଥିବା ଗାଡିକୁ ପଛପଟେ ଜୋରରେ ଧକା ଦେଇଥିଲା ଯାହା ଫଳରେ ସେଇ ଗାଡିର ଆଗକୁ ଆଗକୁ ଥିବା ଅନ୍ୟ ଦୁଇ ଗାଡି ଏବଂ ବାଇକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଉକ୍ତ ସମୟରେ ଅଶୋକ ମଧ୍ୟ ଗାଡି ପାର୍ଶ୍ୱରେ ଠିଆ ହୋଇଥିଲେ ଯାହା ଫଳରେ ଟ୍ରକଟି ଅଶୋକକୁ ପଛପଟୁ ଧକା ଦେଇ ଫେରାର ହୋଇଯାଇଥିଲା। ଅଶୋକଙ୍କ ମସ୍ତିଷ୍କର ପଛଭାଗରେ ଗଭୀର ଆଘାତ ଲାଗିବାରୁ ସେ  ଘଟଣାସ୍ଥଳରେ ତଳେ ପଡିଯାଇଥିଲେ l ସଙ୍ଗେ ସଙ୍ଗେ ଖବର ପାଇଁ ଘଟଣାସ୍ଥଳରେ  ୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଦିଲୀପ ମହାନ୍ତି, ଡୁଙ୍ଗମାଳ ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର ସେଠି ଏବଂ ଅନ୍ୟମାନେ ଅଶୋକଙ୍କୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ  ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ  ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଦେଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଶବ ବ୍ୟବଛେଦ ପରେ ତାଙ୍କ ମର ଶରୀରକୁ ସ୍ଥାନୀୟ ବାସଭବନକୁ ଅଣାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହା ସହ ଅଶୋକଙ୍କ ବନ୍ଧୁ ମଧ୍ୟ ଆହତ ହୋଇ ଚିକିତ୍ସତ ହେଉଛନ୍ତି । ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଗୁରାପଲି ଟୋଲ ଗେଟ ନିକଟରୁ ବାଲୁଗାଁ ପୋଲିସ ଜବତ କରିଥିବାସ୍ଥଳେ ଡ୍ରାଇଭର ଫେରାର ହୋଇଯାଇଥିବାର ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବାଲୁଗାଁ ଆଇ. ଆଇ.ସି ରମାକାନ୍ତ ମାହାଲିକ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀରେ ଗାଇଡଲାଇନ୍‌ ଭିତରେ ଦୁର୍ଗା ପୂଜା ପାଳନକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଆଲୋଚନା

ସୀତାରାମ ଅଗ୍ରଓ୍ବାଲ

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ ବେହୁରିଆଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏନ.ଏ.ସି ସଭା ଗୃହରେ ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଗା ପୂଜା ପାଳନ ସମ୍ବନ୍ଧୀୟ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ବାଣପୁର ଏବଂ ବାଲୁଗାଁ ର ବିଭିନ୍ନ ପୂଜା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପୂଜା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ଉପଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେବା ସହ ଏହାକୁ ମାନିବା ପାଇଁ ପୂଜା କମିଟିର ପ୍ରତିନଧି ମାନଙ୍କୁ ଅନୁରୋଧ କରିଥିଲେ। ପୂଜା ପାଳନ ପାଇଁ ସବୁ କମିଟି ମାନେ ସ୍ଥାନୀୟ ତହସିଲଦାରଙ୍କଠୁ ଅନୁମତି ଆଣିବା ବାଧ୍ୟତାମୂଳକ ବୋଲି ଉପଜିଲ୍ଲାପାଳ ମନ୍ତବ୍ୟ ଦେଇଥିଲେ। ଯଦି କୌଣସି କମିଟି ସରକାରଙ୍କ ଗାଇଡ଼ଲାଇନକୁ ଉଲଂଘନ କରେ ତାହାଲେ ସ୍ଥାନୀୟ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିବେ। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଗୁଇନ୍ଦା ବିଭାଗ ଡ଼ି.ଏସ.ପି  ଅତନୁ ରାଉତ, ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଣପୁର ତହସିଲଦାର ମନ୍ମଥ ବେହରା, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ, ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ଏବଂ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ଆଦି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂଜା ପାଇଁ ନିମ୍ନ ଗାଇଡଲାଇନ୍‌ ଜାରି କରିଛନ୍ତି ।

୧- ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ

୨- ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଆବଶ୍ୟକ

୩-କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ

୪-ସାଧାରଣ ଲୋକ ଭାଗ ନେଇ ପାରିବେନି, ଗହଳି ହୋଇପାରିବନି

୫- ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ

୬-ଏମିତି ବନ୍ଦ ରହିବ, ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି

୭- ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ

୮- ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ ରହିବ

୯- ମଣ୍ଡପରେ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିବେନି

୧୦-ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ

୧୧- ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ

୧୨- କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ

୧୩- ଗାଇଡଲାଇନ ଭଙ୍ଗକଲେ ବିପର୍ଯ୍ୟୟ ପରିଚାଳନା ଆଇନ, ଏପିଡେମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଜରିପଡା ପଞ୍ଚାୟତରେ ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ 
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଅଞ୍ଚଳର ଜରିପଡା ପଞ୍ଚାୟତ ଦାଣ୍ଡ ସାହିରେ ଘଟିଛି ଏକ ଅଘଟଣ।  ପୋଖରୀ ରେ ବୁଡି ଚନ୍ଦ୍ରକାନ୍ତ ସାହୁ(୧୮) ଙ୍କ  ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସୂଚନା। ଖବର ପାଇ ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ଗାଁ ଲୋକଙ୍କ ସାହାଯ୍ୟର ଉଦ୍ଧାର ହେଲା ଚନ୍ଦ୍ରକାନ୍ତଙ୍କ ମୃତ ଦେହ। ଉଦ୍ଧାର ପରେ ପରିବାର ଲୋକେ ଯୁବକଙ୍କୁ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଙ୍ଗି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ 

ଚିଲିକା: ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିକଂସାରୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବା ବେଳେ ଆଉଜଣେ ବ୍ୟକ୍ତିଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୫ ଘଟିକା ସମୟରେ ବିଶାଖାପାଟଣାରୁ ୮ ଜଣଲୋକଙ୍କୁ ନେଇ ଏକ ଟାଟା ପିକ ଅପ ଭ୍ୟାନ(ଏ.ପି ୩୯ ଟି. ଏଲ. ୮00୩) ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକଙ୍କ ଆଖି ଲାଗିଯାଇଥିବା ସ୍ଥଳେ ଗାଡ଼ିଟି ଡିଭାଇଡର ଡେଇଁ ବିପରୀତ ଦିଗରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପବନରେ ଛିଟିକିପଡ଼ି ଗାଡ଼ି ଆଗକୁ ପଳେଇଆସିଥଲେ ଏବଂ ଗାଡିଚାଳକ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ଅନୁରୂପ ଭାବେ ଡ଼ାଲାରେ ଥିବା ଜି. ନକରାଜୁ ନାମକ ବ୍ୟକ୍ତିଙ୍କ ବାମ ଗୋଡ଼ ଉପରକୁ ମଧ୍ୟ ଗାଡ଼ି ଚଢ଼ିଯାଇଥିଲା ଯାହା ଫଳରେ ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ କଟିଯାଇଛି। ଅନ୍ୟ ଜଣେ ଜି.କୋଣ୍ଡାମା ନାମକ ମହିଳାଙ୍କ ଗୋଡ଼ ମଧ୍ୟ ଫ୍ୟାକଚର ହେଇଯାଇଛି ଏବଂ ପଶୁଲୁ ବଳରାମ ନାମକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ବାଲୁଗାଁ ଥାନା ଏ.ଏସ.ଆଇ ଦିଲୀପ ବିଶ୍ୱାଳ ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିବା ସ୍ଥଳେ ଗାଡ଼ି ଏବଂ ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଗାଡ଼ି ଚାଳକ ଘଟଣା ସ୍ଥଳରେ ଫେରାର ହୋଇଯାଇଛି। ବାଲୁଗାଁ ପୋଲିସ ମୃତକ ଏବଂ ଆହତଙ୍କ ପରିଜନକୁ ଏ ସମ୍ପର୍କ ରେ ସୂଚନା ଦେଇ ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଗୋଷ୍ଠୀ ସଂକ୍ରମଣ ! ପଞ୍ଚାୟତ ଅଫିସ୍‌ରେ ଭୋଜି ହେଲା କାଳ

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ରାଜ୍ୟରେ କରୋନା ସ୍ଥିତି ଏବେ ବେଶ୍‌ ଗମ୍ଭୀର ରହିଛି । ବିଶେଷ କରି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ମଧ୍ୟରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ତର୍ଜମା କଲେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି ।

ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ଉକ୍ତ ପଞ୍ଚାୟତ ଅଫିସ୍‌ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା । ଆଜି ସେହି ୩୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଥିବାର ସୂଚନା ମିଳିଛି ।  ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍‌, ଓ୍ବାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବାର ସୂଚନା ମିଳିଛି । ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବାସ୍ଥଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ରହିଥିବାର ସୂଚନା ମିଳିଛି । ଆଜି ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଥାଉକି, ଗତକାଲି ବାଲୁଗାଁ ମାଛ ମାର୍କେଟ୍‌ରୁ ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ବାଲୁଗାଁ ମାଛ ମାର୍କେଟ୍‌କୁ ସାତ ଦିନ ପାଇଁ ସିଲ୍‌ କରାଯାଇଛି । ଅପରପକ୍ଷରେ ଅଧିକ ସଂକ୍ରମଣ ଥିବା ୪ଟି ଜିଲ୍ଲା ଗୋଟିଏ ମହାନଗର ନିଗମକୁ ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ର ଘୋଷଣା କରିଛନ୍ତି । ଏହି ଚାରୋଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଛି । ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣକୁ ଦେଖି ସରକାର କଡା ପଦକ୍ଷେପମାନ ଗ୍ରହଣ କରୁଥିବାବେଳେ ପଞ୍ଚାୟତ ସ୍ତରରେ ଚାଲିଥିବା ଭୋଜିଭାତ ଯୋଗୁଁ ସଂକ୍ରମଣ ବ୍ୟାପିବାକୁ ନେଇ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବୃଦ୍ଧି କରିଚାଲିଛି । ପଞ୍ଚାୟତ ସ୍ତରରେ ସଟ୍‌ଡାଉନ୍‌ ତଥା ଲକ୍‌ଡାଉନ୍‌ ନିୟମକୁ ଆହୁରି କଡାକଡି କରାଯିବା ନେଇ ବୁଦ୍ଧିଜୀବୀମାନେ ଦାବି କରିବା ସହି ପୋଲିସ୍‌ ପାଟ୍ରୋଲିଂକୁ ଅଧିକ କଡାକଡି କରିବା ପାଇଁ ଦାବି କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଦେଢ଼ ମାସ ପରେ ସାଉଦି ଆରବରୁ ଚିଲିକାକୁ ଫେରିଲା ଶ୍ରମିକଙ୍କ ଶବ

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଶେଷରେ ସମସ୍ତ ଅପେକ୍ଷାରେ ଅନ୍ତ ଘଟିଛି । ପ୍ରାୟ ଦେଢ ମାସ ପରେ ସୁଦୂର ସାଉଦିରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମରଶରୀର । ବୁକୁଥରା ଚିତ୍କାରରେ ଫାଟିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ଲକ ଡାଉନ ଫଳରେ ଶେଷଦର୍ଶନ ଲାଗି ବ୍ୟାକୁଳ ପରିବାରର ମଉଳି ଯାଇଥିବା ଆଶା ପୁଣି ସତ ହେଲା । କୋଭିଡ କଟକଣା ମଧ୍ୟରେ ଶେଷରେ ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହେଲା ବାବୁଲାଙ୍କ ମରଶରୀର ।

ମିିଳିଥିବା ସୂଚନା ଅନୁସାରେ,  ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତର ହରିକୁଣ୍ଡବରଡି ଗ୍ରାମର ବାବୁଲା ଜେନା ଗତ ନଅ ବର୍ଷ ହେଲା ସାଉଦି ଆରବସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟରତ ଥିଲେ । ହଠାତ ଗତ ମେ ମାସ ୨୪ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ମୃତ ଖବର ପରିବାରକୁ ଜଣେଇଥିଲେ । କମ୍ପାନୀ ତରଫରୁ ଏବିଷୟରେ କିଛି ପୃଷ୍ଟି ନହେବାରୁ ତାଙ୍କ ସାନ ଭାଇ ରାଜୁ ଅଞ୍ଚଳର ସାମାଜିକ କାର୍ଯ୍ୟକର୍ତ୍ତା ଲଲାଟେନ୍ଦୁ ଶତପଥୀଙ୍କ ସହଯୋଗ ଲୋଡ଼ିଥିଲେ । କିନ୍ତୁ ପରିବାର ପାଖେ ପାସପୋର୍ଟ ନମ୍ବର ତଥା ଭିସା କାଗଜ ନଥିବା ହେତୁ ବିଳମ୍ବ ହୋଇଥିଲା । କମ୍ପାନୀର ବିଭିନ୍ନ ଲୋକଙ୍କ ସହ କଥା ହୋଇ ପୁରୁଣା ପାସପୋର୍ଟ ନମ୍ବର ମିଳିବା ପରେ ସାଉଦି ଆରବରେ ହେଇଥିବା ତାଙ୍କ ନୂଆ ପାସପୋର୍ଟ ନମ୍ବର ମିଳିପାରିଥିଲା । ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମଦଦ ବିଭାଗରେ ଲଲାଟେନ୍ଦୁ ଏକ କେସ Id SB1MTR106166020 ମଧ୍ୟ ରୁଜୁ କରିଥିଲେ  । କିନ୍ତୁ ଲକ ଡାଉନ ଫଳରେ ବେଶି କିଛି ସହଯୋଗ ମିଳିପାରିନଥିଲା ।

ଲଲାଟେନ୍ଦୁଙ୍କୁ ସହଯୋଗର ହାତ ବଢେଇଥିଲେ ବାଣପୁର ଚମ୍ପାଦେଇପୁରର ବାବୁଲି କୁମାର ସାହୁ ।  ଯିଏ ପୁରୀରେ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ । ବାବୁଲି ତାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଭାରତୀୟ ଦୂତାବାସ ସହ ସମ୍ପର୍କ କରି ହ୍ରୁଦଘାତରେ ବାବୁଲାଙ୍କ ମୃତ ଖବର ପୃଷ୍ଟି କରିଥିଲେ । କାର୍ଗୋ ବିମାନରେ ଅନେକ ଚେଷ୍ଟା ପରେ ସାଉଦି ଆରବ ହମ୍ମାମରୁ ଗତ ୫ତାରିଖରେ ଶବକୁ ଦିଲ୍ଲୀ ଦେଇ କୋଲକାତା ଅଣାଗଲା ଓ ତାଙ୍କ ସାନ ଭାଇ ଭୁବନେଶ୍ୱରରୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଦ୍ଵାରା ଦଶ ତାରିଖ ବିଳମ୍ବିତ ରାତିରେ ମର ଶରୀର ନେଇ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ହେଇଥିଲା । ଗାଁ ଶ୍ମଶାନରେ କୋଭିଡ ନିୟମାବଳୀ ଅନୁସାରେ ଶବ ସତ୍କାର କରାଗଲା ।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକାରେ ଧରାପଡ଼ିଲେ ଅମାନିଆ, ଗଣିଲେ ତଣ୍ଡ, ତହସିଲଦାରଙ୍କ ଦ୍ବାରା କରୋନା ନିୟମର କଡ଼ାକଡ଼ି ଚେକିଂ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ବେଖାତିର କରି କିଛି ଅମାନିଆ ଆଜି ତଣ୍ଡ ଗଣିଛନ୍ତି। ବାଣପୁର-ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ବିପଦ ଜୋନରେ ରହିଥିବାରୁ ପ୍ରଶାସନ ବହୁ ସତର୍କତା ଅବଲମ୍ବନ କରୁଛି।  ସ୍ଥିତି ଖରାପ ହେଉଥିବାରୁ ବାଣପୁର ତହସିଲଦାର ମନ୍ମଥ ବେହେରା ତିନି ଦିନ ହେଲା ତହସିଲର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ ଜାରି ରଖିଛନ୍ତି।

ବାରମ୍ବାର ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କଲେ ମଧ୍ୟ ଅନେକ ଅମାନିଆ ସରକାରୀ କଟକଣାକୁ ଭୃକ୍ଷେପ କରୁନାହାନ୍ତି। ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବାରୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦେଇଛନ୍ତି। ଯାହାର ଗୋଟିଏ ପାର୍ଶ୍ୱ ବାଣପୁର-ଗଞ୍ଜାମ ଶେଷ ସୀମା କୁମାରୀପାରିରେ ରହିଛି।

ଆଜି ଦିନ ୧୧ଟାରେ ବାଣପୁର ତହସିଲଦାର ସଦଳବଳେ ବାଣପୁର-ବାଲୁଗାଁ ବାଇପାସ ଠାରେ ପାଖାପାଖି ଦୁଇ ଘଣ୍ଟାଧରି ଜୋରଦାର ଚେକିଂ କରିଥିଲେ। ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ୱ ତଦାରଖ କରିବା ସହ ମାସ୍କ ପିନ୍ଧିନଥିବା ୩୭ ଜଣ ଅମାନିଆଙ୍କଠାରୁ ୧୮ ହଜାର ୫00 ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସେହିପରି ଆଗକୁ ବାଣପୁର ଅଞ୍ଚଳରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ରାତ୍ରି କର୍ଫ୍ୟୁ କୁ ଶହେ ପ୍ରତିଶତ ପାଳନ କରାଯିବ ବୋଲି ତହସିଲଦାର ଗଣମାଧ୍ୟମକୁ କହିଛନ୍ତି। ଆଗକୁ କରୋନା ପ୍ରକୋପ ବଢିବା ଆଶଙ୍କା ଥିବାରୁ ବାଣପୁରରେ ଦୋକାନ ବଜାର ଖୋଲିବା ସମୟ କମେଇବା ପାଇଁ ତହସିଲଦାର ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଆଜିର ଚେକିଂରେ ବାଣପୁର ତହସିଲର ବରିଷ୍ଠ ରାଜସ୍ବ ସହାୟକ ଅଧିକାରୀ ଅବନୀକାନ୍ତ ଦାସ, ସେକ୍ସନ ଅଫିସର ବସନ୍ତ ବେଦମତା ଏବଂ ବାଣପୁର ପୋଲିସ ଏ.ଏସ.ଆଇ ବସନ୍ତ ପଟନାୟକ ସହଯୋଗ କରିଥିଲେ।

ଆଜି ବାଲୁଗାଁରେ ମଧ୍ୟ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କଡ଼ା ଚେକିଂ କରାଯାଇଥିଲା। ସହରର ବିଭିନ୍ନ ଲୁଗା ଦୋକାନ, ଚିଲିକା ରୋଡ଼ରେ ଥିବା ବିଭିନ୍ନ ଦୋକାନ ବଜାର ଆଦି ସ୍ଥାନରେ ଚଢ଼ାଉ କରାଯାଇ ଆଇନ ଉଲଙ୍ଘନ କାରୀଙ୍କଠାରୁ ପାଖାପାଖି ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପ୍ରଶାସନ ତରଫରୁ ଭାରି ଯାନ ପ୍ରବେଶ କଟକଣା ପାଇଁ ଚିଲିକା ରୋଡ଼ ମାଛ ମାର୍କେଟରେ ବ୍ୟାରିକେଡ଼ ଲଗାଯାଇଛି। ଚେକିଂ ବେଳେ ବାଲୁଗାଁ ପୋଲିସ ଏସ.ଆଇ ଦିଲୀପ ସାହୁ ସହଯୋଗ କରିଥିଲେ।

କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଆଜିଠାରୁ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦିଆଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଏସ.ପି ଙ୍କ ସୁପାରିସ କ୍ରମେ ଆଜି ଖୋର୍ଦ୍ଧା ଉପ ଜିଲାପାଳ ଏକ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଆଜିଠାରୁ ଉଭୟ ଜିଲ୍ଲା ସୀମା ସିଲ ନ ଖୋଲିବା ପର୍ଯ୍ୟନ୍ତ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମା ଅଞ୍ଚଳ ଯଥା କୁମାରିପାରି ଏବଂ ନାଭାଲ ଛକରେ ଆଇନଶୃଙ୍ଖଳା ତଦାରଖ ପାଇଁ ବାଣପୁର ଏବଂ ଚିଲିକା ତହସିଲଦାରଙ୍କୁ ଉପଜିଲ୍ଲାପାଳ ପୋଲିସ ଫୋର୍ସ ଇନଚାର୍ଜର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ସରକାରୀ ନିୟମକୁ ଫୁ’– ସଟ୍‌ଡାଉନ୍‌ ନିୟମକୁ ମାନୁନାହାନ୍ତି ଖାଉଟି ଓ ମାଛ ବ୍ୟବସାୟୀ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୪୮ ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତରେ ମତ୍ସ୍ୟଜୀବୀମାନେ ଏହି ନିୟମ ମାନୁ ନଥିବା ଦେଖିବାକୁ ମିଳିଛି। ଏପରିକି ମତ୍ସ୍ୟଜୀବୀମାନେ ମାଛ ଧରି ଆଣି କୂଳରେ ବ୍ୟବସାୟ କରୁ ଥିବା ବେଳେ ସାଧାରଣ ଖାଉଟି ଓ ମାଛ ବ୍ୟବସାୟୀଙ୍କର ଭିଡ଼ ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟଜୀବୀ ସରକାରଙ୍କ ଘୋଷଣାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳିଛି।

ଆଜି ସକାଳୁ ମଧ୍ୟ ଏଠାରେ ଭିଡ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଏଠାରେ ବେପାର ଚାଲିଥିବାର ଦେଖାଯାଇଥିଲା। ଏଠାରେ ମତ୍ସ୍ୟଜୀବୀ, ମାଛ ବେପାରୀ ଓ ଖାଉଟି ଭିତରେ ସାମାଜିକ ଦୂରତ୍ବ ନରଖି ସମସ୍ତେ ଭିଡ ଜମାଇ କିଣା ବିକାରେ ବ୍ୟସ୍ତ ରହିଥିଲେ। ଅପରପକ୍ଷରେ ଚିଲିକା କୂଳ ସୋରଣ ପେଣ୍ଠସ୍ଥଳୀରେ ମତ୍ସ୍ୟଜୀବୀଙ୍କ ବରଫ  ନେବାପାଇଁ ଫ୍ୟାକ୍ଟ୍ରି ଠାରେ  ଭିଡ଼ ଜମିଥିଲା। ଆଇସି ଫ୍ୟାକ୍ଟ୍ରି ମାଲିକ ମଧ୍ୟ ସାମାଜିକ ଦୂରତା ନରଖି ବେପାର କରୁଥିବାର ଦେଖାଯାଇଥିଲା। ଏଠାରେ ଖୋଲାଖୋଲି ଭାବରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଥିବାବେଳେ ପ୍ରଶାସନ କ’ଣ ପାଇଁ ଚୁପ୍‌ ରହିଛି ବୋଲି ପ୍ରଶ୍ନ ଉଠିଛି। ଏହି ଅଞ୍ଚଳରେ ଦୁଇଦିନିଆ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାବେଳେ ଦୋକାନ ବଜାର ବନ୍ଦ ରହିଛି। କିନ୍ତୁ ଚିଲିକା ବ୍ଲକର  ସୋରଣ ଓ ଜରିପଡ଼ା ମତ୍ସ୍ୟଜୀବୀମାନେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବାବେଳେ ପୋଲିସ୍‌ ଓ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଆଗାମୀ ସମୟ କହିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ପୃଥ୍ବୀରାଜ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ତଥ୍ୟ ଲୁଚାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଗତକାଲି ପ୍ରାଣ ହରାଇଥିବାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ -୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥିବାବେଳେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ। ଚିଲିକା ବ୍ଲକର ଜଣେ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନରେ ନୁହେଁ, ବରଂ ଲିଭର ଓ ଅନ୍ୟ ରୋଗରୁ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଏହାକୁ ନେଇ ପୃଥ୍ବୀରାଜ ସରକାରଙ୍କୁ ନିନ୍ଦା କରିବା ସହ ଲୁଚା ଚୋରା କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି। ତଥ୍ୟ ନ ଲୁଚାଇ ନୈତିକ ଦାୟିତ୍ବ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ପୃଥ୍ବୀରାଜ।

ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକର ସିଙ୍ଗେଶ୍ବର ପଞ୍ଚାୟତର ଘିଅଖୋଲା ଗ୍ରାମର ଜଣେ ୪୨ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବାବେଳେ ଲିଭର୍‌ ସମସ୍ୟା ଯୋଗୁଁ ଗତ ୨୭ ତାରିଖରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଜଣକ ୧୪ ତାରିଖ ଦିନ ସୁରତରୁ ନିଜ ଗ୍ରାମକୁ ଫେରିଥିବାବେଳେ ଚିକିତ୍ସିତ ହେବା ପାଇଁ ସେ ଭୁବନେଶ୍ବର ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦୁଇ ଦିନ ପରେ ତାଙ୍କଠାର କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର  ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସଂସ୍କାର କରାଯାଇଥିଲା। ତେବେ ବ୍ୟକ୍ତିଙ୍କ ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ  ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ବ୍ୟକ୍ତିଜଣକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଯକୃତ ସମସ୍ୟା ନେଇ ମୃତ୍ୟୁବରଣ କରିଥିବାର ସରକାର ସ୍ପଷ୍ଟ କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସରକାରଙ୍କ ତରଫରୁ ବିଧିବଦ୍ଧ ଘୋଷଣା କରିବା ନେଇ ସେହି ଅଞ୍ଚଳର ବିଶିଷ୍ଟ ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ ବେଶ୍‌ ଉଦ୍ୟମ କରିଥିଲେ। ତେବେ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛି। ଏଥିପାଇଁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

 

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା କିଛି ଶ୍ରମିକ କୌଣସି ଏକ ଗାଡି ଯୋଗେ ବାଲୁଗାଁ ଗାନ୍ଧି ଛକ ଠାରେ ପହଞ୍ଚିଥିଲେ। ଏବଂ ସେଠାରୁ ଗ୍ରାମକୁ ଯିବା ପାଇଁ ଚିଲିକା କୂଳକୁ ଚାଲି ଚାଲି ଯାଉଥିବା ବେଳେ ବାଲୁଗାଁ ପୋଲିସ ଦ୍ୱାରା ଅଟକ ରଖଯାଇଥିଲା। ବର୍ତ୍ତମାନ ସମୟରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ଯନ୍ତ କର୍ଫ୍ଯୁ ଲାଗିରହିଛି। ବାଲୁଗାଁ ପୋଲିସ୍ ର ଏହି ସମୟରେ କଡା ପ୍ରହାର ରହିଥିବାରୁ ରାତି ୯ ଟା ସମୟରେ ସେମାନଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଏହି ସମସ୍ତ ଶ୍ରମିକଙ୍କ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶ୍ରମିକମାନେ କୃଷ୍ଣପ୍ରସାଦ ଗଡ (ପାରିକୁଦ)ର ବୋଲି ପୋଲିସ୍‌କୁ କହିଥିଲେ। ଜଗତସିଂହପୁର ତିର୍ତ୍ତୋଲର କୌଣସି ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ ଏହି ଶ୍ରମିକମାନେ। ପୋଲିସ୍‌ ଅଟକ ରଖିଥିବା ଶ୍ରମିକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଲୋକ ରହିଛନ୍ତି। ପୋଲିସ୍‌  ସେମାନଙ୍କ ସରପଞ୍ଚ ସହ କଥା ହେବା ପରେ ସରପଞ୍ଚ ଆଜି ସକାଳୁ ଡ଼ଙ୍ଗା ସାହାଯ୍ୟରେ ସେମାନଙ୍କୁ ବାଲୁଗାଁ ଠାରୁ ତାଙ୍କ ଗ୍ରାମକୁ ନେଇଥିବା ସୂଚନା ରହିଛି। ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଓ ବାଲୁଗାଁ ପୋଲିସ୍‌ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଡଙ୍ଗାବୁଡି ଘଟଣା : ତିନି ଡଙ୍ଗା ମାଲିକଙ୍କୁ ଗିରଫ କଲା ପୋଲିସ୍‌

ସମୀକ୍ଷା ବ୍ୟୁରୋ

ବାଲୁଗାଁ :  ଚିଲିକା ଡଙ୍ଗାବୁଡି ଘଟଣାରେ ତିନି ଡଙ୍ଗା ମାଲିକଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ମଝିରେ ଡଙ୍ଗା  ବୁଡିଯିବା ଘଟଣାରେ ଡଙ୍ଗା ମାଲିକଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କାଳିଜାଇରୁ ଭୋଜି ସାରି ଫେରୁଥିବାବେଳେ ଗୋଟିଏ ଡଙ୍ଗା ବୁଡିଥିଲା । ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଡଙ୍ଗା ବୁଡିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଆଜି ବାଲୁଗାଁ ଫିସେରୀ ଡିଏଫ୍‌ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷତ୍ତି ନିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ପଡିଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଫିସେରୀ ଡିଏଫ୍‌ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ : କାଲିଠାରୁ ହେବ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ

ବାଲୁଗାଁ : ଗତକାଲି ଚିଲିକାରେ ଡଙ୍ଗା ବୁଡି ପରେ ପ୍ରଶାସନ ଚେତିଛି । ଆଜି ବାଲୁଗାଁ ଫିସେରୀ ଡିଏଫ୍‌ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତହସିଲଦାର, ଡିଏଫ୍‌ଓ, ଆଇଡବ୍ଲ୍ୟଡି ଇଞ୍ଜିନିୟର ଓ ସିଡିଏ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷତ୍ତି ନିଆଯାଇଛି । ତେବେ କାଲି ଡଙ୍ଗା ନେଇ ଯାଇଥିବା ତିନି ଡଙ୍ଗା ମାଲିକଙ୍କ ନାଁରେ ଏତଲା ଦିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିପଡିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଡଙ୍ଗା ବୁଡି ଛଅ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଚିଲିକାରେ ପୁଣି ଡଙ୍ଗା ବୁଡି ଅଘଟଣର ସୂଚନା ମିଳିଛି। ଚିଲିକାରେ ଡଙ୍ଗା ବୁଡି ଛଅ ଜଣ ଗୁରୁତର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। କାଲିଜାଇର ପିକ୍‌ନିକ୍‌ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି। ଚିଲିକା ମଝିରେ ଡଙ୍ଗା ବୁଡିଯିବାରୁ ଛଅ ଜଣ ଗୁରୁତର ହୋଇଛନ୍ତି। ତେବେ ପଛରେ ଆସୁଥିବା ଡଙ୍ଗା ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛି। ବୁଡିଥିବା ଡଙ୍ଗାରେ ପ୍ରାୟ ୧୫ରୁ ୧୭ ଜଣ ଲୋକ ରହିଥିବାର ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗୁରୁତରଥିବା ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୁବୁଦ୍ଧିପାଟଣା, ବଡକୁଳ  ଏବଂ ଚନ୍ଦ୍ରାପୁଟ ଅଞ୍ଚଳର କିଛି ଲୋକ  ତିନୋଟି ଡଙ୍ଗା ସାହାଯ୍ୟରେ ବଣଭୋଜି କରିବାକୁ କାଳିଜାଇ ଯାଇଥିବାବେଳେ  ପ୍ରଥମ ଦୁଇଟି ଡଙ୍ଗାର ଯାତ୍ରୀମାନେ ସୁରକ୍ଷିତ ଭାବେ ଫେରି ଆସିଥିବାବେଳେ ତୃତୀୟ ଡଙ୍ଗାରେ ଅଧିକ ଯାତ୍ରୀ ରହିଯାଇଥିଲେ।  ଅଧିକ ଯାତ୍ରୀ ରହିଥିବାରୁ ଚିଲିକା ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ବାଲୁଗାଁ ଚିଲିକା କୂଳରେ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍‌ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି।  ତାଙ୍କ ପିତାଙ୍କ ନାମ ନକୁଳସାହୁ ହୋଇଥିବାବେଳେ ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି।

ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର ଖବର ମିଳିଛି। ତେବେ ଏହି ଯୁବକ ଜଣକ କ’ଣ ପାଇଁ ଘର ଛାଡି ଚାଲି ଆସିଥିଲେ, ତାହା ଏକ ପ୍ରଶ୍ନ ହୋଇଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଚିଲିକାରେ ଫିଙ୍ଗି ଦେଇଛି ତାହା ପୋଲିସ୍‌ ତଦନ୍ତ ପରେ ସ୍ପଷ୍ଟ ହେବ।

Categories
ଆଞ୍ଚଳିକ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ରୂପେ ନିଯୁକ୍ତ ହେଲେ ବାଣପୁରର ମିଟୁ ନାୟକ

ସମୀକ୍ଷା ବ୍ୟୁରୋ
ବାଣପୁର, : ୮/୧୨: ଚିଲିକା ନିର୍ବାଚନ ମଣ୍ଡଳୀରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳର ବାଲିପଦର ନିବାସୀ ମିଟୁ ନାୟକଙ୍କୁ  ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ମିଟୁ ନାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ରାଜନୈତିକ ପ୍ରତିନିଧି ରୂପେ ମଧ୍ୟ କାର୍ଯ୍ୟ କରିବେ। ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପ୍ରଶାନ୍ତ ଜଗଦେବ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ୩୯୭/ପିଜେସି/୧୯ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।

ଭାରତୀୟ ସେନା ବାହିନୀର ଜଣେ ଅବସରପ୍ରାପ୍ତ କର୍ମୀ ହେଉଛନ୍ତି ମିଟୁ ନାୟକ। ଇନ୍‌ଫ୍ରାଣ୍ଟି ବାଟାଲିୟନ୍‌ରେ ୧୬ ବର୍ଷ ଧରି ସେବା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଶ୍ରୀ ନାୟକ। ସେ କାର୍ଯ୍ୟ କରିଥିବା ଅଞ୍ଚଳ ଗୁଡ଼ିକ ମଧ୍ୟରେ ଶ୍ରୀନଗର, କିଶ୍‌ଓ୍ବାଡ, ବୁରେ ସେକ୍ଟର, କାର୍‌ଗିଲ୍‌ ସେକ୍ଟର, ଇମ୍ପାଲ୍‌ (ମଣିପୁର), କୋଲାକତା, ହାଇଦ୍ରବାଦ, ଦିଲ୍ଲୀ ଆଦି ରହିଛି। ସେ ଅଂଶଗ୍ରହଣ କରିଥିବା ଅପରେସନ୍‌ଗୁଡ଼ିକ ମଧ୍ୟରେ ରହିଛି କାର୍ଗିଲ୍‌ ଯୁଦ୍ଧ, ସଂସଦ ଭବନରେ ହୋଇଥିବା ‘ପରାକ୍ରମ’ ଅପରେସନ୍‌, ଜମ୍ମୁକାଶ୍ମୀରେ ହୋଇଥିବା ଓପି ରକ୍ଷକ’ ଅପରେସନ୍‌।

ତେବେ ସେନାବାହିନୀରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶକୁ ନେଇ ପଚାରାଯାଇଥିବା ଏକ ପ୍ରଶ୍ନରେ କହିଛନ୍ତି ଯେ, ରାଜନୀତି ଜରିଆରେ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିବା ନେଇ ଇଚ୍ଛା ପ୍ରକଟ କରିଛନ୍ତି। ମିଳିଥିବା ଗୁରୁଦାୟିତ୍ବକୁ କିପରି ନିର୍ବାହ କରିବେ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ, ଚିଲିକା ନିର୍ବାଚନ ମଣ୍ଡଳୀରେ ଥିବା ଯାବତୀୟ ସମସ୍ୟା ଯେପରିକି- ଜଳ, ଆଲୋକ, ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବେ।

ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଶ୍ରୀ ନାୟକ କହିଛନ୍ତି ଯେ, ଗୋଦାବରୀଶ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପଢିବା ପରେ ସେନାବାହିନୀରେ ଯୋଗ ଦେଇଥିଲେ। ପରେ ଦୂରନିରନ୍ତର ପାଠ୍ୟକ୍ରମ ଜରିଆରେ ସ୍ନାତକ, ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ଏମ୍‌ବିଏ ଆଦି ପାଠ୍ୟକ୍ରମ ଶେଷ କରିଛନ୍ତି।

ଦେଶର ଜଣେ ସଚ୍ଚା ସୈନିକ ମିଟୁ ନାୟକ ରାଜନୀତି ମାଧ୍ୟମରେ ସମାଜସେବା କରିବାକୁ ଆଗ୍ରହୀ ରହିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପରି ଜଣେ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ ବେଶ୍‌ ଉତ୍ସାହ ଦେଖାଯାଇଛି।

 

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ