ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହିରେ ଥିବା ମା ଛତରେଇ ଦୁଗ୍ଧ ସଂଗ୍ରହ କେନ୍ଦ୍ର ବା ବ୍ଲକ ମିଲ୍କ ଚିଲର କେନ୍ଦ୍ରରୁ ଅପମିଶ୍ରଣ ଦୁଗ୍ଧ ଓମଫେଡ୍ କୁ ଦିଆଯାଉଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ଆସିଛି।
ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ”ଏହି ଖବର ଆମ ନଜରକୁ ଆସିଛି। ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ କି ଓମଫେଡ୍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଏକ ସମବାୟ ସଂସ୍ଥା। ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ଦୁଗ୍ଧ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା କରାଯାଇଥାଏ। ଶିତଳୀକରଣ କେନ୍ଦ୍ରରେ ପୁନଃ ପରୀକ୍ଷା ହେବା ସହ ତାର ମାନ ପରୀକ୍ଷା କରାଯାଏ। ସଂଗ୍ରହ କରାଯାଉଥିବା ଦୁଗ୍ଧ ଅତ୍ୟାଧୁନିକ ମେସିନ ଦ୍ୱାରା ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିରେ ସାମାନ୍ୟତମ ଅପମିଶ୍ରଣ ରହିଲେ, ତାହା ସହଜରେ ଜଣାପଡିଯିବ।
ମା ଛତରେଇ ବ୍ଲକ ମିଲ୍କ ଚିଲର କେନ୍ଦ୍ରରୁ ଓମଫେଡକୁ ଦୈନିକ ୬୦୦ ଲିଟର ଦୁଗ୍ଧ ଆସୁଛି। ତେବେ ମା ଛତରେଇ ସୋସାଇଟରୁ ଯେଉଁ ଦୁଗ୍ଧ ଆସୁଛି, ସେଥିରେ ମିଶ୍ରଣ ଥିବା ନେଇ ସଂଦେହ ହେବାରୁ, ଓମଫେଡ୍ ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗକୁ ଯାଞ୍ଚ କରିବା ପାଇଁ ଅବଗତ କରାଯାଇଥିଲା। ସେଥିପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ କି ଓମଫେଡର ବିଭିନ୍ନ ପ୍ଲାଣ୍ଟରେ ସବୁଠାରୁ ଅତ୍ୟାଧୁନିକ ଟେଷ୍ଟିଂ ମେସିନ ରହିଛି। ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି। କୌଣସି ଦୁଗ୍ଧରେ ଯଦି ସାମାନ୍ୟତମ ଅପମିଶ୍ରଣର ଲକ୍ଷଣ ଜଣାପଡେ, ତା ହେଲେ ସେ ଟ୍ୟାଙ୍କର ଦୁଗ୍ଧକୁ ସଂପୃକ୍ତ ସୋସାଇଟକୁ ଫେରାଇ ଦିଆଯାଉଛି।
ଓମଫେଡ୍ ରାଜ୍ୟର କୌଣସି ସ୍ଥାନରୁ ଅପମିଶ୍ରଣ ଦୁଗ୍ଧ ସଂଗ୍ରହକରେ ନାହିଁ। ଗୁଣବତ୍ତା ଉପରେ ସଦାସର୍ବଦା ଗୁରୁତ୍ୱାରୋପ କରିଆସୁଥିବା ଓମଫେଡ୍ ତାର ପ୍ରତ୍ୟେକ ଉତ୍ପାଦର ମାନ ରକ୍ଷା କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ବଜାୟ ରହିବ।
ଗଣମାଧ୍ୟମରେ ଯାହା ପ୍ରଚାର ପ୍ରସାର ହେଉଛି ତାହାକୁ ମୁଁ ଖଣ୍ଡନ କରୁଛି। ଅନ୍ୟ ଘରୋଇ କଂପାନୀକୁ ଦୁଗ୍ଧ ଦେଉଥିବା ବ୍ୟକ୍ତି ଓମଫେଡକୁ ବଦନାମ କରିବାକୁ ପ୍ରୟାସ କରିଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓମଫେଡର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।”