Categories
ଆଞ୍ଚଳିକ

ବାଲୁଗାଁରୁ ଏସଡିପିଓ ଏବଂ ଟାଟା ପାୱାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ଜୋରଦାର ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଥିବା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନଳିନୀକାନ୍ତ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ମିଟୁ ନାୟକ, ରବି ନାୟକ, ଉପ ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ମୁରଲୀ ସାମନ୍ତସିଂହାର, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମ, ବୀରଭଦ୍ର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଦୀର୍ଘ ଚାରି ଦଶନ୍ଧି ଧରି ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବା ଲାଗି ବାଣପୁର ଜନ ସାଧାରଣ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା କେଉଁ ଆଧାରରେ ଏବଂ କାହା ସ୍ୱାର୍ଥରେ ବାଲୁଗାଁରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ଉକ୍ତ ଖବର ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ କ୍ଷୁବ୍ଧ କରିବା ସହ ଏହାଦ୍ୱାରା ବାଣପୁର ବାଲୁଗାଁ ଅଂଚଳର ଶତକଡା ୮୦ ଭାଗ ଲୋକ କ୍ଷତିଗ୍ରସ୍ତ ହେବେ।

ବାଣପୁର ବ୍ଲକରେ ନୀଳାଦ୍ରି ପ୍ରସାଦ ଓ ଦାମିଆ ବରବରା ଭଳି ଦୁଇ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଥିବା ସତ୍ତ୍ୱେ ସରକାର ମସୁଧା କରି ଉପରୋକ୍ତ ଦୁଇଟି କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରିବାକୁ ସ୍ଥିର କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ଜଣାଇଥିଲେ। ତେଣୁ ଆଗାମୀ ଦିନରେ ଯଦି ସରକାର ବାଣପୁର ଅଞ୍ଚଳର ବାସିନ୍ଦାଙ୍କୁ ପ୍ରାଧାନ୍ୟ ନଦେଇ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବାରେ ପାତର ଅନ୍ତର କରନ୍ତି, ତେବେ ଚିଲିକା ନିର୍ବାଚନମଣ୍ଡଳୀରେ ଚକଅଖ ବନ୍ଦ ସହ ଜନସାଧାରଣଙ୍କ ସହଯୋଗରେ ଆଇନ ଅମାନ୍ୟ ଆନ୍ଦୋଳନ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛି।

ଅନୁରୂପ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ତୁରନ୍ତ ବାତିଲ କରାଯାଉ ବୋଲି ଦାବି କରିଛି କ୍ରିୟାନୁଷ୍ଠାନ କମିଟି।