Categories
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।