Categories
ଆଞ୍ଚଳିକ

ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ

ସୀତାରାମ ଅଗ୍ରୱାଲ

ଚିଲିକା: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୪୦୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବାଣପୁର ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୯୭୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବାର ଜଣାପଡିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଅଫଲାଇନ ପରୀକ୍ଷା ହୋଇନଥିଲା। ଦୀର୍ଘ ସମୟ ବ୍ୟବଧାନ ପରେ ଅଫଲାଇନ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ନହେବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଚିଲିକା ବ୍ଲକ ରେ ୧୫୦୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୦୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ସେହିପରି ଭାବେ ବାଣପୁର ବ୍ଲକରେ ୨୧୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଥିବାର ଚିଲିକା ବିଇଓ ନଳିନୀ କାନ୍ତ ମହାନ୍ତି ଏବଂ ବାଣପୁର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଆସନ୍ତା ୨୨ ରେ ବାଣପୁର ବ୍ଲକରେ ହେଲଥ୍ ମେଳା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଆସନ୍ତା ଶୁକ୍ରବାର ଦିନ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ମେଳାରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, କୁଷ୍ଠ, ଅନ୍ଧତ୍ବ ଦୂରୀକରଣ, ଦାନ୍ତ, ନାସା, କର୍ଣ୍ଣ, ଗଳା, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ଆସିବାକୁ ଥିବା ବେଳେ ଏଠାରେ ଏଚ୍.ଆଇ.ଭି, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଅଣ ସଂକ୍ରାମଣ ରୋଗ, ଗର୍ଭନିରୋଧ, ପୁଷ୍ଟିକର ଖାଦ୍ୟ, ଶିଶୁ ପାଇଁ ସୁରକ୍ଷିତ ସ୍ତନ୍ୟପାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ କେନ୍ଦ୍ର ଖୋଲିବ ବୋଲି ଜଣାପଡିଛି। ସକାଳ ୭ ରୁ ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ହେଲଥ ମେଳା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ଡ଼ିପିଏଚଓ ଯୋଗ ଦେବେ ବୋଲି ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିର ସମସ୍ତ ଜନସାଧାରଣମାନେ ଉକ୍ତ ହେଲଥ ମେଳାରେ ଯୋଗ ଦେବା ପାଇଁ ମେଡିକାଲ ଅଧିକାରୀ ଅନୁରୋଧ କରିଛନ୍ତି। ବ୍ଲକ, ଏନଏସି ଏବଂ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳା ନିମନ୍ତେ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ଆଜିଠାରୁ ଏଥି ଲାଗି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ ହୋଇଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡିକୁ ନେଇ ବିବାଦ: ରୁଜ୍ଜୁ ହେଲା ଆଉ ଏକ ମାମଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।

କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।

ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ୧୪୪ ଧାରା ଜାରୀ ପରେ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ସେଠାରେ ୧୪୪ ଧାରା ଜାରୀ କରାଯାଇଛି। ଫଳରେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶସସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ତରଫରୁ ମାଇକ ଦ୍ବାରା ଲୋକଙ୍କୁ ଏହି ଧାରା ସଂପର୍କରେ ସଚେତନ କରାଯାଇଛି।

ଘଟଣା ସ୍ଥଳରେ ଏସପି ନିଜେ ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ରହି ପରିସ୍ଥିତିକୁ ତଦାରଖ କରୁଛନ୍ତି। କୌଣସି ସ୍ଥାନରେ ଯେପରି ଗଣ୍ଡଗୋଳ ନ ହୁଏ ସେଥିପାଇଁ ପୋଲିସ ବଳକୁ ସଜାଗ ରଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ହିଂସାକୁ ନେଇ କଡା ପ୍ରତିକ୍ରିୟା ରଖିଲା ବିଜେଡ଼ି: କାର୍ଯ୍ୟାନୁଷ୍ଠାନ ପାଇଁ ଦେଲା ସଂକେତ

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ହିଂସା ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, ଚିଲିକା ବିଧାୟକଙ୍କ ଏଭଳି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି। ଏଭଳି ବର୍ବରଚିତ କାର୍ଯ୍ୟ ପାଇଁ କେବେ କ୍ଷମା ଦିଆଯିବ ନାହିଁ। ଏଭଳି କାର୍ଯ୍ୟକୁ ଯେତେ ନିନ୍ଦା କଲେ କମ ହେବ ବୋଲି ଡା ସସ୍ମିତ ପାତ୍ର କହିଛନ୍ତି। ଏହି ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରଶାସନକୁ ବିଜେଡ଼ି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା: ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବାଣପୁର ବ୍ଲକରେ ଲୋକଙ୍କ ଉପରକୁ ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା ଉପରେ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ଏଭଳି ହିଂସାତ୍ମକ କାର୍ଯ୍ୟ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି। ବିଧାୟକ ହୁଅନ୍ତୁ ଅବା ସାଧାରଣ ଲୋକ ଏଭଳି କାର୍ଯ୍ୟ ସ୍ପୃହଣୀୟ ନୁହେଁ। ଏହି ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବାଣପୁରରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ହଜାର ହଜାର ଲୋକ ବ୍ଲକ ପରିସରରେ ଉପସ୍ଥିତ ଥିଲେ। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭିଡ ଭିତରେ ଗାଡି ଭର୍ତ୍ତି କରିବା ପାଇଁ ଚେଷ୍ଟା କରୁଥିଲେ। ଉପସ୍ଥିତ ବିଜେପି କର୍ମୀ ଏହାକୁ ବିରୋଧ କରିବାରୁ ଲୋକଙ୍କ ଉପରକୁ ବିଧାୟକ ବଳପୂର୍ବକ ଗାଡି ଚଢାଇଦେଇଥିଲେ। ଯେଉଁଥିରେ ପୋଲିସ କର୍ମୀଙ୍କସମେତ ୨୦ ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ। ସେଥିରେ ୩ ଜଣ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଶ୍ରୀ ସାହୁଙ୍କ ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି।

ସେହିଭଳି ଏହି ଘଟଣାରେ ସମୀକ୍ଷା ନିୟୁଜ ପ୍ରତିନିଧି ସୀତାରାମ ଅଗ୍ରୱାଲ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେ ବାଣପୁର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।

ଅପରପକ୍ଷେ ବିଧାୟକଙ୍କ ଏଭଳି ଘଟଣାକୁ ବିରୋଧ କରି ଉତ୍ୟକ୍ତ ଲୋକେ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଥିଲେ। ତାଙ୍କୁ ଭୁବନେଶ୍ଵର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବର୍ତ୍ତମାନ ସେଠାରେ ଚାପା ଉତ୍ତେଜନା ଦେଖାଯାଇଛି।

ତେବେ ଉଭୟ ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି। କଂଗ୍ରେସ ପକ୍ଷରୁ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି। ବିଧାୟକଙ୍କ ସ୍ଥାନ ଜେଲରେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ନାଚୁଣୀ ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଲେ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚାଷୀମାନେ ଧାରଣାରେ ବସିଥିବା ଖବର ହସ୍ତଗତ ହୋଇଛି। ନାଚୁଣୀ ସମବାୟ ସମିତି ସମ୍ମୁଖରେ ୩ଦଫା ଦାବି ନେଇ ଚାଷୀମାନେ ଧାରଣାରେ ବସିଛନ୍ତି। କିନ୍ତୁ ଜିଲ୍ଲା ଯୋଗାଣ ବିଭାଗର ପ୍ରତିଶୃତି ପରେ ଧାରଣା ହଟିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବାଣପୁର ବ୍ଲକ୍ ର ନାଚୁଣି ଓ ମୋରମୋରୀ ପଞ୍ଚାୟତକୁ ନେଇ ନାଚୁଣି ସମବାୟ ସମିତି ଗଠିତ ହୋଇଛି। ଏହି ସମବାୟ ସମିତି ମାଧ୍ୟମରେ ପ୍ରତି ବର୍ଷ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ଟୋକନ ମାଧ୍ୟମରେ ଧାନ ମିଲରମାନେ ଚାଷୀଙ୍କ ଠାରୁ ଧାନ କିଣନ୍ତି।ଏଥର ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇଥିଲା। ଯେଉଁଥି ପାଇଁ ଚାଷୀ ସମବାୟ ସମିତି ଆଗରେ ୩ ଦଫା ଦାବ ନେଇ ଧାରଣାରେ ବସିଥିଲେ। ପ୍ରଥମ ଦାବି ଚାଷୀମାନେ ମିଲରଙ୍କ ନିକଟକୁ ଧାନ ନେବେ ନାହିଁ। ମିଲର ଆସି ସମବାୟ ସମିତି କାର୍ଯ୍ୟାଳୟ ନିକଟରୁ ଧାନ କିଣିବେ। ଦ୍ୱିତୀୟ ଦାବି ନାଚୁଣି ସମବାୟ ସମିତିରେ ମୋଟ ୧୩ହଜାର ଧାନ କିଣିବାକୁ ଟାର୍ଗେଟ ଥିଲା ବେଳେ ମାତ୍ର ୫ ହଜାର କୁଇଣ୍ଟାଲ ଧାନ ନେଇଛନ୍ତି। ଏଣୁ ଅବଶିଷ୍ଟ ୮ ହଜାର କୁଇଣ୍ଟାଲ ଧାନ କିଣିବାକୁ ଦାବି। ତୃତୀୟ ଦାବି ଟୋକନ ଅବଧି ସାରିଯାଇଥିଲେ ସୁଦ୍ଧା ଧାନ ନେଉନି ମିଲର। ଏଣୁ ଟୋକନ ଅବଧି ସମୟ ବୃଦ୍ଧି କରାଯାଉ।

ଜିଲ୍ଲାର ଯୋଗଣ ଅଧିକାରୀଙ୍କ ପକ୍ଷରୁ ବାଣପୁର ବ୍ଲକ୍ ଯୋଗଣ ଅଧିକାରୀ ଓ ନାଚୁଣି ସମବାୟ ସମିତିର ସମ୍ପାଦକ ଚାଷୀ ମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହି ସମବାୟ ସମିତିରୁ ମିଲର ଧାନ ସଂଗ୍ରହ କରିବେ, ଧାନ ସଂଗ୍ରହ ଅବଧି ବୃଦ୍ଧି ଓ ପର୍ଯ୍ୟାୟ କ୍ରମେ ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Categories
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ସରିଲା ବାଣପୁର ବ୍ଲକରେ ମତଦାନ, ଭୋଟରଙ୍କୁ ଧନ୍ୟବାଦ ଦେଲେ ବାଲୁଗାଁ ଏସଡିପିଓ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଶେଷ ହେଲା ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନ। ବାଣପୁର ବ୍ଲକ ଜିଲ୍ଲା ରାଜନୀତିରେ ପ୍ରମୁଖ ଭୁମିକା ନିଭାଉଥିବା ବେଳେ ସମସ୍ତଙ୍କ ଆଖି ଥିଲା ଏଠାକାର ପଞ୍ଚାୟତ ନିର୍ବାଚନ ଉପରେ। ପୁର୍ବରୁ ଉକ୍ତ ବ୍ଲକରେ ଶାସକ ଦଳର ଦୁଇ ଛାମୁଆ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହେଉ କିମ୍ବା ଶାସକ ବିରୋଧୀ କର୍ମୀ ମୁହାଁମୁହିଁ ସଦାବେଳେ ରାଜନୈତିକ ତିକ୍ତତା ଲାଗି ରହିଆସୁଛି।

ଏହି ପରିସ୍ଥିତିରେ ବାଣପୁରରେ ଶାନ୍ତିଶୃଙ୍ଖଳା ଭାବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିବାବେଳେ ଏହାକୁ ସଫଳତାର ସହ ପାର କରିପାରିଛି ଜିଲ୍ଲା ପୋଲିସ ପ୍ରଶାସନ। ଆଜି ବାଣପୁରରେ ସମ୍ପୂର୍ଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ପଞ୍ଚାୟତ ନିର୍ବାଚନ। ବ୍ଲକରେ ସମୁଦାୟ ୬୮.୮୩ ପ୍ରତିଶତ ମତଦାନ ଅନୁଷ୍ଠିତ ହୋଇଥିବାର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ‘ସମୀକ୍ଷା’ ମାଧ୍ୟମରେ ବାଣପୁରବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ l ଗଣତନ୍ତ୍ରରେ ଜନତା ଜନାର୍ଦନ ହିଁ ସବୁକିଛି ବୋଲି କହିଛନ୍ତି ଏସଡିପିଓ। ପୋଲିସର ଅନୁରୋଧକୁ ରକ୍ଷା କରି ଉକ୍ତ ନିର୍ବାଚନକୁ ସଫଳ କରିବା ଦିଗରେ ବାଣପୁର ବାସି ସମ୍ପୃର୍ଣ ସହଯୋଗ କରିଥିବାରୁ ଭୋଟରକୁ ପ୍ରଶଂସା କରିଛନ୍ତି ଶ୍ରୀ ବାରିକ।

ସୂଚନା ଥାଉକି ବାଣପୁର ବ୍ଲକରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଥିଲା l ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶକ୍ରମେ ଏବଂ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିଲା ବାଣପୁର ବ୍ଲକ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ , ଯାହାର ମଙ୍ଗ ଧରିଥିଲେ ଖୋଦ ବାଲୁଗାଁ ଏସଡିପିଓ। ନିର୍ବାଚନ ପାଇଁ ସମଗ୍ର ବାଣପୁର ବ୍ଲକକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା।

ବ୍ଲକର ସତର ଗୋଟି ପଞ୍ଚାୟତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ କୁମାର ପଣ୍ଡା, ଡ଼ିଏସପି ନିରୁପମା ମଲ୍ଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ, ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ, ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ, ଗମ୍ଭାରୀମୁଣ୍ଡା ବିଟହାଉସ ଅଧିକାରୀ ହାଡିବନ୍ଧୁ ନାୟକ, ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନାର ସମସ୍ତ ଏସଆଇ, ଏଏସଆଇ ଏବଂ 10 ପ୍ଲାଟୁନ ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା l ତେବେ ନିର୍ବାଚନରେ କୌଣସି ପ୍ରକାର ହିଂସା ଘଟିନଥିବାର ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୋଲିସ ଏବଂ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମହୁଲି ପୋଚ ଓ ଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ପଞ୍ଚାୟତ ଅଧିନସ୍ଥ ହାତିବାରୀ ଓ ବାଜଡିହ ଗ୍ରାମରେ ଆଜି ସକାଳ ୬.୩୦ ଘଟିକାରୁ ମଧ୍ୟାହ୍ନ ୧୨.୩୦ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୬୩ ଡ୍ରମରୁ ମୋଟ ୪ ହଜାର ୮ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୨୨ ଏବଂ ୮୨ ରେ ଦୁଇ ଗୋଟି ଦାବିହୀନ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଲଗାଣ ବର୍ଷାରେ ବେହାଲ ବାଣପୁର: ଜଳମଗ୍ନ ହୋଇଛି ହଜାର ହଜାର ଏକର ଧାନ ଜମି

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବା ଭଳି ଖବର ହସ୍ତଗତ ହୋଇଛି।

ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଏହାର ଘୋର ପ୍ରଭାବ ପଡିଛି। ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ଶହ ଶହ ଏକର ଧାନ ଜମି ଜଳମଗ୍ନ ହୋଇଛି। ଯାହାଦ୍ବାରା କଟା ଯାଇଥିବା ଧାନ ଫସଲଗୁଡିକ ପାଣି ଭିତରେ ବୁଡି ରହିଛି। ଦୁଇଦିନ ଧରି ଚାଲିଥିବା ଏହି ଲଗାଣ ବର୍ଷାରେ ପ୍ରାୟ ୧୨୨୫ ଏକର ଜମି ଜଳମଗ୍ନ ହୋଇଥିବା ଆକଳନ କରାଯାଉଛି। ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର, ଗମ୍ଭାରିମୁଣ୍ଡା, ଆୟତପୁର, ନାଚୁଣୀ, ତୋରସିଂହ, କୁମାରଙ୍ଗ ପଞ୍ଚାୟତଗୁଡିକର ଜମିରେ ଜଳମଗ୍ନ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସେହିଭଳି ବାଣପୁର ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ବର୍ଷା ଛାଡିବା ପରେ ଏହାର ସଠିକ ଆକଳନ କରାଯିବ ବୋଲି ବାଣପୁର କୃଷି ଅଧିକାରୀ ଅଜୟ କୁମାର କର ସୂଚନା ଦେଇଛନ୍ତି। ଏନେଇ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ, ଏହାର ଏକ ରିପୋର୍ଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯିଅଛି ବୋଲି ଅଜୟ କର କହିଛନ୍ତି।

ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ କ୍ଷତିପୂରଣ ମିଳିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ କର କହିଛନ୍ତି। ଏତଦବ୍ୟତୀତ ଯେଉଁ ଚାଷୀ ଏହି ଫସଲ ବୀମା ଯୋଜନାରେ ଅଂଶଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ରାଜ୍ୟସରକାରଙ୍କ ଘୋଷଣା ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବାଣପୁର ଝିଅ ସଂଗୀତା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବାଣପୁର ଝିଅ। ଗତକାଲି ରାତିରେ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ଫଳ ପ୍ରକାଶ ପାଇଛି। ତେବେ ଉକ୍ତ ପରୀକ୍ଷାରେ ସାରା ଓଡ଼ିଶାରେ ୬୦ ର‍୍ୟାଙ୍କରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସଂଗୀତା ସେନ।

ବାଣପୁର ବ୍ଲକ ଭାପୁର ଗ୍ରାମର ଲକ୍ଷ୍ମୀଧର ସେଣ ଏବଂ ବିଳାସ ସେଣଙ୍କ କନ୍ୟା ଅଟନ୍ତି ସଂଗୀତା। ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଗୃହିଣୀ ଅଟନ୍ତି।  ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ସଂଗୀତା।

ସଂଗୀତା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସିଲ କରିଛନ୍ତି। ପିଲାଟି ଦିନରୁ ସଂଗୀତା ମେଧାବୀ ଛାତ୍ରୀ ହୋଇଥିବାବେଳେ ଦୀର୍ଘ ଚାରି ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତେବେ ଏହା ତାଙ୍କର ଦ୍ଵିତୀୟ ଚେଷ୍ଟା। ସେ ଓପିଏସ କ୍ୟାଡର ପାଇଁ ଆଶାବାଦୀ ଥିବା କହିଛନ୍ତି।

ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଂଗୀତା। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ସଂଗୀତା। ତେବେ ଉକ୍ତ ଖବର ପ୍ରଚାରିତ ହେଵା ପରେ ସଂଗୀତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଅନୁରୂପ ଭାବେ ବାଣପୁର ବାସି ମଧ୍ୟ ମା’ ଭଗବତୀଙ୍କ ନିକଟରେ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି।

ସଂଗୀତା ନିକଟରେ ବାଣପୁର ତହସିଲରେ କନିଷ୍ଠ ରାଜସ୍ୱ ସହାୟିକା ଭାବେ ପୋଷ୍ଟିଙ୍ଗ ପାଇଛନ୍ତି ଏବଂ ବର୍ତ୍ତମାନ ବାଣପୁର ତହସିଲରେ କାର୍ଯ୍ୟରତ ଅଛନ୍ତି। ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ ଏବଂ ଅନ୍ୟ ସମସ୍ତ କର୍ମଚାରୀମାନେ ସଂଗୀତାଙ୍କୁ ଏଥି ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ଥିତିବାନ ଜମିରେ ଚାଲିଛି ସରକାରୀ ମାର୍କେଟ କମ୍ପ୍ଲେକ୍ସ, ଅର୍ଥ ହଡପ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ବାବୁ ମାନେ ସରକାରୀ ଅର୍ଥର ଅପ ବ୍ୟବହାର କରୁଥିବା କୁହାଯାଉଛି। ସ୍ଥିତିବାନ ଜମିରେ ସରକାରୀ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବାଣପୁର ବ୍ଲକର ତୁମ୍ବୁରାପୁଟ ପଞ୍ଚାୟତ ରତନପୁର ଗ୍ରାମର ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସରପଞ୍ଚଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ନିଜର ସ୍ଥିତିବାନ ଜମି ଉପରେ ଜୋର କରି ସରକାରୀ ମାର୍କେଟ କମ୍ପ୍ଲେକ୍ସ କରାଯାଉଥିବା ଅଭିଯୋଗ କରିଛନ୍ତି। ଏବାବଦରେ ପରିବାର ଲୋକେ ପ୍ରତିବାଦ କରିବାରୁ, ଧମକ ମିଳୁଥିବା ଜଣାପଡିଛି। ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ମାଧ୍ୟମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଭିନବ ଉପାୟରେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବାର ସୁବର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କୌଣସି ସ୍ଥିତିବାନ ଜାଗାରେ ଏଭଳି ସରକାରୀ ବିଲ୍ଦିଙ୍ଗିଂ ନିର୍ମାଣ କରିବା ପାଇଁ ନିୟମ ନଥିବା ବେଳେ କିଭଳି ଏହା ସମ୍ଭବ ହେଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ତିଆରି ଚାଲିଥିବା ମାର୍କେଟ କମ୍ପ୍ଲେସ ଆଗାମୀ ଦିନରେ ସମୂହ ସ୍ୱାର୍ଥରେ ଲାଗିବ ନା ଜାଗା ମାଲିକଙ୍କ କାମରେ ଲାଗିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ବାଣପୁର ବି.ଡି.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନଥିବା କୋହଭରା କଣ୍ଠରେ କହିଛନ୍ତି।

ଏହି ବାବଦରେ ଆମ ପ୍ରତିନିଧି ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେଵାରୁ ସେ କହିଲେ ଯେ, ଏହାକୁ ନେଇ ଆମେ ତତ୍ପର ଅଛୁ। ଅଭିଯୋଗ ପରେ ବର୍ତ୍ତମାନ ଉକ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିବା ବେଳେ ଡି-ମାର୍କେସନ ପାଇଁ ଆବେଦନ କରିଛୁ। ଡି-ମାର୍କେସନ ପରେ ଉଚିତ ପଦକ୍ଷେପ ନେବୁ ବୋଲି ବିଡିଓ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ ନିର୍ମାଣ କାର୍ଯ୍ୟକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କହିଛନ୍ତି। ଏ ନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସରକାରୀ ବାବୁମାନଙ୍କ ଶିଥିଳତା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଶ୍ରୀ ରଣସିଂହ କହିଛନ୍ତି।

ଲୋକାଭିମୁଖ ଯୋଜନା ନାମରେ ସରକାରୀ ଅର୍ଥ ବର୍ବାଦ ହେଉଥିବା ବେଳେ ଏହା ପାଇଁ ଦାୟୀ କିଏ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ସରକାର ଘଟଣାକୁ ଉପଯୁକ୍ତ ତଦନ୍ତ କରି ସୁବର୍ଣ୍ଣଙ୍କୁ ନ୍ୟାୟ ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ତେବେ ସୁବର୍ଣ୍ଣଙ୍କ ପରିବାରକୁ ପ୍ରଶାସନ ତରଫରୁ କେବେ ନ୍ୟାୟ ମିଳୁଛି, ତାହା ଦେଖିବା ବାକି ରହିଲା ।

Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଦର ଦାମ ବୃଦ୍ଧିକୁ ନେଇ ବାଣପୁରରେ ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଅତ୍ୟାବଶ୍ୟକୀ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ/ସହରାଞ୍ଚଳରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା।

ଉକ୍ତ ପ୍ରତିବାଦ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଲାଗି ସୁରେଶ ରାଉତରାୟ ଏବଂ ପ୍ରଦୀପ କୁମାର ସ୍ୱାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ପ୍ରତିବାଦ ସଭା ପରେ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କୋଭିଡ କଟକଣା ଅନୁଯାୟୀ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ବାଣପୁର ବ୍ଲକ ସମ୍ମୁଖରୁ ବାହାରି ନଗର ପରିକ୍ରମା କରି ବିଶରପାଟଣା ଛକ ପର୍ଯ୍ୟନ୍ତ ଯାଇଥିଲା। ତେବେ ସୁରେଶ ରାଉତରାୟଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ: ବାଣପୁର ବ୍ଲକ ଘେରାଉ କଲା ବିଜେପି

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର ଗରିବ ଲୋକଙ୍କ ହିତ ପାଇଁ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଗରିବର ମୁଣ୍ଡ ଉପରେ ଛାତ। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ହେଉଥିବାର ଅଭିଯୋଗ କରିଛି ବିରୋଧୀ ଦଳ ବିଜେପି।

ରାଜ୍ୟରେ ପ୍ରକୃତ ହିତାଧିକାରୀ ଉକ୍ତ ଯୋଜନାର ସୁଫଳ ପାଉନଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁମୋଦିତ ଅର୍ଥକୁ ଚଂଚକତା କରି ହରିଲୁଟ ହେଉଥିବାର ଅଭିଯୋଗ କରିଛି ବିଜେପି। ଏହି ଆଧାରରେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

ଅନୁରୂପ ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ବିଜେପି ତରଫରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ନେ ବ୍ଲକ ଫାଟକ ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ।

ବିଜେପି ବିଭିନ୍ନ ଦାବି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକରେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ଉଚିତ ଦଣ୍ଡ ଦେବା ସହ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ନିମନ୍ତେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ବାଣପୁର ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲା। ସେହିଭଳି ଗତକାଲି ମଧ୍ୟ ବିଜେପି ପକ୍ଷରୁ ଚିଲିକା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଉକ୍ତ ବିକ୍ଷୋଭ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଧବ ଦଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶୀଲ ବିଶୋଇ, ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅମେରେନ୍ଦ୍ର ରଣସିଂହ, ୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ଦେବରାଜ ବସ୍ତି, ଭେଟେଶ୍ଵର ସରପଞ୍ଚ ତଥା ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ଭୋଳ, ନନ୍ଦପୁର ସରପଞ୍ଚଙ୍କ ପ୍ରତିନିଧି ରମେଶ ପ୍ରଧାନଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକର ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନାର ଦ୍ଵିତୀୟ ଲହର କ୍ଷିପ୍ର ଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ଚିଲିକା ବ୍ଲକରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବାଣପୁର ବ୍ଲକରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବ୍ଲକରେ ବର୍ତ୍ତମାନ କରୋନା ସ୍ଥିତି ସମାନ ରହିଛି।

ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ କୌଣସି ଅଞ୍ଚଳରେ ପଜିଟିଭ ଚି଼ହ୍ନଟ ହେଲେ, ସେହି ଅଞ୍ଚଳକୁ ସଙ୍ଗେ ସଙ୍ଗେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛି। ଯାହାଫଳରେ କରୋନାକୁ ପ୍ରତିହିତ କରିହେବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଓଡଗାଁର କିଛି ଅଂଶ, ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳର କିଛି ଅଂଶ ଏବଂ ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ନାଚୁଣୀ ବଜାରର କିଛି ଅଂଶକୁ ଆଜିଠାରୁ ୩୦ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Categories
ଆଞ୍ଚଳିକ

ପୁଲଓ୍ୱାମା ଆକ୍ରମଣ ଘଟଣା: ବାଣପୁରରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୀତାରାମ ଅଗ୍ରୱାଲ

ବାଣପୁର: ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏଯାଏଁ ବି ଲୋକଙ୍କ ମନରୁ ଏହି ଘଟଣା ଲିଭି ପାରିନାହିଁ।

ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା। ଏହି ଘଟଣାକୁ ମନେ ପକାଇବା ସହ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଆଜି ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମର ଚତୁପାର୍ଶ୍ଵରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏହି ଗ୍ରାମର ସଞ୍ଜୟ ସ୍ମାରକୀ କ୍ରିକେଟ କ୍ଲବ ପକ୍ଷରୁ ଶହୀଦ ବୀର ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶହିଦ୍ ହୋଇ ଥିବା ବୀର ଯବାନମାନଙ୍କୁ ସ୍ମୃତି ଚାରଣ କରିବା ସହ ସେମାନେ ସର୍ବଦା ଅମର ହୋଇ ରହିବେ ବୋଲି କ୍ଳବର ସଦସ୍ୟ ମାନେ ଭାବ ବିହ୍ଵଳ ହୋଇ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନ୍ତିମ କ୍ଵାର୍ଟରରେ ପୁରୀକୁ ହରାଇ ସେମିରେ ପହଞ୍ଚିଲା ଖୋର୍ଦ୍ଧା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ କ୍ଵାର୍ଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅନ୍ତିମ କ୍ଵାର୍ଟର ଫାଇନାଲ ମ୍ୟାଚ ଖୋର୍ଦ୍ଧାର ମା’ ବଘେଇ କ୍ରିକେଟ ଟିମ ଓ ପୁରୀର ଲଭର୍ସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଖୋର୍ଦ୍ଧା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ  ୧୭ ଓଭରରେ ୮ ଟି ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ପୁରୀ ଦଳ ନିର୍ଦ୍ଧାରିତ ଓଭରରେ ୭ ଟି ୱିକେଟ ହରାଇ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ୨୭ ରନରେ ଖୋର୍ଦ୍ଧା ବିଜୟ ହୋଇ ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛି।

ତେବେ ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚରେ ଘରୋଇ ଟିମ ସନ ସାଇନ କ୍ଲବ ଏବଂ ଭୁବନେଶ୍ବର ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଯେଉଁ ଟିମ ବିଜୟ ହେବ ଫାଇନାଲ ମ୍ୟାଚ ଖେଳିବା ଲାଗି ସୁଯୋଗ ପାଇବ। ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖୋର୍ଦ୍ଧାର ବଘେଇ କ୍ରିକେଟ ଟିମ ବନାମ ବାଲୁଗାଁ ଲିଜେଣ୍ଡସ ଇଲେଭେନ ଟିମ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ଆସନ୍ତା ୧୧ ତାରିଖରେ ପ୍ରଥମ ସେମି ଫାଇନାଲର ବିଜେତା ଏବଂ ଦ୍ଵିତୀୟ ସେମି ଫାଇନାଲର ବିଜେତା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ଦୀର୍ଘ ୨୫ ବର୍ଷ ଧରି ସନ ସାଇନ ଗ୍ରାଉଣ୍ଡରେ ଆୟୋଜିତ ହେଉଅଛି। ଏହି ଟୁର୍ଣ୍ଣାମେଣ୍ଟଟି ବାଣପୁର ଅଞ୍ଚଳର ଏକ ବଡ ଟୁର୍ଣ୍ଣାମେଣ୍ଟ ଭାବେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଦର୍ଶକ ଦୂର ଦୁରାନ୍ତରୁ ଖେଳ ଦେଖିବା ପାଇଁ ଆସିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଖ୍ୟାତିସମ୍ପର୍ଣ୍ଣ ଖେଳାଳିମାନେ ଭାଗ ନେଉଥିବାରୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଆୟୋଜକ ଦଳ ପକ୍ଷରୁ ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କାର ପୁରଷ୍କୃତ ରାଶି ଏବଂ ଉପବିଜେତା ଦଳକୁ  ଟ୍ରଫି ସହ ୨୦ ହଜାର ଟଙ୍କାର ପୁରଷ୍କୃତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ

ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ ଦାବିରେ ଶତାଧିକ ମହିଳାଙ୍କ ବାଣପୁର ବ୍ଲକ ଘେରାଉ

ସୀତାରାମ ଅଗ୍ରୱାଲ 

ବାଣପୁର: ସ୍ଥାୟୀ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ସାଙ୍ଗକୁ ବର୍ତ୍ତମାନର ଅସ୍ଥାୟୀ ଅଫିସ ଗୃହକୁ ନିଜ ୱାର୍ଡରେ କରିବା ଦାବିନେଇ ଭବାନୀପୁର ଗ୍ରାମର ଶତାଧିକ ମହିଳାଙ୍କ ବ୍ଲକ ଅଫିସ ଘେରାଉ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୁତନ ଭାବେ ଗଠନ ହୋଇଥିବା ଭବାନିପୁର ପଞ୍ଚାୟତର ଅଫିସ ଗୃହ ନିର୍ମାଣରେ ଅସନ୍ତୋଷ ବ୍ୟକ୍ତ କରି ଭବାନିପୁର ଗ୍ରାମର ଶତାଧିକ ମହିଳା ବ୍ଲକ ଘେରାଉ କରିଥିଲେ।

ସେମାନଙ୍କର ଅଭିଯୋଗ, ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତ କାର୍ଯ୍ଯାଳୟ ଭବାନିପୁର ୱାର୍ଡରେ କରାଯିବାର ଥିଲା। କିନ୍ତୁ ତାହା ନିକଟସ୍ଥ ଭୁସ୍କାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଉଛି। ତେବେ ଏହାକୁ ନେଇ ଆଜି ଗ୍ରାମର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ। ଏହା ସହିତ ଗତ ଦୁଇଦିନ ତଳେ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ ଅଫିସ ମଧ୍ୟ ଘେରାଉ କରିଥିଲେ।

ଏ ସମ୍ପର୍କରେ ଆମେ ବାଣପୁର ବି.ଡି.ଓ ଶୁଭଶ୍ରୀ ତ୍ରିପାଠୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଭୁସ୍କାପଡାରେ ସ୍ଥାୟୀ ଅଫିସ ନିର୍ମାଣ କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ଏକ ଗୁଜବ। ଆଗକୁ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟଙ୍କ ନିଷ୍ପତିନାମା ଅନୁଯାୟୀ ଉକ୍ତ ପ୍ରକଳ୍ପ ନିର୍ମାଣ ହେବ ବୋଲି ବି.ଡ଼ି.ଓ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଘେରାଉ କଲେ ସ୍ବୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଅକ୍ଟୋବର ୬ ତାରିଖରେ ଓଡଗାଁର ଏକ ମନ୍ଦିରଠାରେ ମହିଳାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସିଆରପିମାନେ ଏମ୍‌ବିକେ ଯୋଗଦେଇନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।

ଏହାପରେ ଗତ ଅକ୍ଟୋବର ୧୯ ତାରିଖରେ ସମସ୍ତ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓଏଲଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଡିଓ ଆସିନଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଉପସ୍ଥିତ ରହିଛନ୍ତି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ସହିତ ଗୋଟିଏ ପ୍ଲାଟୁନ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।