Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ସଡକ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ପୁଅ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ମୃତକଜଣଙ୍କ କୟଥପଲା ଗ୍ରାମର ଗଣେଷ ବାରିକ ବୋଲି ଜଣାପଡିଛି। ଗଣେଷଙ୍କ ବାପା କୁହୁଡି ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗଣେଷ ଏକ ବାଇକ୍ ଯୋଗେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ କୟଥ ପଲା ଛକ ଠାରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଗଣେଷ ଛିଟିକି ପଡିଥିଲେ। ପରେ ତାଙ୍କ ମୁଣ୍ଡ ଉପରେ ଟ୍ରଲର ଚକ ଚଢି ଯାଇଥିଲା। ଘଟଣା ସ୍ଥଳରେ ଗଣେଷଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ତାଙ୍କର ବଡ ବୋଉଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ପ୍ରତିବାଦ କରିଛନ୍ତି।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ସେହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବାଲୁଗାଁ ଏସଡିପିଓ ଶ୍ରୀ ବାରିକଙ୍କ ଆଶ୍ଵାସନା ପରେ ଦୀର୍ଘ ୩ ଘଣ୍ଟା ଧରି ପ୍ରତିବାଦ କରୁଥିବା ଉତ୍ୟକ୍ତ ଲୋକେ ଧାରଣାରୁ ଉଠିଥିବା ଜଣାପଡିଛି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଥିବା ବେଳେ ଚାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସିରିଜ ଦୁର୍ଘଟଣା: ଅଟୋ ଚାଳକଙ୍କ ସମେତ ତିନି ଗୁରତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଅଟୋ ଚାଳକଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ପାରିକଂସାରୀ ଗ୍ରାମରୁ କେବୁଲ କାମ ସାରି ଏକ ଅରଟେଲ କେବୁଲ ଅଟୋଟି ବାଲୁଗାଁ ଅଫିସ ଅଭିମୁଖେ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରାହ୍ମଣକୋଷଡିହ ଛକ ନିକଟରେ ଅଟୋଟିକୁ ଏକ ଆଇଚର ଗାଡ଼ିଟି ପଛପଟୁ ଶକ୍ତ ଧକ୍କା ଦେବା ସହ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ମଧ୍ୟ ଧକ୍କା ଦେଇ ଫେରାର ହୋଇଯାଇଥିଲା। କିନ୍ତୁ ଆଇରନ ବୋଝେଇ ଟ୍ରକର କିଛି କ୍ଷତି ହୋଇନଥିବା ବେଳେ ଅଟୋଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ତେବେ ଅଟୋ ମଧ୍ୟରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଅଟୋ ଚାଳକ ଜୟକୃଷ୍ଣ ରଣା (୬୦) ଙ୍କ ଡାହାଣ ପାଦଟି କଟିଯାଇଥିବାର ଖବର ମିଳିଛି। ଅଟୋ ଚାଳକଜଣଙ୍କ ବାଲୁଗାଁ ଗୁଣ୍ଡୁରିପୁରର ବୋଲି ଜଣାପଡିଛି।

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ବିଜୟ କୁମାର ବଳିୟାରସିଂହ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ପଠାଇଛନ୍ତି। ଏହାସହ ସ୍ଥାନୀୟ ପୋଲିସକୁ ମଧ୍ୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବିଦ୍ୟୁତ ଖୁଣ୍ଟରେ ଅଡି କାର ପିଟିହୋଇ ପୁରା ଚୁରମାର, ସାତଜଣଙ୍କ ମୃତ

ବଡ ସଡକ ଦୁର୍ଘଟଣା: ଗତକାଲି ବିଳମ୍ବିତ ରାତିରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଏକ ଅଡି କ୍ୟୁ 3 କାର ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଗଲା। ଫଳରେ କାରରେ ଥିବା ସମସ୍ତ ସାତ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ. ଅଡି କାରର ଆଗପଟଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି।

ଏହି ଘଟଣାଟି ଘଟିଛି ବାଙ୍ଗାଲୋର ସହରର କରୋମଙ୍ଗଳାରେ ଘଟିଛି। ଦେଖଣାହାରୀଙ୍କ ଅନୁସାରେ ଗତକାଲି ରାତି ପ୍ରାୟ ଗୋଟିଏ ବେଳେ ଏହି କାରଟି ଦ୍ରୁତ ଗତିରେ ଯାଉଥିଲା। ଯେଉଁମାନେ କାରର ଗତି ଦେଖୁଥିଲେ ସେମାନେ ନିଶ୍ଚିତ ହୋଇଥିଲେ ଯେ ଏହା ବାଟରେ କେଉଁଠି ପିଟିହେବ। ସତକୁ ସତ ଏକ ବିଦ୍ୟୁତ ଖୁଣ୍ଟରେ ଏତେ ଯୋଜରରେ ପିଟିହେଲା ଯେ ପାଖ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇପଡିଥିଲେ। କାରରେ ଥିବା ଯାତ୍ରୀଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଡାହାଣ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ରାଜକିଶୋର ସାହୁ (୨୮) ନାମକ ଜଣେ ଯୁବକ ନିଜ ସ୍କୁଟି ଯୋଗେ ସୁନାଖେଳାରୁ ନାଚୁଣୀ ଅଭିମୁଖେ ଯାଉଥିବାବେଳେ ସୁନାଖେଳା ଓଭରବ୍ରିଜ ଉପରେ ପଛପଟୁ ଆସୁଥିବା ଏକ କାଠ ବୋଝେଇ ଟ୍ରକଟି ରାଜକିଶୋରଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରାଜକିଶୋର ତଳେ ପଡିଯାଇଥିଲେ ଏବଂ ତାଙ୍କ ଡାହାଣ ହାତରେ ଟ୍ରକର ପଛ ଛକା ଚଢିଯାଇଥିଲା। ଯାହାଦ୍ୱରା ରାଜକିଶୋରଙ୍କ ଡାହାଣ ହାତଟି ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ରୋଡ଼ରେ ପଡିରହିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ସହଯୋଗରେ ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅପରପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ନାଚୁଣୀ ଫାଣ୍ଡି ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗ୍ରାମର ଦୁଇ ଜଣ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିବାବେଳେ ଉଭୟ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାର ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଥାଉକି ଆହତ ପଦ୍ମନାଭ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜଣେ ଠିକାଦାରଙ୍କ ଯୋଗେ ଆଜି ସନ୍ଧ୍ୟା ଟ୍ରେନରେ କାମ ଆଶାରେ ଚେନ୍ନାଇ ଯାଇଥାନ୍ତେ। ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଥିବାବେଳେ ସେ ମଧ୍ୟ ବର୍ତ୍ତମାନ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି। ଭାଗ୍ୟକୁ ଆଦରି ବାଣପୁର ମେଡିକାଲ ପରିସରରେ ପଦ୍ମନାଭ କାନ୍ଦୁଥୁବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୟାଗଡ/ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ କୁମାର ରଥ ନାମକ ଜଣେ ବରିଷ୍ଠ ନାଗରିକ ପୂଜା ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ୧୬ ନଂ ଜାତୀୟ ରାଜପଥ ଅସୋକାଇ ଖୋଲ ଛକ ନିକଟରେ ହଠାତ ଏକ ଟାଟା ଏସି ଗାଡି ଆସି ବସନ୍ତଙ୍କ ପଛପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, ବସନ୍ତ କୁମାର ରଥ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲେ। ଏବଂ ବସନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବରିଷ୍ଠ ନାଗରିକ ଜଣଙ୍କ ଚମ୍ପାଗଡ଼ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଶବ ଓ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୁରୁତର ବ୍ୟକ୍ତି ଭୁବନେଶ୍ବର ସ୍ଥାନାନ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତି ୮.୩୦ ଘଟିକାରେ ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ଚନ୍ଦ୍ରମଣି ପରିଡା (୬୧) ବାଣପୁର ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ ଭର୍ତ୍ତିକରି ଚାଲିଚାଲି ନିଜ ଗ୍ରାମକୁ ଯାଉଥିଲେ।

ଠିକ ଏହି ସମୟରେ ଦୃତ ଗତିରେ ଏକ ପଲସର ବାଇକ ( ଗାଡି ନଂ-ଓଡ଼ି- ୦୨- ଏ.ଏକ୍ସ ୬୨୫୧) ଆସି ହଠାତ୍ ଚନ୍ଦ୍ରମଣିଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଉକ୍ତ ବାଇକରେ ତିନି ଜଣ ବସିଥିବାର ସୂଚନା ମିଳିଛି। ଚନ୍ଦ୍ରମଣିଙ୍କ ମସ୍ତିଷ୍କରେ ପ୍ରବଳ ଆଘାତ ଲାଗିବା ସହ ବାମ ଗୋଡ ଏବଂ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଛି।

ତେବେ ଦୁର୍ଘଟଣାସ୍ଥଳରେ ଚନ୍ଦ୍ରମଣିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ହେତୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ଚନ୍ଦ୍ରମଣିଙ୍କ ଆଶୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ତାଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଛନ୍ତି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ବାଇକକୁ ବାଣପୁର ପୋଲିସ ଜବତ କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ତେବେ ବାଣପୁର ବଜାରରେ କେତେକ ଅମାନିଆମାନେ ଅତି କ୍ଷିପ୍ର ଗତିରେ ବାଇକ ଚଲାଉଥିବାରୁ ଏହିପରି ଦୁର୍ଘଟଣାମାନ ବାରମ୍ବାର ଘଟୁଥିବାର ଅଞ୍ଚଳବାସି ଅଭିଯୋଗ କରିଛନ୍ତି।

ଅନୁରୂପ ଭାବେ ବାଣପୁର ପୋଲିସ ଏପରି ଅମାନିଆଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ସହ ସହରରେ ଯାନବାହାନର କ୍ଷିପ୍ରଗତି ଉପରେ ଅଙ୍କୁଶ ଲଗାଇବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସ୍ ଧୁଆଁଳ ଛକ ନିକଟରେ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୁଆଁଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ୨୬ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମର ସାଗର ସାହୁ ଆଜି ଅପରାହ୍ନରେ ବାଣପୁରରୁ ଏକ କାର୍ଯ୍ୟ ସାରି ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ପାଖାପାଖି ୫ ଘଟିକା ସମୟରେ ଧୂଆଁଳ ଛକ ନିକଟରେ ଏକ ଅଜଣା ସ୍କୋର୍ପିଓ ଗାଡି ସାଗରଙ୍କ ବାଇକର ପଛପଟୁ ଧକ୍କା ଦେଇଥିଲା। ଯଦ୍ୱାରା ସାଗର ବାଇକରୁ ଛିଟିକି ରୋଡ଼ରେ ପଡ଼ିଥିଲେ ଏବଂ ଏକ ସିମେଣ୍ଟ ଖୁଣ୍ଟିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଅନୁରୂପ ଭାବେ ବାଇକ ପଛରେ ବସିଥିବା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ସଡକ ଦୁର୍ଘଟଣା: କୁହୁଡି ନିକଟସ୍ଥ କୟଥପଲ୍ଲା ଛକ ନିକଟରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଗତକାଲି ପୁଣି ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ରଣଜିତ୍ ପ୍ରଧାନ(୨୨) ଗତକାଲି ବିଳମ୍ବିତ ରାତିରେ ତାଙ୍କ ବନ୍ଧୁଙ୍କୁ ଛାଡିବା ପାଇଁ ବାଇକ ଯୋଗେ କୁହୁଡି ଯାଇଥିଲେ। ବନ୍ଧୁଙ୍କୁ ଛାଡି ଫେରୁଥିବା ବେଳେ କୟଥପଲ୍ଲା ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ରଣଜିତଙ୍କ ମୁଣ୍ଡ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ରଣଜିତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ତଦନ୍ତ ଚାଲିଥିଲେ ମଧ୍ୟ ଧକ୍କା ଦେଇ ଫେରାର ହୋଇଥିବା ଗାଡିର ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ ବୋଲି ଟାଙ୍ଗୀ ଆଇଆଇସି ସରୋଜ ଉପାଧ୍ୟୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମୟୁରଭଂଜ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ମୃତକ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ।

ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଗୁରୁତର ଥିବା ଜଣାପଡିଛି। ମୃତକ ମାନେ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା  ଓ ଗାୟତ୍ରୀ ରଇତ। ଗୁରୁତର ମାନଙ୍କ ମଧ୍ୟରୁ ତିନିରୁ ଚାରି ବର୍ଷର ଏକ ଶିଶୁ ରହିଥିବା ସୂଚନା ମିଳିଛି।