Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଊତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧୀ ଚେତନା ଓ ଗାନ୍ଧୀ ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧୀଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା, ସାଧାରଣ ସଭା, ବିଶ୍ରାମସ୍ଥଳୀ ଆଦିର ଦୁର୍ଲଭ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହେଉଛି।

ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ୩ ତାରିଖ ଦିନ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ସେହିପରି ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ସର୍ବସାଧାରଣଙ୍କ ନିମନ୍ତେ ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ସହିତ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ, ହରପ୍ରସାଦ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ, ଓଡିଶା ଆଗମନକୁ ମଧ୍ୟ ପୁରିଲା ୧୦୦ ବର୍ଷ

ଭୁବନେଶ୍ବର : ଆଜି ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ସେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି ତଥା ଶିକ୍ଷା ଉପରେ ଯେଉଁ ପଦକ୍ଷେପ ତାହା ଆଜି ସମସ୍ତଙ୍କର ଆଦର୍ଶ ହୋଇ ରହିଛି।

ତେବେ ସାରା ଭାରତରେ ଅହିଂସା ଆନ୍ଦୋଳନର ପୁରଧା ସାଜିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ବହୁଥର ଓଡିଶା ଆସିଛନ୍ତି। ପ୍ରଥମ ଓଡିଶା ଗସ୍ତ ୨୩ ମାର୍ଚ୍ଚ ୧୯୨୧ ଥିଲା। ଅର୍ଥାତ  ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୁରଣ ହୋଇସାରିଛି। ସେସବୁ ଗସ୍ତ ସଂପର୍କରେ ଆସନ୍ତୁ ଜାଣିବା।

ପ୍ରଥମ ଗସ୍ତ ୧୯୨୧: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ ରେ ଓଡିଶା ଆସିଥିଲେ। ସାଥିରେ ପତ୍ନୀ କସ୍ତୁରବା ଏବଂ କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ସହ ସେ କଟକ ରେଳ ଷ୍ଟେସନରେ ପହଁଚିଥିଲେ। ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ନେଇଥିଲେ ।

ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡି ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କୁ ଏକ ବିରାଟ ସାଧାରଣ ସଭାରେ ସ୍ବାଗତ କରାଯାଇଥିଲା। ଏହାପରେ ମାର୍ଚ୍ଚ ୨୬ତାରିଖରେ ଗାନ୍ଧିଜୀ ପୁରୀ ଗସ୍ତ କରିଥିଲେ। ସେଠାରେ ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ସହିତ ସେ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।ସେ ସାତଦିନ ଧରି ଓଡିଶାରେ ରହିଥିଲେ।

ଦ୍ୱିତୀୟ ଗସ୍ତ ୧୯୨୫: ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକ ଆସିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନା ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ ।

ତୃତୀୟ ଗସ୍ତ ୧୯୨୭: ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜ ଆମନ୍ତ୍ରଣ କ୍ରମେ ତାଙ୍କ ଘରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇ ପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ ।

ଚତୁର୍ଥ ଗସ୍ତ ୧୯୨୮: ୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରି ଥିଲା। ଗୋପବନ୍ଧୁଙ୍କର ନିଃସ୍ୱାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ। ବାଲେଶ୍ବର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ ।

ପଞ୍ଚମ ଗସ୍ତ: ୧୯୩୪: ମହାତ୍ମା ଗାନ୍ଧୀ୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡା ଆସିଥିଲେ। ସେଠାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନସଭାରେ କଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ

ଭୁବନେଶ୍ବର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସହ ନିଜର ବକ୍ତବ୍ୟ ରଖିଛନ୍ତି। ସେ ବିଧାନସଭାରେ ଯାହା କହିଛନ୍ତି ତାହା ହେଲା…

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି । ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧିନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।

ସମଗ୍ର ବିଶ୍ବକୁ ଭାରତର ଯାହା ଅବଦାନ ରହିଛି, ତନ୍ମଧ୍ୟରୁ ଗାନ୍ଧୀ ଦର୍ଶନ ଓ ଗାନ୍ଧୀଙ୍କ ବାର୍ତ୍ତା ଏକ ମହାନ ଅବଦାନ ଭାବରେ ପରିଗଣିତ।

ଆଜି ଆମେ କୌଣସି ସାଧାରଣ ପରିସ୍ଥିତି ମଧ୍ୟରେ ଗତି କରୁନାହୁଁ। ମହାମାରୀର ମୁକାବିଲା ଏହି ଆହ୍ବାନର ସାମୁହିକ ରୂପକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବକୁ ମନେପକାଇ ଦେଇଛି ଯେ ଯଦି ଆମ ଜନସଂଖ୍ୟାର ଏକ ବଡ ଅଂଶ ଦାରିଦ୍ର‌୍ୟ ଓ ଶଂକାକୂଳ ଅବସ୍ଥାରେ ରୁହନ୍ତି, ତେବେ ଅଳ୍ପ କିଛି ଲୋକଙ୍କ ସଂପତ୍ତି ଓ ବିକାଶ ମୂଲ୍ୟହୀନ। ଆମେ ସମସ୍ତେ ଗୋଟିଏ ସୂତ୍ରରେ ଯୋଡି ହୋଇ ରହିଛେ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ବ୍ୟକ୍ତିଗତ ଲୋଭକୁ ଦୂର କରିବା ଉପରେ ଗାନ୍ଧୀଜୀଙ୍କ ଗୁରୁତ୍ବ ଏବଂ ସାଧାରଣ ଲୋକ ସଂପର୍କରେ ଚିନ୍ତା କରିବାପାଇଁ ତାଙ୍କର ଆହ୍ବାନ ଆମକୁ ବିଶ୍ବର ଆବଶ୍ୟକତା ସଂପର୍କରେ ମନେ ପକାଇ ଦିଏ ।

ଆଜି ସମଗ୍ର ବିଶ୍ବରେ ବିଭେଦ ଓ ଧୃବୀକରଣ ବଢିଚାଲିଛି। ବହୁ ମତବାଦର ସୁରକ୍ଷା ପ୍ରତି ଗାନ୍ଧୀଜୀଙ୍କର ନିଷ୍ଠା, ସହିଷ୍ଣୁତା ଓ ସଦ୍‌ଭାବର ବାର୍ତ୍ତା ଆଜି ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯାହା ସେତେବେଳେ ଥିଲା । ମହାତ୍ମାଗାନ୍ଧୀଙ୍କ ଅହିଂସ ପ୍ରତିବାଦ ଏପରି ଏକ ସ୍ଫୁଲିଙ୍ଗ, ଯାହା ସମଗ୍ର ବିଶ୍ବରେ ଅନେକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରେରଣା ଦେଇଛି ।

ଗାନ୍ଧୀଙ୍କ ଏହି କାଳଜୟୀ ଦର୍ଶନକୁ ମନେ ପକାଇବା ପାଇଁ କଳିଙ୍ଗ ଠାରୁ ଆଉ ଭଲ ସ୍ଥାନ କଣ ଥାଇପାରେ, ଯେଉଁଠାରେ ଦୁଇ ସହସ୍ର ବର୍ଷ ପୂର୍ବେ ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତିର ମାର୍ଗ ଗ୍ରହଣ କରିଥିଲେ । ଆଜି ଏହି ଅବସରରେ ମାର୍ଟିନ ଲୁଥର କିଙ୍ଗ (ଜୁନିଅର)ଙ୍କ କଥାକୁ ମନେ ପକାଉଛି । ସେ କହିଥିଲେ “ ଯଦି ମାନବତାକୁ ଅଗ୍ରସର ହେବାକୁ ଅଛି, ତାହେଲେ ଗାନ୍ଧୀଙ୍କୁ ଛାଡି ହେବ ନାହିଁ । ଆମେ କେବଳ ନିଜ ପାଇଁ ବିପଦ ସୃଷ୍ଟି କରି ହିଁ ଗାନ୍ଧୀଜୀଙ୍କୁ ଉପେକ୍ଷା କରିପାରିବା”। କିଙ୍ଗ୍‌ଙ୍କ ଏହି ମନ୍ତବ୍ୟ ଆଜିର ଦୁନିଆ ପାଇଁ ସଂପୂର୍ଣ୍ଣ ଭାବେ ପ୍ରାସଙ୍ଗିକ।

ମହାତ୍ମାଗାନ୍ଧୀ ଯେତେବେଳେ ୧୯୨୧ରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳେ ଓଡିଶା ଗୋଟିଏ ସ୍ବତନ୍ତ୍ର ରାଜ୍ୟ ନ ଥିଲା। ଲକ୍ଷ୍ୟ ଲକ୍ଷ୍ୟ ଓଡିଆ ଭାଷାଭାଷୀ ଲୋକଙ୍କ ଆକାଂକ୍ଷା ୧୯୩୬ରେ ବାସ୍ତବ ରୂପ ନେଇଥିଲା। ଗାନ୍ଧୀ ଯେତେବେଳେ ୧୯୪୬ ଜାନୁଆରୀରେ ଶେଷ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳକୁ ଏକ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ୧୦ ବର୍ଷ ପୂରଣ କରିସାରିଥିଲା। ଓଡିଶା କିଭଳି ଭାବେ ନିଜର ଭାଷାଗତ ଓ ଆଞ୍ଚଳିକ ଆକାଂକ୍ଷା ସହିତ ଜାତୀୟ ଲକ୍ଷ୍ୟର ସମନ୍ବୟ ରକ୍ଷା କରିପାରିଥିଲା, ତାହା ଏକ ଚମତ୍କାର ଉବଗ୍ଦର ଝଗ୍ଧଙ୍କୟଚ୍ଚ ଥିଲା।

ଏହି ଅବସରରେ ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରୁଛି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ଏକ ପ୍ରତୀକ ନ ଥିଲା । ଗାନ୍ଧୀଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ବାସର ପ୍ରତିଫଳନ । ଆଜି ଯେତେବେଳେ ଏହି ପବିତ୍ର ଗୃହ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଏହି ଅବସରରେ ଏକ କୃତଜ୍ଞତାର ଭାବନା ସହ ମୁଁ ଗାନ୍ଧୀଜୀଙ୍କର ପ୍ରସିଦ୍ଧ ପରଶମଣି ସଂପର୍କରେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ତାରିଖ ବେରବୋଇ ଠାରୁ ସଦ୍‌ଭାବନା ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର, ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପୀ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯିବ ବୋଲି ନିଷ୍ପତି କରାଯାଇଛି।

ଏହି ଉପଲକ୍ଷେ ୧୩ ତାରିଖ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାକୁ ଉଦ୍‌ଘାଟନ କରିବେ ବୋଲି ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ସୂଚନା ଦେଇଛନ୍ତି ।

ପରେ ଏହି ପଦଯାତ୍ରା ପଟ୍ଟନାୟିକିଆ ଛକ ଦେଇ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପହଂଚିବ । ଏହିଦିନ ସନ୍ଧ୍ୟା ସମୟରେ ଗାନ୍ଧୀ, ଗୋପବନ୍ଧୁ ଓ କଂଗ୍ରେସକୁ ନେଇ ଏକ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପରଦିନ ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖ ସକାଳ ୮ ଘଟିକା ସମୟରେ ପଦଯାତ୍ରା ସୁଆଣ୍ଡୋ ଠାରୁ ବାହାରି ପୁରୀ ଗାନ୍ଧୀଘାଟ ଠାରେ ସମାପନ ହେବ । ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗାନ୍ଧିପ୍ରେମୀ, ଗୋପବନ୍ଧୁ ପ୍ରେମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣ ବହୁଳ ସଂଖ୍ୟାରେ ଯୋଗଦେଇ ସଦ୍‌ଭାବନା ପଦଯାତ୍ରାକୁ ସଫଳ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିବେଦନ କରାଯାଇଛି ।