Categories
ବିଶେଷ ଖବର

ମିଶନଶକ୍ତି ମା’ମାନଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ ବିରୋଧୀ: ବିଜେଡ଼ି

ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ।

ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି, ସେମାନେ ରୁଗ୍‌ଣ ମାନସିକତାରେ ବର୍ତ୍ତମାନ ପଡ଼ିଛନ୍ତି। ମହିଳାମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଏବଂ ତାକୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ଫଳରେ ଓଡ଼ିଶା ଆଜି ବିକାଶର ବହୁ ଆଗକୁ ଯାଇଛି। ପୁରୁଷ ଏବଂ ମହିଳା ଉଭୟଙ୍କ ଭାଗିଦାରୀରେ ସମାଜ ଏକ ବିକଶିତ ସମାଜରେ ପରିଣତ ହୋଇଛି। ‘ମା’ଙ୍କୁ ଭକ୍ତି, ମା’ଙ୍କ ଶକ୍ତି ମିଶନଶକ୍ତି’। ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ । ବିରୋଧୀ ଦଳ ମହିଳା ଜାତିକୁ ଅପମାନିତ କରନ୍ତୁ ନାହିଁ। ଯଦି ଅପମାନ କରିବେ ମା’ମାନେ ଉଚିତ୍ ଜବାବ ଦେଇଛନ୍ତି, ଆଗକୁ ଆହୁରି ମଧ୍ୟ ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ମିଶନଶକ୍ତି ମା’ଙ୍କୁ ଜୀବିକା: ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମିଶନଶକ୍ତି ମା’ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ।

ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରି, ଗୁଲାବଜାମୁନ୍, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ପ୍ରଶଂସା କରିଥିଲେ। ରାଜଗାଙ୍ଗପୁର ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଏବଂ ମିଲେଟ୍ ଆଉଟଲେଟ୍ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି।
ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ, ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ।

‘‘ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ସମ୍ପର୍କରେ ଆମକୁ ତାଲିମ୍ ଦିଆଯାଇଥିଲା। ଆମ ଗୋଷ୍ଠୀର ୧୩ ଜଣ ସଦସ୍ୟ ତାଲିମ୍ ନେଇଥିଲୁ। ଏବେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିବୁ। ଏଥିରୁ ଯାହା ରୋଜଗାର ହେବ ସେଥିରେ ଆମେ ଆମ ଘର ଚଳାଇବୁ। ଆମ ପାଇଁ ଏହା ନୂଆ କାମ ହୋଇଥିଲେ ମଧ୍ୟ ଆମେ ଏହାକୁ ଆଗ୍ରହର ସହ କରୁଛୁ’’ କହିଛନ୍ତି ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଚିତ୍ରଲେଖା ଗୌଡ଼।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଆଞ୍ଚଳିକ ସଂଯୋଜକ ରାମଚନ୍ଦ୍ର ତୁଷ କହିଛନ୍ତି ଯେ, ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟ ଖୋଲାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସେଣ୍ଟର ଖୋଲାଯିବ। ରାଉରକେଲାରେ ଏକ ମିଲେଟ୍ କାଫେ ଖୋଲିବାକୁ ଯୋଜନା ରହିଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଚଳିତ ବର୍ଷ ୫,୨୩୦ ହେକ୍ଟର ଜମିରେ ୧୬ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଛନ୍ତି। ଏବର୍ଷ ୨୪ ହଜାର ୬୦୦ କୁଇଣ୍ଟାଲ ପୁଷ୍ଟିଶସ୍ୟ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୧ଟି ବ୍ଲକ ଭିତରୁ ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି। ସେହିପରି ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ରାଜଗାଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୱାସନ ଆଞ୍ଚଳିକ ଅଧିକାରୀ ରମଣୀ ରଞ୍ଜନ ନାୟକ, ଝାଡ଼ଖଣ୍ଡ ରାଜ୍ୟ ଜୀବିକା ପ୍ରକଳ୍ପ ଅଧିକାରୀ ଶୁଭକାନ୍ତ ନାୟକ, ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ବ୍ଲକ ଉପ କୃଷି ଅଧିକାରୀ ଆଶିଷ ଦାସ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦ୍‌ଘାଟିତ ହେଲା ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା, ଏଥର ମିଶନଶକ୍ତି ଓ ମହିଳା ଉଦ୍ୟୋଗୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାକୁ ଭର୍ଚୁଆଲ୍‌ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ମିଶନ ଶକ୍ତି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ମେଳାରେ ଅଂଶଗ୍ରହଣ କରିଥିବା ୩୨୦ଟିି ଏମ୍‌ଏସ୍‌ଏମ୍‌ଇ ଓ ୬୦ଟି ଷ୍ଟାର୍ଟ ଅପ୍‌କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏମ୍‌ଏସ୍‌ଏମ୍‌ଇରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିବା ହେତୁ ଏହି ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ମେଳାରେ ଉଦ୍ୟୋଗ ନିମନ୍ତେ ଆଲୋଚନା ଚକ୍ର, ସଂପାନ, ସମସ୍ୟା ସମାଧାନ ଶିବିର, ନୂତନ ସୁଯୋଗ ସୃଷ୍ଟି ତଥା ଉଦ୍ୟୋଗୀ ଓ ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟର ସୁଯୋଗ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସେ ଦର୍ଶାଇଥିଲେ।

ବିଶେଷ ଭାବେ ଓଡ଼ିଶାରେ ରହିଥିବା ସମ୍ବଳର ଯଥାଯଥ ଉପଯୋଗ କରି ତାକୁ କିପରି ବିଶ୍ୱବଜାରରେ ପହଞ୍ଚାଯାଇ ପରିବ ସେଥିନେଇ ଉଦ୍ୟମ ଜାରି ରଖିଥିବା ସେ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସରକାର ଏହି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦର୍ଶାଇ ଆମେ କୋଭିଡ୍‌ ମହାମାରୀ ସତ୍ତେ୍ୱ ୩୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଛୁ ବୋଲି କହିଥିଲେ । ସେ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କରେ ଏଥିପାଇଁ ପର୍ଯ୍ୟାପ୍ତ ଜମି ଗଚ୍ଛିତ ରଖିଥିବା, ସିଙ୍ଗଲ ୱିଣ୍ଡୋ କାର୍ଯ୍ୟକାରୀ କରିବା ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଏଥିପ୍ରତି ଯନିବାନ ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଦର୍ଶାଇଥିଲେ।

ପ୍ରାରମ୍ଭରେ ମେଳା ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଳ୍ପ ସମୟ ମଧ୍ୟରେ ଆମେ ଏହାକୁ ଆୟୋଜନ କରିଥିବାରୁ ଏଥର ବାହାର ଦେଶରୁ ଉଦ୍ୟୋଗୀଙ୍କୁ ଏହି ମେଳାରେ ସାମିଲ କରାଯାଇ ପାରି ନଥିବା କହିଥିଲେ । ତେବେ ମେଳାରେ ପ୍ରତିଟି ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶେଷ ଭାବେ ଏମ୍‌ଏସ୍‌ଏମଇ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କୁ ପ୍ରତିଦିନ ମେଳା ପରିସରରେ ହେବାକୁ ଥିବା ସେମିନାରକୁ ଡକା ଯାଇ ଭାବବିନିମୟ କରାଯିବ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ରାଜ୍ୟ ସରକାର ଏହି ବିଭାଗର ବାର୍ଷିକ ବଜେଟକୁ ଇତି ମଧ୍ୟରେ ଦୁଇଗୁଣା କରିଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିବା କହିଥିଲେ ।

ଏହି ମେଳାରେ ପ୍ରତି ହ୍ୟାଙ୍ଗରରେ ୬୦ଟି ହିସାବରେ ୫ଟି ହ୍ୟାଙ୍ଗରରେ ପ୍ରାୟ ୩୨୦ଟି ଷ୍ଟଲ ଖୋଲାଯାଇଛି । ଗୋଟିଏ ହ୍ୟାଙ୍ଗର ସ୍ୱତନ୍ତ୍ର ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତିର ଉଦ୍ୟୋଗୀଙ୍କ ନିମନ୍ତେ ରଖାଯାଇଛି । ବୃହତ୍‌ ଶିଳ୍ପାନୁଷ୍ଠାନ ମଧ୍ୟରେ ନାଲ୍‌କୋ, ମହାନଦୀ କୋଲ୍‌ ଫିଲଡସ୍‌, ପାରାଦ୍ୱୀପ ରିଫେରିନାରୀ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର, କଟକ, ଆଇଆଇଟି-ଭୁବନେଶ୍ୱର ଏବଂ ମୋ ସ୍କୁଲ, କୟେର ବୋର୍ଡ, ଓସିସିସିଏଲ୍‌, ଓଆର୍‌ଟିଏସ୍‌ଏସ୍‌ ପ୍ରଭୃତି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।

ଏହି ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ ।