Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି

ନୂଆଦିଲ୍ଲୀ: ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି।

ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଜାତୀୟ ଶିକ୍ଷା ନୀତି ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଷ୍ଟାର୍ଟଅପରେ ନିୟୋଜିତ ଥିବା ଯୁବ ଉଦ୍ୟୋଗୀମାନେ କିପରି ସେମାନଙ୍କର ବ୍ୟବସାୟକୁ ଟେକ୍ନୋଲୋଜି ମାଧ୍ୟମରେ ବଢାଇପାରିବେ ସେ ବାବଦରେ ଅବଗତ କରାଇଥିଲେ। ସେହିପରି ଟେକ୍ନୋଲୋଜି ଇନୋଭେସନ, ଉଦ୍ୟମିତା କ୍ଷେତ୍ରକୁ ଉପଯୋଗ କରିବା ଉପରେ ଚର୍ଚ୍ଚା ସହ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ମିଶନ ସଶକ୍ତ କରିବା ପାଇଁ ମେଟାକୁ ନିମନ୍ତ୍ରଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକ୍ କ୍ଲେଗଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିବା ସମୟରେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଉପରେ ଚର୍ଚ୍ଚା କରିଥିଲେ। ଦେଶ ସମେତ ଓଡ଼ିଶା ଭଳି ରାଜ୍ୟରେ ମେଟା ଟେକ୍ନୋଲୋଜି କିଭଳି ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ସହ ସ୍କିଲ୍ କ୍ଷେତ୍ରକୁ ମଜଭୂତ୍ କରିବ, ତାହା ଉପରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।