Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ରାଜନୈତିକ ଲଢେଇ ଜାରି: ପୂର୍ବତନ ବିଧାୟକଙ୍କ ଦଳ ବିରୋଧୀ ବିବୃତ୍ତିର ପ୍ରତିବାଦ କରିବ ବିଜେଡି

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୩ ତାରିଖ ଦିନ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ତାଙ୍କର ବିସ୍ଫୋରକ ବୟାନ ଯୋଗୁଁ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା।

ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ ବୋଲି କହିଥିଲେ। ଏହା ସହ ବିଧାୟକଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି ଶ୍ରୀଯୁକ୍ତ ସାହୁ କହିଥିଲେ।

ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ତେବେ ପାଞ୍ଚ ଦିନର ବିରତି ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ନିଜ ଦଳର ନେତାମାନେ କଡା ଜବାବ ଦେବେ ବୋଲି ଘୋଷଣା କରିଛନ୍ତି।

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଳ ବିରୋଧୀ ବିବୃତ୍ତିକୁ ନେଇ ଏକ ପ୍ରତିବାଦ ସଭା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରଘୁନାଥ ସାହୁଙ୍କ ମିଥ୍ୟା ଓ ଭିତ୍ତିହୀନ ଆରୋପର ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୧୦ ଘଟିକାରେ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁ ମା’ ଉତ୍ତରାଯଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା  ଏନେଇ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବିରୋଧରେ ବିସ୍ପୋରକ ମନ୍ତବ୍ୟ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲା

ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି।

ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଛନ୍ତି। ସେହିପରି ମାନସ ପ୍ରଧାନ ମଧ୍ୟ କୋଟିକୋଟି ଟଙ୍କାର କାମ ନେଇଛନ୍ତି। ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି। ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏହି ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନିତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗୀବେ। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି ରଘୁନାଥ କହିଛନ୍ତି। ଏ ନେଇ ସେ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ଚିଲିକା ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି। ହଠାତ ରଘୁନାଥଙ୍କ ଜୟ ବିଜେଡି କହି ସାମ୍ବାଦିକ ସମ୍ମିଳନୀ କରିବା ନେଇ ଅନେକ ସନ୍ଦେହ କରିଛନ୍ତି। ତେବେ ଉଭୟ ରଘୁ ସାହୁ ଏବଂ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଚା ଚାଲିଛି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକାର ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ନେତା ଏବେଠାରୁ ସଜବାଜ ହେଲେଣି। ସେହିଭଳି ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମ ବାତ୍ୟା ଆଶ୍ରୟ ସ୍ତଳୀ ଠାରେ ଆଜି ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଛନ୍ତି।

ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ପହଁଚି ଲୋକଙ୍କୁ ଅଭିଭାଷଣ ଦେବା ସହ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ପାଖରେ ସବୁବେଳେ ରହିଛି ବୋଲି କହିଛନ୍ତି। ଆଗକୁ ଆସୁଥିବା ୨୦୨୪ ନିର୍ବାଚନ ନିଶ୍ଚିତ ଭାବରେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢିବେ ଓ ଚିଲିକା ବାସୀଙ୍କ ଦୁଃଖ ଦୂର କରିବେ ବୋଲି ଜନସାଧାରଣଙ୍କୁ ମନ୍ତବ୍ୟ ଦେଇଛନ୍ତି।

ପରବଳ ଗ୍ରାମରେ ଆଜି ବନ୍ଧୁ ମିଳନରେ ଅଞ୍ଚଳ ବାସୀ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅନେକ ଆଲୋଚନା କରିଛନ୍ତି। ଉପସ୍ଥିତ ଥିବା ରାଜନୈତିକ ବ୍ୟକ୍ତି ମାନେ ହେଲେ ସନ୍ତୋଷ କୁମାର ଦାସ, ରବିନାରାୟଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ବେଣୁଧର ଶତପଥୀ, ଅଭିମନୁ ସ୍ୱାଇଁ, ସଦା ସାମନ୍ତରାୟ, କବି ତାଡ଼, ନବଘନ ଦଳାଇ, ରାମଚନ୍ଦ୍ର ଜେନା, ଜନାର୍ଦ୍ଦନ ଦଳାଇ, ଭ୍ରମର ସୁନ୍ଦରାୟ, ବୃନ୍ଦାବନ ଦାସ, ଭରତ ପଲାଇ, ରବୀନ୍ଦ୍ର ଦଳାଇ, ମହିଳା ନେତ୍ରୀ ପ୍ରଭାତୀ ସେଠି ଓ ଅନେକ ସ୍ୱୟଂ ସହାୟକ ମହିଳା ଗୋଷ୍ଟି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକାର ପୂର୍ବତନ ବିଧାୟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜାଗାବାଡ଼ି ବିବାଦ ମାମଲା: ହୋଇପାରିଲାନି ମାପ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ୧୦ ନଂ ୱାର୍ଡ ରାମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜାଗାବାଡ଼ି ବିବାଦ ଲାଗିରହିଛି। ଏନେଇ ଶ୍ରୀ ସାହୁଙ୍କ ବିରୋଧରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ଜୁଲାଇ ୨୦ ତାରିଖରେ ଅଭିଯୋଗ କରିଥିଲେ। ଯାହାକି ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ଉକ୍ତ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବାଯୋଗୁଁ ୱାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ୱାର୍ଡର ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

ଅପରପକ୍ଷେ ଏ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିବାସହ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ କୌଣସି ସରକାରୀ ଯାଗା ଜବରଦଖଲ ହୋଇନଥିବାର କହିଥିଲେ। ଯାହାଫଳରେ ବାଦ ବିବାଦ ଯୋଗୁଁ ଉଭୟ ପକ୍ଷଙ୍କ ସହମତି କ୍ରମେ ଆଜି ଡିମାର୍କେସନ ନୋଟିସ ଅନୁଯାଇ ଜାଗା ଚିହ୍ନଟ ପାଇଁ ଧାର୍ଯ୍ୟ କରାଯାଇଥିଲା।

ଉକ୍ତ ଡିମାର୍କେସନ ପାଇଁ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ ଏବଂ ତହସିଲ, ରାଜସ୍ୱ ଓ ଏନଏସି ଅମିନ ଆଦି ଉପସ୍ଥିତ ରହି ମାପଚୁପ କରିଥିଲେ।

ମାତ୍ର ଉକ୍ତ ଜାଗା ମଧ୍ୟରେ ଅତ୍ୟଧିକ ପାଣି ଥିବାରୁ ଏହାକୁ ସ୍ଥଗିତ କରାଯାଇ ଆସନ୍ତା ନଭେମ୍ବର ମାସରେ ମାପ ଚୁପ ହେବା ନେଇ ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ, ଆଇଆଇସି ଙ୍କ ସମେତ ଦେଢ଼ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ, ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ୧୦ ନମ୍ବର ୱାର୍ଡ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପୂର୍ବତନ ବିଧାୟକଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହୋଇ ଉକ୍ତ ଜଳ ୧୦ ନମ୍ବର ୱାର୍ଡ ମଧ୍ୟରେ ପ୍ରବେଶ କରୁଛି।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରାମପୁର ଗ୍ରାମ ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା କଥା ସେମାନେ ପୂର୍ବତନ ବିଧାୟକଙ୍କୁ ଏ ଦୁଇଗୋଟି ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କହିଥିଲେ ସୁଦ୍ଧା ଶ୍ରୀ ସାହୁ ତାହାକୁ ବେଖାତିର କରି ବେଆଇନ ନିର୍ମାଣ ଜାରି ରଖିଛନ୍ତି।

ଉକ୍ତ ବେଆଇନ କାର୍ଯ୍ୟ ବିରୁଦ୍ଧରେ ତଦନ୍ତ କରି ତୁରନ୍ତ ପ୍ରଶାସନ ଯଦି କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ରାମପୁର ଗ୍ରାମବାସୀ ମାନେ ବାଣପୁର-ବାଲୁଗାଁ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ସେ ସରକାରୀ ନାଳର ଡିମାର୍କେସନ ପାଇଁ ତହସିଲ ପ୍ରଶାସନକୁ ଚିଠି ଲେଖିବା ସହ ଏନଏସି ଜେଇ ଓ ଅମିନଙ୍କୁ ଉକ୍ତ ଅଞ୍ଚଳ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଯଦି ସେଠାରେ ବେଆଇନ ନିର୍ମାଣ ହେବା ନେଇ ରିପୋର୍ଟ ମିଳେ ତେବେ ପୂର୍ବତନ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଶ୍ରୀ ସେଠ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ପଚାରିବାରୁ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ ସରକାରୀ ଜାଗା ଜବରଦଖଲ ହୋଇନଥିବାର କହିଛନ୍ତି।  ଏପରିକି ପୁର୍ବରୁ ଉକ୍ତ ସ୍ଥାନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜେଇ ପରିଦର୍ଶନ କରି କିଛି ଆପତ୍ତି ନଥିବା କହିଥିଲେ ଏବଂ ଯଦି ଚାହୁଁଛନ୍ତି ତେବେ ପୁନର୍ବାର ମଧ୍ୟ ଉକ୍ତ ସ୍ଥାନ ପ୍ରଶାସନ ଯାଞ୍ଚ କରିପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ିକୁ ପିଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ପରିବାର

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି।

ଖବର ମୁତାବକ ପୂର୍ବତନ ବିଧାୟକଙ୍କ ଗାଡିଟି ସଂନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯେଉଁଥିରେ ତାଙ୍କ ପୁତ୍ର, ଝିଅ ଏବଂ ନାତୁଣୀ ଯାତ୍ରା କରୁଥିଲେ। ତେବେ ହରିକୁଣ୍ଡବରଡ଼ି ଢ଼ାବା ନିକଟରେ ଗାଡିଟି ଛିଡା ହୋଇଥିବା ବେଳେ ହଠାତ ପଛପଟୁ ସମାନ ଦିଗରେ ଯାଉଥିବା ଏକ ଟ୍ରଲର ଟି ଧକ୍କା ଦେଇଥିଲା।

ତେବେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଅଟକ ରଖିଛନ୍ତି।

ତେବେ ଏ ନେଇ ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା ନିଆଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ସୁରକ୍ଷିତ ଥିବାରୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ
ବଲୁଗାଁ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗିପଡିଛନ୍ତି। କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ।

ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାଇତ୍ୱ ଦେଇଥିବା ସେ କହିଛନ୍ତି। ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ କ୍ଷମା ପ୍ରାର୍ଥନା କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଗତକାଲି ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁ କୌଣସି କାର୍ଯ୍ୟରେ ଗୋବିନ୍ଦପୁର ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଯେଉଁ ପ୍ରକାର ଦଳୀୟ କର୍ମୀ ବିରୋଧ କଲେ ତାହାକୁ ନେଇ ଜନସାଧାରଣମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

କିନ୍ତୁ ଏଥିରେ ମର୍ମାହତ ହୋଇ ଗତକାଲି ରାତିରେ ରଘୁନାଥ ସାହୁ ଏକ ପ୍ରେସ ମିଟ ଯୋଗେ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ମାନଙ୍କୁ ହାତ ଯୋଡି କ୍ଷମାପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି। ଶ୍ରୀ ସାହୁ କହିଛନ୍ତି ଯେ ସେ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ଏବଂ ତାହାକୁ ସମ୍ମାନ ଜଣାଇ ଭୋଟରମାନେ ଶ୍ରୀ ଜଗଦ୍ଦେବଙ୍କୁ ବିଜୟୀ ମଧ୍ୟ କରାଇଥିଲେ।

ତେବେ ବର୍ତ୍ତମାନ ଦୀର୍ଘ ୩ ବର୍ଷ ହେଲା ଚିଲିକା ନିର୍ବାଚନମଣ୍ଡଳୀ ଅଶାନ୍ତ ରହୁଥିବା ବେଳେ ଏଠି ବିକାଶର ଚି଼ହ୍ନ ବର୍ଣ୍ଣ ଦେଖିବାକୁ ମିଳିନି। ବିଶେଷକରି ଭୋଟର ମାନେ ଅବହେଳିତ ହୋଇଛନ୍ତି। ତେଣୁ ଏଥିନିମନ୍ତେ ଭୋଟର ମାନଙ୍କୁ ଯୋଡ଼ହସ୍ତରେ କ୍ଷମାପ୍ରାର୍ଥନା କରିବା ସହ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଉପରୋକ୍ତ ଘଟଣାଗୁଡିକୁ ବିଚାର ଏବଂ ହୃଦୟଙ୍ଗମ କରି ନିଜର ମତ ସାବ୍ୟସ୍ତ କରିବା ପାଇଁ ରଘୁନାଥ ସାହୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ବିଜେଡିର ମଧ୍ୟ କର୍ମୀମାନେ ଦଳବିରୋଧୀ କାର୍ଯ୍ୟଲାଗି ରଘୁନାଥ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଉ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବାଲୁଗାଁରେ ବିଶାଳ ରାଲି, ବିରୋଧୀଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜମୟ ହୋଇଯାଇଛି। ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ। ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନମଣ୍ଡଳିର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ। ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା।

ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ। ଏବଂ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ଉକ୍ତ ଶୋଭାଯାତ୍ରାଟି ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା।

ତେବେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଚିଲିକା ନିର୍ବାଚନମଣ୍ଡଳିର ଅଢେଇ ଲକ୍ଷ ଭୋଟରଙ୍କ ହୃଦୟରେ ସେ ଅଛନ୍ତି ଏବଂ ରହିଥିବେ ବୋଲି କହିଥିଲେ। କର୍ମୀମାନଙ୍କ ସୁଖ ଦୁଃଖରେ ସଦାବେଳେ ସେ ଅଛନ୍ତି ଓ ରହିବେ। ଆଜି କେବଳ ଏନଏସିର ହଜାର ହଜାର କର୍ମୀଙ୍କୁ ନେଇ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାର ସେ କହିଛନ୍ତି।  ତତସହିତ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ତାଙ୍କ ନେତୃତ୍ୱରେ ପୁଣି ଥରେ ଶଙ୍ଖ ବାଜିବ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋଛକିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି, ପ୍ରଶାନ୍ତ ଜଗଦେବ ବନାମ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ଶାସକ ଦଳର ଅନ୍ତକନ୍ଦଳ ସାମ୍ନାକୁ ଆସୁଛି। କିନ୍ତୁ ସେପଟେ  ବିରୋଧୀ ଦଳଗୁଡିକ ମଧ୍ୟ ଏକରକମ ନିଷ୍କ୍ରିୟ ହୋଇଯାଇଥିବା ପରିଲକ୍ଷିତ ହେଉଛି। ମାତ୍ର  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବିରିବାଡ଼ି ଗ୍ରାମ ପଞ୍ଚାୟତର ମା’ ରତ୍ନମାଳି ଦେବୀଙ୍କ ପ୍ରାଙ୍ଗଣରେ ଚିଲିକାର ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁ ଶତାଧିକ କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି। ଯାହାକି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁଜନତା ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁ ସକ୍ରିୟ ହୋଇଥିବାର ସୂଚନା ଦେଉଛି।

ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିବାଦ ଥମି ନ ଥିବାବେଳେ ଆଗାମି ଦିନରେ ପୁଣି ଶଙ୍ଖ ବାଜିମାତ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାହୁ। ଏପରିକି ନିର୍ବାଚନମଣ୍ଡଳୀର ପ୍ରତିଟି ଜନସାଧାରଣଙ୍କ ହୃଦୟରେ ସେ ଅଛନ୍ତି ଏବଂ ଆଗକୁ ମଧ୍ୟ ଯେ କୋୖଣସି ପରିସ୍ଥିତିରେ ରହିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପରିପ୍ରକାଶ କରିଛନ୍ତି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସଂପୂର୍ଣ୍ଣ ଆଶାଭରସା ଅଛି ଏବଂ ଅଦ୍ୟାବଧି ଦଳରେ ଥାଇ ମଧ୍ୟ କୌଣସି ପଦପଦବୀରେ ନରହି ଦଳ ମଜଭୁତ ପାଇଁ ନିଜ ପ୍ରଚେଷ୍ଟାରେ ଉଦ୍ୟମ ଜାରି ରଖିଥିବା ଶ୍ରୀ ସାହୁ କହିଛନ୍ତି।

ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବ୍ଲକ ବିଜେଡ଼ି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ସାଂସଦ ପ୍ରତିନିଧି ରମେଶ ମହାପାତ୍ରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀମାନେ ଯୋଗଦେଇଥିଲେ।

ଅପରପକ୍ଷେ ଗତ କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଦଳୀୟ କର୍ମୀଙ୍କୁ ନେଇ ଚିଲିକାରେ ଏକ ବଡ ରାଲି କରିଥିଲେ। ଯେଉଁଥିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ। ଏହି ବୈଠକରେ ବିରୋଧୀଙ୍କୁ ବିଧାୟକ ଶ୍ରୀ ଜଗଦ୍ଦେବ ଟାର୍ଗେଟ କରିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତାମାନଙ୍କୁ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସେ କଟାକ୍ଷ କରିଥିଲେ। ସେହିଭଳି ନିଜ ଦଳର କିଛି ନେତାଙ୍କୁ ‘ଢୋଲ ଭିତରେ ମୂଷା’ କହିବା ସହ ଦଳକୁ କ୍ଷତି ପହଞ୍ଚାଉଥିବା ସେଭଳି ନେତାଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।

ତେବେ ଏଭଳି ବାକ୍ୟ ପ୍ରଶାନ୍ତ ଜଗଦ୍ଦେବ କାହା ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ବୋଲି ଲୋକଙ୍କ ମନରେ ସସ୍ପେନ୍ସ ଲାଗି ରହିଥିଲା। କିନ୍ତୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଏହି ବୈଠକରେ ଜଣେ କର୍ମୀ ଏହି ବାକ୍ୟକୁ ଦୋହରାଇଥିବା ଦେଖାଯାଇଥିଲା। ରଘୁ ସାହୁଙ୍କ ଉପସ୍ଥିତିରେ ଉକ୍ତ କର୍ମୀଜଣଙ୍କ ପରୋକ୍ଷରେ ସମାଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯାହା ଫଳରେ ବର୍ତ୍ତମାନ ପରିସ୍ଥିତିରେ ଚିଲିକାରେ ବିଜେଡ଼ିର ସବୁ ଠିକ ଚାଲିଥିବା ଭଳି ମନେ ହେଉନାହିଁ।

ତେଣୁ ଏଭଳି ଘଟଣାକୁ ଦେଖି ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର କିଏ ମଙ୍ଗ ଧରିବ, ତାହାକୁ ନେଇ କର୍ମୀମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଅନ୍ୟପଟେ ଏଭଳି ରାଜନୈତିକ ବିରୋଧାଭାଷ ଯୋଗୁଁ ଚିଲିକାର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ସାଧାରଣ ଜନତା ଅଭିଯୋଗ କରୁଛନ୍ତି। ଚିଲିକାବାସୀଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ନିଜର ରାଜନୈତିକ ଲାଭ ଉଠାଇବା ପାଇଁ ନେତାମାନେ ତତ୍ପରତା ଦେଖାଉଛନ୍ତି ବୋଲି ଅଭିଯୋଗ ହେଉଛି। ଗତ ଲଘୁଚାପଜନିତ ବର୍ଷାରେ ଚାଷୀମାନଙ୍କ ଧାନ ଫସଲ ଉଜୁଡିଯାଇଥିବା ବେଳେ ସେମାନଙ୍କ ଦୁଃଖ ବୁଝିବା ପାଇଁ ଉଭୟ ସରକାରୀ ଦଳର ନେତା କିମ୍ବା ବିରୋଧୀ ଦଳର ନେତାମାନେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି। କେବଳ ନିର୍ବାଚନ ଆସିଲେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ନେତାମାନେ ଦୁଆର ଦୁଆର ବୁଲିବେ ବୋଲି ଚିଲିକାବାସୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୀ ଓଡିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କର ପରଲୋକ

ଭୁବନେଶ୍ବର, ଅନୁଗୁଳ ଜିଲ୍ଲାର ଜୀ ଓଡିଶା ନ୍ୟୁଜ ଚ୍ୟାନେଲର ପ୍ରତିନିଧୀ ତଥା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କୁ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ରହି ଅନୁଗୁଳରେ ଚିକିତ୍ସା ହେଉଥିଲେ। ହେଲେ ଗତକାଲି ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କର ଅବସ୍ଥା ସାଂଘାତିକ ହୋଇପଡିଥିଲା। ଫଳରେ ଆଜି ସକାଳେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29 ବର୍ଷ ବୟସ ହୋଇଥିଲା।

ରଘୁନାଥ ଅନୁଗୁଳ ଜିଲ୍ଲା ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଉଚ୍ଚ କୋଟିର ଉପସ୍ଥାପନା ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ସାମ୍ବାଦିକଙ୍କ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏଥିସହିତ ଜିଲ୍ଲା ବିଜେପି ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।