ବାଲୁଗାଁ: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ବିଜେଡ଼ିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Jun 25, 2023, 7:41 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ଓ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କ ସୁଖଦୁଃଖରେ ସଦାସର୍ବଦା ରହିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ସାରା ଓଡ଼ିଶା ବିଜେଡିର ବିକାଶ ଧାରାରେ ଅନୁପ୍ରାଣିତ ହେବ ଏବଂ ଆଗାମୀ ଦିନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ଧ୍ବଜା ନିଶ୍ଚିତ ଉଡିବ ବୋଲି କହିଥିଲେ ଶ୍ରୀ ସାହୁ। ଅନୁଷ୍ଠିତ ଉତ୍ସବରେ ଉଭୟ ଚିଲିକା ଓ ବାଣପୁର ବ୍ଲକର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣଙ୍କୁ ଦେଖିବାକୁ ମିଳିଥିଲା।

Related posts