Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ। ସେସମୟରେ କଳାହାଣ୍ଡି ନ୍ୟୁଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଏଭଳି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଇଥିଲା।  ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ ପଣ୍ଡା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ସେହିପରି କୋକସରା ହିନ୍ଦୁ ସଙ୍ଗଠନର ଗୋଦାବରୀଶ ପାତ୍ର ଏବଂ ଜନ୍ମେଜୟ ଦାସ ଏହି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିକୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ କୋକସରା ଥାନାରେ ଏକ ମାମଲା ଦାଏର କରିଥିଲେ।

ଏସଂପର୍କରେ କୋକସରା ଥାନାରେକେଶ ନଂ.୧୨୪/୨୦ ଦଫା ୧୫୩/୫୦୦/୨୯୫/୨୯୫(ଏ)/୫୦୬/୩୪ ଆଇପିସି ଏବଂ ୬୬ (ଏ) ଆଇଟି ଆକ୍ଟ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରୁଥିବା କୋକସରା ଆଇଆଇସି ବାସୁଦେବ ଛତ୍ରୀଆ ପ୍ରକାଶ କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଟେମରା ପଂଚାୟତ ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ପିଂଟୁ ଓରଫ ଦେବେନ୍ଦ୍ର ଛତ୍ରୀଆ ( ବୟସ ୧୭ ବର୍ଷ ୯ ମାସ ) ଏବଂ କଳାହାଣ୍ଡି ନ୍ୟୁଜ ହ୍ୱାଟସଆପ ଗ୍ରୁପର ଆଡମିନ ଥିବା ଚାରବାହାଲ ଗ୍ରାମର ସୁବଳ ସିଂ ( ୨୦) ତଥା ସୂରଜ ସିଂ ( ୧୬) କୁ କୋକସରା ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ନାବାଳକ ମାନେ ଏଭଲି ଭାବେ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଘଟଣାକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ।

Categories
ବିଶେଷ ଖବର

ମାଦଳା ପାଞ୍ଜିରେ ଏ ବର୍ଷର ରଥଯାତ୍ରା ପାଇଁ ଗୋଟେ ଅଲଗା ଅଧ୍ୟାୟ ନିଶ୍ଚୟ ରହିବ

କେଦାର ମିଶ୍ର

ମାଦଳା ପାଞ୍ଜି ହେଉଛି ଓଡିଶା ଇତିହାସର ଏକ ଚଳନ୍ତି ଦସ୍ତାବିଜ। ଏଥିରେ କେବଳ ଶ୍ରୀମନ୍ଦିର ଘଟଣାବଳି ଲିପିବଦ୍ଧ ହୁଏନାହିଁ, ଏଥିରେ ଓଡିଶାର ରାଜନୈତିକ ଓ ସାମାଜିକ ଇତିହାସ ମଧ୍ୟ ସ୍ଥାନ ପାଇଥାଏ। ଏବେ ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ଲେଖା ହେଉଛି କି ନାହିଁ କେଜାଣି, ହେଲେ ବର୍ତ୍ତମାନ ସମୟର ଇତିହାସକରମାନେ ଯେତେବେଳେ ଏ ବର୍ଷର ରଥଯାତ୍ରା ବିଷୟରେ ଲେଖିବେ ସେତେବେଳେ ସେମାନଙ୍କୁ ଏକ ଭିନ୍ନ ଅଧ୍ୟାୟ ପୂରା ଲେଖିବାକୁ ପଡିବ। ୧୭୩୩ ମସିହା ପରଠୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଦାପି ବନ୍ଦ ହୋଇନାହିଁ। କରୋନା ମହାମାରୀର କଥା ଆଜି ଉଠୁଛି ଓ ସେହି ଆଧାରରେ ରଥଯାତ୍ରା ବନ୍ଦ କରିବାର ଯୁକ୍ତି ଉଠିଛି। ଗତ ଜୁନ ୧୮ ତାରିଖ ଦିନ ଦେଶର ସର୍ବୋଚ୍ଚ ଅଦାଲତ ଯେତେବେଳେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ଆଦେଶ ଦେଲେ ସେତେବେଳେ ତାଙ୍କ ପାଖରେ ଏକମାତ୍ର ଯୁକ୍ତି ଥିଲା ଯେ, ଏଥିରେ ୧୦ ରୁ ୧୨ ଲକ୍ଷ ଲୋକଙ୍କ ସମାବେଶ ହେବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ ଯୁକ୍ତି ଉପସ୍ଥାପନ କରି ସୁପ୍ରିମକୋର୍ଟଙ୍କୁ ଯାତ୍ରା ନ ହେଉ ବୋଲି ପରାମର୍ଶ ଦେଲେ। ତେବେ ସୁପ୍ରିମ କୋର୍ଟ ଆଦେଶର ମାତ୍ର ୪୮ ଘଣ୍ଟା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସ୍ଵର ବଦଳିଗଲା। ଉଭୟ ସରକାରୀ ପକ୍ଷ ଜୁନ ୨୨ ତାରିଖରେ ସୁପ୍ରିମ କୋର୍ଟଙ୍କୁ କହିଲେ ଯେ କୋଭିଡ ଶୃଙ୍ଖଳାକୁ ମାନି ରଥଯାତ୍ରା କରିହେବ।

ଏଠି ପ୍ରଶ୍ନ ଉଠୁଛି, ଯାହା ୨୨ ଜୁନ ରେ ସମ୍ଭବ ହେଲା ତାହା ୧୮ ଜୁନରେ ଅସମ୍ଭବ ଥିଲା କେମିତି? ରଥ ଯାତ୍ରା ବନ୍ଦ ହେବା ଜଗନ୍ନାଥଙ୍କ ଇଚ୍ଛା ବୋଲି ସେତେବେଳେ ଶାସକ ଦଳ ତରଫରୁ ଯୁକ୍ତି କରାଗଲା। ଆଜି ରଥଯାତ୍ରା ପାଳିତ ହେବା ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା। ସବୁ ଯଦି ତାଙ୍କରି ଇଚ୍ଛା, ତା ହେଲେ ଏ ବାଧା ଓ ପ୍ରତିବନ୍ଧକ ଲଗାଇଥିଲା କିଏ? ରଥଯାତ୍ରାର ଦୀର୍ଘ ପରମ୍ପରାରେ ବାରମ୍ବାର ମହାମାରୀ, ପ୍ରାକୃତିକ ବିପର୍ୟୟ ଓ ଅନାଟନର ବାଧା ଆସିଛି॥ ତା ସତ୍ତ୍ୱେ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। ୧୮୬୬ ମସିହାର ନ ଅଙ୍କ ଦୁର୍ଭିକ୍ଷ ଯେଉଁଥିରେ ଲକ୍ଷ ଲକ୍ଷ ଓଡିଆ ଓଡିଆ ପ୍ରାଣ ହରାଇଥିଲେ, ସେତେବେଳେ ରଥଯାତ୍ରା ବନ୍ଦ ହୋଇନଥିଲା। ବସନ୍ତ, ହଇଜା, ପ୍ଲେଗ ଭଳି ମହାମାରୀର ବ୍ୟାପକ ଆକ୍ରମଣ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇନଥିଲା। ତେଣୁ କରୋନା ସମୟରେ ରଥଯାତ୍ରା ବନ୍ଦ କରିବାର ନିଷ୍ପତ୍ତି, ଅନେକଙ୍କ ଲାଗି ହୃଦୟ ବିଦାରକ ଥିଲା ନିଶ୍ଚୟ। ତେଣୁ ଏହି ନିଷ୍ପତ୍ତି କୁ ଲୋକେ ନୀରବରେ ବିରୋଧ କରିଥିଲେ।

ତେବେ ରଥଯାତ୍ରାକୁ ବନ୍ଦ କରିବା ଲାଗି ସରକାରୀ ସ୍ତରରେ ଯେଉଁ ଉଦ୍ୟମ ହୋଇଥିଲା, ସେଥିଲାଗି ଓଡିଶାର ଦୁଇ ପ୍ରମୁଖ ରାଜନୈତିକ ଦଳ, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ଭୂମିକାକୁ ଓଡିଶାର ଜଣ ସାଧାରଣ ମନେ ରଖିବେ ନିଶ୍ଚୟ। ଜୁନ ୨୨ ରେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଆସିବା ପରେ ଏଥିରୁ ରାଜନୈତିକ ଫାଇଦା ଉଠାଇବାର ଉଦ୍ଦେଶ୍ୟ ନେଇ ରାଜନୈତିକ ଦଳ ଗୁଡିକ ଅନେକ କଥା କହୁଛନ୍ତି। ହେଲେ ୨୨ ଜୁନ ପୂର୍ବରୁ ସବୁ ରାଜନୈତିକ ଦଳ “ଏହା ଜଗନ୍ନାଥଙ୍କ ଇଚ୍ଛା” ବୋଲି କହି ହାତ ଟେକି ଦେଇଥିଲେ। ସାଧାରଣ ନାଗରିକ ଓ ସେବାୟତଙ୍କ ଉଦ୍ୟମ ଯୋଗୁଁ ହିଁ ଚଳିତ ବର୍ଷର ରଥଯାତ୍ରା ସମ୍ଭବ ହୋଇଛି।

ତେବେ ରଥଯାତ୍ରା କୁ ନେଇ ଚଳିତ ବର୍ଷ ଯେଉଁ ବିତର୍କ, ତାର ମୂଳରେ ଜନସ୍ୱାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। କୋଭିଡ ମହାମାରୀ ସମୟରେ ଏତେ ଲୋକଙ୍କ ଭିତରେ ସାମାଜିକ ଦୂରତାର ନିୟମ ମାନିବା ସମ୍ଭବପର ନୁହେଁ। ଆଜି ମଧ୍ୟ ସେ ପ୍ରଶ୍ନ ଖଣ୍ଡାଧାର ପରି ସରକାରଙ୍କର ମୁଣ୍ଡ ଉପରେ ଝୁଲୁଛି।ଚଳିତ ବର୍ଷ ଯାତ୍ରା ପରିଚାଳନା ସମୟରେ ଅନ୍ୟ ବର୍ଷ ତୁଳନାରେ ଅଧିକ ସତର୍କତା ଓ ଶୃଙ୍ଖଳାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଦଇତାପତି ସେବକମାନେ ବେଶୀ ସତର୍କ ରହିବା ବିଧେୟ। “ସବୁ କିଛି ଚଳିଯିବ” ବୋଲି ଭାବି ଏଥର ରଥଯାତ୍ରା ହୋଇ ପାରିବ ନାହିଁ। ଲୋକଙ୍କ ଜୀବନ ଓ ଧାର୍ମିକ ପରମ୍ପରା ଭିତରେ ଏକ ସୂକ୍ଷ୍ମ ସନ୍ତୁଳନ ନ ରହିଲେ ଲୋକ ଭାବନା ଅଧିକ ଆହତ ହେବ। ତେଣୁ ଯାତ୍ରା ପାଇଁ ବହୁ ସଂଘର୍ଷ ପରେ ଯେଉଁ ଅନୁମତି ମିଳିଛି, ତାକୁ ବୁଝିବାର ଦାୟିତ୍ଵ ସେବାୟତମାନଙ୍କର।

ରାଜନୀତି, ପ୍ରଶାସନିକ ପେଞ୍ଚ ଏବଂ ଆଇନଗତ ଜାଲକୁ କାଟି ଚଳିତ ବର୍ଷର ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହା ଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ସଂସ୍କୃତି ଓ ଜଗତ କଲ୍ୟାଣ ଭାବନା ଯୋଗୁଁ ସମ୍ଭବ ହୋଇଛି। ତେଣୁ ଏ ଯାତ୍ରା ଯେମିତି ଜନସ୍ୱାସ୍ଥ୍ୟ ପାଇଁ ବିପଦ ନ ହୁଏ, ତାକୁ ଦେଖିବା ସମସ୍ତଙ୍କର ଦାୟିତ୍ଵ ହେବା ଉଚିତ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ

ପୁରୀ :  ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।

କରୋନା କଟକଣା ମଧ୍ୟରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା କରିବା ପାଇଁ ଅନୁମତି ମିଳିଛି । ତେବେ  ଶ୍ରୀମନ୍ଦିରର 1143 ଜଣ ସେବାୟତଙ୍କ କୋଭିଡ୍-19 ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଜଣଙ୍କୁ ଛାଡି ଅନ୍ୟ ସମସ୍ତ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ସେବାୟତଙ୍କୁ ରଥଯାତ୍ରା ରୀତିନୀତି ଅନୁଷ୍ଠିତ ପୂର୍ବରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାତିଠାରୁ ପୁରୀ ଜିଲ୍ଲା ସଟ୍‌ଡାଉନ୍‌

ପୁରୀ : ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ରାତି 9ଟାରୁ ବୁଧବାର ଦିନ 2ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କର୍ଫ୍ୟୁ ଭଳି କଟକଣା ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ  50 ପ୍ଲାଟୁନ୍‌ ପୋଲିସ୍‌ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଡିଜିପି । ଅତି ଆବଶ୍ୟକ ନଥିଲେ କାହାକୁ ସହର ଭିତରକୁ ଛଡା ଯିବନି।

ସୂଚନାଯୋଗ୍ୟ, କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଏକାଧିକ ସର୍ତ୍ତ ସହିତ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ବିନା ଭକ୍ତରେ ରଥଯାତ୍ରା କରାଯାଇପାରିବ। ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ ସିଗନାଲ୍‌ ମିଳିବା ପରେ ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁ୍ଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏତଦ୍‌ବ୍ୟତୀତ ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମ୍‌ବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ରହିଥିଲେ। ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିନି ଜଣିଆ ଖଣ୍ଡପୀଠରେ ହେବ ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ :  ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ସମ୍ମତି ଦେଇଛନ୍ତି । ଏହି ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତିଙ୍କ ସମ୍ମତି ନେଇ ଜଣାଇଛନ୍ତି ଜଷ୍ଟିସ୍‌ ଅରୁଣ ମିଶ୍ର । ଏବେ ଏହି ମାମଲା ତିନି ଜଣିଆ ଖଣ୍ଡପୀଠକୁ ଯାଇଛି । ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।   ସିଲିସିଟର ଜେନେରାଲ୍‌ଙ୍କ ଯୁକ୍ତି ଉପସ୍ଥାପନ ପରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ । ଆଉ କିଛି ସମୟ ପରେ ସୁପ୍ରିମ୍‌କେର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ କରିବାକୁ ନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ । ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍‌ ଦାଏର କରାଯାଇଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ଏହି ଏବେ ଏହି ମାମଲାର ପକ୍ଷଭୁକ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବିଜେ ହେଲା ଆଜ୍ଞାମାଳ

ପୁରୀ : ରଥଯାତ୍ରା ହେବ କି ନାହିଁ ସେ ନେଇ ଭକ୍ତମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ  ରଥଯାତ୍ରା ଉପଲକ୍ଷେ ତିନି ରଥ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ତିନି ବାଡରୁ ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି ସମାପିତ ହୋଇଛି।ଏହାପରେ  ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଆସିଲେ ଚୂଡ଼ାନ୍ତ ନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେବ।

ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିଶନ ଦାଏର ହୋଇଛି। ରାଜ୍ୟ ସରକାର ମଧ୍ୟ ପକ୍ଷଭୁକ୍ତ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି : ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର

ଭୁବନେଶ୍ବର : ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁର ଆଶଙ୍କା ଭିତରେ ସମ୍ଭାବନା ସୃଷ୍ଟି ହୋଇଛି । ପୁରୀ ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ରାଜ୍ୟ ସରକାର । ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ରଥଯାତ୍ରା କରିବାକୁ ସତ୍ୟପାଠ କରିଛନ୍ତି ରାଜ୍ୟ ସରକାର । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ଦାଖଲ କଲେ ସତ୍ୟପାଠ । ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି । କେବଳ ପୁରୀରେ ରଥଯାତ୍ରା କରାଯିାବ ନେଇ ସତ୍ୟପାଠ ଦାଖଲ କରାଯାଇଙଛି ।

ସୂଚନାଯୋଗ୍ୟ,  ଆଜି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ଅନୁଷ୍ଠିତ ହେବ । ପୁରୀ ରଥଯାତ୍ରା ସ୍ଥଗିତ ନିର୍ଦ୍ଦେଶ ପରେ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍‌ ଦାଏର କରାଯାଇଛି । ଆଜି ଜଣିକିଆ ବେଞ୍ଚରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହେବ । ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି ଅନୁଷ୍ଠିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ବନ୍ଦ ନେଇ କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତି ଏବଂ ରାଜ୍ୟସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।  ଜୁନ୍‌ 20ରେ ଏହି ରାୟର ପୁର୍ନବିଚାର ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ଚାହିଁଥିଲେ ସ୍ବେଚ୍ଛାକୃତ ଭାବେ ଏହି ଆବେଦନ ଗ୍ରହଣ କରିପାରିଥାନ୍ତେ । ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ମଧ୍ୟ ଚାଲିଥାଏ । କିନ୍ତୁ ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି ଗଜପତି ମହାରାଜା ମଧ୍ୟ ରଥଯାତ୍ରା କରିବା ନେଇ ଶାସ୍ତ୍ର ସମ୍ପର୍କିତ ତର୍କ ଦେଇଛନ୍ତି । ବିରୋଧୀ ମଧ୍ୟ ଏନେଇ ସରକାରଙ୍କୁ ସମାଲୋଚନା କରିସାରିଛନ୍ତି ।

ତେବେ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ  ପ୍ରତିକ୍ରିୟା ପରେ ବି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଚୁପ୍‌ ରହିଥିବାକୁ ନେଇ ପ୍ରଶ୍ନ ଉଠିଛି ।

Categories
ଆଜିର ଖବର

ଏବେ ବି ରଥଯାତ୍ରା ହେବ ବୋଲି ଆମେ ଆଶା ରଖିଛୁ, କହିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ,  ରଥଯାତ୍ରା ହେବ ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଆଶା ରଖିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ସୋମବାର ଦିନ କୋର୍ଟ ଏହା ଉପରେ କିଛି ପୁନଃବିଚାର କରିପାରନ୍ତି ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ପ୍ରାୟ ସାଢେ ତିନି ଘଣ୍ଟା ଧରି ଛତିଶା ନିଯୋଗ ବୈଠକ ପରେ ଗଜପତି ଏହା କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସରକାର ଏହାର ପୁନଃବିଚାର ପାଇଁ ପକ୍ଷ ରଖନ୍ତୁ। ବିଭିନ୍ନ ଅନୁଷ୍ଠାନ ତରଫରୁ ପିଟିସନ ଦାଖଲ କରାଯାଇଛି। ଶନି ଓ ରବିବାର ଛୁଟି ଥିବାରୁ ସୋମବାର ଦିନ କୋର୍ଟ ତାଙ୍କ ରାୟକୁ ସଂଶୋଧନ କରିପାରନ୍ତି ବୋଲି ଗଜପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟରେ ଯେପରି ରଥଯାତ୍ରା ନେଇ ତଥ୍ୟ ଉପସ୍ଥାପନା କରାଗଲା ତାହା ଠିକ ନ ଥିଲା ବୋଲି ଗଜପତି କହିଛନ୍ତି। ରଥଯାତ୍ରା ବେଳେ 10 ରୁ 12 ଲକ୍ଷ ଭକ୍ତ ଯୋଗଦେବେ ବୋଲି କହିବା ଭୁଲ ଥିଲା। ଏଥର ରଥଯାତ୍ରା ବିନା ଭକ୍ତର କରାଯାଉ ବୋଲି କେହି ବି ଯୁକ୍ତି କଲେ ନାହିଁ। ଫଳରେ କୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଲେ। ତେବେ ମନ୍ଦିର ପରିସରରେ କିପରି ରଥଯାତ୍ରା ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ଆଲୋଚନା ଚାଲିଛି। ତଥାପି ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛୁ ବୋଲି ଗଜପତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

ପୁରୀ : ରଥଯାତ୍ରା କରିବା ପାଇଁ ପୁଣି ପିଟିସନ ଦାଏର କରାଯାଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଛି । ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ମୋଡିଫିକେସନ୍‌ ପିଟିସନ୍‌ ଦାଏର ହୋଇଛି । ଏଥିରେ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ଏନେଇ ପିଟିସନ ଦାୟର କରିଛନ୍ତି ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ । ପୁରୀ ସହରକୁ ସଟ୍‌ଡାଉନ୍‌ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ଏହି ଆବେଦନ କରାଯାଇଛି ।

ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତର ସର୍ବୋଚ୍ଚ ଅଦାଲତ ରଥଯାତ୍ରା ବନ୍ଦ ନେଇ ରାୟ ଦେଇଥିଲେ । ସେହିପରି ରାଜ୍ୟ କ୍ୟାବିନେଟ୍‌ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମନ୍ଦିର ଭିତରେ ରଥଯାତ୍ରା ବିଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିପରି ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ମଧ୍ୟ ଏନେଇ ଆଲୋଚନା ହେବା ସହିତ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ଗ୍ରହଣ ପୂର୍ବକ ରଥଯାତ୍ରା ନ କରାଯାଇ ମନ୍ଦିର ଭିତରେ କିପରି ବିଧି ରକ୍ଷା କରି ହେବ ସେନେଇ ସନ୍ଧ୍ୟାର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି ।

ରଥଯାତ୍ରା ବନ୍ଦକୁ ନେଇ ଅନେକେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଉଭୟ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିବା ସହ ଏହା ପୂର୍ବ ପ୍ରସ୍ତୁତ ବୋଲି ଅଭିଯୋଗ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା, ସନ୍ଧ୍ୟାରେ ନିଆଯିବ ନିଷ୍ପତ୍ତି

ପୁରୀ : ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ ହେବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ ଆଦେଶ ଦେବା ପରେ ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସେହି ହେତୁ ଏବର୍ଷ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ମଧ୍ୟ ମଧ୍ୟ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଗଜପତି । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସି ସମସ୍ତଙ୍କସହ ଏନେଇ ଆଲୋଚନା କରାଯିବ। ଶ୍ରୀମନ୍ଦିର ଭିତରେ ବିଧି କିପରି ରକ୍ଷା ହେବ ସେନେଇ ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଆଜି ସନ୍ଧ୍ୟାରେ ଏନେଇ ନିଷ୍ପତ୍ତି ନିଆଯିବା ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଗଜପତି । ରେକର୍ଡ ଅଫ୍‌ ରାଇଟ୍ସ ଛାଡି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ଜରୁରୀ ହୋଇଛି ବୋଲି ଗଜପତି କହିଛନ୍ତି। ସବୁ ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁ ନୂତନ ଇତିହାସ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଗଜପତି ମହାରାଜା।

ଅପରପକ୍ଷରେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ  ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇଛନ୍ତି । ତେବେ ରଥାରୂଢା ଜଗନ୍ନାଥଙ୍କୁ ଭକ୍ତମାନେ କିପରି ଦର୍ଶନ କରିପାରିବେ ସେନେଇ ଦୂରଦର୍ଶିତାପୂର୍ଣ୍ଣ ପୁନର୍ବିଚାରକୁ ଅପେକ୍ଷା କରିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି ଗତକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ରଥଯାତ୍ରା ବନ୍ଦ କରିବା ସହ ରଥ ନୀତି ମନ୍ଦିର ପରିସରରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ଆଜିର ଖବର ଖେଳ

ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା !

ପୁରୀ : ଭକ୍ତ ବତ୍ସଳ ମହାପ୍ରଭୁ କାଳିଆ ଠାକୁର ଏଥର ବିନା ଭକ୍ତରେ କରିବେ ତାଙ୍କର ଯାତ୍ରା। ଭକ୍ତ ପ୍ରିୟ କଳା ରସିକ କଳାଠାକୁର ଏଥର ବିନା ଭକ୍ତରେ ଆସିବେ ସ୍ନାନମଣ୍ଡପକୁ ପୁଣି ଆସିବେ ବଡଦାଣ୍ଡକୁ । କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ଅନୁମତି ମିଳିଛି । ମାତ୍ର ଚଳିତ ଥର ସ୍ନାନ ଯାତ୍ରାରେ ଭକ୍ତଙ୍କ ଗହଣରେ ପ୍ରଭୁ ଆସିବେନି ବରଂ ଆସିବେ ସେହି ପଣ୍ଡାମାନଙ୍କ ଗହଣରେ ।

ଗ୍ରହଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି ।  ସ୍ନାନଯାତ୍ରାରେ କୋଭିଡ୍‌ ଗାଇଡଲାଇନ୍‌କୁ ସେବକମାନେ ପାଳନ କରିବେ । କରୋନା ରିସ୍କ ଏଡାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛ । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଲା । ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ ବୋଲି କୁହାଗଲା । ଅଧିକାରୀ, ପୋଲିସ୍‌, ସେବାୟତଙ୍କ ଦ୍ବାରା ରଥଯାତ୍ରା ହୋଇପାରିବ । 8ରୁ 10 ଲକ୍ଷ ଲୋକ ଏକାଠି ହେଲେ କରୋନା ପରିସ୍ଥିତି ବିଗିଡି ପାରେ । ତେଣୁ ସାଧାରଣ ଦର୍ଶନାର୍ଥୀଙ୍କ ବିନା ସମାଗମରେ ରଥଯାତ୍ରା ହୋଇପାରିବ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହୋଇପାରିବ ବୋଲି କହିଛନ୍ତି ଗଜପତି ମହାରାଜା ।

ପୁରୀକୁ ଯେମିତି ବାହାର ଲୋକ ଆସିବେନି, ସରକାର ସେନେଇ ବ୍ୟବସ୍ଥା କରିବେ । ସେହିପରି ବଡଦାଣ୍ଡକୁ ଯେମିତି ଲୋକ ନ ଆସିବେ, ସେ ନେଇ ସରକାର ବ୍ୟବସ୍ଥା କରିବେ। ଯଦି ସରକାର ବ୍ୟବସ୍ଥା କରିବେ, ତେବେ ରଥଯାତ୍ରା ସମ୍ଭବ ହୋଇପାରିବ । କେବଳ ରଥଯାତ୍ରା ଦିନ ନୁହେଁ, ନୀଳାଦ୍ରିବିଜେ ଯାଏ କଟକଣା ଜାରି ରହିବ ବୋଲି  ସୂଚନା ରହିଛି । ବିନା ଭକ୍ତରେ ରଥଯାତ୍ରା ସମ୍ଭବ ବୋଲି ପରିଚାଳନା କମିଟି ମତ ଦେଇଛି । ତେବେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଗଜପତି କହିଛନ୍ତି । ଯାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ତାହାକୁ ପରିଚାଳନା କମିଟି ମାନିବେ ବୋଲି ସୂଚନା ଦେଇଛନ୍ତି ଗଜପତି । ତେବେ ଏହି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପାଇଁ ବୋଲି କହିଛନ୍ତି ଗଜପତି । ସେହିପରି ବିଶ୍ବର ଅନ୍ୟ ଜଗନ୍ନାଥ ମନ୍ଦିର ପାଇଁ ନିଷ୍ପତ୍ତି ସେଠିକାର ପ୍ରଶାସନ ନେବ ବୋଲି କହିଛନ୍ତି ଗଜପତି ।

Categories
ଆଜିର ଖବର

ରଥଯାତ୍ରା ଅବସର ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକା ରଥ

ସମୀକ୍ଷା ବ୍ୟୁରୋ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। ସାରା ଦୁନିଆରେ ଏହାକୁ ନେଇ ବେଶ୍‌ ଆଶ୍ଚର୍ଯ୍ୟ ଓ ଆଗ୍ରହ ମଧ୍ୟ। ରଥଯାତ୍ରାର ପବିତ୍ର ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି। ରଥାଯାତ୍ରା ପାଇଁ ମାନସ ବାଲିରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି ବାଲୁକାକଳା ସାହାଯ୍ୟରେ ମାନସ ବିଶ୍ବ ଶାନ୍ତିରା ବାର୍ତ୍ତା ପ୍ରେରଣ କରିଛନ୍ତି। ଏଥିରେ ସେ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଇଂରାଜୀରେ ଲେଖିଛନ୍ତି। ଯେଉଁ ଲୋକ ଭିଡ଼ ଭିତରେ ରଥ ଉପରେ ଭଗବାନଙ୍କୁ ଦେଖିପାରିବେ ନାହିଁ, ସେମାନେ ପୁରୀର ସ୍ବର୍ଣ୍ଣିମ ବାଲୁକାରେ ନିର୍ମିତ ଭଗବାନଙ୍କୁ ଦେଖି ଆତ୍ମସନ୍ତୋଷ ଲାଭ କରିପାରିବେ। ୧୫ ଫୁଟ ଚଉଡ଼ାର ଏହି ବାଲୁକା କୃତିକୁ କରିବା ପାଇଁ ମାନସଙ୍କୁ ପାଖାପାଖି ୮ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ ଯାତ୍ରୀଙ୍କ ଭିଡ ଥିବାରୁ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।