Categories
ଆଜିର ଖବର

ଓଡିଶାର ନୂଆ ରେଳପଥ ପାଇଁ ଖର୍ଚ୍ଚ ହେବ ୪୦୦୦ କୋଟି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (ଡିପିଆଇଆଇଟି) ତଥା ଲଜିଷ୍ଟିକ୍ସ ବିଭାଗର ସ୍ୱତନ୍ତ୍ର ସଚିବ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଙ୍ଗ ଗ୍ରୁପ (ଏନ୍‌ପିଜି) ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ସଡକ ପରିବହନ ଓ ରାଜମାର୍ଗ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଟେଲି ଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟମାନଙ୍କର  ନୋଡାଲ ଅଧିକାରୀଗଣ  ଭାଗ ନେଇ ନିଜର ମତାମତ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଓଡିଶାରେ ସମ୍ପୂର୍ଣ୍ଣ  ନୂଆ ରେଳପଥ ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ରେଳପଥ  ନିର୍ମାଣ ପାଇଁ ୪୦୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହେବ । ଏହି ରେଳପଥ ନିର୍ମାଣ ଦ୍ୱାରା ଓଡିଶାର ବନ୍ଦରଗୁଡିକୁ ରେଳ ସଂଯୋଗ ସୁବିଧା ବଢିବା ସହ ମାଲ ପରିବହନ ବ୍ୟବସ୍ଥା ସୁଗମ ହେବ । ଏହାଛଡା ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ଅଞ୍ଚଳରୁ ବନ୍ଦରକୁୁ ସୁବିଧାରେ ପରିବହନ କରିବାରେ ଏହି ନୂଆ ରେଳପଥ ସହାୟକ ହେବ । ଏହା ଦ୍ୱାରା ଓଡିଶାରେ ମଲ୍ଟିମୋଡାଲ କନେକ୍ଟିଭିଟି ବଢିବା ସହିତ ଶିଳ୍ପାୟନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ।

ଆଜିର ବୈଠକରେ ମଧ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଓ କେରଳରେ ନିର୍ମିତ ହେବାକୁ ଥିବା ବୃହତ୍ ସଡକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ସେହି ସଡକ ପ୍ରକଳ୍ପ ଏସବୁ ରାଜ୍ୟର ଖଣି, କୃଷି ଓ ଶିଳ୍ପାଞ୍ଚଳ ସହିତ ଅନଗ୍ରସର ଇଲାକାକୁ ଯୋଡି ନିର୍ମିତ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପାୟନ ଓ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହା ସହାୟକ ହେବ । ଏହି ସଡକ ପ୍ରକଳ୍ପ ମଧ୍ୟ ପରିବହନ ବ୍ୟବସ୍ଥାକୁ  ସେହି ଅଞ୍ଚଳରେ ସୁବ୍ୟବସ୍ଥିତ କରିବା ସହିତ ସ୍ୱାସ୍ଥ୍ୟସେବା ଶିକ୍ଷାବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ବିଶେଷକରି ଏହି ସଡକ ପ୍ରକଳ୍ପ ଦ୍ୱାରା ଅନେକ ଗ୍ରାମାଞ୍ଚଳକୁ ସଂଯୋଗ ବ୍ୟବସ୍ଥା ସୁଗମ ହୋଇ ସେ ଅଞ୍ଚଳର ଭାଗ୍ୟୋଦୟ ହେବ । ଲୋକେ ଅଳ୍ପ ସମୟରେ ସହଜେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ  ଏବଂ ସେମାନଙ୍କ ଅର୍ଥନୀତିକ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ । ସେ ଅଞ୍ଚଳରେ ନୂଆ ନୂଆ ଶିଳ୍ପଦ୍ୟୋଗ ସ୍ଥାପନ ସହ ନିଯୁକ୍ତି ସୁଯୋଗ ବଢିବ।

ଏସବୁ ଅଞ୍ଚଳରେ ଆଞ୍ଚଳିକ ବିକାଶ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏହି ବୈଠକରେ ସ୍ୱତନ୍ତ୍ର ସଚିବ ସମ୍ପୃକ୍ତ ମନ୍ତ୍ରଣାଳଗୁଡିକ ଅନୁରୋଧ କରିଥିଲେ । ସମ୍ପୃକ୍ତ  ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଏଥିପାଇଁ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଞ୍ଚଳର ଭିତ୍ତିଭୂମିର ଅଭାବ ରହିଚି ତାହାକୁ ଚିହ୍ନଟ କରି ସେଥି ପାଇଁ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିବା ସହିତ ଏକ୍ଷେତ୍ରରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ପିଏମ୍ ଗତିଶକ୍ତି ଯୋଜନାରେ ସମନ୍ୱିତ ଯୋଜନାକୁ ଅଗ୍ରାଧିକାର ଦିଆଯାଉଛି । ଏଥିରେ ମଲ୍ଟି ମୋଡାଲ କନେକ୍ଟିଭିଟି ଅଗ୍ରାଧିକାର ପାଇଛି । ଏହି ମଲ୍ଟି ମୋଡାଲ ବ୍ୟବସ୍ଥାରେ ରେଳ, ସଡକ,ବନ୍ଦର ଓ ଅନ୍ୟାନ୍ୟ ପରିବହନ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଯେଉଁ ଅଞ୍ଚଳ ଅବିକଶିତ ଓ ଯେଉଁଠି ସଂଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ନାହିଁ ତାହାକୁ ଚିହ୍ନଟ  କରି ମୋଡାଲ କନେକ୍ଟିଭିଟି ସୁବିଧା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ କାର୍ଯ୍ୟ କରାଯାଉଛି । ଡାଟାକୁ ଆଧାର କରି ସକ୍ରିୟ ସହଯୋଗ  ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହାର ପ୍ରଗତି ସନ୍ତୋଷଜନକ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ

ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍‍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍‍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି। ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ଓଆରଆଇଡିଏଲ୍‍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ।

ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ। ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍‍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ। ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍‍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି।

ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି। ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟ୍ରେନ, ଗୋଟିଏ ଟ୍ରେନର ଦିନ ବୃଦ୍ଧି

ଭୁବନେଶ୍ବର, ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

1-ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ

୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍-ଶାଲିମଓର ସ୍ପେଶାଲ ଶାଲିମାରରୁ ୯ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ୍ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ।

ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

2-ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ

୦୨୪୬୯/୦୨୪୭୦ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ ଜ୍ଝ ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ।

ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

3-ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି। ୦୨୮୩୫/୦୨୮୩୬ ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ ୬ ଜୁନ୍ ରୁ ୨୭ ଜୁନ୍ ମଧ୍ୟରେ ଛାଡିବ।

ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ ୮ ଜୁନ୍ ରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।