Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଥିବାବେଳେ ଆମେ ରାସ୍ତା ଦେଖାଇଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ଜି-୨୦ ଶିଖର ସମ୍ମିଳନୀ ପାଇଁ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଅବଧାରଣରକୁ ସମ୍ମୁଖରେ ରଖିଛୁ ଏବଂ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ। ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ବିଶ୍ୱ ସହିତ ମିଳିମିଶି ଅନ୍ତରାଷ୍ଟ୍ରୀୟ ସୌର ମେଂଟ ପ୍ରତିଷ୍ଠା କରିଛୁ ଏବଂ ଏବେ ଅନେକ ଦେଶ ଅନ୍ତରାଷ୍ଟ୍ରୀୟ ସୌର ମେଂଟର ଅଂଶ ପାଲଟି ଯାଇଛନ୍ତି। ଆମେ ଜୈବ ବିବିଧତାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛୁ ଆଉ ‘ବିଗ କ୍ୟାଟ ସହଯୋଗ’ର ବ୍ୟବସ୍ଥାକୁ ଆଗକୁ ବଢାଇଛୁ।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି।

ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା ଜାରି ରହିଛି ଏବଂ ମହିଳାଙ୍କ ମର୍ଯ୍ୟାଦା ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ମଣିପୁର ଲୋକ ଗତ କିଛି ସମୟ ଧରି ଶାନ୍ତି ବଜାୟ ରଖିଛନ୍ତି ଏବଂ ସେମାନେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟ ଓ କେନ୍ଦ୍ର ସରକାର ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ମିଳିମିଶି କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ’।

Categories
ବିଶେଷ ଖବର

ଲାଲକିଲ୍ଲାରୁ ମୋଦିଙ୍କ ଭାଷଣ ସମୟରେ ଏହି ଖାଲି ଚେୟାର କାହିଁକି ସବୁଠାରୁ ଅଧିକ ଚର୍ଚ୍ଚାରେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଐତିହାସିକ ଲାଲକିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଆସନ ଖାଲି ପଡ଼ିବା ପରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା। ଚେୟାରର ଫଟୋକୁ ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ ହୋଇଛି। ପ୍ରଥମେ ସେ ସୁସ୍ଥ ଅନୁଭବ କରୁନଥିବା କୁହାଯାଇଥିଲା। ଏମିତି ଲାଗୁଥିଲା ଯେମିତି ସ୍ୱାସ୍ଥ୍ୟ ଭଲ ନାହିଁ। କିନ୍ତୁ ଲାଲକିଲ୍ଲାରେ ଆୟୋଜିତ ସମାରୋହରେ ଯୋଗ ନ ଦେବା ନେଇ କଂଗ୍ରେସ ନେତା ରାଜୀବ ଶୁକ୍ଳାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଖଡ଼ଗେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି।

ଅନେକ ଲୋକ ଲାଲକିଲ୍ଲାରେ ପହଞ୍ଚି ପାରୁନାହାନ୍ତି, ମନ୍ତ୍ରୀ ପହଞ୍ଚି ପାରୁନାହାନ୍ତି। ସ୍ୱାଧୀନତା ଦିବସ ସମାରୋହରେ ସେ ଭାଗ ନେଉଛନ୍ତି। ମୀରା କୁମାରଙ୍କୁ ପଚରାଯିବାରୁ ସେ କହିଛନ୍ତି, ଖଡ଼ଗେ ସାହେବ ଏଠାକୁ (କଂଗ୍ରେସ ମୁଖ୍ୟାଳୟ) ଆସି ଆମକୁ ସମ୍ବୋଧିତ କରିଥିଲେ। ସେ ଦେଶବାସୀଙ୍କୁ ଉତ୍ସାହିତ କରିଛନ୍ତି। ମୋଦିଙ୍କ ଭାଷଣ ନିର୍ବାଚନୀ ହୋଇପାରେ ଏବଂ ସେ ପୂର୍ବ ସରକାରମାନଙ୍କୁ ଟାର୍ଗେଟ କରିପାରନ୍ତି ବୋଲି କଂଗ୍ରେସ ଅନୁମାନ କରୁଥିବା ଜଣାପଡ଼ିଛି।

ସେ କାହିଁକି ଲାଲକିଲ୍ଲା ଯାଇନଥିଲେ ସେ ବିଷୟରେ ଖଡଗେ ବର୍ଣ୍ଣନା କରିଛନ୍ତି

କିଛି ସମୟ ପରେ ଯେତେବେଳେ ଖଡ଼ଗେଙ୍କୁ ଲାଲକିଲ୍ଲା ନ ଯିବା ନେଇ ପଚରାଯାଇଥିଲା, ସେତେବେଳେ ସେ ଆଖି ସମସ୍ୟା ବିଷୟରେ କହିଥିଲେ। ଦ୍ୱିତୀୟତଃ, ସେ କହିଥିଲେ ଯେ ପ୍ରୋଟୋକଲ୍ ଅନୁଯାୟୀ ମୋତେ ଘରେ ପତାକା ଉତ୍ତୋଳନ କରିବାକୁ ପଡ଼ିବ। ଏହାପରେ ମୋତେ କଂଗ୍ରେସ କାର୍ଯ୍ୟାଳୟକୁ ଆସି ପତାକା ଉତ୍ତୋଳନ କରିବାକୁ ପଡ଼ିଥିଲା। ମୁଁ ଏଠାକୁ ଯାଇ ପାରିଲି ନାହିଁ। ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି। ପ୍ରଥମ ପ୍ରଧାନମନ୍ତ୍ରୀ ନ ଯିବା ପର୍ଯ୍ୟନ୍ତ ଆମେ କାହାରିକୁ ଛାଡ଼ୁନାହୁଁ । ଆଜିକାଲି ଗୃହମନ୍ତ୍ରୀ ନ ଯିବା ପର୍ଯ୍ୟନ୍ତ ସେମାନେ ବାହାରକୁ ଯାଆନ୍ତି ନାହିଁ। ପ୍ରତିରକ୍ଷା ମନ୍ତ୍ରୀ, ବାଚସ୍ପତି… ଏହାପରେ ଆମ ଭଳି ଲୋକଙ୍କ ନମ୍ବର ମିଳିଥାଏ। ତେଣୁ ସମୟର ଅଭାବ ଓ ନିରାପତ୍ତା ଅଭାବ ଦେଖାଦେଇଥିଲା।

ବାଜପେୟୀଙ୍କ ପ୍ରଶଂସା ଓ…

ଖଡ଼ଗେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ବିଷୟରେ କହିଥିଲେ। ସେ ନେହେରୁ, ଇନ୍ଦିରା, ଶାସ୍ତ୍ରୀ ଏବଂ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ। ଖଡ଼ଗେ କହିଛନ୍ତି ଯେ ସମସ୍ତ ପ୍ରଧାନମନ୍ତ୍ରୀ ସବୁବେଳେ ଦେଶ ପାଇଁ ଚିନ୍ତା କରି ବିକାଶର ପଦକ୍ଷେପ ନେଇଛନ୍ତି। ଆଜିକାଲି କିଛି ଲୋକ ଅନୁଭବ କରୁଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ହିଁ ଭାରତର ପ୍ରଗତି ହୋଇଛି। ଏହା ଭୁଲ୍ ଚିନ୍ତାଧାରା। ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ନୂଆ ନୂଆ କୌଶଳ ଆପଣାଯାଉଛି ବୋଲି ଆଜି କହିବା ମୋତେ ଦୁଃଖ ଲାଗୁଛି। ନିର୍ବାଚନ ଆୟୋଗକୁ ମଧ୍ୟ ଦୁର୍ବଳ କରାଯାଉଛି। ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଉଛି, ମାଇକ ବନ୍ଦ କରାଯାଉଛି କିମ୍ବା ଭାଷଣରୁ ଶବ୍ଦ ହଟାଯାଉଛି।

ଖଡ଼ଗେଙ୍କ ଉପରେ ବିଜେପିର କଡ଼ା ସମାଲୋଚନା

ବିଜେପି ମୁଖପାତ୍ର ଶାହଜାଦ୍ ଜୟହିନ୍ଦ କଂଗ୍ରେସ ମୁଖ୍ୟାଳୟରେ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଖଡ଼ଗେଜୀ ଅସୁସ୍ଥ ଥିଲେ ତେଣୁ ସେ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇନଥିଲେ କିନ୍ତୁ ମୁଁ ଏହା ଦେଖି ଖୁସି ଯେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି ଏବଂ କଂଗ୍ରେସ ମୁଖ୍ୟାଳୟରେ ଭାଷଣ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଖଦୀ କାରିଗର ଓ ବିଶ୍ବକର୍ମାଙ୍କୁ ସ୍ବଧୀନତା ଦିବସରେ ଯୋଗଦେବାକୁ ନିମନ୍ତ୍ରଣ

ଭୁବନେଶ୍ଵର: ଖଦୀ କାରିଗର ଓ ଅନ୍ୟାନ୍ୟ ୧୮ଟି ବିବିଧ କ୍ଷେତ୍ରରୁ ବିଶ୍ବକର୍ମାମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ସ୍ବାଧୀନତା ଦିବସରେ ନୂଆଦିଲ୍ଲୀ ଲାଲକିଲ୍ଲାରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି।

ନୂଆଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଦେଶର ୧୮ ଶହ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଙ୍କୁ ଏଥର ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ପତାକା ଉତ୍ତୋଳନ ସହ ତାଙ୍କର ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ଶୁଣିବାକୁ ଭାରତ ସରକାର ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏମଏସଏମଇ ମନ୍ତ୍ରଣାଳୟ ୫୦ ଜଣ ଖଦୀ କାରିଗର ଓ ୬୨ ଜଣ ବିଶ୍ବକର୍ମାଙ୍କୁ ୧୮ଟି ବିଭିନ୍ନ ବେଉଷାରୁ ସେମାନଙ୍କ ପତ୍ନୀଙ୍କ ସହ ଚଳିତ ବର୍ଷ ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅଗଷ୍ଟ ୧୫, ୨୦୨୩ ଦିନ ଜାତୀୟ ପତାକା ଉତ୍ତୋଳନରେ ଯୋଗ ଦେବା ପରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କ ବାସଭବନରେ ଅନୁଷ୍ଠିତ ସମାରୋହରେ ମଧ୍ୟ ଯୋଗ ଦେବେ।

ଦେଶବ୍ୟାପୀ ଖଦୀ କାରିଗର ଓ ବିଶ୍ବକର୍ମାମାନଙ୍କୁ ଉତ୍ସବ ପାଇଁ ଆମନ୍ତ୍ରଣ କରିବା ସରକାରଙ୍କ ପକ୍ଷରୁ ସେମାନଙ୍କ ଦେଶ ପ୍ରତି ଅବଦାନ ଗଭୀର କୃତଜ୍ଞତାର ଅଂଶବିଶେଷ ଭାବେ ବିବେଚନା କରାଯାଉଛି।

Categories
ବିଶେଷ ଖବର

ଲାଲକିଲ୍ଲାରୁ ମୋଦିଙ୍କ ଭାଷଣ ଶୁଣିବେ ଆମେରିକୀୟ ସାଂସଦ

ଭୁବନେଶ୍ୱର: ଅଗଷ୍ଟ ୧୫ତାରିଖରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଦେଖିବାକୁ ପାଇବେ ଆମେରିକୀୟ ସାଂସଦଙ୍କ ଏକ ଦ୍ୱିପାକ୍ଷିକ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଏବଂ କଂଗ୍ରେସ ସଦସ୍ୟ ମାଇକେଲ ୱାଲ୍ଟଜ୍ ଏହି ଦ୍ୱିପାକ୍ଷିକ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ଦୁଇ ସାଂସଦ ଭାରତ ଏବଂ ଭାରତୀୟ ଆମେରିକୀୟଙ୍କ ଉପରେ ଦ୍ୱିପାକ୍ଷିକ କଂଗ୍ରେସନାଲ କକସର ସହ-ଅଧ୍ୟକ୍ଷ ଅଟନ୍ତି।

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ

ଅଗଷ୍ଟ ୧୫ରେ ଭାରତର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଗସ୍ତ କରିବେ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୁମ୍ବାଇ, ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀର ବ୍ୟବସାୟ, ବୈଷୟିକ ଜ୍ଞାନକୌଶଳ, ସରକାର ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତର ନେତାମାନଙ୍କ ସହ ଆମେରିକୀୟ ସାଂସଦମାନେ ସାକ୍ଷାତ୍‍ କରିବେ । ସେ ନୂଆଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ଐତିହାସିକ ସ୍ଥାନ ରାଜଘାଟ ପରିଦର୍ଶନ କରିବେ।

ଖାନ୍ନା ଏବଂ ୱାଲ୍ଟଜଙ୍କ ସହ ସାଂସଦ ଡେବୋରା ରସ୍, କ୍ୟାଟ୍ କାମାକ୍, ଶ୍ରୀ ଥାନେଦାର ଏବଂ ଜାସ୍ମିନ୍ କ୍ରୋକେଟ୍‍ଙ୍କ ସହ ରିଚ୍ ମ୍ୟାକକର୍ମିକ୍ ଏବଂ ଏଡ୍ କେସ୍ ମଧ୍ୟ ସାମିଲ ହେବେ। ସାଂସଦ ଖାନ୍ନାଙ୍କ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଐତିହାସିକ ଗସ୍ତ ହେବାକୁ ଯାଉଛି। ଖାନ୍ନାଙ୍କ ଜେଜେବାପା ଅମରନାଥ ବିଦ୍ୟାଲଙ୍କାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ମହାତ୍ମା ଗାନ୍ଧୀଙ୍କ ସହ ୪ ବର୍ଷ ଜେଲରେ ବିତାଇଥିଲେ ଏବଂ ପରେ ଭାରତର ପ୍ରଥମ ସଂସଦର ଅଂଶ ହୋଇଥିଲେ।

ଖାନ୍ନା କହିଛନ୍ତି, ଭାରତ ଏବଂ ଭାରତୀୟ ଆମେରିକୀୟଙ୍କ ଉପରେ କଂଗ୍ରେସନାଲ କକସର ସହ-ଅଧ୍ୟକ୍ଷ ଭାବରେ ଆମେ ଭାରତକୁ ଏକ ଦ୍ୱିପାକ୍ଷିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ଗର୍ବ ଅନୁଭବ କରୁଛୁ। ସର୍ବପୁରାତନ ଓ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ପ୍ରତିରକ୍ଷା ସମ୍ପର୍କକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆମେ ଆଲୋଚନା କରିବୁ।

ସେହି ସମୟରେ ଭାରତୀୟ-ଆମେରିକୀୟ ସାଂସଦ ଶ୍ରୀ ଥାନେଦାରଙ୍କ ନେତୃତ୍ୱରେ କିଛି ଆମେରିକୀୟ ସାଂସଦ ଭାରତର ସ୍ୱାଧୀନତା ଦିବସକୁ ବିଶ୍ୱର ଦୁଇ ବୃହତ୍ତମ ଗଣତନ୍ତ୍ରର ଜାତୀୟ ଉତ୍ସବ ଦିବସ ଭାବେ ଘୋଷଣା କରିବା ପାଇଁ ପ୍ରତିନିଧି ସଭାରେ ଏକ ସଂକଳ୍ପ ଆଗତ କରିଥିଲେ। ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ରେ ଆଧାରିତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ବିଶ୍ୱ ଗଣତନ୍ତ୍ରକୁ ଆଗକୁ ବଢ଼ାଇବା ସହ ସମସ୍ତ ଦେଶ ପାଇଁ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ସଂକଳ୍ପରେ ବିଶ୍ୱାସ ବ୍ୟକ୍ତ କରାଯାଇଛି। ଅଗଷ୍ଟ ୧୫ରେ ଭାରତର ସ୍ୱାଧୀନତା ଦିବସକୁ ବିଶ୍ୱର ଦୁଇ ବୃହତ୍ତମ ଗଣତନ୍ତ୍ରର ଜାତୀୟ ଉତ୍ସବ ଦିବସ ଭାବେ ଘୋଷଣା କରିବାକୁ ଏହି ସଂକଳ୍ପରେ ଦାବି କରାଯାଇଛି । କଂଗ୍ରେସ ସଦସ୍ୟ ଥାନେଦାରଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବକୁ ସିନେଟର ବଡି କାର୍ଟର ଏବଂ ବ୍ରାଡ୍ ଶର୍ମାନ୍ ସମର୍ଥନ କରିଥିଲେ।