Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ କୋଚ, ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ ହାତୀଆ ଠାରେ ଜନପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ ଏବଂ କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ଼ -ବାଲାଙ୍ଗୀର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।