Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିଦର୍ଶନ କଲେ ଡେ ଷ୍ଟାର ହୋମର ଅନ୍ତେବାସୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଧାନସଭା ପରିଦର୍ଶନ କରିଛନ୍ତି ଡେ ଷ୍ଟାର ହୋମ୍‌ର ଅନ୍ତେବାସୀ । ଡେ ଷ୍ଟାର ହୋମ୍‌ର ଜରାଉ, ମୋହନା ଏବଂ ଗଜପତିର ଅନ୍ତେବାସୀ ବିଧାନସଭା ପରିଦର୍ଶନ କରିବା ସହିତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟିଛନ୍ତି । ବାଚସ୍ପତି ଛାତ୍ର ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହିତ ଚକୋଲେଟ୍‌ ଦେଇ ଆପ୍ୟାୟିତ କରିଥିଲେ ।
ଛାତ୍ରଛାତ୍ରୀଙ୍କ ପରିଦର୍ଶନ ସମୟରେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ ଏବଂ ବିଧାନସଭା ମଧ୍ୟର ଉଦ୍ୟାନ ବୁଲି ଦେଖିଥିଲେ ଅନ୍ତେବାସୀ । ଅନ୍ତେବାସୀଙ୍କ ମଧ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 43 ଜଣ ଛାତ୍ରଛାତ୍ରୀ ରହିଥିଲେ । ଅନାଥ ଆଶ୍ରମର କର୍ମଚାରୀ ଇସ୍‌ମାଇଲ ମାଝୀ, ସିଆନ୍‌ ମାଝୀ, ଜୁଏଲ୍‌ ଶବରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ବିଧାନସଭା ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ ଏବଂ ମାର୍ଶାଲ ଦେବାଶିଷ ପ୍ରଧାନ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାରେ 37 ଲକ୍ଷ 83 ହଜାର 55 ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବ ।

Categories
ବିଶେଷ ଖବର

କେୟାର ହସପିଟାଲ ଓ ଏହାର ତଥାକଥିତ ପାକିସ୍ତାନୀ ଲିଙ୍କ,ଏହାର ଉତ୍ତର କେନ୍ଦ୍ର ସରକାର ଦେବେ ନା ରାଜ୍ୟ ସରକାର? 

କେଦାର ମିଶ୍ର 

କେୟାର ହସପିଟାଲର ପାକିସ୍ତାନ ଲିଙ୍କ, ଏକଥା ଶୁଣିବାକୁ ବଡ ଚାଞ୍ଚଲ୍ୟକର ମନେ ହେଉଛି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏ ହସପିଟାଲ କୁଆଡେ ଜଣେ ପାକିସ୍ତାନୀ ନାଗରିକ କିଣିବାକୁ ଯାଉଛନ୍ତି। ଏହାର ସୂତ୍ର କଣ, କେଉଁଠୁ ଏ ତଥ୍ୟ ଆସିଲା, ସେକଥା ଆମକୁ ଜଣାନାହିଁ। ତେବେ ଭୁବନେଶ୍ୱର କେୟାର ହସପିଟାଲ ଗୋଟେ ଅଲଗା ଅନୁଷ୍ଠାନ ନୁହଁ। ଏହା ହାଇଦରାବାଦ ସ୍ଥିତ କ୍ଵାଲିଟି କେୟାର ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀ ଦ୍ଵାରା ପରିଚାଳିତ ଅନୁଷ୍ଠାନ। ତେଣୁ ଏହି ସଂସ୍ଥାରେ କିଏ କିଏ ନିର୍ଦ୍ଦେଶକ ଅଛନ୍ତି, ଏଥିରେ କେଉଁ ସଂସ୍ଥାର ଆନ୍ତର୍ଜାତିକ ପୁଞ୍ଜି ଲାଗିଛି ଓ ଏହାର ସେୟାର ବିଶ୍ଵ ବଜାରରେ କେଉଁ କେଉଁ କମ୍ପାନୀ ହାତକୁ ଯାଇଛି, ତାର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ। ଓଡିଶା ସରକାର ଚାହିଁଲେ ମଧ୍ୟ କେୟାରର ପୁଞ୍ଜିଲଗାଣ ସମ୍ପର୍କିତ ସଠିକ ତଥ୍ୟ ପାଇରିବେ ନାହିଁ।

ତେବେ ଏ ସମ୍ପର୍କିତ କିଛି ବିଭ୍ରାନ୍ତିକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ବିଭିନ୍ନ ଖବର କାଗଜରେ କେୟାର କମ୍ପାନୀ ଯେଉଁ ଆରିଫ ମାସୁଦ ନକଭିଙ୍କୁ ବିକ୍ରି ହେବାକୁ ଯାଉଛି ବୋଲି କୁହାଯାଉଛି, ତାଙ୍କ ପାଖରେ ୨୦୧୬ ମସିହାରୁ କେୟାର ହସପିଟାଲର ୭୨% ଅଂଶଧନ ବିକ୍ରି ହୋଇସାରିଛି। ୧୪, ଜାନୁଆରୀ,୨୦୧୬ରେ ପ୍ରକାଶିତ “ଦି ଇକୋନମିକ ଟାଇମ୍ସ’ର ଖବର ଅନୁଯାୟୀ କେୟାର ହସ୍ପିଟାଲ ପାଇଁ ପୁଞ୍ଜି ବିନିଯୋଗକାରୀ ଆଡଭେଣ୍ଟ ଇଣ୍ଟରନେସନାଲ ଠାରୁ ଦୁବାଇର ଅବ୍ରାଜ ଗୃପ ୨୦୦୦ କୋଟି ଟଙ୍କା ବିନିମୟରେ ଏହାର ୭୨% ଅଂଶଧନ ଖରିଦ କରିଥିଲେ। ୨୦୧୬ରେ ଏକ ବିରାଟ ଆନ୍ତର୍ଜାତିକ ପୁଞ୍ଜିଲଗାଣକାରୀ କମ୍ପାନୀ ଭାବରେ ଉଭା ହୋଇଥିବା ଅବ୍ରାଜ ଗୃପ ତିନି ବର୍ଷ ଭିତରେ ଏକ ଠକ ବ୍ୟବସାୟୀ ସଂସ୍ଥା ଭାବରେ ବଦନାମ ହେବା ସହିତ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅରିଫ ମାସୁଦ ନକଭି ଦୁବାଇ ଓ ଲଣ୍ଡନ ସ୍ଥିତ ବିଭିନ୍ନ ଅଦାଲତରୁ ଦଣ୍ଡିତ ହୋଇସାରିଛନ୍ତି।

କିଏ ଏହି ଆରିଫ ମାସୁଦ ନକଭି ଓ ଅବ୍ରାଜ ଗୃପ?  

୨୦୧୬ରେ ଅବ୍ରାଜ ଗୃପ ଯେତେବେଳେ କେୟାର ହସ୍ପିଟାଲରେ ପୁଞ୍ଜି ବିନିଯୋଗ କଲେ,ସେତେବେଳେ ଏହାକୁ ଆରବୀୟ କ୍ଷେତ୍ରର ସବୁଠୁ ବଡ ପୁଞ୍ଜିଲଗାଣ ପ୍ରକଳ୍ପ ଓ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଥିଲା।ପୃଥିବୀର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପରେ ଏହି କମ୍ପାନୀ ୧ ବିଲିଅନ ଡଲାର ପୁଞ୍ଜିଲଗାଣ କରିବ ବୋଲି କହିଥିଲା। ୨୦୧୯ ବେଳକୁ ଏହି କମ୍ପାନୀରେ ପୁଞ୍ଜି ଖଟାଇଥିବା ବିଶ୍ଵ ବ୍ୟାଙ୍କ ଓ ବିଲ ଗେଟ୍ସ-ମିଲିଣ୍ଡାଗେଟ୍ସ ଫାଉଣ୍ଡେସନ ଅବ୍ରାଜ ବିରୋଧରେ ଆର୍ଥିକ କୁପରିଚାଳନା ଓ ଠକେଇର ଅଭିଯୋଗ ଆଣିଥିଲେ। ଏହାର ପରିଣତି ସ୍ୱରୂପ କମ୍ପାନୀ ଏକ ପ୍ରକାର ଦେବାଳିଆ ହୋଇ ଯାଇଥିଲା ଓ ଏହାର ନିର୍ଦ୍ଦେଶକମାନେ ବିଭିନ୍ନ ମକଦ୍ଦମାରେ ଜେଲ ଗଲେ। ୧୯୬୦ରେ ପାକିସ୍ତାନର କରାଚିରେ ଜନ୍ମ ହୋଇଥିବା ଆରିଫ ନକଭି ଆମେରିକା, ୟୁରୋପ ସମେତ ଭାରତରେ ଦୀର୍ଘ ବର୍ଷ ବିଭିନ୍ନ ବ୍ୟବସାୟରେ ପୁଞ୍ଜି ଖଟାଇ ଆସିଛନ୍ତି।

୨୦୧୬ କଥା ୨୦୧୯ରେ ଉଠୁଛି କାହିଁକି

 କେୟାର ହସପିଟାଲ ଗୃପରେ ଅବ୍ରାଜର ଟଙ୍କା ଲାଗିବା ପ୍ରସଙ୍ଗ ଆଜିର ନୁହେଁ। ବିନା କେନ୍ଦ୍ର ସରକାରଙ୍କ ଅନୁମତିରେ ଏତେ ଟଙ୍କାର ବିଦେଶୀ ପୁଞ୍ଜି ଲଗାଣ ସମ୍ଭବ ନୁହେଁ। ଏହାକୁ ନେଇ ଜାତୀୟ ସ୍ତରରେ ବିଜେପି କିଛି ପ୍ରତିବାଦ କରିଛି କି? ଏହି ପ୍ରସଙ୍ଗ ଓଡିଶା ରାଜ୍ୟର ପ୍ରସଙ୍ଗ ନୁହେଁ। ପୁଞ୍ଜି ଲଗାଣ ଓ ଆନ୍ତର୍ଜାତିକ ବ୍ୟବସାୟର ଅନୁମତି, କେନ୍ଦ୍ର ସରକାରଙ୍କ ଅଧିକାର। ତେଣୁ ଏ ସମ୍ପର୍କରେ ସିବିଆଇ ଅନୁସନ୍ଧାନ ପାଇଁ ବିଜେପି ଓ କଂଗ୍ରେସ ସଭ୍ୟମାନେ ଓଡିଶା ବିଧାନସଭାରେ ଏକ ସ୍ଵତନ୍ତ୍ର ପ୍ରସ୍ତାବ ଆଣିବେ କି? କେୟାର ହସ୍ପିଟାଲ ର ପୁଞ୍ଜି କେଉଁ କମ୍ପାନୀ ହାତରେ କେତେ ରହିଛି, ତାହାର ପୂରା ଚିତ୍ର ଭାରତ ସରକାରଙ୍କ କମ୍ପାନୀ ଓ କର୍ପୋରେଟ ବିଭାଗରୁ ମିଳିଯିବା। ଅବ୍ରାଜ କମ୍ପାନୀ ଦେବାଳିଆ ହେଲା ପରେ ଏହା ନିଜର ଅଂଶଧନକୁ ବିଭିନ୍ନ କମ୍ପାନୀକୁ ବିକ୍ରି କରିଦେଇଛି। ଅବ୍ରାଜ ପାଖରେ ଥିବା ଏକ ବିଲିଅନ ଡଲାର ହେଲଥ କେୟାର ଫଣ୍ଡ ଏବେ ଆମେରିକାର ପ୍ରସିଦ୍ଧ ପୁଞ୍ଜି ଲଗାଣକାରୀ ସଂସ୍ଥା ଟିପିଜି ହାତରେ ରହିଛି।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ପୁଞ୍ଜି ଲଗାଣ ସମ୍ପର୍କିତ ଏକ ପ୍ରସଙ୍ଗ, ଯାହାକି କେନ୍ଦ୍ର ସରକାରଙ୍କ ଅଧିକାରର ବିଷୟ ତାକୁ ଓଡିଶା ବିଧାନସଭାରେ ଉଠା ଯାଉଛି କାହିଁକି? କେୟାରରେ ଅବ୍ରାଜ ଗୃପର ପୁଞ୍ଜି ଲଗାଣ ବିଜେପି ସରକାରଙ୍କ ଅମଳରେ ହୋଇଛି। ଏହା ବେଆଇନ ବୋଲି ବିଜେପି ସ୍ଵୀକାର କରୁଛି କି? ବର୍ତ୍ତମାନ ଦେଶରେ ପୁଞ୍ଜି ଲଗାଣକୁ ନେଇ ହତାଶାଜନକ ସ୍ଥିତି ରହିଛି। ତେଣୁ ଉପସାଗରୀୟ ଦେଶ ସମୂହ ଯଥା- ଦୁବାଇ, କୁଏତ, ସାଉଦି ଆରବ ଭଳି ଦେଶର ପୁଞ୍ଜି ଲଗାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉତ୍ସାହିତ କରୁଛନ୍ତି। କେୟାରରେ ଅବ୍ରାଜର ପୁଞ୍ଜି ଲଗାଣ ସେଇ ବୃହତ୍ତର ଲକ୍ଷ୍ୟର ଅଂଶବିଶେଷ। ଏହା ଯଦି ଦେଶ ବିରୋଧୀ ବା ଏଥିରେ ଯଦି ପାକିସ୍ତାନ ଲିଙ୍କ ରହିଛି, ତାହେଲେ ଏଠି ପାଇଁ ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରାଳୟ, ଅର୍ଥ ବିଭାଗ ଓ ବାଣିଜ୍ୟ ବିଭାଗ ଦାୟୀ ରହିବେ। ବିଜେପି ସରକାର କାହିଁକି ଜଣେ ପାକିସ୍ତାନୀ ନାଗରିକ ସ୍ଥାପନ କରିଥିବା କମ୍ପାନୀକୁ ଭାରତରେ ପୁଞ୍ଜି ଲଗାଣ ପାଇଁ ଅନୁମତି ଦେଲେ, ଏ ପ୍ରଶ୍ନ ବିଜେପି ନେତାମାନେ ତାଙ୍କ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି?

 

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!

ସମୀକ୍ଷା ବ୍ୟୁରୋ

ଏବେ ଏବେ ଗୋଟେ ଖବର ଉଡିବୁଲୁଛି ଯେ ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ପାଞ୍ଚଜଣ ସଦସ୍ୟ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ୨୦୧୯ ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜ୍ୟର ଶାସନ ସମ୍ଭାଳିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିବା ଓ ୧୪୭ ଟି ଆସନରୁ ୧୦୦ରୁ ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହିବା କିମ୍ବା ଅମାନତ ହରାଇବା ଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା। ବିଧାନସଭାରେ ମାତ୍ର ୯ ଟି ଆସନରେ କଂଗ୍ରେସ ଜିତିଥିବା ବେଳେ ବର୍ତ୍ତମାନ ସେଥିରୁ ପାଞ୍ଚଜଣ ବିଧାୟକ ବିଜେଡିରେ ମିଶିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଖବର ଆସୁଛି।ବିଧାନସଭାରେ ବିଜେଡ଼ିର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଜ୍ୟସଭାର ସବୁ ଆସନ ଜିଣିବାକୁ ହେଲେ ବିଜେଡ଼ିକୁ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଲୋଡା। ସେହିପରି ବିଜେପି ମଧ୍ୟ କଂଗ୍ରେସ ବିଧାୟକଙ୍କ ଉପରେ ଆଖି ରଖିଛି। ଯଦି କିଛି କଂଗ୍ରେସ ବିଧାୟକ ବିଜେପିରେ ମିଶିଯାଆନ୍ତି, ତାହେଲେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଯିବ।

ବର୍ତ୍ତମାନ ବିଜେଡ଼ିର ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସ୍ଥାନ ପୂରଣ ଲାଗି ଯଥାଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଜଣ ରାଜ୍ୟସଭା ସଦସ୍ୟଙ୍କୁ ସହଜରେ ନିର୍ବାଚିତ କରିପାରିବ। ଚତୁର୍ଥ ସଦସ୍ୟ ନିର୍ବାଚିତ କରାଇବାକୁ ହେଲେ ବିଜେଡ଼ିକୁ ଆଉ ୮ ଜଣ ବାହାର ସଦସ୍ୟଙ୍କ ସମର୍ଥନ ନିହାତି ଜରୁରୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୯ଜଣ, ସିପିଆଇଏମ ଓ ସ୍ଵାଧୀନର ଜଣେ ଲେଖାଏଁ ସଦସ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ତେବେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗି ସବୁଦିନ ଲାଗି ନିଜର ପକ୍ଷ ମଜବୁତ କରିବାକୁ ଏବେ ବିଜେଡି ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି।

କଂଗ୍ରେସକୁ ବିଭିନ୍ନ ରାଜ୍ୟରେ ଭାଙ୍ଗିବା ଲାଗି ବିଜେପି ତରଫରୁ ଗତ କିଛି ମାସ ହେଲା ଉଦ୍ୟମ ଜାରି ରହିଛି। ଗୋଆ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଉଛନ୍ତି। ପଶ୍ଚିମବଙ୍ଗରେ କିଛି ତୃଣମୂଳ ଓ ବାମପନ୍ଥୀ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ଆଣିପାରିଛି। ତେଲେଙ୍ଗାନାରେ ୧୨ ଜଣ କଂଗ୍ରେସ ବିଧାୟକ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସାରା ଦେଶରେ କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାପରେ ଏବେ ଜାତୀୟ ସ୍ତରରେ କଂଗ୍ରେସ ଏକ ପ୍ରକାର ଦିଶାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏପରିକି ଦଳ ସରକାର ଥିବା ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକମାନେ ସ୍ଥାନୀୟ ନେତୃତ୍ଵ ବିରୋଧରେ ମେଳି ବାନ୍ଧି ବିଜେପିର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି।

ଓଡିଶାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ବାନ୍ଧି ରଖିବାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କେତେଦୂର ସକ୍ଷମ ହେବେ, ତାହା ସମୟ କହିବ। ତେବେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନିଜ ଛୋଟିଆ ବିଧାୟକ ଦଳକୁ ଯେ ବଞ୍ଚାଇ ପାରିବ ସେ ଭରସା ଆଉ ନାହିଁ। ଉଭୟ ବିଜେଡି ଓ ବିଜେପି ଶିବିରରୁ ଏମାନଙ୍କୁ ନିଜ ପକ୍ଷକୁ ଟାଣିବା ଲାଗି ସୁଚିନ୍ତିତ ରଣନୀତି ରହିଛି। ଟଙ୍କା ଥଳି ସହିତ ପଦବୀର ପ୍ରଲୋଭନ ରହିଛି। କଂଗ୍ରେସ ଭିତରେ ରହି ମାଟି କାମୁଡି ପଡି ରହିବା ଅପେକ୍ଷା ମଉକା ଦେଖି ଚଉକା ମାରିବାକୁ କିଛି କଂଗ୍ରେସ ବିଧାୟକ ଚାହୁଁଛନ୍ତି। କଂଗ୍ରେସରେ ରହିଲେ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାର ବୋଲି ଏବେ ଏକ ସ୍ପଷ୍ଟ ଧାରଣା କଂଗ୍ରେସ ନେତାମାନଙ୍କର ହେଲାଣି। ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ରୁ କଂଗ୍ରେସକୁ ମୁକ୍ତି ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାଠୁ ଦୀର୍ଘ ବର୍ଷ ଦୂରରେ ରହି କଂଗ୍ରେସର ମନୋବଳ ଭାଙ୍ଗି ଯାଇଛି। କ୍ଷମତା ଲାଗି ଛଟପଟ ଅନେକ କଂଗ୍ରେସ ବିଧାୟକ ଏବେ ଆଉ ଦଳରେ ରହି ନିଜର ଶକ୍ତି ଓ ସାମର୍ଥ୍ୟ ଅପଚୟ କରିବାକୁ ଚାହୁଁନାହାନ୍ତି।

ସେହି ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଲାଗି ଉଦ୍ୟମ ସଫଳ ହେବାର ଢେର ସମ୍ଭାବନା ରହିଛି।

Categories
ଆଜିର ଖବର

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ସହିତ ବିଜେପୁରରେ ହେବ ଉପନିର୍ବାଚନ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ପାଟକୁରା ପାଇଁ ବିଜ୍ଞପ୍ତି ପ୍ରକାଶ,ମେ ୧୯ରେ ନିର୍ବାଚନ

ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ପାଟକୁରାରୁ ଦୁଇ ଥର ବିଧାୟକ ରହିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଅକାଳ ବିୟୋଗ ପରେ ନିର୍ବାଚନ ଆୟୋଗ ନିର୍ବାଚନ ସ୍ଥଗିତ ରଖିଥିଲେ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେ ୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ ୧୯ ରବିବାର ଦିନ ପାଟକୁରାରେ ଭୋଟ ଗ୍ରହଣ ହେବ।

Categories
ବିଶେଷ ଖବର ମତାମତ

ସବୁଠୁ କମ ଭୋଟ ଦେଉଥିବା ସ୍ମାର୍ଟ ସିଟି ଭୁବନେଶ୍ବରକୁ ସଲାମ

ରଙ୍ଗାଚରଣ ପ୍ରଧାନ 

କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର ।

ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ ଜାଣି ନାହାନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କଲେ ସେମାନେ କି ପ୍ରକାର ନିଷ୍ପତ୍ତି ନେଇ ଭୋଟ ଦେବେ ? ଜାମ୍ମୁ କାଶ୍ମୀର କଥା ଅଲଗା । ସେଠାରେ ଭୋଟ ପ୍ରତିଶତ ବଢିଲେ ଆମେ ବୁଝିବା ଯେ ସେଠିକାର ଲୋକଙ୍କ ମନରେ ବିଛିନ୍ନତାବାଦ ମନୋଭାବ କମୁଛି । କିନ୍ତୁ ଆମ ଭୁବନେଶ୍ବରରେ ତ ଲୋକଙ୍କ ମନରେ ବିଛିନ୍ନତାବାଦ ନାହିଁ ? ସେମାନଙ୍କୁ କାହିଁକି ବାଧ୍ୟ କରିବା ଭୋଟ ଦେବାକୁ ?

ସେମାନେ ଜାଣିଛନ୍ତି ଦେଶ ଚାଲୁଛି । ଆମେ ଭୋଟ ଦେବାକୁ ନଗଲେ ବି ଦେଶ ଏମିତି ଚାଲିବ । ଯେତେ ପରିବର୍ତନ କଲେ ବି ସେମିତି ଚାଲିବ । ପଡି ଉଠି କରି ହିସାବ ଏପଟ ସେପଟ କରି ୬ରୁ ୮% ବିକାଶ ବୄଦ୍ଧି ଦର ହାରରେ ଦେଶ ଚାଲିଛି । ଏତିକି ବିକାଶ ଦର ହାରରେ କିଛି ହବନି । ଦେଶର ପ୍ରକୄତ ବିକାଶ କରିବାକୁ ହେଲେ ଅତି କମରେ ଆମକୁ ବୄଦ୍ଧି ଦର ଲଗାତର ୧୦% ରେ ପହଞ୍ଚାଇବାକୁ ପଡିବ ଯାହା ଗତ ୨୦ ବର୍ଷରେ କେବଳ ଗୋଟିଏ ବର୍ଷ ହୋଇଛି । ଭୁଟାନ୍ ଆମଠାରୁ ଅଧିକ ଆର୍ଥିକ ଉନ୍ନତି କରିଛି । ବଙ୍ଗଳାଦେଶ, ଯାହାକୁ ଆମେ ୧୯୭୧ ମସିହାରେ ଜନ୍ମ ଦେଇଥିଲୁ, ସିଏ ବି ଅଧିକାଂଶ ଆର୍ଥିକ ମାପଦଣ୍ଡରେ ଆଜି ଆମଠାରୁ ଆଗରେ । ଆମକୁ କିନ୍ତୁ ଅମିତାଭ ବଚନମାନେ କହୁଛନ୍ତି ତମେ ଖାଲି ଭୋଟ ଦିଅ ।

ଦେଶରେ ସ୍ବାକ୍ଷର ସଂଖ୍ୟା ବଢିଛି । ମାତ୍ର ସେମାନଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା କେତେ ? ଏହି ସ୍ବାକ୍ଷରମାନେ ହ୍ବାଟସପ୍ ପାଇଁ ଫିଟ୍ । ସେଥିପାଇଁ ଆଜି ନେହେରୁଙ୍କ ବାପା ମୋଇନୁଦ୍ଦିନ୍ ହେଇଗଲେ । ହ୍ବାଟସପ୍ ସ୍ବାକ୍ଷରଙ୍କ ମଧ୍ୟରେ ବାଦ ବିବାଦ ଚାଲିଲା ଯେ ଏଇଟା ସତ ନା ଫେକ୍ ନ୍ୟୁଜ୍ । କିନ୍ତୁ କେହି ବି ଜଣେ ଶିକ୍ଷିତ ବାହାରିକରି ପଚାରୁନି ଯେ ନେହେରୁଙ୍କ ବାପା ଯଦି ସତରେ ମୋଇନୁଦ୍ଦିନ୍ ହୋଇଥାନ୍ତି ସେଥିରେ ପ୍ରୋବ୍ଲେମ୍ କେଉଁଠି ? ଦେଶରେ ବହି ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି । ପ୍ରେମଚନ୍ଦଙ୍କ ଅମର କୄତିକୁ କେତେ ଜଣ ପଢୁଛନ୍ତି ? ଆଉ କାହା କଥା କ’ଣ କହିବା, ଆମ ସାମ୍ବାଦିକମାନେ ଯେଉଁମାନଙ୍କୁ ବୄତ୍ତିର ଆବଶ୍ୟକତା ଯୋଗୁଁ ବହି ପଢିବା ନିହାତି ଦରକାର, ସେମାନେ ବି ପଢୁ ନାହାନ୍ତି । ସବୁ ନହେଲେ ବି ଅଧିକାଂଶ । ସେମାନଙ୍କ ପାଇଁ ଆଜିକାଲି ବହି ଅପେକ୍ଷା ବୁମ୍ ଅଧିକ ଜରୁରୀ । ସେମାନଙ୍କ ଉପରେ ପୁଣି ଦାୟିତ୍ବ ଦିଆଯାଇଛି ଆମକୁ ଅଫିସରୁ ଫେରିବା ପରେ ଜଣେଇବେ ଦେଶରେ କ’ଣ ସବୁ ଘଟୁଛି । ସେଇମାନଙ୍କୁ ଲଗେଇ ଗୋଟିଏ ମାସ ଭିତରେ ଏମିତି ଘୋ କରାଯାଉଛି ଯେ ସତେ ଯେପରି ଦେଶରେ ଆଉ କିଛି ସମସ୍ୟା ନାହିଁ କେବଳ ସେହି ଘୋ ଭିତର ସମସ୍ୟାଟି ହିଁ ସମସ୍ୟା ।

ଆଜି ସମ୍ବାଦ ଟୁଇଟ୍ କରିଛି –

” ଓଡିଶାରେ ତୄତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ।'”

ଠିକ୍ ତ ଲେଖିଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣୟ ହୁଏ । ଆମର ନୁହେଁ ? ଆମେ କାହିଁକି ଛୁଟି ଦିନଟାରେ ଭୋଟ ଦେବାକୁ ଯିବୁ ? ଆମେ ଭୋଟ ଦେଇଦେଲେ କ’ଣ ୧୨% ନହେଲେ ବି ୧୦% ବିକାଶ ବୄଦ୍ଧି ଦର ଆସିଯିବ ? ଆଉ ଦଳେ ପରିବର୍ତନର ଡାକରା ଦେଉଛନ୍ତି । କି ସୁନ୍ଦର ମାର୍କେଟିଂ ଆହା ! ଆହେ କି ପରିବର୍ତନ ହୋ ?
ପରିବର୍ତନ ହେଲେ ବିକାଶ ହେବ ଏବଂ ତାହାର ସମବଣ୍ଟନ ହେଇଯିବ ? କ’ଣ ରୋଡ୍ ତିଆରି ହେବାକୁ ବିକାଶ କୁହନ୍ତି ? ଏହି ପରିବର୍ତନ ଦ୍ବାରା ସ୍ବାକ୍ଷରମାନେ ଶିକ୍ଷିତ ହୋଇଯିବେ ? ଭୁତଳ ଜଳସ୍ତର କମିବା ବନ୍ଦ ହୋଇଯିବ ? ଓଡିଆ ଭାଷା ବଞ୍ଚିବା ପାଇଁ ଓଡିଆ ମାଧ୍ୟମ ସ୍କୁଲ ଚମକିବ ? କୄଷି ଏମିତି ଲାଭଜନକ ହେବ ଯେ ଚାକିରୀ ବଜାର ଉପରେ ପ୍ରେସର୍ କମିବ ? ଆମ କୄଷି ଉତ୍ପାଦନ ରପ୍ତାନୀଯୋଗ୍ୟ ହୋଇଯିବ ? ଏଠି ପରା ଭୋଟ ଆସିବାରୁ ଗୋଟେ ସରକାର କାଳିଆ ଯୋଜନା ଆରମ୍ଭ କଲା ତ ଆଉ ଗୋଟିଏ ସରକାର ପିଏମ୍-କିଷାନ୍ ଆରମ୍ଭ କଲାଣି । ଆପଣ କି ପରିବର୍ତନ କଥା କହୁଛନ୍ତି ଯେ ଭୁବନେଶ୍ବର ଲୋକେ ଛୁଟିଟା ବରବାଦ କରି ବୁଥ୍ ଆଗରେ ଲାଇନ୍ ଦେବେ ?

ସପ୍ତାହ ସାରା ଭୁବନେଶ୍ବରରେ କାମ କରୁଥିବା ପ୍ରାଇଭେଟ୍ ସଂସ୍ଥା କର୍ମଚାରି କେତେ ପ୍ରେସରରେ ରୁହନ୍ତି ତମକୁ ଜଣା ଅଛି ? ସବୁ ନିୟମ ଭୁବନେଶ୍ବର ବିଧାନସଭାରେ ତିଆରି ହୁଏ କିନ୍ତୁ ଭୁବନେଶ୍ବରରେ ଲାଗୁ ହୁଏନି । ଦିନସାରା ଏକସେଲ୍ ଓ ଓ୍ବାର୍ଡ ଫାଇଲ୍ ତିଆରି କରି କରି ସେମାନେ ସଂଧ୍ୟା ୭ଟା ପରେ ଯାଇ ଅଫିସରୁ ଫେରନ୍ତି । ଚାକିରୀ ନିରାପତ୍ତା ବୋଲି କିଛି ନାହିଁ । କୋଉଦିନ ଯେ ବସ୍ କହିଦବ ‘ରିଜାଇନ୍ କର’, ତାହାର କୌଣସି ଠିକଣା ନାହିଁ । ସପ୍ତାହସାରା ପ୍ରେସରରେ ରହି କାମ କରିବା ପରେ ଛୁଟି ଗୋଟେ କ’ଣ ଦେଇଦେଲ ଯେ କହୁଛ ଖରାରେ ଆସି ଭୋଟ ଦିଅ ? ଭଲ ଆଉ ! ଏମିତି ବି ଆମେ ଭାରତୀୟମାନେ ସବୁବେଳେ ମନଦୁଃଖରେ ରହୁଛୁ । ଗତବର୍ଷ ଜାତିସଂଘ କହିଛି ଯେ ୧୫୬ଟି ଦେଶ ଭିତରେ ଖୁସି ରହିବା କ୍ରମାଙ୍କରେ ଆମେ ପୁର୍ବ ବର୍ଷ ଅପେକ୍ଷା ୭ ପଏଣ୍ଟ ତଳକୁ ଖସି ପାକିସ୍ଥାନ ଓ ବଙ୍ଗଳାଦେଶ ତଳେ ୧୪୦ ନମ୍ବରରେ ଅଛୁ ।

ଭୁବନେଶ୍ବରରେ ଥାଇ ଭୋଟ ଦେବାକୁ ଆସି ନଥିବା ଲୋକମାନଙ୍କୁ କେତେକ ବନ୍ଧୁ ଆଜି ଦିନ ସାରା ସମାଲୋଚନା କରୁଛନ୍ତି । ତମେ ସବୁଥର ଭୋଟ ଦେଇ ଦେଶର କ’ଣ କରିଛ ସେକଥା ସେମାନେ କେବେ ତମକୁ ପଚାରିଛନ୍ତି ? ନାହିଁ ନା ? ତାହାଲେ ସେମାନେ ଭୋଟ ଦେଲେ କି ନ ଦେଲେ ସେଥିରେ ତମର କାହିଁକି ମୁଣ୍ଡ ବଥଉଛି ?

ସେମାନେ ଭୋଟ ଦେଉନାହାନ୍ତି ବୋଲି କ’ଣ ସେମାନେ ଇଣ୍ଡିଆନ୍ ନୁହନ୍ତି ନା ଇଣ୍ଡିଆକୁ ଭଲ ପାଉ ନାହାନ୍ତି ? ସରକାରମାନେ ଯେତେ ଟିକସ ମାଗୁଛନ୍ତି ସେମାନେ ଦଉଛନ୍ତି ନା ନାହିଁ ? ଆଉ ତାହେଲେ ?

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ବୁଲି ଆସି ଥରେ ଦେଖନ୍ତୁ । ଆପଣ ଜାଣିବେ ଯେ ଭୋଟିଂ ପ୍ରତିଶତ ସହିତ ବିକାଶ ଓ ଗଣତନ୍ତ୍ରର କନେକସନ୍ କଟିଯାଇଛି ।

ନହେଲେ ଆପଣ କହୁନାହାନ୍ତି ? ପାଞ୍ଚବର୍ଷ ପୁର୍ବେ ଭୁବନେଶ୍ବର ସ୍ମାର୍ଟସିଟି ପ୍ରତିଯୋଗିତାରେ ଭାଗନେଇ ନମ୍ବର ଓନ୍ ହେଇଥିଲା ଯେ କେତେ ବାଣ ଫୁଟିଲା ତାର ସୀମା ନାହିଁ । ସାରା ଭାରତରେ ସମତେ ଓଠରେ ଆଙ୍ଗୁଠି ଦେଇ ଆମକୁ ଦେଖିଲେ । ସତ କହିଲେ ଗଲା ପାଞ୍ଚ ବର୍ଷରେ ଭୁବନେଶ୍ବରର କ’ଣ ପରିବର୍ତନ ହୋଇଛି । କହିଲେ ଏଇନେ ଇଏ ତାକୁ ଦୋଷ ଦବ ଓ ସିଏ ଆକୁ ଦୋଷ ଦେବ ।

କିନ୍ତୁ ଯାହା କୁହନ୍ତୁ ଭୁବନେଶ୍ବରବାସୀ ପ୍ରକୄତରେ ସ୍ମାର୍ଟ । ଭୋଟ ଗୁଡାଏ ଦେଇ ଦେଲେ ଅଧିକ ସ୍ମାର୍ଟ ହେଇଯିବେନି । ଭୋଟ ଗୁଡାଏ ଦେଇଦେଲେ ସେମାନେ ଅଧିକ ଦେଶପ୍ରେମୀ ହୋଇଯିବେନି । ଆର ମାସରେ ବିଶ୍ବ କପ୍ । ସମସ୍ତେ ଦେଖିବେ ।

Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି  ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Categories
ଆଜିର ଖବର

ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ଦିନ  ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି।  ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। କିଛି ଦିନ ପୂର୍ବରୁ ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ) ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ କହିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ହାରଜିତର ବିଚିତ୍ର ଗଣିତ

କେଦାର ମିଶ୍ର

ଓଡିଶାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ତଥା ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ମନପସନ୍ଦ ପ୍ରତିନିଧି ବାଛି ସାରିଛନ୍ତି। ଏବେ ପରୀକ୍ଷା ସରିଛି, ମଇ ୨୩ ତାରିଖରେ ଫଳ ବାହାରିବ। ତେବେ ନିର୍ବାଚନ ପରେ ପରେ ରାଜନୈତିକ ଦଳ ଗୁଡିକ ନିଜ ନିଜର ସଫଳତାର କାହାଣୀ କହିବା ଆରମ୍ଭ କରନ୍ତି। ପ୍ରଥମ ପର୍ଯ୍ୟାୟର ଫଳାଫଳ ବିଜେଡି, କଂଗ୍ରେସ ଓ ବିଜେଡି ନିଜ ନିଜ ପକ୍ଷରେ ଘୋଷଣା କରି ସାରିଛନ୍ତି। ବିଜୁ ଜନତା ଦଳ ୪ ଟି ଯାକ ଲୋକସଭା ଓ ୨୫ ଟି ବିଧାନସଭା ଆସନ ଜିଣିବ ବୋଲି କହିଛି। କଂଗ୍ରେସ ତିନୋଟି ଲୋକସଭା ଓ ୨୦ ବିଧାନସଭାର ଆକଳନ ନିଜ ପକ୍ଷରେ ରଖିଛି। ସବୁଠୁ ବିଚିତ୍ର ଗଣିତ ରଖିଛି ଭାରତୀୟ ଜନତା ପାର୍ଟି। ଦଳର ଉପ ସଭାପତି  ସମୀର ମହାନ୍ତି କହିଛନ୍ତି, ଲୋକସଭାର ଚାରୋଟି ଯାକ ଆସନ ଆମେ ଜିତିବୁ ଓ ବିଧାନସଭାରେ ପ୍ରାୟ ଅଧା ଆସନ ଜିଣିବୁ। ତା ଅର୍ଥ ହେଉଛି ବିଧାନସଭାରେ ବିଜେପି ୨୮ ରୁ ୧୪/୧୫ ଆସନ ଆଶା କରୁଛି। ଏଥିରୁ ଆମେ ବୁଝିବା ଉଚିତ ହେବ ଯେ ବିଜେପି ଏବେ ଆଉ ନିଜର ମିଶନ ୧୨୦+ କୁ ଭୁଲି ଯାଇଛି ? ସେହିପରି ବିଧାନସଭା ଆସନରେ ହାରିଲେ ଲୋକସଭାରେ ଜିତିବାର ସମ୍ଭାବନା ବହୁତ କମ ଥାଏ ବୋଲି ବିଜେପି ଜାଣିଥିବ ନିଶ୍ଚୟ!

ନିର୍ବାଚନ ପରେ ହାର ଜିତ କୁ ନେଇ ରାଜନୈତିକ ଦଳମାନେ ଯେଉଁ ଆକଳନ ପ୍ରସ୍ତୁତ କରିଥାନ୍ତି, ତାହା ଉପରେ କେହି ବିଶ୍ଵାସ କରନ୍ତି ନାଇଁ। ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଦଳର ଆକଳନ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଉପରେ ବେଶ ପ୍ରଭାବ ପକାଇବ। ହାର ଜିତ ର ସତ୍ୟତା ଅପେକ୍ଷା ତାକୁ ନେଇ କଲ୍ପନା ଜଳ୍ପନା ଗୋଟେ ବଡ ଭୂମିକା ନେଇଥାଏ। ପ୍ରଥମ ପର୍ଯ୍ୟାୟର ମାନସିକ ଚାପ ଦ୍ଵିତୀୟ ପର୍ଯ୍ୟାୟକୁ ସମ୍ପ୍ରସାରିତ ହୋଇଥାଏ। ତେଣୁ ବିଜୟର ଅଙ୍କ ପ୍ରସ୍ତୁତ କଲାବେଳେ ରାଜନୈତିକ ଦଳ ଗୁଡିକ ନିଜ ଅଙ୍କକୁ ସଠିକ ଭାବରେ ପରଖିନେବା ଉଚିତ। ରାଜନୈତିକ ଦଳ ଗୁଡିକ ଯାହା ଆକଳନ କରନ୍ତି, ତାର ସତ୍ୟାସତ୍ୟ ଜାଣିବାକୁ ଆମେ ସାମ୍ବାଦିକମାନେ ଆହୁରି ଅନ୍ୟାନ୍ୟ ସୂତ୍ର ଉପରେ ଭରସା ରଖିଥାଉ। ଯଦିଓ ଫଳ ବାହାରିବା ପର୍ୟନ୍ତ କୌଣସି ବି ଭବିଷ୍ୟତବାଣୀ କରିବା ଠିକ ନୁହଁ, ତଥାପି ଏ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଆମକୁ ମିଳିସାରିଛି।

ବିଭିନ୍ନ ଦଳର ନିଜସ୍ଵ ଘୋଷଣା, ସେମାନଙ୍କ କହିବାରେ ରହିଥିବା ଆତ୍ମବିଶ୍ଵାସ ଓ ଅନ୍ୟାନ୍ୟ ସୂତ୍ରର ସୂଚନାକୁ ମିଶେଇ ଆମେ ଭବିଷ୍ୟତର ଏକ ସଙ୍କେତ ପାଇ ଯାଇପାରିବା। ଏଠି ଗୋଟେ କାଳ୍ପନିକ ସ୍ଥିତି କଥା ବିଚାର କରନ୍ତୁ- ଯଦି ବିଜେପି ଚାରୋଟି ଲୋକସଭା ଆସନରେ ଜିତିବାର ଆତ୍ମବିଶ୍ଵାସ ରଖିଥାନ୍ତା, ତାହେଲେ ଦଳର ସୋସିଆଲ ମିଡିଆ ଓ ଟ୍ରୋଲ ଆଉ କାହାକୁ ବସେଇ ଉଠେଇ ଦିଅନ୍ତେ ନାହିଁ। ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ପରେ ବିଜେପି ଅଧିକ କିଛି ଲୋକସଭା ଆସନ ପାଇବ ବୋଲି ଭାବୁଛି। ବିଧାନସଭାରେ ବିଜେପିର ବିଜୟକୁ ନେଇ ଦଳର ଦମ୍ଭ ସେତେ ବେଶୀ ଦିଶୁନାହିଁ।“ ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମ” ବୋଲି କେତୋଟି ସ୍ଥାନରେ ଯେଉଁ ଜନରବ ଶୁଣାଯାଉଛି, ତାହା ବିଜେପିକୁ ବିଧାନସଭା କ୍ଷେତ୍ରରେ ଏକ ପ୍ରକାର ସଚେତନ କରି ଦେଇଛି। ସେଥିଲାଗି ବୋଧେ ବିଜେପି କହୁଛି ସେମାନେ ୨୮ ରୁ ୧୪ ବିଧାନସଭା ଆସନ ପାଇ ପାରନ୍ତି।

ଅପର ପକ୍ଷରେ ବିଜେଡି ନିଜ ଆକଳନକୁ ନେଇ ଅଧିକ ଆକ୍ରାମକ ଲାଗୁଛି। ପାରମ୍ପାରିକ ଭାବରେ ଏହି ଚାରୋଟି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେବା କଥା। କିନ୍ତୁ କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ତିନୋଟି ଯାକ ଆସନରେ ଏବେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଥିବାର ସୂଚନା ମିଳୁଛି। କେବଳ ନବରଙ୍ଗପୁର ଆସନରେ ଏହାର ପ୍ରାର୍ଥୀ ପ୍ରଦୀପ ମାଝୀ କିଛିଟା ସମ୍ଭାବନା ବଜାୟ ରଖିଛନ୍ତି। କଳାହାଣ୍ଡିରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲାର ସଙ୍କେତ ରହିଛି। କଳାହାଣ୍ଡିର ବିଧାନସଭା ଆସନ ଗୁଡିକର ସ୍ଥିତି ଏତେ ବିଭାଜିତ ଯେ ସେଥିରେ ଯିଏ ବି ବିଜୟୀ ହେବ ତାଙ୍କର ଭୋଟ ବ୍ୟବଧାନ କମ ରହିବା ସ୍ଵାଭାବିକ।

ଗତ ନିର୍ବାଚନ ପରି ଏଥର ମଧ୍ୟ ମହିଳା ଭୋଟର ବହୁ ସଂଖ୍ୟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଧକ ସଂଖ୍ୟକ ଭୋଟଦାନ ହେବା ଓ ମହିଳା ଭୋଟର ଅଧିକ ଆସିବା, ବିଜେଡି କୁ ସୁହାଇପାରେ। ତେଣୁ ଦଳ ତରଫରୁ ୨୮ ରୁ ୨୫ ର ଦାବୀ ପ୍ରସ୍ତୁତ କରାଯାଉଛି। ତେବେ ଗତ ଥର ବିଜେଡି ଏ ସବୁ କ୍ଷେତ୍ରରେ ଯେତିକି ଆସନ ପାଇଥିଲା, ଏଥର ମଧ୍ୟ ସ୍ଥିତାବସ୍ଥା ବଜାୟ ରହିପାରେ। ତେବେ ଲୋକସଭା ଆସନରେ କଳାହାଣ୍ଡି ଓ ନବରଙ୍ଗପୁର ବିଜେଡି ଲାଗି ସହଜ ମନେ ହେଉନାହିଁ।

 

Categories
ବିଶେଷ ଖବର

ରାଜ୍ୟରେ ଆଗାମୀ ସରକାର କିଏ ଗଢିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ସେ ସଙ୍କେତ ସ୍ପଷ୍ଟ ହୋଇଯିବ

କେଦାର ମିଶ୍ର

ସପ୍ତଦଶ ଲୋକସଭା ପାଇଁ ଓ ଷୋଡଶ ଓଡିଶା ବିଧାନସଭା ଲାଗି ପ୍ରଥମ ପର୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ ଟି ବିଧାନସଭା ଲାଗି ଆଜି ହେଉଥିବା ଭୋଟଗ୍ରହଣ ରାଜ୍ୟର ଭବିଷ୍ୟତ ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ରଖିବ। ୧୪୭ ବିଧାନସଭା ଲାଗି ଚାରୋଟି ପର୍ୟାୟରେ ହେବାକୁଥିବା ଏହି ନିର୍ବାଚନରେ ପ୍ରଥମ ୨୮ ଟି ବିଧାନସଭା ନିର୍ବାଚନର ରାଜନୈତିକ ଗୁରୁତ୍ଵ ଭିନ୍ନ ପ୍ରକାରର। ୨୦୧୪ ସାଧାରଣ ନିର୍ବାଚନରେ ଏହି ଚାରୋଟି ଯାକ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୮ ଟି ବିଧାନସଭା କ୍ଷେତ୍ରରୁ ୧୯ ଟିରେ ବିଜେଡି, ୭ ଟିରେ କଂଗ୍ରେସ ଓ ୨ ଟିରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲେ। ବ୍ରହ୍ମପୁର ଲୋକସଭା ଆସନର ବ୍ରହ୍ମପୁର, ଗୋପାଳପୁର, ଦିଗପହଂଡି, ଚିକିଟି, ମୋହନା ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଜେଡି ଜିଣିଥିବା ବେଳେ ପାରଳାଖେମଣ୍ଡି ଆସନରୁ କଂଗ୍ରେସ ବିଜୟ ଲାଭ କରିଥିଲା। କୋରାପୁଟ ଲୋକସଭା କ୍ଷେତ୍ରରୁ ଗୁଣୁପୁର, ବିଷମ କଟକ, ରାୟଗଡା ଓ ପଟ୍ଟାଙ୍ଗୀ ଆସନରୁ ବିଜେଡି, ଲକ୍ଷ୍ମୀପୁର, ଜୟପୁର ଓ କୋରାପୁଟ ଆସନରୁ କଂଗ୍ରେସ ବିଜୟୀ ହୋଇଥିଲା। ନବରଙ୍ଗପୁର ଲୋକସଭା ଆସନର ଉମରକୋଟ, ଝରି ଗାଁ, ନବରଙ୍ଗପୁର, ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନ ବିଜେଡି ହାତକୁ ଯାଇଥିବାବେଳେ ଡାବୁ ଗାଁ ଓ କୋଟପାଡ ଆସନରୁ କଂଗ୍ରେସ ଜିତିଥିଲା। ସେହିପରି କଳାହାଣ୍ଡି କ୍ଷେତ୍ରରୁ ଭବାନୀପାଟଣା, ଜୁନାଗଡ, ଧରମଗଡ, ନର୍ଲା ଆସନରୁ ବିଜେଡି, ଖଡିଆଳ ଓ ନୂଆପଡା ରୁ ବିଜେପି ଓ ଲାଞ୍ଜିଗଡରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନରେ ନବରଙ୍ଗପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସବୁଠୁ କଡା ମୁକାବିଲା ହୋଇଥିଲା। ସେ ବର୍ଷ ବିଜୟୀ ପ୍ରାର୍ଥୀ ବଳଭଦ୍ର ମାଝୀ ୩,୭୩,୮୮୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ୩,୭୧,୮୪୫ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ ବିଜୟର ବ୍ୟବଧାନ ଥିଲା ମାତ୍ର ୨୦୪୨ ଖଣ୍ଡ ଭୋଟ। କୁହାଯାଇପାରେ ଏଠାରୁ ବିଜେଡି ପ୍ରାର୍ଥୀ ହାରୁ ହାରୁ ଜିତି ଯାଇଥିଲେ। ଚଳିତ ନିର୍ବାଚନରେ ଗତ ଥର ବିଜେଡି ସାଂସଦ ଥିବା ବଳଭଦ୍ର ମାଝୀ ବିଜେପିରୁ, ମନ୍ତ୍ରୀ ରମେଶ ମାଝୀ ବିଜେଡ଼ିରୁ ଓ ପ୍ରଦୀପ ମାଝୀ କଙ୍ଗ୍ରେସରୁ ନିର୍ବାଚନ ଲଢୁଛନ୍ତି। ଏଥର ମଧ୍ୟ ଏହି ନିର୍ବାଚନ ବେଶ ରୋଚକ ମୋଡରେ ରହିଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡା ମୁକାବିଲା ଦେଖିବାକୁ ମିଳିବ। ଏଠି ଉଲ୍ଲେଖଯୋଗ୍ୟ ଯେ ନବରଙ୍ଗପୁର ହେଉଛି ଓଡିଶାର ଏକମାତ୍ର ଲୋକସଭା ଆସନ ଯାହାର ୭ ଟି ଯାକ ବିଧାନସଭା ଆସନ ଆଦିବାସୀଙ୍କ ଲାଗି ସଂରକ୍ଷିତ।

ସେହିପରି ଗତ ନିର୍ବାଚନରେ କୋରାପୁଟ ଲୋକସଭା ପାଇଁ ମଧ୍ୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗ ନବାଗତ ବିଜେଡି ପ୍ରାର୍ଥୀ ଝୀନ ହିକକାଙ୍କ ଠାରୁ ୧୯,୩୨୨ ଖଣ୍ଡ ଭୋଟରେ ହାରିଥିଲେ। ଚଳିତ ଥର କଂଗ୍ରେସର ସପ୍ତଗିରି ଉଲାକା, ବିଜେପିର ଜୟରାମ ପାଙ୍ଗି ଓ ବିଜେଡ଼ିର କୌଶଲ୍ୟା ହିକକାଙ୍କ ମଧ୍ୟରେ ତୀବ୍ର ଲଢେଇ ହେଉଛି। ଏଥର କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ଵରେ ବହୁଜନ ସମାଜ ପାର୍ଟି କୋରାପୁଟରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିବାର ସମ୍ଭାବନା ଦିଶୁଛି।

ବ୍ରହ୍ମପୁରରେ ଗତ ଥର ର ବିରୋଧୀ ଏଥର ଶାସକ ଦଳର ପ୍ରାର୍ଥୀ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ଲକ୍ଷେ ସତୁରୀ ହଜାର ଭୋଟରେ ହରାଇଥିଲେ। ଏଥର ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କର ପ୍ରତିଯୋଗୀ ଅଛନ୍ତି କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ ଓ ବିଜେପିର ଭୃଗୁ ବକ୍ସି ପାତ୍ର। ବ୍ରହ୍ମପୁରରେ କଂଗ୍ରେସ ସଂଗଠନ ଏକପ୍ରକାର ଉଜୁଡି ଯାଇଥିବା ବେଳେ ଏଠି ବିଜେପି ନିଜର ସ୍ଥିତି ସୁଦୃଢ କରୁଛି। ବୋଧହୁଏ ବ୍ରହ୍ମପୁରରେ ଏଥର ବିଜେଡି ଓ ବିଜେପି ଭିତରେ ମୁକାବିଲା ଦେଖିବାକୁ ମିଳିବ।

କଳାହାଣ୍ଡି ଆସନରେ ତୀବ୍ର ତ୍ରୀକୋଣୀୟ ମୁକାବିଲା ଚାଲିଛି। କଂଗ୍ରେସର ଅଭିଜ୍ଞ ନେତା ଭକ୍ତ ଚରଣ ଦାସ, ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଓ ବିଜେଡି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଭିତରେ ଜୋରଦାର ଲଢେଇ ଚାଲିଛି। ଗତଥର ବିଜୟୀ ବିଜେଡି ପ୍ରାର୍ଥୀ ଅର୍କ କେଶରୀ ଦେଓ ୩,୭୦, ୮୭୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ୩,୧୪, ୫୨୪ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ୩,୦୭, ୯୬୭ ଭୋଟ ପାଇଥିଲେ। ତିନି ଜଣ ପ୍ରାର୍ଥୀଙ୍କର ଏଠାରେ ସମାନ ପ୍ରଭାବ ଓ ପତିଆରା ଦେଖିବାକୁ ମିଳୁଛି। ତେଣୁ କଳାହାଣ୍ଡି ଆସନ ଏଥର ସବୁଠୁ ରୋମାଞ୍ଚକର ହେବାକୁ ଯାଉଛି।

ଚାରିଟି ଲୋକସଭା ଓ ୨୮ ଟି ବିଧାନସଭାରେ ଆଜି ଜନମତର ଗତି ଯାହା ହେବ, ତାହା ଆସନ୍ତା ସମୟରେ ଓଡିଶାର ଭବିଷ୍ୟତ ବିଷୟରେ ସଙ୍କେତ ପ୍ରଦାନ କରିବ। ଏଥର କିଏ କାହାଠୁ କେତେ ଆସନ ଛଡାଇପାରୁଛି ଓ କିଏ କେତେ ଯୋଡି ପାରୁଛି, ତାହା ଦେଖିବା ବାକି ରହିଲା।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ହିଂଜିଳି ହାଲଚାଲ, ନବୀନଙ୍କ ପାଇଁ ନିଷ୍କଣ୍ଟକ ଭୂମି ଓ ହିଞ୍ଜିଳିରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ

 ହିଂଜିଳିରୁ କେଦାର ମିଶ୍ର

ଏପ୍ରିଲ ୨ ତାରିଖ ସନ୍ଧ୍ୟା ଛ’ଟା ବେଳକୁ ଆମେ ହିଂଜିଳି ସୀମାରେ ପ୍ରବେଶ କଲା ବେଳେ ଆକାଶରେ କାଳ ବୈଶାଖୀର ଆଭାସ ସ୍ପଷ୍ଟ। ହିଞ୍ଜିଳିରୁ ପଞ୍ଚମ ଥର ଲାଗି ନିର୍ବାଚନ ଲଢୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହିଂଜିଳି ବିଜୟ କେତେ ସହଜ ବା କେତେ କଠିନ ହେବ, ସେ ପ୍ରଶ୍ନ ନେଇ ଆମେ ହିଂଜିଳି ଭିତରକୁ ପଶୁଥିଲୁ। ତା ପୂର୍ବରୁ ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯନଗରଓ ଆସ୍କାରେ ଲୋକଙ୍କ ସହ କଥାବାର୍ତ୍ତାରୁ ଆମର ମନେ ହୋଇଥିଲା, ବୋଧେ ଏଥର ବିଜେଡି ପ୍ରଥମଥର ଲାଗି ଗଞ୍ଜାମ ଗଡରେ ବଡ ଆହ୍ୱାନର ସାମ୍ନା କରୁଛି। ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆଗରେ ବିଜେଡି ପ୍ରଚାର ଟିକେ ମାନ୍ଦା ମଧ୍ୟ ଲାଗିଥିଲା। ତେବେ ପିତ୍ତଳରେ ପହଞ୍ଚିଲା ବେଳକୁ ଆମକୁ ଲାଗିଥିଲା ଆମେ ଗୋଟେ ନୂଆ ଇଲାକାରେ ପ୍ରବେଶ କରୁଛୁ। ଗୋଟେ ବିକଶିତ ଅଞ୍ଚଳର ସବୁ ସଙ୍କେତ ହିଞ୍ଜିଳିର ରାସ୍ତାରୁ ମିଳିଯାଉଛି। ପିତ୍ତଳ ବଜାରରେ କିଛି ଲୋକଙ୍କ ଭିଡ ଥିଲା। ଆମେ ପଚାରିଥିଲୁ,ଏଥର ବିଜେପି ନବୀନଙ୍କ ବିରୋଧରେ ଜଣେ ଟାଣୁଆ ପ୍ରାର୍ଥୀ ଦେଇଛି। ସେ କହୁଛନ୍ତି, ନବୀନ ହାରି ସାରିଲେଣି। କଣ ସତ? ଏକା ସାଙ୍ଗରେ ହୋ ହୋ ହୋଇ ହସି, ଲୋକେ କହିଲେ, କହିବାରେ କିସ ଅଛି ଆଜ୍ଞା। ହିଞ୍ଜିଳିରେ କେବଳ ନବୀନ।

ହିଞ୍ଜିଳି ବଜାରକୁ ପହଞ୍ଚିଲା ବେଳେ ଆରମ୍ଭ ହୋଇଗଲା, କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା। ଗୋଟେ ଚା ଦୋକାନରେ ପଶୁ ପଶୁ ଆମେ ଦେଖିଲୁ ଦଶଜଣ ଲୋକ ଗପୁଛନ୍ତି। ସେଠି ଆମେ ଟିକେ ପ୍ରସଙ୍ଗ ବଦଳାଇବାକୁ ଚାହିଁଲୁ। ପ୍ରଶ୍ନ ଥିଲା- ନବୀନ ବାବୁ ଏଥର ହିଞ୍ଜିଳି ସହ ବିଜେପୁରରୁ ବି ଲଢୁଛନ୍ତି। ଶୁଣାଯାଉଛି, ସେ ବିଜପୁରରୁ ଜିତିଲେ, ହିଂଜିଳି ଛାଡିବେ। ସେମିତି ହେଲେ ଆପଣମାନେ କଣ କରିବେ? ତେବେ ଲୋକଙ୍କ ଉତ୍ତର ଥିଲା ଆହୁରି ଚମକପ୍ରଦ। ଆମେ ବି ସେୟା ଶୁଣୁଛୁ, ହେଲେ ତାର କିଛି ଫରକ ପଡିବନି। କାରଣ ନବୀନଙ୍କ ପରେ ତାଙ୍କ ପୁତୁରା ହିଞ୍ଜିଲିରୁ ଲଢିବେ। ଏ ଉତ୍ତର ଆମପରି ସାମ୍ବାଦିକଙ୍କ ଲାଗି ଗୋଟେ ପ୍ରକାର ବିସ୍ମୟ। ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଆଜିଯାଏ ଉଠିନାହିଁ। ହେଲେ ହିଂଜିଳି, ଶେରଗଡ ଇତ୍ୟାଦି ଅଞ୍ଚଳରେ ଏହାକୁ ନେଇ ଢେର ଚର୍ଚ୍ଚା।

ନବୀନଙ୍କ ବିକଳ୍ପ ତାଙ୍କ ଭୋଟରମାନେ କଳ୍ପନା କରିସାରିଛନ୍ତି। ଅର୍ଥାତ ନବୀନଙ୍କ ଛାୟାରୁ ମୁକୁଳିବାର ଆଗ୍ରହ ହିଞ୍ଜିଳିବାସୀଙ୍କର ନାହିଁ। ହିଞ୍ଜିଳିରେ ନବୀନ ହାରିବେ ବୋଲି ଆପଣ ଯଦି କହିବେ, ଲୋକେ ଆପଣଙ୍କୁ ପାଗଳ କିମ୍ବା ନିର୍ବୋଧ ବୋଲି କହିବେ। ଏପରିକି ବିଜେପି ଓ କମ୍ୟୁନିଷ୍ଟ ପତାକାଧାରୀଙ୍କ ମତ ମଧ୍ୟ ସେୟା। ଗୋଟେ ବିଜେପି ପ୍ରଚାରଗାଡିକୁ ଅଟକାଇ ଆମେ ଜାଣିବାକୁ ଚାହିଁଥିଲୁ, ତାଙ୍କ ପ୍ରଚାର କେମିତି ଚାଲିଛି। ଉତ୍ତର ଆସିଲା, ଏଠି ନବୀନ ଛଡା ଆଉ କିଛି ନାଇଁ।

ଚାରିଥର ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବା ପରେ ଓ ପଞ୍ଚମଥର ନୂଆ ଏକ ନିର୍ବାଚନ ମଣ୍ଡଳୀ ବାଛିବା ସତ୍ତ୍ୱେ ନବୀନଙ୍କ ପ୍ରତି ତାଙ୍କ ଭୋଟର ବିମୁଖ ହେଉନାହାନ୍ତି କାହିଁକି? ଏହାର ଉତ୍ତର ହିଂଜିଳି –ଶେରଗଡ ଓ ଶେରଗଡ ସୋରଡା ରାସ୍ତାରୁ ମିଳିଯିବ। ରାଜ୍ୟ ରାଜପଥ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏ ଅଞ୍ଚଳର ଯୋଗାଯୋଗ ଅଦ୍ଭୁତ ଭାବରେ ବିକଶିତ ହୋଇଛି। ସତ କହିବାକୁ ଗଲେ ଗତ ଚାରିଦିନ ଧରି ଭୁବନେଶ୍ବରରୁ ବାହାରି ଆମେ କୋରାପୁଟ ପର୍ଯନ୍ତ ପ୍ରାୟ ୨୦୦୦ କିଲୋମିଟର ରାସ୍ତା ବୁଲିଲୁଣି। ସବୁଠି ରାସ୍ତା ଚକାଚକ। ସେତେବଳେ ଏଡିଆରର ଗୋଟେ ସର୍ବେକ୍ଷଣ କହୁଛି, ଓଡିଶାରେ ରାସ୍ତାଘାଟର ଅବସ୍ଥା କୁଆଡେ ଖରାପ! ମୁଁ ବୁଝିପାରୁନି, କାହାକୁ ବିଶ୍ଵାସ କରିବି, ନିଜକୁ ନା ସର୍ବେକ୍ଷଣକୁ? ରାଜ୍ୟର ସବୁ ରାସ୍ତା ପରି ହିଂଜିଳି ରାସ୍ତା ମଧ୍ୟ ଭଲ। ଏଥିରେ ଅଲଗା କଣ ଅଛି? ରାମକୃଷ୍ଣ ସାହୁ ନାମକ ଜଣେ ହିଞ୍ଜିଳି ଭୋଟର କହିଥିଲେ, ହିଞ୍ଜିଳିରେ ଗତ ପାଞ୍ଚବର୍ଷ ଧରି ଯାହା ଘଟିଛି, ସେକଥା ଆମ କଳ୍ପନା ବାହାରେ।

ହିଞ୍ଜିଳିରେ ୟା ଭିତରେ ବହୁ ଅନୁଷ୍ଠାନ ଗଢି ଉଠୁଛି। ମେଡିକାଲ କଲେଜ, ଆଇଟିଆଇ, ପାର୍କ, ସବୁ ସରକାରୀ କୋଠାର ଚେହେରା ଚମତ୍କାର। ଜଣେ ବିଜେପି କର୍ମୀ ରାଗିକି କହିଲେ, ବୁଢାବୁଢି ଓ ମା’ ମାନେ ତ ନବୀନବାବୁକୁ ବିନା ପ୍ରଶ୍ନ ରେ ଭୋଟ ଦେବେ। ଆମେ ଯେତେ ପାଟି କଲେ କଣ ହେବ ? ତେବେ ନବୀନ ବାବୁଙ୍କ ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ପ୍ରସଙ୍ଗ ମଧ୍ୟ ଏଥର ମୁଣ୍ଡ ଟେକିଛି। ଆସ୍କା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋୟୀଙ୍କୁ ନେଇ ତଥାକଥିତ ଶିକ୍ଷିତ ଅଶିକ୍ଷିତ ପ୍ରସଙ୍ଗଟି ଏଥର ଆସ୍କାରେ ବେଶ ଚର୍ଚ୍ଚାରେ ରହିଛି। ଟିଭି ଦେଖୁଥିବା ସହରୀ ଯୁବାଙ୍କ ମନରେ ମୋଦୀ ଆଗ୍ରହ ବଢୁଛି। ତହିଁରୁ ଏକ ଛୋଟ ଅଂଶ ଓଡିଶାରେ ନବୀନ ଓ କେନ୍ଦ୍ରରେ ମୋଦୀ ଭଳି ଚିନ୍ତା କରୁଛନ୍ତି। ଏକଦା ଶେରଗଡ ଓ ହିଂଜିଳି କମ୍ୟୁନିଷ୍ଟମାନଙ୍କ ଦୁର୍ଗ ଥିଲା। ଏଥର ଆସ୍କା ଲୋକସଭାରେ ସିପିଆଇ ର ରାମକୃଷ୍ଣ ପଣ୍ଡା କଂଗ୍ରେସ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ହେଲେ ହିଞ୍ଜିଳିରେ କମ୍ୟୁନିଷ୍ଟମାନେ କାହାନ୍ତି ?

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ଆଜିର ଖବର

୪ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ  ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

 

Categories
ବିଶେଷ ଖବର

ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !

କେଦାର ମିଶ୍ର

ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ?

ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ !

ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର ଜିଲ୍ଲାର ଟାଣୁଆ ନେତା ହୋଇ ରହିନାହାନ୍ତି।୨୦୧୪ ରେ  ବିଜୁ ଜନତା ଦଳର ଟିକଟ ନ ପାଇବା ପରଠୁ ସେ ଏକ ପ୍ରକାର କୋଣଠେସା ହୋଇ ପଡି ରହିଥିଲେ। ଗତକାଲି ସେ ବିଜେପିରେ ଯୋଗଦେବାକୁ ଆସିନଥିଲେ, ସେ ଯେ ରାଜନୀତିରେ ଅଛନ୍ତି ଏକଥା ଲୋକ ଜାଣି ବି ନଥାନ୍ତେ। ଲୋକସ୍ମୃତିରେ ନଥିବା ନେତାମାନେ ନିର୍ବାଚନ ସମୟରେ ହଠାତ ଆସି ଆବିର୍ଭାବ ହୁଅନ୍ତି ଓ ନିର୍ବାଚନ ପରେ ପୁଣି ମିଳେଇ ଯାଆନ୍ତି।  ମୋହନ ଜେନା ଏବେ ଆପାତତଃ ସେଇ ପରିଚୟରେ ରହିବେ।

ଇତିମଧ୍ୟରେ ଓଡିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଜେଡ଼ିରୁ ବିଜେପିକୁ ଓ ବିଜେପିରୁ ବିଜେଡ଼ିକୁ ପ୍ରତିଦିନ ନେତାଙ୍କର ଯିବା ଆସିବା ଚାଲିଛି। ଯିଏ ଏଠୁ ଟିକଟ ପାଉନି ସେଠିକି ଯାଉଛି ଓ ଯେ ସେଠୁ ନିରାଶ ହେଉଛି, ଏଠି ତାକୁ ଆଶାର କିରଣ ଦେଖାଯାଉଛି। ସେଇ କ୍ରମରେ ଆଜି ଭଦ୍ରଖରୁ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ। ଅବଶ୍ୟ ଅର୍ଜୁନ ବାବୁଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସେ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳ ଦେଇ ଆସି ସାରିଥିଲେ। ୧୯୭୧ ଓ ୧୯୮୦ ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ଯାଇଥିଲେ। ତେବେ ସର୍ବାଧିକ ପାଞ୍ଚ ଥର ସେ ବିଜେଡି ଟିକଟରେ  ଲୋକସଭାକୁ ଯାଇଛନ୍ତି। ବିଜେଡି କୋଟାରେ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ରାଜନୀତିରେ ସଦାକାଳେ ସେ ଚିରକାଳ ବାମନ ହୋଇ ରହିଯାଇଛନ୍ତି। ୫୦ ବର୍ଷର ଦୀର୍ଘ ରାଜନୈତିକ ଯାତ୍ରା, ୮ ଥର ଲୋକସଭା ସଦସ୍ୟ, ଦୁଇ ଥର ବିଧାନସଭା ସଦସ୍ୟ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ତା ପରେ ବି ଓଡିଶା ରାଜନୀତିରେ ଅର୍ଜୁନ ଚରଣ ସେଠି ସେମିତି ଏକ ପ୍ରଭାବଶାଳୀ ଚରିତ୍ର ନୁହନ୍ତି।

ସେ ଯାହା ବି ହେଉ, ତାଙ୍କର ବିଜେଡି ଛାଡିବା କିନ୍ତୁ ବ୍ୟକ୍ତିଗତ ଭାବ ପ୍ରବଣତାର କଥା। ସେ ବିଜେଡି ଛାଡିଲେ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ଯୋଗାଡ କରି ନପାରି। ସେ ଟିକଟ ଖଣ୍ଡକ ବିଜେପିରୁ ହୁଏତ ତାଙ୍କୁ ମିଳିପାରେ। ତେଣୁ ଅର୍ଜୁନ ବାବୁଙ୍କୁ ଜଣେ ପୁତ୍ର ବତ୍ସଳ ପିତା ଭାବରେ ଆମେ ଦେଖିପାରିବା। ବିଜେପିରେ ତାଙ୍କ ପୁଅର ଥଇଥାନ କରିବାକୁ ସେ ଯାଇଛନ୍ତି। ହେଲେ ମୋହନ ଜେନା ବିଜେପିକୁ ଯିବାର କାରଣ ଆଦୌ ସମ୍ମାନଜନକ ନୁହେଁ।

ମୋହନ ଜେନା ନିଜକୁ ଜଣେ କମ୍ୟୁନିଷ୍ଟ ନେତା ବୋଲି ଦୀର୍ଘଦିନ ଧରି ଦାବି କରି ଆସିଛନ୍ତି। ଅଶି ଦଶକରେ ଏସୟୁସିଆଇ ର ଛାତ୍ର ସଂଗଠନ ଡିଏସଓ ର ଜଣେ ଅଗ୍ନୀବର୍ଷୀ ନେତା ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା। ପରେ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ବିଜେଡିରେ ଯୋଗଦେଇ ଦୁଇଥର ଲୋକସଭାକୁ ଗଲେ। ପରିଶେଷରେ ଯେତେବେଳେ ସେ ଏଯାଏ ସମାଲୋଚନା କରିଆସୁଥିବା ଏକ ଫାସିଷ୍ଟ ଦଳର ଟୋପି ପିନ୍ଧିଲେ ତାପରେ ମଧ୍ୟ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ତାଙ୍କ ଗେରୁଆ ଗାମୁଛାକୁ ଆମ୍ବେଦକରଙ୍କ ପାଠ, ବୋଧେ ଆମ ସମୟର ସବୁଠୁ ବଡ ଛଳନା। ନିଜ ରାଜନୈତିକ ଅଭିଳାଷ ଲାଗି ଆପଣ କିଛି ବି ଟୋପି ପିନ୍ଧନ୍ତୁ, କିନ୍ତୁ ସେଥିରେ ବିଚାର ଓ ଆଦର୍ଶକୁ ଲଜ୍ଜିତ କରନ୍ତୁ ନାଇଁ।

ଅର୍ଜୁନ ଚରଣ ସେଠି ସେ ଦୃଷ୍ଟିରୁ ସଚ୍ଚୋଟ। ସେ ଖୋଲାଖୋଲି କହିଲେ ପୁଅ ଟିକଟ ଲାଗି ସେ ବିଜେପିକୁ ଆସିଛନ୍ତି। ଅନ୍ତତଃ ମୋହନ ଜେନାଙ୍କ ପରି ଛଳନା କରି ନାହାନ୍ତି। ମିଛରେ ଦଳିତ କାର୍ଡ ଖେଳିବାକୁ ଚାହିଁ ନାହାନ୍ତି। କ୍ଷମତାରେ ଥିଲାବେଳେ ମୋହନ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯେତେବେଳେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଲା ସେତେବେଳେ ସେ ଏହାର ନିନ୍ଦା କରିବାକୁ ମଧ୍ୟ ସାହସ ପାଇନଥିଲେ। ଅଥଚ ସେ ଆଜି ଦଳିତ ପ୍ରସଙ୍ଗ ଉଠାଇ ବିଜେପିରେ ମିଶୁଛନ୍ତି। ଛଳନା ର ବି ଗୋଟେ ସୀମା ଥାଏ।

ତେବେ ଅନ୍ତିମ ପ୍ରଶ୍ନ ଟି ହେଉଛି ଦଳ ଛାଡୁଥିବା ଲୋକେ ଅନ୍ତିମ ମୁହୂର୍ତ୍ତରେ ନୂଆ ଦଳକୁ ଗଲେ କିଛି ଲାଭ ପାଇବେ କି ? ଏହାର ସିଧା ଉତ୍ତର ହେଉଛି ଏମାନେ ଏ କୂଳର ହେବେନି କି ସେ କୂଳର ମଧ୍ୟ ହେବେନି !

 

( ଫଟାଫଟ ଖବର ପଢିବା ପାଇଁ ମୋବାଇଲ  ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ୍ କରନ୍ତୁ  Sankhipta ଆପ୍ । ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର… )

 

Categories
ବିଶେଷ ଖବର

ଗଣ୍ଡଗୋଳିଆ ପୀତାମ୍ବର ଆଚାର୍ଯ୍ୟ, କିଏ ନିଆଁ, କିଏ କାହା ସାଙ୍ଗରେ ଖେଳୁଛି ଓ କେଉଁଥି ପାଇଁ ଏ ଅମାନବୀୟ ନାଟକ ?

କେଦାର ମିଶ୍ର

 

  • ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ।
  • ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ……….
  • ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ।
  • ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି?
  • ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି?
  • ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି।
  • ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। ,
  • ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି?

ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ ମୁଖପାତ୍ର ଓ ହିଂଜିଳି ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ। ସେ ଜଣେ ନାମୀ ଓକିଲ ଭାବରେ ମଧ୍ୟ ଜଣାଶୁଣା। ପୀତାମ୍ବର ବାବୁଙ୍କ ଏ ଭିଡିଓଟିକିକୁ ସେ ନିଜେ ତାଙ୍କ ଫେସବୁକ ପୋଷ୍ଟ ରେ ଛାଡିଛନ୍ତି। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪.୨୪ ଘଣ୍ଟାରେ ଛଡ଼ାଯାଇଥିବା ଏ ଭିଡିଓ ଅଗ୍ରଲେଖରେ ପିତାମ୍ବର ଯାହା ଲେଖିଛନ୍ତି, ଭିଡିଓ ରେ ତାର ବିପରୀତ କଥା ଦେଖା ଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଅଯଥାରେ ଅଟକାଇ ଜେରା କଲା, କିନ୍ତୁ ପ୍ରମାଣ ଜଳ ଜଳ ହୋଇ ଦିଶୁଛି ଯେ ଆଚାର୍ଯ୍ୟ ମହାଶୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଜେରା କରୁଛନ୍ତି। ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି।

ଜଣେ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ତାଙ୍କୁ ଖୋଲାଖୋଲି ଶ୍ରୀ ଆଚାର୍ଯ୍ୟ କହୁଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତ ପୋଲିସ। ଜଣେ ସାଧାରଣ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟଙ୍କୁ ଶାସକ ଦଳର ଅନୁଗତ ବୋଲି କହି ଶ୍ରୀ ଆଚାର୍ୟ ଯାବତୀୟ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଗାଡିରେ ରାଜାଙ୍କ ପରି ବସି ବିନମ୍ରତାର ସହ କଥାବାର୍ତ୍ତା କରୁଥିବା ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଅତି କଦର୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ନିଜେ ବଡ ଓକିଲ ବୋଲି ଦେଖେଇ ହେବା ସହିତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ହେୟ ଓ ତୁଚ୍ଛ ବ୍ୟବହାର ଦେଖାଇଛନ୍ତି। ତାଙ୍କର ପ୍ରତି କଥାରେ ଅହଂକାର ଓ ଧମକ ବାରି ହୋଇପଡୁଛି। ଗୋଟେ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ବୋଧହୁଏ ଭାବୁଛନ୍ତି, ତାଙ୍କୁ ଭଗବାନ ଭାବେ ସମସ୍ତେ ମାନିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢୁଥିବାରୁ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିବାର ପିଲାଳିଆମୀ ତାଙ୍କ କଥାରୁ ବାରି ହୋଇ ଦିଶୁଛି।

ସମୁଦାୟ ଭିଡିଓଟିକୁ ଦେଖିଲେ ମନେ ହେଉଛି, ସତେକି ପୀତାମ୍ବର ଆଚାର୍ଯ୍ୟ ନାମକ ବ୍ୟକ୍ତିଟି ସର୍ବ ଶକ୍ତିମାନ ଓ ତାଙ୍କୁ ଅଟକ ରଖିବାର ସାହସ କରୁଥିବା ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନଗଣ୍ୟ ଜୀବ ମାତ୍ର। ଛୋଟ ଚାକିରି କରୁଥିବାରୁ ଓ ନିଷ୍ଠାପର ଭାବରେ ସରକାରୀ କାମ କରୁଥିବାରୁ ସେମାନଙ୍କର ପ୍ରାପ୍ୟ ହେଉଛି ନେତାଙ୍କ ପାଖରୁ ଗାଳି। ଗାଳି କରି, ଅପମାନ ଦେଇ ଓ ହିଂସାତ୍ମକ ଧମକ ଦେଇ ଶ୍ରୀ ଆଚାର୍ଯ୍ୟ ନିଜକୁ “ବେଚାରା” ବୋଲି ଦେଖେଇହେବାର ପ୍ରୟାସ କରିଛନ୍ତି। ପୋଲିସ ଜୁଲମର କଥା ସେ ଲେଖିଛନ୍ତି, ହେଲେ ତାହାର କୌଣସି ପ୍ରମାଣ ନାଇଁ । ଓଲଟି ସେ ପୋଲିସ ଉପରେ ଜୁଲମ କରୁଛନ୍ତି। ନିଜ ବଡ ଓକିଲ ହେବାର ଅହଂକାର ଦେଖାଇ ପୋଲିସକୁ ଡରାଇବାର ଉଦ୍ୟମ କରୁଛନ୍ତି। ଆଇନ ର ପରିସର ବାହାରକୁ ଯାଇ ଦାୟିତ୍ଵରତ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ପ୍ରକାର ବ୍ୟକ୍ତିଙ୍କ ବିରୋଧରେ ନିର୍ବାଚନ କମିଶନ ମକଦ୍ଦମା କରିବା ଉଚିତ। ଏଯାଏ କିନ୍ତୁ ନିର୍ବାଚନ କମିଶନଙ୍କ ନଜରକୁ ଏକଥା ଆସିନାହିଁ।

ତେବେ ପୀତାମ୍ବର ଆଚାର୍ଯ୍ୟଙ୍କ ଏ ପ୍ରକାର ଆଚରଣର କାରଣ କଣ? ମନସ୍ତତ୍ତ୍ଵରେ ଏହାକୁ ଦୁର୍ବଳର ଆକ୍ରମକତା କୁହାଯାଏ। ସେ ପରାଜୟର ଭୟରେ ଏତେଦୂର ପ୍ରଭାବିତ ଯେ, ନିଜ ଭୟକୁ ଚାପିବା ଲାଗି ସେ ଅଧିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଏଠି ଶ୍ରୀ ଆଚାର୍ୟ ଗୋଟେ ଭୟାଳୁ ପିଲା ଭଳି ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୁହଁରେ “ମୁଁ ନିଆଁ, ମୋ ସାଙ୍ଗେ ଖେଳ ନା” ଭଳି ଧମକପୂର୍ଣ୍ଣ ଧାଡି ପଛରେ ପ୍ରକାଣ୍ଡ ଭୟ ବାରି ହୋଇ ପଡୁଛି। ତାଙ୍କୁ କଟକ ଟିକଟ ନଦେଇ ବିଜେପି ନେତାଏ ତାଙ୍କୁ ଯେ ହିଂଜିଳି ପଠାଇ ଅପଦସ୍ତ କରିଛନ୍ତି, ସେ ହତାଶା ମଧ୍ୟ ତାଙ୍କ କଥାରୁ ବେଶ ଜଣା ପଡିଯାଉଛି। ସେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ଅଥଚ ତାଙ୍କ ସାଙ୍ଗରେ ଜଣେ ବି କର୍ମୀ ବା ନେତା ଦୃଶ୍ୟମାନ ହେଉନାହାନ୍ତି। ହିଞ୍ଜିଳୀରେ ଏକଲା ତାଙ୍କୁ ଛାଡି ଦେଇଥିବା ବିଜେପି ନେତାଙ୍କ ପ୍ରତି ପୀତାମ୍ବରଙ୍କ ରାଗ ପରୋକ୍ଷ ଭାବରେ ସରକାରୀ କର୍ମଚାରୀଙ୍କ ଉପରେ ପଡୁଥାଇପାରେ!

ତେବେ ଏହାର କାରଣ ଯାହା ବି ହେଉ, ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଓ ସେମାନଙ୍କୁ ଅପବ୍ୟବହାର କରିଥିବାରୁ ଶ୍ରୀ ଆଚାର୍ୟଙ୍କ  ବିରୋଧରେ କାର୍ୟାନୁଷ୍ଠାନ ନିହାତି ହେବା ଉଚିତ। ଏ ପ୍ରକାର ଆଚରଣ ଯେ ଜଣେ ରାଜନେତାଙ୍କ ପାଇଁ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଏହା ମଧ୍ୟ ଶ୍ରୀ ଆଚାର୍ୟ ଜାଣିବା ଦରକାର।

Categories
ବିଶେଷ ଖବର

ବିଜେଡ଼ିର ୧୮ ବିଧାନସଭା ପ୍ରାର୍ଥୀ ଘୋଷଣା, ପାରାଦ୍ବୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ଜଟଣୀରୁ ବିଭୂତି ବଳବନ୍ତରାୟ ହେଲେ ପ୍ରାର୍ଥୀ

ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ..

୧. ପାରାଦୀପ – ସମ୍ବିତ ରାଉତରାୟ

୨. ବଡ଼ଚଣା  – ଅମର ଶତପଥୀ

୩. ପୁରୀ  – ମହେଶ୍ବର ମହାନ୍ତି

୪. ତିର୍ତ୍ତୋଲ୍‌ – ବିଷ୍ଣୁଦାସ

୫. ସୋର – ପର୍ଶୁରାମ ଧଡ଼ା

୬. ଜଟଣୀ – ବିଭୂତି ବଳବନ୍ତରାୟ

୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ

୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା

୯.  ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର

୧୦. ଯଶୀପୁର –  ଗୋଲକ ନାଏକ

୧୧. ରେଙ୍ଗାଲୀ – ରୀନା ତନ୍ତୀ

୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି

୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ

୧୪. ଭଦ୍ରକ – ସଂଜୀବ ମଲ୍ଲିକ

୧୫. ରାଜନଗର – ଧ୍ରୁବ ଚରଣ ସାହୁ

୧୬. ସାରସକଣା – ଅମର ସିଂହ ଟୁଡୁ

୧୭. ଉଦଳା – ଶ୍ରୀନାଥ ସୋରେନ୍‌

୧୮. ବଡ଼ସାହି – ବୃନ୍ଦାବନ ଦାସ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ମୁହଁ ଅପେକ୍ଷା ପୁରୁଣା ନେତାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଏଥର ତାଲିକାରେ ଅଳ୍ପ କେତେକ ନୂଆ ମୁହଁ ଥିବା ବେଳେ ଅନ୍ୟମାନେ ସମସ୍ତେ ପୁରୁଣା ମୁହଁ। ପାରାଦ୍ବୀପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଫଳରେ ଏରସମାରୁ ଦାମ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ପାରାଦ୍ବୀପରୁ ତାଙ୍କ ପୁଅ ବିଜେଡିରୁ ଲଢେଇ କରିବେ। ସେହିପିର କଟକ ବାରବାଟୀରେ ନବୀନ ଦେବାଶୀଷ ସାମନ୍ତରାୟଙ୍କ ଉପରେ ଭରସା କରିଛନ୍ତି। କଟକର ଅନ୍ୟ ଆସନ ଘୋଷଣା ସରିଥିଲେ ମଧ୍ୟ ବାରବାଟୀକୁ ନେଇ ଦ୍ବନ୍ଦ ରହିଥିଲା। ଶେଷ ପର୍ଯ୍ୟନ୍ତ ଏହି ଆସନରୁ ବିଜେଡିର କିଏ ପ୍ରାର୍ଥୀ ହେବ ଘୋଷଣା ହୋଇ ନ ଥିଲା। ସେହିପରି ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ବିଭୂତିଙ୍କୁ ଗତ ନିର୍ବାଚନରେ ଟିକେଟ ଦିଆ ନ ଯାଇ ଭାଗିରଥୀ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଏଥର ଭାଗିରଥୀ ସ୍ବାସ୍ଥ୍ୟଗତ କାରଣ ପାଇଁ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି କରିଥିଲେ। ଫଳରେ ବିଭୂତିଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ସେତେବେଳେ ବିଭୂତି କୌଣସି ଦଳକୁ ନ ଡେଇଁ ବିଜେଡିରେ ରହି କାମ କରୁଥିବାରୁ ତାଙ୍କୁ ଏଥର ପୁରସ୍କାର ମିଳିଲା। ତିର୍ତୋଲ ଆସନରେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। କାରଣ ଏହି ଆସନର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁରର ଲୋକସଭା ପ୍ରାର୍ଥୀ କରାଯାଇଛି। କଟକ ସଦରରେ ଚନ୍ଦ୍ରସାରଥୀ ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। କାରଣ ବିଶ୍ବ କପ ହକି ଆୟୋଜନରେ କ୍ରୀଡାମନ୍ତ୍ରୀ ଭାବେ ଚନ୍ଦ୍ରସାରଥୀଙ୍କ ଭୂମିକା ଗୁରୁତପୂର୍ଣ୍ଣ ଥିବାରୁ ତାଙ୍କୁ ନବୀନ ପୁଣି ଭରସା କରିଛନ୍ତି। ସେହିପରି ବଡଚଣାରେ ମଧ୍ୟ ଅମର ଶତପଥୀଙ୍କୁ ପୁଣି ଥିରେ ଟିକେଟ ଦିଆଯାଇଛି। ଏହି ଆସନରୁ ଅନେକ ଆଶାୟୀ ଥିବା ବେଳେ ନବୀନ ଅମରଙ୍କୁ ଭରସା କରିଛନ୍ତି।

Categories
ବିଶେଷ ଖବର

ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ପ୍ରାର୍ଥୀ ହେବାକୁ ଆଗ୍ରହୀ, ଚିଲିକାରୁ ପ୍ରାର୍ଥୀ ପାଇଁ ସୁପ୍ରିମୋଙ୍କ ପାଖରେ କଲେ ଗୁହାରୀ

ସମୀକ୍ଷା ବ୍ୟୁରୋ

ଅଭିନେତାରୁ ନେତା ଆଉ ନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ରହ୍ମପୁର ଟିକେଟ କଟିବା ପରେ ସେ ବିଧାନସଭା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସିଦ୍ଧାନ୍ତ ନିଜର ଇଚ୍ଛାକୁ ଦଳର ସୁପ୍ରିମେ଼ୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଣାଇଛନ୍ତି। ବିଜେଡିର ଭିତିରଆ ଖବର ଅନୁସାରେ ସିଦ୍ଧାନ୍ତ କୁଆଡେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଚାହିଁଛନ୍ତି। ସିଦ୍ଧାନ୍ତଙ୍କ ଯୁକ୍ତି ହେଲା ଯେ, ସେ ଚିଲିକା ନିର୍ବାଚନ ମଣ୍ଡଳୀ ସହିତ ବହୁ ବର୍ଷ ଧରି ସଂପର୍କରେ ଅଛନ୍ତି। ତାଙ୍କର ବାପା ଡାକ୍ତର ମନମୋହନ ମହାପାତ୍ର ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାମୁଁ ଘର ମଧ୍ୟ ବାଲୁଗାଁ। ସେଥିପାଇଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ କୌଣସି ସିଦ୍ଧାନ୍ତରେ ପହଁଚି ନାହାଁନ୍ତି।

ସିଦ୍ଧାନ୍ତ ଏଥର ମଧ୍ୟ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିଲେ। ହେଲେ ଗଂଜାମ ରାଜନୈତିକ କନ୍ଦଳ ଭିତରେ ତାଙ୍କର ଟିକେଟ କଟିଗଲା। ୨୦୦୯ ମସିହାରେ ଯେତେବେଳେ ବିଜେଡି ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଟିକେଟ ଦେଇଥିଲା, ସେତେବେଳେ ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ ଥିଲା। କାରଣ ସେତେବେଳେ ତତକାଳୀନ କେନ୍ଦ୍ର ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ସେ ଟକ୍କର ଦେଇଥିଲେ। ଚନ୍ଦ୍ରଶେଖରଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ସିଦ୍ଧାନ୍ତ ହରାଇବା ଏକ ବଡ ଉଦାହରଣ ସୃଷ୍ଟି ହୋଇଥିଲା। ଏହାପରେ ନବୀନ ୨୦୧୪ରେ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲେ। ହେଲେ ଏଥର ଟିକେଟ ନ ମିଳିବାରୁ ନିରାଶ ସିଦ୍ଧାନ୍ତ ନିର୍ବାଚନ ମଇଦାରୁ ନ ହଟିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି।

ତେବେ ଦଳ ପୂର୍ବରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମନୋନିତ କରିଥିଲା। ସେଥିପାଇଁ ଦଳୀୟ ସୁପ୍ରିମୋ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ଏ ସଂପର୍କରେ ତାଙ୍କର ମତ ମଧ୍ୟ ନେଇଥିଲେ। ସୁପ୍ରିମୋ କହିଥିଲେ ଯେ, ତୁମକୁ ଆଉ ଭୁବନେଶ୍ବର ଆସନ ଦିଆଯିବ ନାହିଁ। ତୁମେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୁଅ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ରାପଡା ଯିବାକୁ ମନା କରିଥିଲେ। ଏହାପରେ ପୁଣି ଥରେ ସୁପ୍ରିମୋ ତାଙ୍କୁ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ କହିଥିଲେ। ହେଲେ ସେ ରୋକଠୋକ ମନାକରି କହିଥିଲେ ଯେ, ଭୁବନେଶ୍ବର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଲଢେଇ କରିବେ ନାହିଁ। ଅନ୍ୟପକ୍ଷରେ ଭଲ ଭାଷଣ ଦେଇପାରୁଥିବା ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ବାବା ପାଟ୍ଟଶାଣୀଙ୍କୁ ଦଳ ନିରାଶ କରିବାକୁ ଚାହୁଁ ନ ଥିଲା। ଏ ସବୁ ପ୍ରସ୍ତାବରେ ପାଟ୍ଟଶାଣୀ ରାଜି ନ ହେବାରୁ ତାଙ୍କୁ ଦଳ ରାଜ୍ୟସଭା ଥୋପ ଦେଇ ସନ୍ତୁଷ୍ଠ କରାଇ ଦେଇଛି। ନଚେତ ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ନିଷ୍ପତି ହୋଇଥିଲା।

ଅନ୍ୟପଟେ ଚିଲିକା ପାଇଁ ଆଉ ଜଣେ ବିଧାୟକ ମଧ୍ୟ ଆଖି ପକାଇଛନ୍ତି। ସେ ହେଉଛନ୍ତି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ। ପ୍ରଶାନ୍ତଙ୍କୁ ଏଥର ବେଗୁନିଆ ଟିକେଟ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ ହୋଇସାରିଲେଣି। ସେଥିପାଇଁ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ପ୍ରଶାନ୍ତ ସୁପ୍ରିମୋଙ୍କୁ ଜଣାଇଛନ୍ତି। ତାଙ୍କର ଦାବୀ ହେଲା ସେ ଏକଦା ଖୋର୍ଦ୍ଧାର ଜିଲ୍ଲା ସଭାପତି ଥିବା ବେଳେ ଚିଲିକା ସହିତ ଘନିଷ୍ଠ ସଂପର୍କରେ ଅଛନ୍ତି। ଅନ୍ୟପଟେ ଚିଲିକା ଏକ ଖଣ୍ଡାୟତ ବହୁଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେଠାରେ ଜଣେ ଖଣ୍ଡାୟତ ପ୍ରାର୍ଥୀର ଆବଶ୍ୟକତା ରହିଛି। ସେଥିପାଇଁ ସେ ମଧ୍ୟ ସୁପ୍ରିମୋଙ୍କୁ ଏହି ପ୍ରସ୍ତାବ ଦେଇଥିବାର ଜଣାପଡିଛି। ଏସବୁ ଭିତରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ କାହାକୁ କାଟିବ ସେ ନିଷ୍ପତି ନେଇପାରି ନାହିଁ।

 

Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।

Categories
ଆଜିର ଖବର

ଏଥର ସାଂସଦ ନୁହେଁ, ବିଧାୟକ ଭାବେ ଲଢିବେ ବାବା ପ୍ରସନ୍ନ ପାଟ୍ଟଶାଣୀ, କେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବ ପଢନ୍ତୁ ଏହି ଖବର

ଏଥର ବାବା ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନୁହେଁ , ବିଧାୟକ ଭାବେ ଲଢେଇ କରିବେ। ବାବାଙ୍କୁ ନବୀନ ନିବାସ ଡକାଯାଇ ରୋକଠୋକ ଭାବେ ବିଧାୟକ ପ୍ରାର୍ଥୀ ହେବା ପାଇଁ କୁହାଯାଇଛି। ବାବାଙ୍କ ଜନ୍ମସ୍ଥାନ ଚିଲିକାରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ନବୀନ ନିବାସ ତରଫରୁ ଜଣାଇ ଦିଆଯାଇଛି। ସେଠାରେ ଗତଥର ବିଜେଡି ପ୍ରାର୍ଥୀ ହୋଇଥିବା ରଘୁ ସାହୁଙ୍କୁ ଏଥର ଟିକେଟ ଦିଆଯିବ ନାହିଁ। କାରଣ ବିଜେଡିର ରିପୋର୍ଟ ଅନୁସାରେ ଚିଲିକାରେ ରଘୁ ସାହୁଙ୍କ ପତିଆରା ଥିଲେ ମଧ୍ୟ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଗତ ନିର୍ବାଚନରେ ସେ ବହୁ କମ ଭୋଟରେ ହାରିଥିଲେ ମଧ୍ୟ ଏଥର ସେପରି ସ୍ଥିତି ନାହିଁ ବୋଲି ବିଜେଡି ଅନୁଭବ କରିସାରିଛି। ବର୍ତ୍ତମାନ ଚିଲିକାରେ ପୃଥୀରାଜ ହରିଚନ୍ଦନଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ରଘୁ ସାହୁ ତାଙ୍କୁ ଟକ୍କର ଦେଇପାରିବେ କି ନାହିଁ ତାହା ମଧ୍ୟ ବିଜେଡିର ସନ୍ଦେହ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଦଳ ନୂଆ କାହାକୁ ଛିଡା କରିବା ପାଇଁ ନିଷ୍ପତି କରିଛି। କାରଣ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଯେପରି ପ୍ରଚାର କରୁଛନ୍ତି ତାହା ବିଜେଡିର ଚିନ୍ତା ବଢାଇ ଦେଇଛି। ବିଭିନ୍ନ ରିପୋର୍ଟକୁ ଆଧାର କରି ଦଳ ବର୍ତ୍ତମାନ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରେ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି।

Categories
ବିଶେଷ ଖବର

ଦଳବଦଳ କରି ଅନାମଧେୟ ନେତା ରାତାରାତି ନାମଜାଦା ହେବା ପଛରେ ଗଣମାଧ୍ୟମର ଭୂମିକାକୁ ଆମେ ଷଡଯନ୍ତ୍ର ବୋଲି କହି ପାରିବା କି ?

କେଦାର ମିଶ୍ର

ଋଷଭ ନନ୍ଦ କିଏ?

ପ୍ରମୋଦ ପଟ୍ଟନାୟକ କିଏ?

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ। ଆଗରୁ ଲୋକ ସମର୍ଥନ ଥିବା ସତ୍ତ୍ୱେ ଯଦି ଦଳ ଟିକଟ ଦେଉନଥିଲା, ତାହେଲେ ସଂପୃକ୍ତ ନେତା ସ୍ଵାଧୀନ ଭାବରେ ନିର୍ବାଚନ ଲଢି ନିଜର ପତିଆରା ପ୍ରଦର୍ଶନ କରୁଥିଲେ।

ଗତ ଚାରୋଟି ବିଧାନସଭାର ବିଜୟୀ ସଦସ୍ୟଙ୍କ ତାଲିକା ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ, ସ୍ଵାଧୀନ ଭାବରେ ନିର୍ବାଚନ ଲଢି ସଫଳ ହେଉଥିବା ନେତାଙ୍କ ସଂଖ୍ୟା ଏବେ ଯଥେଷ୍ଟ କମ। ଗତ ବିଧାନସଭାରେ କେବଳ ଜର୍ଜ ତିର୍କୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଵାଧୀନ ସଦସ୍ୟ ଜିତି ନଥିଲେ। ୧୯୯୦ରେ ପ୍ରଚଣ୍ଡ ବିଜୁ ପଟ୍ଟନାୟକ ହାୱା ସତ୍ତ୍ୱେ ପଂଚାନନ ମିଶ୍ର ନାମକ ଜଣେ ଯୁବକ ବିନିକା ବିଧାନସଭା ଆସନରୁ ସେତେବେଳେ ଅଶି ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଆସିଥିଲେ। ସ୍ଵାଧୀନ ଭାବରେ ଲଢିକି ହେଉ ବା ଅତି ଛୋଟ ରାଜନୈତିକ ଦଳର ପ୍ରତିନିଧି ଭାବରେ ଏକଦା ଓଡିଶାରୁ ଗୋଟେ ବଡ ରାଜନୈତିକ ଶକ୍ତି ଉଭା ହେଉଥିଲେ। ସାମ୍ୟବାଦୀ ନେତା ପ୍ରସନ୍ନ କୁମାର ପଣ୍ଡା, ବାଳଗୋପାଳ ମିଶ୍ର, ଅରୁଣ ଦେ, ଶମ୍ଭୁନାଥ ନାୟକ, ରାଧାକାନ୍ତ ସେଠି, ଜର୍ଜ ତିର୍କୀଙ୍କ ଭଳି ନିଜ ଦମ୍ଭରେ ନିର୍ବାଚନ ଲଢି ଜିତିପାରିବାର ତାକତ ଥିବା ନେତା ଏବେ ଆଉ ଆମ ପାଖରେ ନାହାନ୍ତି। ଏହାର କାରଣ ଦୁଇ ପ୍ରକାର। ପ୍ରଥମତଃ ବର୍ତ୍ତମାନ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଛି, ଯାହାକୁ ଜଣେ ସାଧାରଣ ରାଜନେତା ବହନ କରିପାରିବ ନାହିଁ। ଦ୍ବିତୀୟରେ ଲୋକଙ୍କୁ ସଂଗଠିତ କରି ରାଜନୈତିକ ଆଧାର ସୃଷ୍ଟି କରିବା ଭଳି ଶକ୍ତି ନୂଆ ପ୍ରଜନ୍ମର ରାଜନେତାଙ୍କ ପାଖରେ ନାହିଁ। ସମସ୍ତେ ଏଠି ହାୱା ସହିତ ବହି ଯିବାକୁ ପ୍ରସ୍ତୁତ। ତେଣୁ ରାଜନୀତିରେ ଜଣେ ନବୀନ ପଟ୍ଟନାୟକକି ନରେନ୍ଦ୍ର ମୋଦୀ କି ରାହୁଲ ଗାନ୍ଧୀଙ୍କ ଛାଇରେ ବାକି ସମସ୍ତେ ଲିଲିପୁଟ ହେବାକୁ ବାଧ୍ୟ।

ଏହି କ୍ରମରେ ଏବେ ପ୍ରତିଦିନ ଶହ ଶହ ଲିଲିପୁଟ ଆମ ଗଣମାଧ୍ୟମରେ ନିଜର ଖେଳ କସରତ ଦେଖାଉଛନ୍ତି। ଏ ପ୍ରକାର ଲିଲିପୁଟ ସବୁ ଦଳରେ ଅଛନ୍ତି। ଏଇ ଲିଲିପୁଟମାନେ ମଧ୍ୟ ଦୁଇ ପ୍ରକାର ଉତ୍ସରୁ ଆସିଥାନ୍ତି। ଗୋଟେ ଦଳରେ ଥାଇ ଏମାନେ ଯେତେବେଳେ ସେ ଦଳ ଭିତରେ ଅପ୍ରାସଙ୍ଗିକ ହୋଇ ପଡନ୍ତି, ସେତେବେଳେ ତାଙ୍କର ବିବେକ ହଠାତ ଜାଗ୍ରତ ହୁଏ ଓ ଦଳର ନେତାଙ୍କୁ ଗାଳି କରି ସେମାନେ ଦଳ ଛାଡନ୍ତି। ଆଉ ଦଳେ ଅଛନ୍ତି, ଯେଉଁମାନଙ୍କର ଏକମାତ୍ର ପରିଚୟ ହେଉଛି, ସେମାନେ କାହାର ଗୋଟେ ପୁଅ, ଝିଅ, ଭାଇ, ପୁତୁରା, ସ୍ତ୍ରୀ କିମ୍ବା ସମ୍ପର୍କୀୟ। ଟିକଟ ବଣ୍ଟନ ବେଳେ ଆମେ ଦାମୋଦର ରାଉତଙ୍କ ପୁଅ ଓ ଝିଅ, ଯୋଗେନ୍ଦ୍ର ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କ ପୁଅଇତ୍ୟାଦିଙ୍କ ବିଷୟରେ ବହୁତ ଚର୍ଚ୍ଚା କରୁଛେ। ଏ ପ୍ରକାର ପରାଙ୍ଗପୁଷ୍ଟଙ୍କ ବିଷୟରେ ଗଣମାଧ୍ୟମ ଅଧିକରୁ ଅଧିକ ଜାଗା ଛାଡି ଦେଉଛି।

ସବୁଦଳ କେଉଁଠି ନା କେଉଁଠି ପାରିବାରିକ ରାଜନୀତି ବିରୋଧରେ କହୁଥିବାବେଳେ ସବୁ ଦଳ ଏବେ ପାରିବାରିକ ଜମିଦାରୀ ପାଲଟି ଯାଉଛନ୍ତି। ପରିବାରବାଦ ଓ ବ୍ୟକ୍ତି ରାଜନୀତି ବିରୋଧରେ ସବୁଠୁ ଅଧିକ ପ୍ରବଚନ ଦେଉଥିବା ଭାରତୀୟ ଜନତା ପାର୍ଟି ଏବେ ପୁଅ-ପୁତୁରାଙ୍କ ଦଳ ଭାବରେ ବେଶ ଅଗ୍ରଗତି କଲାଣି। ଏବେ ବିଜେଡି ଟିକଟରୁ ବଞ୍ଚିତ କେବଳ ଲୋକସଭା ବା ବିଧାନସଭା ସଦସ୍ୟ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ବିଜେପିରେ ଜାଗା ପାଇବେ। ଯେଉଁ ବିଜେଡି ନେତା ନିଜ ପୁଅ ଝିଅଙ୍କୁ ବିଜେଡିରେ ସଫଳ କରାଇପାରିଲେ ନାହିଁ,ସେମାନେ ବିଜେପିକୁ ନିଜ ପରିବାରକୁ ପଠାଇବେ। ସମାନ କଥା ବିଜେପିରେ କି କଂଗ୍ରେସରେ ମଧ୍ୟ ଘଟିବ। କେବଳ ଟିକେଟ ଆବଣ୍ଟନ ହଟ ଚମଟରୁ ଏ ପ୍ରକାର ପାରିବାରିକ ଓ ଅନାବଶ୍ୟକ ଭାଟଗିରି କରିବାରେ ଆମର ସମୟ ଯିବ।

ଏ ପ୍ରସଙ୍ଗରେ ଗଣମାଧ୍ୟମ ଯଦି ନିଜର ଆତ୍ମସମୀକ୍ଷା ନ କରିବ ତାହେଲେ ଲୋକ ଆମକୁ ଭାଟ ବା ଯୋକର ବୋଲି ଭାବିବାକୁ ବାଧ୍ୟ ହେବେ!