ମୁମ୍ବାଇ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 411 କୋଟିର ଋଣ ଠକେଇ ନେଇ ସିବିଆଇ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୁକ୍ତ 411 କୋଟିର ଅର୍ଥରାଶି ସହିତ ଦେଶରୁ ଚମ୍ପଟ ମାରିବା ପରେ ସିବିଆଇ ନିକଟରେ ଅଭିଯୋଗ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏସ୍ବିଆଇ ଏବଂ ଅନ୍ୟାନ୍ୟ 6 ବ୍ୟାଙ୍କ ଠାରୁ ଋଣ ନେଇଥିବା ରାମ ଦେବ ଇଣ୍ଟରନ୍ୟାସନାଲର ପ୍ରମୋଟର ମାନେ ଦେଶ ଛାଡି ପଳାୟନ କରିଛନ୍ତି । କମ୍ପାନୀର ତିନି ପ୍ରମୋଟର ନରେଶ କୁମାର, ସୁରେଶ କୁମାର ଏବଂ ସଙ୍ଗୀତା ଦେଶଛାଡି ପଳାୟନ କରିଛନ୍ତି । ରାମଦେବ ଇଣ୍ଟରନ୍ୟାସନାଲ୍ର ତିନୋଟି ଚାଉଳ ମିଲ୍ ଏବଂ 8ଟି ସର୍ଟିଙ୍ଗ ଏବଂ ଗ୍ରେଡିଙ୍ଗ ୟୁନିଟ୍ ରହିଥିବା ଜଣାପଡିଛି । ବ୍ୟାଙ୍କ ଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଲକ୍ଡାଉନ୍ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । (ଏଜେନ୍ସି)
Tag: cbi
ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଛାଡିବା ବଦଳରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ପୋଲିସ କନଷ୍ଟେବଳ ତଥା ଜଣେ ଓକିଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ହାଭିଲଦାରଙ୍କ ନାମ ସତ୍ୟ ନାରାୟଣ ଏବଂ ଓକିଲଙ୍କ ନାମ ସୋନି। ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ସିବିଆଇରେ ଅଭିଯୋଗ କରିଥିବା ବ୍ୟକ୍ତି ପ୍ରକୃତରେ ଅଳଙ୍କାର ଚୋରି ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା। ପ୍ରସାଦ ନଗର ପୋଲିସ ଷ୍ଟେସନରେ ଡେପୁଟି କମିଶନର ପୋଲିସ (ଡିସିପି) ସଞ୍ଜୟ ଭାଟିଆ ଏହି ଘଟଣା ବିଷୟରେ ଅବଗତ କରାଇଛନ୍ତି। ଡିସିପିଙ୍କ ଅନୁଯାୟୀ, ଜାନୁଆରୀ ୨୨ତାରିଖରେ ପ୍ରସାଦ ନଗର ପୋଲିସ ଷ୍ଟେସନରେ ଏକ ଚୋରି ମାମଲା (କେସ ନଂ-୨୧) ରେଜିଷ୍ଟ୍ରେସନ୍ ହୋଇଥିଲା। ସୁନା ଅଳଙ୍କାର ଚୋରି ହୋଇଥିବା ଏହି ମାମଲାର ତଦନ୍ତ ହାଭିଲଦାର ସତ୍ୟ ନାରାୟଣ କରୁଥିଲେ। ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲଙ୍କ ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ଅଭିଯୁକ୍ତ ନାରାୟଣଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।
ଶନିବାର ଦିନ ସିବିଆଇ ଟିମ୍ ପ୍ରଥମେ ଓକିଲଙ୍କୁ ଗିରଫ କରିଥିଲା। ରାତିରେ ପ୍ରସାଦ ନଗର ଥାନାରେ କାର୍ଯ୍ୟରତ ହାବିଲଦାର ସତ୍ୟ ନାରାୟଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁସନ୍ଧାନକୁ ଭିତ୍ତି କରି ଏବଂ ସିବିଆଇରୁ ମିଳିଥିବା ଦଲିଲଗୁଡ଼ିକ ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କହିଛି। (ଏଜେନ୍ସି)
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ରାଣା କପୁରଙ୍କ ବାସଗୃହ ଏବଂ ଅଫିସ୍ରେ ମଧ୍ୟ ଚଢାଉ କରାଯାଇଛି । ପୂର୍ବରୁ ଇଡି ପକ୍ଷରୁ ରାଣା କପୁରଙ୍କୁ ପଚରା ଉଚୁରା କରାଯିବା ସହିତ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟେସ୍ ବ୍ୟାଙ୍କ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ମତଦାନ ପୂର୍ବରୁ ମନୀଷ୍ ସିସୋଦିଆଙ୍କ ଓଏସ୍ଡିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଛି ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଗୋପାଲକୃଷ୍ଣ ମାଧବଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଜଣକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଓଏସ୍ଡି ବୋଲି ଜଣାପଡିଛନ୍ତି । ସିବିଆଇ ଗୋପାଳଙ୍କୁ ଏକ ଟ୍ୟାକ୍ସ ମାମଲାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ଗୁରୁବାର ରାତ୍ରିରେ ହୋଇଥିବା ଏକ ଅପରେସନ୍ ଜରିଆରେ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ୍ ଅଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ତେବେ ଏହା ସମ୍ପର୍କରେ ଯାଞ୍ଚ ଜାରି ରହିଛି । ମାଧବ 2015ରେ ସିସୋଦିଆଙ୍କ ଅଫିସ୍ରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଏହି ସମୟରେ ଏପରି ଏକ ଖବର ଦିଲ୍ଲୀ ରାଜନୀତିରେ ଟିକେ ହଲଚଲ୍ ସୃଷ୍ଟି ହୋଇଛି ।
ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ 13ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନିସ୍ଥାନରେ ଏବଂ ଦିଲ୍ଲୀର 4 ସ୍ଥାନ ବ୍ୟତିରେକ କାନପୁରର 6ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 4061.17 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ 19 ତାରିଖ ଦିନ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
ନୂଆଦିଲ୍ଲୀ- ଓଡିଶାର ପୂର୍ବତ୍ତନ ମୁଖ୍ୟ ବିଚାରପତି ତଥା ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜରେ ହେବେ। ଏ ନେଇ ସିବିଆଇ କୋର୍ଟ ତରଫରୁ ତାଙ୍କୁ ସମନ କରାଯାଇଛି। ଦୁଇ ବର୍ଷ ତଳେ ମେଡିକାଲ କଲେଜରେ ନାମଲେଖା ରେ ହୋଇଥିବା ଦୁର୍ନିତିରେ ସେ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର କୋର୍ଟ ଆଉ ଛଅ ଜଣଙ୍କୁ ମଧ୍ୟ କୋର୍ଟରେ ହାଜର ହେବା ପାଇଁ ସମନ କରାଯାଇଛି। ସେମାନେ ହେଲେ ପ୍ରସାଦ ଏଡୁକେସନ ଟ୍ରଷ୍ଟର ବିପି ଯାଦବ, ପଳାସ ଯାଦବ, ବିଶ୍ବନାଥ ଅଗ୍ରୱାଲା, ରାମଦେବ ସରସ୍ବତୀ, ଭାବନା ପାଣ୍ଡେ ଏବଂ ସୁଧୀର ଗିରି। ପ୍ରସାଦ ଏଡୁକେସନ ଟ୍ରଷ୍ଟ ଅଦିନରେ ଚାଲିଥିଲା ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ। ଏହି ଇନଷ୍ଟିଚ୍ୟୁଟ ସେତେବେଳେ 46 କଲେଜକୁ ପରିଚାଳନା କରୁଥିଲା। ଏଥିରେ ନାମଲେଖାଇବା ପାଇଁ 2017-2018 ଏବଂ 2018-2019 ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କଠାରୁ ଧାର୍ଯ୍ୟ ଫି ଠାରୁ ଅଧିକା ନେଇଥିଲେ। ଯାହାକୁ ନେଇ ସିବିଆଇ ବର୍ତ୍ତମାନ ତଦନ୍ତ କରୁଛି। ସେହି ଘଟଣାରେ ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ ଅଭିଯୁକ୍ତ ଅଛନ୍ତି।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଭାରତୀୟ ବାୟୁସେନାର କିଛି ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। କେବଳ ବାୟୁସେନା ଅଧିକାରୀ ନୁହନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ସ୍ବିଜରଲ୍ୟାଣ୍ଡ ନିକଟରୁ ୭୫ଟି ବିମାନ କିଣାଯାଇଥିଲା। ଏହି ବିମାନ କିଣିବାରେ ୩୩୯ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା। ଭଣ୍ଡାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ସହିତ ଭଣ୍ଡାରୀଙ୍କ ଅଫିସ୍ରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ସ୍ବିଜରଲ୍ୟାଣ୍ଡ ନିକଟରୁ ଏହି ସମୟରେ ପିଲାକ୍ଟସ୍ ପିସି-୭ ଏମ୍କେ-୨ ଏବଂ ଏଚ୍ଟିପି-୩୨ ବିମାନ କିଣାଯାଇଥିଲା।
କେଦାର ମିଶ୍ର
ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!! ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।
୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!
ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?
ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।
ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାଗାଲାଣ୍ଡର ଜନୈକ ଆଇଏଏସ୍ ଅଫିସରଙ୍କ ବିପକ୍ଷରେ ମାମଲା ବନ୍ଦ କରିଛି। ୧୯୯୦ ମସିହାର ଆଇଏଏସ୍ ଅଫିସର ଜ୍ୟୋତି କଳସଙ୍କ ବିପକ୍ଷପରେ ସିବିଆଇ ୨୦୦୮ରେ ଏକ ମାମଲା ରୁଜୁ କରିଥିଲା। ନାଗାଲାଣ୍ଡ କ୍ୟାଡରର ଏହି ଅଫିସରଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନଥିବାରୁ ମାମଲା ବନ୍ଦ କରିବାର ନିଷ୍ପତ୍ତି ନେଇଛି ସିବିଆଇ। ସିବିଆଇ ନିଜର ଚୂଡାନ୍ତ ରିପୋର୍ଟ ପଟିଆଲା ହାଉସ୍ କୋର୍ଟରେ ଦାଖଲ କରିଛି। ଏହା ସହିତ ବିଗତ ଦିନରେ ଏହି ପ୍ରଶାସନିକ ଅଧିକାରୀଙ୍କ ସମସ୍ତ ବକେୟା ଦେୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଉମସ କୋର୍ଟ। ୨୦୦୮ରେ ୩୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରଖିବା ନେଇ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଥିଲା।
ମୁଜାଫରପୁର ସେଲ୍ଟର ହୋମ୍ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ୧୧ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ରିପୋର୍ଟ ପାଇଁ ସିବିଆଇକୁ ତିନି ମାସର ସମୟ ଦେଇଛନ୍ତି ସୁପ୍ରିମ୍କୋର୍ଟ। ସୋମବାର ବିଚାରପତି ଇନ୍ଦୁ ମଲହୋତ୍ରା ଏବଂ ଏମ୍ ଆର ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ସେଲ୍ଟର ହୋମ୍ରେ ରହୁଥିବା ଏକାଧିକ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବଂ ଏହାର ଭିଡିଓ କରାଯାଇ ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ଆସିଥିଲା। ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ପକ୍ଷରୁ ଏହି ମାମଲାକୁ ସାମ୍ନାକୁ ଅଣାଯିବା ପରେ ଏହାର ତଦନ୍ତ କରାଯାଇଥିଲା। ପ୍ରାରମ୍ଭିକ ଭାବରେ ବିହାର ପୋଲିସ୍ ମାମଲାର ତଦନ୍ତ କରୁଥିଲା। ତଦନ୍ତ ପ୍ରକ୍ରିୟା ସ୍ବଚ୍ଛ ଏବଂ ଅବାଧ ନଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ଜୁନ୍ ୩ ତାରିଖ ସୁଦ୍ଧା ସିବିଆଇକୁ ଏହାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ପଶ୍ଚିମବଙ୍ଗର ଶାରଦା ସ୍କାମ ଦୁର୍ନୀତିରେ ସିବିଆଇ ପକ୍ଷରୁ ପୂର୍ବତନ କୋଲକାତା କମିଶନର ରାଜୀବ କୁମାରଙ୍କ ନାମରେ ଏକ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଦେଶ ଛାଡି ପଳାୟନ ନ କରିବା ନିମନ୍ତେ ରାଜୀବ କୁମାରଙ୍କ ନାମରେ ସିବିଆଇ ନୋଟିସ୍ ଜାରି କରିଛି। ଦେଶର ସମସ୍ତ ବିମାନ ବନ୍ଦର ଏବଂ ପ୍ରବାସନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସିବିଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜୀବ କୁମାର ୨୫୦୦ କୋଟି ଟଙ୍କାର ଶାରଦା ଚିଟ୍ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଉଠିଥିଲା। ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହି ମାମଲାର ତଦନ୍ତ କରିଥିବା ବେଳେ ବର୍ତ୍ତମାନ ମାମଲା ସିବିଆଇ ନିକଟରେ ରହିଛି। ପୂର୍ବରୁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଥିଲେ ମାତ୍ର ଏହି ସୁରକ୍ଷା ଉଠାଇନେବା ପରେ ଗିରଫଦାରୀର ଆଶଙ୍କା ଉପୁଜିଥିଲା। ମାମଲାକୁ ନେଇ ରାଜୀବ କୁମାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା।
ଟିଡିପି ସାଂସଦ ତଥା ଜନସେନା ସାଂସଦ ପ୍ରାର୍ଥୀ ଏସ୍ପିଓ୍ବାଇ ରେଡ୍ଡୀଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢାଉ କରିଛି। ନନ୍ଦ୍ୟାଲ୍ରୁ ଚଳିତ ଲୋକସଭା ନିର୍ବାଚନରେ ଜନସେନାର ସାଂସଦ ପ୍ରାର୍ଥୀ ରହିଥିବା ଏହି ନେତା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୫୦୦ କୋଟିର ଋଣ ନେଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କରୁ ଏହି ଋଣ ନିଆଯାଇଥିବା ଜଣାପଡିଛି। ଏହି ଚଢାଉ ସମୟରେ ସିବିଆମଇ ରେଡ୍ଡୀଙ୍କ ବିଭିନ୍ନ ଶିଳ୍ପ ସଂସ୍ଥାନର କାଗଜପତ୍ର ଜବତ କରିଛି। ନିଜ ଜ୍ବାଇଁଙ୍କ ପାଇଁ ନନ୍ଦି ଇଣ୍ଡଷ୍ଟ୍ରିଜ୍ ନାମରେ ଏହି ଲୋନ୍ ନେଇଛନ୍ତି ରେଡ୍ଡୀ। ଏହି ଚଢାଉ ସମୟରେ ରେଡ୍ହୀ ବଞ୍ଜାରା ହିଲ୍ସର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଘରେ କେବଳ ତାଙ୍କ ଜ୍ବାଇଁ ଏସ୍ ଶ୍ରୀଧର ରେଡ୍ଡୀ ଉପସ୍ଥିତ ଥିଲେ।
ଚାରା ଦୁର୍ନୀତି ସମ୍ପର୍କିତ ୩ଟି ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ଜବାବ ତଲାବ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟଙ୍କ ଆବେଦନ ଉପରେ ସିବିଆଇକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପ୍ରତି ସେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଦ୍ବାରା ୨୦୧୯ ଜାନୁଆରୀ ୧୦ରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।
ସମୀକ୍ଷା ବ୍ୟୁରୋ
ଗତକାଲି ବୋଧହୁଏ ଭାରତର ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ସବୁଠୁ ଅଧିକ କ୍ରୋଧିତ ହୋଇକି ବସିଥିଲେ।ସିବିଆଇ ର ଅନ୍ତରୀଣ ନିର୍ଦ୍ଦେଶକ ଥିବା ଏମ. ନାଗେଶ୍ଵର ରାୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ବିଚାର କରି ମାନ୍ୟବର ମୁଖ୍ୟ ବିଚରପତିଙ୍କ ବେଞ୍ଚ ରାଓଙ୍କୁ ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଏକ ଲକ୍ଷ ଟଙ୍କାର ଜୋରିମାନା କରିବା ସହିତ ତାଙ୍କୁ ଅଦାଲତର ଏକ କୋଣରେ ଦିନସାରା ବସି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଇନ ଦୃଷ୍ଟିରୁ ହୁଏତ ଅଳ୍ପ ସମୟର ଜେଲ ଦଣ୍ଡ ବୋଲି କୁହାଯାଇପାରିବ। ଆଉ ଟିକେ ହାଲୁକା ଭାବରେ ବିଚାର କାଲେ ଶ୍ରେଣୀର ଉଦ୍ଧତ ଓ ଅମାନିଆଁ ଛାତ୍ରକୁ ଦଣ୍ଡିତ କରିବା ଲାଗି ଯେମିତି ଶ୍ରେଣୀ ଗୃହ ବାହାରେ ଛିଡା କରାଇ ଦିଆଯାଏ, ରାଓ ଙ୍କ ଅବସ୍ଥା ଠିକ ସେୟା ହୋଇଥିଲା। ଗୋଟେ ପକ୍ଷରେ ସିବିଆଇକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ବୋଲି କୁହାଯାଉଥିବା ବେଳେ ଏହାର ପ୍ରମୁଖ ଅଧିକାରୀଙ୍କ ଲଜ୍ଜାଜନକ ଅବସ୍ଥା ଦେଖି ଅହି ଅନୁଷ୍ଠାନ ପ୍ରତି ଲୋକଙ୍କର ମନୋଭାବ ଯେ କଣ ହେଉଥିବ, ସେଟା ବାସ୍ତବରେ ଚିନ୍ତାର ବିଷୟ।
ତେବେ କାହିଁକି ଏ ପ୍ରକାର ଲଜ୍ଜାଜନକ ପରିସ୍ଥିତି ଉପୁଜିଲା ଓ ସେଥିଲାଗି କିଏ ଦାୟୀ, ସେ କଥା ବିଚାର କରିବା ଜରୁରୀ। ବିହାରର ମୁଜାଫରପୁର ଠାରେ ଘଟିଥିବା ନାବାଳିକା ଯୌନ ଶୋଷଣ ମାମଲାର ତଦନ୍ତ କରୁଥିବା ସିବିଆଇ ର ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ଶର୍ମା ଏହି ତଦନ୍ତ କରୁଥିବା ସମୟରେ କୋର୍ଟର ନିର୍ଦ୍ଦେଶ ବିନା ବଦଳି ହୋଇପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଗତ ୩୧.୧୦.୨୦୧୮ ଓ ୨୮.୧୧.୨୦୧୮ରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଅବମାନନା କରି ତତ୍କାଳୀନ ସିବିଆଇର ଅନ୍ତରୀଣ ମୁଖ୍ୟ ଥିବା ଏମ.ନାଗେଶ୍ଵର ରାଓ ଶର୍ମାଙ୍କୁ ସିବିଆଇରୁ ରିଲିଭ କରିଥିଲେ। ତେବେ ସିବିଆଇ ରୁ ଅରୁଣ କୁମାର ଶର୍ମାଙ୍କୁ ସିଆଆରପିଏଫ କୁ ବଦଳି କରିବାର କ୍ଷମତା ରାୟଙ୍କର ନାହିଁ। ଶର୍ମାଙ୍କୁ ବଦଳି କରିବାର ନିର୍ଦ୍ଦେଶ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଦେଇଥିଲା ଓ ଏ ନିଷ୍ପତ୍ତି ପର୍ସୋନେଲ ବିଭାଗ ସିବିଆଇ କୁ ଜଣାଇଥିଲେ। ଗୋଟେ ପ୍ରକାର ସରକାରୀ ନିଷ୍ପତ୍ତି କ୍ରମେ ଶର୍ମାଙ୍କୁ ବଦଳି କରା ଯାଇଥିଲା।
ସିବିଆଇର ମୁଖିଆ ଭାବରେ କୋର୍ଟର ନିର୍ଦ୍ଦେଶକୁ ସରକାରଙ୍କୁ ଜଣାଇ ଶ୍ରୀ ଶର୍ମାଙ୍କର ବଦଳିକୁ ଅଦାଲତର ବିନା ଅନୁମତିରେ କାର୍ୟକାରୀ କରାଯାଇପାରିବ ନାହିଁ ବୋଲି ସେ କହିବା କଥା। ରାଓ ସେକଥା ନକରି ପ୍ରଧାନମନ୍ତ୍ରୀ କାର୍ୟାଳୟର ନିର୍ଦ୍ଦେଶ (ପର୍ସୋନେଲ ବିଭାଗ ପ୍ରଧାନମନ୍ତ୍ରୀଙ୍କ ଅଧୀନ) କୁ ରାଓ ମାନିଛନ୍ତି। ଶ୍ରୀ ରାଓ ସରକାରଙ୍କର ଲୋକ ଭାବରେ କାମ କରିବାକୁ ଯାଇ ଆଇନର ଶାସନକୁ ଅଣଦେଖା କାଲେ। ଯାହାର ଶାସ୍ତି ତାଙ୍କୁ ମିଳିଲା।
ହେଲେ ଏହାର ଅସଲ ଅପରାଧୀ କଣ ଶ୍ରୀ ରାଓ? ବରଂ କୁହାଯାଇପାରେ ସେ ହେଉଛନ୍ତି, ଏ କ୍ଷେତ୍ରରେ ଅସହାୟ ବଳିର ବୋଦା। ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତାରାତି ସିବିଆଇରୁ ବିଦା କରି ତାଙ୍କ ଜାଗାରେ ରାଓଙ୍କୁ ସରକାରଙ୍କ ମୋହରା ଭାବରେ ସିବିଆଇରେ ଅବସ୍ଥାପିତ କରାଯାଇଥିଲା। ନିଜ ପଦ ବଞ୍ଚାଇବାକୁ ଯାଇ ସେ ସରକାରଙ୍କର ସବୁ ବୈଧ ଓ ଅବୈଧ ନିଷ୍ପତ୍ତିକୁ କାର୍ୟକାରୀ କରାଉଥିଲେ। ତାରି ଭିତରେ ଅରୁଣ ଶର୍ମାଙ୍କୁ ବଦଳି କରିବାର ଚାପ ସେଇ ଉପରୁ ହିଁ ଆସିଛି। ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆଜି ରାଓ ଅଦାଲତରେ ଦଣ୍ଡିତ ହୋଇଛନ୍ତି।
ନାଗେଶ୍ଵର ରାଓ ସରକାରଙ୍କ ବୋଲକରା ହୋଇ ଚିଟ ଫଣ୍ଡ ମାମଲାରେ ଅହେତୁକ ତତ୍ପରତା ଦେଖାଇ କୋଲକାତା ପୋଲିସ କମିଶନରଙ୍କୁ ଗିରଫ କରିବାକୁ ବାହାରିଥିଲେ। ରାଜନୈତିକ ବିରୋଧ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଗିରଫଦାରୀ ଟଳିଛି। ତେବେ ଏହାର ମୂଲ୍ୟ ରାଓଙ୍କୁ ବ୍ୟକ୍ତିଗତ ସ୍ତରରେ ଦେବାକୁ ପଡିଛି। ତାଙ୍କ ଘର ଓ ତାଙ୍କ ସ୍ତ୍ରୀଙ୍କ ବ୍ୟବସାୟ ଉପରେ ପଶ୍ଚିମ ବଙ୍ଗ ପୋଲିସ ଚଢଉ କରିଛି। ଉପରର ମାଇଁ ବାପ ମାନଙ୍କ ନିର୍ଦ୍ଦେଶରେ କାମ କଲେ, ପରିଣତି ଏୟା ହିଁ ହୁଏ।
ତେବେ ଏ ପ୍ରସଙ୍ଗର ସବୁଠୁ ବଡ ପ୍ରଶ୍ନ ହେଲା, ଯଦି ବଦଳି ଆଦେଶ କାର୍ୟକାରୀ କରି ନାଗେଶ୍ଵର ରାଓ ଦୋଷୀ, ତାହେଲେ ବଦଳି ଆଦେଶ ଦେଇଥିବା ଓ ତାକୁ ତୁରନ୍ତ କାର୍ୟକାରୀ କରାଇବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପର୍ସୋନେଲ ବିଭାଗ ଏଥି ପାଇଁ ଦୋଷୀ ହେବନାହିଁ କାହିଁକି??
କେଦାର ମିଶ୍ର
ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, ମଇ, ୨୦୧୪ ଦିନ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ଟି॰ଏସ॰ଠାକୁର ଓ ଜଷ୍ଟିସ ସି॰ନାଗାପ୍ପାନ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ଅବସରରେ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ପୋଲିସ ଫାଇଲ ଗୁଡିକ ସିବିଆଇ କୁ ହସ୍ତାନ୍ତରିତ କରାଯିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଫାଇଲ ତୁରନ୍ତ ସିବିଆଇ ହାତକୁ ଆସିଯିବା କଥା। ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା ପରେ ହଠାତ ସିବିଆଇ କହୁଛି ଯେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଯେଉଁ ତଥ୍ୟ ଦେଇଛି ସେଗୁଡିକ ପୂର୍ଣ୍ଣାଙ୍ଗ ନୁହେଁ। କଣ ଫାଇଲ ପାଢୀ ବୁଝିବାକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥାକୁ ପାଞ୍ଚ ବର୍ଷ ସମୟ ଲାଗେ? ସୁପ୍ରିମ କୋର୍ଟ ତାଙ୍କ ରାୟରେ କେଉଁ ସବୁ କେସର କାଗଜାତ ସିବିଆଇ କୁ ଦିଆଯିବ ସେ କଥା ସ୍ପଷ୍ଟ କରିଛନ୍ତି। ତଥାପି ସିବିଆଇ ଏତେ ବର୍ଷ ଚୁପ ବସିଥିଲା କାହିଁକି ? ଯଦି ତତ୍କାଳୀନ ତଦନ୍ତ ଅଧିକାରୀ ସିବିଆଇ କୁ ସହଯୋଗ କରୁନଥିଲେ, ସେ ବିଷୟ ସିବିଆଇ ସୁପ୍ରିମ କୋର୍ଟରେ ଜଣାଇପାରିଥାନ୍ତା। ତାହା ନକରି ୪୦ ଜଣ ଅଧିକାରୀଙ୍କୁ ନେଇ ଜଣେ ପୋଲିସ କମିଶନରଙ୍କ ଘରକୁ ଯିବାର ରାଜନୈତିକ ଉଦ୍ଦେଶ୍ୟ ବୁଝା ପଡୁ ନାହିଁ କି? ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ମାସକ ପୂର୍ବରୁ ସିବିଆଇ ର ଏ ପ୍ରକାର ତତ୍ପରତା ପଛରେ ନିର୍ବାଚନୀ ରାଜନୀତିର ଗନ୍ଧ ଆପେ ଆପେ ବାରି ହେଉଛି।
ତେବେ ଏହି ସମଗ୍ର ପ୍ରକରଣରେ ଦିଲ୍ଲୀର ଗଣମାଧ୍ୟମ ମମତା ବାନାର୍ଜୀଙ୍କୁ ଖଳ ନାୟିକା ଭାବରେ ଚିତ୍ରଣ କରିବାର ଅପଚେଷ୍ଟା କରୁଛି। ମମତା ବାନାର୍ଜୀ ଏ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇବା କିଛି କିଛି ଲୋକଙ୍କୁ ବହୁତ ବାଧିଛି। ସେମାନେ ଭାବନ୍ତି ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରର ବଶଂବଦ ହୋଇ ରୁହନ୍ତୁ। ତେବେ ଭାରତର ସମ୍ବିଧାନ ରାଜ୍ୟଗୁଡିକୁ ଢେର ସ୍ୱାୟତ୍ତତା ଦେଇଛି। ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ସ୍ଵାଭାବିକ ଭାବରେ ପୋଲିସ ଉପରେ ରାଜ୍ୟ ସରକାର ଗୁଡିକର କର୍ତ୍ତୃତ୍ଵ ରହିଛି। ଦିଲ୍ଲୀ ସରକାର ପାଖରେ ପୋଲିସ କ୍ଷମତା ନଥିବାରୁ ତାଙ୍କୁ ସିବିଆଇ ଯେଉଁପ୍ରକାର ହଟହଟା କରିଛି, ତାହା ଆମର ସଙ୍ଘୀୟ ବ୍ୟବସ୍ଥାରେ ଏକ କଳଙ୍କ ହୋଇ ରହିବ। ନିଜର ରାଜନୈତିକ ପ୍ରତିଶୋଧପରାୟଣତାକୁ ସିବିଆଇ ମାଧ୍ୟମରେ ଚରିତାର୍ଥ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଯେତେ ଗୁଡିଏ ପଦକ୍ଷେପ ନେଲେଣି ତାର ତାଲିକା ବହୁତ ଲାମ୍ବା ହେବ। ବିରୋଧୀ ନେତାଙ୍କୁ ଜବତ କାରିବା ଲାଗି ସିବିଆଇ କୁ ଅସ୍ତ୍ର ଭାବରେ କେନ୍ଦ୍ର ସରକାର ବ୍ୟବହାର କରୁଥିବାର ଶେଷ ପ୍ରମାଣ ହେଉଛି ପଶ୍ଚିମ ବଙ୍ଗ ଘଟନା।
ଏ କ୍ଷେତ୍ରରେ ସିବିଆଇ ର ତଦନ୍ତ ଯେ ଏକ ସୁଆଙ୍ଗ ତାର ପ୍ରମାଣ ହେଉଛି ସାମ୍ବାଦିକ ସମ୍ମିଳନୀ ଗୁଡିକରେ ମୁକୁଲ ରାୟଙ୍କ ଉପସ୍ଥିତି। ସାରଦା ଚିଟଫଣ୍ଡ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବରେ ସିବିଆଇ ଜାଲରେ ପଡିଥିବା ମୁକୁଲ ରାୟ ଏବେ ତୁଙ୍ଗ ବିଜେପି ନେତା ଭାବରେ ପ୍ରବଚନ ଦେଉଛନ୍ତି। ସେହିପରି ଆସାମରେ ଚିଟ ଫଣ୍ଡ ମାମଲାର ଅଭିଯୁକ୍ତ ହେମନ୍ତ ବିଶ୍ଵା ଶର୍ମା ଏବେ ଆସାମର ସୁପର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ଦୁଇଟି ବଡ ଗଣମାଧ୍ୟମର ପୃଷ୍ଠପୋଷକ। ସବୁଠୁ ମଜା କଥା ହେଉଛି ଯେଉଁ ଟେଲିଭିଜନ କମ୍ପାନୀରେ ଚିଟ ଫଣ୍ଡ କେଳେଙ୍କାରିର ପୁଞ୍ଜି ଲାଗିଛି, ସେ ଟେଲିଭିଜନର ସମ୍ପାଦକ ଏବେ ସିବିଆଇ ର ମୁଖ୍ୟ ପ୍ରଚାରକ ସାଜିଛନ୍ତି।
ଏ ପ୍ରକାର ବିଚିତ୍ର ବିରୋଧାଭାସ ଭିତରେ ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାକୁ ନେଇ ଯେଉଁ ରାଜନୀତି ହେଉଛି, ତାହାର ସ୍ଵରୂପ ମଧ୍ୟ ବିଚିତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଭୟ ମମତା ବାନାର୍ଜୀ ଓ ବିଜେପି ଏହା ନିଜର ବିଜୟ ବୋଲି କହିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହା ରାଜନୀତିର ବିଜୟ ହୋଇଥିବା ବେଳେ ଆମ ସମ୍ବିଧାନ ନିର୍ଦ୍ଧାରିତ କରିଥିବା ସଙ୍ଘୀୟ ବ୍ୟବସ୍ଥାର ଏହା ସବୁଠୁ ବଡ ବିପର୍ୟୟ। ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମ କୋର୍ଟ କୌଣସି ସମୟସୀମା ନିର୍ଦ୍ଧାରଣ ନକରିବା ଓ ଏଥିଲାଗି ତଦାରଖ କରିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରିବା ଫଳରେ ଏହାକୁ ନେଇ ରାଜନୀତି ତୀବ୍ରତର ହୋଇଛି। ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ପୁନର୍ବିଚାର କରିବା ଏବେ ଜରୁରୀ ହୋଇ ପଡିଛି।
କୋଲକାତା ହାଇଡ୍ରାମା : ଦିଦି ବନାମ ମୋଦି
ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ଯୋଗୁଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ଅନ୍ୟ କୌଣସି ବାଟ ନ ପାଇ ମୋଦି ସରକାର ଯାଞ୍ଚ ଏଜେନ୍ସି ଦ୍ୱାରା ହଇରାଣ କରିବାକୁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏଭଳି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଦର୍ଶାଇଛନ୍ତି ମମତା । ତେବେ କେନ୍ଦ୍ରର ଏଭଳି ରାଜନୀତିର ବିରୋଧ କରି କଡ଼ା ଟକ୍କର ଦେବାକୁ ଦିଦି ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି । ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ କେନ୍ଦ୍ର ସରକାର ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି । ସିବିଆଇ ବନାମ ମମତାଙ୍କ କଳି ବର୍ତ୍ତମାନ କେନ୍ଦ୍ର ବନାମ ମମତାଙ୍କ କଳିରେ ରୂପାନ୍ତରିତ ହୋଇସାରିଛି । ତେବେ ଏହି ଘଟଣାରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସିଜିଆଇ ନିଷ୍ପତ୍ତି ନେଇଛନ୍ତି । ମମତାଙ୍କୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ଅରବିନ୍ଦ କେଜ୍ରୀୱାଲଙ୍କଠାରୁ ଆରମ୍ଭ କରି ରାହୁଲ୍ ଗାନ୍ଧି ଓ ଅଖିଳେଶ ଯାଦବ ସମସ୍ତେ କେନ୍ଦ୍ର ବନାମ ରାଜ୍ୟରେ ସାମିଲ୍ ହେବାକୁ ରହିଛନ୍ତି । ନିର୍ବାଚନ ହେବାକୁ ଆଉ କିଛି ମାସ ରହିଥିବାବେଳେ କେନ୍ଦ୍ର ବିପକ୍ଷରେ ସମସ୍ତ ବିରୋଧୀ ଗୋଷ୍ଠୀଙ୍କର ଏଭଳି ଦୃଢ ସଂଗଠନ ଆଗାମୀ ନିର୍ବାଚନୀ ଫଳାଫଳକୁ କିଛି ସ୍ପଷ୍ଟ କରୁଥିବାର ଅନୁମାନ ହେଉଛି ।
କେଦାର ମିଶ୍ର
ଆଜିକୁ ଚାରି ବର୍ଷ ନଅ ମାସ ତଳୁ ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ଘଟିଥିବା ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ଦାୟିତ୍ଵ ଦେଇଥିଲେ। ପଶ୍ଚିମ ବଙ୍ଗ, ଓଡିଶା, ତ୍ରିପୁରା, ଆସାମ ଓ ଝାଡଖଣ୍ଡ ରାଜ୍ୟରେ ବ୍ୟାପକ ଭାବେ ଚାଲିଥିବା ବେଆଇନ ଚିଟଫଣ୍ଡ ଘୋଟାଲାର ତଦନ୍ତ ଗତ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ଚାଲିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ ଭାବେ ଉପସ୍ଥାପନ କରାଯାଇଥିଲା। ତେବେ ଏହି ଦୁର୍ନୀତିରେ ସେତେବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାର ବିଜୁ ଜନତା ଦଳ ସରକାର ବିରୋଧରେ ଅଭିଯୋଗ ଉଠିଥିଲେ ମଧ୍ୟ, ସାଧାରଣ ଭୋଟର ଏହି ଉଭୟ ଦଳକୁ ଅବିଶ୍ଵାସ କରିନଥିଲେ। ସିବିଆଇ ତଦନ୍ତ ଆରମ୍ଭ ହେବାପରେ ଏହି ଦୁଇ ଦଳର ବହୁ ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ। ତେବେ ଏହି ତଦନ୍ତର ଗତି ଏତେ ଜଟିଳ ଓ ଏଥିରେ ରାଜନୀତିର ପ୍ରଭାବ ଏତେ ତୀବ୍ର ଥିଲା ଯେ ଏହାକୁ ନେଇ କିଛି ଗୋଟାଏ ଆଶାଜନକ ଫଳ ବାହାରିବ ସେ ଆଶା ଆଉ ସାଧାରଣ ଲୋକଙ୍କ ଭିତରେ ନାହିଁ।
ସିବିଆଇ ଭିନ୍ନ ଭିନ୍ନ ସମୟରେ ବହୁ ରାଜନେତା ଓ ପୋଲିସ ଅଧିକାରୀଙ୍କୁ ଏଥିପାଇଁ ନୋଟିସ କରିଛି। ଏ ପ୍ରସଙ୍ଗରେ ରାଜନେତାମାନଙ୍କୁ ସମୟ ଓ ସୁଯୋଗ ଦେଖି ଡକାଯାଉଛି ଓ ସେମାନଙ୍କୁ ଖସିଯିବାର ସୁଯୋଗ ସୃଷ୍ଟି କରାଯାଉଛି। ୨୦୧୪ ରୁ ଆଜି ଭିତରେ ଓଡିଶାର ତିନୋଟି ଯାକ ପ୍ରମୁଖ ଦଳର ନେତାଙ୍କୁ ସିବିଆଇ ଏହି ମାମଲାରେ ନୋଟିସ କରିଛି କିମ୍ବା ଗିରଫ କରିଛି। ତେବେ ନୋଟିସ ଓ ଗିରଫଦାରୀ ମାମଲାରେ ସିବିଆଇର ବାସ୍ତବ କାର୍ୟାନୁଷ୍ଠାନ ଅପେକ୍ଷା ଏହାକୁ ନେଇ ରାଜନୈତିକ ସୁଆଙ୍ଗ ରଚନା ଅଧିକ ଚର୍ଚ୍ଚା ରେ ରହିଛି। ଆଜି ଇଚ୍ଛା ହେଲା ତ ଏଇ ନେତାଙ୍କୁ ଡାକ, କାଲୀ ତାକୁ ବାନ୍ଧ, ପହର ଦିନ ତାଙ୍କୁ ଛାଡିଦିଅ, ଏମିତି ବିଚିତ୍ର ଡାହିମାଙ୍କୁଡି ଖେଳ ସିବିଆଇ ଖେଳିଚାଲିଛି। ତେବେ ଇତି ମଧ୍ୟରେ ୨୦୧୪ ପୂର୍ବରୁ ସିବିଆଇ ତଦନ୍ତ କରିଥିବା ୨ଜି ଘୋଟାଲାର ଅଭିଯୁକ୍ତମାନେ ଅଦାଲତ ଦ୍ଵାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଲେଣି। ଚିଟ ଫଣ୍ଡ ଘୋଟାଲାରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିବା ଜଣେ ବି ରାଜନେତାଙ୍କ ବିରୋଧରେ ସିବିଆଇ ଉପଯୁକ୍ତ ତଥ୍ୟ ପ୍ରମାଣ ରଖି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିପାରିନାହିଁ। ଓଲଟି ଏହାକୁ ନେଇ କେନ୍ଦ୍ର ସରକାର ଓ ଶାସକ ବିଜେପି ନିକୃଷ୍ଟ ରାଜନୈତିକ ଖେଳ ଖେଳୁଛନ୍ତି।
ଚିଟଫଣ୍ଡ ଅଭିଯୁକ୍ତ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ ବିଜେପିରେ ଯୋଗଦେବା ପରେ ତାଙ୍କ ଉପରେ ଆଉ କୌଣସି କାର୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆସାମ ରେ ସାରଦା ଓ ରୋଜ ଭ୍ୟାଲି ଚିଟ ଫଣ୍ଡ ଦୁର୍ନୀତିରେ ଖୋଲାଖୋଲି ସାମିଲ ଥିବା ଜଣେ ପୂର୍ବତନ କଂଗ୍ରେସର ମନ୍ତ୍ରୀ ବିଜେପିକୁ ଆସି ଏବେ ଉତ୍ତରପୂର୍ବ ରାଜ୍ୟରେ ବିଜେପିର ବଡ ନେତା ହୋଇ ବୁଲୁଛନ୍ତି। ଓଡିଶାରେ ବିଜେଡ଼ିର ସାଂସଦ ରାମଚନ୍ଦ୍ର ହାଂସାଦା, ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ମଲ୍ଲିକ, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ପ୍ରମୁଖ ଗିରଫ ହୋଇ ଜାମିନରେ ଅଛନ୍ତି। ଆହୁରି ଗୁଡାଏ ନେତାଙ୍କୁ କେବଳ ଡାକି ପଚରା ଉଚୁରା କରାଯାଇଛି। ନେତାଙ୍କୁ ଡାକି ପଚରା ଉଚୁରା କରିବାର ରାଜନୈତିକ ନାଟକବାଜି କୁ ସିବିଆଇ ସର୍ବାଧିକ ଗୁରୁତ୍ଵ ଦେଲାପରି ମନେହେଉଛି।
ଏହି ତଦନ୍ତର ପାଞ୍ଚ ବର୍ଷ ପରେ ମଧ୍ୟ ସିବିଆଇ ସେଇ ସମାନ ନାଟକ କରି ଚାଲିଛି। ଏବେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ିର ଦୁଇଜଣ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ ପଠାଇଛି। ଏହାର ପ୍ରତି ଜବାବରେ ଓଡିଶା ପୋଲିସ ବିଜେପିର ଦୁଇ ଜଣ ନେତାଙ୍କୁ ଏକ ହତ୍ୟାକାଣ୍ଡ ଅଭିଯୋଗରେ ନୋଟିସ ପଠାଇଛି। ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡ଼ିର ଏ ନୋଟିସ ପଠା ନାଟକରେ ସିବିଆଇ ତଥା ପୋଲିସ ଯେ ମୋହରା ଭାବେ ବ୍ୟବହୃତ ହେଉଛି, ଏଥିରେ ସନ୍ଦେହର କୌଣସି କାରଣ ନାହିଁ। ଗୋଟେ ଘଟନା ଘଟିବାର ସାତ ବର୍ଷପରେ ଅଭିଯୁକ୍ତଙ୍କୁ ଡାକି ତାଙ୍କଠୁ ପ୍ରମାଣ ଖୋଜିବା ତଦନ୍ତ ନା ନିର୍ବୋଧତା ତାର ଉତ୍ତର ଅବଶ୍ୟ ସିବିଆଇ ଦେବନାହିଁ। ଲୋକ କିନ୍ତୁ ଜାଣନ୍ତି ସିବିଆଇ କଣ ଓ କାହାଲାଗି ଏ ନାଟକ ଚାଲିଛି। ସେହିପରି ପ୍ରାୟ ବର୍ଷେ ତଳେ ବ୍ରହ୍ମପୁରର ଏକ ଭୟଙ୍କର ହତ୍ୟାକାଣ୍ଡର ଆସାମୀଙ୍କୁ ଦୁଇଜଣ ବିଜେପି ନେତା ଶରଣ ଦେଇଥିବାର ପ୍ରମାଣ ମିଳିଥିଲା। ସେତେବେଳେ ସେଥିରୁ ଜଣେ ନେତାଙ୍କୁ ଡାକି ପୋଲିସ ପଚରା ଉଚୁରା କରି ଛାଡିଦେଇଥିଲେ। ଏବେ ହଠାତ ପୁଣି ସେ ମାମଲା ଉଠିବାର କାରଣ, ସିବିଆଇ କୁ ଜବାବ ଦେବାର ଏହା ଏକ ମାଧ୍ୟମ ନୁହଁ ତ!!
ଚିଟ ଫଣ୍ଡ ମାମଲା ହେଉ କି ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ, ଏହାର ତଦନ୍ତ କରିବାକୁ ଯାଇ ସିବିଆଇ ତଥା ପୋଲିସ ରାଜନୈତିକ ପ୍ରତିଶୋଧ ର ମାଧ୍ୟମ ସାଜିବା ଅତ୍ୟନ୍ତ ଦୁଃଖର ବିଷୟ। ସିବିଆଇ ପାଞ୍ଚ ବର୍ଷ ଧଋ ଆଖି ବୁଜି ଶୋଇବା ପରେ ଏବେ ନୋଟିସ ପଠାଇବାର କୌଣସି ଅର୍ଥ ଇ ନାହିଁ। ସେହିପରି ଓଡିଶା ପୋଲିସ ବର୍ଷେତଳେ ଯେଉଁ ନେତାଙ୍କୁ ଡାକି ଛାଡି ଦେଇଥିଲା, ତାଙ୍କୁ ଡାକି ପୁଣି କି ତଥ୍ୟ ପାଇବ, ସେ ମଧ୍ୟ ଏକ ପ୍ରଶ୍ନବାଚୀ। ତେବେ ନିର୍ବାଚନ ପୂର୍ବରୁ ମଇଦାନରେ ଭଲ ଡାଇଲଗ ମାରିବାକୁ ଏ ଘଟନା କିଛି ଟା ସୁଯୋଗ ଅବଶ୍ୟ ସୃଷ୍ଟି କରିଛି!!