ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା :  ତଦନ୍ତ କରିବ ସିବିଆଇ

Published: Aug 5, 2020, 12:31 pm IST

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କରିଥିଲେ । ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି । ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । ତେବେ ବିହାର ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ପାଇଁ ନିଯୁକ୍ତ ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନରେ ରଖାଯିବାରୁ ବିହାର ସରକାର ବାଧ୍ୟ ହୋଇ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବା ସହିତ ମାମଲା ସିବିଆଇ ହାତକୁ ଯାଇଛି ।

ସୂଚନାଯୋଗ୍ୟ ଯେ, ଜୁନ୍ 14 ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ଏକ ହତ୍ୟା ବୋଲି କହି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ । ଅପରପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଭୂମିକା ବେଶ୍‌ ସନ୍ଦେହଜନକ ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଲିଉଡ୍‌ର ନାମୀ ଦାମୀ ହସ୍ତୀଙ୍କୁ ମଧ୍ୟ ମୁମ୍ବାଇ ପୋଲିସ୍‌ ଜେରା କରିଛି। (ଏଜେନ୍ସି)

Related posts