Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

4 ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଝାରପଡାର ଆକ୍ରାନ୍ତ ବା ଆକ୍ରାନ୍ତ ନମ୍ବର 60 ଜଣକ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବୁଲିଛନ୍ତି । ପଳାଶୁଣି ଓ ରସୁଲଗଡ ହାଟ ବୁଲିଥିବା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ନିଜର ନୀଳାଦ୍ରିନଗର ସ୍ଥିତ ଘରେ ରହିଥିବା ଜଣା ପଡିଛି । ଏହା ମଧ୍ୟରେ ସଉଦା ପାଇଁ ହାଟ ବଜାର ବୁଲିଥିବା ଜଣାପଡିଛି । ସାମ୍ପଲ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ । ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟରେ ଅବସ୍ଥାନ କରିଥିଲେ । ଗଣେଷ ମଣ୍ଡପ ପରିବା ଦୋକାନ ଏବଂ ଓଭରବ୍ରିଜ୍‌ ନିକଟସ୍ଥ ରିଲାଏନ୍ସ ଫ୍ରେଶ୍‌ ଯାଇଥିବା ଜଣାପଡିଛି । ଏହି ତିନି ଆକ୍ରାନ୍ତ ଆକ୍ରାନ୍ତ ନମ୍ବର 7,8,22 ଏବଂ 39ଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ 5 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 5 କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । 5 ଜଣଙ୍କ ମଧ୍ୟରେ 4 ଜଣ ଭୁବନେଶ୍ବରର ରହିଥିବା ବେଳେ ଜଣେ ବ୍ୟକ୍ତି ଯାଜପୁରର ରହିଛନ୍ତି । ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ 3 ଜଣ ଏବଂ ଝାରପଡାରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି । ଝାରପଡା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ 50 ବର୍ଷ ବୋଲି ଜଣାପଡିଛି । ସେ 42 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବମିଖାଲର ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 564 ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 5 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପ୍‌ଡେଟ୍‌ : 24 ଘଣ୍ଟାରେ ପ୍ରାଣ ହରାଇଛନ୍ତି 31, ଆକ୍ରାନ୍ତଙ୍କ ସଂଖ୍ୟା 10363

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 10363 ରହିଥିବା ବେଳେ ଗତକାଲି 1211 ଜଣ ନୂତନ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ସମୁଦାୟ 1036 ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି 117 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 31 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଆକ୍ରାନ୍ତ ରହିଥିବା ବେଳେ 160 ଜଣଙ୍କର ମୃତ୍ୟୁ ଘଟିଛି ।

କରୋନା ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ନେଇ ମଧ୍ୟ ଅଗ୍ରଓ୍ବାଲ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । ଭାରତରେ ମହଜୁଦ ରହିଥିବା ଟେଷ୍ଟିଂ କିଟ୍‌ର ଉପଯୁକ୍ତ ବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଗ୍ରଓ୍ବାଲ କହିଛନ୍ତି । ଅନ୍ୟୁନ 6 ସପ୍ତାହ ପାଇଁ ଟେଷ୍ଟିଂ କିଟ୍‌ ଦେଶରେ ମହଜୁଦ ରହିଥିବା ବେଳେ ନୂତନ ଭାବରେ ଅଧିକ ଟେଷ୍ଟିଂ କିଟ୍‌ କିଣାଯାଇଛି । ଫଳରେ ଏହାକୁ ନେଇ କେହି ଚିନ୍ତା କରିବା ଅନୁଚିତ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି

(ସମୀକ୍ଷା ବ୍ୟୁରୋ) ଆଜି ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର। ଅଳ୍ପଦିନ ତଳେ କୋଭିଡ୧୯ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେମାନେ କରୋନା ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ଜଣା ଯାଇଛି। ଆଜି ପର୍ୟନ୍ତ ରାଜ୍ୟରେ ୫୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବରୁ ୧୩ ଜଣ ଆରୋଗ୍ୟ ଲାଭ କରିଥିଲେ। ଆଜିର ପାଞ୍ଚ ଜଣଙ୍କୁ ମିଶାଇ ଏ ପର୍ୟନ୍ତ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବମିଖାଲର ଜନୈକ 35 ବର୍ଷୀୟ ଯୁବକ। ଏହି ଯୁବକ ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି 55ନମ୍ବର ଆକ୍ରାନ୍ତ ଯୁବକଙ୍କୁ କିମ୍ସର କୋଭିଡ଼-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହି ଆକ୍ରାନ୍ତ ଜଣକ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେ ଚାରିଜଣ କୋଭିଡ୍‌ ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ  7, 8, 22 ଓ 39 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ପଜିଟିଭ୍‌ 42କୁ ବୃଦ୍ଧି ହୋଇଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି।ଏହା ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି।

ସେହିପରି 55 ଜଣ ଆକ୍ରାନ୍ତଙ୍କ ଗ୍ରସ୍ତ ସୂଚୀ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ଜଣକ ମାର୍ଚ୍ଚ 22ରୁ ଏପ୍ରିଲ୍‌ 12 ଯାଏ ନିଜ ବମିଖାଲ ଘରେ ରହିଥିଲେ ।  ଜୟଦୁର୍ଗାନଗର ବେବିଲୋନ୍‌ ଆପାର୍ଟମେଣ୍ଟରେ ଘରେ ରହିଥିଲେ । କଣ୍ଟେନେମଣ୍ଟ ଜୋନ୍‌ ଥିବାରୁ ତାଙ୍କ ସାମ୍ପଲ୍‌ ନିଆଯାଇଥିଲା ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦକ୍ଷିଣ ଏସିଆ ଦେଶଗୁଡିକ ମଧ୍ୟରେ କରୋନା ଯୋଗୁଁ ଅଧିକ ମୃତ୍ୟୁ ହୋଇଛି ଭାରତରେ, ପାକିସ୍ତାନ ରହିଛି ଦ୍ବିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଏସିଆ ଦେଶଗୁଡିକୁ ଲକ୍ଷ୍ୟ କଲେ ସର୍ବାଧିକ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ କରୋନା ଜନିତ ମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି।

ଭାରତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ହଜାର 152 ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର  ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁହୋଇଛି । ସେହିପରି ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ବ ରହିଥିବାବେଳେ 93 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଭାରତରକୁ ଅପେକ୍ଷାକୃତ କମ୍‌ ରହିଛି।

ଭାରତ ପାକିସ୍ତାନ ବ୍ୟତୀତ ଆଫଗାନିସ୍ଥାନରେ 607 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ 19 ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ 210ଟି ମାମଲା ସାମ୍ନାକୁ ଆସିଥିବାବେଳେ 7ଜଣଙ୍କର ମୃତ୍ୟୁ ହୋଇଛି।

ଦକ୍ଷିଣ ଏସିଆର ଅନ୍ୟତମ ଦେଶ ଅର୍ଥାତ୍‌ ଭାରତର ପଡେଶୀ ଦେଶ ନେପାଳରେ 13 ଜଣ କରୋନା ସଂକ୍ରମିତ ରହିଥିବାବେଳେ ଭୂଟାନରେ ରହିଛନ୍ତି ପାଞ୍ଚଜଣ ଓ ମାଲଦୀପରେ ମାତ୍ର ଦୁଇଜଣ କରୋନା ସଂକ୍ରମିତ ରହିଛନ୍ତି। ଏହି ତିନୋଟି ଦେଶରେ ଏପର୍ଯ୍ୟନ୍ତ କରୋନା ଜନିତ କୌଣସି ମୃତ୍ୟୁ ହୋଇନାହିଁ।  (ଏସିଆ)

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ରୁ ବାଦ ପଡିଲା କୃଷି କାର୍ଯ୍ୟ : କୃଷିଜାତ ଦ୍ରବ୍ୟର ପରିବହନ ଉପରୁ କଟକଣା ହଟିଲା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ ବୋଲି ଜଣାପଡିଛି । ତେବେ କୃଷି ଉପରୁ ଲକ୍‌ଡାଉନ୍‌ କଟକଣା ହଟାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ବାରାଣ୍ଟାଇନ୍‌ ସେଣ୍ଟରରେ ପ୍ରାଣ ହରାଇଲା 10 ମାସର ଶିଶୁ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ ସ୍କୁଲରେ ଏହି 10 ମାସର ଶିଶୁ କନ୍ୟାଟି ପ୍ରାଣ ହରାଇଛି । ଗୁରୁବାର ସନ୍ଧ୍ୟାରେ ଶିଶୁକନ୍ୟା ନିକଟରେ ମିଳିମିଳାର ଲକ୍ଷଣ ଦେଖାଦେଇଥିଲା । ଶନିବାର ଶିଶୁଟିକୁ ଡାକ୍ତରଖାନାକ ନିଆଯାଇଥିବା ବେଳେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଉତ୍ତର ପ୍ରଦେଶରେ ଏହା ପ୍ରଥମ କ୍ବାରାଣ୍ଟାଇନ୍‌ ଶିଶୁ ମୃତ୍ୟୁ । 29ମାର୍ଚ୍ଚରେ ପିତା ମାତାଙ୍କ ଳସହିତ ମୁମ୍ବାଇକରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରିଥିଲେ ପରିବାର । ଶନିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବାକୁ ଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଜିଲ୍ଲାପାଳ ଦୀପକ ମୀନା ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

କରୋନା ଭୂତାଣୁ ପାଇଁ ଭାରତରେ ତିଆରି ହେଲା ଏକ ଧାର୍ମିକ ମୁଖା ଏବଂ ଏ ମୁଖାର ନିର୍ମାତା ଆମର ମଣିଷ ବିରୋଧୀ ଗଣମାଧ୍ୟମ 

କେଦାର ମିଶ୍ର

ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ ସୋସିଆଲ ମିଡିଆରେ ଜଣେ ରାଜନୈତିକ ଦଳର ନେତ୍ରୀ ଲେଖିଛନ୍ତି- “ସୁନ୍ଦରଗଡରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଉଭୟେ ଅମୁକ ଧର୍ମର”। (କୌଣସି ଧର୍ମର ନାମରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ଏକ ଅପରାଧ, ତେଣୁ ମୁଁ ସେ ଭଦ୍ର ମହିଳା ଲେଖିଥିବା ନିର୍ଦ୍ଦିଷ୍ଟ ଧର୍ମର ନାମ ଉଲ୍ଲେଖ କରୁନାହିଁ।) ଏହା ଏକ ଛୋଟ ଉଦାହରଣ ମାତ୍ର। ଏମିତି ଶହ ଶହ ଉଦାହରଣ ଆମେ ଦେଖି ଆସୁଛୁ ଓ କରୋନା ସଂକ୍ରମଣ କାଳରେ ଯେଉଁମାନେ ଏ ଦେଶର ସର୍ବାଧିକ ପୀଡିତ ବା ସନ୍ତ୍ରସ୍ତ ସେମାନଙ୍କ ପ୍ରତି ଆମେ ଅଧିକ ବିଦ୍ଵେଷ ତିଆରି କରି ଚାଲୁଛୁ। ଗତ କିଛି ବର୍ଷର ସାମ୍ପ୍ରଦାୟିକ ରାଜନୀତି ଆମକୁ ଅଧିକରୁ ଅଧିକ ଅମଣିଷ କରି ଚାଲିଛି ଓ ଅମଣିଷ ହେବାଟାକୁ ଆମେ ନିଜର ଗୌରବ ବୋଲି ଭାବି ନେଇଛୁ।

ଦୁଇ ଦିନ ତଳେ କଟକରେ ଜଣେ ବୟସ୍କ କିଡନି ରୋଗୀଙ୍କ ଡାଏଲିସିସ କରିବାକୁ ଦୁଇଟି ଡାକ୍ତରଖାନା ମନା କରିଦେଲେ, କାରଣ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକ ଥିଲେ। ଧର୍ମକୁ ଦେଖି ରୋଗ ବାରୁଥିବା ଡାକ୍ତର ଓ ଡାକ୍ତରଖାନା ଆମ ଦେଶରେ ୟା ଭିତରେ ତିଆରି ହୋଇ ଗଲାଣି, ଏହା ବୋଧହୁଏ ସବୁଠୁ ବିଡମ୍ବନାର ବିଷୟ। ସବୁଠୁ ଦୁର୍ଭାଗ୍ୟର ବିଷୟ ଡାଏଲିସିସ ଅଭାବରୁ ଏହି ବୟସ୍କ ବ୍ୟକ୍ତି ଜଣକ ରାସ୍ତାରେ ପ୍ରାଣ ହରାଇଲେ।ଏହା ତ ସିଧା ସିଧା ହତ୍ୟାକାଣ୍ଡ!  ଧର୍ମ ନାଁରେ ଜଣେ ରୋଗୀଙ୍କୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରିବା, ମାନବିକତା ପାଇଁ ଅପମାନର ବିଷୟ। ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଏ ବିଷୟରେ ସୋସିଆଲ ମିଡିଆରେ ଯାହା ଲେଖିଛନ୍ତି, ସରକାର ତାହର ତଦନ୍ତ କରିବେ କି?

କରୋନା ଭୂତାଣୁ ଆଜି ସାରା ପୃଥିବୀର ମଣିଷ ପାଇଁ ଆତଙ୍କ ପାଲଟିଥିବା ବେଳେ ଏଥିରେ ସବୁ ଧର୍ମ ଓ ବିଚାରର ଲୋକ ପ୍ରାଣ ହରାଇ ସାରିଲେଣି । କମ୍ୟୁନିଷ୍ଟ ଚୀନ ଓ କ୍ୟାପିଟାଲିଷ୍ଟ ଆମେରିକା, ଉଭୟେ ଏହି ଭୂତାଣୁର ଶିକାର। ମକ୍କା-ମଦିନା ଏହି ଭୂତାଣୁ କବଳରେ ଯେତିକି ଆତଙ୍କିତ ଭାଟିକାନ ସିଟି ମଧ୍ୟ ସମାନ ପରିମାଣରେ ଏହା ଦ୍ଵାରା ଆକ୍ରାନ୍ତ। ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର, ବୌଦ୍ଧ ବିହାର କିମ୍ବା ଜୈନ ଆଶ୍ରମ, ଏ ଭୂତାଣୁ କାହାକୁ ଛାଡିନାହିଁ। ଖ୍ରୀଷ୍ଟିୟାନ ବହୁଳ ଆମେରିକା ଓ ୟୁରୋପ, ମୁସଲମାନ ବହୁଳ ଆରବୀୟ ଦେଶ ସମୂହ, ପାକିସ୍ତାନ, ଇରାନ, ଇଣ୍ଡୋନେସିଆ, ହିନ୍ଦୁ ବହୁଳ ଭାରତ ତଥା ଅନେକ  ନାସ୍ତିକ ଦେଶର ଜଣ ସାଧାରଣ ଏହି ଭୂତାଣୁ ର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ଗତକାଲି ସୁଦ୍ଧା ଯେଉଁ ୧୮ ଲକ୍ଷ ଆକ୍ରାନ୍ତ ଥିଲେ ସେମାନଙ୍କର ଧାର୍ମିକ ପରିଚୟ କଣ? ଯେଉଁ ୧ ଲକ୍ଷ ୧୦ ହଜାର ଲୋକ ଏଥିରେ ପ୍ରାଣ ହରାଇଲେଣି ସେମାନଙ୍କର ଧାର୍ମିକ ପରିଚୟ ଖୋଜିବା ଉଚିତ ହେବ କି? ଭାରତରେ ଯେତେବେଳେ ଏହାର ସଂକ୍ରମଣ ଆରମ୍ଭ ହେଲା, ସେତେବେଳେ ଏହାକୁ ଆମେ ଏକ ମାନବୀୟ ସଙ୍କଟ ବୋଲି ବିଚାର କରୁଥିଲୁ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ଦିଲ୍ଲୀର ଏକ ଧାର୍ମିକ ସମାଗମରୁ କିଛି ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ହଠାତ ସବୁକିଛିକୁ ଓଲଟ ପାଲଟ କରିଦେଲା। ସାମ୍ପ୍ରଦାୟିକତାର ଚଷମା ପିନ୍ଧିଥିବା ଭାରତର ଶାସକ ଦଳ ଓ ସେମାନଙ୍କର ବଚସ୍କର ଗଣମାଧ୍ୟମ କରୋନା ଭୂତାଣୁର ଧାର୍ମିକ ଅଭିଷେକ  ଆରମ୍ଭ କରିଦେଲେ। ଘୃଣା ଓ ବିଦ୍ଵେଷର ରାଜନୀତିକୁ ବଢାଇବା ପାଇଁ ଏହି ସମାଗମକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଗଲା। ଅତି ଲଜ୍ଜାଜନକ ଭାବରେ ଦିଲ୍ଲୀ ସରକାର ଓ ଭାରତ ସରକାର ଏହି ରୋଗ ଦ୍ଵାରା ଆକ୍ରାନ୍ତ ଲୋକଙ୍କର ଧାର୍ମିକ ପରିଚୟ ଦେବା ଆରମ୍ଭ କରିଦେଲେ। ତାର ପରିଣତିରେ ଏକ ନିର୍ଦ୍ଦିଷ୍ଟ ଧର୍ମର ୩୦ କୋଟି ଜନତା ଆଜି ବାକି ୯୦ କୋଟି ଲୋକଙ୍କର ଘୃଣା ଓ ବିଦ୍ଵେଷର କେନ୍ଦ୍ରରେ ରହିଛନ୍ତି।

ଯେ କୌଣସି ମାନବୀୟ ସଙ୍କଟକୁ ଧାର୍ମିକ ବିଦ୍ଵେଷରେ ରୂପାନ୍ତରିତ କରିବାର କୁତ୍ସିତ କଳା ଆମର ଗଣମାଧ୍ୟମକୁ ବେଶ ଭଲ ଭାବରେ ଜଣା ଅଛି। ଏବେ ଓଡିଶାରେ ଯେଉଁ ୫୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି, ତାଙ୍କ ପରିଚୟକୁ ନେଇ ଅତ୍ୟନ୍ତ ଅମାନବୀୟ ଚର୍ଚ୍ଚା ଆମର ସୋସିଆଲ ମିଡିଆରେ ଚାଲିଛି। ଦିଲ୍ଲୀର ଧାର୍ମିକ ସମାଗମ କୁ ନେଇ ଘୃଣା ସୃଷ୍ଟି କରୁଥିବା ଲୋକେ ମଧ୍ୟପ୍ରଦେଶ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗକୁ କଣ ବୋଲି କହିବେ? ସେହି ବିଭାଗର ୪୦ ଜଣ ଆକ୍ରାନ୍ତ ଏବେ ଚିହ୍ନଟ ହୋଇ ସାରିଛନ୍ତି।

ଭୂତାଣୁ ଜନିତ ରୋଗକୁ ନେଇ ମନ୍ଦିର ମସଜିଦ ତଥା ମଦ୍ରାସା ଓ ଅନାଥାଶ୍ରମର କୁତ୍ସିତ ରାଜନୀତି କରୁଥିବା ଭାରତର ଗଣମାଧ୍ୟମ ଆମ ସମୟର ସବୁଠୁ ବଡ ଖଳନାୟକ ଭାବେ କାମ କରୁଛି। ଆଜି ମଣିଷ ତୁଳନାରେ ମଣିଷର ଧର୍ମକୁ ନେଇ ଜଘନ୍ୟ ଖେଳ ଆରମ୍ଭ ହୋଇଛି। ଏହା ସାରା ଭାରତର ମାନବିକତା ଓ ଆମର ସମନ୍ଵୟୀ ସଂସ୍କୃତି ଉପରେ ସବୁଠୁ ବଡ ଆକ୍ରମଣ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

300 ଅତିକ୍ରମ କଲା କରୋନା ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 35 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 35 ଜଣଙ୍କ ପ୍ରାଣହାନି ସହିତ 308 ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା 308ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 9151ରେ ପହଞ୍ଚିଥିବା ବେଳେ 856 ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 7989 ଜଣ ଚିକିତ୍ସାଧୀନ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ହୋଇଥିବା ବେଳେ 149 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଦିଲ୍ଲୀ ଏବଂ ତାମିଲନାଡୁରେ ଯଥାକ୍ରମେ 1154 ଏବଂ 1075 ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଅପରପକ୍ଷରେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 247ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣ ରୋକିବା ପାଇଁ ବାଣପୁରରେ ଧାରା ୧୪୪ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଆକ୍ରାନ୍ତ ଜନୈକ ବ୍ୟକ୍ତି ବାଣପୁରର ବଡ ହନ୍ତୁଆଡ ଗସ୍ତ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ରାଜ୍ୟର ୫୦ ନମ୍ବର ସଙ୍କ୍ରମିତ ମାର୍ଚ୍ଚ ୧୮-୨୦ ମଧ୍ୟରେ ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାଇଥିଲେ। ସେଠାରେ ତିନି ଦିନ ଅବସ୍ଥାନ କରିଥିବା ବେଳେ କାହା ସହିତ ମିଳାମିଶା କରିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି। ପ୍ରତିଶେଧକମୂଳକ ପଦକ୍ଷେପ ସ୍ବରୂପ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ପଣା ସଙ୍କ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ଭିଡ ଜମା ହେବାର ସମ୍ଭାବନା ଥିବାରୁ ବାଣପୁର ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହା ସହିତ ସଂକ୍ରମଣ ରୋକିବା ପାଇଁ ବାଣପୁରକୁ ସିଲ୍‌ କରାଯିବା ଉପରେ ଜିଲ୍ଲାପାଳ ବିଚାର କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସେ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ବାଣପୁରର ପ୍ରସିଦ୍ଧ ମା ଭଗବତୀ ମନ୍ଦିର, ଗୁପ୍ତେଶ୍ବର ମନ୍ଦିର, ଦକ୍ଷ ପ୍ରଜାପତି ମନ୍ଦିର, ଭେଟିନାଥ ଦେବ ମନ୍ଦିର, ରଙ୍କନାଥ ଦେବ ମନ୍ଦିର ପ୍ରଭୃତିକୁ ସିଲ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୌଣସି ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯିବା ସହିତ ଏହାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା ପ୍ରକାଶ କରିଛନ୍ତି। ସେହିପରି ଝାମୁ ଯାତ୍ରାରେ ଯେପରି କେହି ମନ୍ଦିରରେ ପ୍ରବେଶ ନକରନ୍ତି ତାକୁ କଡାକଡି ଭାବରେ ପାଳନ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲିର ଚାରି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇଛି। 50 ନମ୍ବର ଆକ୍ରାନ୍ତ ଜଣକ 41 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି 23 ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ 20ରୁ ଏପ୍ରିଲ୍‌ 10 ମଧ୍ୟରେ ୟୁନିଟ୍‌-3ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ18-20 ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -4 ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 10 ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

51 ନମ୍ବର ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ। ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ। ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ। ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ। ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା।

52 ନମ୍ବର ଆକ୍ରାନ୍ତ ଜଣକ ବିଶ୍ରାର 18 ବର୍ଷୀୟ ବାଳକ ଜଣକ 51 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। 53 ନମ୍ବର ଆକ୍ରାନ୍ତ ଜଣଙ୍କ ଝାରପଡାର 46 ବର୍ଷୀୟ ବ୍ୟକ୍ତି। 42 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ରହିଥିବା ଏହି ବ୍ୟକ୍ତି ତାଙ୍କଠାରୁ ସଙ୍କ୍ରମିତ ହୋଇଥିବା ଜଣାପଡିଛି। 25 ମାର୍ଚ୍ଚ-3 ଏପ୍ରିଲ୍‌ ମଧ୍ୟରେ ବାଙ୍କୁଆଳ, କେଶୁରା ଏବଂ ଶହୀଦନଗର ଗସ୍ତ କରିଥିବା ବେଳେ 4-6 ଏପ୍ରିଲ୍‌ ମଧ୍ୟରେ ଏମ୍ସ ଗସ୍ତ କରିଥିଲେ। 7-10 ଏପ୍ରିଲ୍‌ ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ଏପ୍ରିଲ୍‌ରେ କିମ୍ସ ସ୍ଥାନାନ୍ତର କରାଯାଇଥିଲା।

54 ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡା, ରାଜନଗରର 17 ବର୍ଷୀୟ ନାବାଳିକା। ମାର୍ଚ୍ଚ 29 ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କଲିକତାରୁ ଓଡିଶା ଆସିଥିବା ଏହି ନାବାଳିକା ଜଣକ ଭଦ୍ରକର 43 କିମି ପୂର୍ବରୁ ଚା’ ପିଇଥିଲେ। 30 ମାର୍ଚ୍ଚରୁ ଏପ୍ରିଲ୍‌ 11 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ତାରିଖରେ ସାମ୍ପଲ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ କଟକ ସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

କରୋନା ସ୍ଥିତିକୁ ଦେଖି ମହାରାଷ୍ଟ୍ରକୁ ତିନୋଟି ଜୋନ୍‌ରେ କରାଗଲା ବିଭକ୍ତ

ମୁମ୍ବାଇ : କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଏବେ ବେଶ୍‌ ସଙ୍ଗୀନ୍‌ ।  କରୋନା ମୁକାବିଲା ପାଇଁ ଏବେ ମହାରାଷ୍ଟ୍ରକୁ ତିନୋଟି ଜୋନ୍‌ରେ ବଣ୍ଟାଯାଇଛି । ଦେଶରେ ସର୍ବାଧିକ କରୋନା ରୋଗୀ ଏହି ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 100 ଉପରେ ରହିଛି । ଏଥିପାଇଁ ରାଜ୍ୟକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଏହି ରାଜ୍ୟକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍‌ ଜୋନ୍‌ରେ ସବୁଠୁ ଅଧିକ ବିପଦପୂର୍ଣ୍ଣ ବା କ୍ଷତିଗ୍ରସ୍ତ ଜିଲ୍ଲା ରହିଛି । ସେହିପରି ଅରେଞ୍ଜ ଜୋନ୍‌ରେ ମଧ୍ୟମ ଓ ଗ୍ରୀନ୍‌ ଜୋନ୍‌ରେ କମ୍‌ କ୍ଷତି ବା କମ୍ ବିପଦପୂର୍ଣ୍ଣ ଜିଲ୍ଲା ରହିଛନ୍ତି । ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 1900 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଁଞ୍ଚିଛି ।

ରେଡ୍‌ ଜୋନ୍‌ରେ ରହିଥିବା ଅଞ୍ଚଳଗୁଡିକ ହେଉଛି ମୁମ୍ବାଇ, ଥାନେ, ପାଲଘର୍‌, ପୁଣେ, ନାଗପୁର, ରାୟଗଡ୍‌ ସାଙ୍ଗଲୀ, ଔରଙ୍ଗାବାଦ୍‌ ପ୍ରମୁଖ । ମହାରାଷ୍ଟ୍ରର ମୁମ୍ବାଇ-ପୁଣେ, ଠାଣେ ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନିତ ହୋଇଛି । ଏଠାରେ ଅଧିକ ସଂଖ୍ୟ କରୋନା ସଂକ୍ରମିତ ରହିଥିବାରୁ ଏହାକୁ ରେଡ୍‌ ଜୋନ୍‌ରେ ରଖାଯାଇଛି ।

ଅରେଞ୍ଜ ଜୋନ୍‌ରେ ରହିଛି ରତ୍ନଗିରି, ସିନ୍ଧୁଦୁର୍ଗ, ସାତାରା, କୋହ୍ଲାପୁର, ନାସିକ୍‌, ଅହମଦନଗର, ଜଲଗାଁଓ, ଉସମାନବାଦ, ବିଡ୍‌, ଜାଲନା, ହିଙ୍ଗୋଲି, ଲାତୁର୍‌,ଅମରାବତୀ, ଅକୋଲା, ୟବତମାଳ, ବୁଲଡାଣା, ଓ୍ବାସିମ୍‌, ଗୋଦିଆ ଜିଲ୍ଲା ପ୍ରମୁଖ ।

ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଛନ୍ତି ଧୁଲେ, ନନ୍ଦୁରବାର୍‌, ସୋଲାପୁର୍‌, ପରଭଣି, ନାନ୍ଦେଡ୍‌, ଓ୍ବର୍ଦ୍ଧା, ଚନ୍ଦ୍ରପୁର, ଭଣ୍ଡାରା ଓ ଗଡଚିରୋଲି ଜିଲ୍ଲା ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି । ରାଜ୍ୟର ସ୍ଥିତି ବହୁତ ଗମ୍ଭୀର ଥିବାରୁ ଘରେ ରହିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ଉଦ୍ଧବ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୫୦ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟର ୫୦ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ଏହି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି। ଆକ୍ରାନ୍ତ ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି ୨୩ ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୧୦ ମଧ୍ୟରେ ୟୁନିଟ୍‌-୩ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -୪ ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ ୧୦ ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ଖାଦ୍ୟ ନପାଇ ୫ ଶିଶୁଙ୍କୁ ନଦୀକୁ ଫିଙ୍ଗିଲା ମା

ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି। ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା। ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ୫ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗିରଫ ମହିଳା ଜଣକ ମାନସିକ ଭାବରେ ଅନଗ୍ରସର ବୋଲି ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।   ନିଖୋଜ ଶିଶୁଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ଦୁଇ ଜଣ ପୁଅ ରହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୧୭ ଜମାତିଙ୍କୁ ଗିରଫ କରି ଜେଲ୍‌ ପଠାଇଲା ପୋଲିସ୍‌

ବାହାରିଚ୍‌: ବିଭିନ୍ନ ଭିସା ନିୟମର ଉଲ୍ଲଂଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ସମସ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ୧୭ ଜଣ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ନାଗରିକ ହୋଇଥିବା ବେଳେ ଭିସା ଏବଂ ପାସପୋର୍ଟ ଆଇନ ଉଲ୍ଲଂଘନ କାରଣରୁ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପକ୍ଷରୁ ଆଇପିସିର ଧାରା ୨୬୯, ୨୭୦, ୨୭୧ ଏବଂ ୧୮୮ ସହିତ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡର ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌

ସୁନ୍ଦରଗଡ: ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ୧୫ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଚାରି ଆକ୍ରାନ୍ତଙ୍କ ସଂପର୍କରେ ମିଳିଲା ସବିଶେଷ ତଥ୍ୟ, ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ୪ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲିର ୪ ସଙ୍କ୍ରମଣଙ୍କ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ

ସୁନ୍ଦରଗଡ-2

କେନ୍ଦ୍ରାପଡା-1

ଭୁବନେଶ୍ବରର-1

ତେବେ ଏହି ୪ ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ପରୀକ୍ଷଣ ପାଇଁ ଯାଇଥିବା ଡାକ୍ତରୀ ଦଳକୁ ଅପହରଣ

ଶ୍ରୀନଗର : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍‌ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍‌ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍‌ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ 17 କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 224ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାରୁ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କେନ୍ଦ୍ରାପଡାରୁ ଦ୍ବିତୀୟ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ମିଳିଥିବା 4 ନମୁନା ମଧ୍ୟରୁ ଜଣେ ମହିଳା କେନ୍ଦ୍ରାପଡାର ରହିଥିବା ନେଇ ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ରବିବାର ଏହି ସୂଚନା ଦେଇଛନ୍ତି। ରାଜନଗର ବ୍ଲକ୍‌ ଅନ୍ତର୍ଗତ ଏହି ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଛି। ଏହା ମଧ୍ୟରୁ 12 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବ୍ରିଟେନରେ କରୋନା ଯୋଗୁଁ ଦୁଇ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ବ୍ରିଟେନ୍‌ : କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନ୍‌ରେ ଦୁଇ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ଜିତେନ୍ଦ୍ର ରାଠୋର ଏବଂ ଡାକ୍ତର ହମଜା ପଚିରିଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଉଭୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଥାଇ ସଂକ୍ରମିତ ହୋଇଥିଲେ । ଏହି ଡାକ୍ତରଙ୍କ ମୃତ୍ୟୁ ସହ ଆଉ ପାଞ୍ଚଜଣ ଡାକ୍ତର କରୋନାର ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚିକିତ୍ସାଧୀନ ସମସ୍ତ ପାଞ୍ଚଜଣ ଡାକ୍ତର ଏବେ ଭେଣ୍ଟିଲେଟରରେ ରହିଥିବାର ସୂଚନା ରହିଛି । କରୋନା ଯୋଗୁଁ ବ୍ରିଟେନ୍‌ରେ 8,958ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କାରୋନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ମଧ୍ୟ 11ଜଣ ଭାରତୀୟ ଏହି ମହାମାରୀ କରୋନା ଯୋଗୁଁ ପ୍ରାଣ ହରାଇସାରିଛନ୍ତି ।ସେହିପରି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ସେ ଇଂଲଣ୍ଡରେ ଜଣେ କାର୍ଯ୍ୟରତ ଡାକ୍ତର ଭାବେ ନିଯୁକ୍ତ ଥିଲେ । ସେ ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଥିବା ଜଣାପଡିଛି । ତାଙ୍କ ବୟସ ପାଖାପାଖି ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।