ଭୁବନେଶ୍ବର: ଆଜି ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ଆକ୍ରାନ୍ତ କିଛି ଦିନ ତଳେ ବାହାରିନରୁ ଫେରିଥିଲେ ଓ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୂନାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କଟକର ସ୍ବତନ୍ତ କୋଭିଡ ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା। ଆଜି ତାଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେ କରୋନା ଭୂତାଣୁ ମୁକ୍ତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାଜ୍ୟର ମୋଟ ୫୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୩ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ଏମାନଙ୍କ ମଧ୍ୟରୁ ୩୫ ଜଣ ଯଥା ଶୀଘ୍ର ଆରୋଗ୍ୟ ଲାଭ କରିବେ।
Tag: coronavirus
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର ୪୯ ଓ ୫୦ର ସୂଚନା ଜାରି କରାଯାଇଛି। ଉଭୟ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ନମ୍ବର ଆକ୍ରାନ୍ତ ମହିଳାଙ୍କ ବୟସ ୩୫ବର୍ଷ ଜଣାପଡିଥିବାବେଳେ ୫୦ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୨୩ ବର୍ଷର ଯୁବକ। ଦୁହେଁ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଉଲ୍ଲେଖ ରହିଛି। ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭି ମିଳିଥିଲା।
ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୭ଜଣ ଚିକିତ୍ସା ହେଉଛନ୍ତି। ସେହିପରି ଏହି ୩୭ ଜଣଙ୍କ ମଧ୍ୟରୁ ୩୫ଜଣଙ୍କଠାରେ କରୋନା ପଜିଟିଭି ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍।
ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା।
ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)
କେଦାର ମିଶ୍ର
ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି।
ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର ମିଳୁନାହିଁ। ଯାହା ଫଳରେ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। “ୱାଶିଙ୍ଗଟନ ପୋଷ୍ଟ” ର ରିପୋର୍ଟ ଅନୁଯାୟୀ ଅନେକ ରୋଗୀଙ୍କର ନମୂନା ପରୀକ୍ଷା ହୋଇ ପାରୁନି, କାରଣ ଟେଷ୍ଟିଙ୍ଗ କିଟର ଅଭାବ। ତେଣୁ ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଯାହା କୁହାଯାଉଛି, ତାଠୁ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇସାରିଛି ବୋଲି ଏହି ଖବର କାଗଜ କହିଛି।
ଗତକାଲି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୮୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୮୫୭ ରେ ପହଞ୍ଚିଛି। ଆଗାମୀ ଦୁଇ ସପ୍ତାହରେ ଆକ୍ରାନ୍ତ ଓ ମୃତଙ୍କ ସଂଖ୍ୟା ପ୍ରବଳ ବଢିବ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀର ସବୁଠୁ ଧନୀ, ସମ୍ପନ୍ନ ଓ କ୍ଷମତାଶାଳୀ ଦେଶରେ ଏ ପ୍ରକାର ଅବସ୍ଥା କାହିଁକି? ପୃଥିବୀର ଯେ କୌଣସି ଦେଶକୁ ଯେ କୌଣସି ମୂହୁର୍ତ୍ତରେ ବରବାଦ କରିଦେବାର କ୍ଷମତା ରଖୁଥିବା ଆମେରିକା ଆଜି ନିଜର ନାଗରିକମାନଙ୍କୁ ଭେଣ୍ଟିଲେଟର ଯୋଗାଇ ଦେବାର ଅସମର୍ଥ ହେବାର କାରଣ କଣ?
ମୌଳିକ ବିଜ୍ଞାନ ତଥା ଜନ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ଆମେରିକା ଦୀର୍ଘ ବର୍ଷ ଧରି ଉପେକ୍ଷା କରିଛି। ପୁଞ୍ଜିବାଦୀ ବିକାଶ ବ୍ୟବସ୍ଥାରେ ସବୁଠୁ ଅଧିକ ପଇସା ଥିବା ଲୋକଙ୍କ ଇସାରାରେ ଆମେରିକାର ଶାସନ ଚାଲିଛି। ଯାହାର ପରିଣତି ରେ ଆମେରିକାରେ ପରମାଣୁ ବୋମାର ସଂଖ୍ୟା ବଢିଛି। ଛତୁ ଫୁଟିଲା ଭଳି ବନ୍ଧୁକ ଦୋକାନ ଖୋଲିଛି। ହେଲେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆମେରିକା ନିଜକୁ ସଜାଗ କରି ପାରିନାହିଁ। କ୍ଷମତାର ଅହଂକାର ହେତୁ ତଥାକଥିତ “ଚୀନ ଭୂତାଣୁ” କରୋନା ପ୍ରତି ଗୋଟେ ପ୍ରକାର ବେଖାତିର ମନୋଭାବ ମଧ୍ୟ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଦିନ ନ୍ୟୁୟର୍କ, ୱାଶିଂଟନ, ନ୍ୟୁଜର୍ସି ଭଳି ବଡ ସହରର ଡାକ୍ତରମାନେ ଅଧିକ ଭେଣ୍ଟିଲେଟର ପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ ଆମେରିକା ପାଖରେ ପର୍ୟାପ୍ତ ସୁବିଧା ନାହିଁ।
କେବଳ ଭେଣ୍ଟିଲେଟର ନୁହେଁ, ଔଷଧ କ୍ଷେତ୍ରରେ ମଧ୍ୟ ଆମେରିକାରେ ପର୍ୟାପ୍ତ ଅସୁବିଧା ରହିଛି। ହାଇଡ୍ରୋକ୍ସିକ୍ଳରୋକୁଇନ୍ସ କୁ କରୋନା ଚିକିତ୍ସାର ରାମବାଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହୁଥିବା ବେଳେ ଏହାକୁ ସେଠିକାର ଡାକ୍ତର ଓ ବୈଜ୍ଞାନିକମାନେ ଖଣ୍ଡନ କରୁଛନ୍ତି। ବାତ ତଥା ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ହୁଏତ କରୋନା ଉପଶମରେ ସହାୟକ ହୋଇପାରେ, ହେଲେ ଏହା କରୋନା ଚିକିତ୍ସା ଲାଗି ଆମେରିକାରେ କାମ ଦେବାର ସମ୍ଭାବନା କମ। ଏହି ଔଷଧ ସର୍ବାଧିକ ଭାରତରେ ଉତ୍ପାଦିତ ହେଉଥିବାରୁ ଏଥିପାଇଁ ଭାରତ ସରକାରକୁ ସିଧା ସିଧା ଧମକ ଦେବାକୁ ଟ୍ରମ୍ଫ ପଛଘୁଞ୍ଚା ଦେଇ ନଥିଲେ। ଅବଶ୍ୟ ଭାରତ ସରକାର ତୁରନ୍ତ ଟ୍ରମ୍ଫଙ୍କ କଥା ମାନି ହାଇଡ୍ରୋକ୍ସିକ୍ଳରୋକୁଇନ୍ସର ରପ୍ତାନି ଉପରେ କଟକଣା ହଟାଇ ଦେଇଥିଲେ।
ଗୋଟେ ବିରାଟ ମାନବୀୟ ସଙ୍କଟକୁ ମୁକାବିଲା କରିବାର ଦକ୍ଷତା ଓ ସାହସ ଆମେରିକା ପାଖରେ ନାହିଁ। ବରଂ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରୀବ ଦେଶମାନେ ଅଧିକ ଦକ୍ଷତା ଓ ସମ୍ବେଦନଶୀଳତା ଦେଖାଇଛନ୍ତି। ଏସିଆ ଏବଂ ଆଫ୍ରିକାର ଦେଶ ଗୁଡିକ ନିଜ ସମ୍ବଳର ସୀମା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ସେମାନେ କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥନୈତିକ ଭାବରେ ପ୍ରବଳ ଚାପ ର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ସଂକ୍ରମଣ ରୋକିବାରେ ଏବଂ ମୃତ୍ୟୁ ହାରକୁ ସୀମିତ ରଖିବାରେ ଏସିଆର ଦେଶ ଗୁଡିକ ଆଜି ଉଦାହରଣ ପ୍ରସ୍ତୁତ କରିଛନ୍ତି।
କରୋନା ଭୂତାଣୁ ଆଜି ଆମେରିକାର ସମାଜକୁ ନିଜର ଦୁର୍ବଳତା ବିଷୟରେ ସଚେତନ କରାଇ ଦେଇଛି। ପୂର୍ବରୁ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ଜାତୀୟ ଆଂଦୋଳନର ରୂପ ଦେବାକୁ ଚେଷ୍ଟା କରିଥିଲେ। ଡୋନାଲ୍ଡ ଟ୍ରମ୍ଫ ଓବାମାଙ୍କ ସେହି ଯୋଜନାକୁ ବାରମ୍ବାର ବିରୋଧ କରି ତାକୁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ବାର୍ନୀ ସେଣ୍ଡର୍ସଙ୍କ ଭଳି ରାଜନେତା ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷାର କଥା କହୁଛନ୍ତି, ସେମାନଙ୍କୁ ଆମେରିକାର ଜନ ସାଧାରଣ ଗ୍ରହଣ କରିନାହାନ୍ତି।
ଆଜି କ୍ଷମତାର ଅହଂକାରକୁ କରୋନା ଭୂତାଣୁ ଏକ ଶକ୍ତ ଚାପୁଡା ମାରିଛି। ସେଥିରୁ ଆମେରିକା କିଛି ଶିଖିବ କି?
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା ଅପଡେଟ୍ ନେଇ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି।
ପ୍ରଥମ କଣ୍ଟେନ୍ମେଣ୍ଟ ଜୋନ୍ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍ ବା କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି।
ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର ଗ୍ରାମ ପଞ୍ଚାୟତ, ସାଲେପୁର ଗ୍ରାମପଞ୍ଚାୟତ, ବକ୍ସି ବଜାର ଛକରୁ ସାଇନ୍ସ କଲେଜ ଛକ, ସୂତାହାଟ ମସିଜିଦ୍ ଛକରୁ ତିନିକୋଣିଆ ବଗିଚା ଛକ ପର୍ଯ୍ୟନ୍ତ।
ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଲାଲ୍ମିଣ୍ଟା ଗ୍ରାମର ଚିକିଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଯାଜପୁରରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରସୁଲପୁର ବ୍ଲକର ବ୍ରହ୍ମବରଦାରେ ଏହି ଜୋନ୍ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ାରେ ରାଧାନଗର, ବଳଭଦ୍ରପୁର, ନିଆଳି, ଗଉଡପାଟଣା, ଘାଟପଡ଼ା, କାନ୍ତିପୁରକୁ କଣ୍ଟେନେମଣ୍ଟ ଜୋନ୍ ଘୋଷଣା କରାଯାଇଛି। ପୁରୀରେ ଦାନଗହିର ଗାଁ ଛକ, ଜୟପୁର ଶାସନ ଛକ, ଜୟପୁର ଛକକୁ କଣ୍ଟେନେମେଣ୍ଟ ଜୋନକୁ ଘୋଷଣା କରାଯାଇଛି। ଭଦ୍ରକରେ ପୁରୁଣାବଜାର, ଚରମ୍ପା ଷ୍ଟେସନ ଏରିଆ, ଏରିଂ ଗ୍ରାମ ପଞ୍ଚାୟତ ଏରିଆ ପ୍ରମୁଖ କଣ୍ଟେନେମଣ୍ଟ ଜୋନ୍ର ଘୋଷଣା କରାଯାଇଛି। କଳାହାଣ୍ଡିରେ ବେହେରାଗୁଡା, ପର୍ଯ୍ୟା ଏବଂ ଖମାରହଳଦୀ ଅଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳରେ ଅନ୍ତର୍ଭୁକ୍ତ ହୋଇଛି।
ଏହି ଅବସରରେ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ଯେ, କରୋନା ସହ ଲଢିବାକୁ ଥିବା ଲମ୍ବା ଲଢେଇ ପାଇଁ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ବାଗ୍ଚୀ। ଏହି ଲମ୍ବା ଦଉଡରେ କୋଭିଡି-19କୁ ପରାସ୍ତ କରିବାକୁ ହେଲେ ମନକୁ ଶାନ୍ତ ରଖିବାକୁ ପଡିବ। ନିଜକୁ ନିଜ ପ୍ରିୟଜନଙ୍କୁ ଦେଖି ସାନ୍ତ୍ବନା ଦିଅନ୍ତୁ। ଘର ଭିତରେ ରହିଲେ ମଧ୍ୟ ଶାରିରୀକ ପରିଶ୍ରମକୁ ଧ୍ୟାନ ଦିଅନ୍ତୁ। ଶାରିରୀକ ପରିଶ୍ରମ କରିଲେ ରୋଗପ୍ରତିରୋଧକ କ୍ଷମତା ବଢିବ।
ଘରେ ଭିତରେ ପରିବାର ସହ ମିଶିକରି ଚଳନ୍ତୁ। ଅଳ୍ପ ଖାଆନ୍ତୁ। ଅଳ୍ପ ଖାଇଲେ ସୁସ୍ଥ ରହିବା ଏଥିପାଇଁ ଧ୍ୟାନ ଦେବା ଉଚିତ୍। ସେହିପରି ଘରେ ଥିବା ବୟସ୍କ, ଭିନ୍ନକ୍ଷମ ଲୋକଙ୍କୁ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି। ସେହିପରି ଛୋଟ ଛୁଆଙ୍କୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍। ସେହିପରି ଘରେ ରହୁଥିବାବେଳେ ମା’, ଭଉଣୀ, ସ୍ତ୍ରୀ ତଥା ଘରର ମହିଳାଙ୍କୁ ହଇରାଣ ନ କରି ତାଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ବାଗ୍ଚୀ। କରୋନା ସହ ଲଢେଇ ପାଇଁ ଆମେ ଶାରିରୀକ ଦୂରତା ରଖିବା କିନ୍ତୁ ମାନସିକ ମିଳନ ହେବା ଆଜିର ସମୟରେ ବଡ ଆବଶ୍ୟକତା ହୋଇପଡିଛି ବୋଲି କହିଛନ୍ତି ବାଗ୍ଚୀ।
ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଜଣେ ମୂଳ ଭାରତୀୟ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍, ଜର୍ମାନୀ, ବ୍ରିଟେନ୍ ଆଦି ଦେଶରେ ମଧ୍ୟ କରୋନା ସ୍ଥିତି ବେଶ୍ ଜଟିଳ ରହିଛି। ଚୀନ୍ର ବୁହାନସହରରୁ ଆରମ୍ଭ ହୋଇଥିବା ଏହି କରୋନା ସାରା ବିଶ୍ବରେ ମହାମାରୀ ରୂପ ଧରିଛି। ଇଟାଲୀରେ 17 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 10 ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ସ୍ପେନ୍ରେ 14 ହଜାର ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା।
ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 82,080 ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1,431,706ରେ ପହଞ୍ଚିଛି। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 3,02,150 ଜଣ। ବିଶ୍ବର 209ଟି ରାଷ୍ଟ୍ରରେ ଏହି କରୋନା ଏବେ ତା’ର କାୟା ମେଲାଇ ସାରିଛି। ସେହିପରି ଭାରତରେ ମଧ୍ୟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 100 ପାର୍ କରି ସାରିଛି।
ସମୀକ୍ଷା ତରଫରୁ କରୋନା ଅପଡେଟ୍:
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍ ୨୨୧୫ଟି ସାମ୍ପଲ୍ ପରୀକ୍ଷା କରାଯାଇଛି। ୪୨ଟି ପଜିଟିଭି ମିଳିଛି। ଦୁଇଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଗୋଟିଏ ଦିନରେ ବିଶ୍ବରେ ୫ ହଜାର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ବାଗ୍ଚୀ। ସେହିପରି ଆଜି ୨୦୮ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯,୮୮୯କୁ ବୃଦ୍ଧି ଘଟିଛି।
ସେହିପରି ଓଡ଼ିଶାର ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି ବୋଲି କହିଛନ୍ତି ବାଗ୍ଚୀ। ପୂର୍ବରୁ ୨୮ ଜଣ ୧୦୪ଜରିଆରେ ନାମ ପଞ୍ଜୀକରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଅପିଲ୍ ପରେ ଆଉ ୪୨ଜଣ ନାମ ପଞ୍ଜୀକରଣ କରିଛନ୍ତି।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମ ମୁଣ୍ଡ ନେଲା କରୋନା। ଭୁବନେଶ୍ବର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଭାବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରପଡା ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ୍ ୪ରେ ଏହି ବ୍ୟକ୍ତି ଜଣକ ଏମ୍ସରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷଣରୁ କରେନା ପଜିଟିଭି ଚିହ୍ନଟ ହୋଇଥିଲା। ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେନସନ୍ ଥିଲା। ମୃତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନେମଣ୍ଟ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା ପଜିଟିଭି ରିପୋର୍ଟ ଆସିଛି ବୋଲି ଜଣାପଡିଛି।
ସୂଚନାଯାେଗ୍ୟ, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୪୨କୁ ବୃଦ୍ଧି ହୋଇଛି। ୪୨ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହିପରି ୩୯ ଜଣ କରୋନା ଆକ୍ରାନ୍ତ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। ଭୁବନେଶ୍ବରର ୩୨, ଭଦ୍ରକର ୩, କଟକ, ଯାଜପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଚିକିତ୍ସାଧୀନ ରହିଛନ୍ତି।
ନୂଆଦିଲ୍ଲୀ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଗାୟିକା କନିକା କପୁର୍ । କରୋନା ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲରେ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ପାଞ୍ଚ ଥର ତାଙ୍କର ପରୀକ୍ଷା କରାଯିବା ପରେ ଷଷ୍ଠ ଥର ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ସେ ହସ୍ପିଟାଲରୁ ମୁକ୍ତି ପାଇଥିବାବେଳେ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
ଗାୟିକା କନିକା କପୁର୍ଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ସେ ବହୁ ବିବାଦୀୟ ହୋଇପଡିଥିଲେ । ଲଣ୍ଡନରୁ ଫେରିଥିବା ଗାୟିକା ଜଣକ ବିମାନବନ୍ଦରରେ ବିନା ଯାଞ୍ଚରେ ଆସିଥିବାବେଳେ ହୋମ କ୍ବାରେଣ୍ଟାଇନରେ ନ ରହି ବହୁ ପାର୍ଟିରେ ଉପସ୍ଥିତ ରହିଥିଲେ । କରୋନା ସଂକ୍ରମିତ ହୋଇ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ନ କରିଥିବାରୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ କନିକାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ କରାଯାଇଛି। ଲକ୍ଷ୍ନୌସ୍ଥିତ ସରୋଜିନୀ ନଗର ପୋଲିସ ଷ୍ଟେସନରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା 188, 269 ଓ 270 ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯାହାବି ହେଉ କରୋନା ସହ ଲଢି ଜିତି ପାରିଛନ୍ତି ଗାୟିକା କନିକା କପୁର୍ । (ଏଜେନ୍ସି)
ମୁମ୍ବାଇ : ସାରା ଭାରତରେ କରୋନା ବ୍ୟାପିଥିବାବେଳେ ଏହି କରୋନା କାହାରିକୁ ବି ଛାଡୁ ନାହିଁ । ଏହି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଛଅ ମାସର ଶିଶୁ । ମୁମ୍ବାଇର କଲ୍ୟାଣର ଜଣେ ମହିଳା କରୋନା ଆକ୍ରାନ୍ତ ଛ’ ମାସର ଶିଶୁକୁ ନେଇ ତିନି ତିନିଟା ହସ୍ପିଟାଲକୁ ଦୌଡ଼ିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଶଶ୍ବୁରଙ୍କ ନିକଟରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ମହିଳା ଜଣକ ନିଜ ଛଅ ମାସର ଶିଶୁକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ତିନି ତିନିଟି ହସ୍ପିଟାଲ ବୁଲିବାକୁ ପଡିଥିଲା ।
ଗୁରୁବାର ଦିନ ମହିଳାଙ୍କ 67 ବର୍ଷୀୟ ଶ୍ବଶୁର କରେନା ପଜିଟିଭି ଚିହ୍ନଟ ହେବା ପରେ ଘରେ ରହୁଥିବା ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କ ପରୀକ୍ଷା ହେବା ପାଇଁ ଆଇସୋଲେସନ୍ ପାଇଁ ନଗରପାଳିକା ହସ୍ପିଟାଲକୁ ପଠାଯାଇଥିଲା ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ଜଣକୁ ଛଅ ବର୍ଷ ହୋଇଥିବାବେଳେ ଆଉ ଜଣକୁ ଛ ମାସ । ଶୁକ୍ରବାର ଦିନ ଶିଶୁଟିକୁ ଜ୍ବର ହୋଇଥିବାବେଳେ ସକାଳୁ ସକାଳୁ ଶିଶୁର ଅବସ୍ଥା ବିଗିଡି ଯାଇଥିଲା । ସେ ପ୍ରଥମେ ଶାସ୍ତ୍ରୀ ନଗର ହସ୍ପିଟାଲ୍କୁ ପଠାଯାଇଥିଲା ଯେଉଁଠାରେ କିଛି ବ୍ୟବସ୍ଥା ନଥିଲା । ବହୁ ଅନୁନୟ କରିବା ପରେ ଶାସ୍ତ୍ରୀନଗର ହସ୍ପିଟାଲର ଅଧିକାରୀ ଏକ ଆମ୍ବୁଲାନ୍ସ ଦେଇଥିଲେ ତା’ପରେ ସେମାନେ ତାରଦେବ ଏସଆରସିସି ହସ୍ପିଟାକୁ ଯାଇଥିଲେ। ସେଠାରେ ଶିଶୁଟିର ଚିକିତ୍ସା କରିବା ପାଇଁ ମନା କରିଥିଲେ । କାରଣ ସେଠାରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ହେଉନଥିଲା । ଏହାପରେ ସେମାନେ କସ୍ତୁରବା ହସ୍ପିଟାଲ ଆସିଥିଲେ। ବହୁ ଘଣ୍ଟାର ଅନୁରୋଧ ପରେ ଏସ୍ଆରସି ହସ୍ପିଟାଲ ଜଣେ ବରିଷ୍ଠ ଡାକ୍ତର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଏକ ଚିଠି ଲେଖିଥିଲେ।
ମହିଳା ଜଣକ ଶିଶୁଟିକୁ ନେଇ କସ୍ତୁରବା ହସ୍ପିଟାଲରେ ପହଞ୍ଚିବା ପରେ ଶିଶୁଟିର ଅବସ୍ଥା ବେଶ୍ ସଂକଟାପନ୍ନ ହୋଇଯାଇଥିଲା। ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶିଶୁଟିର ଚିକିତ୍ସା ଜାରି ରହିଥିବାବେଳେ ଶିଶୁଟି ମଧ୍ୟ କରୋନାଗ୍ରସ୍ତ ହୋଇଥିବାର ଜଣାପଡିଛି। ଏବେ ମହିଳାଙ୍କ ସମ୍ପୂର୍ଣ୍ଣ ପରିବାର କସ୍ତୁରବା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ମହିଳାଙ୍କ ଶଶ୍ବରୁ ଅଥବା ତାଙ୍କ ପରିବାରର କୌଣସି ବ୍ୟକ୍ତି ବିଦେଶ ଯାତ୍ରା କରିଥିବାର ପ୍ରମାଣ ନାହିଁ। କିନ୍ତୁ ପରିବାରରେ ଦୁଇ ଲୋକଙ୍କ ମଧ୍ୟରେ ସଂକ୍ରମଣ ଦେଖିବାକୁମିଳିଥିଲା। ଏହାପରେ ସେମାନେ ରହୁଥିବା କଲ୍ୟାଣ ଡୋମ୍ବିବଲୀ କ୍ଷେତ୍ରକୁ ମଧ୍ୟ ସିଲ୍ କରିଦିଆଯାଇଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ: ମହାମାରୀ କରୋନା ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ 52 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ଚାରି ସଦସ୍ୟ ବି କରୋନା ପଜିଟିଭି ବୋଲି ଜଣାପଡିଛନ୍ତି ।
ସେହିପରି ହରିଆଣାର ଜଣେ 67 ବର୍ଷୀୟ ବ୍ୟକ୍ତି ଆଜି କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଚିକିତ୍ସିତ ହେଉଥିଲେ। ତେବେ ଏହି ବ୍ୟକ୍ତି ଜଣକ ବିଦେଶ ଯାଇନଥିବାବେଳେ କାହା ସଂସ୍ପର୍ଶରେ ଆସି କରୋନା ପୀଡ଼ିତ ହୋଇଥିଲେ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 2000ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 50 ଟପିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଡିସଚାର୍ଜ କରାଯାଇଛି।
ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବ୍ରିଟେନ୍ରୁ ଫେରିଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ ତିନି ଜଣ କରୋନା ପଜିଟିଭି ରହିଛନ୍ତି। ଗତକାଲି ଭଦ୍ରକରୁ ଜଣେ ୨୯ ବର୍ଷୀୟ ଯୁବକଙ୍କ ନିକଟରେ କରୋନା ପଜିଟିଭିର ସୂଚନା ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ତେଲେଙ୍ଗାନା : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଏବେ ହାହାକାର ମଚି ଯାଇଛି। ଭାରତରେ 40ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଟପିସାରିଛି । କରୋନା ସହ ଲଢେଇ କରିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟସରକାରମାନେ ବହୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର ଅନ୍ୟ ଏକ ସମସ୍ୟା ଭାବରେ ଉଭା ହୋଇଛି । ଏହି ଗୁଜବ ଯୋଗୁଁ ଲୋକଙ୍କ ମଧ୍ୟରେ ଡର ବଢୁଛି । ତେବେ ଏହି ଗୁଜବକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।
ତେଲେଙ୍ଗାନା ସରକାର ଏବେ କରୋନା ଭାଇରସ୍ ବିରୋଧରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ସରକାର ଚେତାବନୀ ଦେଇ ଏପରି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାମାରୀ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲକ୍ ଡାଉନ୍ ଜାରି କରାଯାଇଛି । ଏପରି ସମୟରେ କିଛି ଗୁଜବ ଖବର ପ୍ରଚାର ହେଉଥିବାର ଜଣାପଡୁଛି ।
ତେଲେଙ୍ଗାନା ସରକାର ସଫା ସଫା କହିଛନ୍ତି ଯେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ଏପରି ଗୁଜବ ପ୍ରଚାରକୁ ପ୍ରସାରିତ କରିବା ଏକ ଦଣ୍ଡନୀୟ ଅପରାଧ । ଏହି ଅପରାଧ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଦିଆଯିବା ବୋଲି କୁହାଯାଇଛି ।
ଆଇଟି ଇଲକୋଟ୍ରୋନିକ୍ସ ଓ ସଞ୍ଚାର ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୋନାଥମ୍ କହିଛନ୍ତି ଯେ, ଭ୍ରମାତ୍ମକ ସୂଚନା, ତଥା ଗୁଜବ ଖବରକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏପରି ସମୟରେ ସଂଯମ ରଖିବାକୁ ଅପିଲ୍ କରାଯାଇଛି ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ 1400ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଗଲାଣି । ସେହିପରି ସାରା ବିଶ୍ବରେ ଏବେ 9 ଲକ୍ଷ ପାଖାପାଖି ଲୋକେ ଆକ୍ରାନ୍ତ ହୋଇଥିବାବେଳେ 42 ହଜାରରୁ ଉର୍ଦ୍ଧ୍ବ ଏହି ଭାଇରସ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍ସିଆରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀଠାରେ ପୁଣି ଜଣେ ଡାକ୍ତରଙ୍କଠାରେ କରୋନା ପଜିଟିଭି ମିଳିଛି । ତେବେ ଏହି ଡାକ୍ତର ଜଣକ କୌଣସି କରୋନା ରୋଗୀଙ୍କ ଚିକିତ୍ସା କରୁନଥିବାବେଳେ ସେ ବାହାରକୁ ଯାତ୍ରା ମଧ୍ୟ କରିନଥିଲେ । ଡାକ୍ତରଜଣକ ଦିଲ୍ଲୀର କ୍ୟାନସର୍ ଇନ୍ଷ୍ଟିଚ୍ୟୁଟ୍ରେ କାମ କରୁଥିଲେ । ତେବେ ଡାକ୍ତର ଜଣକ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ, ଯିଏ ୟୁକେର ଫେରିଥିଲେ । ଡାକ୍ତର ଜଣକ କାମ କରୁଥିବା କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍କୁ ବନ୍ଦ କରାଯାଇ ସାନିଟାଇଜେସନ୍ କରାଯାଉଛି ।
ପୂର୍ବରୁ ମୋହଲ୍ଲା କ୍ଲିନିକ୍ର ଦୁଇ ଡାକ୍ତରଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଗୌତମବୁଦ୍ଧ ନଗରର ଓ ନୋଏଡାରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୌତମ ବୁଦ୍ଧ ନଗରରେ କରୋନା ପୀଡ଼ିତଙ୍କ ସଂଖ୍ୟା 41ରେ ପହଞ୍ଚିଛି ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 227ଟି ନୂଆ ମାମଲା ଆସିଛି । ରାଜଧାନୀ ଦିଲ୍ଲୀରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 121ରେ ପହଞ୍ଚିଛି । ଏଥିରୁ 24 ଜଣ ନିଜାମୁଦ୍ଦିନ୍ ତବଲିଗ୍ ଜମାତରେ ଉପସ୍ଥିତ ରହିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ବେଶ୍ ଭୟଙ୍କର ଭାବରେ ତାଣ୍ଡବ ରଚୁଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟରା ମଧ୍ୟରେ 272ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 1613 ରହିଥିବାବେଳେ 35 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 148 ଜଣ ଠିକ୍ ହୋଇଛନ୍ତି ।
ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମିତଙ୍କ ଲୋକଙ୍କ ସଂଖ୍ୟା ବେଶ ବଢିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ 72ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ 300ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ମହାରାଷ୍ଟ୍ର ପରକୁ କେରଳ ରହିଛି । କେରଳରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 241ରେ ପହଞ୍ଚିଛି । ସେହପରି ତାମିଲନାଡୁରେ 50ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 124ରେ ପହଞ୍ଚିଛି ।
ଗତ 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରିଥିଲେ । ସଙ୍ଗରୋଧ ବା ସାମାଜିକ ଦୂରତ୍ବ ଜରିଆରେ କରୋନା ସହ ଲଢେଇ କରିବା ପାଇଁ ଉଦ୍ୟମ ଜାରି ରହିଛି । ଲକ୍ ଡାଉନ୍ର ସାତ ଦିନ ଅତିବାହିତ ହୋଇଥିଲେ ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଗମ୍ଭୀରତାର ସହ ନେଇ ସଙ୍ଗରୋଧ ବା ସାମାଜିକ ଦୂରତ୍ବକୁ ମାନିବା ଆମ ପାଖରେ ଏକମାତ୍ର ବିକଳ୍ପ ଭାବରେ ରହିଛି ।
କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :
କେରଳ : 241
ମହାରାଷ୍ଟ୍ର : 302
କର୍ଣ୍ଣାଟକ : 101
ତେଲେଙ୍ଗାନା : 77
ଗୁଜୁରାଟ : 74
ରାଜସ୍ଥାନ : 93
ଉତ୍ତରପ୍ରଦେଶ : 101
ଦିଲ୍ଲୀ : 120
ପଞ୍ଜାବ : 41
ତାମିଲନାଡୁ : 124
ହରିୟାଣା : 36
ମଧ୍ୟପ୍ରଦେଶ : 66
ଜମ୍ମୁକାଶ୍ମୀର : 49
ପଶ୍ଚିମବଙ୍ଗ : 22
ଆନ୍ଧ୍ରପ୍ରଦେଶ : 23
ଲଦାଖ : 13
ବିହାର : 16
ଚଣ୍ଡୀଗଡ : 13
ଆଣ୍ଡାମାନ ନିକୋବର : 10
ଛତିଶଗଡ : 8
ଉତ୍ତରାଖଣ୍ଡ : 7
ଗୋଆ : 5
ଓଡ଼ିଶା : 4
ହିମାଚଳ ପ୍ରଦେଶ : 3
ମିଜୋରାମ :1
ପଣ୍ଡିଚେରୀ : 1
ମଣିପୁର :1
ନୂଆଦିଲ୍ଲୀ : ଚୀନର ବୁହାନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର 200ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ସହିତ ନରୱେ ଓ ରୋମାନିଆ ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିଃଶ୍ବାସୀ ହୋଇପଡିଛନ୍ତି । ଚୀନଠାରେ ପ୍ରଥମେ କରୋନା ସୃଷ୍ଟି ହୋଇଥିଲେ ହେଁ ବର୍ତ୍ତମାନ ସେଠାରେ ସ୍ଥିତିରେ ସୁଧାର ଆସିଥିବାବେଳେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକରେ ଏହା ବେଶ୍ ଦ୍ରୁତ ବ୍ୟାପରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନାରେ 8,58, 669 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 42,151ରେ ପହଞ୍ଚି ଯାଇଛି। ସେହିପରି 1,78, 099 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 32 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ଆମେରିକାରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1,88,530 ଥିବା ବେଳେ ମୃତ୍ୟୁସଂଖ୍ୟା ସାଢେ ତିନି ହଜାର ପାର କରିଯାଇଛି। ଏଠାକାର ସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବାରୁ ଲକ୍ ଡାଉନ୍ ସୀମାକୁ ବୃଦ୍ଧି କରାଯାଇଛି । ଆମେରିକା ପ୍ରଶାସନ ଏପ୍ରିଲ 30 ଯାଏ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ଏଠାରେ 3,889 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 7,251 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଇଟାଲୀରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 12 ହଜାର ଡେଇଁ ସାରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି।
ଆମେରିକା ଓ ଇଟାଲୀ ପରେ ସ୍ପେନ୍ରେ ମଧ୍ୟ ଏହାର କାୟା ଜାରି ରହିଛି । ସ୍ପେନ୍ରେ 95 ହଜାରରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଆଠ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି ।
ଫ୍ରାନ୍ସରେ 50 ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ତିନିହଜାରରୁ ଉର୍ଦ୍ଧ୍ବ ଏଥିରେ ମୃତ୍ୟୁବରଣ କରିଛନ୍ତି । ଜର୍ମାନୀରେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 700ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି ।
ସମୀକ୍ଷା ତରଫରୁ ଅପଡେଟ୍ :
ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୫୦୦ ଟପି ଯାଇଛି। ରାତି ନଅଟା ସୁଦ୍ଧା ଦେଶରେ ୧୫୬୮ଜଣଙ୍କର ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି। ଦେଶରେ ମୋଟ ୧୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୧ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି “ଇଣ୍ଡିଆ ଟୁଡେ” ସୂତ୍ରରୁ ଜଣା ପଡିଛି। ସେହିପରି ପୃଥିବୀରେ ୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯,୦୩୩ ଲୋକ ପ୍ରାଣ ହରାଇଛନ୍ତି।
ପାକିସ୍ତାନ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍ ପାକିସ୍ତାନରେ ବି ବେଶ୍ ଭୟଙ୍କର ଭାବରେ ବ୍ୟାପି ଚାଲିଛି । ଏହି ଭାଇରସ୍ ଯୋଗୁଁ ପାକିସ୍ତାନରେ 21 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 12 ଘଣ୍ଟା ମଧ୍ୟରେ 54ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1664ରେ ପହଞ୍ଚିଛି ।
ଜାଣନ୍ତୁ କେଉଁଠାରେ କିପରି ରହିଛି ସ୍ଥିତି :
ପଞ୍ଜାବ – 683, ସିନ୍ଧ – 508, ଖୈବର୍ ପଖ୍ତୁନଖାହ – 192, ବେଲୁଚିସ୍ତାନର -141, ଗିଲଗିଟ୍-ବାଲ୍ଟିସ୍ତାନ – 128, ଇସଲାମବାଦ-51, ପାକିସ୍ତାନ ଅଧିକୃତ କାଶ୍ମୀରେ 6ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏଠାରେ 21 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ପାକିସ୍ତାନରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ସର୍ବମୋଟ 28 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ଅବସ୍ଥା ବେଶ୍ ସଂକଟାପନ୍ନ ରହିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ପାକିସ୍ତାନ ସରକାର ବେଶ୍ ପଦକ୍ଷେପ ନେଇଥିବାବେଳେ 27 ପ୍ରତିଶତ ସ୍ଥାନୀୟ ସଂକ୍ରମିତ ମାମଲା ବୋଲି ଜଣାପଡିଛି । ପାକିସ୍ତାନରେ ଅନ୍ତର୍ରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପାକିସ୍ତାନରେ କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଲକ୍ ଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ୍ ଉଲ୍ଲଂଘନ ଅଭିଯୋଗରେ 163ଜଣଙ୍କୁ ଅଟକ ରଖାଯାଇଛି । (ଏଜେନ୍ସି)
କେରଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦୦ ଡେଇଁ ଯାଇଥିବା ବେଳେ କେରଳରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି। ସାରା ଭାରତରେ କରୋନା ମୃତ୍ୟୁ ୨୦ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ଆଜି ଏହା ଚତୁର୍ଥ ଦିନରେ ପହଞ୍ଚିଛି।
ଲକ୍ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଂଶରେ ଖଟିଖିଆ ତଥା ଶ୍ରମିକମାନେ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି। ଏହି ଖଟିଖିଆ ତଥା ଶ୍ରମିକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଏନେଇ ଏକ ଜନହିତ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଅପିଲ୍ କରାଯାଇଛି।
ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ କେରଳରୁ ହିଁ ଚିହ୍ନଟ ହୋଇଛନ୍ତି। କେରଳ ପଛକୁ ମହାରାଷ୍ଟ୍ର ରହିଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ ୮୦୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୮୩ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି।
ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍ କଡାକଡି କରାଯାଇଛି। (ଏଜେନ୍ସି)
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଏବେ ୟୁରୋପରେ ତାଣ୍ଡବ ରୁଚିଛି । ବୁହାନ ସହର ପରେ ଇଟାଲୀରେ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟିଯାଇଛି। ଶୁକ୍ରବାର ଦିନ ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏଠାରେ ପ୍ରାୟ 1000 ଲୋକଙ୍କ ମୃତ୍ୟୁ ଘଟିଛି । କେବଳ ଇରାନ୍ ନୁହେଁ, ଜର୍ମାନୀ, ସ୍ପେନ, ଆମେରିକା, ବ୍ରିଟେନ୍ ପ୍ରମୁଖ ଦେଶଗୁଡିକ ଏବେ କରୋନା କବଳରେ । କେବଳ ଇଟାଲୀରେ 86 ହଜାର ଲୋକ ଏହିରୋଗରେ ସଂକ୍ରମିତ ହୋଇଛନ୍ତି । ସାରା ବିଶ୍ବରେ ଏବେ 597,262 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,365ରେ ପହଞ୍ଚିଛି । ସେହିପରି ଏହି ରୋଗରେ ସୁସ୍ଥ ହୋଇଛନ୍ତି 133,363ଜଣ ।
ସମୀକ୍ଷା ତରଫରୁ କରୋନା ଅପଡେଟ୍ :
ମୁମ୍ବାଇ : କରୋନା ଭାଇରସ ବିରୋଧରେ ଲଢାଇ କରିବା ପାଇଁ ଲୋକମାନେ ସହଯୋଗ କରୁଥିବାବେଳେ ଅପର ପକ୍ଷରେ ସରକାରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଉଛି। ସେଲିବ୍ରିଟି, ଖେଳ ତାରକା ମାନେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଆର୍ଥିକ ସହାୟତା ଯୋଗାଉଥିବାବେଳେ ଶିରିଡିର ସାଇ ଟ୍ରଷ୍ଟ୍ ମଧ୍ୟ ଆଗେଇ ଆସିଛି। କରୋନା ମୁକାବିଲା ପାଇଁ ଶିରିଡିର ସାଇ ସଂସ୍ଥାନ ରାଜ୍ୟ ସରକାରଙ୍କୁ 51 କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛି। ଶିରିଡି ସାଇ ମନ୍ଦିରରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଚାନ୍ଦା ମିଳିଥାଏ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରେନା ଆକ୍ରାନ୍ତଙ୍କ ସୂଚନା ମିଳିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଛି। ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ ଶିରିଡିରେ ମଧ୍ୟ ଏନେଇ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ଘୋଷଣା ଆଗରୁ ମହାରାଷ୍ଟ୍ର ସରକାର ଆଗୁଆ ମହାରାଷ୍ଟ୍ରର ମୁଖ୍ୟ ଚାରୋଟି ସହରରେ ଲକ୍ ଡାଉନ୍ର ଘୋଷଣା କରିଥିଲେ। (ଏଜେନ୍ସି)