Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପରେ ରାତିଅଧିଆ ଚୋରାମଦ ଚାଲାଣ

ଋଞ୍ଜିତ ପଣ୍ଡା
କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲକ୍‌ଡାଉନ୍‌ରେ ଦୈନିକ କ୍ଷତି ହେଉଛି ୩୫୦୦ କୋଟି : ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଆକ୍ୟୁଟି ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ ଭାରତୀୟ ଅର୍ଥନୀତି ଦୈନିକ ହାରାହାରି ୪.୬୪ ବିଲିୟନ୍ ଡଲାର ବା ୩୫୦୦ କୋଟି ଟଙ୍କାର କ୍ଷତି ସହୁଛି । ଏହା ଦ୍ୱାରା ଦେଶର ଜିଡିପରେ ହାରାହାରି ୯୮ ବିଲିୟନ୍ ଡଲାରର ହ୍ରାସ ଦେଖିବାକୁ ମିଳିବ ବୋଲି କମ୍ପାନୀ ପକ୍ଷରୁ ବୁଧବାର ପ୍ରକାଶ କରା ଯାଇଛି । ସେହିପରି କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ୨୨ ପ୍ରତିଶତ ତଳକୁ ଖସିଯିବ ବୋଲି ଆକ୍ୟୁଟି ରିସର୍ଚ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌କୁ ନେଇ ମୋଦିଙ୍କୁ ଘେରିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କଂଗ୍ରେସର ଓ୍ବାର୍କିଂ କମିଟି ବୈଠକରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିନା ପ୍ରସ୍ତୁତିରେ ମୋଦି ସରକାରଙ୍କ ଲକ୍ ଡାଉନ୍‌ ନିଷ୍ପତ୍ତି ପାଇଁ ସାରା ଦେଶବାସୀ ଏବେ କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସୋନିଆ । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ସୋନିଆ ଏହା କହିଛନ୍ତି ।

ସୋନିଆ ଗାନ୍ଧି ଏହି ବୈଠକରେ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍‌ ଯୋଗୁଁ ସ୍ଥିତି ବେଶ୍‌ ଗମ୍ଭର ରହିଛି। ସରକାର ଉଠାଇଥିବା ପଦକ୍ଷେପ ଠିକ୍‌, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲକ୍‌ ଡାଉନ୍‌ ଘୋଷଣାକୁ ବିନା ପ୍ରସ୍ତୁତିରେ ଜାରି କରିଛନ୍ତି । ଏହି 21 ଦିନ ଲକ୍‌ଡାଉନ୍‌ର ଘୋଷଣା ପୂର୍ବରୁ ପ୍ରସ୍ତୁତି ହୋଇନଥିବା ହେତୁ ଏଥିରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଖଟିଖିଆ ଶ୍ରମିକ ।

ଲକ୍‌ ଡାଉନ୍‌ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋନିଆ ଏକ ଚିଠି ଲେଖି ଲକଡାଉନ୍‌ ସମ୍ପର୍କିତ କିଛି ପ୍ରସ୍ତାବ ଦେଇଥିଲେ । ଲକ୍‌ ଡାଉନ୍‌କୁ ସମର୍ଥନ ଦେବା ସହିତ ଦେଶର ଏପରି ସଂକଟ ସମୟରେ ସରକାରଙ୍କ ସହିତ କଂଗ୍ରେସ ରହିଛି ବୋଲି କହିଥିଲେ ସୋନିଆ ।

ତେବେ ଲକ୍‌ ଡାଉନ୍ ଯୋଗୁଁ ଦେଶରେ ରହିଥିବା ଗରିବ, ଖଟିଖିଆ ଶ୍ରମିକଙ୍କ ପଳାୟନ ସ୍ଥିତିକୁ ଗମ୍ଭୀରତା ରୂପେ ନେଇ ଏହି ଦିଗରେ ସରକାରଙ୍କ କାର୍ଯ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରିଛନ୍ତି ସୋନିଆ । ଲୋକଙ୍କ ସାମ୍ନାରେ ଜୀବନ ଏବେ ସଂକଟରେ ପଡିଯାଇଛି ବୋଲି କହିଛନ୍ତି ସୋନିଆ ।

ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ମାର୍ଚ୍ଚ 25 ତାରିଖରୁ ଏପ୍ରିଲ୍‌ 14 ଯାଏଁ ଦେଶରେ 21 ଦିନିଆ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହି ସମୟରେ ଘରୁ ନ ବାହାରିକୁନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ସରକାର ଭରସା ଦେଇଛନ୍ତି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ରେ ବି ସମ୍ପନ୍ନ ହେଲା ନିର୍ବନ୍ଧ : ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ପୂର୍ଣ୍ଣ ହେଲା ବିଧି

କେରଳ : କରୋନା ଭାଇରସ୍‌ ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍‌ ଘୋଷଣା କରାଯାଇଛି । ବିବାହ, ବ୍ରତ, ତଥା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । କିନ୍ତୁ ଆଜିକାଲିର ଅନ୍‌ଲାଇନ୍‌ ସମୟରେ କିନ୍ତୁ ଏବେ ଡିଜିଟାଲ୍‌ ବିଧି ଅନୁଷ୍ଠିତ ହେଉଛି । ଆଜ୍ଞା ହଁ, ଲକ୍‌ ଡାଉନ୍ ସମୟରେ କୌଣସି ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ବା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ଲୋକେ ଏହି ସମସ୍ୟାର ସମାଧାନ ବାହାର କରି ନେଇଛନ୍ତି । ଆଜିକାଲି ଅନ୍‌ ଲାଇନ୍‌ କ୍ଲାସ୍‌ କରାଯାଉଥିବାବେଳେ କୋର୍ଟ କଚେରୀ ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅନ୍‌ଲାଇନ୍‌ ଭିଡିଓ କନପରେନ୍ସିଂ ଜରିଆରେ ସମ୍ପନ୍ନ କରାଯାଉଛି । ଇତିମଧ୍ୟରେ କେରଳରେ ଜଣେ ପରିବାର ଭିଡିଓ କନଫରେନ୍ସିଂ ଜରିଆରେ ନିର୍ବନ୍ଧ ଉତ୍ସବ ସମାପନ କରିଥିବାର ଖବର ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଉଭୟ ପକ୍ଷଙ୍କ ପରିବାରର ଦେଖାସାକ୍ଷାତ ହୋଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଲକ୍‌ ଡାଉନ୍‌ ଜାରି ହୋଇଗଲା । ଏପରିକି ବର, କନ୍ୟା ଓ ପରିଜନମାନେ ଦେଶର ଭିନ୍ନ ଭିନ୍ନ ଜାଗାରେ ଫଶି ରହିଛନ୍ତି । ଏପରି ସମୟରେ ଅନ୍‌ଲାଇନ୍ ମାଧ୍ୟମରେ ବିଧି ସମାପନ କରିବା ଛଡା ଆଉ କିଛି ବାଟ ନଥିଲା । ବାଙ୍ଗାଲୁରୁ ବିପିସିଏଲ୍‌ରେ କାର୍ଯ୍ୟରତ ଥିବା ଜଣେ ଯୁବତୀ ଅନ୍‌ ଲାଇନ୍‌ରେ ନିର୍ବନ୍ଧ କରିଛନ୍ତି । ଯୁବତୀ ଜଣକଙ୍କ ବିବାହର ଚେନ୍ନାଇରେ ଥିବା ଜନୈକ ଇଞ୍ଜିନିୟରଙ୍କ ସହିତ ସ୍ଥିରୀକୃତ ହୋଇଥିବାବେଳେ ଲକ୍‌ ଡାଉନ୍‌ ଯୋଗୁଁ ସେମାନେ ନିର୍ବନ୍ଧ କରିପାରୁନଥିଲେ । ଲକ୍‌ ଡାଉନ୍‌ ଯୋଗୁଁ ଦୁହେଁ ନିଜ ନିଜ ସହରରେ ଫଶି ରହିଥିବାବେଳେ ଏପରି ସମୟରେ ସେମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିର୍ବନ୍ଧ କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ବର ଓ କନ୍ୟା ନିଜ ନିଜର ସହରରୁ ଅନଲାଇନ୍‌ରେ ସାମ୍ନା ସାମ୍ନି ହୋଇ ନିର୍ବନ୍ଧର ବିଧିକୁ ପୂରା କରିଛନ୍ତି । ଦୁହିଁଙ୍କ ପରିବାର ଲୋକେ ଏର୍ଣ୍ଣାକୁଲମ୍ର ତ୍ରିଚୁରରେ ରହୁଛନ୍ତି । ସେହିପରି ଭିଡିଓ କନଫରେନ୍ସି ଜରିଆରେ ଉଭୟଙ୍କ ପରିବାର ମଧ୍ୟ ଯୋଡି ହୋଇଥିଲେ । ବିବାହ ଏପ୍ରିଲ୍‌ 26 ତାରିଖରେ ହେବାକୁ ଥିବାବେଳେ ଉଭୟ ପରିବାର ବିବାହକୁ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିତୀୟ ସର୍ବାଧିକ ରହିଛି । ଏଠାରେ 200ରୁ ଉର୍ଦ୍ଧ୍ବ ଲୋକେ କରୋନା ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ବ୍ୟବସାୟ

ମାର୍ଚ୍ଚ ମାସରେ ୮୩ ହଜାର କାର ବିକ୍ରି କରିଛି ମାରୁତି ସୁଜୁକି

ନୂଆଦିଲ୍ଲୀ : ଚଳିତ ବର୍ଷର ମାର୍ଚ୍ଚ ମାସରେ ମାରୁତି ସୁଜୁକି ପକ୍ଷରୁ ୮୩ ହଜାର ୟୁନିଟ୍ ଗାଡି ବିକ୍ରି କରାଯାଇଛି । ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସଂଖ୍ୟାକୁ ସନ୍ତୋଷଜନକ ଭାବରେ ଅଭିହିତ କରାଯାଇଛି । ୨୦୧୯ର ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ୧ ଲକ୍ଷ ୫୮ ହଜାର ୭୬ଟି ଗାଡି ବିକ୍ରୟ କରାଯାଇଥିଲା । ତେବେ ଅଟୋ ମୋବାଇଲ୍ ଶିଳ୍ପରେ ମାନ୍ଦାବସ୍ଥା ଏବଂ କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ବିକ୍ରି ସଂଖ୍ୟା ସନ୍ତୋଷଜନକ ବୋଲି ମାରୁତି ସୁଜୁକି ପକ୍ଷରୁ ପ୍ରକାଶ କରାଯାଇଛି । ଏହି ୮୩,୭୯୨ ୟୁନିଟ୍ ମଧ୍ୟରୁ ୭୬୯୭୬ଟି  ଗାଡି ଘରୋଇ ବଜାରରେ ବିକ୍ରି କରାଯାଇଥିବା ବେଳେ ୪୭୧୨ଟି ୟୁନିଟ୍ ବିଦେଶକୁ ରପ୍ତାନୀ କରାଯାଇଛି । ସେହିପରି ୨୧୦୪ଟି ଗାଡି ଓଇଏମ୍ ସେଲ୍‌ରେ ବିକ୍ରି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ସମୟରେ ଜୀବିତଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଯାଉଥିଲେ ଘରକୁ: ଚାଳକ ଗିରଫ, ଅନ୍ୟ ଚାରିଜଣ କ୍ବାରେଣ୍ଟାଇନ୍‌ରେ

ଶ୍ରୀନଗର: କରୋନା ଭାଇରସରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଭାରତକୁ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ଏପ୍ରିଏଲ୍‌୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି।

ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସୁରନକୋଟରେ ଧରାପଡ଼ିଥବା ଏହି ଆମ୍ବୁଲାନ୍ସ ଭିତରେ ଜଣେ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଚାରି ଜଣ ବସିଥିଲେ । ମିଛ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେମାନଙ୍କ ପାଖେ ରହିଥିଲା । ପୋଲିସ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରି ଅନ୍ୟ ଚାରି ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଛି । ଏଥି ସହିତ ପୋଲିସ ଆମ୍ବୁଲାନ୍ସ ଓ ମିଛ ମୃତ୍ୟୁ ପ୍ରମାଣପତ୍ରକୁ ମଧ୍ୟ ଜବତ କରିଛି । ପୋଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ଆଇପିସି ଧାରା 188, 269, 420, 109 ଅନ୍ତର୍ଗତ ମାମଲା ରୁଜୁ କରିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌କୁ ସପ୍ତାହେ ପୂରିଲା : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଡେଇଁଲା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ବେଶ୍‌ ଭୟଙ୍କର ଭାବରେ ତାଣ୍ଡବ ରଚୁଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟରା ମଧ୍ୟରେ 272ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 1613 ରହିଥିବାବେଳେ 35 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 148 ଜଣ ଠିକ୍ ହୋଇଛନ୍ତି ।

ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମିତଙ୍କ ଲୋକଙ୍କ ସଂଖ୍ୟା ବେଶ ବଢିବାରେ  ଲାଗିଛି । ଗତକାଲି ମହାରାଷ୍ଟ୍ରରେ 72ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ 300ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ମହାରାଷ୍ଟ୍ର ପରକୁ କେରଳ ରହିଛି । କେରଳରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 241ରେ ପହଞ୍ଚିଛି । ସେହପରି ତାମିଲନାଡୁରେ 50ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 124ରେ ପହଞ୍ଚିଛି ।

ଗତ 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଥିଲେ । ସଙ୍ଗରୋଧ ବା ସାମାଜିକ ଦୂରତ୍ବ ଜରିଆରେ କରୋନା ସହ ଲଢେଇ କରିବା ପାଇଁ ଉଦ୍ୟମ ଜାରି ରହିଛି । ଲକ୍‌ ଡାଉନ୍‌ର ସାତ ଦିନ ଅତିବାହିତ ହୋଇଥିଲେ ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଗମ୍ଭୀରତାର ସହ ନେଇ ସଙ୍ଗରୋଧ ବା ସାମାଜିକ ଦୂରତ୍ବକୁ ମାନିବା ଆମ ପାଖରେ ଏକମାତ୍ର ବିକଳ୍ପ ଭାବରେ ରହିଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

କେରଳ : 241

ମହାରାଷ୍ଟ୍ର : 302

କର୍ଣ୍ଣାଟକ : 101

ତେଲେଙ୍ଗାନା : 77

ଗୁଜୁରାଟ : 74

ରାଜସ୍ଥାନ : 93

ଉତ୍ତରପ୍ରଦେଶ : 101

ଦିଲ୍ଲୀ : 120

ପଞ୍ଜାବ : 41

ତାମିଲନାଡୁ : 124

ହରିୟାଣା : 36

ମଧ୍ୟପ୍ରଦେଶ : 66

ଜମ୍ମୁକାଶ୍ମୀର : 49

ପଶ୍ଚିମବଙ୍ଗ : 22

ଆନ୍ଧ୍ରପ୍ରଦେଶ : 23

ଲଦାଖ : 13

ବିହାର : 16

ଚଣ୍ଡୀଗଡ : 13

ଆଣ୍ଡାମାନ ନିକୋବର : 10

ଛତିଶଗଡ : 8

ଉତ୍ତରାଖଣ୍ଡ : 7

ଗୋଆ : 5

ଓଡ଼ିଶା : 4

ହିମାଚଳ ପ୍ରଦେଶ : 3

ମିଜୋରାମ :1

ପଣ୍ଡିଚେରୀ : 1

ମଣିପୁର :1

Categories
ଜୀବନ ଶୈଳୀ ବିଶେଷ ଖବର

ଘରେ ବସି ବୋର୍‌ ହେଉଛନ୍ତି, ପୁରୁଣା ଦିନର ସ୍ମୃତିକୁ ତାଜା କରନ୍ତୁ ଦୂରଦର୍ଶନ ସହ

ସମୀକ୍ଷା ବ୍ୟୁରୋ

ଏବେ ସାରା ଦେଶରେ କରୋନାର ପ୍ରକୋପ। ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶ ବ୍ୟାପୀ ଲକ ଡାଉନ ବା ତାଲା ବନ୍ଦର ଘୋଷଣା କରିଛନ୍ତି। ସଙ୍ଗରୋଧ କୁ ପାଳନ କରିବାକୁ ଜାରି କରିଛନ୍ତି ଅଘୋଷିତ କର୍ଫ୍ୟୁ। ଏବେ ସମସ୍ତେ ଗୃହ ବନ୍ଦୀ। ଘରେ ବସି ବସି ବିରକ୍ତି ଭାବକୁ ଦୂରେଇବାକୁ ଏକଦା ସମସ୍ତଙ୍କ ପ୍ରିୟ  ଥିବା ଦୂରଦର୍ଶନ ପ୍ରୟାସ ଆରମ୍ଭ କରିଛି। ଘରେ ସମସ୍ତଙ୍କୁ ବାନ୍ଧି ରଖିବାର ଏକ ନିଆରା ପ୍ରଚେଷ୍ଟା କରିଛି ଦୂରଦର୍ଶନ। ପୁଣି ଥରେ ଫେରିଛି ଦୂରଦର୍ଶନର ସୁବର୍ଣ୍ଣ ଯୁଗ। ରହସ୍ୟ,ରୋମାନ୍ସ, ଉପନ୍ୟାସ , ଇତିହାସ ଆଉ ପୁରାଣ ସବୁକୁ ଏକାଠି କରି ଆଉ ଥରେ ଫେରିଛି ଦର୍ଶକଙ୍କ ନିକଟକୁ। ଦର୍ଶକ ମାନଙ୍କୁ ଭେଟି ଦେଉଛି ଶକ୍ତିମାନ,ଚାଣକ୍ୟ ,ରାମାୟଣ ବ୍ୟୋମକେଶ ବକ୍ସି ଭଳି ଲୋକପ୍ରିୟ ଧାରାବାହିକ। ଏହାକୁ ଆଉଥରେ ଉପଭୋଗ କରିବାର ସୁଯୋଗ ଦେଇ ପିଲା ଠାରୁ ବୁଢା ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ଦୂରଦର୍ଶନ କରିଛି ନିଆରା ପ୍ରୟାସ। ଏ ଯୁଗରେ ଲୋକେ ଦୂରଦର୍ଶନ ବୋଲି ଏକ ଚାନେଲ ଅଛି ବୋଲି ଭୁଲିବାକୁ ବସିଥିବା ବେଳେ ଏବେ ସମସ୍ତଙ୍କୁ ଏକ ପ୍ରକାର ବାଧ୍ୟ କରିଛି ଆଉଥରେ ଦୂରଦର୍ଶନକୁ ଫେରିବାକୁ।

ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ଧାରାବାହିକ ର ପୁନଃ ପ୍ରସାରଣ ବିଷୟରେ

1 . ଚାଣକ୍ୟ: ଚନ୍ଦ୍ରପ୍ରକାଶ ଦ୍ଵିବେଦୀଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକ ରେ ରହିଛି 47 ଟି ଅଧ୍ୟାୟ। ଏହାକୁ  ଡିଡି ଭାରତୀ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହ ରୁ ଅପରାହ୍ନରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

2. ଉପନିଷଦ ଗଙ୍ଗା : ଚିନ୍ମୟ ମିଶନ ଟ୍ରଷ୍ଟ ପ୍ରଯୋଜିତ ଏବଂ ଚନ୍ଦ୍ରପ୍ରକାଶ ଦ୍ଵିବେଦୀ ଙ୍କ ନିର୍ଦେଶିତ ଏହି ଧାରାବାହିକରେ ରହିଛି 52 ଟି ଅଧ୍ୟାୟ। ଏହାକୁ ଡିଡି ଭାରତୀ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହ ରୁ ଅପରାହ୍ନ ରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

3. ଶକ୍ତିମାନ : ମୁକେଶ ଖାନ୍ନା ଅଭିନୀତ ତଥା ଆମ ସମୟର ସବୁଠୁ ଲୋକପ୍ରିୟ ଧାରାବାହିକଟି ପ୍ରତ୍ୟହ ଏକ ଘଣ୍ଟା ଲେଖାଏଁ ଏପ୍ରିଲ ପ୍ରଥମ ସପ୍ତା ରୁ ଅପରାହ୍ନରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

4. ଶ୍ରୀମାନ ଶ୍ରୀମତୀ : ମାର୍କଣ୍ଡ ଅଧିକାରୀଙ୍କ ପ୍ରଯୋଜୋନା ରେ ଏହି ହସି ହସାଇ ବେଦମ କରୁଥିବା ହାସ୍ୟରସାତ୍ମକ ଧାରାବାହିକ ଟି ଏପ୍ରିଲ ରୁ ଡିଡି ନେସନଲ ରେ ଦିନ ଦୁଇ ଟା ବେଳେ ପ୍ରତ୍ୟାବର୍ତ୍ତନ କରୁଛି।

4. କ୍ରୀଷ୍ଣା କଲି: 18 ଅଧ୍ୟାୟ ସମ୍ବଳିତ ଏହି ଧାରାବାହିକ ଟି ପ୍ରତ୍ୟହ ରାତି 8.30 ରେ ଡିଡି ନେସନଲ ରେ ପ୍ରସାରିତ ହେବାର ଯୋଜନା କରାଯାଇଛି।

ଉପରୋକ୍ତ ଟିଭି ଧାରାବାହିକ ବା ସିରିଏଲ ବ୍ୟତୀତ ଆଉ କେତୋଟି ସିରିଏଲ ଅଛି ଯାହା ର ପ୍ରଦର୍ଶନ ମାର୍ଚ୍ଚ 28 ରୁ ଆରମ୍ଭ ହୋଇ ସାରିଛି।

ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ….

1 . ରାମାୟଣ: ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଏହି ସର୍ବାଦ୍ରୁତ ସିରିଏଲରେ 35 ମିନିଟ ଲେଖାଏଁ 78 ଟି ଅଧ୍ୟାୟ ଏବଂ 30 ମିନିଟ ଲେଖାଏଁ 30 ଟି ଅଧ୍ୟାୟ  ରହିଛି ଯାହାର ପ୍ରଦର୍ଶନ ପ୍ରତ୍ୟହ  ସକାଳ 9 ଟା ଏବଂ ରାତି 9 ଟା ରେ ପ୍ରସାରିତ ହେଉଛି।

2. ମହାଭାରତ: ଲୋକପ୍ରିୟ ପୌରାଣିକ ଧାରାବାହିକଟି 45 ମିନିଟ ଲେଖାଏଁ 97 ଟି ଅଧ୍ୟାୟ ପ୍ରତିଦିନ ଦିନ 12 ଟା ଏବଂ ସନ୍ଧ୍ୟା 7 ଟା ରେ ପ୍ରସାରିତ ହେଉଛି।

3. ବ୍ୟୋମକେଶ ବକ୍ସି: 52 ଟି ଅଧ୍ୟାୟ ସମ୍ବଳିତ ଏହି ସିରିଏଲ ଟି ପ୍ରତ୍ୟହ ଏକ ଘଣ୍ଟା ଲେଖାଏଁ ସବୁଦିନ 11 ଟା ରେ ପ୍ରସାରିତ ହେଉଛି।

4. ସର୍କସ : ଶାହରୁଖ ଖାନ ଅଭିନୀତ ଏହି ସିରିଏଲ ରେ 19 ଟି ଅଧ୍ୟାୟ ରହିଛି। ଏହା ସବୁଦିନ ରାତି 8 ଟା ବେଳେ ପ୍ରସାରିତ ହେଉଛି।

5. ହମ ହୈ ନା : ଏହି ସିରିଏଲ ରେ ମୋଟ 60 ଟି ଅଧ୍ୟାୟ ରହିଛି। 28 ତାରିଖ ରୁ ସବୁଦିନ ରାତି 10 ଟା ରେ ଡିଡି ନେସନଲ ରେ ପ୍ରସାରିତ ହେଉଛି।

6. ତୁ ତୋତା ମେ ମୈନା : ସଚିନ୍‌ ଓ ସୁପ୍ରିୟା ପିଲ୍‌ଗାଓଁକର୍‌ଙ୍କ ଅଭିନୀତ ଏହି ଲୋକପ୍ରିୟ ଧାରାବାହିକରେ ମୋଟ 26 ଟି ଅଧ୍ୟାୟ ରହିଛି। ଏହା ପ୍ରତିଦିନ ଡିଡି ନେସନଲ ରେ ରାତି 10.30 ରେ ପ୍ରସାରିତ ହେଉଛି।

ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ କେବୁଲ ଟେଲିଭିଜନ ନେଟୱର୍କ ଅଧିନିୟମ ଅନୁଯାୟୀ ସମସ୍ତ ଡି ଟି ଏଚ ଏବଂ କେବୁଲ ଅପେରାଟର ମାନେ  ଡିଡି ଚାନେଲ ସହିତ ଲୋକ ସଭା ଏବଂ ରାଜ୍ୟ ସଭା ଚାନେଲ ଦେଖାଇବାକୁ ବାଧ୍ୟ। ଯଦି ଏହି ନିୟମ କୁ କେହି ନ ମାନନ୍ତି ତେବେ ଅଧିନିୟମ ର ଧାରା 11 ,12 ଏବଂ 18 ଅନୁଯାୟୀ ଦଣ୍ଡିତ ହେବେ।

ଯଦି କୌଣସି ଦର୍ଶକ ଡିଡି ଚାନେଲ ଗୁଡିକୁ ଦେଖିବାରେ ବଞ୍ଚିତ ହୁଅନ୍ତି ତେବେ ସେମାନେ ମିକଟସ୍ଥ ଦୂରଦର୍ଶନ ମୁଖ୍ୟ ଙ୍କ ସହିତ ଯୋଗାଯୋଡ କରି ପାରିବେ କିମ୍ବା ddpb. Inform@gmail. Com ରେ ଇ ମେଲ କରି ପାରିବେ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏକ ପତ୍ର ଜାରି କରି କହିଛନ୍ତି ।

ପୁରୁଣା ଦିନର ସ୍ମୃତି ତଥା ପିଲାବେଳର ସ୍ମୃତିକୁ ତାଜା କରିଦେଇଛି ଦୂରଦର୍ଶନ। ଆସନ୍ତୁ ଆଉଥରେ ମନ ଭରି ଉପଭୋଗ କରିବା ଆମ ଛୋଟବେଳର ସ୍ମୃତିକୁ। ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ଦେଖି ଆମେ ଆମର ସେହି ବିଗତ ଦିନଗୁଡ଼ିକୁ ସ୍ମୃତିଚାରଣ କରିବାର ଏକ ଅବସରର ଲାଭ ଉଠାଇବା।

 

Categories
ଆଜିର ଖବର ଜାତୀୟ ଖବର

କାନ୍ଧରେ ପୁଅର ଶବକୁ ବୋହି 88 କିମି ବାଟ ଚାଲିଲେ ବାପା

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ରେ କବଳରେ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ଅପରପକ୍ଷରେ ଏହି ମହାମାରୀ ସହ ଲଢେଇ କରିବା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 32ରୁ ଅଧିକ ହେଲେଣି । କରୋନା ସହ ଲଢେଇ ପାଇଁ ସାରା ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ ଅଭାବୀ ପିତାର ଦାରୁଣ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଅର୍ଥର ଅଭାବ ପାଇଁ ନିଜ ଛୁଆକୁ ଡାକ୍ତରଖାନା ନେଇ ନ ପାରି ପରିଶେଷରେ ପୁଅର ଶବକୁ କାନ୍ଧରେ ବୋହି ମଶାଣିରେ ଚିତା ଜାଳିଛି ।

ଲକ୍‌ଡାଉନ କାରଣରୁ ପାଞ୍ଚ ବର୍ଷୀୟ ପୁତ୍ରର ମୃତ୍ୟୁ ହୋଇଛି । ଚିକିତ୍ସିତ ହୋଇ ନପାରି କୋମଳମତିର ଜୀବନ ଚାଲିଯାଇଛି । ଏହାପରେ କୌଣସି ସାଧନ ନ ମିଳିବାରୁ ପୁତ୍ରର ପିତା ଜଣକ ନିଜ କାନ୍ଧରେ ପୁତ୍ରର ଶବକୁ ବେହି ବୋହି 88 କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଶଶ୍ମାନରେ ପହଞ୍ଚାଇଛି ।

ମିଳିଥିବା ସୂଚନା ଅନୁସାରେ ମୃତ ଶିଶୁର ପିତା ମଞ୍ଚାଲା ମନୋହର ଅନନ୍ତପୁରର ଗେର୍‌ଟଙ୍ଗଲା କସ୍‌ବେ ନିକଟସ୍ଥ ଏକ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଦୋକାନରେ କାମ କରୁଥିଲା । କିଛି ଦିନ ପୂର୍ବେ ଶିଶୁଟିର ଗଳାରେ ସଂକ୍ରମଣ ହୋଇଥିଲା । ଏହା ପରେ ସେ ସ୍ଥାନୀୟ ହସ୍ପିଟାଲରେ ଶିଶୁର ଚିକିତ୍ସା କରୁଥିଲେ । କିନ୍ତୁ ସେଠାରେ ଡାକ୍ତର ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବଡ ଡାକ୍ତରଖାନା ନେବା ପାଇଁ କହିଥିଲେ । ପାଖରେ ଅର୍ଥ ଅଭାବ ସହିତ ସାଧନର ଅଭାବ କାରଣରୁ ବଡ ମେଡିକାଲ୍‌କୁ ନେଇ ପାରିଥିଲେ ଅସହାୟ ବାପା ।

ଅର୍ଥ ଓ ସାଧନ ପାଇଁ ରୋଗରେ ଲଢି ଲଢି ଶିଶୁଟିର ଜୀବନ ଚାଲିଯାଇଛି । ଏହାପରେ ପୁଅ ଶବକୁ ନିଜ କାନ୍ଧରେ ବୋହି ବେହି ଚିତ୍ରାବତୀ ନଦୀ ଘାଟ ନିକଟରେ ପୁଅର ଚିତା ଜାଳିଛନ୍ତି ଅସହାୟ ବାପା ଜଣକ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ  ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଫେବ୍ରୁଆରି ମାସ ଶେଷ ସୁଦ୍ଧା ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ଏବେ ନବୀକରଣ କରାଯିବ ନାହିଁ ବୋଲି କହିଛନ୍ତି ସରକାର । ଏହି କାଗଜପତ୍ରର ବୈଧତାକୁ ଜୁନ ୩୦ ତାରିଖ ଯାଏଁ ବଢାଇଦିଆଯାଇଛି । ସେହିପରି ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବହନ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କୁମ୍ପି ଭାଙ୍ଗି 800 ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପହଞ୍ଚାଇଲେ ପିଲାମାନେ

ମୁମ୍ବାଇ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଖଟିଖିଆ ଶ୍ରମିକମାନେ ଏବେ ନିଜ ଭିଟାମାଟି ଅଭିମୁଖେ ପଳାୟନ କରୁଛନ୍ତି । ସେମାନେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରି ଖବର ଆମ ହୃଦୟକୁ ବିଚଳିତ କରୁଥିବାବେଳେ ଅପରପକ୍ଷରେ ଏହି ଦୁଃଖୀ ଗରିବଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ପିଲାମାନେ। ଏହି ପିଲାମାନେ ପ୍ରାୟ 800ଜଣ ଖଟିଖିଆଙ୍କ ଖାଦ୍ୟ ପାଇଁ ନିଜ ସଞ୍ଚିତ ପଇସାରେ ସେମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି । ପିଲାମାନେ ମାନବତାର ଉଦାହରଣ ସ୍ବରୂପ ନିଜ କୁମ୍ବି ଭାଙ୍ଗି ନିଜ ସଞ୍ଚିତ ଅର୍ଥରେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଣି ସେମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି ପିଲାମାନେ ଖଟିଖିଆଙ୍କ 15ରୁ 20 ଦିନ ଚଳିବା ନିମେନ୍ତ 800 ଜଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଅଟା, ଚାଉଳ, ଡାଲି, ତେଲ, ଚିନି ଓ ଲୁଣ ପ୍ୟାକେଟ୍‌ ଆଦି କିଣି ପହଞ୍ଚାଇଛନ୍ତି।

ଲକ୍ ଡାଉନ୍‌ ଯୋଗୁଁ କାର୍ଯ୍ୟ ବନ୍ଦ ଯୋଗୁଁ ଶ୍ରମିକମାନେ ସହର ଛାଡି ନିଜ ଭିଟାମାଟି ମୁଖେ ପଳାୟନ କରୁଥିବାବେଳେ କରୋନା ସଂକ୍ରମଣ ଅଧିକ ରହୁଥିବାରୁ ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କ ସୁବିଧା ନିମେନ୍ତ ବ୍ୟବସ୍ଥା କରାଯାଉଛି ।

ଯଦି ଶ୍ରମିକମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯିବ, ସେମାନେ ତେବେ ପଳାୟନ କରିବେ ନାହିଁ ବୋଲି ପିଲାମାନେ ମତ ଦେଇଛନ୍ତି। ଯାହା ଫଳରେ ସଂକ୍ରମଣର ସମ୍ଭାବନାକୁ ଏଡାଇ ଦେଇ ହେବ । ପିଲାମାନଙ୍କର ମାନବିକତା ଏବେ ଆମ ପାଇଁ ଉଦାହରଣ ପାଲଟିଛି। ଦେଶର ଏପରି ସଂକଟ ସମୟରେ ଆମେ ସରକାରଙ୍କ ନିୟମ ପାଳନ କରିବା ସହିତ ଅସହାୟଙ୍କ ନିମେନ୍ତ ସାହାଯ୍ୟ କରିବା ଆଜିର ସମୟରେ ବିଶେଷ ଆବଶ୍ୟକତା ହୋଇପଡିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଇଟାଲୀରେ ଲକ୍‌ଡାଉନ୍‌ର ଅବଧି ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ବିଶ୍ବର 200 ଦେଶ ଲଢେଇ କରୁଥିବାବେଳେ ଏହି ମହାମାରୀରେ 7ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ସେହିପରି 37 ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିଲେ। ଇଟାଲୀରେ 24 ଘଣ୍ଟାରେ 812 ଲୋକ ମୃତ୍ୟୁବରଣ କଲେଣି। ଇଟାଲୀରେ ସର୍ବମୋଟ ମୃତ୍ୟ ସଂଖ୍ୟା ଏଗାରର ହଜରରୁ ଉର୍ଦ୍ଧ୍ବ ରହିଛି।  ଇଟାଲୀରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଦେଶରେ 12 ଏପ୍ରିଲ୍‌ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି।

ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଭାରତରେ 1300ରୁ ଅଧିକ ଲୋକେ ଏହି ଆକ୍ରାନ୍ତ ହୋଇଛନ୍ତି।  ସେହିପରି ଦେଶରେ ଏପ୍ରିଲ୍‌ 14 ଯାଏଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ କର୍ମଚାରୀଙ୍କ ଦରମା କାଟ୍‌ ନେଇ ନିଷ୍ପତ୍ତି ନେଲେ କେସିଆର୍

ତେଲେଙ୍ଗାନା : ଦେଶରେ କରୋନା ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  ଲକ୍‌ଡାଉନ୍‌ର 6 ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ର ମଧ୍ୟ ନିଜ ଦରମାର 75 ପ୍ରତିଶତ ଦରମା ହ୍ରାସ କରାଯିବ ।

ସେହିପରି ଅନ୍ୟ ସରକାରୀ ଓ ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କର 75 ପ୍ରତିଶତ ଦରମା ହ୍ରାସ କରାଯିବ ବୋଲି ସୂଚନା ରହିଛି । ଏତଦ୍‌ବ୍ୟତୀତ ପେନ୍‌ସେନ ପାଉଥିବା କର୍ମଚାରୀମାନଙ୍କ  ପଚାଶ ପ୍ରତିଶତ ପେନ୍‌ସେନରେ ମଧ୍ୟ ହ୍ରାସ କରାଯିବ । କିନ୍ତୁ ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ, ଝାଡୁଦାର, ଡ୍ରାଇଭର ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା ମାତ୍ର ଦଶ ପ୍ରତିଶତ ହ୍ରାସ କରାଯିବ। ତେବେ ଏହି ଦରମା କେତେ ଦିନ ପର୍ଯ୍ୟନ୍ତ ହ୍ରାସ କରାଯିବା ସେନେଇ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ 77ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ଏଠାରେ 7ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ରାସନ କାର୍ଡ ନଥିଲେ ବି ପାଇପାରିବେ ରାସନ୍‌ ସାମଗ୍ରୀ

ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକ୍‌ ଡାଉନ୍‌ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତିନି ମାସର ରାସନ ସାମଗ୍ରୀ ମାଗଣାରେ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଗରିବ ଓ ଖଟିଖିଆଙ୍କୁ ଲକ୍‌ ଡାଉନ୍‌ ସମୟରେ ଖାଦ୍ୟର ଅଭାବ ନ ହେବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାସନ ଦୋକାନରେ ତିନି ମାସର ରାସନ ଦିଆଯିବା ନେଇ ନିର୍ଦ୍ଦେଶ ରହିଥିବାବେଳେ ଏନେଇ ରାସନ ଦୋକାନୀଙ୍କ ସୂଚନୀ ଓ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି । କିନ୍ତୁ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ମିଳିପାରିବ। ସେଥିପାଇଁ  ରାସନ ଦୋକାନରେ ଏକ ଫର୍ମ ଉପଲବ୍ଧ ରହିଛି, ଯାହାକୁ ପୂରଣ କରି ଦୋକାନରେ ଦେଲେ ଆରାମରେ ରାସନ ସାମଗ୍ରୀ ପାଇପାରିବେ।

ସେହିପରି ଗରିବ, ଖଟିଖିଆଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟସରକାର ଜିଲ୍ଲାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମୁକାବିଲା କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିବା ପରେ ଏହି ଖଟିଖିଆମାନେ ନିଜ ଭିଟାମାଟିକୁ ଫେରୁଛନ୍ତି । ଯାହାପଳରେ ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେଉଛି। ଏପରି ଅବସ୍ଥା ଦେଖି ରାଜ୍ୟ ସରକାର ଓ କେନ୍ଦ୍ର ସରକାରମାନେ ସେମାନଙ୍କ ଦାୟିତ୍ବ ଗ୍ରହଣ କରିବା ପୂର୍ବକ ସେମାନେ ଯେଉଁଠି ରହିଛନ୍ତି, ସେଇଠାରେ ହିଁ ତାଙ୍କୁ ଖାଦ୍ୟ ଓ ରହିବାର ସୁବିଧା ଯୋଗାଇ ଦିଆଯାଉଛ ।

ସେହିପରି ଜିଲ୍ଲାଧିକାରୀମାନେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ 14 ଦିନ କ୍ବାରେଣ୍ଟାଇନ୍‌ରେ ରଖିବା ନେଇ ମଧ୍ୟ ପ୍ରସ୍ତୁତି କରିଛନ୍ତି । ସେହିପରି ଶ୍ରମିକ ତଥା ଖଟିଖିଆ ମାନେ ରହୁଥିବା ଭଡା ଘରେ ଏକ ମାସର ଘର ଭଡା ନ ନେବାକୁ ଘର ମାଲିକଙ୍କୁ ସରକାର ଆଦେଶ ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ପରିବା କିଣିବା ପାଇଁ ବାଇକ୍‌ ନେଇ ଯାଇପାରିବେ ନାହିଁ

 

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜିଠୁ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନାକାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା । ସିଜ୍‌ ହେବ ଗାଡି । ଏହି ପରିପ୍ରେକ୍ଷୀରେ ପରିବା କିଣିବାକୁ ବାଇକ୍‌ ନେଇ ଯିବାକୁ ବାରଣ କଲା ପୋଲିସ୍‌ । ଚାଲିକି ଯାଇ ନିକଟସ୍ଥ ସ୍ଥାନରୁ ପରିବା କିଣିବାକୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ୍‌ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି। ସେହିପରି ପାସ୍‌କୁ ନବୀକରଣ କରାନଯିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମନରେଗା ଶ୍ରମିକଙ୍କ ଆକାଉଣ୍ଟଙ୍କୁ 611 କୋଟି ଟଙ୍କା ପଠାଇଲେ ଯୋଗୀ ସରକାର

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ । ଏହାର ପ୍ରଭାବ ସବୁଠୁ ଅଧିକ ଶ୍ରମିକ ବା ଖଟିଖିଆ ଲୋକଙ୍କ ଉପରେ ପଡିଛି । ଏପରି ସଂକଟ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଶ୍ରମିକା ବା ଖଟିଖିଆଙ୍କୁ 1-1 ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରଦେଶର 27.5 ଲକ୍ଷ ମନରେଗା ଶ୍ରମିକଙ୍କ ଆକାଉଣ୍ଟଙ୍କୁ 611 କୋଟି ଟଙ୍କା ପଠାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାରିଶ୍ରାମିକକୁ 182ରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପରେ ଉତ୍ତରପ୍ରଦେଶ ସରକାର ଏହି ବର୍ଦ୍ଧିତ ପାରିଶ୍ରାମିକଙ୍କୁ ଶ୍ରମିକଙ୍କୁ ଦେଇଛନ୍ତି । ଏତଦ୍‌ବ୍ୟତୀତ ଯୋଗୀ ସରକାର 20 ଲକ୍ଷ ଦିନ ମଜୁରିଆଙ୍କୁ 1-1 ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ତୋଦୟ ଯୋଜନା, ମନରେଗା ଓ ଶ୍ରମ ବିଭାଗରେ ପଂଜୀକୃତ ପ୍ରାୟ ଏକ କୋଟି 65 ଲକ୍ଷ 31 ହଜାର ଶ୍ରମିକଙ୍କ ଏକ ମାସ ନିଶୁଳ୍କ ରାଶନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ପରିବାରଙ୍କୁ 20 କିଲୋ ଗହମ, 15 କିଲୋ ଚାଉଳ ମାଗଣା ଦିଆଯିବ । ଏତଦ୍‌ବ୍ୟତୀତ 83.83 ଲକ୍ଷ ଲୋକଙ୍କୁ ଦୁଇ ମାସର ଅଗ୍ରିମ ପେନ୍‌ସନ୍‌ ମଧ୍ୟ ଦିଆଯାଉଛି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ମନ୍ କି ବାତ୍ : ଲକଡାଉନ ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍ କି ବାତ୍ ରେ ସାରା ଦେଶରେ ଥିବା ଲକଡାଉନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦେଶବାସୀ ମୋତେ କ୍ଷମା କରନ୍ତୁ ବୋଲି ମୋଦୀ କହିଛନ୍ତି। ଆଜିର ମନ୍ କି ବାତରେ ମୋଦୀ ଯାହା କହିଥିଲେ ସେଥିରୁ କିଛି ଅଂଶ ହେଲା…

ମୋର ପ୍ରିୟ ଦେଶବାସୀଗଣ,
ସାଧାରଣତଃ ‘ମନ କି ବାତ୍‌’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ। କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ। ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ। କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।

ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷକରି ମୋର ଗରିବ ଭାଇ-ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି।

ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ। ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା। କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ।

ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ। ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ। କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା। ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି।
ବନ୍ଧୁଗଣ
ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”- ଅର୍ଥାତ୍‌, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ। କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ। ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି। ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି।

ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ। ଏହା କୌଣସି ଅଂଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ। ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି। ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ। କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ।

ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ। ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ। ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ। ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ। ଲକ୍ଷ୍ମଣରେଖାକୁ ମାନିବାକୁ ହେବ।

Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କୁ ସମାଲୋଚନାର ଏହା ସଠିକ୍ ସମୟ ନୁହେଁ :ଦେଓରା

ମୁମ୍ବାଇ : ସରକାରଙ୍କ କରୋନା ମୁକାବିଲା ପ୍ରକ୍ରିୟାକୁ ନେଇ ଏକାଧିକ ବରିଷ୍ଠ କଂଗ୍ରସେ ନେତା ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ମିଲିନ୍ଦ ଦେଓରା । ବର୍ତ୍ତମାନ ଦେଶ ସଙ୍କଟମୟ ପରସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ନେଇ ଶସ୍ତା ରାଜନୀତି କରାଯିବା ଅନୁଚିତ ବୋଲି ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ମତ ଦେଇଛନ୍ତି । ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଖଟିଖିଆ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିବା ନେଇ ବରିଷ୍ଠ ନେତା କପିଲ ଶିବଲ୍ ଏବଂ ଶଶୀ ଥରୁର୍ ମତ ଦେଇଥିଲେ । ଏହା ବିରୋଧରେ ଟ୍ୱିଟ୍ଟରରେ ଲେଖିଛନ୍ତି ଦେଓରା । କୋଭିଡ୍‌-୧୯ର ମୁକାବିଲା କରିବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳକୁ ବିରୋଧାଭାସ ଭୁଲି ଏକତ୍ର କାମ କରିବାକୁ ପଡିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୫ ଛୁଇଁଛି ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ୍‌ ଯୋଗୁଁ  ଦିଲ୍ଲୀରୁ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିଲେ ଯୁବକ, ରାସ୍ତାରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରୁ ଚାଲି ଚାଲି ମୁରୈନ୍‌ର ବଡଫେରା ଗ୍ରାମକୁ ଯାଉଥିବା ଜଣେ 39 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ଦିଲ୍ଲୀରୁ ଚାଲି ଚାଲି ବଡ଼ଫେରା ଗ୍ରାମକୁ ଆସୁଥିଲେ। ଆଗରାର ସିକନ୍ଧରା ଥାନା ନିକଟରେ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହି ବ୍ୟକ୍ତିଜଣକ ନିଜର ତିନି ସାଥୀଙ୍କୁ ନେଇ ପାଦରେ ଚାଲି ଚାଲି ବଡଫେରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସନ୍ଧ୍ୟା 6ଟା ସମୟରେ ବ୍ୟକ୍ତି ଜଣକ ନିଜ ଭଉଣୀକୁ ଫୋନ୍ କରି ଫରିଦାବାଦ୍‌ ନିକଟରେ ପହଞ୍ଚିଥିବାର ସୂଚନା ଦେଇକହିଥିଲେ ଯେ, ସେ ଖୁବ୍‌ ଶୀଘ୍ର ଘରେ ପହଞ୍ଚିବେ। କିନ୍ତୁ ସକାଳ ସାଢେ ଛ‘ଟା ସମୟରେ ସିକନ୍ଦରା ଥାନା ଅନ୍ତର୍ଗତ ଏକ ସଡକ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଭୋକଉପାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି। କିନ୍ତୁ ପୋଷ୍ଟମର୍ଟମ୍‌ରୁ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଦିଲ୍ଲୀର ଏକ ହୋଟେଲ୍‌ରେ ଟିଫିନ୍‌ ଡେଲିଭରୀ କାମ କରୁଥିଲେ । ଲକ୍‌ ଡାଉନ୍‌ କାରଣରୁ ହୋଟେଲ୍‌ ମାଲିକ୍‌ ତାଙ୍କୁ କାମରୁ ବାହାର କରିଦେଇଥିଲା । କାମ ନଥିବା ହେତୁ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଚାଲି ଚାଲି ଦିଲ୍ଲୀରୁ ମୁରୈନା ଅଭିମୁଖେ ଯାଉଥିଲେ । ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଶବକୁ ତାଙ୍କ ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ଓ ଖଟିଖିଆଙ୍କ ପାଇଁ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାରେ କ୍ୟାମ୍ପ୍‌ ନିର୍ମାଣ ପାଇଁ ଘୋଷଣା କଲେ ନୀତିଶ୍‌

ବିହାର : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର ପ୍ରବାସୀ ଶ୍ରମିକ ବା ଖଟିଖିଆଙ୍କ ପାଇଁ ସୀମାବର୍ତ୍ତୀ ଜିଲ୍ଲାରେ କ୍ୟାମ୍ପ୍‌ ନିର୍ମାଣ କରିବାର ଘୋଷଣା କରିଛନ୍ତି । ନୀତିଶ୍‌ କୁମାର ଘୋଷଣା କରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ବିହାରକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ରହିବା ଲାଗି କ୍ୟାମ୍ପ୍‌ ନିର୍ମାଣ କରାଯିବ । ଏହି କ୍ୟାମ୍ପରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବା ଖଟିଖିଆମାନଙ୍କୁ ରଖାଯିବ । ଏହି କ୍ୟାମ୍ପ୍‌ରେ ଭୋଜନ ସହିତ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ ।

ଶନିବାର ଦିନ ରାଜ୍ୟରେ ଏକ ଉଚ୍ଚଅଧିକାରୀ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।  ସେହିପରି ନୀତିଶ୍‌ କୁମାର ରାଜ୍ୟରେ କରୋନା ସହ ମୁକାବିଲା କରିବାପାଇଁ ଗଠିତ ଏକ ଫଣ୍ଡ୍‌କୁ ବିଧାୟକ ଫଣ୍ଡ୍‌ରୁ 7 କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି ।

କରୋନା ସହ ମୁକାବିଲା ପାଇଁ ଭାରତ ସରକାର ଜାରି କରିଥିବା 21 ଦିନିଆ ଲକ୍‌ଡାଉନ୍‌ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକ ତଥା ଖଟିଖିଆ ମଣିଷ । ଏହି ଲକ୍‌ଡାଉନ୍‌ ଯୋଗୁଁ ବହୁ ସଂଖ୍ୟା ସେମାନେ ନିଜ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି । ଯାହା ଫଳରେ ଭାରତ ସରକାର ଜାରି କରିଥିବା ସାମାଜିକ ଦ୍ବରତ୍ବ ତଥା ସଙ୍ଗରୋଧକୁ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଉତ୍ତରପ୍ରଦେଶ ଶ୍ରମିକମାନଙ୍କ ପାଇଁ ଏକ ବସ୍‌ର ବ୍ୟବସ୍ଥା କରିଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର ବ୍ୟବସାୟ

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପକୁ ଲକ୍‌ଡାଉନରୁ ବାଦ୍‌ ଦେଲା ଗୃହ ବିଭାଗ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରି କୃଷି ଉପରୁ କଟକଣା ହଟାଇଛନ୍ତି ସରକାର । ଏହା ଦ୍ବାରା ଫସଲ କାଟିବାରେ କୌଣସି ଅସୁବିଧା ହେବନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।
ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଗମ୍ଭୀରତା ଏବଂ ସହାନୁଭୂତି ପୂର୍ବକ ଏହି ପ୍ରସଙ୍ଗ ଉପରେ ତତ୍କାଳ ବିଚାର କରିଥିଲେ । ଏହାପରେ କୃଷକ ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବ୍ୟବହାରିକ ନିର୍ଣ୍ଣୟ ନିଆଯାଇଥିଲା ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତାଲିକା :
୧ କୃଷି ଉତ୍ପାଦ କ୍ରୟ ସଂସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧୀୟ କାର୍ଯ୍ୟ,
୨. କୃଷି ଉତ୍ପାଦ ବଜାର କମିଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି,
୩. ସାର ଦୋକାନ, କୃଷକ ଏବଂ କୃଷି ଶ୍ରମିକଙ୍କ ଦ୍ୱାରା ଚାଷ କାମ
୪. ସାର, କୀଟନାଶକ ଏବଂ ବିହନ ଉତ୍ପାଦନ ଏବଂ ପ୍ୟାକେଜିଂ ସଂସ୍ଥା
୫. ଫସଲ କାଟିବା ଏବଂ ବୁଣିବା ସମ୍ବନ୍ଧୀୟ କାର୍ଯ୍ୟ ଓ ବଗିଚାରେ ଲାଗୁଥିବା ଯନ୍ତ୍ରପାତିର ଆନ୍ତଃରାଜ୍ୟ ପରିବହନକୁ ଛାଡ଼ କରାଯାଇଛି ।

ବାଧାମୁକ୍ତ ଭାବେ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଜାରି ରଖିବା ଲାଗି ଏହି ନିଷ୍ପତି ନିଆଯାଇଛି । ଯାହାଫଳରେ ଲକଡାଉନ ସମୟରେ ଦେଶବାସୀଙ୍କୁ ନିରନ୍ତର ଖାଦ୍ୟଶସ୍ୟ ଉପଲବ୍ଧ କରିବା ସମ୍ଭବ ହୋଇପାରିବ । ଏଥିସହିତ କୃଷକ ଏବଂ ଦେଶର ଜନସାଧାରଣ କୌଣସି ସମସ୍ୟାରେ ପଡ଼ିବେ ନାହିଁ । ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।