Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କିୟ ଆପତ୍ତି ଅଭିଯୋଗ ନିମନ୍ତେ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨,୩୯,୧୫୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ଉଭୟ ଲିଙ୍ଗୀ ୨୯ଜଣ ଭୋଟର ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୂର୍ବରୁ ୨୬୫ ପୋଲିଂ ବୁଥ୍ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ମୋଟ୍ ୩୭୩ଟି ବୁଥରେ ଭୋଟ୍ ଗ୍ରହଣ ହେବ। କୋଭିଡ୍ ୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ୧୦୮ଟି ଅଧିକ ବୁଥ୍ ବୃଦ୍ଧି କରିଛନ୍ତି। ଏଥିସହିତ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏସ୍.ଭି.ଏମ୍ କଲେଜ ପରିଦର୍ଶନ କରି ଷ୍ଟ୍ରଙ୍ଗ୍ ରୁମ୍ ଅନୁଧ୍ୟାନ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଉପନିର୍ବାଚନ ପ୍ରସ୍ତୁତ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କୀୟ ଯେ କୌଣସି ଆପତ୍ତି ଅଭିଯୋଗ ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପରିଚାଳନା ନିୟନ୍ତ୍ରଣ କକ୍ଷ ଜିଲ୍ଲା କାର୍ଯ୍ୟାଳୟରେ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ନିଶୁକ୍ଳ ଟୋଲ୍ ଫ୍ରି ନମ୍ବର – ୧୮୦୦୩୪୫୭୨୭୯ ରେ ଜନସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ମାନଙ୍କର ନିର୍ବାଚନୀ ସଭା ଆୟୋଜନ ନିମନ୍ତେ ପଡିଆ ଚିହ୍ନଟ ପାଇଁ ପରିଦର୍ଶନ କରିଥିଲେ।